ଆନିଭରସାରି

ପ୍ରତିଭା ପ୍ରିୟଦର୍ଶିନୀ

ବ୍ଲୁ ରୁ ଇଣ୍ଡିଗୋ ହେଇ ସାରିଥିଲା କେତେବେଳୁ  ଆକାଶ ।  ଏବେ ରଙ୍ଗ ତାର ଇଣ୍ଡିଗୋ ଓ ବ୍ଲାକର ମଝି ମଝିଆ କିଛି ଏଇ କଳାଳିଆ କିନ୍ତୁ ସମ୍ପୂର୍ଣ୍ଣ କଳା ହୋଇନଥିବା ଦିଗବଳୟରେ ଏବେବି କେଶରୀଆ ରଙ୍ଗର ଧାର ସ୍ପଷ୍ଟ ଦେଖିହେଉଛି ଦେବୀ ମା\’ଙ୍କ ମନ୍ଦିର ଉପରୁ । ଛୋଟ ମୁଣ୍ଡିଆ ଉପରେ ଥିବା ଯୋଗୁଁ ତାର ଏଇ ଟିକି ସହରକୁ ଗୋଟାପଣ ଦେଖିହୁଏ ଏଠୁ । ଦିଶେ ପୂଣ୍ୟସ୍ରୋତା ମହାନଦୀ ଆଉ ଦିଗନ୍ତ ବିସ୍ତୃତ ଧାନବିଲ । ସବୁଜ ବିଲ ଶେଷରେ ଆକାଶ ନଇଁପଡ଼ି ଆଶ୍ଳେଷରେ ଆବୋରି ଥାଏ ପୃଥିବୀକୁ । ସୂର୍ଯ୍ୟ ହୁଅନ୍ତୁ କି ଚନ୍ଦ୍ର, ଦୁହେଁ ଯିବା ଆସିବା ବେଳେ ଲୁଚି ଛପି ଦେଖନ୍ତି ମାଟି ଓ ଆକାଶର ନିବିଡ଼ତା । ଫେବ୍ରୁଆରୀରୁ ଅଧା ବିତିଯାଇଥିବା ଏ ଆସନ୍ନ ସଞ୍ଜରେ ସୁଲୁସୁଲିଆ ଦକ୍ଷିଣା ପବନ ଶ୍ରୁତି ମନ ଭିତରେ ଉଡେଇ ଦେଉଥିଲା ଆଉମୁଠେ ଚିତ୍ରିତ ପ୍ରଜାପତିଙ୍କୁ । ମନ୍ଦିରରେ ଏବେ ଆଳତୀ ପାଇଁ ପ୍ରସ୍ତୁତି । ପୂଜକମାନେ ଆୟୋଜନରେ ବ୍ୟସ୍ତ ।  ଓଢଣୀ କୁ ବେକରେ ବୁଲେଇ ମଥାରେ ଓଢଣା କରିନେଲା ଶ୍ରୁତି । ଆଗୁଆ ଆସିବା ଯୋଗୁ ନିଜ ସୁବିଧା ଦେଖି ସିଂହ ଓ ପଛ କାନ୍ଥ ମଝି ଅଣଓସରିଆ ଗଳିରେ ଠିଆ ହୋଇଥାଏ । ମନ ଭିତରେ ବିରହ ଓ ବିହ୍ୱଳର ଗୋଟେ ଫେଣ୍ଟାଫେଣ୍ଟି ଅନୁଭବ ଧରି ମିହିରକୁ ଅପେକ୍ଷା କରିଥାଏ ସେ ।

ଫୋନ ବାଜିଲା । ବୋଉ କରିଛି ।

- ଶ୍ରୁତିି ଶୀଘ୍ର ଘରକୁ ଫେରିବା ପାଇଁ କହିଥିଲି ପରା ତତେ । ସଞ୍ଜ ଗଡ଼ିଲାଣି । କୋଉଠି ତୁ ? ବାପା ଫେରିଲା ବେଳକୁ ତୋତେ ଘରେ ନଦେଖିଲେ ବିରକ୍ତ ହେବେ । ଗୋଟିଏ ସହରରେ ଶାଶୁଘର । ସମସ୍ତେ ପରିଚିତ । କେତେଟା ବା ଲୋକ ଏ ଛୋଟ ସହରରେ ଯେ ଆମ ଦୁଇ ପରିବାରକୁ ଚିହ୍ନି ନଥିବେ କହ । ବାହାଘର ସପ୍ତାହେ ଆଗରୁ ତୋତେ ଏମିତି ଏକାଟିଆ ସନ୍ଧ୍ୟାବେଳେ ବାହାରେ ବୁଲିବା ଦେଖିଲେ କେତେ କଥା ହେବେ ଲୋକ, ତୁ ଜାଣିନୁ । ଶୀଘ୍ର ଆ ଘରକୁ ।

