X Close
ମାଦଳାପାଞ୍ଜି - ରାଜଭୋଗ ଇତିହାସ (PART-8)
୧ମ ପାଞ୍ଜି ମତେ-ଏ ଉତ୍ତାରେ ଅନଙ୍ଗଭୀମ ଦେବଙ୍କ ସାନଭାଇ ଭୀମ ପରିରାଏଙ୍କୁ ଭୀମନଗର ଦଣ୍ଡପାଟୁଂ ଆଣି ରଜା କଲେ । ଏ ଦୂତୀ ଅନଙ୍ଗଭୀମ ଦେବ ହୋଇଲେ । ଏ ରଜା ନଗର ଚଉଦ୍ୱାରେ କଟକେ ବିଜେ କରିଥାନ୍ତି । ଏମନ୍ତରେ ଏକ ଦିନରେ ରଜାଏ ବିଜେ କରି ଆସି ମହାନଦୀ ପାର ହୋଇ ଏ ନଦୀରୁ ଦକ୍ଷିଣତୀରେ ଦେଖିଳେ କୋଦଣ୍ଡା ଦଣ୍ଡପାଟର ବାରବାଟି ଗ୍ରାମରେ ବିଶ୍ୱେଶ୍ୱର ସନିଧେ ଶାମଳା ପକ୍ଷିକି ବଗ ମାଡ଼ି ବସିଅଛି । ଏହା ଦେଖି ରଜାଏ ବଡ଼ ଆଶ୍ଚର୍ଯ୍ୟ ପାଇ ଶୁଭଯୋଗ ଦିନରେ ଏ ବାରବାଟି ଗ୍ରାମରେ ଶୁଭ ଦେଇ ନଅର ତୋଳାଇ କଟକ କରି ଏ କଟକ ନାମ ବାଣରାଶୀ କଟକ ବୋଲି ନାମ ଦେଇ ନଗର ଚଉଦ୍ୱାର କଟକ ଛାଡ଼ି ଆସି କଟକ କରି ରହିଲେ । ଥୋକାଏ ବରଷ ଗଲା ଉତ୍ତାରେ ଏକ ଦିନକର ରାତ୍ରରେ ରଜା ପରମେଶ୍ୱରଙ୍କୁ ସପନରେ ଦେଖିଲାକୁ ପରମେଶ୍ୱରଙ୍କୁ ଦରଶନ କରିବାକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ବିଜେ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦରଶନ କରି ଛାମୁରେ ଶାଢ଼ି ପ୍ରସାଦ ଲାଗି ହୋଇ ଶ୍ରୀନବରେ ବିଜେ କରି ମୁଦଲ କରାଇଲେ । ଏ ମୁଦଲର ଭାଷା ଶ୍ରୀବୀର ଶ୍ରୀଗଜପତି ଗଉଡେଶ୍ୱର ନବକୋଟି କର୍ଣ୍ଣାଟ କଲବରଗେଶ୍ୱର ଅଭିରାଏ ଭୂତ ଭୈରବ ଦୁସହ ଦୁଶାସନ ଅନୀକରଣେ ରାଉତରାଏ ଅତୁଳ ବଳ ପରାକ୍ରମ ସଂଗ୍ରାମ ସହସ୍ରବାହୁ ଧୂମକେତୁ ଶ୍ରୀ ଅନଙ୍ଗଭୀମ ଦେବ ମହାରାଜାଙ୍କର ବିରଳ ଅ ୧୫ ଙ୍କ ଶ୍ରାହି ଫଗୁଣ ଶୁକ୍ଳ ଦ୧୦ଶମୀ ତତ୍କାଳ ଏକାଦଶୀ ଗୁରୁବାରେ ଶ୍ରୀପୁରୁଷୋତ୍ତମ କଟକେ ଶ୍ରୀନବର ଦକ୍ଷିଣ ଘରେ ଦେବାର୍ଚ୍ଚନ ଅବକାଶେ ଅଭିନବ ଯଯାତିନଗର ବିଷ୍ଣୁ ଶ୍ରୀପାଦ ମୁଦଲେ ପୁର ଚୌରୀ ନବରେ ବାଙ୍କିଆରେ ବିଜେ ସମୟ ପାଶ ପାତ୍ର ପରମହଂସ ବାଜପେଇ ଦାମୋଦର ପୁରୋହିତ, ମହାପାତ୍ର ନୀଳକଣ୍ଠ ରାଏଗୁରୁ, ମହାପାତ୍ର ବଳଭଦ୍ର ପ୍ରହରାଜ, ମହାପାତ୍ର ଚଇନି ପାଟଯୋଷି, ମହାପାତ୍ର ଦାମୋଦର ପଣ୍ଡା, ପାତ୍ର ଗଙ୍ଗାଧର ପଣ୍ଡା, ପାତ୍ର ଚକ୍ରଧର ପଣ୍ଡା, ପାତ୍ର ବିଦ୍ୟାଧର ପଣ୍ଡା, ପାତ୍ର ଜଗନ୍ନାଥ ପଣ୍ଡା, ପାତ୍ର ନୀଳକଣ୍ଠ ପଣ୍ଡା, ପାତ୍ର ଭୀମକର ପଣ୍ଡା, ପାତ୍ର ଗୋପୀନାଥ ପଣ୍ଡା, ପାତ୍ର ବଳଭଦ୍ର ପଣ୍ଡା, ପାତ୍ର ପୁରୀ ଦାସ ମିଶ୍ର, ଜେନା ବଡ଼ରାଏ ନରସିଂଘ ଦେଓ, ଅଜୟ ଦେଓ, ପରିରାଏ ଅନନ୍ତ ଦେଓ, ପରିରାଏ ଈଶ୍ୱର ଦେଓ, ପରିଚାଏ ଶତ୍ରୁ ଦେଓ, ପରିରାଏ ହରିହର ଦେଓ, ପରିରାଏ ରାମ ଦେଓ, ପୋର ପାଞ୍ଜିଧର ପରୀକ୍ଷା ମିଥୁନି ପଣ୍ଡା, ପୋର ଶ୍ରୀକରଣ ସୁରୁଯ ପୁରନାୟକ, ମାରକଣ୍ଡ ମହାସେନାପତି ସମସ୍ତ ପାତ୍ର ଖଟନ୍ତି । ବୁଢ଼ାଲେଙ୍କା ଥାଇ ଠାକୁରେ ପୁରୁଣ ହୋଇ, ଏମନ୍ତ ବୋଲି ତରଫ କରାଇଲେ ।
ଞ୍ଚ ଠାକୁରେ ଏମନ୍ତେ ବୋଲିଛନ୍ତି ଯେ-
ସେ ଭବିଷ ମହାରାଜାମାନେ ଦେବତା ବ୍ରାହ୍ମଣଙ୍କୁ, ବଳ ଭଣ୍ଡାରକୁ, ରାଜନୀତିଚଏକୁ ମଧ୍ୟ କରି ମୁଂ ଯେମନ୍ତ ପ୍ରକାରେ ଭିଆଣ କରି ଦେଉଅଛି ଏତିକି ତୁମ୍ଭେମାନେ ନ ପୁଣି ବୋଲ ସେ ଦେଇଗଲେ ଆମ୍ଭର କି ହୋଇଲା, ଆମ୍ଭେ କିମ୍ପା ଦବୁ ଏମନ୍ତ ନ ବୋଲିବ । ଏ ତ ଓଡ଼ିଶା ରାଇଜ ଯେ କେଶରୀ ରାଜାମାନଙ୍କୁ ଆଦିକରି ଗଙ୍ଗବଂଶେ ଆମ୍ଭ ଛପାଟ ସରିକି ରାଜ୍ୟ ଆଏ ହେଉଥିଲା ପୂର୍ବଦିଗେ ଅର୍କକ୍ଷେତ୍ର ସୋମୋଦ୍ର ତୀରଠାରୁ ପଶ୍ଚିମେ ଭୀମନଗର ଦଣ୍ଡପାଟ ସରିକି ଦକ୍ଷିଣେ ଆଏ ହେଉଥିଲା ଦକ୍ଷିଣେ ମହୋଦଧି ଉତ୍ତର ତୀରଠାରୁ କାଆଂସାଂ ସରିକି ଦକ୍ଷିଣେ ଆଏ ହୋଉଥିଲା । ଉତ୍ତରେ କାଆଂସାଂ ବାଆଂସାଂଠାରୁ ଦକ୍ଷିଣେ ଋଷିକୋଇଲା ନଦୀ ସରିକି । ଜିତ ସୁନା ପନ୍ଦର ଲକ୍ଷମାଢ଼େ ଏହି ଖଣ୍ଡମଣ୍ଡଳ ହୋଇ ଆଏ ହୋଉଥିଲା । ଏମନ୍ତ ରାଜ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଦାରବିନ୍ଦ ପ୍ରସାଦେ ବ୍ରାହ୍ମଣମାନଙ୍କର କଲ୍ୟାଣେ ଖଣ୍ଡାରେ ଯଶ କରି ଭୁଇଆଂ ପୁରାଣମାନଙ୍କୁ ଜୟ କରି ଆଏ କଲୁ । ଉତ୍ତର ଦିଗେ କାଆଂସାଂ ବାଆଂସାଂ ଠାରୁ ଦନାଇବୁଡ଼ି ନଈ ସରିକି ଦକ୍ଷିଣେ ଆଏ କଲୁ ଋଷିକୋଇଲା ନଦୀଠାରୁ ରାଜମହୀନ୍ଦ୍ର ଦଣ୍ଡପାଟ ସରିକି । ପଶ୍ଚିମେ ଆଏ କଲୁ ଭୀମନଗର ଦଣ୍ଡପାଟ ଠାରୁ ବଉଦ ସୀମା ସୁନୁପୁର ସରିକି । ଏ ତିନି ଦିଗରୁ ରାଇଜ ଆଏ କଲି ଜିତ ସୁନା ୨୦ ଲକ୍ଷ ମାଢ଼ । ଗାଏ ଦୁଇ ପଦକୁ ଜିତ ସୁନା ୩୫ ଲକ୍ଷ ମାଢ଼ ଆଏ ହୋଇଲାକୁ ଦେବତା ବ୍ରାହ୍ମଣକୁ ନାନା ନିଯୋଗକୁ ବଳ ପୋଷିବାକୁ ରାଜନୀତିକି ଭଣ୍ଡାର ସରିବାକୁ ନାନାବଏକୁ ମଧ୍ୟ କରି ଭିଆଣ କରି ଦେଲୁ । ଭୋ ମହାରାଜାମାନେ ତୁମ୍ଭେମାନେ ଏହା ଅନ୍ୟଥା ନ କରିବ । ହରିଲାର ତ ପାପ ଶ୍ରୁତି ସ୍ମୃତି ବଚକମାନରେ ଶୁଣୁଥିବ । ଏଥକୁ ତୁମ୍ଭେମାନେ ଯେବେ ବଳୀଆର ପଣ କରି ଲୋଭ ବଶରେ ହରିବ ତେବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଜରଣକୁ ଦ୍ରୋହ କଲାରୁ ଯେ ପାପ ତାହା ପାଇବ । ମୁଂ ଯାହା ଯଉଂପ୍ରକାରେ ଭିଆଣ କରି ଦେଉଅଛି ଦେବତା ବ୍ରାହ୍ମଣଙ୍କ ଭୋଗ କରାଇ ସେ ପ୍ରକାରେ ପରିପାଳନ କରୁଥିବ । ସନ୍ତାନମାନଙ୍କୁ କଉଡ଼ି ଭାଗ ବରତନ, ମାହୁନ୍ତମାନଙ୍କୁ ଦଶମାସି ଟଙ୍କା ବରତନ, ବାଣୁଆ ପାଇକମାନଙ୍କୁ ଦଶମାସି ଭୂମି ଭାଗେ ଓହୋରି ବରତନ ନିଯୋଗ ସେବକମାନଙ୍କୁ ଆଉ ସମସ୍ତ ସେବକମାନଙ୍କୁ ମଧ୍ୟ କରି ଭୂମିରେ ଜିତ ସୁନା ବର୍ତ୍ତନ ଦେଇ ପରିବାର ପୋଷୁଥିବ । ଭଣ୍ଡାର ସରିବାକୁ ଯେଉଁ ପ୍ରକାରେ ରାଜ୍ୟରୁ ଘେନିବାକୁ ଭିଆଇଲା ଅଛି ସେ ପ୍ରକାରେ ଭଣ୍ଡାର ସରୁ ଥିବା ରାଜ୍ୟ ଯଉଁ ପ୍ରକାର ଭୂଇଁ ଭଳିରେ ମାଢ଼ ମୂଳକରି ସୁନା ଭିଆଇଲା ଅଛି ସେହି ପ୍ରକାରେ ପୁଷ୍ଟି ନଷ୍ଟି ଦେଖି କରଘେନି ପରଜାଙ୍କୁ ପରିପାଳନ କରି ପୃଥିବୀ ଭୋଗକରି ସୁଖେ ସ୍ୱର୍ଗକୁ ଯିବ । ଭୋ ମହାରାଜାମାନେ ସବୁଠାକୁ ଧର୍ମହିଁ ସେ କାରଣ । ରାଜ୍ୟରୁ ଏମନ୍ତ ମୁଦଲ କରାଇ ପାତ୍ରମାନଙ୍କୁ ଏମନ୍ତ ଆଜ୍ଞା ଦେଲେ । ଭୂୟାଂ ପୁରାଣମାନଙ୍କୁ ଭୁଜରେ ଜୟ କରି ରାଜ୍ୟ ଜିଣି ଆଣିଲା ବାହାରେ ଯେ ଭଣ୍ଡାର ଧନମାନ ଅଣା ହୋଇଲା ସୁନା ୪୦ ଲକ୍ଷ ମାଢ଼ ରତନମାନ ଆଣି ହୋଇଲା । ମୂଳ ପ୍ରମାଣେ ମାଢ଼ ୭ ଲକ୍ଷ ୮୮ ହଜାର । ଗାଏ ଦୁଇ ପଦକୁ ମାଢ଼ ଲ ୪୭୮୮୦୦୦କ୍ଷ ଆଣି ହୋଇଲା । ଏ ଆମ୍ଭର ଅରଜିତ ପଦାର୍ଥ । ଏଥୁଂ ଆମ୍ଭେ ଥୋକାଏ ପ୍ରମେଶ୍ୱରଙ୍କ ଆଡ଼ତିରେ ଲଗାଇବାକୁ ଏଥକୁ ଆମ୍ଭେମାନେ ଏମନ୍ତ କଳ୍ପନା କରୁଅଛୁଁ ଯଯାତି ରାଜା ଯୋଉଁ ପଟଳ ତୋଳାଇ ପ୍ରମେଶ୍ୱରଙ୍କୁ ବିଜେ କରାଇ ଅଛନ୍ତି ସେ ପାଟଳ ଗୋଟିଏ ଅତି ବଇଷମ ହୋଇଲା ଏହା ଭାଙ୍ଗି ଶଏ ହାଥ ଉଚ୍ଚେ ପ୍ରସାଦ ଗୋଟିଏ ତୋଳାଇବାକୁ ପରମେଶ୍ୱରଙ୍କୁ । ଆୟତନ ଭିତର ଦେବତାମାନଙ୍କର ଦେଉଳ ଗୋଟାମାନ ଆନ କରି ତୋଳାଇବା । ଏଥକୁ ଥୋକାଏ ସୁନା ଦବା । ପ୍ରମେଶ୍ୱରଙ୍କ ତଡ଼ାଉମାନ ଖଟଣି ଯୋଗାଡ଼ମାନଙ୍କୁ ମଧ୍ୟ କରି ଥୋକାଏ ସୁନା ଥୋକାଏ ରତନ ଦେବା ଏମନ୍ତ ଆମ୍ଭେ ବିଚାରିଅଛୁ । ଏଥକୁ ପାତ୍ରମାନେ ଜଣାଇଲେ ଦେଓ ଏମନ୍ତ ଯେବେ ବିଚାରିବା ହୋଇଅଛ ଏଡ଼େ ହୋଇ ତ କଥା ନାହିଁ । ଏକଥାକୁ ବଡ଼ ବେଗ ଅବଧାନ ହୋଉ; ଧର୍ମସ୍ୟ ତ୍ୱରିତା