ଆଳୁବସ୍ତା

ପ୍ରବୀଣ କୁମାର କବି

ଧୀରେଧୀରେ ସଂଜ ଗାଢ଼ ହେବାକୁ ଲାଗିଲାଣି, ଆକାଶରେ ଚକାମାଡି ବସିଲାଣି ଜହ୍ନ, ଚଉଁରାରେ ଦିପ୍ ଦିପ୍ ହେଇ ଜଳୁଥିବା ସଞ୍ଜବତୀର ତେଲ ବି ପ୍ରାୟ ସରିସରି ଆସିଲାଣି । ତଥାପି ବି ସେ ସଞ୍ଜବତୀ ସାମ୍ନାରେ ସେମିତି ହାତଯୋଡି ବସିଛି ବୋଉ । ମଝିରେ ମଝିରେ ଆଖି ଢଳଢଳ କରି, ଓଠ ଥରେଇ କ’ଣ ସବୁ କହିଯାଉଛି ଧିରେ ଧିରେ । କିନ୍ତୁ ତା’ ଅଲକ୍ଷରେ ତା କଥା ସବୁ ମିଳେଇ ଯାଉଛି ପଞ୍ଚଭୂତରେ, ତା ଆଖିରୁ ନିଗିଡ଼ି ପଡୁଥିବା ଆକୁଳତାର ବିନ୍ଦୁ ସବୁକୁ ଅଚିରେ ଶୋଷିନେଉଛି ପ୍ରବଞ୍ଚନାରେ ପୀଡ଼ିତ ଗୋଟେ ଦୀର୍ଘଶ୍ୱାସ, ହେଲେ ଏ କଥା ବୋଉ ଜାଣେନି । 

ଏମିତିବି ଆଜି ପ୍ରଥମ ନୁହଁ, ଏମିତି କେତେ ସଞ୍ଜ ତାର କଟିଛି ସେଇ ଚଉଁରା ମୂଳେ ବୃନ୍ଦାବତୀଙ୍କୁ ହାତଯୋଡି, କେତେ ସଞ୍ଜ ଏମିତି ତା ଆଖି ଲୁହରେ ଓଦା ହେଇଛି ଚୋଉଁରା । କେବେକେବେ ଦୀପରୁ ତେଲ ସରିଯାଇଛି ତ କେବେ ସରିଯାଇଛି ସଳିତା ହେଲେ ସରିଯାଇନି ତାର ଆଖିର ଲୁହ, ତା ଗୁହାରୀ, ତା ଅଳି ।  ହେଲେ ଏବେ କିନ୍ତୁ ବୋଉର ଆଗଭଳି ଆଉ ଧର୍ଯ୍ୟ ନାହିଁ । କଥା କଥାରେ ସେ ଏବେ ଚମକୁଛି, କଥା କଥାରେ ତା ମନକୁ ପାପ ଛୁଉଁଛି । ଆଉ ଛୁଇଁବା ବି ସ୍ୱାଭାବିକ । ବାପା ଏଯାଏଁ ଘରକୁ ଫେରି ନାହାଁନ୍ତି । ସଞ୍ଜବେଳୁ ପଚାଶଥର ଏଇକଥା କହିସାରିଲାଣି ବୋଉ, ହେଲେ ନୀତିଶର ସେଥିପ୍ରତି ନିଘାନାହିଁ । ସେ କୁମ୍ଭୀର ପରି ଖଟଟାରେ ସେମିତି ପଡ଼ିରହିଛି ଆଉ ଏକନିଷ୍ଠ ହେଇ ମାତିଛି ମୋବାଇଲରେ । ବୋଉ ପୁଣିଥରେ କହିଲା ଧନରେ ଯା ଗାଡ଼ିଟା ନେଇକି ଟିକେ ଦେଖିଆ, ସକାଳ ପହରୁ ଗଲେଣି ଯେ ଏଯାଏ ଆସିଲେନି, କେଜାଣି କଣ ଦି’ ଟା ଖାଇଥିବେ କି ନାହିଁ, ସେପଟେ ପୁଣି ସଂଜ ନହେଉଣୁ ଗରୁଡାଖୋଲ ବାଙ୍କ ପାଖରେ ମଦୁଆ ଆଉ ଡକାୟତଙ୍କ ବହପ, କ’ଣ କରିବି କହିଲୁ !

