ଧୋବେଇ କୋରଟିଆ
-ବିପ୍ଳବ
-“ମା’ ପାଣି ମନ୍ଦେ ଦିଅ । ମା’ ପାଣି ମନ୍ଦେ ଦିଅ ।”
ଦୁଇଥର ଡାକିଦେଇ ଲୋକଟି ଦାଣ୍ଡ ପିଣ୍ଡାରେ ଲଥ୍କରି ବସିପଡିଲା ।
ଦୁଇଟି ଘରଚଟିଆ ଚଢ଼େଇ ଚିଁ ଚିଁ ଶବ୍ଦକରି ଚାଳରୁ ଉଡି ଚାଲିଗଲେ । ତାଙ୍କ କୁନି କୁନି ଡେଣାର ସାମାନ୍ୟ ହାଲୁକା ପବନ ଲୋକଟି ପିଠିରେ ଘସି ହୋଇଗଲା ଯେମିତି । ଲୋକଟି ମୁଣ୍ଡରେ ଠେକା ଭିଡିଥିବା ପାଣି ଗାମୁଛାଟିକୁ ଖୋଲି ମୁହଁର ଝାଳ ସବୁ ପୋଛିଲା । ଦର ଆଉଜା କବାଟକୁ ସାମାନ୍ୟ ଠେଲି ଘର ଭିତରକୁ ମୁହଁ କରି ପୁଣି ଥରେ ବିକଳ ସ୍ୱରରେ ଡାକିଲା -ମା’.....
ନା । କେହି ଦିଶୁନଥିଲେ । ବୋଧ ହୁଏ ଟାଣ ଖରାକୁ ସମସ୍ତେ ନିଦେଇ ଯାଇଛନ୍ତି । କାହାର ବା ଗରଜ ପଡିଛି ଅଜଣା ଅଶୁଣା ଲୋକର ଡାକ ଶୁଣିବାକୁ? ଯେଝା ଘରେ ଯେଝା ଆରାମ କରୁଥିବେ । ଲୋକଟି ମନକୁ ମନ ଭାବିଲା ।
ବୁଢ଼ା ବାବୁ କି ମା’ସାଆନ୍ତାଣି କେହି ଦିଶୁନାହାଁନ୍ତି । ଯୋଗୀ ଭିକାରୀଙ୍କ ପାଇଁ ସଦାବେଳେ ୟାଙ୍କର ଦୁଆର ମେଲା ରହିଥାଏ, ବଡ଼ ଦେଉଳର ସିଂହ ଦୁଆର ପରି । ନା ଥାଏ ବାଧା ନା ବନ୍ଧନ । ଏ ମହାମାରୀ ରୋଗଟା ପାଇଁ ସବୁଆଡେ କଟକଣା । ସ୍ନେହ ସଂପର୍କ ସବୁ ହଜିଗଲାଣି ଯେମିତି । ରୋଗ ଭୟରେ ଆଉ କବାଟ ଆଉଜି ଦେଇ ନାହାଁନ୍ତି ତ! ଭାବନାର ବୁଢ଼ିଆଣୀ ଜାଲ ଭିତରେ ନିଜକୁ ନିଜେ ଛନ୍ଦି ହେଉଥିଲା ଲୋକଟି । କ’ଣ ହେଇଛି କେଜାଣି? ସେଇ ମା’ମଙ୍ଗଳାଙ୍କୁ ଜଣା ।
ଲୋକଟି ଭାବନାରେ ପୂର୍ଣ୍ଣଛେଦ ପଡିଲା ।
ଖୁଁ ଖୁଁ କାଶ ସହିତ କ୍ଷୀଣ ଶଦ୍ଦଟିଏ ଶୁଭିଲା ।
-ଆରେ ବା, କିଏ ଡାକୁଛ?
- ଆରେ, ଏତ ମା’ସାଆନ୍ତାଣୀଙ୍କ ପାଟି । ନହେଲେ ଏତେ ମଧୁବୋଳା ପେଟପୁରା ଡାକ କାହାର ହେବ?