ଗତି, ଧର୍ମ ବିଚାରିଲେ ବଡ଼ ବେଗ କରି । ଏତେ କେବଳ ଜଣାଉଅଛୁଁ । ପ୍ରସାଦ ଯେ ଶଏ ହାଥ ଉଚ୍ଚେ କରିବ ବୋଲି ବିଚାରିବା ହୋଇଅଛି । ଶରୀର ନିତ୍ୟ ନୋହଇ ଏ ଅନିତି ଦେହ । ଏ ବହୁତ କାଳ ଲାଗିବ । ଏଥୁଁ ଦଶହାତ ତୁଟି ନଉ ହାତ ହୋଇ ପ୍ରାସାଦ ହୋଇଲେ ବଡ଼ ବେଗ ହୋଇବ । ଏଥକୁ ରାଜା ଏ ଆଗ୍ୟାଂ ଦେଲେ, ବିଚାରିବାରୁ ତୁଟିଲେ ଦୋଷ ହୋଇବ ପରା । ଏଥକୁ ପାତ୍ରମାନେ ଚଣାଇଲେ ଦେଓ ବିଘ୍ନ ହୋଇ ରହିଲେ ସେ ସବୁହିଁ ଅସାର ହୋଇବ । ଏଥକୁ ଠାକୁରେ ଆଗ୍ୟାଂ ଦେଲେ ହୋଉ, ନଉହାତ ଉଚ୍ଚେ ପ୍ରାସାଦ ହୋଉ । ଏମନ୍ତକୁ ଶିଳ୍ପୀ ଶାସ୍ରମାନ ଦେଖ, କେଉଁ ପ୍ରାସାଦ ହେଲେ ବିଷ୍ଣୁ ଯୋଗ୍ୟ । ଏଥକୁ ଭଟ୍ଟ ମିଶ୍ରମାନେ କହିଲେ ପ୍ରାସାଦ ଯେ ଛତିଶ ପ୍ରକାରେ । ଏଥକୁ କୋଡ଼ିଏ ପ୍ରକାରେ ପ୍ରସାଦ ଶ୍ରେଷ୍ଠ, ଏଥିଭିତରୁ ଶ୍ରୀବତ୍ସ ଖଣ୍ଡଶାଳ ହୋଇ ଯେଉଁ ପ୍ରାସାଦ ସେ ପ୍ରସାଦ ହରିର ବଡ଼ ପ୍ରିୟ । ଏହା ଶୁଣି ରଜାଏ ଆଗ୍ୟାଂ ପ୍ରସାଦ ଦେଲେ ଏହି ପ୍ରାସାଦ ଉଚ୍ଚ କରାଇବା । ଏଥକୁ ଦେଉଳ ତୋଳାକୁ ଦେଲେ ପରମହଂସ ବାଜପୋଇ ମୂଳେ ସୁନା ୧୦ ଲକ୍ଷ ମାଢ଼ । ପ୍ରମେଶ୍ୱରଙ୍କ ଅଳଙ୍କାରକୁ ସୁନା ୨ ଲକ୍ଷ ୫୦ ହଜାର ମାଢ଼ । ଗାଏ ୨ ପଦକୁ ସୁନା ମାଢ଼ ୧୨ ଲକ୍ଷ ୫୦ ହଜାର ଏ ଦେଉଳ ତୋଳାକୁ ଶୁଭ ଦେଲେ । ୧୫ ଅଙ୍କ ଫଗୁଣ ଶୁକ୍ଳ ଦଶମୀ ତତ୍କାଳ ଏକାଦଶୀ ଗୁରୁବାର ବେଳ ୧୪ ଦଣ୍ଡ କରି ପ୍ରମେଶ୍ୱରଙ୍କୁ ସମ୍ପୂର୍ଣ୍ଣେ ବୃକ୍ଷ ଲଗ୍ନେ ଅଭିଜିତ ମୁହୂର୍ତ୍ତେ ତୋଳାଇ ଦେଉଳ ପ୍ରତିଷ୍ଠା ବିଜେ କରାଇ ଭୋଗ ମଡ଼ଫୁଲ ଭିଆଇଲେ ।
ଏ ରାଜ୍ୟଯାକ ନଳ କଲେ । ଗଙ୍ଗା କୂଳରୁ ଗୋଦାବରୀ ଯାଏ ସୁରନଦୀ କୂଳରୁ ବେଣୀ ନଦୀଯାଏ । ଏ ରାଜା ଆଏ ହୋଏ ଯେତେ ଯାଏ ନଳି ପାଇଲା ଦଣ୍ଡା ଗୋପନ୍ଥ କଣିଆ ଉଣିଆ ନଦୀ ପର୍ବତ ଭୂମି ୬୨ ଲକ୍ଷ ୨୮ ସହସ୍ର ବାଟି ।
ଦଣ୍ଡା ଗୋପନ୍ଥ କଣିଆ ଉଣିଆ ନଦୀ ପର୍ବତ ମଧ୍ୟ ୧୪ ଲକ୍ଷ ୮୦ ସହସ୍ର ବାଟି ଯାଇ ରହଣି ୪୭ ଲକ୍ଷ ୪୮ ସହସ୍ର ବାଟି ତା ରାଜାଙ୍କର କୋଠେ ବରତନ ବଏ ୨୪ ଲକ୍ଷ ୩୦ ହଜାର ବାଟି ରହଣି ୨୦ ଲକ୍ଷ ୧୮ ହଜାର ବାଟି । ଏଥକୁ ମହାରାଜାଙ୍କୁ ଫଉଦ ଅଟନ୍ତି ଦନ୍ତା ମତ୍ତା ମାଖୁନା ହାଥୁଣୀ ମଧ୍ୟ ଦୁଇ ହଜାର ପାଞ୍ଚଶ ଘର । ଚଉଦ ପ୍ରତିରେ ରାଉତ ଘୋଡ଼ା ବାଖର । ୨୦ ହଜାର ବାଣୁଆ, ଧନୁକୀ, ଫଡ଼ିକାର, ଇଟିକାର; ମଧ୍ୟ ପାଇକ ୩ ଲକ୍ଷ ।
ଏ ରାଜା ଛଡ଼ିଶା ନିଯୋଗ ଭିଆଇଲେ । ଷୋଳ ସାଆନ୍ତ ପଦମାନ ଦେଲେ । ଉତିଶହଖଣ୍ଡ ପଡ଼ିଆ ପେଣ୍ଠ କଲେ । ତିନିଶ ପଞ୍ଚାଶ ହାଟ ବସାଇଲେ । ଘାଇ ନଈ ବନ୍ଧାଇବାକୁ ଭିଆଇଲେ ୧ ଲକ୍ଷ ୮୦ ହଜାର କାହାଣ । ଏ ମହାରାଜାଙ୍କ କାଳେ ବ୍ରହ୍ମହତ୍ୟା କଲେ । ଏଥକୁ ପ୍ରାୟଚିତ କଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ହ ୧୦ ଜାର ସୁନିଆ ଦେଲେ । ତ୍ରିବିଧିପ୍ରମାଣେ ଭୋଗ ଭିଆଇଲେ । ମୋଣୋହି ହୋଇ ଅନ୍ନଛତ୍ରକୁ ହ୧୦ଜାର ଭରଣ ଦାନ ଭିଆଇଲେ । ଗୋ୮୪ଟା କୂଅ ଖୋଳାଇଲେ । ଗୋ ୬୦ ଟା ସାନ ଦେଉଳ ତୋଳାଇଲେ । ୪୫୬ ଶାସନ ବସାଇଲେ । ଏ ମହାରାଜା ଅଳ୍ପଦିନେ ବହୁତ କୀର୍ତ୍ତି କଲେ । ଏ ରାଜା ଭୋଗ କଲେ ବ ୨୭ ରସ ।
x x x
