ଅକ୍ଟୋପସ

କଣ୍ଡୁରୀ ଚରଣ ରାଉତ

ଦୂର ଦିଗ୍‌-ବଳୟରେ ମଲା ଜହ୍ନଟା ଦାନ୍ତ ଦେଖେଇ ହସୁଥିଲା ବେଳେ ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲା ସରିତା   । ସେ ଜାଣେ, ସେ ଯନ୍ତ୍ରଣାଟା ତା’ ଛାତି ଭିତରେ ଥିବା ଏକ ପୁରୁଣା ପୋଡା ଘାଆ । ସେ ଆଜିର ନୁହେଁ, ଦୀର୍ଘ ଦଶ ବର୍ଷ ତଳର  । ସେ ଘାଆଟା ଆଜିଯାଏ ଶୁଖିନାହିଁ । ବେଳେବେଳେ ସେଥିରୁ ରକ୍ତ ଝରି ଜମାଟ ବାନ୍ଧିଯାଉଛି ତା’ ଛାତିରେ ଓ ପେଟରେ ।  ସେଇ ଯନ୍ତ୍ରଣାଦାୟକ ସ୍ମୃତିଗୁଡାକୁ ହୃଦୟ ଭିତରୁ ପରସ୍ତ ପରସ୍ତ କରି ଓଟାରି ଛିଣ୍ଡେଇ ଦେବାକୁ ମନ ବ୍ୟାକୁଳ ହୁଏ । କିନ୍ତୁ ତା’କୁ  ସହଜରେ ଛିଣ୍ଡେଇ ହୁଏନା କି ନଷ୍ଟ କରି ହୁଏନା  ।

ସେ ସବୁ ଅନେକ ଦିନ ତଳର କଥା । ସେତେବେଳେ ସରିତା ଷୋଳ ସତର ବର୍ଷର ତରୁଣୀ । ଦେହରେ ତା’ର ଖୁନ୍ଦି ହୋଇ ରହିଥିଲା ଯୌବନ । ନୀଳ କଇଁ ସଦୃଶ ଚକ୍ଷୁ ଦୁଇଟିରେ ଅୟୂତ ଯୁଗର ଅକୁହା କାହାଣୀ । ତା’ର ଛନ୍ଦାୟିତ ପଦପାତରେ ସତେ ଯେମିତି ଫୁଟି ଉଠୁଥିଲା ଶତପଦ୍ମର ସୌନ୍ଦର୍ଯ୍ୟ । ପାଉଁଜିର ରୁଣୁଝୁଣୁରେ ଜୀବନ୍ୟାସ ପାଉଥିଲେ ଗୁଳ୍ମଲତା । ରୂପଚୋରା ପବନ ବି ଅମାନିଆ ଭାବେ ତା’ ଦେହରେ ଘଷି ହେଇ ଚାଲି ଯାଉଥିଲା । ରାସ୍ତାଘାଟରେ ଗଲାବେଳେ ଶହଶହ ଲୋଭିଲା ଆଖି ତା’ ଉପରେ ଅଜାଡି ହେଇ ପଡୁଥିଲା । ନଈର ଉପର ମୁଣ୍ଡରେ ବର୍ଷାହେଲେ ନଈ ଉଛୁଳି ବନ୍ଧବାଡ ଭାଙ୍ଗି ବନ୍ୟା ହେଲା ପରି ଯୌବନ ଭାରରେ ଭାବପ୍ରବଣତାର ନଈ ସୁଅରେ ଭାସି ଚାଲିଥିଲା ସେ  ।

ହଠାତ୍ ତା’ କୁନି ପୁଅଟିର କାନ୍ଦରେ ଭାବନା ରାଇଜରୁ ଫେରି ଆସିଲା ସେ । ତା’କୁ କୋଳକୁ ଆଉଜାଇ ନେଇ ପାଖରେ ନିଶ୍ଚିନ୍ତରେ ଶୋଇଥିବା ସ୍ୱାମୀକୁ ପରିତୃପ୍ତିରେ  ଦେଖିଲା ସେ । ସ୍ୱାମୀ ଓ ସନ୍ତାନକୁ ନେଇ ଏକ ହସଖୁସିର ସଂସାର ଥିଲେ ବି ସାଗର କଥା କେତେବେଳେ କେମିତି ମନେପଡି ଦାରୁଣ କଷ୍ଟ ଦେଉଥିଲା ତା’କୁ । ସେମିତି ଏକ ଜ୍ୟୋତ୍ସ୍ନାବିଧୌତ ରଜନୀରେ ତା’ର କୁମାରୀ ଜୀବନର ସମସ୍ତ ସଞ୍ଚିତ ସ୍ୱପ୍ନକୁ ଦଳିମକଚି ନଷ୍ଟ କରି ଦେଇଥିଲା ସେ  । ସେ ଦିନର କଥା ଏବେ ବି ମନେପଡିଲେ ଦେହ ଶୀତେଇ ଉଠୁଥିଲା ତା’ର ।

