X Close
ମାଦଳାପାଞ୍ଜି - ରାଜଭୋଗ ଇତିହାସ (PART-7)
୧ମ ପାଞ୍ଜି ମତେ-ଏ ଉତ୍ତାରୁ ଶୂନ୍ୟ କେଶରୀ ରାଜା ଭୋଗକଲେ ବ ୩।୨।୧୧ ଦିନ । ଏ କୃତ୍ତିବାସେ ତପ କଲେ । ଏ ସିଦେ୍ଧସର କଳ୍ପ କେଶରୀ ହୋଇଲେ । ଗାଏ କେଶରୀ ପ୪୪୯ଙ୍କକୁ ଭୋଗ କଲେ ବ ୧୮୨୩।୯।୧୯ ଦିନ । ଶ୍ରୀ ସିଦେ୍ଧସର କଳ୍ପ ରାଜା ବ୍ରାହ୍ମଣ ବାସୁଦେବ ରଥଠାରୁ ଥରେ ଟଙ୍କି ନେଇ ଆଉ ଥରେ ପଠାଣ ଜଣକୁ ଲେଖି ଦେଲାକୁ ଏ ବାସୁଦେବ ରଥଠାରୁ ଥରେ ଟଙ୍କି ନେଇ ଆଉ ଥରେ ପଠାଣ ଜଣକୁ ଲେଖି ଦେଲାକୁ ଏ ବାସୁଦେବ ରଥ ରାଜାଙ୍କୁ କହିଲେ “ମୁଁ ଟଙ୍କି କଉଡ଼ି ହେଇଅଛି । ଏବେ ପଠାଣ ଜଣେ ଉଲ୍ଲର ଲଗାଉଛି ।” ରାଜା କହିଲେ “ତୁ ବାସୁ ସେ ପଠାଣ ଜାଣେ ।” ଏମନ୍ତ ଶୁଣି ସେ ବ୍ରାହ୍ମଣ ବାସୁଦେବ ରଥ ଭୁବନେସ୍ୱରଙ୍କୁ ସେବା କଲେ । ଭୁବନେସ୍ୱର ଦେବ ପ୍ରସନ୍ନ ହୋଇଲେ । ଏ ବାସୁଦେବ ରଥେ ଜଣାଇଲେ କେଶରୀ ରାଜତ୍ୱ ନ କରିବେ । ଏଥକୁ ଭୁବନେସର ଦେବଙ୍କ ଆଗାଁ ହୋଇଲା । ତୁ ଦକ୍ଷିଣ ଯାଇ ଗୋକର୍ଣ୍ଣେସର ବୀର୍ଯ୍ୟରୁ ଯେ ରାଣ୍ଡିପୁଅ ଚୋରଗଙ୍ଗା ଅଛି ତାକୁ ଆମ୍ଭ ଆଗାଁରେ ଆଣି ଓଡ଼ିସାରେ ରାଜତ୍ୱ କରାଇବୁ । ଏମନ୍ତକୁ ସେ ବ୍ରାହ୍ମଣ ଦକ୍ଷିଣ ଯାଇ ଦେଖିଲା ରାଣ୍ଡିପୁଅ ଚୋରଗଙ୍ଗା ଟୋକାଙ୍କ ସାଙ୍ଗରେ ଖେଳରେ ରାଜା ହୋଇଅଛି । ପାଖକୁ ସେ ଟୋକାଙ୍କ ବାହାରେ ଅନ୍ୟ ଲୋକ ଯିବାର ନାହିଁ । ସେ ବ୍ରାହ୍ମଣ ଟୋକାଙ୍କ ଆଗରେ କହିଲା ଓଡ଼ିଶାରୁ ବ୍ରାହ୍ମଣ ଜଣେ ଆସିଅଛି । ସେ ଟୋକା ଚୋରଗଙ୍ଗାକୁ କହିଲାକୁ ଖପରାରେ ଖପରା ଖଣ୍ଡିଏ ଲେଖି ସେ ଟୋକାମୂଳେ ଦେଲା । କହିଲା