 ଧେି.... ଶେଷ ରାଉଣ୍ଡରେ ହିଁ ମୋବାଇଲରୁ ଚାର୍ଜ ସରିଗଲା ଏପଟେ ବୋଉର ବକର୍ ବକର୍ । ଧଡ଼ କିନା ମୋବାଇଲ୍ ଟାକୁ ଖଟ ଉପରକୁ ଫିଙ୍ଗିଦେଲା ନୀତିଶ । ଖଟତଳେ ଥିବା କଳା ବିଲେଇଟା ଜୋରରେ ଚିଲେଇ ଉଠିଲା ଆଉ ତା ପାଟି ଶୁଣି ଚମକି ପଡିଲା ବୋଉ । ନୀତିଶ କୁ ବଡ଼ ଅସହଜ ବୋଧହେଲା ସେ ପରିବେଶ । ଗାଡି ଚାବିଟା ଧରି ଗରଗର ହେଇ ବାହାରିଗଲା ପଦାକୁ । ଯାଉ ଯାଉ ବୋଉକୁ ଶୁଣେଇଦେଇ ଗଲା  - ଶୁଣ ବୋଉ, ଏଇଟା ଲାଷ୍ଟ୍ । ୟାପରେ କେବେବି କହିବୁନି ଯିବାକୁ । ଯଦି ସିଏ ପାରୁନାହାଁନ୍ତି ତାହେଲେ ଯାଉଛନ୍ତି  କାହିଁକି ! ମନା କରିଦେ ସେ ସେଇ ଆଳୁ ପିଆଜ ବିକିବା ବନ୍ଦ କରିଦେବେ । ସକାଳୁ ଯାଇ ସଂଜରେ ଆସିବେ । ୧୫ ଟଙ୍କାରେ ଆଳୁ ଆଣି ୧୬ ଟଙ୍କା ୫୦ ପଇସାରେ ବିକିବେ । ଲାଭ କେତେ ? ଟଙ୍କେ ପଚାଶ ପଇସା । ତାଙ୍କ ସେଇ ଟଙ୍କେ ପଚାଶ ପଇସାରେ ଗୋଟେ ଗୁପଚୁପ ବି ହୁଏନି ଆମ ଦୁନିଆରେ, ସେ ଜାଣନ୍ତି ! ଶହେଥର କହିଲିଣି ସ୍କୁଟିଟେ ଆଣ, ମୋ କଥା ଶୁଣିଲେ ତ ! ଧନ୍ୟ ସିଏ ଆଉ ଧନ୍ୟ ତାଙ୍କର ସେ ଦଦରା ସାଇକେଲ । 