୨ୟ ପାଞ୍ଜି ମତେ- ଏ ଉତ୍ତାରୁ ଅନଙ୍କଭୀମ ଦେବ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଧାର୍ମିକ । ରାଜା ବଡ଼ ଦେଉଳ ତୋଳାଉଥଲେ । ଏଥରେ ମଧ୍ୟରେ ଉଡ଼ାସିଘଂ ବଙ୍କା ହୋଇ ବସିଲା । ଏଥିକି ବିନ୍ଧାଣୀ ସଳଖି ନ ପାରିଲେ । ଏ ରାଜା ବଡ଼ ବିସ୍ମୟ ହୋଇ ନିରାହାର କରି ଶୋଇଲେ । ଏ ଦିନ ମହାପ୍ରଭୁଙ୍କର ମଶାଣିଆ ହନୁମନ୍ତଙ୍କୁ ଆଗ୍ୟା ହୋଇଲେ । ସେ ଆସି ସିଘଂକୁ ସଳଖି ବସାଇଲେ ଏ ରାଜା ଦେଖି ବଡ଼ ଆନନ୍ଦ ହୋଇଲେ । ଏ ଉତ୍ତାରୁ ଶଏହାତ ପ୍ରମାଣେ ବଡ଼ ଦେଉଳ କଲେ । ମୁଖଶିଆଳି କଲେ । ପରହଂସ ବାଜପେୟୀ ଆଉ ଭଟ୍ଟ ମିଶ୍ରେମାନେ ଥାଇ ଦେଉଳ ପ୍ରତିଷ୍ଠା କଲେ । ଏ ଦିନ ଏ ରାଜାଙ୍କ ଅ ୧୮ଙ୍କ କୁମ୍ଭ ଦି ୨ ନେ ଏ ଦେଉଳକୁ ମଧୁପୁର ପଟଣା ଚୁଡ଼ଙ୍ଗ ସାହିରୁ ବିଜେ କରାଇଲେ । ମହାପ୍ରଭୁଙ୍କୁ ରତ୍ନ ସିଂହାସନେ ବିଜେ କରାଇଲା ଉତ୍ତାରୁ ୮୪ ମଢ଼ ଫୁଲି ସଙ୍ଖୁଡ଼ି ଭୋଗ ହେଲା । ଛାମୁରେ ବିଶ୍ୱମ୍ବର ପଟ୍ଟନାୟକ ଥାଇ ଏ ଚାରିଜଣେ ଦେବାର୍ଚ୍ଚନରେ ବସି ଶ୍ରୀ ଠାକୁରଙ୍କ ଆଜ୍ଞା ପ୍ରମାଣେ ଅଧିକ ଭୋଗ କଲେ । ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆରବଡୁ, ପତ୍ରୀବଡୁ, ଗରାବଡୁ, ସୁଆର, ମୁଦୁଲି, ପଢ଼ିଆରୀ, ଆଉ ସମସ୍ତ ସେବକ କରି ଛତିଶା ନିଯୋଗ କଲେ । ଶ୍ରୀ ନଗରରେ ଷୋଳ ସାଆନ୍ତ ବାସ୍ତରୀ ନିଯୋଗ କଲେ । ପଦମାନ ଦେଲେ । ଶ୍ରୀ ପୁରୁଷୋତ୍ତମପୁରେ ଦେଉଳ ଦୁଇପାଖରେ ବଳଭଦ୍ରପୁର, ଜଗନ୍ନାଥପୁର କରି ଦୁଇଶାସନ କଲେ । ଦ୍ୱାଦଶ ଯାତ୍ରା ପର୍ବପର୍ବାଣିମାନ ଭିଆଣ କଲେ । ନାରାୟଣ ମୂର୍ତ୍ତିକି ବିଜେ ପ୍ରତିମା କଲେ । ସେଠାରୁ କେତେଦିନ ଉତ୍ତାରୁ ରାଜାଙ୍କୁ ବ୍ରହ୍ମହତ୍ୟା ଲାଗିଲା । ଏ ସକାଶୁଁ ବ୍ରାହ୍ମଣମାନେ ନମସ୍କାର ନ ଘେନିଲେ । ଦେବାର୍ଚ୍ଚନା ନ କଲେ । ଏ ରାଜା ବହୁତ କାକୁସ୍ତ ହୋଇଲେ । ବ୍ରାହ୍ମଣ କହିଲେ ଏଥକୁ ପ୍ରାଶ୍ଚିତ୍ତ ନାହିଁ । କୀର୍ତ୍ତମାନ କର । ତହିଁକି ରାଜା ଜଗନ୍ନାଥ ମହାପ୍ରଭୁଙ୍କ ସେବାକୁ ବହୁତ ସୁନିଆ ଉତ୍ସର୍ଗ କଲାକୁ ବ୍ରାହ୍ମଣେ ଦେବାର୍ଚ୍ଚନ କଲେ । ନମସ୍କାର ଘେନିଲେ । ଏ ରାଜା ଜଗନ୍ନାଥ ମହାପ୍ରଭୁଙ୍କ ଅଳଙ୍କାର ପାଇଁ (୧୦,୦୦୦) ଦଶସହସ୍ର ସୁନିଆ ଦେଲେ । ତ୍ରିବିଧି ପ୍ରମାରେ ଭୋଗ ଭିଆଇଲେ । ମୁଣୋହିକି ମଣ୍ଡପ କଲେ ଆଉ ପ୍ରାଚୀନ ଦେବତାମାନଙ୍କ ଦେଉଳ ପାରୁଶରେ ତୋଳାଇଲେ । ଆଉ କ୍ଷେତ୍ର ଭିତରେ ଅଷ୍ଟଚଣ୍ଡୀ ଅଷ୍ଟଶମ୍ଭୁଙ୍କ ଦେଉଳମାନ କଲେ । ଏଥି ବାହାରେ ମୁଲକରେ ପ୍ରାଚୀନ ଦେବତାଙ୍କ ଦେଉଳ କଲେ । ଏ ତିନିଠାରେ ଗାଏ ଷାଠିଏ ଦେଉଳ କଲେ । ବଡ଼ ଦେଉଳ ଉତ୍ତର ପାଶରେ କୂପ କଲେ । ଏଥିଉତ୍ତାରୁ ସ୍ନାହାନ ପୂର୍ଣ୍ଣମୀ ଦିନକୁ ସୁନା କୂଅ କଲେ । ପୁରୁଷୋତ୍ତମ ଭିତରେ ବୟାଳିଶ ଗୋଟା କୂପ କଲେ । ଗାଏ ଚଉରାଶି କୂପ କଲେ । ଚାରିଶ ପଞ୍ଚାଶ ପୃଥ୍ୱୀ ଯାକରେ ଶାସନ କଲେ । କୋଡ଼ିଏ ଗୋଟା ପୋଖରୀ କଲେ । ଏମନ୍ତ କିଛିଦିନ ଗଲା ଉତ୍ତାର ବ୍ରାହ୍ମଣ ସାମନ୍ତ ଭଟ୍ଟ ମିଶ୍ରମାନେ ରାଜାଙ୍କୁ କହିଲେ ସୁମୂର୍ତ୍ତିମାନଙ୍କ... ପୃଥ୍ୱୀ ମଣିଲେ । ଗଙ୍ଗା କୂଳରୁ ଗୋଦାବରୀ ପର୍ଯ୍ୟନ୍ତ ଶୂରନଦୀ କୂଳରୁ ବେଣୁ ନଦୀଯାଏ ମଣିଭୂମି ମଣି ପାଇ ରାଜାଙ୍କୁ ଆୟେ କରାଇଲେ । ଭୂମି ବାଷଠିଲକ୍ଷ ଅଢ଼େଇ ସହସ୍ର ବାଟି ମଧ୍ୟେ ଦଣ୍ଡା, ଗୋପଥ, ଗଛ, ଲତା, ପର୍ବତ ମଧ୍ୟ ଦେଇ ଚଉଦ ଲକ୍ଷ ଅଠଚାଳିଶ ସହସ୍ର ଯାଇ ଏ ସ୍ମଧର ବାକୀ ରହଣୀ ସତଚାଳିଶ ଲକ୍ଷ ଅଠଚାଳିଶ ସହସ୍ର ମଧ୍ୟେ ଭୂମି ବଏ ଦେବା ଦାନ ଖଇରାତ କୋଠ ବର୍ତ୍ତନ ମଧ୍ୟ ଚବିଶଲକ୍ଷ ଅଠତିରିଶ ହଜାର ବାଟୀ ଯାଇ ଏ ସ୍ମଧର ବାକୀ ସରକାରୀ ଭୂମି... ଏ ଉତ୍ତାରୁ ତିନିଶ ପଞ୍ଚାଶ ହାଟ ବାସ୍ତରୀ ପେଣ୍ଠ କଲେ । ଘାଇ ନଈ ବନ୍ଧାଇବାକୁ ଭିଆଇଲେ କା ୧୦୮,୦୦୦୦୦ ହାଣ । ...ବାଣୁଆ ଧାନୁକି ଫଡ଼ିକାର ପାଇକ ମଧ୍ୟ ଷାଠିଏ ସହସ୍ର ଇଟଓ୍ୟାଲା ଜ ୨୦୦,୦୦୦ଣ । ଏ ରାଜା ଅଳ୍ପଦିନେ ବହୁତ କୀର୍ତ୍ତି କଲେ । ଏ ରାଜା ଭୋଗକଲେ ଅ୩୩ଙ୍କକୁ ବ ୨୭ ର୍ଷ ।
