ଅକ୍ଟୋପସ
କଣ୍ଡୁରୀ ଚରଣ ରାଉତ
ଦୂର ଦିଗ୍-ବଳୟରେ ମଲା ଜହ୍ନଟା ଦାନ୍ତ ଦେଖେଇ ହସୁଥିଲା ବେଳେ ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲା ସରିତା । ସେ ଜାଣେ, ସେ ଯନ୍ତ୍ରଣାଟା ତା’ ଛାତି ଭିତରେ ଥିବା ଏକ ପୁରୁଣା ପୋଡା ଘାଆ । ସେ ଆଜିର ନୁହେଁ, ଦୀର୍ଘ ଦଶ ବର୍ଷ ତଳର । ସେ ଘାଆଟା ଆଜିଯାଏ ଶୁଖିନାହିଁ । ବେଳେବେଳେ ସେଥିରୁ ରକ୍ତ ଝରି ଜମାଟ ବାନ୍ଧିଯାଉଛି ତା’ ଛାତିରେ ଓ ପେଟରେ । ସେଇ ଯନ୍ତ୍ରଣାଦାୟକ ସ୍ମୃତିଗୁଡାକୁ ହୃଦୟ ଭିତରୁ ପରସ୍ତ ପରସ୍ତ କରି ଓଟାରି ଛିଣ୍ଡେଇ ଦେବାକୁ ମନ ବ୍ୟାକୁଳ ହୁଏ । କିନ୍ତୁ ତା’କୁ ସହଜରେ ଛିଣ୍ଡେଇ ହୁଏନା କି ନଷ୍ଟ କରି ହୁଏନା ।
ସେ ସବୁ ଅନେକ ଦିନ ତଳର କଥା । ସେତେବେଳେ ସରିତା ଷୋଳ ସତର ବର୍ଷର ତରୁଣୀ । ଦେହରେ ତା’ର ଖୁନ୍ଦି ହୋଇ ରହିଥିଲା ଯୌବନ । ନୀଳ କଇଁ ସଦୃଶ ଚକ୍ଷୁ ଦୁଇଟିରେ ଅୟୂତ ଯୁଗର ଅକୁହା କାହାଣୀ । ତା’ର ଛନ୍ଦାୟିତ ପଦପାତରେ ସତେ ଯେମିତି ଫୁଟି ଉଠୁଥିଲା ଶତପଦ୍ମର ସୌନ୍ଦର୍ଯ୍ୟ । ପାଉଁଜିର ରୁଣୁଝୁଣୁରେ ଜୀବନ୍ୟାସ ପାଉଥିଲେ ଗୁଳ୍ମଲତା । ରୂପଚୋରା ପବନ ବି ଅମାନିଆ ଭାବେ ତା’ ଦେହରେ ଘଷି ହେଇ ଚାଲି ଯାଉଥିଲା । ରାସ୍ତାଘାଟରେ ଗଲାବେଳେ ଶହଶହ ଲୋଭିଲା ଆଖି ତା’ ଉପରେ ଅଜାଡି ହେଇ ପଡୁଥିଲା । ନଈର ଉପର ମୁଣ୍ଡରେ ବର୍ଷାହେଲେ ନଈ ଉଛୁଳି ବନ୍ଧବାଡ ଭାଙ୍ଗି ବନ୍ୟା ହେଲା ପରି ଯୌବନ ଭାରରେ ଭାବପ୍ରବଣତାର ନଈ ସୁଅରେ ଭାସି ଚାଲିଥିଲା ସେ ।
ହଠାତ୍ ତା’ କୁନି ପୁଅଟିର କାନ୍ଦରେ ଭାବନା ରାଇଜରୁ ଫେରି ଆସିଲା ସେ । ତା’କୁ କୋଳକୁ ଆଉଜାଇ ନେଇ ପାଖରେ ନିଶ୍ଚିନ୍ତରେ ଶୋଇଥିବା ସ୍ୱାମୀକୁ ପରିତୃପ୍ତିରେ ଦେଖିଲା ସେ । ସ୍ୱାମୀ ଓ ସନ୍ତାନକୁ ନେଇ ଏକ ହସଖୁସିର ସଂସାର ଥିଲେ ବି ସାଗର କଥା କେତେବେଳେ କେମିତି ମନେପଡି ଦାରୁଣ କଷ୍ଟ ଦେଉଥିଲା ତା’କୁ । ସେମିତି ଏକ ଜ୍ୟୋତ୍ସ୍ନାବିଧୌତ ରଜନୀରେ ତା’ର କୁମାରୀ ଜୀବନର ସମସ୍ତ ସଞ୍ଚିତ ସ୍ୱପ୍ନକୁ ଦଳିମକଚି ନଷ୍ଟ କରି ଦେଇଥିଲା ସେ । ସେ ଦିନର କଥା ଏବେ ବି ମନେପଡିଲେ ଦେହ ଶୀତେଇ ଉଠୁଥିଲା ତା’ର ।
