You can write and publish your own articles here.
Please download the app to get started.

Download App


କଇଁଛ

ସୁଧାଂଶୁ ଶେଖର ଦ୍ୱିବଦେୀ

ସେ ଜଣେ ସିଦାସାଧା ମଣିଷ ଥିଲେ । ଏମିତି ଘଟଣାରେ ସେ ମୁଣ୍ଡ ଖର୍ଚ୍ଚ କରନ୍ତି ଯେଉଁ ଘଟଣା କ୍ରମରେ କାହାରି ଧ୍ୟାନ ନଥାଏ । ଛୁଟିଦିନ ମାନଙ୍କରେ ବହୁବାର ଚିନ୍ତା କରନ୍ତି ତାଙ୍କ ପ୍ରତି ଏଭଳି କାହିଁକି ହେଉଛି?ସେ କଣ ଅନ୍ୟ ମାନଙ୍କଠାରୁ ଅଲଗା ନା ଜଣେ ମାନସିକ ରୋଗୀ ? ପରିବାର ଲୋକମାନେ ମଧ୍ୟ ତାଙ୍କ ସରଲତାର ଖୁବ ଲାଭ ଉଠାନ୍ତି । ପିଲାମାନେ କହନ୍ତି ’ଆମ ବାପା ଜଣେ ଅଜବ ମଣିଷ । ’ ସ୍ତ୍ରୀ ମଧ୍ୟ ତାଙ୍କର ବିଚିତ୍ର ବିଚାର ଧାରାରେ ଅତିଷ୍ଠ ହୋଇ ଚୁପ ହୋଇଯାଆନ୍ତି ।

ତାଙ୍କୁ ଜଣାଯାଏ ସେ ଯେମିତି ଏ ଦୁନିଆର ମଣିଷ ନୁହନ୍ତି ! ଯେବେ ସେ ସ୍କୁଲ କଲେଜରେ ପଢୁଥିଲେ ତାଙ୍କ ହାବ ଭାବ ଦେଖି ଜଣେ ବଡ ସାହିତ୍ୟିକ ହେବେ ବୋଲି ସଭିଏଁ କହୁଥିଲେ । ଜେଜେ ଜେଜି, ମା’ ବାପା ଓ ଶିକ୍ଷକ ସମସ୍ତେ କହନ୍ତି , ଲୋକଙ୍କର ଅସମୟରେ ସହାୟତା କରିବା ତାର ଏକ ମାନବିକ ଗୁଣ । ’ମୂର୍ଖତା କାରଣରୁ ହେଉ କି ଅଜ୍ଞାନତା ହେତୁ ହେଉ ଅନଭିଜ୍ଞ ଭାବେ ତାଙ୍କୁ ମାନବିକତାର ନିଶା ଘାରିଥିଲା । ସେହି ମାନବିକତା ପାଇଁ ଆଜି ସେ ସବୁଠି ହାସ୍ୟାସ୍ପଦ ।

ବାହାଘର ହେଉ କି ଜନ୍ମଦିନ ହେଉ କେତେକେତେ ଉତ୍ସବରେ ଲୋକମାନେ ଯେତେବେଳେ ଭାତ, ପୁରୀ, ମିଠାଇ, ତରକାରୀ ପ୍ଲେଟ କୁଡ଼ା ଡ଼ବାରେ ଫିଙ୍ଗନ୍ତି ତାଙ୍କୁ ସେହି କୁଡ଼ା ଡବା ଭିତରେ ଗରିବ ମାନଙ୍କର ଭୋକିଲା ପେଟ ଦେଖାଯାଏ । ନିଜ ପରିବାର ଓ ବନ୍ଧୁ ମାନଙ୍କୁ ଏ ବିଷୟରେ କହିଲେ ଶୁଣି ନଶୁଣିଲା ଭଳି ମୁହଁ ବୁଲାଇ ନିଅନ୍ତି । ନଳରେ ବେଶୀ ପାଣି ବହିବା ଦେଖି କମ୍ ଖର୍ଚ୍ଚ କରିବାକୁ ଅନୁରୋଧ କଲେ ବି କେହି ତାଙ୍କ କଥା ଶୁଣନ୍ତି ନାହିଁ । ନିଜ ପିଲାମାନେ ମଲରୁ ଡ୍ରେସ କିଣିଆଣି କିଛି ପିନ୍ଧନ୍ତି ଆଉ କିଛି ଆଲମାରୀରେ ଶଢିବାକୁ ରଖି ଦିଅନ୍ତି । ଦିନେ ସେ ତାଙ୍କ ଝିଅକୁ ବୁଝାଇ କହିଲେ, ’ମା’ରେ ତୁମେମାନେ ହଳ ହଳ ଡ୍ରେସ ଆଣି ଆଲମାରୀରେ ରଖି ଦେଉଛ, ହେଲେ ଯେଉଁମାନେ ଷ୍ଟେସନରେ ଲଙ୍ଗଳା ବୁଲୁଛନ୍ତି ସେମାନଙ୍କ କଥା କେବେ ଭାବିଛ ?’

