ମାଆ : ରକ୍ତ ସମ୍ପର୍କଠୁ ଉର୍ଦ୍ଧ୍ୱରେ

ପ୍ରୀତିପ୍ରିୟା ମହାନ୍ତି

ଡାକ୍ତରଖାନାରେ ନରିଆ ଏ ସବୁ ଦେଖି ଚମକି ପଡିଲା । ତା ପାଇଁ ହିଁ ତ ତାଙ୍କର ଏ ଅବସ୍ଥା । କେଡେ ସ୍ୱାର୍ଥପର ହୋଇଗଲା ସତେ ସେ । କ’ଣ ବା ଆଉ କରିଥାଆନ୍ତା ଯେ ? ଏବେସେ ଶୁଝେଇଦବ ସବୁ । ଏତେ ଅବିବେକୀ ସେ ହୋଇପାରିବନି । ଏତିକି ଭାବୁ ଭାବୁ ନର୍ସ ଡ଼କେଇଲେ ନରିଆକୁ । ସାଆନ୍ତ ଡାକ୍ତରଖାନାରେ ଏ କଡ଼ ସେ କଡ଼ ହୋଇ ବୁଲୁଥାଆନ୍ତି । ଚାରିଖଣ୍ଡି ମଉଜାରେ ତାଙ୍କର ନାଁ ଡାକ । ଅନ୍ୟକୁ ସାହାଯ୍ୟ କରନ୍ତି ସତ କିନ୍ତୁ ପରେ ସୁଧ ମୂଳ ସହ ଆଦାୟ କରିବାକୁ ଭୁଲନ୍ତିନି । ଭାରି କୃପଣ ଓ ରାଗି ବି । ଜମାରୁ ବି ଟଙ୍କାଟେ ଛାଡିବେନି । ହେଲେ ଏତେ ଟଙ୍କା ସାହାଯ୍ୟ ସେ କେମିତି ମାଗିପାରିବ । ପରେ କୋଉଠୁ ଆଣି ଏତେ ସୁଝିବ  । ନରିଆ ବୋଉର ଦେହ ଖରାପ । ବହୁତ ପଇସା ଦରକାର ଅପରେସନ ପାଇଁ । ରୋଜଗାର କରି ଏତେ ଟଙ୍କା ରାତିକେ ଏକାଠି କରିବା ସମ୍ଭବ ନୁହେଁ । ଚିନ୍ତାରେ ପଡିଗଲା ନରିଆ କ’ଣ କରିବ । ସତ୍‌ରେ ରୋଜଗାର କରି ଅଳ୍ପ ସମୟରେ ସେ ଏତେ ଟଙ୍କା ଜୋଗାଡ଼ କରିପାରିବନି । ଆଉ....କ’ଣ ଅସତ୍ ବାଟରେ ଯିବ ? ହଁ..ହଁ..ସେଇଆ ହିଁ କରିବ । ବୋଉ ଛଡା  ଦୁନିଆରେ ତା’ର ଆଉ କିଏ ଅଛି ଯେ?

