ଘାସଫୁଲ

ବିପ୍ଳବ

- "ମୋର ଏଇ ପଦିଏ କଥା ତୁ ମନେରଖ ।

ଦୋଷ ମାନି ଯିବା ପାଇଁ ତୋର ମନ ମାନି ସାରିଥିବ, କହିବା ପାଇଁ ତୋର ତୁଣ୍ଡ ଥିବ, ମାତ୍ର କ୍ଷମା ଦେବା ପାଇଁ ମୁଁ ନଥିବି । ଯେ କନ୍ଦାଏ ସେ ବି ଦିନେ କାନ୍ଦେ, ଇଏ ମୋର ଅଭିଶାପ ନୁହେଁ ଇଏ ସୃଷ୍ଟିର ନିୟମ ।"


ଚାଉଁକିନା ନିଦ ଭାଙ୍ଗିଗଲା କପିଳ ମାଷ୍ଟ୍ରଙ୍କର।

ଛାତି ଧଡ଼ ଧଡ଼ ହେଇଗଲା।

ଇଏ ତାଙ୍କ ମନର ଭ୍ରମ ନା ସ୍ବପ୍ନରେ ବାପା ଆସିଥିଲେ !

କାନ୍ଥ ଘଣ୍ଟାକୁ ଅନେଇଲେ କପିଳ ମାଷ୍ଟ୍ରେ

ଅପରାହ୍ନ ଗୋଟେ ପନ୍ଦର ପାଖା ପାଖି ।

ବାହାରେ ବୈଶାଖର ଅଦଉତି ଚିକ ଚିକ ଖରାରେ ଆଖି ସାହସ କୁଳେଇ ପାରୁନି ବାହାରକୁ ଅନେଇବାକୁ ଦେହରୁ ବୋହି ଯାଉଛି ଗମ ଗମ ଝାଳ

ଏ ଯାଏଁ କଣ ରୋଷେଇ ସରିନି  !

କାହାକୁ ବା ଅଭିଯୋଗ କରିବେ  ?

ଯାହା ପାଖରେ ନାଚି କୁଦି ହେଇ ରାଗ ସୁଝାନ୍ତି, ଅଳି କରନ୍ତି ସେ ଅଚାନକ ବାଟ କାଟି ଚାଲିଗଲା। ଭଲ ହେଇଚି କମଳିନୀ ଆଗ ଚାଲି ଯାଇଛି ।ଅହ୍ୟ ରାଣୀ ହେଇ, ଶଙ୍ଖା ସିନ୍ଦୂର ନାଇ ।ପ୍ରଭୁଙ୍କର କି ବିଚାର

କର୍ମ କଲୁ ଏକାଠି,ଫଳ ଭୋଗିଲି ମୁଁ ଏକା ?

ସେ ମରି ଗଲାନି ଯେ ତରିଗଲା  ମୁଁ ଜିଇ ଥାଉ ଥାଉ ମରିଗଲି ।

ମନକୁ ମନ କହିହେଲେ କପିଳ ମାଷ୍ଟ୍ରେ।

ଦଶଟାରୁ ଦଶଟା ପାଞ୍ଚ ହେଇଗଲେ କମଳିନୀ ଉପରେ ହାକିମାତି ଦେଖାନ୍ତି ।ପଦେ ପଦେ କଥାରେ ରୁଷନ୍ତି ,ରାଗନ୍ତି ,ବେଳେ ବେଳେ ଖାଇବା ଥାଳି ଫୋଫାଡ଼ି ଦିଅନ୍ତି ।

ସେ ସବୁ ଅଭ୍ୟାସ ଏବେ ବଦଳି ଯାଇଛି କାନ୍ଥରେ ଟଙ୍ଗା ହେଇଥିବା କ୍ୟାଲେଣ୍ଡର ସହିତ।ମଶାଣିରେ ସୁଖ ଦିନ ସବୁ ଜଳି ଯାଇଛି କାମଳିନୀର ଶବ ଜଳିବା ପରି।