ସାଗରକୁ ନେଇ ସରିତା ମନରେ ରଙ୍ଗର ପ୍ରଲେପ ଲେପିହୁଏ । ମନରେ ଆଶା ଆକାଂକ୍ଷା କଷି ଧରେ । ସାଗରକୁ ଜୀବନସାଥୀ କରି ଛୋଟିଆ ସଂସାର ଗଢିବାର ସ୍ୱପ୍ନ ଦେଖେ । ତା’ ମନ ମନ୍ଦିରରେ ସାଗରକୁ ଦିଅଁ ସଜାଇ ପ୍ରୀତି ଫୁଲ ହାର ଚଢାଏ । ପ୍ରେମର ପ୍ରଦୀପ ଜାଳେ । କିନ୍ତୁ ପ୍ରେମର ଖସଡା ପଥରେ ପାଦ ଥାପିବା ଆଗରୁ ଯେ ସତର୍କ ହେବା ନିହାତି ଆବଶ୍ୟକ ଏ କଥା ଅନ୍ଧ ତରୁଣ ତରୁଣୀ ଜାଣିବା ଆବଶ୍ୟକ ମନେ କରନ୍ତିନି । ବିଶ୍ୱାସରେ ବିଷର ମାତ୍ରା କେତେ ରହିଛି ତାହା କଳିବା ଉଚିତ ମଣନ୍ତିନି ଯାହାର ପରିଣାମ ତାଙ୍କୁ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡିଥାଏ ।
ଏକ ପ୍ରଗଳ୍ଭା ନଦୀ ସମୁଦ୍ରରେ ଝାସ ଦେଲା ପରି ସରିତା ସାଗର ବକ୍ଷରେ ହଜି ଯାଇଥିଲା । ସେ କେବଳ ଭିଜିବାରେ ଲାଗିଥିଲା ସାଗରର ଲୁଣି ପାଣି ଗୁଡାକରେ । ହେଲେ ଏକ ବିରାଟ ଲହଡି ତା’କୁ ଯେ ସାଗର ଭିତରେ ବୁଡାଇ ମାରିବ ଏ କଥା ସେ କଳ୍ପନା ବି କରି ନ ଥିଲା ।
ସେଦିନ ଆକାଶରେ ହସୁଥିଲା ପୂର୍ଣ୍ଣମୀର ଜହ୍ନ ଛଅଦିନିଆ ବାଦଲ ଜହ୍ନକୁ ଢାଙ୍କି ଦେଲାବେଳେ ମଝିରେ ମଝିରେ ମୁକ୍ତାପରି ତାରାମାନେ ଉଙ୍କି ମାରୁଥାନ୍ତି । ଚଇତାଳି ପବନରେ ଆମ୍ବ ବଉଳର ବାସ୍ନାରେ ମହକି ଉଠୁଥାଏ ପରିବେଶ । ଦୂରନ୍ତ ଆମ୍ବ ଡାଳରୁ ପକ୍ଷୀ ଯୁଗଳଙ୍କ ଅସ୍ଫୁଟ ରାଗିଣୀ ପରିବେଶକୁ ଅଧିକ ରୋମାଞ୍ଚିତ କରୁଥିଲା । ଆଉ ୟା’ରି ଭିତରେ ସମ୍ମୋହନର ମାୟାଜାଲଟେ ବୁଣି ଚାଲିଥିଲା ସାଗର । ସାଗରର ମିଠା କଥାରେ ଭୁଲିଯାଇଥିଲା ସରଳା କିଶୋରୀ ସରିତା । ତା’କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତା’ର ସର୍ବସ୍ୱ ଲୁଟି