ସାଗରକୁ ନେଇ ସରିତା ମନରେ ରଙ୍ଗର ପ୍ରଲେପ ଲେପିହୁଏ । ମନରେ ଆଶା ଆକାଂକ୍ଷା କଷି ଧରେ । ସାଗରକୁ ଜୀବନସାଥୀ କରି ଛୋଟିଆ ସଂସାର ଗଢିବାର ସ୍ୱପ୍ନ ଦେଖେ । ତା’ ମନ ମନ୍ଦିରରେ ସାଗରକୁ ଦିଅଁ ସଜାଇ ପ୍ରୀତି ଫୁଲ ହାର ଚଢାଏ । ପ୍ରେମର ପ୍ରଦୀପ ଜାଳେ  । କିନ୍ତୁ ପ୍ରେମର ଖସଡା ପଥରେ ପାଦ ଥାପିବା ଆଗରୁ ଯେ ସତର୍କ ହେବା ନିହାତି ଆବଶ୍ୟକ ଏ କଥା ଅନ୍ଧ ତରୁଣ ତରୁଣୀ ଜାଣିବା ଆବଶ୍ୟକ ମନେ କରନ୍ତିନି  । ବିଶ୍ୱାସରେ ବିଷର ମାତ୍ରା କେତେ ରହିଛି ତାହା କଳିବା ଉଚିତ ମଣନ୍ତିନି ଯାହାର ପରିଣାମ ତାଙ୍କୁ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡିଥାଏ । 

ଏକ ପ୍ରଗଳ୍ଭା ନଦୀ ସମୁଦ୍ରରେ ଝାସ ଦେଲା ପରି ସରିତା  ସାଗର ବକ୍ଷରେ ହଜି ଯାଇଥିଲା । ସେ କେବଳ ଭିଜିବାରେ ଲାଗିଥିଲା ସାଗରର ଲୁଣି ପାଣି ଗୁଡାକରେ । ହେଲେ ଏକ ବିରାଟ ଲହଡି ତା’କୁ ଯେ ସାଗର ଭିତରେ ବୁଡାଇ ମାରିବ ଏ କଥା ସେ କଳ୍ପନା ବି କରି ନ ଥିଲା ।