ଓହୋ ବୋଉ, କେତେ ବ୍ୟସ୍ତ ହଉଛୁ । ଜାଣିଛି ବାପା ବିରକ୍ତ ହେବେ ତାଙ୍କ ଫେରିବା ବେଳକୁ ମୁଁ ଘରେ ନଥିଲେ । ମୁଁ ଦେବୀ ମାଆ ଙ୍କ ମନ୍ଦିରକୁ ଆସିଛି । ଆଜି ମଙ୍ଗଳବାରକୁ ପୂର୍ଣ୍ଣିମା, ଭାରି ଇଚ୍ଛା ହେଲା ଦର୍ଶନ କରିବା ପାଇଁ । ସେଥିପାଇଁ  ପଳେଇ ଆସିଲି । ଘରେ କହିଥିଲେ ତୁ ନିଶ୍ଚୟ ସାଙ୍ଗରେ କାହାକୁ ପଠେଇ ଥାନ୍ତୁ । ମୁଁ ଆଉ କଣ ଦେବୀ ମା\’ଙ୍କ ସହିତ ଏକା ଏକା କଥା ହେଇପାରିଥାନ୍ତି !

ବୋଉ ଜାଣେ ଶ୍ରୁତିର ଦେବୀଙ୍କ ଉପରେ ଅଗାଧ ଅତୁଟ ବିଶ୍ୱାସ କଥା । ସେ କେବଳ ଏତିକି କହିଲା, ଫେରିବା ବେଳକୁ ମତେ ଫୋନ କରିଦେବୁ । ବାବୁକୁ ପଠେଇବି । ସେ ସାଙ୍ଗରେ ରହିଲେ ତୋ ବାପା ଆଉ ରାଗିବେନି । ବୋଉମାନେ ବି କେତେ ପ୍ରୋଟେକ୍ଟିଭ ନା, ହେଲେ ବିଚାରୀ ବୋଉକୁ ସ୍ୱାମୀ ଓ ପିଲାଙ୍କ ଭିତରେ ଟାଣି ଓଟାରି ହେବାକୁ ପଡେ । ଘଣ୍ଟ, ଘଣ୍ଟି, ମୃଦଙ୍ଗ ଓ ଶଙ୍ଖଧ୍ୱନୀ ରେ କମ୍ପିତ ହେଲା ମନ୍ଦିର ପ୍ରାଙ୍ଗଣ । ଗମ୍ଭୀରାଭିତରେ ସିଂହରୁଢ଼ା ମା\’ଙ୍କର ଅଷ୍ଟଭୂଜା ମୂର୍ତ୍ତି । ହଳଦୀ ରଙ୍ଗ ବସ୍ତ୍ର ସାଙ୍ଗକୁ ରକ୍ତ ମନ୍ଦାର ଓ ଜବା କୁସୁମ ମାଳରେ ଅପୂର୍ବ ସୁନ୍ଦରୀ ଦିଶୁଥାଏ ମା । ମୁଖ୍ୟ ପୂଜକ କାଠି ବଳିତାକୁ ଦୀପରେ ଖଞ୍ଜି ପାଣି ଛଡେଇଲେ । ନିଆଁ ଧରେଇ ଦୀପ ଟେକିଲେ । ମା\’ର ଚିକ୍କଣ ମୁହଁ ଓ ଟଣା ଟଣା ଆଖି ଦାଉ ଦାଉ ଝଟକୁଥାଏ ଅଗ୍ନି ଆଲୋକରେ  । ଓଃ ମିହିର କୋଉଠି ରହିଗଲେ । ଏକାଠି ଆଳତି ଦର୍ଶନ ହେବନି, ତା ପରେ ମନକଥା କହିବାକୁ ସମୟ ମିଳିବନି । ପୁଣିଥରେ ଦେବୀଙ୍କ ଉପରେ ଦୃଷ୍ଟି ସ୍ଥିର କରି ଆଖିବୁଜିବା ଉପକ୍ରମ କଲାବେଳକୁ ହଠାତ୍ ଦଲକାଏ ପବନ ଭାସି ଆସି ତା ପାଖରେ ସ୍ଥିର ହେଇଗଲା ଆଉ ଧମନୀ ରେ ଧାଇଁଗଲା ଗୋଟେ ତଡିତ୍ ଶିହରଣ । ପ୍ରତି ଲୋମ ତାର ଚିହ୍ନି ସାରିଥିଲା ମିହିରଙ୍କ ଉପସ୍ଥିତି, ତଥାପି ଦେଖିନାହିଁ ବୋଲି ଅଭିନୟ କରୁଥିଲା ସେ । ଘଣ୍ଟ ଘଣ୍ଟା ତାଳରେ ପୂଜକ କରୁଥାନ୍ତି ଆଳତୀ । ଉନ୍ନତ ଦୀପଶିଖା ସତେ ଯେମିତି ପ୍ରତିଟି ପ୍ରାର୍ଥନା ପିଠିରେ ଲଦି ଉର୍ଦ୍ଧ୍ୱ ଗତି କରୁଥିଲା ମାଆ ପାଖରେ ପହଞ୍ଚିବା ପାଇଁ ।

