ଆମ ସଂପର୍କ
ପ୍ରଭାତ ବଳ
ଆଜି ବି ଦଣ୍ଡାୟମାନ ଆମ ସଂପର୍କ
ତୁମ ଭଲପାଇବାର ମହାଦ୍ରୁମ ହୋଇ
ଖାଲି ଯାହା ସଂକୀର୍ଣ୍ଣ ବସନ୍ତର ଅବଧି ।
ଆଜି ବି ଚିକମିକ କରେ
ଆମ ବନ୍ଧୁତାର ବତୀଘର
ଖାଲି ଯାହା ସେଠି
ନାଲି ନେଳି ଆଲୋକର ସମାଧି ।
ଶୁନ୍ ଶାନ୍ ସଡକର ବତୀଖୁଣ୍ଟ ପରି
ତୁମେ ଆଜି ବି ଜାଜ୍ୱଲ୍ୟମାନ
ହେଲେ କୋଉଠି ନା କୋଉଠି ତୁମ ସ୍ୱଚ୍ଛନ୍ଦ୍ୟ ପଥରେ
ଏବେବି ସେ ଅଫେରନ୍ତା
ବାଟୋଇର ଅନନ୍ତ ପ୍ରତିକ୍ଷା ।
ମୁଁ ଅନୁଭବ କରିଛି
ତୁମ ବର୍ଣ୍ଣନା ବେଳେ ଶବ୍ଦମାନଙ୍କର ଅସହାୟତା
ଓ ସେମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ,
ସେମାନଙ୍କ ଅକର୍ମଣ୍ୟତାରେ ବି
ତୁମର କି ନିଖୁଣ ଜୀବନ୍ତ ଉପସ୍ଥିତି ।
ଏହା ବୋଧେ ତୁମ
ଆଦ୍ୟ ପ୍ରାନ୍ତ ପ୍ରୟୋଗାତ୍ମକ କର୍ମସୂଚୀ ।
ସଂକୀର୍ଣ୍ଣତାର ଉର୍ଦ୍ଧରେ ରହି
ବ୍ୟାପକତାର ପରିଧିରେ
ତୁମ ଜୀବନ ଜ୍ୟାମିତି ।
ଯନ୍ତ୍ରଣା ଜର୍ଜରିତ ଭଙ୍ଗା କାନ୍ଥରେ
ତୁମ ଛଦ୍ମ ହସର ମାଟିଲେସା ପ୍ରଲେପ ସାଙ୍ଗକୁ
କୋହ ଚାପିବାର ମିଛି ମିଛିକା ଝୋଟି ହିଁ
ସେ କାନ୍ଥ ଉପରେ ଅମର କୀର୍ତ୍ତି ।
ତଥାପି ତୁମ ସମ୍ପର୍କ ସନ୍ଦିହାନ
ସ୍ଥିର ଜୀବନ୍ତ ମହାଦୁର୍ଗ ପରି
ତା ଭିତରେ ଲୁକ୍କାୟିତ
କେତେ ଯୁଗର ଅନୁମୁକ୍ତ ପ୍ରେମ
ତୁମେ ତାର ଜାଗ୍ରତ ପ୍ରହରୀ ।
କରଣପୋଖରୀ, ଭଦ୍ରକ