 ଖାଲି ଆଜି ନୁହଁ ନୀତିଶ ପାଖରୁ ଅନେକ ଥର ବୋଉ ଶୁଣିଛି ଏମିତି କଥା । ବାପାଙ୍କ ଉଦ୍ଦେଶ୍ୟରେ ଏମିତି କିଛି କହିଲେ ବୋଉ ଆଖି ଜକେଇ ଆସେ, କୋହରେ କୁହୁଳି ଉଠେ ତା ଛାତି । କାହିଁକି ନା କେହି ନଜାଣିଲେବି ବୋଉ ଜାଣେ ବାପାଙ୍କ ବିବଶତା ।   ବାପା ସେଦିନ ତାଙ୍କ ସ୍କୁଟର ବିକି ନଥିଲେ, ବିଲକୁ ବନ୍ଧା ନଦେଇଥିଲେ ସେ କ’ଣ ଆଜି ଏ ଦୁନିଆରେ ଥାନ୍ତା , ୪ବର୍ଷରେ ହିଁ ତାକୁ ଏ ଦୁନିଆ କୁ ଛାଡ଼ିବାକୁ ପଡିଥାନ୍ତା । ଏମିତି ନୁହେଁ ଯେ ସିଏ ଚାହିଁଥିଲେ ପୁଣିଥରେ ଗାଡ଼ିଟିଏ କରିପାରି ନଥାନ୍ତେ । ତାଙ୍କୁ କ ’ଣ ଭଲଲାଗେ ୧୧- ୧୨ କି. ମି ରାସ୍ତା ସାଇକେଲ ଚଲେଇ, ଆଳୁବସ୍ତା ବୋହିବାକୁ । ତଥାପି ସେ ଏତିକି ବୁଝିପାରେନି ଯେ ବାପା ସାଇକେଲ ଚଢ଼ୁଛନ୍ତି ବୋଲି ସେ ତା ମନପସନ୍ଦ ର ଗାଡ଼ି ଚଲେଇ ପାରୁଛି ଆଉ ସେ ବିକୁଥିବା ଆଳୁରେ ହିଁ ତ ପ୍ରବେଶିକା ପରୀକ୍ଷାରେ କମ୍ ନମ୍ବର ରଖି ସୁଦ୍ଧା ସେ ସହରର ସବୁଠାରୁ ବଡକଲେଜ୍ ରେପାଠ ପଢୁଛି । ଏମିତି ଅନେକ କଥା ବୋଉ ଚାହିଁଲେ ବି ନୀତିଶ କୁ ବୁଝେଇ ପାରେନି । ନୀତିଶ କେବେବି ବୁଝିପାରେନା ତାର ଏଭଳି କଥା ବାପାଙ୍କୁ କେତେ କଷ୍ଟ ଦିଏ । ସେ ବୁଝିପାରେନା ଯେ  ବାପାଙ୍କୁ ବୁଝିବାକୁ ହେଲେ ପ୍ରଥମେ ବାପା ହେବାକୁ ପଡେ, ଛାତିକୁ ଟାଣ କରିବାକୁ ପଡେ, ଲୁହଙ୍କୁ ଲଗାମ୍ ଦେବାକୁ ପଡେ, ଚାରି  ଚଉତା ଚିରା ଗଞ୍ଜିରେ ଚାରି ପୋଉଟି ଝାଳବିନ୍ଦୁକୁ ବାନ୍ଧିବାକୁ ପଡେ, ନିଜର ସବୁ ଇଛାକୁ କବର ଦେଇ ଅନ୍ୟର ଇଛାକୁ ନିଜର କରିବାକୁ ପଡେ ।

 ବୋଉ ଏ ସବୁ ଚିନ୍ତା କରିବା ଭିତରେ ନୀତିଶ୍ ହାତୀଶିଳା ପୋଲ ଦେଇ ବଜାର ବାହାରି ସାରିଥିଲା, ଯୋଉ ରାସ୍ତାଟି ମୁଖ୍ୟ ରାସ୍ତା ଅପେକ୍ଷା ଥିଲା ଖୁବ୍ କଚ୍ଚା କିନ୍ତୁ ସଟକର୍ଟ । ଯୋଉ ରାସ୍ତାରେ ଅନେକ ଦିନ ପରେ ଯାଉଥିଲା ନୀତିଶ । ସେ ଏ ରାସ୍ତାରେ ଯିବାର କାରଣ ସେ କଚ୍ଚା ରାସ୍ତା ନଥିଲା ଥିଲେ ବାପା । ବାପା ସେଇ ବାଟ ଦେଇ ସବୁବେଳେ ବଜାର ଯାଉଥିଲେ । ଆଉ ନୀତିଶ ଡରୁଥିଲା କାଳେ କୋଉଦିନ ସେ ସାଙ୍ଗମାନଙ୍କ ସହ କଲେଜ୍ ଯିବା ସମୟରେ ଦେଖା ହେଇଯିବେ ବାପା! କାଳେ ତାକୁ ସମସ୍ତଙ୍କ ଆଗରେ କହିବାକୁ ହେବ ଯେ ସେ ତାର ବାପା, ଯାହାଙ୍କ ଉଚ୍ଚତା ସାଢ଼େ ଚାରି ଫୁଟ୍‌, ରଙ୍ଗ କଳା । ଯିଏ ଗୋଟେ ପୁରୁଣା ହର୍କୁଲେଶ୍‌ ସାଇକେଲ ଚଢ଼ନ୍ତି, ଯାହାର ଚେନ୍‌ ରାସ୍ତାରେ ବାରମ୍ବାର ଖରାପ୍ ହୁଏ, ଯିଏ ପୁରୁଣା ରବର୍ ଚପଲ୍ ପୁରା ଘୋରିବା ଯାଏ ପିନ୍ଧନ୍ତି, ବଜାରରୁ ଆଳୁ ପିଆଜ ଆଣି ଗାଁରେ ବିକନ୍ତି, କିଲୋରେ ଲାଭ ଟଙ୍କେ ୫୦ ପଇସା !

