X Close

ମାଦଳାପାଞ୍ଜି - ରାଜଭୋଗ ଇତିହାସ (PART-1)

କୋଟିବ୍ରହ୍ମା ପ୍ରଳୟ ଯେବେ ହୋଇ ତେବେହେଁ ଶ୍ରୀପୁରୁଷୋତ୍ତମ ନ ତେଜନ୍ତି ଦେବରାଏ-। ବ୍ରହ୍ମାଙ୍କୁ ଦିବସକେ ବିଷ୍ଣୁ ଦ୍ୱାଦସ ଅବତାର । ସଂସାର ଯେ ଭିଆଇଲେ ବେଦବର । ସତ୍ୟ, ତ୍ରେତୟା, ଦ୍ୱାପର, କଳି, ଏରୂପେ ଚାରି ଯୁଗରେ ଗଣ୍ଡାଏ ହୋଅଇ । ଏରୂପେ ସହସ୍ର ଗଣ୍ଡାରେ ବ୍ରହ୍ମାଙ୍କ ଦିବସେ ହୋଅଇ । ଏହି ଦିବସ ରାତ୍ରେ ତିରିସ ଦିବସରେ ମାସେ ହୋଅଇ । ତେବେ ସେ ନିଦ୍ରା ଯାନ୍ତି ବେଦପତି । ଏହି ଦିବସ ରାତ୍ରେ ତିରିସ ଦିବସରେ ମାସେ ହୋଇ । ଏ ମାସରେ ବାରମାସରେ ବରସେ ବୋଲାଇ । ଏହି ବରସ ସଏ ଅଷ୍ଟଉତ୍ତର ବରସରେ ବ୍ରହ୍ମା ନାସ ଯାଇ । ଯେତେବେଳେ ବ୍ରହ୍ମା ନାସ ଯାଇ ତେତେବେଳେ ପ୍ରଳୟ ହୋଅଇ । ଜଳ ଦସଦିସ ଘୋଟଇ । ଏରୂପେ ଉତ୍ତପତି ପ୍ରଳୟ ହୋଇଲେ ତହୁଁ ବିଷ୍ଣୁ ଅନନ୍ତ ସଜ୍ଜାରେ ସୋଇଲେ । ଦିବସେ ଯାଇ ଏ ବରସରେ ସତ୍ୟଯୁଗ ବରସ ୧୭୨୮୦୦୦୦..... । ଏ ଯୁଗ ଭୋଗକଲେ ଛଅ ରଜା । ଛଅ ରୁହି ଧର୍ମ ସାହାସ୍ର କରି ସତ୍ୟ ପ୍ରତିପାଳି ଭୋଗକଲେ ପ୍ରଥମେ ବଳୀ ରଜା ବ ୫୦୦,୦୦୦ । ବେଣୁ ରଜା ଭୋଗକଲେ ବ ୩୦୦,୦୦୦ । ସିବ ରଜା ଭୋଗକଲେ ବ ୧୨୮,୦୦୦ । ମାନଧାତା ଭୋଗକଲେ ବ ୪୦୦,୦୦୦। ପରରବା ଭୋଗକଲେ ବ ୨୦୦,୦୦୦ । ଜାନୁଘଣ୍ଟା ପ୍ରସୁରାମ ଭୋଗକଲେ ବ ୨୦୦,୦୦ । ଗାଏ ଛଅ ରାଜା ଭୋଗକଲେ ସତ୍ୟଯୁଗ ବରସ ୧୭୨୮,୦୦୦-।