ଅବକାସ ନାହିଁ । ଖର୍ଚ୍ଚ ନେଇ ରହ । ଏରୂପେ ଦିନ ପନ୍ଦର ଉତ୍ତରୁ ଯେଉଁ ଗୁଡ଼ିଆ ଠାକୁ ଲେଖିଥିଲା ସେ ଗୁଡ଼ିଆ ପୁଅ କହିଲା ଚୋରଗଙ୍ଗଠାରେ କେତେ କଉଡ଼ି ଦେଇଅଛୁ । ତାକୁ କହିଲା ମୋ କଉଡ଼ି ବ୍ରାହ୍ମଣ ଖାଉ । ଆଚ୍ଛା ଦିନ ପନ୍ଦର ଗଲା ଉତ୍ତାରୁ ବ୍ରାହ୍ମଣ ପଚାରିଲା, ସେ ବ୍ରାହ୍ମଣ କହିଲା ‘ଭୁବନେସର ଦେବ ଆଗାଁ ଦେଇଅଛନ୍ତି ତୁମ୍ଭେ ଓଡ଼ିସାରେ ରାଜା ହେବ’ ଏମନ୍ତ ଶୁଣି ସନମତ କଲା । ମା’କୁ କହିଲା, ମା କହିଲା, ମୋ ସଙ୍ଗାତ ନେତେଇ ଧୋବଣୀ ସାଙ୍ଗେ ଭେଟ ହୋଇ ଯିବୁ । ଏଥକୁ ସେ ନେତେଇ ଧୋବଣୀକୁ ଦେଖିଲା ଭାତ ରାନ୍ଧୁଅଛି । ଗୋଡ଼ ଗୋଟିଏ ଜାଳୁଅଛି । ଏହା ଡାକ ସୁଣି କୋଡ଼ ପୁଅକୁ ଚୁଲିରେ ଦେଇ ଏହାକୁ କଥା କହିଲା । ଏ ଚୋରଗଙ୍ଗା କହିଲା ମୋତେ ମା’କହିଲା ମାଉସୀ ସାଙ୍ଗରେ ଭେଟ ହୋଇ ଯିବାକୁ । ତାକୁ ପଚାରିଲା, କି ଖାଇଅଛୁ । ଏ କହିଲା ‘କିଛି ଖାଇ ନାହିଁ ।’ ଏ କହିଲା, ବାରିରେ କଦଳୀ ଅଛି ଖାଆ । ସେ କଦଳୀ ଖାଉଥିଲା ଧୋବଣୀ ପଚାରିଲା କେତେ ଖାଇଲୁ । ସେ କହିଲା ୧୮ ଗୋଟି ଖାଇଲି । ଧୋବଣୀ କହିଲା “ଏତେକି ହଉ” ତାଠାରୁ ମନ୍ତ୍ର-ସିଦ୍ଧ କରି ଆସି ବାଟରେ ସିଅଳ ଚିହ୍ନିଲାକୁ ଏ ସିଅଳକୁ ବର ଦେଇ ହାଣି ପକାଇଲେ । ଗୋକେର୍ଣ୍ଣସର ବୀର୍ଯ୍ୟ ଗଙ୍ଗାଦେବୀ ଗର୍ଭୁ ସମ୍ଭୁତ । ଗଙ୍ଗବଂଶରୁ-ଜାତ ଆଦି ପାଟ ଚୁଡ଼ଗଙ୍ଗ ଦେବ । ଏ ଚୁଡ଼ଗଙ୍ଗ ଦେବ ଦେବ ବେତାଳ ସାଧ୍ୟ । ନିତାଲମା ନଗ୍ରଦେବୀ
