X Close
ମାଦଳାପାଞ୍ଜି - ରାଜଭୋଗ ଇତିହାସ (PART-9)
୧ମ ପାଞ୍ଜି ମତେ-ଏ ଉତ୍ତାରୁ ମତ୍ତଭାନୁ ଦେବ ରାଜା ହେଲେ । ମତ୍ତ ଭୋଳ ହୋଇ ରାଜା ଦିନ ନେଲେ । ସେ ରାଜା ଭୋଗକଲେ ବ ୨୩୬ ମାସ । ମତ୍ତଭାନୁ ଦେବ ଦିନେ ପରମେଶ୍ୱରଙ୍କୁ ଜଣାଇଲେ ମୋହ ଉତ୍ତାରୁ କାହାକୁ କରିଅଛ ଗୋସାଇଁ । ଏଥକୁ ସପନେ ଆଗ୍ୟାଂ ହୋଇଲେ କାଲି ଦରଶନ ବେଳେ ବିମ୍ବଳାଈଙ୍କ ଆଗେ ଖପରା ଖଣ୍ଡେ କୋରୁଥିବ, ତତେ ଦେଖି ପଳାଇଯିବ, ସେହି ତାକୁ କରିଅଛୁଁ । ଏମନ୍ତକୁ ସୂର୍ଯ୍ୟବଂଶୀ ରାଉତ କପିଳି ବ୍ରାହ୍ମଣ ଘରେ ବାଛୁରୀ ରଖିଥାନ୍ତି । ଏକ ଦିନକରେ ବ୍ରାହ୍ମଣ ଦେଖିଲା ବାଛୁରୀ ଚରୁଅଛନ୍ତି । କପିଳ ଗଛମୂଳେ ଶୋଇ ଅଛନ୍ତି । ମୁହଁରେ ଖରା ପଡ଼ିଲାକୁ ନାଗ ସାପ ଫେଣ ଟେକିଅଛି । ଏମନ୍ତ ଦେଖି କପିଳିକି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ । (ବାଦ ନାହିଁ) ସେ ଦିନ ବ୍ରାହ୍ମଣ କପିଳିଠାରେ ବଡ଼ ସୁଖ କରିଥାଇ । ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣଘରୁ କପିଳ ବାହାର ହୋଇ ତେରଟିଆଙ୍କ ସାଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରୀ ହୋଇ ଶ୍ରୀପୁରୁଷୋତ୍ତମକ୍ଷେତ୍ରେ ମାଗି ଖାଆନ୍ତି । ଏମନ୍ତରେ ରାଜା ବିମ୍ବଳାଈଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳି ରାଉତ ଚାକର ରହିଲେ ଥୋକାଏ ଦିନ ଉତ୍ତାରୁ ପରମେଶ୍ୱର କପିଳି ରାଉତକୁ ରାଜା କରି ଶାଢ଼ି ଆଗ୍ୟାଂ ଦେଲେ । ଏଥକୁ ବେଢ଼ା କାଳିକା ଜଣାଇଲେ ମହାପ୍ରଭୁ ବାଇକି ରାଜପଣ ଆଗ୍ୟାଂ ହୋଇଲେ । ଏଥକୁ ବିମ୍ବଳାକ୍ଷୀ ଜଣାଇ ସପନେ ଶାଢ଼ି ପ୍ରସାଦ କପିଳ ରାଉତକୁ ଦେଇ ବେଢ଼ା କାଳିକାଙ୍କ କଥା କହିଲେ । କେତେଦିନ ଉତ୍ତାରୁ ଓଡ଼ିଶାକୁ ସୁବା ଅଇଲା । ଏହାକୁ ଭେଟିଯିବା ପ୍ରସଙ୍ଗ ପଡ଼ିଲା । ସମସ୍ତେ କହିଲେ କପିଳ ରାଉତ କହିଲେ ରାଜା ଯିବେ-ରଜା ଭାଇ ଯିବେ ନୋହିଲେ ପାତ୍ର ଯିବ । ଏଥକୁ ରଜା ଏହାଙ୍କୁ କପିଳି ଭ୍ରମରବର ପଦ ଦେଲେ । ଭାଇ ବୋଲନ୍ତେ ସମସ୍ତ ପାତ୍ରଙ୍କ ପୁଅମାନଙ୍କ ସାଙ୍ଗେ ପଠିଆଇଲେ । ଏ ନବାବଙ୍କ ଭେଟକୁ ଗଲେ । ନବାବ ଭେଟରେ ସୁଖ କଲେ । ଏଣେ ମତ୍ତଭାଣୁ ଦେବ ଆବାହନ ହୋଇଲେ । ସେହିଠାରେ ନବାବ ତାଙ୍କୁ ରଜା କଲେ । ଏ ରାଜା ହୋଇ ବେଢ଼ା କାଳିକାଙ୍କ ଆଗେ ପଥର ପାଚେରି ଗୋଟାଏ ଦେଲେ । ଗାଏ ଭାଣୁ ୬ଛାରେ ଭୋଗ କଲେ ବ ୧୨୪।୬।୯ ଗାଏ ଗଙ୍ଗବଂଶ ପାଟ ୨୦ ରେ ଭୋଗ କଲେ ବ୪୧୭।୬।୮ ।
ଆଦିପାଟ ସୂର୍ଯ୍ୟବଂଶରେ ଶ୍ରୀଜଗନ୍ନାଥ ଦେବ ଅବତାର ବୈବସ୍ୱତ ମନୁକୁଳେ ଗଙ୍ଗବଂଶ ମତ୍ତଭାଣୁଦେବ ଉଚ୍ଛାଦି ସୂର୍ଯ୍ୟବଂଶକୁ ଆଦିପାଟ ବୈବସ୍ୱତ ମନୁକୁଳେ ବିରାଧିବୀର କପିଳେଶ୍ୱର ଦେବ ମହାରାଜାଙ୍କର ପାଟ କକଡ଼ା ଦି୨ନ ଶୁକଳ ଚଉଠୀ ବୁଧବାର କୃତ୍ତିବାସ କଟକେ ଏ କ୍ଷେତ୍ରେ ଅଭିଷେନ ହୋଇ ରାଜା ହୋଇଲେ ତହୁଁ ହିମ ସେତୁବନ୍ଧ ଯାଏ ଚମକ ପଡ଼ଇ। ସେ ରାଜାଙ୍କ ଅ୨ଙ୍କେ ସିଂହରେ ବୃହସ୍ପତି । ଅ୩ଙ୍କେ ରାଜା ଗଙ୍ଗା ସ୍ନାହାନକୁ ଗଲେ । ତୁଳସୀପୁର ଶାସନ ସେଠାରେ ଦାନ ଦେଲେ । ଜଳେଶ୍ୱର ନରୀନ୍ଦ୍ର ମହାପାତ୍ର ପାତ୍ର । ସର୍ବଦା କଟକାଇ ସେ ରାଜା କରିନ୍ତି । ଅ୮ଙ୍କେ ଛତ୍ରଗଡ଼ କଟକାଇ କଲେ । ଅ୯ଙ୍କେ ପଶ୍ଚିମ କଟକାଇ କଲେ । ଅ୧୦ଙ୍କେ ରାଜା ଖିମୁଡ଼ି ମାଇଲେ । ଅ୧୧ଙ୍କେ ରାଇଜେ ମହରଗ କରି ଧାନ ଭରଣ କା୧୦୫ ହାଣ ହୋଇଲା । ସେ ମହରଗରେ ବହୁତ ଲୋକ ମଲେ । ଅ୧୪ଙ୍କେ ରାଜା ମହୀନ୍ଦ୍ର କଟକାଇ କଲେ । ଅ୧୫ଙ୍କେ ରାଜାଙ୍କୁ ସିଂହ ବୃହସ୍ପତି ହୋଇଲା । ଏ ଅଙ୍କେ ଶ୍ରୀପୁରୁଷୋତ୍ତମ ବଡ଼ ଦେଉଳ ବାହାର ବେଢ଼ା ବନ୍ଧାଇଲେ । ଅ୧୮ଙ୍କେ ରାଜା ବାହୁଡ଼ ଗଙ୍ଗା ଗଲେ । ସେ ଦିନେ କପିଳେଶ୍ୱର ପୁର ଶାସନ ବସାଇଲେ । ଅ୧୯ଙ୍କେ କୁଣ୍ଡ ମେରୁ ଗଲେ । ଅ୨୧ଙ୍କେ ମଲକାକୁ ମାଇଲେ । ଅ୨୩ଙ୍କେ ଉଦେଗିରି ଚନ୍ଦ୍ରେଗିରି ମାରି ବିରୂପାକ୍ଷ ରାଜାଙ୍କୁ ବନ୍ଦୀ କରି ଧଇଲେ । ଅ୨୪ଙ୍କେ ରାଜା ବିଦ୍ୟାନଗର ଗଲେ । ଗୋପୀ ମଙ୍ଗରାଜକୁ ବନ୍ଦୀ ତହିଁ କଲେ । ଅ୨୭ଙ୍କେ ରାଇଜେ ଅପାଳକ କଲା । ଧାନଭରଣ କା୧୦୦ ହାଣ ହୋଇଲା । ଅ୨୯ଙ୍କେ ରାଇଜେ ଗଲା ଧୋଇ । ଅ୩୩ଙ୍କେ ଯେ ବତାଶି ପୁଣି କଲା ଅନେକ ଲୋକ ସେ ମହରଗରେ ମଲେ । ସେହିଲାଗେ ରାଜା କୁଣ୍ଡମେରୁ ମାଇଲେ । ଚନ୍ଦ୍ରାବତୀ ଦେଈକି ବନ୍ଦୀ କରି ଆଣିଲେ । ନରସିଂହ ରାଏକୁ ରାଜା ଆଣି କଲେ । ଅ୩୫ଙ୍କେ ସରିକି ହିମ ସେତୁବନ୍ଧ ଯାଏ କପିଳେନ୍ଦ୍ର ଦେବ ମହାରାଜାଙ୍କ ଆଗ୍ୟାଂରେ ଆତଯାତ ହୁଏ । ଅ୩୭ଙ୍କ ପୁଷମାସ କୃଷ୍ଣ ତୃତୀୟା ମଙ୍ଗଳବାର ଦିବସେ କୃଷ୍ଣବେଣୀ ନଦୀକୂଳେ ଆବାହନ ହୋଇଲେ । ଏ ରାଜା ଭୋଗକଲେ ବ୩୨ର୍ଷ।
୨ୟ ପାଞ୍ଜି ମତେ-ମତ୍ତଭାନୁଙ୍କ ପରେ ଅକଟା ଅବଟା ଭାନୁଦେବ ରାଜା ରାଜ୍ୟ କଲେ । ଏ ରାଜା ବଡ଼ ଧର୍ମିଷ୍ଠ କର୍ମିଷ୍ଠ। ଏ ରାଜା ଦିନେ ଶ୍ରୀଛାମୁରେ ଦରଶନବେଳେ ଠାକୁରଙ୍କ ଛାମୁରେ ଜଣାଇଲେ ମୋହର ପୁଅ ନାହିଁ, ଭାଇ ନାହିଁ, ଏ ପୃଥୀ କାହାକୁ ଆଗ୍ୟାଂ ହେଉ x x x ଏହା ରାଜା ଶୁଣି ଚେତୋଇ ଆରଦିନ ପାହାନ୍ତି ଅବକାଶ ଆଳତି ଦେଖିଲା ଉତ୍ତାରୁ ବିମ୍ବଳାଙ୍କ ଆଗରେ ଦେଖିଲେ ଗୁଡ଼ହାଡ଼ ପାଖେ ବସିଅଛି ତାହା ରାଜା ଦେଖି ବଡ଼ ହୃଷ୍ଟ ହୋଇ ତାହାକୁ ହାତ ଧରି ଆଣିଲେ ଶ୍ରୀନବରକୁ ଘେନିଗଲେ । ପାଟମହାଦେଈଙ୍କି କହିଲେ ଏହାଙ୍କୁ ଠାକୁରଙ୍କର ଗୁପୁତି ଆଗ୍ୟାଂ ହୋଇଅଛି । ଏହାଙ୍କୁ ପୁଅ କରି ପାଳ । ତାହାଙ୍କୁ କପିଳ ସାନ୍ତରା ବୋଲି ପଦ ଦେଇ ଶ୍ରୀନଅରରେ ରଖିଲେ । ଏ କେତେଦିନ ଗଲା ଉତ୍ତାରେ ମୁଲକକୁ ଦମନ ଅଇଲେ । ପେସ୍କସ୍ ପାଇଁ ରାଜାଙ୍କ ସହିତ ବହୁତ ଯୁଦ୍ଧ କଲେ । ସେଠାରୁ ରାଜା ଅଧେ ପେସ୍କସ୍ ବନ୍ଦବସ୍ତ କରିଦେଲେ-ଆଉ ଅଧିକ ପାଇଁ କପିଳି ଭ୍ରମରବର କରି ଶାଢ଼ି ଦେଲେ x x x । ଗାଏ ଗଙ୍ଗବଂଶ ଅଠର ପାଟକୁ ଭୋଗ କଲେ ବ୨୯୦ର୍ଷ । ଏ ଉତ୍ତାରୁ କପିଳେନ୍ଦ୍ରେ ଦେବେ ରାଜା ରାଜ୍ୟ କଲେ । କଟକରୁ ଓଲାବନ୍ଦିରୁ ରାଜା ଶାଢ଼ି ବାନ୍ଧି ରାଜା ଶ୍ରୀପୁରୁଷୋତ୍ତମଠାରେ ଶ୍ରୀ ମହାପ୍ରଭୁଙ୍କୁ ଦର୍ଶନ କଲେ । ଏଠାରେ ଦୋଅଙ୍କ କଲେ । ଏହି ଅଙ୍କେ ରାଜା ବିଭା ହୋଇଲେ । ତିନିଅଙ୍କ କକଡ଼ା ଦି୧୦ ନେ ବନମାଳୀ ଦାସ ପୁଅ କାଶିଦାସ ପୂର୍ବ ଚୋରିବିଦ୍ୟାରେ ରାଜାଙ୍କ ସଙ୍ଗ ଥିଲେ । ଏ ରାଜା ଜାଙ୍କୁ ନ ପଚାରିଲେ ବୋଲି ନଅରେ ସନ୍ଧି କଲା । ବହୁତ ପଦାର୍ଥ ନେଲା । ରାଜା ପ୍ରଭାତୁ ଉଠି ସିନ୍ଧି ଗାତ ଦେଖିଲେ । ଦେଖି ଏ ସିନ୍ଧିଗାତ ମାପିଲେ । ୧୨ ଆଙ୍ଗୁଳ ରାଜା ବୋଇଲେ । ଏ ତ ଆମ୍ଭ ସଙ୍ଗ । ଏ ସିଘଂଦ୍ୱାରେ ଉଭା ହୋଇ କାଶିଦାସଙ୍କୁ ଡ଼ାକି ପଚାରିଲେ । ବୋଇଲେ ଏ ପଦାର୍ଥ କଉଁଠାରେ ରଖିଅଛ ଆମ୍ଭ ଶ୍ରୀଛାମୁରେ କହ । ତହିଁକି କହିଲା x - x ଏହାଙ୍କୁ ପୁରୋହିତ କଲେ । ବଛସ ସେ ଊଣା କାର୍ଯ୍ୟମାନଙ୍କେ ଥିଲେ ତାହାଙ୍କୁ ପହରାଜା କରି ଶାଢ଼ୀ ଦେଲେ । ଏ ରାଜାଙ୍କ ତିନି ଅଙ୍କରେ ଶ୍ରୀପୁରୁଷୋତ୍ତମ ବଡ଼ ବାହାର ବେଢ଼ା କଲେ । ଅ୪ଙ୍କରେ ରାଜ ଗଙ୍ଗା ସ୍ନାହାନ କରିଗଲେ, ତୁଳସୀପୁର ଶାସନ ସେଠାରେ ଦାନ କଲେ । ଜଳେଶ୍ୱର ନରିନ୍ଦ୍ର ମହାପାତ୍ରେ ଏହାଙ୍କର ପାତ୍ର । ସର୍ବଦା କଟକାଇ ସେ ରାଜା କରନ୍ତି । ଅ୮ଙ୍କରେ ଛତ୍ରଗଡ଼ରେ କଟକାଇ କଲେ । ଅ୯ଙ୍କରେ ପଶ୍ଚିମ କଟକାଇ କଲେ । ଅ୧୦ଙ୍କରେ ରାଜା ଖେମଣ୍ଡି ମାଇଲେ । ଅ୧୧ଙ୍କରେ ରାଜ୍ୟରେ ମହରଗ ପଡ଼ିଲା । ଧାନ ଭରଣ ଶଏ ପାଞ୍ଚକାହାଣ ହୋଇଲା । ସେ ମହର୍ଗରେ ବହୁତ ଲୋକ ମଲେ ଅ୧୪ଙ୍କରେ ରାଜା ମହେନ୍ଦ୍ରଗଡ଼କୁ କଟକାଇ କଲେ । ଅ୧୮ଙ୍କରେ ରାଜା କପିଳିଶ୍ୱରପୁର ଶାସନ କଲେ । ଏହି ଅ୧୮ଙ୍କେ ରାଜା ଆଳି ମାଇଲେ ।
କନିକା, କେରଡ଼ା, କୁଜଙ୍ଗକୁ ମାଇଲେ । ଆଳିରେ ଏହାଙ୍କ ପୁଅ ମଧୁସୂଦନ ରାଏଙ୍କୁ ରଖିଲେ କେରଡ଼ା କୁଜଙ୍ଗ କନିକା ଅ୩୨ଙ୍କରେ ରାଜ୍ୟ ସଭା ଧୋଇ ହୋଇଲା । ଅ୨୩ଙ୍କରେ ବତାସ କଲା । ଅନେକ ଲୋକ ମହର୍ଗରେ ମଲେ । ସେହି ଅଙ୍କରେ ରାଜା କୁଣ୍ଡଜୋରି ମାଇଲେ । ଚନ୍ଦ୍ରବତୀ ଦେଈକି ବନ୍ଦି କରି ଆଣିଲେ ନରସିଂଘ ରାଏଙ୍କୁ ପରୀକ୍ଷା କରି ସେ ରାଜ୍ୟେ ସ୍ଥାପିଲେ । ଏ ଅ୩୫ଙ୍କ ସରିକି ସମସ୍ତ ରାଜ୍ୟରେ ସେତୁବନ୍ଧ ସରିକି ଆତଯାତ ହୋଇଲେ । ନରସିଂଘରାଏଙ୍କୁ ପରୀକ୍ଷା କରି ସେ ରାଜ୍ୟେ ସ୍ଥାପିଲେ । ଏ ଅ୩୫ଙ୍କେ ରାଜ ଶ୍ରୀପୁରୁଷୋତ୍ତମ ଆସି ଶ୍ରୀମହାପ୍ରଭୁଙ୍କୁ ଦରଶନ କଲେ । ଶ୍ରୀଛାମୁରେ ଜଣାଇଲେ ମୋହର ତ ବହୁତ ହମ୍ମିରରାଏମାନେ ଅଛନ୍ତି । ଏ ପୃଥ୍ୱୀ କାହାକୁ ଆଗ୍ୟାଂ ହେବ । ମୁଁ ତାହା ଜାଣିବି । ଦିନେ ରାତ୍ର ଆଗ୍ୟାଂ ହୋଇଲା । ପୁରୁଷୋତ୍ତମ ରାଏ ରାଜା ହେବ । ତାହା ଶୁଣି ରାଜ ବଡ଼ ବିସ୍ମୟ ହୋଇ ତବଦ ହୋଇଲେ । ଅଙ୍କେ ବଡ଼ ଦେଉଳ ଉପରେ ଆକାଶବାଣୀ ହୋଇଲା । ଆପଣ ଆବାହନ ହୋଇଲେ । ଏ ରାଜା ଭୋଗ କଲେ ଅ୩୯ଙ୍କକୁ ୩୦ ବର୍ଷ ।
୩ୟ ପାଞ୍ଜି ମତେ-ଏ ରାଜା ରାଜ୍ୟ କଲେ ବ୨୩ର୍ଷ-ଶକାବ୍ଦ ୧୩୭୪ ପର୍ଯ୍ୟନ୍ତ ।
୩ୟ ପାଞ୍ଜି ମତେ-ଏ ରାଜା (କପିଳେନ୍ଦ୍ର ଦେବ) (ଭୋଗକଲେ) ବ ୨୭ବର୍ଷ-ଶ୧୪୦୧ ପର୍ଯ୍ୟନ୍ତ ।