ନେଇଥିଲା । ସବୁଦିନ ପାଇଁ ଲୁଟି ନେଇଥିଲା ତା’ର ନାରୀତ୍ୱର ସମସ୍ତ ଅହଙ୍କାର । ସରିତାର ସମଗ୍ର ଶରୀରଟା ଯନ୍ତ୍ରଣାରେ ଛଟପଟ ହେଉଥିଲା । ତା’କୁ ଜଣାଯାଉଥିଲା ଯେମିତି ଏକ କ୍ଷୁଧିତ ଅକ୍ଟୋପାସ୍ ତା’କୁ ଜାବୁଡି ଧରିଛି । କିଛି ସମୟ ଭିତରେ ପିଣ୍ଡରୁ ତା’ର ପ୍ରାଣଟା ଛାଡିଯିବ । ହେଲେ ମରି ପାରିନଥିଲା ସେ । ସାଗର ତା’କୁ ଆଶ୍ୱାସନା ଦେଇଥିଲା - ମୁଁ ତମକୁ କଥା ଦେଇଛି ସରିତା.... । ସହି ନେଇଥିଲା ଅହଙ୍କାରୀ ଅକ୍ଟୋପସ୍ ର ତିକ୍ତ ମଧୁର ପାଶବିକତାକୁ । ସାଗର ଆଶ୍ୱାସନାର ଊର୍ମିମାଳା ତା’କୁ ପୁଣି କୂଳକୁ ଟାଣି ଆଣିଥିଲା ।
ପ୍ରେମରେ ପ୍ରତିଶ୍ରୁତି ତ ରହିଛି, ହେଲେ ତାହା ଯଦି ପ୍ରତାରଣାର ରୂପ ନିଏ , ପ୍ରେମ ହୁଏ ଧୋକା । ପ୍ରେମିକ ଯଦି ପ୍ରତାରକ ଓ ଧୋକାବାଜ ହୁଏ ସେଇ ବିଶ୍ୱାସଘାତକୁ ପାଥେୟକରି ଭଗ୍ନ ମନରେ ଅବଶିଷ୍ଟ ଜୀବନ ପଥ ଅତିକ୍ରମ କରିବା ପ୍ରେମିକା ପକ୍ଷରେ ଦୁର୍ବିସହ ହେଇଉଠେ ।
ସାଗର ପରି ଯୁବକମାନେ ଅମାବାସ୍ୟାର ଅନ୍ଧକାର ଭିତରେ ଆଲୋକର ମହୋତ୍ସବ ସୃଷ୍ଟି କରିବାର ସ୍ୱପ୍ନ ଦେଖାନ୍ତି, ସାହାରା ମରୁଭୂମିରେ ଅମରାବତୀର ନନ୍ଦନକାନନ ଗଢିବାର ପ୍ରତିଶ୍ରୁତି ଦିଅନ୍ତି । ବିଚରା ସରିତା ପରି ନବ୍ୟ ତରୁଣୀମାନେ ଯୌବନର ପ୍ରଥମ ପ୍ରତ୍ୟୁଷରେ ଭଲ ପାଇବାର ନୀଡ ରଚନା କରିବାକୁ ଯାଇ ସେମାନଙ୍କ ପ୍ରେମ ଫାଶରେ ଧରାପଡି ଡହଳବିକଳ ହୁଅନ୍ତି । କାଳବୈଶାଖୀରେ ସେ ନୀଡ ଯେ କାହିଁ କେତେଦୂର ଉଡିଯାଏ ତାହା ସେମାନେ କଳ୍ପନା ସୁଦ୍ଧା କରିପାରନ୍ତି ନାହିଁ ।
ସମୟର ମହୌଷଧି ଖାଇ ସବୁ ଭୁଲିହୁଏ । ଭୁଲି ହୁଏନି ମନ ତଳର କ୍ଷତ । ସମୟର ଜୁଆରରେ ସାଗର ବେଳାଭୂଇଁରୁ ଲିଭିଯାଏ କେତେ ସ୍ମୃତିର ପାଦଚିହ୍ନ । ତଥାପି ଯେଉଁ କେତୋଟି ରହିଯାଏ ସେ କେବଳ ସାରା ଜୀବନ ଜଳିବା ପାଇଁ ଯଥେଷ୍ଟ । ସାଗର ସେମିତି ସରିତା ପାଖରେ ଛାଡି ଯାଇଛି ଅତୀତ ଜୀବନର କୁଢକୁଢ ସ୍ମୃତି । ଯେଉଁ ସ୍ମୃତି ତା’ର ମନକୁ ପ୍ରତି ମୁହୂର୍ତ୍ତରେ ଖିନଭିନ୍ କରି କ୍ଷତବିକ୍ଷତ କରୁଛନ୍ତି ।