ଶିଥିଳ ହେଉଥିବା ଘଣ୍ଟ ଧ୍ୱନି ଆଳତୀ ପର୍ବ ସମାପନ ହେବାର ବାର୍ତ୍ତା ଦେଉଥିଲା । ଦୀପ ପାଖକୁ ଆସିବାରେ ଦୁହେଁ ହାତ ବଢ଼ାଇ ଆଳତୀ ଭିତରେ ଆଶୀର୍ବାଦକୁ ଆଦିଶକ୍ତିଙ୍କ ପ୍ରସାଦ ଭାବେ ଗ୍ରହଣ କଲେ । ଏଥର ଭଲରେ ଆଖି ପୁରେଇ ଦେଖିଲା ସେ ମିହିର ଙ୍କୁ । ଆସିବା ପୂର୍ବରୁ ଗାଧେଇଛନ୍ତି ଯେ ମୁଣ୍ଡ ଏବେବି ଓଦା । ତାଙ୍କ ପରିଚିତ ଡିଓର ହାଲକା ଅଥଚ କ୍ୟାପଟିଭେଟିଙ୍ଗ ବାସ୍ନା ଆକର୍ଷିତ କରୁଥିଲା । ଜିନ୍ସ ସହିତ ଲମ୍ବା କୁର୍ତ୍ତା ତାଙ୍କୁ ଖୁବ ମାନେ । ତାଙ୍କ ଗୋରା ଦେହକୁ ଡେନିମ ରଙ୍ଗ ଜିନ୍ସ ଓ ଗାଢ଼ ଖାଇରିଆ ରଙ୍ଗର ସମ୍ବଲପୁରୀ କୁର୍ତ୍ତା ପରଫେକ୍ଟ ଲାଗୁଥିଲା । ସେ ଆଖିରେ ଇସାରା କରି ଡାକିନେଲେ ଶ୍ରୁତିକୁ । ମନ୍ଦିର ବେଢାର ଦକ୍ଷିଣ ପଶ୍ଚିମ କୋଣକୁ ଘଞ୍ଚ ମାଳତୀ ଲତା । ସେଠି ଉଜ୍ଜ୍ୱଳ ବିଜୁଳି ବତୀର ଆଲୋକ ବି ଝାପ୍ସା ପଡେ । ମିହିର କିଛି କହିବା ଆଗରୁ ବୋଉର ଫୋନ କଥା ଜଣାଇଦେଲା ଶ୍ରୁତି । କାହିଁକି ଡାକିଥିଲ ଶୀଘ୍ର କହିଦିଅ, ଯିବାକୁ ହେବ ଜଲଦି । ତା ଡାହାଣ ହାତ ପାପୁଲିକୁ ମୁଠେଇ ଧରିଲେ ମିହିର । ବାସନ୍ତୀୟ ମଳୟରେ ବି ଝାଳେଇ ଯାଉଥିଲା ସେ । ମିହିର ତା ଆଖିରେ ଆଖି ସ୍ଥିର କରି ପଚାରିଲେ, ସତରେ ତୁମେ ମୋତେ ଏତେ ଭଲ ପାଉଥିଲ ? କେବେଠୁ ଏ ପ୍ରେମ ମୋ ଲାଗି ସଞ୍ଚରିଲା ତୁମ ମନରେ । କେବେ କହିନଥିଲ କାହିଁକି ? କହି ନପାରିଲ ଯଦି ଅନ୍ତତଃ କେବେ ଇସାରା କି ଇଙ୍ଗିତ ରେ ଜଣେଇଦେଇଥିଲେ ଆମେ ମଧ୍ୟ ପ୍ରେମିକ-ପ୍ରେମିକା ହେବାର ସେ ମାହାର୍ଘ ଅନୁଭବକୁ ଜୀଇଁଥାନ୍ତେ ପ୍ରାଣଭରି ।  ଭାଗ୍ୟଭଲ ମୀନାନାନୀ ଏକଥା ମୋ ନାନୀ ଆଗରେ କହିଲେ ଆଉ ନାନୀ ବୋଉକୁ ପ୍ରସ୍ତାବ ଦେଲା । ଜାଣିଛ, ତୁମେବି ମୋ ଜୀବନର ପ୍ରଥମ ପ୍ରେମ । ହେଲେ, ତୁମକୁ ଜଣେଇବାକୁ ସହଜ ହେଇନଥିଲି । ଏହା ଏକତରଫା ଭାବି ଚୁପ ରହିଗଲି । 