ମଝିଆଁ ପୁଅ ବୋହୂ ପାଖରେ ଏବେ କପିଳ ମାଷ୍ଟ୍ରେ। ସେପଟ ଘରେ ବୋହୂ ରହୁଛି। କଣ କରୁଛି ଏତେବେଳ ଯାଏଁ କେଜାଣି ? କୋଳରେ ତାର କ୍ଷୀରଖିଆ ଛୁଆ। ତାକୁ ଗରମ ହେଲେ ସେ ସହି ପାରେନି ।ସାତ ମାସିଆ ଛୁଆ। ମା ପେଟ କଟାହେଇ  ବାହାରିଚି । ଡାକ୍ତର ଗ୍ୟାରେଣ୍ଟି ଦେଇ ପାରୁ ନଥିଲେ ତାକୁ ଜିଅଇ ପାରିବେ ବୋଲି ।ଲକ୍ଷାଧିକ ଟଙ୍କା ପାଣି ପରି ବୋହିଯାଇଛି ତା ପିଛା । ତା ଛଡା ବଡ଼ ନାତୁଣୀ ରେଣ୍ଟିକରି କମ୍ପୁଟର ଗୋଟିଏ ଆଣିଛି ଭିଡିଓ ଗେମ୍ ଖେଳିବବୋଲି ।ସେଥିପାଇଁ ତାଙ୍କର ଏ. ସି ଘର ଦରକାର ।

ମୋ କଥା ପଚାରେ କିଏ ?

ବୋହୂ ବଖରା ତାକୁ ନିଅଣ୍ଟ ।ମୋର ବା କାମ କଣ ସେ ଘରେ  ? 

ଦିନେ ନାତି ଟୋକାକୁ ଧରେଇ ବୋହୂ ଗାଧେଇବାକୁ ଯାଇଥିଲା । ଟେବୁଲ୍ ଫ୍ୟାନକୁ ହାତ ମାରିଦେଲା ଯେ ସିଏ ଗଡି ପଡିଲା ଆଉ ବୁଲିଲାନି । ତା ଆଙ୍ଗୁଠିରୁ ବି ମଳିଚମ ଟିକେ ଉଠିଗଲା । ଦୁଇ ମାସ ତଳର କଥା ଇଏ। ସେଇ ଦିନୁ ଫ୍ୟାନ୍ ଖରାପ । ନାତିଟୋକା ସେମିତି ଆଉ ତାଙ୍କ ପାଖକୁ ବୋହୂ ଛାଡ଼ୁନି ।ତା ସାନ ଭଉଣୀକୁ ଆଣି ରଖିଛି। ପୁଅ କୁ ବି ଚାକିରୀରୁ ତର ନାଇଁ। ସେ ଶନିବାର ସଂଜରେ ଆସି ସୋମବାର ସକାଳୁ ପଳାଏ । ମଝିରେ ସେଇ ଗୋଟିଏ ଦିନ ଯେ ତା ପିଲା ଛୁଆଙ୍କୁ ନିଅଣ୍ଟ । ମୋ କଥା ପଚାରେ କିଏ ?

ନାତି ଆଙ୍ଗୁଠି ଫ୍ୟାନ୍ ରେ ପଶିବା ଦିନଠୁଁ ବୋହୂକୁ ଯାହା ପଦେ କହିଲେ ସେ ଗର ଗର ହୁଏ । ସକାଳୁ ମ୍ୟାଗି ନହେଲେ ଚାଉମିଦନ କରି ଦି ଭଉଣୀ ଖାଇ ଦିଅନ୍ତି। ମାଷ୍ଟ୍ରେ ସେମିତି ଶୁଖିଲା ଚୂଡ଼ା ମୁଠାଏ ଖାଇ ବୋହୂ ହାତ ଟେକକୁ ଅନେଇ ରହିଥିବେ । ପାଟି ଦୁଇ ଫାଳ କରିବାକୁ ସାହସ କୁଳାଏନି । ବେଜ୍ଜିତ ହେବା ଭୟରେ ଚୁପ ରହିବାକୁ ଶ୍ରେୟ ମଣନ୍ତି ।

 ଥରେ ଖାଇବାକୁ ଦେବା ସମୟରେ ବୋହୂକୁ କହିଲେ  -’ ମା ’ ଲୋ, କାହାକୁ କହି ମୋ ଫ୍ୟାନ ଟା ସଜାଡି ଦିଅନ୍ତନି ? ପୁଅକୁ ତ ତର ହଉନି ।

ଗୋଟାଏ କଥାକୁ ବାର ପଦ ଜବାବ ବୋହୂର।

-"ତମ ଗାଁ ର କୋଉ ଟୋକାକୁ ମୁଁ ଚିହ୍ନିଚି ଯେ କହିବି ? ତମ ପୁଅ କଥା କଣ ଜମା ଜାଣିନ ? ସେଠୁ କହିବେ କା ସାଙ୍ଗରେ ହେଁ ହେଁ ଫେଁ ଫେଁ ହଉଥିଲୁ ! ଦିନଯାକ ତ ସେଇ ଘରଟା ଭିତରେ ବସିକି ରହୁଛ । ଗୋଟାଏ କାମ ଠିକ୍ ଭାବରେ କରି ପାରୁନ ,ସେଥିରେ ବସିବା ଲୋକଙ୍କୁ ଏତେ ଗରମ  ?

ବାସ୍ ଆଉଶୁଣିବା ପାଇଁ ଧର୍ଯ୍ୟ ନଥିଲା। ପଛକୁ ମୁହଁ ବୁଲେଇ ପାଣି ଗାମୁଛା ପକେଇ ଢାଙ୍କି ଦେଲେ ମାଷ୍ଟ୍ରେ । କେଇ ଘଡ଼ି ସୁଖର ଦିନ ପାଣି ପରି ବୋହିଗଲା !