ଯେଉଁଦିନ ସରିତା ନିଜ ପ୍ରିୟ ବାନ୍ଧବୀ ସୀମାର ଆତ୍ମହତ୍ୟା ଖବର ପାଇଲା ସେଦିନ ତା’ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । କାରଣ ସୀମା ତା’ ବାପା ମାଆଙ୍କର ଗୋଟିଏ ବୋଲି ଝିଅ ଥିଲା । ଗେଲବସରରେ ପିଲାଟି ଦିନରୁ ବଢି ଆସିଥିଲା । କୌଣସିଥିରେ ଅଭାବ ନ ଥିଲା ତା\’ର । କଲେଜରେ ବି କୌଣସି ପୁଅକୁ ଖାତିର କରୁ ନ ଥିଲା । ତା’କୁ କମେଣ୍ଟ୍ ମାରିବାକୁ ପୁଅମାନଙ୍କର ସେମିତି କଲିଜା ଦରକାର ଥିଲା ଆଉ ଜିଭରେ ହାଡ । ସେ ପୁଣି କାହିଁକି ନିଜ ଜୀବନକୁ ଏମିତି ଅକାଳରେ ନଷ୍ଟ କରିଦେଲା..? ଖବର ପାଇବା ପରେ ସେ ଦଉଡି ଯାଇଥିଲା ତା’ଙ୍କ ଘରକୁ । ମାଉସୀଙ୍କର ଚେତା ନ ଥାଏ ପ୍ରାୟ । ପୋଷ୍ଟମର୍ଟମ ପରେ ତା’ର ଶବଦାହ କରିବାକୁ ମଶାଣିକୁ ନେଇ ସାରିଥିଲେ । ସେ ସିଧା ତା’ର ଶୋଇବା ଘରକୁ ଚାଲିଗଲା । କିଛି ସୁରାକ ପାଇବା ଆଶାରେ ତା’ର ବହିପତ୍ର ଖେଳେଇବାକୁ ଲାଗିଲା । ତା’ର ଡାଏରୀ ଉପରେ ନଜର ପଡିବା ମାତ୍ରେ ଖୋଲି ପଢିବାକୁ ଲାଗିଲା । ପଢିସାରି ସେ ଆଶ୍ଚର୍ଯ୍ୟ ହୋଇଗଲା । ତା’ର ଆତ୍ମହତ୍ୟାର କାରଣ ଯେ ସାଗର ଥିଲା ଏ କଥା ଜାଣିବା ପରେ ସାଗର ପ୍ରତି ଥିବା ତା’ର ଘୃଣା ବହୁଗୁଣିତ ହେଇଗଲା । କାରଣ ସୀମା ସାଗରର ପିଲାର ମାଆ ହେବାକୁ ଯାଉଥିଲା । ସୀମା ତା’କୁ ବିବାହ ପାଇଁ କହିବାରୁ ସେ କଥାକୁ ସାଗର ପ୍ରତ୍ୟାଖ୍ୟାନ କରି ତା’କୁ ଧିକ୍କାର କଲା । ଅନନ୍ୟୋପାୟ ହୋଇ ସେ ମରଣ ପଥର ଯାତ୍ରୀ ହେଇଗଲା । କେବଳ ସରିତା କି ସୀମା ନୁହେଁ, ଅନେକ ଝିଅଙ୍କ ଜୀବନ ସହିତ ଖେଳିଥିଲା ସେ । ନିଜ ସ୍ୱାର୍ଥ ହାସଲ ପରେ ସେମାନଙ୍କୁ ଅଦରକାରୀ ମନେକରି ପୁଣି ନୂତନ ଝିଅ ସନ୍ଧାନରେ ଲାଗି ଯାଉଥିଲା । ଏତେ ସବୁ ପରେ କେମିତି ତା’କୁ ଧର୍ମ ସହୁଥିଲା କେଜାଣି ???