୩ୟ ପାଞ୍ଜି ମତେ- ଅନଙ୍ଗଭୀମ ଦେବ ରାଜତ୍ୱ କରି ଭୋଗକଲେ ବ୨୭ର୍ଷକୁ ଶ୧୧୨୪କାବ୍ଦ । ଏ ରାଜା ବଡ଼ ଦେଉଳ ତୋଳି ପ୍ରତିଷ୍ଠା କରି ମହାପ୍ରଭୁଙ୍କୁ ବିଜେ କରାଇ ଭୋଗ ମଢ଼ଫୁଲି ଭିଆଣ କରି ନାନା ବିଧିମାନଙ୍କୁ ଦେଲା ଯୋଗେ କୁ ୧ଏ ରାଜା ଯାଜପୁର ନଗର ଚଉଦ୍ୱାରେ କଟକେ ବିଜେ କରିଥାନ୍ତି ।
୧ମ ପାଞ୍ଜି ମତେ- ଏ ଉତ୍ତାରେ ରାଜରାଜେଶ୍ୱର ଭୋଗକଲେ ବ ୧୦ ର୍ଷ । ଗାଏ ଆଠ ରଜାକୁ ଭୋଗ କଲେ ବ ୧୮୨।୮।୧୬ ମଧ୍ୟେ ଅଭିଷେକ ନୋହିଲେ ଏ ରାଜା ଦୁଇଜଣଙ୍କୁ ବ ୪୮।୬।୭ ଦିନ । ଅଭିଷେକ ହୋଇଲେ ଜ୬ଣକୁ ବ ୧୩୪।୨୯ ଦିନ ।
୨ୟ ପାଞ୍ଜି ମତେ- (ଅନଙ୍ଗ ଭୀମଦେବଙ୍କ ପରେ) ଏ ଉତ୍ତାରୁ ଭୀମସେନ ଦେବେ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ପ୍ରତାପୀ, ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତେ ଏକଛତ୍ର କଲେ । ମହାପ୍ରଭୁଙ୍କଠାରେ ବଡ଼ ଭକ୍ତି, ବ୍ରାହ୍ମଣ ବୈଷ୍ଣବଙ୍କଠାରେ ବଡ଼ ଭକ୍ତି କଲେ । ଏ ରାଜା ଭୋଗ କଲେ ଅ ୩୧ଙ୍କକୁ ବ ୨୫ ର୍ଷ ।
୩ୟ ପାଞ୍ଜି ମତେ- ରାଜରାଜେଶ୍ୱର ଭୋଗ କଲେ ବ ୩୫ ର୍ଷକୁ ଶ ୧୧୫୯ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ- ଏଥି ଉତ୍ତାରେ ଲାଙ୍ଗୁଳା ନରସିଂହ ଦେବେ ରାଜା ହେଲେ । ଏ ମହାରାଜାଙ୍କ ଅ ୩ ଙ୍କେ କୋଣାର୍କ ଦେଉଳକୁ ଶୁଭ ଦେଲେ । ଶିବେଇ ସାମନ୍ତରା ମହାପାତ୍ର ମୂଳେ ଦେଉଳ ତୋଳାଇବାକୁ ଦେଇ ବ ୧୨ର୍ଷ ଦକ୍ଷିଣ କଟକାଇ କଲେ । ଅ ୨୩ଙ୍କେ ଦେଉଳ ପ୍ରତିଷ୍ଠା କଲେ । ଏ ରାଜା ଭୋଗ କଲେ ବ ୨୬ର୍ଷ ।
୨ୟ ପାଞ୍ଜି ମତେ- ଏ ଉତ୍ତାରୁ ଲାଙ୍ଗୁଡ଼ା ନରସିଂହ ଦେବ ରାଜା ରାଜ୍ୟ କଲେ । ଏ ମହାରାଜାଙ୍କ ଅ ୩ ଙ୍କେ କଣାରେଖ ଦେଉଳ ଶୁଭ ଦେଲେ । ଏ ଦେଉଳ ମେରୁ ମନ୍ଦିର ଘଟଣା କଲେ । ସିବାଇ ସାଆନ୍ତରା ମହାପାତ୍ରଙ୍କ ମୂଳେ ଦେଉଳ ତୋଳାଇବାକୁ ବୋଇଲେ । ବାରବର୍ଷ ଦକ୍ଷଣ କଟକାଇ କଲେ । ଏ ସେତୁବନ୍ଧ ରାମେଶ୍ୱରଠାରୁ ଗଉଡ଼ ଦେଶ ଜିଣିଲେ ।
ଜଣେ ବୃଦ୍ଧ ଶିବାଇ ସାମନ୍ତରାକୁ ବୋଇଲେ ବାବୁ ଠାକୁରାଣୀଙ୍କ ପ୍ରସାଦରୁ କିଛି ପାଇବ କି? ଏ ବୋଇଲେ ଦିଅ । ସେଠାରୁ ସେ ଖିରି ପତରେ ଦେଲେ । ଏ ସେ ଖିରି ମଝିରୁ ହାଥ ପୁରୋଇ ଖାଇଲା ବେଳକୁ ହାଥ ପୋଡ଼ିଲା । ଏଥିପାଇଁ ସେ ବୃଦ୍ଧ କହିଲେ ସିବାଇ ସାଆନ୍ତରା ଦେଉଳ ତୋଳା ପରି ତ କଲୁ । ସେ ବୋଇଲେ ଶିବାଇ ସାଆନ୍ତରା କି କରି ଦେଉଳ ତୋଳା ପରି ତ କଲୁ । ସେ ବୋଇଲେ ଶିବାଇ ସାଆନ୍ତରା କି କରି ଦେଉଳ ତୋଳାଇଲା କି? ତହିଁକି ସେ ବୋଇଲେ ପଥର ଖଣ୍ଡ ମଝିରୁ ପକାଇବାରୁ ରାଘବ ଗିଳୁଅଛି । ଏ ପଥର ଚାରି ପାଖରୁ ବସାଇ ମୁଦିଲେ ଏ ଦେଉଳ ହୋଇବ । ଏହା ଶୁଣି ଶିବାଇ ସାଆନ୍ତରା ଏହି ପ୍ରକାରେ ଚାରି ପାଖରୁ ମୁଦି ଏକଚକ କରି ଦେଉଳ କଲେ । ପଦ୍ମକେଶର ବୋଲି ଦେଉଳ କଲେ । ମୁଖଶାଳି କଲେ । ଏ ରାଜାଙ୍କ ଅ୨୨ଙ୍କ ମକର ପଞ୍ଚମୀ ଶୁକ୍ଳପକ୍ଷ ଗୁରୁବାର ଦିନ ଦେଉଳ ପ୍ରତିଷ୍ଠା କଲେ । ଏହି ରାଜା ଏହି ଅଙ୍କ ମେଷ ମାସେ ଆବାହନ ହୋଇଲେ । ଏ ଭୋଗ କଲେ ଅ୨୨ଙ୍କକୁ ବ୧୮ର୍ଷ ।
୩ୟ ପାଞ୍ଜି ମତେ- ନରସିଂହ ଦେବ ରାଜ୍ୟକଲେ ବ୪୫ର୍ଷକୁ ଶ୧୨୦୪ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ- ଏ ଉତ୍ତାରୁ କବି ନରସିଂହ ଦେବ ରାଜା ହୋଇଲେ । ଗୀତଗୋବିନ୍ଦ ଶିଲୋଉ କଲେ (ଶୁଭଦେଲେ) ଏ ରାଜା ବନ୍ତଳସିଂହ ଶାସନ ଦାନ ଦେଲେ । ନଖପୋଡ଼ୀ ନରେନ୍ଦ୍ର ମହାପାତ୍ର ଏ ରାଜାଙ୍କ ପାତ୍ର । ଏ ନରେନ୍ଦ୍ର ଶୌଚ ଖୋଳାଇଲେ । ନଈରେ ଅଠର ନଳା ବନ୍ଧ ପକାଇଲେ । ଏ ରାଜା ଭୋଗକଲେ ବ୨୫ର୍ଷ ।