 ସେଦିନ ଆକାଶରେ ହସୁଥିଲା  ପୂର୍ଣ୍ଣମୀର ଜହ୍ନ ଛଅଦିନିଆ ବାଦଲ ଜହ୍ନକୁ ଢାଙ୍କି ଦେଲାବେଳେ ମଝିରେ ମଝିରେ ମୁକ୍ତାପରି ତାରାମାନେ ଉଙ୍କି ମାରୁଥାନ୍ତି । ଚଇତାଳି ପବନରେ ଆମ୍ବ ବଉଳର ବାସ୍ନାରେ  ମହକି ଉଠୁଥାଏ ପରିବେଶ । ଦୂରନ୍ତ ଆମ୍ବ ଡାଳରୁ ପକ୍ଷୀ ଯୁଗଳଙ୍କ ଅସ୍ଫୁଟ ରାଗିଣୀ ପରିବେଶକୁ ଅଧିକ ରୋମାଞ୍ଚିତ କରୁଥିଲା । ଆଉ ୟା’ରି ଭିତରେ ସମ୍ମୋହନର ମାୟାଜାଲଟେ ବୁଣି ଚାଲିଥିଲା ସାଗର । ସାଗରର ମିଠା କଥାରେ ଭୁଲିଯାଇଥିଲା ସରଳା କିଶୋରୀ ସରିତା  । ତା’କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତା’ର ସର୍ବସ୍ୱ ଲୁଟି ନେଇଥିଲା । ସବୁଦିନ ପାଇଁ ଲୁଟି ନେଇଥିଲା ତା’ର ନାରୀତ୍ୱର ସମସ୍ତ ଅହଙ୍କାର  । ସରିତାର ସମଗ୍ର ଶରୀରଟା ଯନ୍ତ୍ରଣାରେ ଛଟପଟ ହେଉଥିଲା  । ତା’କୁ ଜଣାଯାଉଥିଲା ଯେମିତି ଏକ କ୍ଷୁଧିତ ଅକ୍ଟୋପାସ୍ ତା’କୁ ଜାବୁଡି ଧରିଛି । କିଛି ସମୟ ଭିତରେ ପିଣ୍ଡରୁ ତା’ର ପ୍ରାଣଟା ଛାଡିଯିବ  । ହେଲେ ମରି ପାରିନଥିଲା ସେ । ସାଗର ତା’କୁ ଆଶ୍ୱାସନା ଦେଇଥିଲା - ମୁଁ ତମକୁ କଥା ଦେଇଛି ସରିତା.... । ସହି ନେଇଥିଲା ଅହଙ୍କାରୀ ଅକ୍ଟୋପସ୍ ର ତିକ୍ତ ମଧୁର ପାଶବିକତାକୁ  । ସାଗର ଆଶ୍ୱାସନାର ଊର୍ମିମାଳା ତା’କୁ ପୁଣି କୂଳକୁ ଟାଣି ଆଣିଥିଲା ।

 ପ୍ରେମରେ ପ୍ରତିଶ୍ରୁତି ତ ରହିଛି, ହେଲେ ତାହା ଯଦି ପ୍ରତାରଣାର ରୂପ ନିଏ , ପ୍ରେମ ହୁଏ ଧୋକା  । ପ୍ରେମିକ ଯଦି ପ୍ରତାରକ ଓ ଧୋକାବାଜ ହୁଏ ସେଇ ବିଶ୍ୱାସଘାତକୁ ପାଥେୟକରି ଭଗ୍ନ ମନରେ ଅବଶିଷ୍ଟ ଜୀବନ ପଥ ଅତିକ୍ରମ କରିବା ପ୍ରେମିକା ପକ୍ଷରେ ଦୁର୍ବିସହ ହେଇଉଠେ ।

 ସାଗର ପରି ଯୁବକମାନେ ଅମାବାସ୍ୟାର ଅନ୍ଧକାର ଭିତରେ  ଆଲୋକର ମହୋତ୍ସବ ସୃଷ୍ଟି କରିବାର ସ୍ୱପ୍ନ ଦେଖାନ୍ତି, ସାହାରା ମରୁଭୂମିରେ ଅମରାବତୀର ନନ୍ଦନକାନନ ଗଢିବାର ପ୍ରତିଶ୍ରୁତି ଦିଅନ୍ତି  । ବିଚରା ସରିତା ପରି ନବ୍ୟ ତରୁଣୀମାନେ ଯୌବନର ପ୍ରଥମ ପ୍ରତ୍ୟୁଷରେ ଭଲ ପାଇବାର ନୀଡ ରଚନା କରିବାକୁ ଯାଇ ସେମାନଙ୍କ ପ୍ରେମ ଫାଶରେ ଧରାପଡି ଡହଳବିକଳ ହୁଅନ୍ତି  । କାଳବୈଶାଖୀରେ ସେ ନୀଡ ଯେ କାହିଁ କେତେଦୂର ଉଡିଯାଏ ତାହା ସେମାନେ କଳ୍ପନା ସୁଦ୍ଧା କରିପାରନ୍ତି ନାହିଁ ।

 ସମୟର ମହୌଷଧି ଖାଇ ସବୁ ଭୁଲିହୁଏ  । ଭୁଲି ହୁଏନି ମନ ତଳର କ୍ଷତ  । ସମୟର ଜୁଆରରେ ସାଗର ବେଳାଭୂଇଁରୁ ଲିଭିଯାଏ କେତେ ସ୍ମୃତିର ପାଦଚିହ୍ନ  । ତଥାପି ଯେଉଁ କେତୋଟି ରହିଯାଏ ସେ କେବଳ ସାରା ଜୀବନ ଜଳିବା ପାଇଁ ଯଥେଷ୍ଟ  । ସାଗର ସେମିତି ସରିତା ପାଖରେ ଛାଡି ଯାଇଛି ଅତୀତ ଜୀବନର କୁଢକୁଢ ସ୍ମୃତି  । ଯେଉଁ ସ୍ମୃତି ତା’ର ମନକୁ ପ୍ରତି ମୁହୂର୍ତ୍ତରେ ଖିନଭିନ୍ କରି କ୍ଷତବିକ୍ଷତ କରୁଛନ୍ତି  ।