ତିନୋଟି ପୁଅ ଜନ୍ମ କରିଥିଲେ ସେ। ଏଇ ଦୁଇ ବଖରା ଘର ଫାଟି ପଡୁଥିଲା ହସ ଖୁସିରେ।

ଝଙ୍କା ବରଗଛ ଯେମିତି ଫାଟିପଡ଼େ ଅସଂଖ୍ୟ ଚଢ଼େଇଙ୍କ କିଚିରି ମିଚିରିରେ । ପାଞ୍ଚ ବର୍ଷ ଭିତରେ ଆଗ ପଛ ହେଇ ତିନୋଟି ପୁଅ।  ଖୁସି କହିଲେ ନ ସରେ। ହେଲେ ତିନୋଟି ଛୁଆଙ୍କୁ ପାଳି ପୋଷି ବଡ଼ କରିବା କମଳିନୀଙ୍କ ପାଇଁ ଥିଲା ବଡ଼ ଆହ୍ୱାନ । ବାଛୁରୀ କି ଚଢ଼େଇ ଛୁଆ ନୁହଁନ୍ତି ଯେ ମା ପେଟରୁ ବାହାରୁ ବାହାରୁ ଡେଇଁ ବୁଲିବେ । ମଣିଷ ଛୁଆକୁ ସାରା ଜୀବନ ଆଶ୍ରା ଲୋଡ଼ା । ସେ ଚଢ଼େଇ ଛୁଆ ପରି ମୁକ୍ତ ଜୀବନ ବିତେଇ ପାରେନି । ସମାଜକୁ ଛାଡ଼ି ବଞ୍ଚିବା ତା ପାଇଁ ବୋଝ ସଦୃଶ । ସକାଳୁ ଉଠି ମାଷ୍ଟ୍ରେ ପିଲା ଧରନ୍ତି। କେବେ କେବେ ବିଲକୁ ବାପାଙ୍କ ସହ ଗଲେ ମା ସାହାଯ୍ୟ କରେ ପିଲା ଧରିବାରେ। ସେଥିରେ ପୁଣି ଘରଠୁଁ ଚାରି କିଲୋମିଟର ସ୍କୁଲ। ଅର୍ଥାଭାବ ପାଇଁ ସାଇକେଲଟିଏ କିଣିବା ସ୍ବପ୍ନ ଥିଲା । ସ୍କୁଲରେ ପିଲାଙ୍କୁ ପାଠ ପଢେଇବା ବି କମ୍  କଷ୍ଟକର ନଥିଲା। ଦୁଇଟି  କକ୍ଷକୁ ତିନୋଟି ଶ୍ରେଣୀ ଜଣେ ମାଷ୍ଟ୍ର ସେ। ଏଣେ କମଳିନୀ ଏକା ଏକା ସମ୍ଭାଳି ପାରିନ୍ତିନି । ଶାଶୁ ବି ଅଧିକାଂଶ ସମୟ ଗୁହାଳ, ଗୋବର ଆଉ ବିଲ କାମରେ ବ୍ୟସ୍ତ । ତେଣୁ ଚାରୋଟି ନଣନ୍ଦ ପାଳି କରି ଆସନ୍ତି ପିଲା ମାନଙ୍କ ଦେଖା ଶୁଣା କରିବାକୁ । ସମୟ କ୍ରମେ ପିଲା ସବୁ ବଡ଼ ହୁଅନ୍ତି। ନଣନ୍ଦମାନଙ୍କ ଉପରେ କମଳିନୀଙ୍କର ନିର୍ଭର ହେବାର ଦିନ ସବୁ କମି କମି ଆସେ ।  ଯେମିତି ଯେମିତି ବର୍ଷା ଛାଡ଼ି ଗଲେ ଛତା ବୋଝ ହେଇଯାଏ ସେମିତି ନଣନ୍ଦ ଘରକୁ ଆସିଲେ ଏଥର ଗରଗର ହୁଅନ୍ତି କମଳିନୀ । 

 ପିଲା ବଡ଼ ହେବା ସହିତ କପିଳ ମାଷ୍ଟ୍ରେଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହୁଏ । ସାରା ଜୀବନ ବିଲରେ ଖଟି ଖଟି ସେ ଆଣ୍ଠୁ ଗଣ୍ଠି ରୋଗରେ ପୀଡିତ ହୁଅନ୍ତି । ମାଷ୍ଟ୍ରେ ସକାଳୁ ଉଠି ବିଲ ବାଡ଼ି କଥା ବୁଝନ୍ତି। ଦିନବେଳା ସ୍କୁଲ। ପୁଣି ଉପର ଓଳି ଗାଁ ଛକ ରେ ତାସ୍ ଖେଳ। ବାପା ମା’ ଙ୍କ କଥା ବୁଝିବାକୁ ତାଙ୍କର ଆଗ୍ରହ ନ ଥାଏ । କମଳିନୀ ବି ବଡ଼ ସ୍ୱାର୍ଥପର ସ୍ତ୍ରୀ ଲୋକ। ନଣନ୍ଦ ମାନଙ୍କ ପ୍ରତି ତାଙ୍କର କ୍ରୁର ବ୍ୟବହାର ଯୋଗୁଁ ସେମାନଙ୍କ ଯିବା ଆସିବା କମି ଯାଇଥାଏ । କେବଳ ଜନ୍ମ କଲା ବାପ ମା’ ଙ୍କ କଥା ମନେପକେଇ ଆସିବାକୁ ବାଧ୍ୟ ହେଉଥିଲେ । ତାଙ୍କର ସେବା ଯତ୍ନ ଟିକେ କରିବାକୁ ମନ ବ୍ୟାକୁଳ ହେଉଥିଲା ।   କମଳିନୀଙ୍କର ତାଙ୍କ ବାପ ମା ପ୍ରତି ବ୍ୟବହାର ତାଙ୍କୁ କଷ୍ଟ ଦେଉଥିଲା । ସେମାନେ ସାହସ ଜୁଟାଇ ପ୍ରତିବାଦ କରି ପାରୁ ନଥିଲେ ।

