ବସନ୍ତ ଆସିଛି
ରାହାସ କୁମାର ବେହେରା
ବସନ୍ତ ଆସିଛି ସୁନାର ସକାଳେ
ଅପରୂପା ଶୋଭା ନେଇ
ଡାହାଣୀ ଖରାରେ ଶୀତୁଆ ପାଗଟା
ହାଇ ମାରି ଯାଏ ଶୋଇ
ଟିକି ଟିକି କେତେ ଫୁଲର ପାଖୁଡା
ଫୁଟି ହସୁଅଛି ଧରା
ମିଟି ମିଟି କରି ଚଗଲା ଭଅଁର
ଦେଖି ହୁଏ ଆତ୍ମ ହରା
ମୃଦୁ ମୃଦୁ ଆହା ମଳୟ ପବନେ
ଚିତ୍ତ ମତ୍ତ ହୁଏ ଚୋରି
କୋଇଲିର କୁହୁ ମଧୁର ସଙ୍ଗୀତେ
ନୂଆ ଖୁସି ହୁଏ ବାରି
ଗାଈଆଳ ଗୋଠୁ ବଇଁଶୀର ରାହା
କାନେ ବାଜି ଲାଗେ ମିଠା
ଅପୂର୍ବ ଏ ଶୋଭା ସବୁଜ ବନାନୀ
କହେ ପ୍ରକୃତିର ଗାଥା
ଫୁଲେଇ ଆମ୍ବର ମଥାରେ ଓଢଣୀ
ବଉଳର ଝୁଲେ ହାର
ନୂଆ ବୋହୁ ସାଜି ଅତର ଲଗେଇ
ବାଣ୍ଟଇ ପ୍ରୀତି ସମ୍ଭାର
ଲାଲ ଟୁକୁଟୁକୁ ମରତ ସୁନ୍ଦରୀ
ମଧୁକାଳ ହସେ ଖାଲି
ତା’ ମିଠା ଛୁଅଁରେ ଅବିର ମୋହରେ
ଫଗୁଣ ଆସିଛି ଚାଲି
ବାଲ୍ୟମ୍ବା,ଭାପୁର, ଢେଙ୍କାନାଳ:୭୫୯୦୧୫
ମୋ:୯୪୩୮୧୧୪୩୬୮