୨ୟ ପାଞ୍ଜି ମତେ- ବାର ନରସିଂହ ଦେବ ରାଜା ରାଜ୍ୟ କଲେ । ଏ ରାଜା ବାଙ୍କୀ ମୁହାଣ ପୋତାଇଲେ । ଛଅରଥ ହେଉଥିଲା । ତାହା ରାଜା ନଈ ପୋତାଇ ତିନି ରଥ କରାଇଲେ । ଗୁଣ୍ଡିଚାଘର ଦେଉଳ କାଠ ମଣ୍ଡପ ହୋଇଥିଲା । ତାହା ପଥର ମଣ୍ଡପ କଲେ । ତାହା ଚାରିପାଖେ ବେଢା କଲେ । ଏଥରେ କୂଅ ଖୋଳାଇଲେ । ଅଠର ନଳା ବନ୍ଧାଇଲେ । ଅମୃତପୁର ନଈରେ ବନ୍ଧ କଲେ । ଏ ରାଜାଙ୍କ ପାତ୍ର ଲଖପୋଷା ନରେନ୍ଦ୍ର ଶୌଚ ପୋଖରୀ ଖୋଳାଇଲେ । ଏ ରାଜା ଭୋଗକଲେ ଅ ୩୧ ଙ୍କକୁ ବ ୨୫ର୍ଷ ।
୩ୟ ପାଞ୍ଜି ମତେ- କବି ନରସିଂହ ଦେବ ବ ୨୫ ର୍ଷକୁ ଶ ୧୨୨୯ କାବ୍ଦ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ- ଏଥି ଉତ୍ତାରେ ପ୍ରତାପ ନରସିଂହ ଦେବ ଭୋଗକଲେ ବ ୩୧।୧ମାସ । ଏ ରାଜା ବନ୍ତମାଳ ଶାସନ ବସାଇଲେ । ଗୋପୀନାଥ ଭଟ୍ଟେ ପାତ୍ର ହୋଇଥିଲେ । ଏ ରାଜା ବଡ଼ ବୈଷ୍ଣବ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତହିଁ ଡୋରିଆ ଲଗାଇଲେ ।
୨ୟ ପାଞ୍ଜି ମତେ- ଏ ଉତ୍ତାରୁ ପ୍ରତାପ ନରସିଂହ ଦେବ ରାଜା ରାଜ୍ୟ କଲେ । ଏ ରାଜା ବନ୍ତଳ ଶାସନ କଲେ । ଏ ରାଜା ଗୋପୀନାଥ ଭଟ୍ଟଙ୍କୁ ପାତ୍ର କରିଥିଲେ । ଏ ପାତ୍ରଙ୍କୁ ସଙ୍ଗେ ନେଇ ଝାଡ଼ଖଣ୍ଡରେ କେନ୍ଦୁଝରି ମାରିଲେ । କେନ୍ଦୁଝରି ନେଉଟାଣୀ ଆଉ ରାଜ୍ୟମାନଙ୍କେ ନିରଂଶ ଖଣ୍ଡାଇତ ହୋଇଥିଲେ । ଏହାଙ୍କୁ ବାହାର କରିଦେଇ ପହୀଲିଆଙ୍କୁ ଜମିଦାର କଲେ । ଡମପଡ଼ା ଡମଙ୍କ ତଳେ କଲେ ଘାସିଙ୍କ ତଳେ ଘାସିପଡ଼ା ଖଞ୍ଜିଲେ । କଟକ ତଳେ.....
୩ୟ ପାଞ୍ଜି ମତେ- ଏ ରାଜା ଭୋଗକଲେ ବ ୨୦- ଶ ୧୨୪୯ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ- ଏଥି ଉତ୍ତାରେ ବୀରଖରକାଳ ନରସିଂହଦେବ ରାଜା ହୋଇଲେ । ଏ ରାଜା ଭୋଗକଲେ ବ ୧ ।୧ମାସ ।
୨ୟ ପାଞ୍ଜି ମତେ- ପ୍ରତାପ ନରସିଂହଙ୍କ ପରେ କବିକାନ୍ତଦେବ ରାଜା ରାଜ୍ୟ କଲେ । ଏ ରାଜା ବଡ଼ କବି ପଣ କଲେ । ସଙ୍ଗୀତ ବିଦ୍ୟାରେ ବଡ଼ ପରିପୂର୍ଣ୍ଣ ହେଲେ । ମହାପ୍ରଭୂଙ୍କଠାରେ ବହୁତ ରଙ୍ଗ ରାଗ କରି ବଡ଼ ନିଶ୍ଚିନ୍ତରେ ଅନୁସରଣ କଲେ । ଏ ରାଜାଙ୍କ ଅ ୭ ଙ୍କ ମେଷ ଦି ୨୦ ନ କୁମ୍ଭାରପଡ଼ା ଲୋକନାଥଙ୍କ ପଦା ଉତ୍ତରକୁ ଥିଲେ । ଏ ନୀଳୀ କୁମ୍ଭାରୁଣୀ ଘରକୁ କୁଣୁଆ ଆସିଥିଲେ । ସେ ତାହାକୁ କହିଲେ ଆମ୍ଭେ ତୋହୋ ସଙ୍ଗେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବୁ । ସେ କହିଲା ମୁଁ ଜଗନ୍ନାଥଙ୍କୁ ନ ଜାଣଇଁ । ମୋହ ଜଗନ୍ନାଥେ ଏ କୁଡ଼ିଆ ବୋଝଟି । ଏହା ସେ କହିଲାକୁ ଅନ୍ତର୍ଯ୍ୟାମୀ ଏ ଦିନ ରାତ୍ର ରାଜାଙ୍କୁ ଆଗ୍ୟାଂ ହୋଇଲା । ନୀଳୀ କୁମ୍ଭାରୁଣୀ ତ ଆମ୍ଭଙ୍କୁ ଦରଶନ ନ କଲା ଏହାକୁ ଆମ୍ଭେ ଦେଖିବୁ । ଆଜ ରାତ୍ର ଯଉଁଠାରୁ ଘର ପୋଡ଼ିଯିବ ଗୁଣ୍ଡିଚା ଘର ପଶ୍ଚିମ ଅଠର ନଳା ପୂର୍ବକୁ ଏହାକୁ ଥାନ ଦେଇ ରଖିବୁ । ଆମ୍ଭେ ରଥ ଉପରେ ବିଜେ କରିଥିବୁ । ସେ କୁଡୁଆ ବୋଝ ଆଣି ଆମ୍ଭଙ୍କୁ ଦେଖିବ । ଗୋଦାବରୀରେ ସ୍ନାନ କଲେ, ଏଠାରେ ଅନ୍ନଛତ୍ର କଲେ । କଳାହାଣ୍ଡି ବସ୍ତରେ ପାତ୍ରଙ୍କୁ ରଖାଇ ରାଜ୍ୟ ଭୋଗ କଲେ । ରାଜା ଭୋଗ କଲେ ଅ ୧୧ଙ୍କକୁ ବ ୯ ର୍ଷ ।
୩ୟ ପାଞ୍ଜି ମତେ- (ପ୍ରତାପ ନରସିଂହ ଦେବଙ୍କ ପରେ) କବିକାନ୍ତ ନରସିଂହ ଦେବ ୨ ବର୍ଷ-ଶ ୧୨୫୧ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-(ବୀର ଖରବାଳ ନରସିଂହ ଦେବଙ୍କ ପରେ) କଜଳା ନରସିଂହ ଦେବ ଭୋଗକଲେ ମା ୧।୧୩ ଦିନ ।