ତାଙ୍କୁ ନିର୍ମିମେଷ ଦେଖୁଥାଏ ଶ୍ରୁତି । ତୁମେ ଯେବେ ପ୍ରଥମେ ଦେଖା ହେଇଥିଲ ଗୋଟେ ପ୍ରବନ୍ଧ ପ୍ରତିଯୋଗିତାରେ, ସେଦିନ ହିଁ ତୁମ ପ୍ରେମରେ ପଡିଯାଇଥିଲି । ତୁମକୁ ଥରେ ଦେଖିବା ଲୋଭରେ କେବେ କାଦୁଅ ମାଡିଛି ତ କେବେ ଗୋଡ଼ ମୋଡି ହେଇଚି । ଯେଉଁମାନେ ତୁମକୁ ନିତି ଦେଖନ୍ତି, ତାଙ୍କ ଭାଗ୍ୟକୁ ଈର୍ଷା କରିଛି । ଖାସ କରି ସେଇ ସୌମ୍ୟା, ଯାହା ପଛରେ ସମସ୍ତେ ପାଗଳ ହେଉଥିଲେ, ତା ସହିତ ତୁମ ନାଁ ଯୋଡି ଯେବେ ଅନ୍ୟପିଲା ଚପଳାମି କରନ୍ତି, ମୋ ମନ ଘାଣ୍ଟି ହୋଇଯାଏ । ତୁମେତ ଜାଣିଛ ମୋର କେହି ଭଲ ସାଙ୍ଗ ନଥିଲେ । ମୋ ଶ୍ୟାମଳ ରଙ୍ଗ ଆଉ ସାଧାରଣ ରୂପ ଯୋଗୁଁ ମୁଁ ବି କେବେ ସାହସ କରି ପାରିନି ତୁମକୁ ମନକଥା ଜଣେଇବାକୁ । ସାଙ୍ଗ ପିଲାମାନେ ବି କୁହନ୍ତି ତୁମେ କାଳେ ଅନେକ ଝିଅଙ୍କୁ ପସନ୍ଦ ।  ତୁମ ପ୍ରେମ ପାଇବା ଲୋଭରେ ଅନେକ ସୁନ୍ଦରୀ, କିନ୍ତୁ ତୁମେ ବାଛି ସାରିଥିଲ ଜଣଙ୍କୁ । ତୁମେ ଯେମିତି ସୀମା ନାନୀ (ମିହିର ଙ୍କ ବଡ଼ ଭଉଣୀ) ଙ୍କୁ ସବୁକଥା କୁହ, ମୁଁ ସେମିତି ମୀନା ନାନୀଙ୍କୁ କହେ ।  କିଛିଦିନ ତଳେ ସନ୍ଧ୍ୟାରେ କଥା ହେଲା ବେଳେ ସେ କହିଲେ ତୁମ ବ୍ରେକ ଅପ କଥା । ତୁମକୁ କେହି କେବେ ରିଜେକ୍ଟ କରିପାରେ ତାହା ମୋ ପାଇଁ ଅସହ୍ୟଛ ସେଦିନ ନାନୀଙ୍କ କଥା ଶୁଣିବା ପରେ ମୁଁ ଖୁବ କାନ୍ଦିଥିଲି । ଅବସୋସ କରିଲି ଯେ ମୁଁ ସୁନ୍ଦରୀ ହୋଇଥିଲେ ତୁମକୁ ମୋ ସବୁତକ ପ୍ରେମ ଦେଇ ଆପଣାର କରିଥାନ୍ତି । ନାନୀ ସ୍ନେହରେ ପଚାରି ପଚାରି ସବୁତକ ଇମୋସନ ଖୋଳି ବାହାର କଲେ ମୋ ମନତଳୁ । ସେ ହିଁ ସୀମା ନାନୀ ଙ୍କୁ କହିଲେ । ବାପା ଏମିତିବି ପଢିବା ବେଳେ ତୁମ ଘରପାଖ ମେସ ରେ ରହୁଥିଲେ । ସେବେଠାରୁ ତୁମ ବାପାଙ୍କୁ ଜାଣନ୍ତି । ତୁମ ବାପା ହିଁ ପ୍ରସ୍ତାବ ଦେଲେ ଆମ ବାହାଘର