ଫାଲ୍ଗୁନି ଗୋ ତୁମେ
ଆସ ଧୀରେ ଧୀରେ
ବଉଳ ବାସକୁ ନେଇ,
ଆମ୍ବତୋଟା ମାଳୁ କୁହୁ କୁହୁ ଗାଇ
କୋକିଳ ଉଠଇ ଚେଇଁ ।
ଫାଲ୍ଗୁନି ଗୋ ତୁମେ
ଆଭାଷ ହୁଅନ୍ତେ
ଚାଲିଆସେ ଋତୁ ରାଜ,
ତୁମେ ବି ଫୁଲେଇ ଫୁଲରେ ପତ୍ରରେ
କେତେ ହୁଅ ସଜବାଜ!
ଫାଲ୍ଗୁନି ଗୋ ତୁମ
ରଙ୍ଗ ଅବିରରେ
ପଲ୍ଲୀ ହୁଏ ଗୋପପୁର,
ଭାଇଚାରା ଭାବ ହୃଦେ ଉକୁଟାଇ
ମୈତ୍ରୀର ବାର୍ତ୍ତା ଭର ।
ଫାଲ୍ଗୁନି ଗୋ ତୁମ
ଆଗମନ ଦେଖି
ଶୀତ ଯାଏ ଦୂର ହୋଇ,
ମୃଦୁ ମଳୟରେ
ବିଭୋର ପ୍ରକୃତି
ମଧୁର ମୂର୍ଚ୍ଛନା ଗାଇ ।
ଫାଲ୍ଗୁନି ଗୋ ତୁମେ
ପ୍ରକୃତି ପିଣ୍ଡରେ
ସଂଚରିତ କର ପ୍ରାଣ,
ନୂଆ ସମ୍ଭାବନା, ନୂଆ ସ୍ୱପ୍ନର
ନିଆରା ବୀଜଟି ବୁଣ ।
ଶିକ୍ଷୟିତ୍ରୀ, ଭୁବନେଶ୍ୱର