 ତଥାପି ଏ ରାସ୍ତା, ଏ ରାସ୍ତାର ସବୁ କ୍ଷତ ଚିହ୍ନ, ତାର ଦୁଇ ପଟରେ ଥିବା ଜାମୁ କୋଳି ଗଛ ସବୁ ତାର ଖୁବ୍ ନିଜର । କିଛିବାଟ ଗଲା ପରେ ନୀତିଶ ଆଖିରେ ପଡ଼ିଲେ ବାରମାସୀ ଠାକୁରାଣୀ । ମାଆ ଙ୍କୁ ଦେଖି ତାର ହଠାତ୍ ମନେ ପଡିଗଲା ତାର ପିଲାଦିନ, ମନେ ପଡିଗଲା ପାଇକପୁରର ମେଳା, ମନେ ପଡ଼ିଗଲେ ବାପା ।

 ସେତେବେଳେ ସେ ଚତୁର୍ଥ ଶ୍ରେଣୀରେ ପଢୁଥାଏ । ଯେବେ ବୋଉ ଟ୍ୟୁମର ଅପରେସନ ହୋଇ ଘରକୁ ଫେରିଲା ସେଇ ହପ୍ତା ପାଇକପୁରର ମେଳା । ସାଙ୍ଗମାନଙ୍କୁ ଦେଖି ନୀତିଶ ବି ଜିଦି କଲା ମେଳା ଦେଖି ଯିବାପାଇଁ । ବୋଉ ବାରଣ କଲା କହିଲା ଦେଖୁଛୁ ତ ବାପାଙ୍କ ପାଖରେ ଟଙ୍କାଟିଏ ବି ନାହିଁ, ଯାହାଥିଲା ସବୁ ଡ଼ାକ୍ତରଖାନାରେ ଗଲା, ଏଥର ରହିଯା ଆରଥରକୁ ଯିବୁ ବୋଉ ଜାଣେନି ସେଦିନ ନୀତିଶ ଲୁଚିଲୁଚି ଯାଇ ବାପାଙ୍କ ପର୍ସ ଦେଖିଥିଲା । ସତରେ ବାପାଙ୍କ ପର୍ସରେ ସେଦିନ ତିନି - ଚାରୋଟି ଅଚଳ ପଇସା, ତାଙ୍କର ଗୋଟେ କଳା ଧଳା ଫଟୋ ଆଉ ଗୋଟେ ସିରିଡ଼ି ସାଇ ବାବାଙ୍କ ଫଟୋକୁ ଛାଡିଦେଲେ କିଛି ନଥିଲା । ନୀତିଶ ରାତିରେ ମନାଉଣା କରି ଶୋଇଲା । ତା ପରଦିନ ସକାଳୁ ଉଠି ଦେଖେତ ବାପା ସାଇକେଲ ଧୋଉଛନ୍ତି, ବୋଉ ବାକ୍ସରୁ ତାର ନୂଆ ଜାମା ହଳକ କାଢୁଛି । ନୀତିଶ କିଛି ଭାବିବା ପୂର୍ବରୁ ବାପା କହିଲେ ଜଲଦି ବାହାର୍ ମେଳାକୁ ଯିବା । ନୀତିଶ କିଛି ବୁଝିପାରିଲାନି ।