ତ୍ରେତୟା ଯୁଗ ବରସ ୧୨୯୬,୦୦୦... ଏ ଯୁଗ ଭୋଗ କଲେ ରଜା ୨୫ । ତ୍ରେତୟା ଯୁଗ । ପ୍ରଥମରେ ଏ ଯୁଗରେ ଭୋଗକଲେ ଅଷ୍ଟ ବ୍ରହ୍ମଦେବ । ଭୋଗକଲେ ବରସ ୮୫,୦୦୦ । ମିତ୍ରବେଦ ଭୋଗକଲେ ବରସ ୮୦,୦୦୦। କସ୍ୟପଦେବ ଭୋଗ କଲେ ବରସ ୭୮,୦୦୦ । ଶ୍ରୀ ଦିଲୀପ ଦେବ ଭୋଗକଲେ ବରସ ୬୮,୦୦୦ । ସୂର୍ଯ୍ୟଦେବ ଭୋଗକଲେ ବରସ ୬୦,୦୦୦ । ଶ୍ରୀହରି ଚନ୍ଦନ ରାଜା ଭୋଗକଲେ ବରସ ୫୮,୦୦୦ । ଶ୍ରୀ ଗାନ୍ଧାରଦେବ ଭୋଗକଲେ ବରସ ୫୪,୦୦୦ । ଶ୍ରୀ ହରିବେଣୁ ଦେବ ଭୋଗକଲେ ବରସ ୬୦,୦୦୦ । ଯୁଗଦେବ ଭୋଗକଲେ ବରସ ୫୭,୦୦୦ । ଆରଣ୍ୟଦେବ ଭୋଗକଲେ ବରସ ୫୯,୦୦୦ । ବଇସୁନିଦେବ ଭୋଗକଲେ ବରସ ୫୦,୦୦୦ । ସୁରେନ୍ଦ୍ରଦେବ ଭୋଗକଲେ ବରସ ୫୨,୦୦୦ । ସତମନୁଦେବ ଭୋଗକଲେ ବରସ ୫୫,୦୦୦। ପୃଥୁରାଜା ଭୋଗକଲେ ବରସ ୫୪,୦୦୦ । ଜୀବନ୍ୟାସଦେବ ଭୋଗକଲେ ବରସ ୫୫,୦୦୦ । ଶ୍ରୀ ମାନଧାତା ଭୋଗକଲେ ବରସ ୫୨,୦୦୦ । ସଗର ରାଜା ଭୋଗକଲେ ବରସ ୪୪,୦୦୦ । ଋତୁପନ ରାଜା ଭୋଗକଲେ ବରସ ୫୩,୦୦୦ । ଭାଗୀରଥି ଭୋଗକଲେ ବରସ ୪୭,୦୦୦ । ତ୍ରିବଳୀଦେବ ଭୋଗକଲେ ବରସ ୪୮,୦୦୦ । ରଘୁଦେବ ଭୋଗକଲେ ବରସ ୫୦,୦୦୦ । ଅଜଦେବ ଭୋଗକଲେ ବରସ ୪୮,୦୦୦ । ଦସରଥ ଭୋଗକଲେ ବରସ ୧୯,୦୦୦ । ଶ୍ରୀ ରାମଦେବ ଭୋଗକଲେ ବରସ ୧୧,୦୦୦ । ଏ ରାଜା ସ୍ୱଦେହ ଘେନି ସ୍ୱର୍ଗକୁ ଗଲେ ବରସ ୧୨୯୬,୦୦୦ ।

ଦ୍ୱାପରଯୁଗ ବରସ ୮୬୪,୦୦୦.... । ଏ ଯୁଗ ଭୋଗକଲେ ରାଜା ୩୦.... । ପ୍ରସାଦଦେବ ଭୋଗକଲେ ବରସ ୫୭,୦୦୦ । ବେଣୁଦେବ ଭୋଗକଲେ ବରସ ୫୨,୦୦୦ । ନିରଞ୍ଜନଦେବ ଭୋଗକଲେ ବ ୩୫,୦୦୦ । ବ୍ରହ୍ମାନନ୍ଦ ଭୋଗକଲେ ବ ୩୦,୦୦୦ । ସୁରଥ ଦେବ ଭୋଗକଲେ ବ ୩୨,୦୦୦ । ମଣିଦେବ ଭୋଗକଲେ ବ ୩୪,୦୦୦ । ମେଦଦେବ ଭୋଗକଲେ ବ ୩୨,୦୦୦ । ଅନରଣ୍ୟଦେବ ଭୋଗକଲେ ବ ୩୩,୦୦୦ । ସିଦ୍ଧରାଜା ଭୋଗକଲେ ବ ୩୫,୦୦୦ । ବଇବସୁତ ମନୁ ଭୋଗକଲେ ବ ୩୩,୦୦୦ । ନଘୋସ ଭୋଗକଲେ ବ ୩୨,୦୦୦ । ଯୁଗଦେବ ଭୋଗକଲେ ବ ୩୦,୦୦୦ । ମନୁରାଜା ଭୋଗକଲେ ବ ୩୫,୦୦୦ । ଅତ୍ରୀ ରାଜା ଭୋଗକଲେ ବ ୩୨,୦୦୦ । ତ୍ରିପୁର ଦେବ ଭୋଗକଲେ ବ ୩୭,୦୦୦ । ବୟସମାନ ରାଜା ଭୋଗକଲେ ବ ୨୮,୦୦୦ । ସରପଦେବ ଭୋଗକଲେ ବ ୩୫,୦୦୦ । ବଳିଦେବ ଭୋଗକଲେ ବ ୧୦,୦୦୦ । ଦୁସ୍ୟନ୍ତ ରାଜା ଭୋଗକଲେ ବ ୩୦,୦୦୦ । ଭରତ ରାଜା ଭୋଗକଲେ ବ ୨୮,୦୦୦ । ମନମଥ ରାଜା ଭୋଗକଲେ ବ ୧୩,୦୦୦ । ସରବ ରାଜା ଭୋଗକଲେ ବ ୧୧,୦୦୦ । ଭାସ୍କର ଦେବ ଭୋଗକଲେ ବ୨୮,୦୦୦ । ବ୍ୟାଧିରାଜା ଭୋଗକଲେ ବ ୧୮,୦୦୦ । କଣୁ ରାଜା ଭୋଗକଲେ ବ ୩୨,୦୦୦ । ସାଏଁତନୁ ରାଜା ଭୋଗକଲେ ବ ୩୨,୦୦୦ । ବିଚିତ୍ରବୀର୍ଯ୍ୟ ଭୋଗକଲେ ବ ୨୨,୦୦୦ । ପଣ୍ଡୁ ରାଜା ଭୋଗକଲେ ବ ୧୮,୦୦୦ । ଯୁଜେଷ୍ଟୀ ଦେବ, ଦୁର୍ଯୋଧନ ଭୋଗକଲେ ବ ୫୨,୦୦୦- ଗାଏ ତିରିସ ରାଜାରେ ଭୋଗକଲେ ବ ୮୬୪,୦୦୦ ।

କଳିଯୁଗ ବରସ ୪୩୨,୦୦୦.... । ବହୁତ ରାଜାରେ ଭୋଗ କଲେ । ପାପା ଆଚରି ଅଳପେ ନାସ ଗଲେ । ପ୍ରଥମ ପାଟ କଳିଯୁଗକୁ ବାନ୍ଧି ଜୁଜେଷ୍ଟୀ ଦେବ ଭୋଗକଲେ ବ ୧୧୨ ।

ଏ ସ୍ୱଦେହ ଘେନି ସ୍ୱର୍ଗକୁ ଗଲେ । ଏହାଙ୍କ ନାତି ପରିକ୍ଷିତ ରାଜା ଭୋଗକଲେ ବ ୭୫୭-। ଏ ରାଜାଙ୍କୁ ବ୍ରାହ୍ମଣର ସାପେ ତକ୍ଷକ ଡଂଶିଲା । ଏହାଙ୍କ ପୁଅ ଜନମେଜଏ ଭୋଗକଲେ ବ ୫୮୨ । ଏ ରାଜା ବାପାଙ୍କ ଛଳେ ସର୍ପ ଯଜ୍ଞ କଲେ । ତକ୍ଷକର ବହୁତ ବଂଶ ନାସ କଲେ । ଏହାଙ୍କ ପୁଅ ସଙ୍କରଦେବ ଭୋଗକଲେ ବ ୪୮୦ । ଏହାଙ୍କ ପୁଅ ଗଉତମଦେବ ଭୋଗକଲେ ବ ୫୭୩-। ଏ ରାଜା ଗୋଦାବରୀ ତୀର୍ଥ କଲେ । ଏହାଙ୍କ ପୁଅ ମହୀନ୍ଦ୍ରଦେବ ଭୋଗକଲେ ବ ୨୧୫ । ଏ ରାଜା ରାଜମହୀନ୍ଦ୍ର ଗଡ଼ ବନ୍ଧାଇଲେ । ଏହାଙ୍କ ପୁଅ ସସୋକ ଦେବ ଭୋଗକଲେ ବ ୧୫୦ । ଏହାଙ୍କ ପୁଅ ସରସଂଖଦେବ ଭୋଗକଲେ ବ ୧୨୫ । ଏ ରାଜା ସରସଂଖିଆ ପୋଖରୀ ଖୋଳାଇଲେ । ଏହାଙ୍କ ପୁଅ ଭୋଜଦେବ ଭୋଗକଲେ ବ ୧୨୭ । ଏହା ରାଜା ଉପାଏ ଚକ୍ରବର୍ତ୍ତୀ ମହାନାଟକ ସୋଳକ କଲେ । ଗଛ କଟାଇ ନଇରେ ନାବ ଭିଆଇଲେ । ସେ ବୀରବିକ୍ରମାଜିତ ଭୋଗକଲେ ବରସ ୧୩୫ ।| ଏ ରାଜାଙ୍କୁ ଅଷ୍ଟବେତାଳ ସାହା ହୋଇଥାନ୍ତି । ସତେ ଯୋଜନ ନିତ୍ୟାନି ବୁଲନ୍ତି । କର୍ମାର୍ଜିତ ଭୋଗକାଲ ବ ୧୧୫ । ବଟୁକେସର ଭୋଗକଲେ ବ ୭୦ । ତ୍ରିଭୁବନଦେବ ଭୋଗକଲେ ବ ୬୩ । ଏ ରଜା କଲେ କଉଡ଼ି, ଗଣ୍ଡା, ବୋଡ଼ି, କାହାଣ । ଏହାଙ୍କ ପୁଅ ନିର୍ମଳ ଦେବ ଭୋଗକଲେ ବ ୭୦। ଏହାଙ୍କ ପୁଅ ଭୀମଦେବ ଭୋଗକଲେ ବ ୬୫-। ସୋଭନ ଦେବ ଭୋଗକଲେ ବ ୯୬ । ଏହି ମହାରାଜାଙ୍କ ଅ୨ଙ୍କେ ଡିଲିରୁ ରକ୍ତବାହୁ ଆସିବା ବାରତାକୁ ପରମେସରଙ୍କୁ ସୁନୁପୁର ଗୋପଲୀ ଘେନିଗଲେ । ସେଠାରେ ମଣ୍ଡପ ଗୋଟିଏ କରି ବିଜେ କରାଇଲେ ବ ୪୫ । ଏଥିଉତ୍ତାରେ ମୁଗଲେ ପ୍ରବଳ ହୋଇଲାକୁ ସେବକେ ସେଠାରେ ପରମେସରଙ୍କୁ ପାତାଳି କରି ଉପରେ ଗଛ ଲଗାଇ ରାଜ୍ୟ ଅନ୍ତର ହୋଇଗଲେ । ପାତିସାଙ୍କ ଅମୁରା ରକତବାହୁ ଶ୍ରୀପୁରୁସୋତମ ବୁଲି ଅଇଲା । ସମୁଦ୍ର ଥୋକାଏ ଧୁରମାଡ଼ି ଅଇଲା । ଏ ରାଜା ଅନେକ ଜୁଝ କଲେ । ରହି ନ ପାରି ଝାଡ଼ଖଣ୍ଡ ଭିତରେ ରହିଲେ-। ଏ ଭୋଗକଲେ ବ ୯୬ । 

ଶ୍ରୀ ଚନ୍ଦ୍ର କରଦେବ ଭୋଗକଲେ ବ ୧୩ ରସ । ଏ ଉତ୍ତାରୁ ହତପାଟ ହୋଇ ମୁଗଲେ ଭୋଗକଲେ ବ ୩୫ । ଗାଏ ପରମେସର ପାତାଳି ହୋଇ ରହିଲେ ବ ୧୪୪ (୯୬+୧୩+୩୫) ଗାଏ ସୋମବଂଶ ରାଜା ପାଟ ୧୮ରେ ଭୋଗକଲେ ବ ୩୭୮୩ । ଏହି ଦିନଠାରୁ ଦିଲିରେ ପାତିସା ହୋଇଲେ ।