ଏତିକିରେ ଝିଅ ଚିତ୍କାର କରି କହିଲା, ’ବାପା ତୁମେ ଚୁପ ରୁହ । ତାମାନେ ନୁହେଁ ଆମେବି ସେଇ ଗରିବଙ୍କ ପରି ହେବା । ’

କେତେ କେତେ କଥାରେ ସେ ନିଜ ଅଭିମତ ଜଣାଇଛନ୍ତି, ହେଲେ ତାଙ୍କୁ ପ୍ରତିଥର ଅପମାନିତ ହୋଇ ଆତ୍ମଗ୍ଲାନିରେ ଜଳିବାକୁ ପଡିଛି ।  କେବଳ ତାଙ୍କ ବ୍ୟତୀତ ପରିବାରର ଅନ୍ୟମାନେ ଶାନ୍ତିରେ ରହୁଛନ୍ତି ଦେଖି ସବୁବେଳେ ସେଇ ଚିନ୍ତା ତାଙ୍କୁ ବିପର୍ଯ୍ୟସ୍ତ କରେ । ନିଜ ମାନବିକତାର ପରାକାଷ୍ଠାକୁ ସେଇବେଳେ ଉପଲବ୍ଧି କରି ପାରିଲେ ଯେତେବେଳେ ତାଙ୍କୁ ପୋଲିସ ଅନୁଶାସନରେ ବାରମ୍ବାର ଥାନାକୁ ଯିବାପାଇଁ ହେଲା ।

ସେଦିନ ସଡ଼କରେ ଭିଡ଼ ଦେଖି ନିଜ ପୁରୁଣା ବାଇକ ଅଟକାଇ କଣ ହୋଇଛି ଦେଖିବାକୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗଲେ ସେ । ଜଣେ ଯୁବକ ରକ୍ତରେ ଜୁଡୁବୁଡୁ ହୋଇ ରାସ୍ତା ଉପରେ ଛଟପଟ ହେଉଥାଏ । ଲୋକମାନେ ନିଜ ନିଜ ମୋବାଇଲରେ ଭିଡିଓ ତିଆରି କରିବାରେ ବ୍ୟସ୍ତ ଥାଆନ୍ତି । ଯୁବକର ମରଣାନ୍ତକ ଦୃଶ୍ୟ ଦେଖି ଉପସ୍ଥିତ ଲୋକମାନଙ୍କୁ ସେ ଅନୁରୋଧ କରି କହିଲେ,’ଭାଇମାନେ ମୋତେ ଟିକେ ହେଲ୍ପ କର । ପିଲାଟିକୁ ହସ୍ପିଟାଲ ନେଇଯିବା । ’

ତାଙ୍କର ଅନୁନୟ ବାକ୍ୟ ଶୁଣି ଉପସ୍ଥିତ ଲୋକମାନେ ତାଙ୍କୁ ବଡ଼ ବିଚିତ୍ର ଦୃଷ୍ଟିରେ ଦେଖିବାକୁ ଲାଗିଲେ । କିନ୍ତୁ ସେ ଆଉ ସହି ପାରିଲେ ନାହିଁ । ତୁରନ୍ତ ଗୋଟେ ଅଟୋ ରିକ୍ସାରେ ଯୁବକକୁ ଧରି ହସ୍ପିଟାଲ ରେ ପହଁଚି ଗଲେ । ସେତେବେଳକୁ ଯୁବକ ମରି ସାରିଥାଏ ।  ଡାକ୍ତର ତାଙ୍କ ନାଁ ଓ ଏଡ୍ରେସ ମୃତକର ରେଜିଷ୍ଟାରରେ ଟିପିନେଇ ବିଦା କରିଦେଲେ ।

ଘରେ ପାଦ ଦେଉ ଦେଉ ପୋଲିସ ସହିତ ମୃତକର ପରିବାର ଲୋକ ପହଁଚି ଗଲେ । ତାଙ୍କୁ ଦେଖିବା ମାତ୍ରେ ମୃତକ ଘରର ଲୋକମାନେ ମାଡ଼ ମାରିବା ପାଇଁ ଭିଡି ଆସିଲେ । ପୁଣି ପୋଲିସର ଜେରାରେ ତାଙ୍କୁ କେତେ ପ୍ରକାର ପ୍ରଶ୍ନର ଉତ୍ତର ଦେବାକୁ ପଡିଲା । ସମସ୍ତେ ଭାବିଥାନ୍ତି ସେ ହିଁ ଏକ୍ସିଡେଣ୍ଟ କରି ଯୁବକକୁ ହସ୍ପିଟାଲରେ ପହଞ୍ଚାଇଛନ୍ତି ।

ପୋଲିସ ଜେରାରେ ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ଦେଇ ସେ ନିରାଶିତ ହୋଇପଡିଲେ । ଭାରତୀୟ ଆଇନର ଦଣ୍ଡବିଧି ନିୟମାନୁଯାୟୀ ପୋଲିସ ତାଙ୍କ ଉପରେ କେତୋଟି ଧାରା ଲଦିଦେଲା । ପରବର୍ତ୍ତୀ ସମୟରେ ସେ ଘର ପରିବାରଙ୍କ ନିମନ୍ତେ ଏକ ଦୁଃସ୍ୱପ୍ନ ପରି ମନେହେଲେ । ଓକିଲ ଓ ପୋଲିସଙ୍କ ମଝିରେ ସେ କେବଳ ଚରିକି ଭଳି ଘୁରିବାକୁ ଲାଗିଲେ । ଶେଷରେ କୋର୍ଟରେ ପ୍ରମାଣିତ ହେଲା ଯୁବକର ମୃତ୍ୟୁ ଚାରି ଚକିଆ ଜାନରେ ହୋଇଛି । ସେତେବେଳେ ତାଙ୍କ ନିକଟରେ ବାଇକ ଥିବାରୁ ସେ କେସରୁ ବର୍ତ୍ତିଗଲେ ।

ଏଭଳି ଏକ ଘଟଣାରେ ଘାଣ୍ଟି ସନ୍ତୁଳି ହୋଇ ମନ ଦର୍ପଣ ତାଙ୍କର ଭାଙ୍ଗି ରୁଜି ଖଣ୍ଡ ଖଣ୍ଡ ହୋଇଗଲା । କେସରେ ବହୁତ ଖର୍ଚ୍ଚ ବି ହେଲା । ପରିବାର ଲୋକେ ଅନେକ ମାନ ଅପମାନ ସହିଲେ । ତାଙ୍କୁ ମଧ୍ୟ ଅପମାନିତ କଲେ । ରୋକଠୋକ ମନା କରିଦେଲେ ଆଉ କିଛି ସାହାଯ୍ୟ କରି ପାରିବେନି । ଅପମାନ ଓ ଗ୍ଲାନିର ଭାରସାମ୍ୟ ହରାଇ ନିଜ ବେଡ଼ ରୁମରେ ଲୁଚି ରହିଲେ ସେ । ନିଜର ମୂର୍ଖତା ପ୍ରତି ଖୁବ ଚିନ୍ତା କଲେ  । ହଠାତ ତାଙ୍କ ଚେତନାରେ ବିଜୁଳୀ ଚମକିଲା । କାରଣର ଉତ୍କର୍ଷ ବାହାର କଲେ । ବିଚାର ଧାରାର ପରିବର୍ତ୍ତନ ପାଇଁ ସହାନୁଭୂତିର ଭାବନାକୁ ମନ ମଧ୍ୟରୁ ନିଷ୍କାସିତ କରିଦେଲେ । ଶୀତରେ କମ୍ପୁଥିବା ମଣିଷ, ଭୋକରେ କଙ୍କାଳ ପରି ଦେଖା ଯାଉଥିବା ପିଲା, ହସ୍ପିଟାଲରେ ଘୁରୁଥିବା ଉଦାସ ଆଖି, ରକ୍ତରେ ଛଟପଟ ହେଉଥିବା ଯୁବକ ମାନଙ୍କୁ ସେ ଆଉ ଦେଖି ପାରିଲେ ନାହିଁ । ଭାବନାତ୍ମକ ମନ ଦର୍ପଣରେ କଷ୍ଟର ଅନୁଭବକୁ ସ୍ପଷ୍ଟ କରି ପାରିଲେ ନାହିଁ । ଏଇମାତ୍ର ସେ ମଣିଷରୁ କଇଁଛ ପାଲଟି ଗଲେ । ଖୋଳପା ଭିତରେ ରହି ନିଜ ବ୍ୟତୀତ ଅନ୍ୟକୁ ଦେଖିବା ତାଙ୍କ ନିମନ୍ତେ ଅସମ୍ଭବ ଜଣାଗଲା ।

ବିସି-୭୪,ସେକ୍ଟର-୧,ସଲଟ ଲେକ,କଲକତା

(ମୋ)୬୨୯୧୩୪୨୨୫୯

ବିସି-୭୪,ସେକ୍ଟର-୧,ସଲଟ ଲେକ,କଲକତା

(ମୋ)୬୨୯୧୩୪୨୨୫୯


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App