ଆଉଥରେ ଯାଇ ବାପାଙ୍କ ପର୍ସ ଦେଖିଲା । ଏଥର କିନ୍ତୁ ସେଥିରେ ଟଙ୍କା ଥିଲା, ହେଲେ ଘୁଆଳେ ତାଙ୍କ ଦୁହାଳ ଗାଈ ନଥିଲା ।  ନୀତିଶ ବାପାଙ୍କ ସାଙ୍ଗରେ ମେଳା  ଦେଖିବାକୁ ଗଲା ସେଦିନ, ତା ମନ ପସନ୍ଦର ଖେଳନା ବି କିଣିଥିଲା । ମେଳାରୁ ଫେରିବା ବେଳେ ବାପା ବଜାର ଦେଇ ଆସିଲେ । କେରିଅର ରେ ଗୋଟେ ଆଳୁବସ୍ତା ବାନ୍ଧି, ନୀତିଶକୁ ଆଗ ରଡ଼ରେ ବସେଇଲେ । ରାସ୍ତାରେ କିନ୍ତୁ ନୀତିଶ ରଡ଼ର ଦାଉ ଆଦୌ ସହିପାରିଲାନି । ବାପା ଜାଣିପାରିଲେ କି କ’ଣ ଅଧା ରାସ୍ତାରେ ତାକୁ ରଡ଼ରୁ ଓହ୍ଲେଇ ସିଟ୍ ରେ ବସେଇଲେ ଆଉ ଘର ଯାଏ ଗଡ଼େଇ ଗଡ଼େଇ ଆସିଥିଲେ ସେଦିନ ।  ଏବେ ଟିକେ ଆଗକୁ ଯିବାରୁ ଗୋଟେ ଟର୍ଚ୍ଚ ଆଲୁଅ ଦିଶିଲା ନୀତିଶକୁ । ନୀତିଶ ଭାବିଲା ବୋଧେ ସେ ତା ବାପା । ପାଖକୁ ଯାଇ ଦେଖେ ତ ରାଧୁ ମଉସା । ପଚାରିବାରୁ ଜାଣିଲା ମଉସା ତାଙ୍କ ପୁଅକୁ ଖୋଜିବାକୁ ଯାଇଥିଲେ ବଜାର । ହେ... ଆରେ ସିଏ କ’ଣ ଛୋଟ ପିଲା ହେଇଛି , ୨୨ବର୍ଷର ଭେଣ୍ଡା ପୁଅକୁ ୭୨ବର୍ଷର ବୁଢ଼ା ବାପା ଯାଉଛି ଖୋଜିବାକୁ, ପୁଣି ଏ ଅନ୍ଧାର ରାତିରେ ।

ନୀତିଶ ମନେମନେ ହସିଲା ।  ଆଉ କିଛିବାଟ ଯିବାପରେ ନୀତିଶ ଦେଖିଲା ସେ ପୁରୁଣା ଭଙ୍ଗା କୂଅକୁ, ଯିଏ ଏବେ ଆଗ  ଅପେକ୍ଷା ଆହୁରି ଭାଙ୍ଗିଯାଇଥିଲା ସମୟର ତାଡ଼ନାରେ । ତା ଦେହର କ୍ଷତମାନେ ଏବେ ପୂର୍ବ ଅପେକ୍ଷା ଖୁବ୍ ଗାଢ୍ ଲାଗୁଥିଲେ ତାକୁ । ସେ ଭଙ୍ଗାକୂଅକୁ ଦେଖି ପୁଣିଥରେ ଅନିଚ୍ଛା ସତ୍ତ୍ୱେ ବି ନୀତିଶ ଫେରିଗଲା ତାର ଅତୀତକୁ । ତାର ମନେପଡିଗଲା ଦିନେ ସେଇ ବାଟ ଦେଇ ଘରକୁ ଫେରିବା ସମୟରେ ଏଇ କୂଅକୁ ଦେଖି ବାପାଙ୍କୁ ପଚାରିଥିଲା, - ବାପା, ଏ କୂଅ ଏମିତି ଭଙ୍ଗା କାହିଁକି? 