ଅମାବାସ୍ୟାର ଅନ୍ଧାକାର । ଏଇଟା ହିଁ ତା’ ପାଇଁ ସୁବର୍ଣ୍ଣ ସୁଯୋଗ । ଅନ୍ୟ ଘରେ ସେ ପସିପାରିବନି । ସାଧାରଣ ଲୋକଟିଏ କୁ ସେ ଦୁଃଖ ଦେଇପାରିବନି । ସାଆନ୍ତେ ଥିଲା ଘର ଲୋକ । ଯେତେ ନେଲେ ସରିବନି । କିଛି ଅଭାବ ନାହିଁ ତାଙ୍କର । ରାତି ଦୁଇରେ ପସିଲା ସାଆନ୍ତଙ୍କ ଘରେ । କିଛି ନା କିଛି ତ ନିଶ୍ଚୟ ମିଳିଯିବ ତାକୁ ଏଠି । ଦେଖିଲା ସାନ୍ତାଣୀ ଶୋଇଛନ୍ତି ଆରାମରେ । ବେକରେ ପିନ୍ଧିଛନ୍ତି ଦୁଇ, ତିନିଟା ମାଳ । ଓଃ...ଏତିକି ତ ଯଥେଷ୍ଟ । ବୋଉ ତ’ ଏତିକିରେ ନିଶ୍ଚୟ ଭଲ ହୋଇଯିବ । ନା..ନା.....ସାନ୍ତାଣୀଙ୍କ ବେକରେ ସେ ହାତ ମାରିପାରିବନି । ମନ କହୁନି ହାତ ମାରିବାକୁ । ଅଧା ବେକରେ ବି ତ ଲୁଗା ଗୁଡେଇ ହେଇ ଅଛି । ନରିଆ ଚାହିଁଲା କାନକୁ । ପେଣ୍ଡି ଫୁଲ ଦୁଇଟା ଭାରି ଚକମକ୍ କରୁଛି । ଏତିକିରେ ଯାହା ହବ ବୋଉ ପାଇଁ ସେ ଖର୍ଚ୍ଚ କରିବ ।  କାନକୁ ହାତ ନେଲାବେଳେ ନରିଆ ଥରୁଥିଲା । ହେଲେ କ’ଣ କରିବ ଯେ ସେ ଆଉ ? ନରିଆ ସାନ୍ତାଣୀଙ୍କୁ ବହେ ଚାହିଁଲା । କି ସୁଖନିଦ୍ରାରେ ଶୋଇଛନ୍ତି ସିଏ । କେମିତି ବା କଷ୍ଟ ଦେବ ତାଙ୍କୁ । କେହି ଜଣେ ଭିତରୁ ତାକୁ କହିଲା ଏମିତି ଭାବୁଥିବୁ ତ’ ରାତିପାହିଯିବ । ବୋଉ ତୋର ମରଣ ସହ ଲଢୁଛି । ଆଉ ତୁ ଏଠି ବସି ସାଆନ୍ତାଣୀ କଥା ଭାବୁଛୁ । ନରିଆ ଚଟ୍ କରି 

ପେଣ୍ଡିଫୁଲ ଦୁଇଟା ଭିଡି ଦୌଡିଲା । ଘରେ ସବୁ ଉଠିବା ଆଗରୁ ନରିଆ ଅନ୍ଧାରରେ ମିଳେଇଗଲା ।ବଣିଆ ପାଖରେ ବିକ୍ରି କରି ଟଙ୍କା ଧରି ପହଁଞ୍ଚିଲା ଡାକ୍ତରଖାନାରେ ।