କିଳତା ମହାପଶୁ ମନିନ୍ତ କେଶରୀବଂଶ ରାଜା ସିଦ୍ଧକଳ୍ପ କେଶରୀ ରାଜାଙ୍କୁ ଉଚ୍ଛନ୍ନ କରାଇ ରାଜାକଲା । କନ୍ୟ ୧୩ ଦିନ କୃଷ୍ଣ ତ୍ରୟୋଦସୀ ଗୁରୁବାର ଦିନ ନାଟ ବେଶରେ ଆସି କଟକ ମାଡ଼ିବସି ରାଜା ହୋଇଲା । ବାସୁଦେବ ବାହନପତି ମହାପାତ୍ର ହୋଇଲା । ଯାଜପୁର-କଟକେ ପ୍ରବେସ ହୋଇଲା । ପ୍ରଥମେ ରହିଲେ ପଞ୍ଚମ କଟକ ବାଣରାସି ହୋଇ ଓଡ଼ିସା ଗୋସାଣୀମାନ କିଳିଲେ । ସେ ରାଜ୍ୟ ଭୋଗ କଲେ ବ ୬୬।୨।୨ ଦିନ ।
୨ୟ ପାଞ୍ଜି ମତେ-ଏ ଉତ୍ତରୁ ଚୁଡ଼ଗଙ୍ଗ ରାଜା ହୋଇଲେ କନ୍ୟ ଦି ୧୩ ନ ସୁକ୍ଳପକ୍ଷ ଗୁରୁବାର ଦିନ ରାଜା ହୋଇଲେ । ବାସୁଦେବ ବାହନପତି ପାତ୍ର ହୋଇଲେ । ଚୁଡ଼ଗଙ୍ଗ କର୍ଣ୍ଣାଟ ଦେସରୁ ଆସି କଟକ ମାଡ଼ି ବସି କନ୍ୟା ଦି ୨୫ ଦେ ଗୁରୁବାର ପଞ୍ଚମୀ ଦିନ ରାଜା ରାଜ୍ୟ କଲେ । ଯାଜପୁରଠାରେ ପ୍ରଥମ ନବର କରି । ତହୁଁ ଆସି ଓଡ଼ିସା ଗୋସାଣୀଙ୍କୁ ସମସ୍ତ କିଳିଲେ । ଏ ରାଜା ସାବର ବିଦ୍ୟାରେ ପରିପୂର୍ଣ୍ଣ । ଏହାଙ୍କ ଆଗେ ଚଢ଼ାଇ ଉଡ଼ିଯାଇ ନ ପାରେ । ଏ ଚୁଡ଼ଙ୍ଗ ସାହୀରେ ପୋଖରୀ ଖୋଳାଇଲେ । ଏହାଙ୍କ ରାଣୀ ମିଟୁଆଣୀ ପୋଖରୀ ଖୋଳାଇଲେ । ଏ ରାଜା ଭୋଗକଲେ ଅ ୨୯ ଙ୍କକୁ ବ ୨୪ ରସ ।
୩ୟ ପାଞ୍ଜି ମତେ-ଏ ଚୁଡ଼ଗଙ୍ଗ ଦେବ ରାଜା ଭୋଗ କଲେ ବ ୨୦ ରସ ସ ୧୦୭୪ କାବ୍ଦ । ଏ ରାତା ବହୁତ ଯନ୍ତ୍ର ମନ୍ତ୍ର ମାନ ଜାଣନ୍ତି ।
୧ମ ପାଞ୍ଜି ମତେ, -ଏ ଉତ୍ତାରୁ ଗଙ୍ଗେଶ୍ୱର ଦେବ ଭୋଗ କଲେ । ଗଙ୍ଗାରୁ ଗୋଦାବରୀ ଯାଏ ଏକଛତ୍ର କଲେ । ଏ ରାଜାଙ୍କୁ ମୁଣ୍ଡଛେଚି ରାଣୀମାନେ ମାଇଲେ । ସେ ରାଜ୍ୟ ଭୋଗକଲେ ବ ୯ ରସ ।