ବାପା ସେଦିନ କହିଥିଲେ  -  କେବଳ ଏ କୂଅ କାହିଁକି ଆମେ ସମସ୍ତେ ଭଙ୍ଗା, ସମସ୍ତେ ଅସମ୍ପୂର୍ଣ୍ଣ ।  

- ତେବେ ମୁଁ ସଂପୂର୍ଣ୍ଣ ହେବି କେମିତି?  ବାପା ଟିକେ ମୁରୁକି ହସିଥିଲେ ଆଉ କହିଥିଲେ, "ଯୋଉଦିନ ତତେ ରଡ଼ରେ ବସିବାର କଷ୍ଟ ଜଣା ପଡ଼ିବନି, ଯୋଉଦିନ ତୁ ବୁଝିଯିବୁ ସମ୍ପର୍କ କ’ଣ, ସଂଘର୍ଷ କଣ, ଆଉ ପରିସ୍ଥିତି କ’ଣ ଦେଖିବୁ ସେଦିନ ଏ କୂଅ ବି ତତେ ସମ୍ପୂର୍ଣ୍ଣ ଦିଶିବ ।

 ନୀତିଶ ସେଦିନ କିଛି ନବୁଝି ବି ବାପାଙ୍କ କଥାରେ ହଁ ଭରିଥିଲା ।  

ନୀତିଶର ଗାଡ଼ିର ବେଗ ତା ସ୍ମୃତି ସହ ବେଳକୁ ବେଳ ତୀବ୍ର ହେବାକୁ ଲାଗିଥିଲା । ଠିକ୍ ଏତିକି ବେଳେ ହଠାତ୍‌ ତାର ମନେ ପଡିଗଲା ମାନସୀ କଥା, ମାନସୀ କହିଥିଲା ଆଜି ୭ ଟାରେ ତାକୁ ଫୋନ୍ କରିବାକୁ, ସେ ଅପେକ୍ଷା କରିଥିବ ନିଶ୍ଚୟ । କ’ଣ କରିବ ସେ, ତାକୁ କିଛି ଗୋଟେ କହି ମନେଇବାକୁ ହେବ, ହେଲେ ଆଇ.ପି.ଏଲ ମ୍ୟାଚ୍ ର ଫାଇନାଲ ର ଲାଇଭ ଆଉ କଣ୍ ଦେଖି ହେବ ! 

ବାପାଙ୍କ ପାଇଁ ସବୁ ଗଲା । ବିରକ୍ତି ହେଇ କହିଲା ସେ ।

 ଗରୁଡାଖୋଲ ବାଙ୍କ ପାଖରେ କିଛି ମଦୁଆଙ୍କ ପାଟି ଜୋର୍ ରେ ଶୁଭୁଥିଲା, ଖୁବ୍ ଉଦ୍ଧତ ଭାଷାରେ ଗାଳିଗୁଲ କରୁଥିଲେ ସେମାନେ । ଟିକେ ଆଗକୁ ଯିବାରୁ କିଛି ଦୂରରୁ ଗୋଟେ ମିଞ୍ଜି ମିଞ୍ଜି ଆଲୁଅ ଦିଶିଲା । ଗାଡି ସ୍ଲୋ କଲା ନୀତିଶ । ହେଡ୍‌ଲାଇଟା ଦେବାରୁ ଦେଖିଲା ବାପା ଆସୁଛନ୍ତି । ପଛ  କ୍ୟାରିଅରରେ ଲଦା ହେଇଛି ଗୋଟେ ବଡ଼ ଆଳୁବସ୍ତା, ଦୁଇ ହେଣ୍ଡଲ୍‌ରେ ଦୁଇଟି ବଡ଼ ବ୍ୟାଗ୍ ଆଉ ବାଁ ହାତରେ ହେଣ୍ଡଲ ସହ ଚାପିକରି ଧରିଛନ୍ତି ଗୋଟେ ଛୋଟ ଟର୍ଚ୍ଚ ଲାଇଟ୍ ।

 ବାପା ନୀତିଶକୁ ଦେଖିଲେ, କିଛି ସମୟ ପାଇଁ ତାଙ୍କ କ୍ଲାନ୍ତ ମୁଖମଣ୍ଡଳଟା ପ୍ରସନ୍ନ ଦିଶିଲା । ବାପା କିଛି କହିବା ପୂର୍ବରୁ ନୀତିଶ ଆରମ୍ଭ କଲା ତୁମର ଟିକେ ସାଧାରଣ ଜ୍ଞାନ ଅଛି ! ସକାଳ ପହରୁ ସଉଦା ପାଇଁ ଆସିଛ ଯେ ରାତି ଆଠଟା ହେଲାଣି, ସପ୍ତାହର ସଉଦା ଏକାଥରେ ଆଣିଲେ ହବନି, ଡେଲି ଡେଲି ସମାନ୍‌ ନାଟକ୍ !