ସେତିକିବେଳେ ଆଲାରାମଟା ଖୁବ୍ ଜୋରରେ ବାଜି ଉଠିଲା । ଭାବନା ରାଜ୍ୟରୁ ଫେରି ଆସିଲା ସରିତା । ସ୍ୱାମୀ ଓ ପୁଅ ଏବେବି ଶାନ୍ତିରେ ନିଦ୍ରା ଯାଇଥିଲେ । ସେଦିନ ସପରିବାର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟସୂଚୀ ଚୂଡାନ୍ତ କରିଥିଲେ ସେମାନେ । ତେଣୁ ତରବରରେ ଉଠି ନିଜ ଗାଧୁଆ ଘରକୁ ଚାଲିଗଲା ସେ । ନିତ୍ୟକର୍ମ ସାରି ସ୍ୱାମୀକୁ ଉଠେଇଦେଲା । ଠିକ୍ ସମୟରେ ସମସ୍ତେ ପ୍ରସ୍ତୁତ ହୋଇ ନିଜ କାର୍ ରେ ବାହାରି ପଡିଲେ କାଳିଆ ଦର୍ଶନ ପାଇଁ । ଘରଠାରୁ ପ୍ରାୟ ଦୁଇ ଘଣ୍ଟାର ରାସ୍ତା । ଖଣ୍ଡେ ଦୂରରେ କାର୍ ପାର୍କିଂ କରି ବଡ ଦାଣ୍ଡରେ ଚାଲିଚାଲି ଆଗେଇଲେ ଦୁହେଁ । ସରିତା ନିଜ ପୁଅକୁ କାଖେଇ ନୀଳଚକ୍ରର ପତିତପାବନ ବାନା ଆଡେ ଅନେଇ ଅନେଇ ଚାଲିଥାଏ । ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀ ଚାରିପାଖରୁ ଅନେକ ଦୋକାନ, ମଠ ଓ ଘରକୁ ଉଚ୍ଛେଦ କରାଯାଇଥିଲା । ଅନେକ ପ୍ରାଚୀନ ଐତିହ୍ୟ ମାଟିରେ ମିଶି ଯାଇଥିଲା । ଇତିହାସ ପ୍ରସିଦ୍ଧ ଏମାର ମଠ ବି ବାଦ୍ ଯାଇ ନ ଥିଲା । ଖୁବ୍ ମେଲାମେଲା ଲାଗୁଥିଲା ପରିବେଶ । ପ୍ରଶାସନ ତରଫରୁ ସୌନ୍ଦର୍ଯ୍ୟକରଣର ବ୍ୟବସ୍ଥା ବି କରାଯାଇଥିଲା । ଅବଶ୍ୟ ବଡ ଦାଣ୍ଡରୁ ଓ ଶ୍ରୀମନ୍ଦିର ସମ୍ମୁଖରୁ ଭିକାରୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଓ ଥଇଥାନ କାର୍ଯ୍ୟ ଏ ପର୍ଯ୍ୟନ୍ତ ଠିକ୍ ଭାବେ ହୋଇ ପାରି ନ ଥିଲା ।
ସରିତା ଯେତେବେଳେ ପୁରୀ ଆସେ ସେଇ ଭିକାରୀମାନଙ୍କ ପାଇଁ ଘରୁ ଖୁଚୁରା ପଇସା ନିଜ ଭ୍ୟାନିଟିରେ ଆଣିଥାଏ । ଆଜି ବି ସେମାନଙ୍କୁ ପଇସା ଦେଉଥାଏ । ଆଉ ଏମିତି ସହୃଦୟା ମାଆଟିଏ ପାଇଗଲେ ଭିକାରୀ ଭିକାରୁଣୀଙ୍କ ଖୁସି କହିଲେ ନ ସରେ । ଆଗକୁ ଆଗଉଥିଲା ବେଳେ ହଠାତ୍ ଗୋଟେ ଭିକାରୀ ପାଖରେ ଅଟକିଗଲା ସରିତାର ହାତ ଓ ପାଦ । ମୁହଁଟା ଚିହ୍ନାଚିହ୍ନା