ଯେଉଁଦିନ ସରିତା ନିଜ ପ୍ରିୟ ବାନ୍ଧବୀ ସୀମାର ଆତ୍ମହତ୍ୟା ଖବର ପାଇଲା ସେଦିନ ତା’ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । କାରଣ ସୀମା ତା’ ବାପା ମାଆଙ୍କର ଗୋଟିଏ ବୋଲି ଝିଅ ଥିଲା  । ଗେଲବସରରେ ପିଲାଟି ଦିନରୁ ବଢି ଆସିଥିଲା  । କୌଣସିଥିରେ ଅଭାବ ନ ଥିଲା ତା\’ର  । କଲେଜରେ ବି କୌଣସି ପୁଅକୁ ଖାତିର କରୁ ନ ଥିଲା  । ତା’କୁ କମେଣ୍ଟ୍ ମାରିବାକୁ ପୁଅମାନଙ୍କର ସେମିତି କଲିଜା  ଦରକାର ଥିଲା ଆଉ ଜିଭରେ ହାଡ  । ସେ ପୁଣି କାହିଁକି ନିଜ ଜୀବନକୁ ଏମିତି ଅକାଳରେ ନଷ୍ଟ କରିଦେଲା..? ଖବର ପାଇବା ପରେ ସେ ଦଉଡି ଯାଇଥିଲା ତା’ଙ୍କ ଘରକୁ  । ମାଉସୀଙ୍କର ଚେତା ନ ଥାଏ ପ୍ରାୟ । ପୋଷ୍ଟମର୍ଟମ ପରେ ତା’ର ଶବଦାହ କରିବାକୁ ମଶାଣିକୁ ନେଇ ସାରିଥିଲେ  । ସେ ସିଧା ତା’ର ଶୋଇବା ଘରକୁ ଚାଲିଗଲା । କିଛି ସୁରାକ ପାଇବା ଆଶାରେ ତା’ର ବହିପତ୍ର ଖେଳେଇବାକୁ ଲାଗିଲା  । ତା’ର ଡାଏରୀ ଉପରେ ନଜର ପଡିବା ମାତ୍ରେ  ଖୋଲି ପଢିବାକୁ ଲାଗିଲା  । ପଢିସାରି ସେ ଆଶ୍ଚର୍ଯ୍ୟ ହୋଇଗଲା  । ତା’ର ଆତ୍ମହତ୍ୟାର କାରଣ  ଯେ ସାଗର ଥିଲା ଏ କଥା ଜାଣିବା ପରେ ସାଗର ପ୍ରତି ଥିବା ତା’ର ଘୃଣା ବହୁଗୁଣିତ ହେଇଗଲା  । କାରଣ ସୀମା ସାଗରର ପିଲାର ମାଆ ହେବାକୁ ଯାଉଥିଲା । ସୀମା ତା’କୁ ବିବାହ ପାଇଁ କହିବାରୁ ସେ କଥାକୁ ସାଗର ପ୍ରତ୍ୟାଖ୍ୟାନ କରି ତା’କୁ ଧିକ୍କାର କଲା । ଅନନ୍ୟୋପାୟ  ହୋଇ ସେ ମରଣ ପଥର ଯାତ୍ରୀ ହେଇଗଲା  । କେବଳ ସରିତା କି ସୀମା ନୁହେଁ, ଅନେକ ଝିଅଙ୍କ ଜୀବନ ସହିତ ଖେଳିଥିଲା ସେ  । ନିଜ ସ୍ୱାର୍ଥ ହାସଲ ପରେ ସେମାନଙ୍କୁ ଅଦରକାରୀ ମନେକରି ପୁଣି ନୂତନ ଝିଅ ସନ୍ଧାନରେ ଲାଗି ଯାଉଥିଲା  । ଏତେ ସବୁ ପରେ କେମିତି ତା’କୁ ଧର୍ମ ସହୁଥିଲା କେଜାଣି ???