୨ୟ ପାଞ୍ଜି ମତେ, -ଏ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ଏକଛତ୍ର କଲେ । ଏ ରାଜା ବ୍ରାହ୍ମଣମାନଙ୍କୁ ପଚାରିଲେ “ଯଉ ଫଳ ଉପୂଜାଇ ସେ ଫଳ ଖାଇ କି ନ ଖାଇ ।” ତହିଁକି ବ୍ରାହ୍ମଣେ ବୋଇଲେ ଯେ ଫଳ ଉପୁଜାଇ ସେ ଫଳ ଖାଇ । ସେଠାରୁ ରାଜା ଝିଅଙ୍କ ସଙ୍ଗେ ଅଙ୍ଗସଙ୍ଗ ହେଲେ । ସେ ଝିଅ ଗର୍ଭବାସ ହେଲେ । ତହିଁ ସକାସୁଁ ସେ କଥା ପ୍ରଘଟ ହେଲା । ସେଠାରୁ ରାଜା ବ୍ରାହ୍ମଣଙ୍କୁ ପଚାରିଲେ ତହିଁକି ବ୍ରାହ୍ମଣମାନେ କହିଲେ । “ତୁମ୍ଭେ ଝିଅଙ୍କ ସଙ୍ଗେ ଅଙ୍ଗସଙ୍ଗ ହେଲ । ଏ କଥା ଗହିତ ହେଲା । ଏ କଥା ଉଚିତ ନୁହଁଇ, ତହିଁକି ରାଜା ପଚାରିଲେ ଏଥି କି ପ୍ରାଶ୍ଚିତ୍ତ । ତହିଁକି ବ୍ରାହ୍ମଣ କହିଲେ “ଦୁଇମାଠିଆ ପାଣି ଘେନି ଚାଲିଯିବ, ତାହା ଗୋଡ଼ରୁ ଯେଉଁଠାରୁ ରୁଧିର ଜାତ ହେବ ସେଇଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବ, ମଧ୍ୟରେ ଦୀପଦଣ୍ଡି ହେବ । ତହିଁ ଭିତରେ ସେ ଝିଅ ରହିବ । କାହାରି ମୁଖ ନ ଚାହିଁବ ଏମନ୍ତ ସେ ତାହାଙ୍କ ଦିହକ ରହିବେ । ତୁମ୍ଭ ଉପସ୍ଥ କଟା ହୋଇ ହୁମ (ହୋମ ହୋଇଯିବ । ତେବେ ସେ ତହିଁରେ ଦୋଷଯିବ ।” ସେଠାରୁ ସେ ରାଜା ଏହା ଶୁଣି ଝିଅଙ୍କ ହାତରେ କାଖରେ ପାଣି ଦୁଇମାଠିଆ ଦେଇ ଚଳାଇଲେ । ଏ ଝିଅଙ୍କୁ ଏ ରୂପେ ଚଳାଇଲା ବେଳକୁ ରାଜ୍ୟ ଲୋକେ ଶୁଣି ବହୁତ ଉପହାସ କଲେ । ରାଜା ବଡ଼ ସଙ୍କୋଚ ପାଇଲେ ଏ ଝିଅକୁ ନଅରକୁ ନେଲେ । ଏ ଉତ୍ତାରୁ ଝିଅଙ୍କୁ ଯେଉଁଯାଏ ବୁଲାଇ ରକତ ଗୋଡ଼ରୁ ବହି ନଥିଲା (ତାହାର) ସୀମାନ୍ତ ଘେନି ପୋଖରୀ (ଖୋଳାଇ) ଦୀପଦଣ୍ଡି କଲେ । ଦୀପଦଣ୍ଡି କରି ଝିଅକୁ ଆଣି ତହିଁରେ ରଖିଲେ । ରାଣୀମାନେ ରାଜାଙ୍କ ମୁଣ୍ଡ ଛେଚି ମାଇଲେ । ସେଇଦିନୁ ପୋଖରୀ କୌସଲ୍ୟାଗଙ୍ଗ ବୋଲାଇଲା । ଏ ରାଜା ଭୋଗକଲେ ଅ ୧୪ଙ୍କକୁ ବ ୧୨ ରସ । ଏ ରାଣୀହଂସ ଭୋଗ କଲେ ଅ୧୧ଙ୍କକୁ ବ ୯ ରସ ।