ସେ କବାଟକୁ ସାମାନ୍ୟ ଠେଲି ଭିତରକୁ ଅନେଇଲା । ସତକୁ ସତ ମା’ସାଆନ୍ତାଣି । ହେଲେ ଏ ଗୁହାଳଘରେ! ଲୋକଟି ସାହାସ ସଞ୍ଚୟ କରି ଆଉ ଟିକିଏ ଆଗକୁ ଗଲା । ସେଠି ଗୁହାଳ ହିଁ ନଥିଲା । ତା’ର ନକ୍ସା ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା ।
ଘୋଡା ଛୁଆ ପରି ଉଚାଁ ଉଚାଁ ବଳଦ ହଳକ ଖୁଣ୍ଟରେ ବନ୍ଧା ହୋଇନଥିଲେ । ଘରଟିର ଉପର ସେମିତି ଚାଳ ଛପର ଥିଲା । ଆଉ ଭିତର ବାଲି ସିମେଣ୍ଟ୍ ଦିଆ ହୋଇ ପଲସ୍ତରା ହୋଇଥିଲା । ବଳଦ ହଳକ ନଥିଲେ ବି ସେ ଖାଉଥିବା କୁଣ୍ଡାତୋରାଣି କୁଣ୍ଡଟି ଘରର ଗୋଟିଏ କୋଣକୁ ଆଉଜା ହୋଇଥିଲା । ତା’ କରକୁ ଲାଗି ଦୁଇଟି ଜୁଆଳି, ଜୋତ, ଲଙ୍ଗଳ ଦଉଡି, ଦୁଇ ଚାରିଟା ପାଞ୍ଚଣ, ଦୁଇ ହଳ ତୁଣ୍ଡି ଥୁଆ ହୋଇଥିଲା । ଘରର ଅଗ୍ନିକୋଣରେ ଭଙ୍ଗା ମଇଟିଏ ଡେରା ହୋଇଥିଲା ଏବଂ ତଳେ ଦୁଇ ହଳ ବାକୁଲି ଅଯତ୍ନ ଭାବରେ ପଡିଥିଲା ।
ମା’ସାଆନ୍ତାଣି ପୂର୍ବ ଅପେକ୍ଷା ଦୁର୍ବଳ ଜଣାପଡୁଥିଲେ । ଗୋଟିଏ ହେଁସ ଉପରେ ପୁରୁଣା ପିନ୍ଧା ଲୁଗା ଖଣ୍ଡିଏ ପଡିଥିଲା । ଆଉ ତେଲ ଚିକିଟା ମାଣ୍ଡି ଗୋଟେ ବି ଥୁଆ ହୋଇଥିଲା । ମା’ସାଆନ୍ତାଣି ସେଇଠି ଶୋଇଥିଲେ । ମାଣ୍ଡିର ଗୋଟଏ କଡକୁ ତାଙ୍କର ମୁଣ୍ଡଟି ଢ଼ଳି ପଡିଥିଲା । ମୁଣ୍ଡପଛ ପାଖରେ ପାଣି ଢ଼ାଳ, ଟଉ ଗିଲାସଟିଏ , ପାନପେଡ଼ା, ଚୂନଘଡି , ଗୁଡାଖୁ ଡବା ଇତ୍ୟାଦି ଥୁଆ ହୋଇଥିଲା ।
ଲୋକଟି ଆସ୍ତେକରି ଡାକିଲା -ମା’ସାଆନ୍ତାଣି, ମୁଁ ଧୋବେଇ ଆସିଛି । ଧୋବେଇ କୋରଟିଆ, ନରଣପୁରିଆ । ତମ ବୁଢ଼ାପୁଅ ।
ନିଜ ପରିଚୟ ଦେଇସାରି ଲୋକଟି ଜାକିଜୁକି ହୋଇ କଇଁଛ ପରି ଠିଆ ହେଲା । ବୁଢ଼ି ହାତ ହଲାଇ କିଛି ଇସାରା କଲା । ଲୋକଟି ଇସାରା ବୁଝିପାରିଲା ବୋଧ ହୁଏ । ବୁଢ଼ିଙ୍କୁ କାନ୍ଥର ଗୋଟିଏ କଡକୁ ଆଉଦେଇ ବସେଇ ଦେଲା ।
- ଆଉ କ’ଣ ଅଛି ଯେ ମରାମତ କରିବାକୁ ଆସିଲୁରେ ପୁଅ ।
ସେ ସ୍ୱରରେ କୋହ ଭରି ରହିଥିଲା ଯେମିତି!