ସେତିକିବେଳେ  ଆଲାରାମଟା ଖୁବ୍ ଜୋରରେ ବାଜି ଉଠିଲା । ଭାବନା ରାଜ୍ୟରୁ ଫେରି ଆସିଲା ସରିତା  । ସ୍ୱାମୀ ଓ ପୁଅ ଏବେବି ଶାନ୍ତିରେ ନିଦ୍ରା ଯାଇଥିଲେ  । ସେଦିନ ସପରିବାର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟସୂଚୀ ଚୂଡାନ୍ତ କରିଥିଲେ ସେମାନେ  । ତେଣୁ ତରବରରେ ଉଠି ନିଜ ଗାଧୁଆ ଘରକୁ ଚାଲିଗଲା ସେ  । ନିତ୍ୟକର୍ମ ସାରି ସ୍ୱାମୀକୁ ଉଠେଇଦେଲା । ଠିକ୍ ସମୟରେ ସମସ୍ତେ ପ୍ରସ୍ତୁତ ହୋଇ ନିଜ କାର୍ ରେ ବାହାରି ପଡିଲେ କାଳିଆ ଦର୍ଶନ ପାଇଁ । ଘରଠାରୁ ପ୍ରାୟ ଦୁଇ ଘଣ୍ଟାର ରାସ୍ତା  । ଖଣ୍ଡେ ଦୂରରେ କାର୍ ପାର୍କିଂ କରି ବଡ ଦାଣ୍ଡରେ ଚାଲିଚାଲି ଆଗେଇଲେ ଦୁହେଁ  । ସରିତା ନିଜ ପୁଅକୁ କାଖେଇ ନୀଳଚକ୍ରର ପତିତପାବନ ବାନା ଆଡେ ଅନେଇ ଅନେଇ ଚାଲିଥାଏ  । ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀ ଚାରିପାଖରୁ ଅନେକ ଦୋକାନ, ମଠ ଓ ଘରକୁ ଉଚ୍ଛେଦ କରାଯାଇଥିଲା । ଅନେକ ପ୍ରାଚୀନ ଐତିହ୍ୟ ମାଟିରେ ମିଶି ଯାଇଥିଲା  । ଇତିହାସ ପ୍ରସିଦ୍ଧ ଏମାର ମଠ ବି ବାଦ୍ ଯାଇ ନ ଥିଲା  । ଖୁବ୍ ମେଲାମେଲା ଲାଗୁଥିଲା ପରିବେଶ  । ପ୍ରଶାସନ ତରଫରୁ ସୌନ୍ଦର୍ଯ୍ୟକରଣର ବ୍ୟବସ୍ଥା ବି କରାଯାଇଥିଲା  । ଅବଶ୍ୟ ବଡ ଦାଣ୍ଡରୁ ଓ ଶ୍ରୀମନ୍ଦିର ସମ୍ମୁଖରୁ  ଭିକାରୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଓ ଥଇଥାନ କାର୍ଯ୍ୟ ଏ ପର୍ଯ୍ୟନ୍ତ ଠିକ୍ ଭାବେ ହୋଇ ପାରି ନ ଥିଲା ।

ସରିତା ଯେତେବେଳେ ପୁରୀ ଆସେ ସେଇ ଭିକାରୀମାନଙ୍କ ପାଇଁ ଘରୁ ଖୁଚୁରା ପଇସା ନିଜ ଭ୍ୟାନିଟିରେ ଆଣିଥାଏ  । ଆଜି ବି ସେମାନଙ୍କୁ ପଇସା ଦେଉଥାଏ  । ଆଉ ଏମିତି ସହୃଦୟା ମାଆଟିଏ ପାଇଗଲେ ଭିକାରୀ ଭିକାରୁଣୀଙ୍କ ଖୁସି କହିଲେ ନ ସରେ ।  ଆଗକୁ ଆଗଉଥିଲା ବେଳେ ହଠାତ୍  ଗୋଟେ ଭିକାରୀ ପାଖରେ ଅଟକିଗଲା ସରିତାର ହାତ ଓ ପାଦ  । ମୁହଁଟା ଚିହ୍ନାଚିହ୍ନା ଲାଗିଲା ତା’କୁ  । ପାଦକୁ ଚାହିଁ ଜାଣିଲା ଯେ କେତେଟା ଆଙ୍ଗୁଠି ଛିଣ୍ଡି ଯାଇଥିଲା ବ୍ୟାଧିର ଆକ୍ରମଣରେ । ପଇସା ବଢାଇଲାବେଳେ କୁଷ୍ଠରୋଗୀଟିର ଆଖି ସହିତ ତା’ର ଆଖି ପଡିଗଲା  । ସେ ଯେ ସାଗର ଥିଲା , ତା’କୁ ଚିହ୍ନିବାରେ ସରିତାର ବିଶେଷ ଅସୁବିଧା ହେଲାନି । ପ୍ରେମ  ନାମରେ ଧୋକା ଓ ବିଶ୍ୱାସ ନାମରେ ଛଳନାର ଆଶ୍ରୟ ନେଇଥିବା ସାଗରର ଶେଷ ପରିଣତି ଯେ ଏତେ କରୁଣ ହେଇପାରେ ତାହା ସରିତା କେବେ ଭାବି ନ ଥିଲା ।