ପାଇଁ । ଆଉ ତା ପରେ ଯାହା, ତୁମେ ସେସବୁ ଜାଣିଛ । ଏତକ କହି ସାରିବା ବେଳକୁ  ଶ୍ରୁତିି ଲାଜରେ ଜଡସଡ ହେଉଥାଏ । ମିହିର ଏବେ ଖୁବ ପାଖକୁ ଲାଗି ଠିଆ ହୋଇଥାନ୍ତି । ତାଙ୍କ ହାତରେ ହାତ ବାଜିବା ମାତ୍ରେ ଦେହ ଶିହରି ଯାଉଥାଏ ।  ସେ ପଛପଟୁ ଅଣ୍ଟାକୁ ଧରି ତାଙ୍କ ପାଖକୁ ଟାଣିନେଲା ବେଳେ କହୁଥିଲେ ଆମର ଏଇ ଆରେଞ୍ଜ ମ୍ୟାରେଜଟା ଯେ ପ୍ରକୃତରେ ଲଭ ମ୍ୟାରେଜ ସେଇଟା ମୋ ଲାଗି  ବଡ଼କଥା । ଆମ ଦୁଇ ବାପା ଏଇ ବିବାହ ଆରେଞ୍ଜ କରିଛନ୍ତି ବୋଲି ଖୁସି ହେଉଛନ୍ତି, ତାଙ୍କ ସେ ଖୁସି ବଳବତ୍ତର ରହୁ । ମୁଁ କିନ୍ତୁ, ତୁମେ ମୋ ଠୁ ନିଜ ପ୍ରେମ ଲୁଚେଇବାର ସବୁତକ ବର୍ଷକୁ ଚକ୍ରବୃଦ୍ଧି ସୁଧ ହାରରେ ହିସାବ କରି ସ୍ନେହ ନେବି ତୁମଠାରୁ । ଏଇଆ କହି ଶ୍ରୁତିକୁ ଖୁବ ପାଖକୁ ଟାଣି ଆଣି ନିବିଡ଼ ଆଶ୍ଳେଷରେ ଧରି ରଖିଲେ ମିହିର । ଠିକ ଏତିକିବେଳେ ଲାଇଟ ଚାଲିଗଲା । ମାଳତୀ ଲତାର ଛାପି ଛାପିକ ଅନ୍ଧାର ଭିତରେ ଶ୍ରୁତିକୁ ଛାତିରେ ଭିଡ଼ିଧରି ଅଧରରେ ଅଧର ଦେଇ ଭେଦିଗଲେ ତା ଦେହର ପ୍ରତି ଉପାନ୍ତକୁ । ତୁମ  ଦେହର ବାସ୍ନା ମୋତେ ବାନ୍ଧିରଖେ ମିହିର । ତୁମ ଆଖି ମୋତେ ନିଜ ସହ ପରିଚିତ କରାଏ । ତୁମ ହସରେ ମୁଁ ଜୀବନକୁ ଦେଖେ । ତୁମକୁ ଖୁବ ବେଶୀ ଭଲପାଏ..... ଖୁବ ବେଶୀ । ତାଙ୍କ ମୁହଁକୁ ଟିକେ ତଳକୁ ନୁଆଁଇ କାନରେ ଫିସଫିସ କରି ଆଇ ଲଭ ୟୁ କହିସାରି ଠିକ କାନ ତଳକୁ ଓଠ ରଖିଲା ଶ୍ରୁତି । ଦଶ ମିନିଟରେ ବଦଳି ଗଲା ଦଶ ବର୍ଷର ଅକୁହା ପ୍ରେମ କାହାଣୀ । ମିହିର ନିଜେ ନେଇ ଘରେ ଛାଡିଥିଲେ ସେଦିନ ।  ବୋଉକୁ ସେ ହିଁ ଫୋନ କରି କହିଥିଲେ ଶ୍ରୁତିିକୁ ମୁଁ ଡକେଇଥିଲି ମନ୍ଦିର, ମିଶିକି ଆଳତୀ ଦେଖିବୁ ବୋଲି । ମୋ ଦାୟିତ୍ୱ ମୁଁ ନେଇ ଭଲରେ ଘରେ ଛାଡ଼ିବି । ଆପଣ ବ୍ୟସ୍ତ ହୁଅନ୍ତୁନି ।