 କପିଳ ମାଷ୍ଟ୍ରେ ତାଙ୍କ ଦରମା ର ସିଂହ ଭାଗ ତିନି ପୁଅଙ୍କ ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ କରି ଦେଉଥିଲେ । ବାପା ମା’ଙ୍କ ଦେହ ଦୁଃଖ ପାଇଁ ତାଙ୍କ ପାଖରେ ଅର୍ଥ, ସମୟ ବା ସରାଗ ନଥିଲା । ରୋଗ ବଇରାଗ ହେଲେ ବୁଢ଼ା ବୁଢ଼ୀ ଭାଗ୍ୟକୁ ଆଦରି ପଡ଼ି ରହୁଥିଲେ  । କେବେ କେମିତି ଖବର ପାଇ ଝିଅ ଜ୍ୱାଇଁ ଆସି ଅଣ୍ଟା ଖର୍ଚ୍ଚ ଦେଇ ଯାଉଥିଲେ ।  ଏମିତି ଦିନେ ଆଗ ପଛ ହେଇ ବୁଢ଼ା ବୁଢ଼ୀଙ୍କର କାଳ ହେଇଗଲା । ଝିଅ ମାନେ ଆସିବା ବନ୍ଦ ନ କଲେ ବି ପ୍ରାୟ କମେଇ ଦେଲେ ।

 ଏବେ କମଳିନୀଙ୍କର ମନ ବହୁତ ଖୁସି। ଯଦିଓ ସେମାନଙ୍କ ପ୍ରତି ୟାଙ୍କର କୌଣସି ଦାୟିତ୍ୱ କି କର୍ତ୍ତବ୍ୟ ନଥିଲା । ମାଷ୍ଟ୍ରେ ଅବସର ନେବାର ପୂର୍ବ ବର୍ଷ ପୁଅ ଚାକିରୀଟିଏ ପାଇଲା। ସ୍ଥାନୀୟ ବିଧାୟକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଯୋଗାଡ଼ କରି ଦେବା ପରେ କ୍ଲରିକାଲ ପୋଷ୍ଟ ଟିଏ ଫାଇନାଲ ହେଇଥିଲା ।  ମାଷ୍ଟ୍ରେଙ୍କ ମନ  ବହୁତ ଖୁସି । ଚାକିରୀ କାଳ ଭିତରେ ଗୋଟିଏ ପୁଅକୁ କୂଳରେ ଲଗେଇ ଦେଲେ । ଦୁଇ ବର୍ଷ ପରେ ପୁଅର ଦରମା ଆଉ ତାଙ୍କର ଜି ପି ଏଫ ଟଙ୍କା ମିଶାଇ ପୁରୁଣା ଘର ଭାଙ୍ଗି ଦୁଇ ବଖରା ପକ୍କା ଘର ତୋଳିଲେ । ଏବେ ସେଇ ଘରେ ରହୁଛନ୍ତି । ଘର ହେବାର ପାଞ୍ଚ କି ଛ ମାସ ହେବ ବଡ଼ ପୁଅ ସେଇ ଘର ପାଖରେ ଭଲ ପାଇଲା ରାଧୁ ସାନ୍ତରା ଝିଅକୁ ।  ବାହା ହେବାକୁ ଜିଦି ଧରିଲା। ମାତ୍ର ମାଷ୍ଟ୍ରେ ଏଥିରେ ସମ୍ମତି ପ୍ରକାଶ କଲେନି । ଝିଅଟି ସାମାନ୍ୟ କଳା ରଙ୍ଗର ଥିଲା ମାତ୍ର ମାଷ୍ଟ୍ର ଙ୍କର ତିନି ପୁଅ ଥିଲେ ଗୋରା ତକ ତକ  ରାଜା ପିଲା ପରି ଚେହେରା ।  ଏମିତି ହଁ ନାହିଁରେ ତିନି ମାସ ବିତିଗଲା । କପିଳ ମାଷ୍ଟ୍ରେ ଶୁଣିବାକୁ ପାଇଲେ ପୁଅ ତାକୁ ଉଠେଇ ନେବାକୁ ଯୋଜନା କରୁଛି । ଆଉ ଏଥିରେ ତାକୁ ରାଧୁ ସ୍ତ୍ରୀ ଆଉ ପୁଅ ସାହାଯ୍ୟ କରୁଛନ୍ତି ।ମଲା ଠୁଁ ଘୋଷରା ବେଶି କାଟିବ ବୋଲି ସେ ଭାବିଲେ । ବଡ ପୁଅ ରୀତିନୀତି ଦେଖି ସାନ ଦୁଇ ଜଣ ଯଦି ସେଇ ପନ୍ଥା ଆପଣାନ୍ତି ତେବେ କଥା ସରିଲା । ମାଷ୍ଟ୍ରଙ୍କ ନାକ ନିଶ ତଳେ ପଡ଼ିଯିବା ଥୟ। ତେଣୁ ସେ ପୁଅ ହଁ ରେ ହଁ ମିଶେଇଲେ ।