 ନଦୀର ଅନୁକୂଳତାରେ ଜୋର୍ ରେ ଗତିଶୀଳ ଡଙ୍ଗା  ଯଦି ପ୍ରତିକୂଳତାରେ ବିପରୀତମୁଖୀ ହୁଏ ତାହା ପଥିକ ପାଇଁ କେତେ ଦୁର୍ଭାଗ୍ୟଜନକ ତାହା ସାଗର ର ଅବସ୍ଥା ଦେଖି ସହଜରେ ଅନୁମାନ କରି ହେଉଥିଲା । ଅନେକ ଝିଅଙ୍କ ଜୀବନ ସହ ଖେଳି ସାରିବା ପରେ କୁଷ୍ଠ ବ୍ୟାଧିର ଶିକାର ହେଲା ସେ  । ପରିଣାମ ସ୍ୱରୂପ ସାମାଜିକ ବାସନ୍ଦ ହୋଇ ତା’ର ବାପାମାଆ ଆତ୍ମହତ୍ୟା କଲେ । ଅନ୍ୟ କୌଣସି ଉପାୟ ନ ପାଇ ସେ ବାଧ୍ୟ ହୋଇ ପୁରୀ ବଡ ଦାଣ୍ଡକୁ ଚାଲି ଆସିଲା  । ନିଜ ପାପର କିଞ୍ଚିତ ପ୍ରାୟଶ୍ଚିତ ପାଇଁ କାଳିଆ ପାଖରେ ଗୁହାରି କଲା  । ସେ ସରିତା ପ୍ରତି ଯେଉଁ ଅନ୍ୟାୟ କରିଚି ତା’ର କୌଣସି କ୍ଷମା ନାହିଁ  । ତଥାପି ହାତ ଯୋଡି ସରିତାକୁ କ୍ଷମା ପ୍ରାର୍ଥନା କରିବା ଭଙ୍ଗୀରେ ବିକଳ ହେଇ ଚାହିଁଲା ସେ  । ଘୃଣାରେ ମୁହଁ ଫେରାଉ ଫେରାଉ ସରିତାର ଇଚ୍ଛା ହେଉଥିଲା ପାଦରୁ ଚପଲ ଖୋଲି ଦୁଇ ଗାଲରେ କଷିଦେବାକୁ । କିନ୍ତୁ ପରକ୍ଷଣରେ ନିଜକୁ ସଂଯତ କରିନେଲା ସେ  । ଜଗନ୍ନାଥ ତା’କୁ ତା’ ପାପର ଫଳ ଦେଇ ସାରିଛନ୍ତି  । ସେତିକିବେଳେ ଆଉ ଜଣେ ଭିକାରୀର ମାଆ ଡାକରେ ତା\’ ଆଡକୁ ଆଗେଇଗଲା ସରିତା  । ଏକ ଡେଣାକଟା ଅକ୍ଟୋପସ୍ ପରି ଅସହାୟ ଭାବେ ପଡି ରହିଥିଲା ସାଗର ବଡ ଦାଣ୍ଡରେ ।

ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍‌,ଧଣ୍ଡାମାଳ

ବଲାଙ୍ଗିର. ମୋ.୮୯୧୭୩୯୭୩୪୮


Reader Reviews

No reviews yet. Be the first to write one!