-କ’ଣ ହୋଇଛି ମା’ ।
ବ୍ୟଗ୍ର ହୋଇ ଲୋକଟି ପଚାରିଲା ।
-କ’ଣ କହିବି ତତେ, ତୁ ତ ବାହାର ପିଲାଟା ।
ଦି ବରଷ ହେଲାଣି ତୋର ଦେଖା ଦରଶନ ନାଇଁ । ସେଇ ରଜକୁ ଆଇଥିଲୁ ଯେ ଯାଇଛୁ । ଏ ଘରୁ ଶୀରି ତୁଟିଗଲାଣି ସବୁ ବୁଢ଼ା ସାଆନ୍ତେ ବି ଚାଲିଗଲେଣି କୋଉ ଦିନରୁ । ଦୁନିଆଁ ଦାଣ୍ଡରେ ମୁଁ ଏବେ ଏକା ଭାସୁଛି ।
ଦେଖୁନୁ, ମୋ ମୁଣ୍ଡରେ ସୁନ୍ଦର ନାଇଁ । ହାତ ନଙ୍ଗଳା ପଡିଚି । ଏକା ଏକା ଦହଗଞ୍ଜ ହଉଚିରେ । ଏଇ ଅକଳରେ କେତେ ବଡବଡିଆ ଆଉ ଭେଣ୍ଡିଆ ପିଲା ଚାଲି ଯାଉସୁନ୍ତି, ଏ ଯମ ଯାହା ମୋତେ ନଉନି ।
-ସେମିତି ଅମଙ୍ଗଳ କଥା ତୁଣ୍ଡରେ ଧରନି ମା’ସାଆନ୍ତାଣି । ଗରିବ ଗୁରୁବାଙ୍କ ପେଟ ତୁମେ ପରା ଚିହ୍ନ । ଲୋକଟି ପ୍ରତିବାଦ କରି କହିଲା ।
- ହଁରେ ବା ମୁଁ ହତଭାଗିନୀଟିଏ । ତାଙ୍କ ଯିବା ପଛେ ପଛେ ହାତୀ ନେଖା ବଦଳଟିଏ ମରିଗଲା । ତା’ ପଛକୁ ପିଲାଏ ସେ କସରା ବଦଳଟିକୁ ବିିକି ଦେଲେ । କେତେ ବୁଝେଇଲି । ଗୋ ମାତାକୁ କଂସେଇ ହାତକୁ ଦିଅନିି । ଆମ ବିଲ ବାଡି ଚଷି ଆମ ପେଟକୁ ଦାନା ଦେଇଛନ୍ତି । ତାଙ୍କୁ କାହା ହାତରେ ଟେକି ଦିଅନି । ସିଏ ବି ଏ ଘରର ପିଲା ପରି । ହେଲେ କିଏ ଶୁଣୁଚି ମୋ କଥା? ତା’ପଛରେ ବଡନାତୁଣୀଟି କାହା ସାଙ୍ଗେ ପଳେଇ ଗଲା । ଦି ମାସ ପରେ ସୁରଟରେ ଅଛି ବୋଲି ଖବର ଆସିଲା । ବୋପା କୋଉ ସମଳା ପଡେ? ବୁଢ଼ାଙ୍କ ବରଷିକିଆ କର୍ମ ତିନି ପକ୍ଷରେ ସାରି ଝିଅକୁ ଘରକୁ ଆଣିଲା । ଆଉ ପୁଣି ଥରେ ମନ୍ଦିରରେ ବାହା ଦେଲା । କ’ଣ କହିବି ସେ ଲାଜ କଥା । ଦିହେଁ ଶିକ୍ଷିତ ଆଉ ମାଷ୍ଟର । କେତେ ପିଲାଙ୍କୁ ପାଠ ପଢ଼େଇ ମଣିଷ କରୁସନ୍ତି । କୁଆଡେ ଗଲା ତାଙ୍କ ମଣିଷ ପଣିଆ? ବୋପା ମଲା ବାସି ଘରେ ଚପାକଷ ଗଣ୍ଡଗୋଳ ହେଲେ । ଜମି ଭାଗବଣ୍ଟାବଣ୍ଟି କରିଦେଲେ । ଘର କୁ ବି ବଣ୍ଟାକୁଣ୍ଟା କଲେ । ଶେଷରେ ମୋ କପାଳରେ ଏହି ଗୁହାଳ ପଇଲା ।
ମା’ସାଆନ୍ତାଣି କାନ୍ଦୁଥିଲେ ରାହା ଧରି । ନିରୂପାୟ ହୋଇ ପାଖରେ ବସିଥିଲା ଧୋବେଇ । ଶେଷକୁ ପଦଟିଏ ଡାକିଲା - ମା’ ତୁନି ହେଇଯା ।