ହେଲେ ଏବେ ସିଏ କ\’ଣ ଦେଖୁଛି । କାନରୁ ଅଧିକ ରକ୍ତସ୍ରାବ ହେଇଯାଇଛି । ସାନ୍ତାଣୀ ହୋସ୍ କୁ ଆସୁନାହାନ୍ତି । ଡାକ୍ତର କହିଲେଣୀ ରକ୍ତ ଦରକାର । ବି ନେଗେଟିଭ୍ । ରକ୍ତ ମିଳୁନି । ତା’ ରକ୍ତ  ବି ନେଗେଟିଭ୍ । ତା’ ପାଇଁ ତାଙ୍କର ଏ ଅବସ୍ଥା । ସେ ନିଶ୍ଚୟ ରକ୍ତ ଦେବ । ତାଙ୍କ ଜୀବନ ବଞ୍ଚେଇବ । ।ନରିଆ ସାଆନ୍ତାଣୀଙ୍କୁ ରକ୍ତ ଦେଲା । ସାଆନ୍ତାଣୀ ଉଠି ବସିଲେ । ସାଆନ୍ତାଣୀ ଜୀବନ ବଞ୍ଚେଇଥିବା ଲୋକକୁ ଦେଖିବାକୁ ଚାହିଁଲେ । ନରିଆ ଭୟ ପାଇଲା । କେହି ତାକୁ ଚିହ୍ନି ଦେବେନି ତ? ନା...ନା...ବହଳ ଅନ୍ଧାର ଥିଲା ଘର ବି ବାହାର ବି । ସମ୍ଭବ ନୁହେଁ ତାକୁ ଚିହ୍ନିବା । ନରିଆ ପହଁଞ୍ଚିଲା ସାନ୍ତାଣୀଙ୍କ ପାଖରେ । ସାନ୍ତାଣୀଙ୍କର ସିଲେଇ ହୋଇଥିବା କାନ ଦୁଇଟାକୁ ଚାହିଁ ନରିଆ ଚଟ୍ କରି ମୁହଁ ତଳକୁ ପୋତି ଦେଲା । ସାଆନ୍ତାଣୀ କହିଲେ, ଶୁଣିଥିଲି ତୋ ବୋଉ ଦେହ ଭଲ ନ ଥିଲା । ପଇସା ଠିକ୍ କାମରେ ଲଗେଇଲୁ ତ ? ନରିଆ ଆଁ କରି ଚାହିଁଲା ସାଆନ୍ତାଣୀଙ୍କୁ । ସତରେ ସାଆନ୍ତାଣୀ ସାକ୍ଷାତ ଦେବୀ । ଦବୀଙ୍କ ପ୍ରତି ସେ କେତେ ଅନ୍ୟାୟ କରିଛି ସତେ । କେଡେ କଷ୍ଟ ସେ ଦେଇଛି ତାଙ୍କୁ । ସାଆନ୍ତ  ପୋଲିସ ଧରି ପଶି ଆସିଲେ । ସାଆନ୍ତାଣୀଙ୍କୁ ପଚରାଗଲା ଚୋର ଦେଖିବାକୁ କେମିତି ଥିଲା ? ସମ୍ପୂର୍ଣ୍ଣ ନ ହେଲେ ବି କିଛି ମାତ୍ରାରେ ତ ସେ ନିଶ୍ଚୟ ଦେଖିଥିବେ ଚୋରକୁ । ସାନ୍ତାଣୀ କହିଲେ ତାଙ୍କୁ ଜୋରରେ ନିଦ ହୋଇଥିଲା ତେଣୁ ସେ ଚୋରକୁ ଆଦୌ ଦେଖି ପାରିନାହାଁନ୍ତି ଦେଖୁନ...କାନରେ, ବେକରେ କୋଉଠି ଆଉ କିଛି ବାକି ରଖିନି ସେ ଚୋର । ସମସ୍ତେ ଚାଲିଯିବା ପରେ  ସାନ୍ତାଣୀ ଲୁଗା କାନି ତଳେ ଘୋଡେଇ ରଖିଥିବା ହାର କାଢି ନରିଆକୁ ବଢେଇଦେଲେ ବୋଉର ଚିକିତ୍ସା ପାଇଁ । ନରିଆ  ସାନ୍ତାଣୀଙ୍କ ଗୋଡ଼ ତଳେ ପଡି ଭୋ ଭୋ କାନ୍ଦି କହିଲା ଏ ଜନ୍ମରେ ମୁଁ ଆପଣଙ୍କର ଋଣ ସୁଝିପାରିବିନି । ସାନ୍ତାଣୀ କହିଲେ,ଏ ସବୁ ଠାରୁ ବେଶୀ ମୂଲ୍ୟବାନ ଜିନିଷ ତୁ ଦେଇଛୁ ମତେ । ମୁଁ ତ’ କେବଳ ତୋ ରକ୍ତର ମୂଲ୍ୟ ଦେଇଛି । ନରିଆ ଭାବୁଥାଏ ଆଜି ଯାଏଁ ସେ ଭ୍ରମରେ ଥିଲା ଯେ, ରକ୍ତ ସମ୍ପର୍କର ମାଆ କେବଳ ମାଆ ବୋଲି । ହେଲେ , ପ୍ରତ୍ୟେକ ନାରୀଟିଏ ଭିତରେ ଯେ ମାଆ ବିଦ୍ୟମାନ, ମାଆ ମଣିଷଟା ଯେ ରକ୍ତ ସମ୍ପର୍କଠୁ ବହୁତ ଉର୍ଦ୍ଧ୍ୱରେ  ଏ କଥା ତ’ ସେ ଆଜି ଜାଣିଲା । 

ମୟୂରଝାଲିଆ,ରଣପୁର,ନୟାଗଡ଼

ଦୂରଭାଷ:୬୩୭୦୪୮୧୦୧୦


Reader Reviews

No reviews yet. Be the first to write one!