ପ୍ରସ୍ତାବ ପଡିଲା । ବାହାଘର ହେଲା । ବୋହୂ ମାସେ କି ଦେଢ଼ ମାସ ଘରେ ରହିଲା । ତା ପରେ ପୁଅର ବଦଳି ଅର୍ଡର ଆସିଲା । ସେ ବୋହୂକୁ ନେଇ ଚାଲିଗଲା । ମାଷ୍ଟ୍ରେ ବି ମନା କଲେନି । ଦୁଇ ବଖରା ଘରକୁ ସଦାବେଳେ ଚଳିବା ଅସୁବିଧା। ତାପରେ ସେଇ ଦିନରୁ ଦୁହେଁ ଗଲେ ଯେ ଗଲେ  ଘର ସହ ତାଙ୍କର କିଛି ସମ୍ପର୍କ ରହିଲାନି । ଯେମିତି ଉଡ଼ା ଶିଖି ଗଲେ ଚଢ଼େଇ ନିଜେ ତା ମା, ବସା ଆଉ ଗଛ ସମସ୍ତଙ୍କୁ ଛାଡ଼ି ଚାଲିଯାଏ  ।

ବଡ଼ ଘର ଛାଡିବାର ଦେଢ଼ ବର୍ଷ ପରେ ମଝିଆଁ ଆଉ ସାନ ପୁଅର ବାହାଘର ଗୋଟିଏ ତିଥିରେ ହେଲା । ଦୁଇ ବଖରା ଘରକୁ ଦୁଇଟି ବୋହୂ ସେଥିରେ ବୁଢ଼ା ବୁଢ଼ୀ ଦୁଇଜଣ ରହିବା ସମ୍ଭବ ନଥିଲା । ପେନସନ୍ ପଇସା ଅଣ୍ଟୁ ନଥିଲା ରୋଗ ବଇରାଗକୁ  । ଅନ୍ୟ ଦୁଇ ପୁଅ ଚାକିରୀ କରିଥିଲେ ବି ନିଜ ନିଜର ପାଣ୍ଠି ଅଲଗା ରଖୁଥିଲେ । ଅଲଗା ଅଲଗା ଜାଗାରେ ନିଜର ଜାଗା କିଣି ପକୋଉଥିଲେ ।ଏଣେ ଚଳିବା ଅସୁବିଧା ହେବ କହି ଦଶ ମଙ୍ଗଳା ବାସି ସାନ ପୁଅ ତା ସ୍ତ୍ରୀ କୁ ଧରି ପଳେଇଲା । ମଝିଆଁ ପୁଅ ପାଖରେ ରହିଗଲେ କପିଳ ମାଷ୍ଟ୍ରେ ଆଉ ତାଙ୍କ ସ୍ତ୍ରୀ କମଳିନୀ । ସିଏ କୋଉ ଦିନ ଘର ଛାଡ଼ି ପଳେଇବ ବୋଲି ଆଶଙ୍କାରେ ରହୁଥିଲେ ମାଷ୍ଟ୍ରେ । ଦିନେ ବୁଢ଼ୀ ରାତିରେ କହିଲା  -" ବୁଝିଲ ମଝିଆଣୀର ବୋପା ମା’ ନାହାନ୍ତି ଭଲ ହେଇଚି । ନହେଲେ ଶିଖେଇ ବତେଇ ଆମଠୁଁ ଅଲଗା କରି କୁଆଡେ ନେଇ ଯାଇଥାନ୍ତେ ।ଏଇ ବୟସରେ ଟଙ୍କା ଥିଲେ କଣ ହେବ ଆଶରା ଟିକେ ଲୋଡ଼ା । ମାଷ୍ଟ୍ରେ ଚିଡି ଯାଇ କହିଲେ -’ବାପା ବୋଉ ତମ ପାଖରେ ଥିଲେ କୋଉ ଆଶରା ହେଇଥିଲ ତାଙ୍କୁ ?’

-’ ମୋର ବା କଣ ଦୋଷ, ନିଜର ବୋପା ମା ହେଇ ତମେ ଉଣ୍ଡିଲନି ! ସବୁ ଦୋଷ ଏବେ ମୋର ?’

ସେପଟ ଘରେ ବୋହୂ କାଳେ ଶୁଣିବ ବୋଲି ଦୁହେଁ ଚୁପ ହେଇଗଲେ ।

ଏଣେ ବୋହୂର ମନ ଜିଣିବା ପାଇଁ ମାଷ୍ଟ୍ରେ ବଜାର ଘାଟରୁ ସଉଦା ପତ୍ର ଆଣି ଦିଅନ୍ତି

କିଛି ଦିନ ଭଲରେ କଟିଗଲା ।

  ସେଦିନ ଥିଲା ପୁମ୍ପେଇ ଅମାବାସ୍ୟା । ପୟା ଶ୍ରାଦ୍ଧ । ବଡ଼ ବାଡ଼ୁଆ ଡାକିବା ପାଇଁ ବଡ଼ ଆଉ ସାନ ପୁଅ ବୋହୂ ତାଙ୍କ ପିଲା ଛୁଆ ଧରି ଆସିଥିଲେ । ହସ ଖୁସିରେ ଘର ପୁଣି ଫାଟି ପଡିଲା ଅନେକ ଦିନ ପରେ। ଘରର ଖୁସି ଯେମିତି ଫେରି ଆସିଲା। ନାତି ନାତୁଣୀଙ୍କ ହୋ ହାଲ୍ଲା ଭିତରେ ଘର କମ୍ପି ଉଠୁଥିଲା । ବଡ଼ ବଡୁଆ ଡକା ସରିଲା। ପିଠା ପଣା ସବୁ ଖାଇଲେ ।  ବଡ଼ ପୁଅ ତା ସ୍ତ୍ରୀ ଆଉ ପିଲାଙ୍କୁ ଧରି ତା ଶଶୁର ଘରକୁ ଗଲା ଶୋଇବାକୁ ।