୧ମ ପାଞ୍ଜି ମତେ-ଏ (ଏକ ଜଟା କାମ ଦେବ) ଭୋଗ କଲେ ବ ୭ ରସ । ରାଜା ହୋଇବାଯାଏଁ ଅନ୍ନବସ୍ତ୍ରବାନ ଦାନ ଦେଉଥିଲେ ।
୨ୟ ପାଞ୍ଜି ମତେ-(ଏ ଉତ୍ତାରୁ ଏକଜଟା କାମଦେବ ରାଜା ରାଜ୍ୟ କଲେ) ଏ ରାଜା ବଡ଼ ବୈଷ୍ଣବ ଆଚରଣ କଲେ । ଏ ରାଜା ରାଣୀ ମହାଦେଈମାନଙ୍କୁ ଅନ୍ନବସ୍ତ୍ର ଦେଉଥିଲେ । ଏ ରାଜା ଚୁଡ଼ଙ୍ଗସାହୀ ମଧୁପୁର ପଟଣାରେ ଠାକୁରଙ୍କୁ ବିଜେ କରାଇଲେ । ଏ ଦିନ ବଡ଼ ଦେଉଳକୁ ଶୁଭ ଦେଲେ । ସେହିଦିନୁ ଠାକୁରଙ୍କୁ ଶୀତଳ ମୁଣୋହି ଭୋଗ ହେଉଥିଲା । ଏ ରାଜା ଭୋଗ କଲେ ଅ ୧୪ଙ୍କକୁ ବ ୧୨ ରସ ।
୩ୟ ପାଞ୍ଜି ମତେ-ଏ ଉତ୍ତରୁ ଏକଜଟା କାମଦେବ ଭୋଗ କଲେ ବ୫ ରସ ସ୧୦୯୩କାବ୍ଦ । ଏ ରାଜା ବଡ଼ ଦେଉଳ ତୋଳାଇବା ପାଇର୍ ଶୁଭ ଦେଲେ ।
୧ମ ପାଞ୍ଜି ମତେ-ମଦନ ମହାଦେବ ଭୋଗ କଲେ ବ ୧୫ । ଏ ରାଜା ସିରାଇ ଦଣ୍ଡପାଟର ସହଜପାରି ଗ୍ରାମ କଟକ କରିଥିଲେ ଏ ଲେମ୍ବେଇ ଦଣ୍ଡପାଟରେ ଅଛନ୍ତି । କାଳୁପଡ଼ା ବିନେ୍ଧ୍ୟଶ୍ୱରୀ ପର୍ବତ ଉପରେ ବିଷ୍ଣୁସ୍ୱାମୀଲିଙ୍ଗ ଏହାଙ୍କ ପଶ୍ଚିମ ଦିଗରେ ସାଆଳା ପର୍ବତ ଓ ପାଆଁରା ପର୍ବତ ଏପାଶେ ବଣିବକ୍ରେଶ୍ୱର ପର୍ବତ, ଯମୁନା ଝାଡ଼ପଡ଼ା ପର୍ବତ । ପାରଙ୍ଗ ଦଣ୍ଡପାଟେ ଅରାଗଡ଼ ପର୍ବତ, ଧଉଳି ପର୍ବତ, ଏ ସବୁ ପର୍ବତ କନ୍ଦରାମାନରେ ଚୌରାଅସି ଗୁମ୍ଫାମାନ କରି ସିଦ୍ଧ ବୌଦ୍ଧମାନେ ରହି ଅଛନ୍ତି । ଏମାନେ ସର୍ବଜ୍ଞ । ଏକ ଦିନକରେ ରାଜାଙ୍କ ରାଣୀମାନେ ବୋଇଲେ ବଡ଼ ସର୍ବଜ୍ଞ । ଇଥିକି ରାଜା ବୋଇଲେ ବୌଦେ୍ଧ କି ସର୍ବଜ୍ଞ, ବ୍ରାହ୍ମଣମାନେ ବଡ଼ । ଏଥକୁ ରାଣୀଏ ବୋଇଲେ ବୌଦ୍ଧମାନଙ୍କୁ ବ୍ରାହ୍ମଣମାନଙ୍କୁ ପରୀକ୍ଷା କର, କିଏ ସର୍ବଜ୍ଞ, କାହାର ବଚନ ପ୍ରମାଣ । ଏଥକୁ କେହି ନ ଜାଣନ୍ତି । ହାଣ୍ଡି ଗୋଟିକେ ସର୍ପ ଗୋଟାଏ ପୂରାଇ ମୁଦାଇ ବୌଦ୍ଧମାନଙ୍କୁ ବ୍ରାହ୍ମଣମାନଙ୍କୁ ରାଜା ହକାରାଇ ଅଣାଇଁ ଆଗେ ବୌଦ୍ଧମାନଙ୍କୁ ପଚାରିଲେ-ଏ ହାଣ୍ଡିରେ କି ଅଛି କହ । ଏଥକୁ ବୌଦ୍ଧମାନେ କହିଲେ । ମହାରାଜା, ଏ ହାଣ୍ଡିରେ ସର୍ପ ଗୋଟିଏ ଅଛି । ଏହା ଶୁଣି ରାଜାଙ୍କୁ ରାଣୀ ତୁନି କରି କହିଲେ । ରାଜା ହାରିଲେ । ଏଥକୁ ରାଜା ଲାଜ ପାଇଲେ । ବ୍ରାହ୍ମଣମାନଙ୍କୁ ପଚାରିଲେ । ବ୍ରାହ୍ମଣମାନେ ବିଚାରିଲେ । ଏମାନେ ସର୍ବଜ୍ଞ, ଏହାଙ୍କ ବଚନ ମିଥ୍ୟା ନୋହଇ । ଆମ୍ଭେମାନେ କି କହିବା ଏମନ୍ତ ବିଚାରି କହିଲେ । ମହାରାଜା, ଏ ହାଣ୍ଡିରେ ଭସ୍ମଗୁଡ଼ିଏ ଅଛି । ଏମନ୍ତକୁ ରାଜା ହାଣ୍ଡି ଫେଡ଼ାଇ ଦେଖିଲା ବେଳକୁ ସର୍ପ ନାହିଁ ପାଉଁସଗୁଡ଼ାଏ ଅଛି । ଏହା ଦେଖି ରାଜା ରାଣୀଙ୍କି ବୋଇଲେ, ବୋଲୁଥିଲ ବୌଦ୍ଧ ବଡ଼ ବୋଲି, ଦେଖ ବ୍ରାହ୍ମଣମାନଙ୍କ ବଚନ । ଏମନ୍ତ ବୋଲି ବୌଦ୍ଦମାନଙ୍କର ରାଜା ମୁଣ୍ଡ ଛେଚାଇବା ବେଳକୁ ବୌଦ୍ଧମାନେ ରାଜାଙ୍କୁ ଶାପ୍ୟ ଦେଇ ପର୍ବତ ଗୁମ୍ଫାମାନଙ୍କରୁ ବାହାର ହୋଇ ଅରଣ୍ୟକୁ ଗଲେ । ଏ ରାଜା ପରମେଶ୍ୱରଙ୍କୁ ସେବା କରି ବ୍ରାହ୍ମଣମାନଙ୍କୁ ପରିପାଳନ କରି ରାଜ୍ୟ କଲେ ୧୫ ବରସ । ଏ ମହାରାଜାଙ୍କ ୨ ଅଙ୍କରେ ଅଲାରନାଥ ଦେଉଳ ତୋଳା ହୋଇଥିଲା । ଏକ ଦିନରେ ରାଜା ଶ୍ରୀ ନଗରୁ ବିଜେ କରି ଆସିବା ବେଳକୁ ଏ ପର୍ବତ ପାଖେ ବଣିଚଢ଼ାଇ ମଣିମା ମଣିମା ବୋଲି ଏ ଗଛରୁ ସେ ଗଛରେ ବସଇ । ଏଥକୁ ରାଜା ଆଜ୍ଞ ଦେଲେ ବଣି ବକ୍ରୋକ୍ତି କରୁଅଛି; ଏଠାରେ କିଏ ଅଛି ଦେଖ । ଏଥକୁ ମଣି ଭିତରେ ଦେଖିଲେ ଅରଣ୍ୟରେ ହିରଣ୍ୟଗର୍ଭ ଶମ୍ଭୁଗୋଟିଏ ଅଛି । ରାଜା ପଚାରିଲେ-ଏ ଦିଅଙ୍କ ନାମ କି । ଏଥକୁ ଏ ଗ୍ରାମ ଲୋକମାନେ କହିଲେ, କେଉର୍ କାଳରେ ଏଥି ସାମଲେଶ୍ୱର ହୋଇ ମହାଦେବ ଥିଲେ ବୋଲି ବୋଲନ୍ତି । ରାଜା ବୋଲନ୍ତି ବଣି ଯେ ବକ୍ରୋକ୍ତି କରି ଡାକିଲା ଏ ଦେବଙ୍କ ନାମ ବଣିବକ୍ରେଶ୍ୱର ଦେବ ହୋଇଲା ।
୨ୟ ପାଞ୍ଜି ମତେ-ମଦନ ମହାଦେବଙ୍କ ନାମ ରାଜରାଜେଶ୍ୱର । ଏ ରାଜା ଭୋଗ କଲେ ଅ ୩୨ଙ୍କକୁ ବ ୨୬ ରସ ।
୩ୟ ପାଞ୍ଜି ମତେ-ଏ ରାଜା ଅଲାରନାଥ ଦେଉଳ କଲେ । ଏ ରାଜା ବୌଦ୍ଦମାନଙ୍କୁ ମାରି ଉଚ୍ଛନ୍ନ କରିଦେଲେ । ଏ ରାଜ ବଡ଼ ଦେଉଳ ତୋଳାଉଥିଲେ । ପ୍ରଥମ ଓ ତୃତୀୟ ପାଞ୍ଜି ମତେ-ଏ ଉତ୍ତରୁ ୟାଙ୍କ ଭାଇ ଅନଙ୍ଗ ଭୀମଦେବ ରାଜତ୍ୱକଲେ ୨୭ ବରସ ୧ ମାସ ୧ ଦିନ । ଏହାଙ୍କ ପୁଅ ଅନଙ୍ଗ ଭୀମ ଦେବ ଏହାଙ୍କ ଇଚ୍ଛାରେ କହିଲେ । ଆମ୍ଭ ନାଆ ପୁରୁଷେତ୍ତମ ଦେବେ । ଏ ନଗର କଟକେ ଥାଇ ଶ୍ରୀ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଦେବଙ୍କୁ ସମସ୍ତ ସମର୍ପି ରାଉତପଣେ ଥାଆନ୍ତି । ଏ ଭୋଗକଲେ ବ ୨୧୫।୬ ଦିନ । ଅନଙ୍ଗଭୀମ ଦେବ ଓ ପୁରୁଷୋତ୍ତମ ଦେବ ମଧ୍ୟ ରାଜା ୨ ଅଙ୍କ ଅଭିଷେକ ନ ହେଲେ । ଓଡ଼ିଶା ରାଜ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏମନ୍ତ କହି ଅଭିଷେକ ନୋହିଲେ ।