ଆରେ କୁର୍ତ୍ତାଟା ଆଣ । ଆନିଭରସାରି ରେ ଡେରିରେ ଯିବକି ମନ୍ଦିର ! ଦେବୀ ମା କହିବେ, କାମ ହେଇଗଲା ବୋଲି ଭୁଲିଗଲେ ଏ ଦୁହେଁ । କହି କହି ଭିତରକୁ ଆସିଲେ ମିହିର । ଶ୍ରୁତିି ତାଙ୍କର ସେଇ ଖଇରିଆ ସମ୍ବଲପୁରୀ କୁର୍ତ୍ତା ଟିକୁ ଧରି ଏତେବେଳ ଯାଏଁ ଠିଆ ହୋଇଥାଏ ଆଲମିରା ପାଖରେ । କୁର୍ତ୍ତା ବଢ଼େଇ ଦେଉ ଦେଉ କହିଲା, ମନେ ପଡିଗଲା ମନ୍ଦିରରେ ସେଦିନ ଆଳତୀ ବେଳ ଆଉ ଆମ କନଫେସନ । ତା ପାଟିରୁ କଥା ନସରୁଣୁ ନିବିଡ଼ ଆଶ୍ଳେଷରେ ଆବୋରି ନେଲେ ମିହିର । ତାଙ୍କ ବଳିଷ୍ଠ ବେଷ୍ଟନୀର ଉଷ୍ମତା ରେ ତରଳି ଗଲା ବେଳେ ସେ ଦୁଷ୍ଟାମୀ କରିବା ଢଙ୍ଗରେ କହୁଥିଲେ, ପାଞ୍ଚବର୍ଷ ପରେ ଏବେ ଆଉ ଲୋଡ଼ା ନାହିଁ ମାଳତୀ ଲତାର ଅନ୍ଧାର ଆଢୁଆଳ । ଏବେ ପ୍ରାଣେଶ୍ୱରୀଙ୍କୁ ଖୋଲାଖୋଲି ପ୍ରେମ କରିବା ଲାଇସେନ୍ସ ମୋ ପାଖରେ । ଜୀବନବି ବେଳେ ବେଳେ ଖୁବ ନାଟକୀୟତା କରେ ସତରେ ।

ଲିଙ୍କ ରୋଡ଼, କଟକ

ମୋ - ୯୯୩୭୯୬୬୭୨୯


Reader Reviews

No reviews yet. Be the first to write one!