ଲାଗିଲା ତା’କୁ । ପାଦକୁ ଚାହିଁ ଜାଣିଲା ଯେ କେତେଟା ଆଙ୍ଗୁଠି ଛିଣ୍ଡି ଯାଇଥିଲା ବ୍ୟାଧିର ଆକ୍ରମଣରେ । ପଇସା ବଢାଇଲାବେଳେ କୁଷ୍ଠରୋଗୀଟିର ଆଖି ସହିତ ତା’ର ଆଖି ପଡିଗଲା । ସେ ଯେ ସାଗର ଥିଲା , ତା’କୁ ଚିହ୍ନିବାରେ ସରିତାର ବିଶେଷ ଅସୁବିଧା ହେଲାନି । ପ୍ରେମ ନାମରେ ଧୋକା ଓ ବିଶ୍ୱାସ ନାମରେ ଛଳନାର ଆଶ୍ରୟ ନେଇଥିବା ସାଗରର ଶେଷ ପରିଣତି ଯେ ଏତେ କରୁଣ ହେଇପାରେ ତାହା ସରିତା କେବେ ଭାବି ନ ଥିଲା ।
ନଦୀର ଅନୁକୂଳତାରେ ଜୋର୍ ରେ ଗତିଶୀଳ ଡଙ୍ଗା ଯଦି ପ୍ରତିକୂଳତାରେ ବିପରୀତମୁଖୀ ହୁଏ ତାହା ପଥିକ ପାଇଁ କେତେ ଦୁର୍ଭାଗ୍ୟଜନକ ତାହା ସାଗର ର ଅବସ୍ଥା ଦେଖି ସହଜରେ ଅନୁମାନ କରି ହେଉଥିଲା । ଅନେକ ଝିଅଙ୍କ ଜୀବନ ସହ ଖେଳି ସାରିବା ପରେ କୁଷ୍ଠ ବ୍ୟାଧିର ଶିକାର ହେଲା ସେ । ପରିଣାମ ସ୍ୱରୂପ ସାମାଜିକ ବାସନ୍ଦ ହୋଇ ତା’ର ବାପାମାଆ ଆତ୍ମହତ୍ୟା କଲେ । ଅନ୍ୟ କୌଣସି ଉପାୟ ନ ପାଇ ସେ ବାଧ୍ୟ ହୋଇ ପୁରୀ ବଡ ଦାଣ୍ଡକୁ ଚାଲି ଆସିଲା । ନିଜ ପାପର କିଞ୍ଚିତ ପ୍ରାୟଶ୍ଚିତ ପାଇଁ କାଳିଆ ପାଖରେ ଗୁହାରି କଲା । ସେ ସରିତା ପ୍ରତି ଯେଉଁ ଅନ୍ୟାୟ କରିଚି ତା’ର କୌଣସି କ୍ଷମା ନାହିଁ । ତଥାପି ହାତ ଯୋଡି ସରିତାକୁ କ୍ଷମା ପ୍ରାର୍ଥନା କରିବା ଭଙ୍ଗୀରେ ବିକଳ ହେଇ ଚାହିଁଲା ସେ । ଘୃଣାରେ ମୁହଁ ଫେରାଉ ଫେରାଉ ସରିତାର ଇଚ୍ଛା ହେଉଥିଲା ପାଦରୁ ଚପଲ ଖୋଲି ଦୁଇ ଗାଲରେ କଷିଦେବାକୁ । କିନ୍ତୁ ପରକ୍ଷଣରେ ନିଜକୁ ସଂଯତ କରିନେଲା ସେ । ଜଗନ୍ନାଥ ତା’କୁ ତା’ ପାପର ଫଳ ଦେଇ ସାରିଛନ୍ତି । ସେତିକିବେଳେ ଆଉ ଜଣେ ଭିକାରୀର ମାଆ ଡାକରେ ତା\’ ଆଡକୁ ଆଗେଇଗଲା ସରିତା । ଏକ ଡେଣାକଟା ଅକ୍ଟୋପସ୍ ପରି ଅସହାୟ ଭାବେ ପଡି ରହିଥିଲା ସାଗର ବଡ ଦାଣ୍ଡରେ ।
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍,ଧଣ୍ଡାମାଳ
ବଲାଙ୍ଗିର. ମୋ.୮୯୧୭୩୯୭୩୪୮