ବାପା କହି ଆସୁଥିଲେ, ଆରେ ବିଲରୁ କାମ ସାରି ପରା ବଜାର ଆସିଲି, କ’ଣ କରିବି ଛୋଟ ଦୋକାନ ସେଥିରେ ପୁଣି କମ୍ ନଗଦ ଅଧିକ ବାକି, ଦି ପଇସା  ହେଲେ ତ ପୁଣି ଆସିବି ! ତାପରେ ବାଟରେ ସାଇକେଲ ଚେନଟା ଖସିନଥିଲେ ଏତବେଳକୁ ଘରେ ପହଞ୍ଚି ସାରିଥାନ୍ତି ।  ହେଲେ ଏସବୁ କିଛି ଶୁଭିଲାନି ନୀତିଶ କୁ । ଖାଲି ଏତକ ଶୁଭିଲା ଆରେ ଏତେ ଅନ୍ଧାରରେ ତୁ କାଇଁ ଆସିଲୁ, ମୁଁ ଆଉଟିକେ ପରେ ପହଞ୍ଚି ଯାଇ ନଥାନ୍ତି 

 - ହଁ ହଁ ମୁଁ ଜାଣେ ତୁମେ କେତେ ଶୀଘ୍ର ପହଞ୍ଚିଥାନ୍ତ । ମୁଁ ପଛରେ ଲାଇଟ୍‌ ଦେଖଉଛି ତୁମେ ଆଗରେ ଚାଲ । କହିଲା ନୀତିଶ ।

 ବାପା ଚାଲିଲେ ଆଗରେ, ପଛରୁ ଧୀରେଧୀରେ ଚାଲିଲା ନୀତିଶ । ବାପା ଖୁବ୍ କଷ୍ଟରେ ପେଡାଲ୍ ମାରୁଥିଲେ ସତେ ଯେମିତି ତାଙ୍କ ପାଦରେ ଜମାରୁ ବି ବଳ ନଥିଲା । ବାପାଙ୍କ ସାଇକେଲ ଚଲା ଦେଖି ନୀତିଶ ମନେମନେ ଚିଡିକି କ’ଣ ସବୁ କହିଯାଉ ଥାଏ । କିଛି ବାଟ ଗଲା ପରେ , ଠିକ୍ ସେ ଭଙ୍ଗା କୁଅ ପଛକୁ ହର୍ଣ୍ଣ ଦେଇ ନୀତିଶ ରଡ଼ିଟାଏ ଛାଡ଼ିଲା ।

- ଏମିତି ପେଡ଼ଲ୍ ମାରିଲେ ଆମେ ଆଜି ଘରେ ପହଁଚିବା ତ ! 

- ଆରେ ଦେଖୁଚୁ ତ ପଛରେ ଆଳୁବସ୍ତାଟା, ଆଗରେ ପୁଣି ବ୍ୟାଗ । ଏତେ ଲୋଡ୍‌ରେ ପୁଣି ସାଇକେଲ ଗଡ଼ିଲେ ତ ।

- ହଁ ହଁ ମୁଁ ଜାଣେ କେତେ ଲୋଡ୍ ! ତୁମେ ଆଉ ତୁମର ଏ ଦଦରା ସାଇକେଲ ଆଉ ସେ ବ୍ଲଡି ଆଳୁବସ୍ତା ( ଖୁବ୍ ଧିରେକି ଚିଡ଼ିକି କହିଲା ନୀତିଶ) । 