- କାହିଁକି ଆଉ ମା’ଡାକୁଛୁ ମେତେ । ଗୁହାଳେ କୋଉ ଗାଈ ବନ୍ଧା ହେଇସେନ୍ତି ଯେ ତୋତେ କ୍ଷୀର ଦୁହିଁ ସରବତ କରିଦେବି । କୋଉ ଉଠିକି ଯାଇ ପାରୁଛି ଯେ ହାଣ୍ଡିଶାଳୁ ପଖାଳ ବାଢ଼ିକିି ଦେବି । ମୋ ହାତରେ ଆଉ କିଛି ନାହିଁରେ ଧନ । ଆଉ କୋଉ ଚାଷବାସ ଅଛି ନା ନଉତି, ଗଉଣୀ, ବେତୁଲି, କୁଲା ଅଛି ଯେ ସିଁ ବୁ ? ସବୁ ପୋଡି ନିଆଁ ନାଗି ଗଲା । ଗୋଟାଏ ପାଷ୍ଟିକ୍ କୁଲା ଆଣି ଚାଉଳ ପାଛୁଡୁସୁନ୍ତି । ବାହାରେ ବାଉଁଶ କିଳାରେ ଖଣ୍ଡିଆ କୁଲାଟିଏ ଓହଳିଛି । ତାକୁ କିଆଁ ସିଁ ବୁ ? ମୁ’ତ ମଲା ବେଳକୁ ଭଙ୍ଗା କୁଲାଟିଏ ଦରକାର ହେବ ।
ଧୋବେଇର ନିଜ ମା’ ନହେଲେ ବି ସେ କନ୍ଦି ପକାଇଲା । ତା’ ଆଖି ବତୁରି ଗଲା ଲୁହରେ । ବୁଢ଼ି କୁ ସାନ୍ତ୍ୱନା ଦେବ କ’ଣ? ତା ଭୋକ ଶୋଷ ବୁଡି ଯାଉଥିଲା ।
- ତମ ଦୁଆରୁ ଯୋଗୀ ଭିକାରୀ ଖାଲି ପେଟରେ ଫେରନ୍ତିନି ମା’ସାଆନ୍ତାଣି । ପର ପିଲାର ପେଟ ଚିହ୍ନ ତମେ । ତମ କପାଳରେ ଶେଷରେ ଏଇଆ ଥିଲା? ମୁଁ ପଳେଇ ଯାଉଛି ମା’ । ବାବୁମାନେ ଶୁଣିଲେ ମୋତେ ଗାଳି କରିବେ ।
-ଆରେ କେହି ନାହାଁନ୍ତିରେ ପୁଅ । କୋଉ ମନ୍ଦିରରେ ଗୋଟେ ବାହା ଘର ହେଉଛି । ସବୁ ସେଇଠିକି ଯାଇସିନ୍ତି । ସେଇ ବେତୁଲି ତଳେ ମୋ ପାଇଁ ଘୋଡା ହୋଇ ଭାତ ପୁଞ୍ଜେ ଥୁଆ ହୋଇଛି । ଖାଇ ଦେଇ ଯା’ ସେଇ ଗଣ୍ଡାକ । ଝାଞ୍ଜି ବଇଶାଖରେ ବାର ଦୁଆର ବୁଲିଥିବୁ । ପେଟ ନାଖି ଯାଉଛି ପିଠିରେ ।
ସେମିତି କୁହନି ମା’ । ମୋତେ ପାପ ଲାଗିବ ତମ ଆହାର ମୁଠାକ ଖାଇଲେ । ମୋତେ ଧରମ ସହିବନି ।
ଅଣ୍ଟାରୁ କରାଟ ବାହାର କଲା ବୁଢ଼ି । ତିନୋଟି ପଞ୍ଚଟଙ୍କିଆ ମୁଣ୍ଡା । ଧୋବେଇ ହାତକୁ ବଢ଼େଇ ଦେଇ କହିଲା ନେ....ଧ...ଆଉ କିଛି ନାହିଁ ମୋ ପାଖରେ ତତେ ଦବାକୁ । ବରଷ ବରଷ ଧରି ଏଇ ଘରର କେତେ ନଉତି ,ଗଉଣୀ , ବେତୁଲି , ବାଉଁଶିଆ, ସିଁ ଚୁ , ମୋ ଆଖି ସିଁ ଦିଅନ୍ତୁନି । ଯେମେିତି ଟୋପାଏ ଲୁହ ବୁହନ୍ତାନି । ମୁଁ ଅନ୍ଧୁଣୀ ହେଇ ଯାଆନ୍ତି ।
ଠକ୍ ଠକ୍ ଲୁହ ବୋହୁଥିଲା ଧୋବେଇ ଆଖିରୁ ।
ଆଦ୍ର କଣ୍ଠରେ ଶେଷ ଥର ପାଇଁ ଡାକିଲା ମା’...
ସେଇ ପଦିଏ କଥାରେ ଏତେ କାରୁଣ୍ୟ ଭରି ରହିଥିଲା ଯେ ଶୁଣିବା ଲୋକର ଛାତିରୁ ସତିକା ମାଉଁସ ଖସି ପଡିବ!
ମୁକୁନ୍ଦପୁର, ବାଙ୍କୀ, ମୋ-୯୪୩୭୪୬୮୦୧୬