୨ୟ ପାଞ୍ଜି ମତେ-(କବିକାନ୍ତଙ୍କ ପରେ) ସଖି ନରସିଂହ ଦେବ ରାଜା ରାଜ୍ୟ କଲେ ।
୩ୟ ପାଞ୍ଜି ମତେ-କଜଳା ନରସିଂହ ଦେବ ଭୋଗ କଲେ ବ ୧-ଶ ୧୨୫୨ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-(କଜଳା ନରସିଂହଙ୍କ ପରେ) ଶଙ୍ଖଭାଣୁ ନରସିଂହ ରାଜା ହୋଇଲେ । ଏ ଭୋଗକଲେ ବ ୨୭ର୍ଷ । ଛଅ ନରସିଂହ ଦେବ ରାଜାରେ ଭୋଗ କଲେ ବ ୧୧୦।୩।୧୩ ଦିନ ।
୨ୟ ପାଞ୍ଜି ମତେ-(ସଖି ନରସିଂହ ଦେବଙ୍କ ପରେ) ଶଙ୍ଖଭାଣୁ ଦେବ ରାଜା ହେଲେ ।
୩ୟ ପାଞ୍ଜି ମତେ-(କଜଳା ନରସିଂହଙ୍କ ପରେ) ଶଙ୍ଖଭାଣ ନରସିଂହ ଦେବ ଭୋଗ କଲେ ବ ୭ର୍ଷ-୧୨୫୯ ଶକାବ୍ଦ ପର୍ଯ୍ୟନ୍ତ ।
୧ମ ଓ ୨ୟ ପାଞ୍ଜି ମତେ-ଏଥି ଉତ୍ତାରେ ଭାନୁମାନ ଭୋଗ କଲେ । ପାଟ ରହି ନିଶଙ୍କ ଭାନୁଦେବ ରାଜା ହେଲେ । ଏ ରାଜାଙ୍କ ପାତ୍ର ଶ୍ରୀଧର ରାୟ । ଏ ରାଜା ଦିନେ ଦରଶନକୁ ଆସିଥିଲେ । ଫୁଲ ମହାପ୍ରସାଦ ପରମେଶ୍ୱରଙ୍କ ଲାଗିରେ ନ ଥିଲା । ରାଜାଙ୍କୁ ପ୍ରସାଦ ଦେବାକୁ କିଛି ନ ମିଳିଲା । ଏ ପଶୁପାଳକ ମୁଣ୍ଡରେ ଦୟଣାମାଳ ଥିଲା । ଏହା ମଥାରୁ ଆଣି ରାଜାଙ୍କୁ ପ୍ରସାଦ କରିଦେଲେ । ରାଜା ଦେଖିଲେ ଏ ଫୁଲ ମହାପ୍ରସାଦରେ ବାଳ ଅଛି । ରାଜା ସେବକକୁ ବୋଇଲେ ଏ ଫୁଲ ମହାପ୍ରସାଦରେ ବାଳ କାହୁଁ ଅଇଲା । ଡରେ ପଶୁପାଳକ ବୋଇଲା ପରମେଶ୍ୱରଙ୍କ ତ୍ରିମୁଣ୍ଡିରେ ବାଳ ଥିଲା । ଏହା ରାଜା ଶୁଣି ପଶୁପାଳକକୁ କୋପ କରି ଧରାଇଦେଇ ବୋଇଲେ ଠାକୁରଙ୍କ ତ୍ରିମୁଣ୍ଡିରେ ବାଳ ଦେଖାଇବ । ଏମନ୍ତ ବୋଲି ରାଜା ନଅର ବିଜେକଲେ । ମହାପ୍ରଭୁ ସେବକଙ୍କ ଆତଙ୍କ ଜାଣିଲେ । ରାତ୍ର ରାଜାଙ୍କୁ ସପନରେ ଆଜ୍ଞା ହୋଇଲା । ଆମ୍ଭ ସେବକଙ୍କୁ କିଁଆ ଦୁଃଖ ଦେଉଅଛ । କାଲି ପାହାନ୍ତୀ ଅବକାଶ ଉଲାଗି ବେଳେ ଆମ୍ଭ ତ୍ରିମୁଣ୍ଡରେ ବାଳ ଦେଖିବ । ସପନ ଚେତି ରାଜା ଉଠି ପାହାନ୍ତୀ ଅବକାଶ ମଇଲମ ବେଳକୁ ଦରଶନକୁ ଅଇଲେ । ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଦେଖିଲେ ବାଳ ଓଲମୁ ଅଛି । ଦେଖି ସେ ରାଜା ଆଶ୍ଚର୍ଯ୍ୟ ପାଇ ପାଏ ପଡ଼ି ଶୋଇଲେ । ପଶୁପାଳକକୁ ହକରା କରି ଅନେକ ପ୍ରବୋଧିଲେ । ସେହି ଦିନୁ ରାଜା ବାଳଧୂପ ଭିଆଇଲେ । ଏ ରାଜାଙ୍କର ଅ ୧୭ ଙ୍କ ଓଢ଼ଣଷଷ୍ଠୀ ଦିନ ବଡ଼ ବତାସ କଲା । ବଡ଼ଦେଉଳ ନୀଳଚକ୍ର ଆଡ଼ ହୋଇ ପଡ଼ିଲା । ଶଏ କୋଡ଼ିଏ କାହାଣ ଧାନ ଭରଣ ହୋଇଲା । ବହୁତ ଲୋକ ସେ ମହରଗରେ ମଲେ । କନ୍ୟା ଦି ୧୯ ନେ ମହଲା ଅମାବାସ୍ୟାକୁ ସୂର୍ଯ୍ୟ ପରାଗ ପଡ଼ିଲା । ଊର୍ଦ୍ଧକୁ ଆକାଶରୁତୀ ଏହି ଅଙ୍କେ ଆବାହନ ହେଲେ । ଏ ଭୋଗ କଲେ ଅ ୧୯କୁ ବ ୧୬ ବର୍ଷ । ଏ ଭୋଗ କଲେ ବ ୨୪ର୍ଷ (୧ମ ପାଞ୍ଜି ମତେ)
୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ ୨୪ର୍ଷ-ଶ ୧୨୮୩ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ଏ ଉତ୍ତାରୁ ବଳିଭାନୁ ଦେବ ରାଜା ହେଲେ । ଏ ରାଜାଙ୍କର ଶିଖରଶର ବାହିନୀପତି ପାତ୍ର । ଏ ଚନ୍ଦ୍ର ଚୋରାଇଲେ ପୂର୍ଣ୍ଣିମା ରାତି । ସେଦିନୁ ପଦ ହୋଇଳା ଚନ୍ଦ୍ରଚୋର ବାହିନୀପତି । ଏ ନୂଆହାଟ ଶାସନ ବସାଇଲେ ଏ ରାଜା ଭୋଗ କଲେ ବ ୨୭ ର୍ଷ ।
୨ୟ ପାଞ୍ଜି ମତେ-ରାଜାଙ୍କର ପାତ୍ର ଚନ୍ଦ୍ରଶେଖର ବାହିନୀପତି ଏ ରାଜାଙ୍କ ସଭାରେ ପୂର୍ଣ୍ଣମୀକୁ ଅମାବାସ୍ୟା ବୋଲି କହିଲେ । ଏ କଥା ବହୁତ ଲୋକେ ହାସ୍ୟ କଲେ । ଏହା ଶୁଣି .....
୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ୨୧ର୍ଷ ଶ ୧୩୦୪ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ତହୁଁ(ଏ ଉତ୍ତାରୁ) ବୀରଭାନୁ ଦେବ ରାଜା ହେଲେ । ଏ ରାଜା ଝାଡ଼ଖଣ୍ଡ ମାରି ଜୟ କଲେ । ଗଙ୍ଗା ପାରିହୋଇ ଜଗନ୍ନାଥ ପ୍ରସାଦ ଘାଟ ବନ୍ଧାଇଲେ । ଏ ରାଜା ଭୋଗ କଲେ ବ ୨।୪।୯ ଦିନ ।
୨ୟ ପାଞ୍ଜି ମତେ-ଏ ଝାଡଖଣ୍ଡ ମାଡ଼ି ଜଏ କଲେ । ଗଙ୍ଗା ପାରି ହୋଇ ଜଗନ୍ନାଥପ୍ରସାଦ... । ଏ ରାଜାଙ୍କ ଅ୮ଙ୍କେ ମିଥୁନ ଦି ୨୪ ନେ ଦଇତା ଘରୁ ଅନ୍ଧ ଦାସେ ଯେ ନିତ୍ୟ ପହୁଡ଼ ଦର୍ଶନ କଲେ ଘରକୁ ଆସଇ । ଏ ଦିନ ଏ ପହୁଡ଼ ଦର୍ଶନକୁ ଯିବାବେଳେ ରଥ କାଠ ଝୁଣ୍ଟି ପଡ଼ିଲା ଆଣ୍ଠୁଗଣ୍ଠି ଛିଡ଼ିଯାଇ ରକ୍ତ ବୋହିଲା । ଅନ୍ଧ ବଡ଼ ବ୍ୟାକୁଳ ହୋଇ ବଡ଼ ବେଦନା ପାଇଲା । ଏହା ଜାଣି ଅନ୍ତର୍ଯ୍ୟାମୀ ପୁରୁଷ ଏ ଦିନ ରାତ୍ରରେ ରାଜାଙ୍କୁ ଆଜ୍ଞା ହୋଇଲା । ଅନ୍ଧ ଦଇତା ଦାସ ତ ନିତ୍ୟ ଆମ୍ଭ ପହୁଡ଼ ଦର୍ଶନ କରଇ । ଏ ବାଟେ ଆସୁ ଆସୁ କାଠ ଝୁଣ୍ଟିପଡ଼ି ବହୁତ ବ୍ୟାକୁଳ ହୋଇଲା । ଏବେ ଆଜ ରାତ୍ରରେ ଦେଉଳ ନିଜିକ ପୂର୍ବରେ ନାରାୟଣୀଙ୍କ ପାଖରୁ ଯେତେ ବଖୁରି ଘର ପୋଡ଼ିଯିବ ଏହାକୁ ଏହିଠାରେ ସ୍ଥାନ ଦେବୁ । ଆରଦିନ ସକାଳୁ ରାଜା ତାକୁ ଡ଼କାଇ ଯେତେ ବଖୁରି ପୋଡ଼ି ଯାଇଥିଲା ତାକୁ ସେହିଠାରେ ରଖିଲେ । ଏ ଉତ୍ତାରୁ କିଛିଦିନ ଉତ୍ତାରେ ରାଜା ଆବାହନ ହେଲେ । ଏ ରାଜା ଭୋଗ କଲେ ଅ ୧୪ କୁ ବ ୧୨ ର୍ଷ ।
୩ୟ ପାଞ୍ଜି ମତେ-ଏ ଭୋଗ କଲେ ବ ୧୯ ର୍ଷ-ଶ ୧୩୨୩ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ଏ ଉତ୍ତାରୁ କଳିଭାନୁ ରାଜା ହୋଇଲେ । ସୋନପୁର ଭୁଆଁ ସଙ୍ଗେ ଯୁଦ୍ଧ କରି
ତାହାର ମୁଣ୍ଡ କାଟି ପକାଇଲେ । ଏ ଭୋଗ କଲେ ବ ୧୪ର୍ଷ ।
୨ୟ ପାଞ୍ଜି ମତେ-ଏ ରାଜା ସୁନୁପୁର ଭୂୟାଁ ସଙ୍ଗେ ଯୁଦ୍ଧ କରି ତାହା ମୁଣ୍ଡ କାଟି ଆଣିଲେ । ପଦ୍ମତୁଳା ଘାଟୀରେ ପୋଖରୀ ଖୋଳାଇଲେ । ଏ ରାଜା କିଛି ଦିନ ଉତ୍ତାରୁ ଆବାହନ ହେଲେ । ଏ ରାଜା ଭୋଗକଲେ ଅ ୧୨ କୁ ବ ୧୦ ।
୩ୟ ପାଞ୍ଜି ମତେ-ଏ ଭୋଗକଲେ ବ ୧୩ ର୍ଷ-ଶ ୧୩୩୬ ପର୍ଯ୍ୟନ୍ତ ।
୧ମ ପାଞ୍ଜି ମତେ-ଏ ଉତ୍ତାରୁ ଅକଟା ଅବଟା ଭାନିଦେବ ଭୋଗକଲେ ବ ୧୪ର୍ଷ ।
୨ୟ ପାଞ୍ଜି ମତେ (କଳିଭାନୁଦେବଙ୍କ ପରେ) ମତ୍ତାଭାନୁଦେବ ରାଜା ରାଜ୍ୟକଲେ, ଏ ରାଜା ଏକଦିନ ... ବିସ୍ମୟ ହୋଇ ଦେଉଳକୁ ଯାଇ ସ୍ୱାରକୁ ଡ଼କାଇ ଏମାନ କହିଲେ । ଏଥକୁ ସ୍ୱାର କହିଲେ କୁସୁମାଣ୍ଡ ଯେ ପାଣି କଖାରୁ ଏହାକୁ ଅଣାଅ । ଏହି ସୋଲା.... ଏମାନେ ରାଜାଙ୍କୁ କହିଲେ । ତାହା ଶୁଣି ରାଜା କାନେ ହାତ ଦେଇ ନିର୍ବେଦ ହୋଇ ରହିଲେ । ଦରଶନକୁ ଯାଇ ଶ୍ରୀ ଛାମୁରେ ଜଣାଇଲେ । ମୋହର ଏ ରାଜତ୍ୱରେ ସମ୍ବନ୍ଧ ନାହିଁ । ଆଉ କାହାକୁ ଆଗାଁ ହେଉ । ଏ ଦିନ ରାତ୍ର ଠାକୁରଙ୍କର ଆଗାଁ ହୋଇଲା । ତୁ ଅନିତୀ କାମ କଲୁ ବୋଲି ଆମ୍ଭ ଶାଢ଼ୀ ତ ଅନିତୀ ନୁହଇ । ଏ ଦିନ ଆଦ୍ୟରୁ ବଡ଼ ଦେଉଳରେ ବ୍ରାହ୍ମଣ ପରିକ୍ଷା କଲେ । ଏ ରାଜା ଭୋଗକଲେ ଅ୧୭ଙ୍କ-ବ୧୪ର୍ଷ ।
୩ୟ ପାଞ୍ଜି ମତେ-(କଳିଭାନୁଙ୍କ ପରେ) ଅକଟା ଅବଟା ଭାନୁଦେବ ଭୋଗକଲେ ବ୧୫ଷଁ-ଶକାବ୍ଦ ୧୩୫୧ ପର୍ଯ୍ୟନ୍ତ ।