 ବାପାଙ୍କୁ ଶୁଭିଛି କି ନାହିଁ କେଜାଣି । 

ନୀତିଶ ଏବେ ପୁଣି ବଡ଼ ପାଟିରେ କହିଲା ଦିଅ ଦିଅ ସେ ଆଳୁବସ୍ତା କୁ ମୋପଛ ସିଟ୍‌ ରେ ଭିଡ, ମୁଁ ବି ଦେଖେ କେତେ ଲୋଡ୍ ! ଘରେ ଯାଇ ସିଟ୍ ଧୋଇବି ପଛେ, ଶୀଘ୍ର ଯାଇ ଘରେ ପହଞ୍ଚିବାକୁ ହେବ, ଯେମିତି ଏ ଆଳୁବସ୍ତା ଚକ୍କରରେ ମୋ ମ୍ୟାଚ୍ ସରି ନଯାଉ ।

ବାପା ପ୍ରଥମେ ମନା କରୁଥଲେ । ପରେ ଆଳୁବସ୍ତାକୁ କେରିଆର୍‌ରୁ କାଢି ଗାଡ଼ିରେ ଲଧିଲେ । 

- ଏଥର ତ ବାପା ଟିକେ ଯୋରେ ପେଡଲ୍ ମାର ।

- ହଁ ଯାଉଛି । 

- ହୁଁ, ଗୋଟେ ଆଳୁବସ୍ତା ପାଇଁ କୁଆଡେ ଆଙ୍କ ଚକା ଗଡୁନି ! ( ଥିର୍ କି କହିଲା ନୀତିଶ)

 ଆଗରେ ଚାଲିଲେ ବାପା । ପଛରୁ ଗାଡି ଷ୍ଟାର୍ଟ କଲା ନୀତିଶ । କ୍ଲଜ୍ ଛାଡ଼ି ଆକ୍‌ସେଲେରେଟର ବୋଧେ ସେ ହାଇ କରିବାକୁ ଚାହୁଁଥିଲା । ଗାଡି ଟିକେ ଗଡ଼ିଛି କି ନାହିଁ ଦୋହଲି ଗଲା ସଂପୂର୍ଣ୍ଣ ଗାଡି । ଦୋହଲି ଗଲା ନୀତିଶ । ଖୁବ୍ କଷ୍ଟରେ ବାଲାଂଶ କଲା ଗାଡ଼ିକୁ, ତାର ସଂପୂର୍ଣ୍ଣ ଶରୀର କିଛି ସମୟ ପାଇଁ ଯେମିତି ସିହରି ଉଠିଲା । 

 ବୁଲିପଡ଼ି ଆଳୁବସ୍ତାଟାକୁ ଜଳଜଳ କରି ଚାହିଁଲା ନୀତିଶ, କ’ଣ ଦେଖିଲା, କ’ଣ ମାପିଲା କେଜାଣି ସଙ୍ଗେ ସଙ୍ଗେ ମୁହଁ ଫେରେଇ ଆଣିଲା ବାପାଙ୍କ ଆଡ଼କୁ । ବାପା କିନ୍ତୁ ସେତେବେଳକୁ ଖୁବ୍ ଦୂରକୁ ଚାଲିଯାଇଥିଲେ । ତାଙ୍କ ସାଇକେଲ ଏବେ ଆଗ ଅପେକ୍ଷା ଖୁବ୍ ଜୋରରେ ଗଡ଼ିବାକୁ ଲାଗିଥିଲା ।  ନିଜ ଅଜାଣତରେ ନୀତିଶର ଆଖି ଧିରେ ଧିରେ ଜକେଇ ଆସୁଥିଲା, ଛାତି  ଭିତରେ କ’ଣ ଗୋଟେ ଯେମିତି ତାକୁ ଅସ୍ଥିର କରିପକାଉଥିଲା । ଆଉ, ତା ବାଆଁପଟରେ ଥିବା ସେ ଭଙ୍ଗା କୁଅଟା ତାକୁ ଏବେ ସମ୍ପୂର୍ଣ୍ଣ ଦିଶୁଥିଲା ।

 ବୋଧହୁଏ ସେ ଏବେ ଭିତରେ ଭିତରେ ବାପା ହେବାକୁ ଆରମ୍ଭ କରୁଥିଲା..... 

- 7609077023


Reader Reviews

No reviews yet. Be the first to write one!