ଭୋର୍ ସମୟ  ମାଷ୍ଟ୍ରେ ବାହାରକୁ ଉଠିଛନ୍ତି । ବଡ଼ ପୁଅ ଆସି କହିଲା  - ’ ବାପା, ମୁଁ ତ ଆଉ ଏଠି ରହୁନି । ରହିବା ପାଇଁ ଏଠି ଜାଗା ବି କାଇଁ ? ସାରା ଜୀବନ ଚାକିରୀ କରି ଘର ଚାରି ବଖରା କରି ପାରିଲନି । ମୁଁ ଏଠିକି ଆଉ ଆସିବାକୁ ଚାହୁଁନି । ଭୁବନେଶ୍ୱର ସୁନ୍ଦର ପଦାରେ ଗୋଟେ ପ୍ଲଟ ଦେଖିଚି । ମୋ ଭାଗ ମୂଲ୍ୟ ଯାହା ହେବ ମୋତେ ଦେଇଦେଲେ ମୁଁ ସେଠି ଜାଗା କିଣିବି  । ବୋହୂ ବି ଅଚାନକ ଆସି ପାଳି ଧରିଲା ।  କମଳିନୀ ପ୍ରତିବାଦ କଲେ । ଦାଣ୍ଡ ମଝିରେ ସାଙ୍ଘାତିକ ଗଣ୍ଡଗୋଳ ହେଲା ତିନି ଭାଇଙ୍କ ଭିତରେ । ବଡ଼ ପୁଅର ଶାଶୁ, ଶଶୁର, ଶଳା ସବୁ ମିଶିଗଲେ । ଦାଣ୍ଡରେ ଲୋକ ଜମା ହେଇଗଲେ ।ସେଇ ମୂହୁର୍ତ୍ତରେ କମଳିନୀ ଙ୍କର ହୃଦାଘାତ୍ ହେଲା ।

ମେଡିକାଲ ନେବା ବାଟରେ ହିଁ ମୃତ୍ୟୁ ହେଇଗଲା ।

 ଅତୀତକୁ ମନେ ପକେଇ କାନ୍ଦି ପକେଇଲେ କପିଳ ମାଷ୍ଟ୍ରେ । ଇଏ ତାଙ୍କ କଲା କର୍ମର ଫଳ । ଯଦି ଚମ୍ପା ଫୁଲ ପରି ତାଙ୍କର ବାସ୍ନା ଥାନ୍ତା ସେ ଆଜି ଠାକୁର ମଥାରେ ପୂଜା ପାଇଥାନ୍ତେ ଠାକୁର ପରି ।  ହୁଡ଼ାରେ  ଅଯତ୍ନରେ ବଢିଥିବା ସୁଦୁ ଘାସଫୁଲଟିଏ ସେ ଏବେ।  ଅଖୋଜା ଅଲୋଡ଼ା ସଭିଙ୍କ ପାଇଁ ।

ଭାବନାରେ ପୂର୍ଣ୍ଣ ଛେଦ ପକେଇ ବୋହୂର ସାନ ଭଉଣୀ ରୁଟି ଚାରିପଟ ଆଉ ଆଳୁ ଭଜା ଥୋଇଦେଇ ଚାଲିଗଲା ଆଉ ଗଲା ବେଳେ କହିଦେଇ ଗଲା ଦିଦି ଦେହ ଭଲ ନାହିଁ । ଆଜି ସନ୍ତୁଳା ହେଇ ପାରିନି । ସେ ଡ଼ାଇବେଟିସ୍ ରୋଗୀ ।  ଆଳୁଭଜା ତାଙ୍କୁ ଖାଇବା ମନା ।କାହାକୁ କହିବେ ଏ ଦୁଃଖ। ! ଆଖିରୁ ଲୁହ ପୋଛି ଥାଳିକୁ ପାଖକୁ ଆଣିଲେ ।

କାନ୍ଥ ଘଣ୍ଟାରେ ଦିନ ଦୁଇଟା ବାଜିବାର ଶବ୍ଦ ହେଲା ।


Reader Reviews

No reviews yet. Be the first to write one!