ଏଣ୍ଡୁଅ
ସୁଧାଂଶୁ ଶେଖର ଦ୍ବିବେଦୀ
ସୁବ୍ରତ ନୂଆଘର ତିଆରି କରିଛି । ସହରଠାରୁ ୧୫ କି: ମି: ଦୂର । ସକାଳ ୧୦ଟା ବାଜିଥାଏ । ପ୍ରଣବ ନିତ୍ୟକର୍ମ ସାରି ଜଳଖିଆ ଖାଇସାରି ବାହାର ପଡ଼ିଲା । ବୈକୁଣ୍ଠ ସାର ନୂଆଘରକୁ ସିପ୍ଟ ହେବା ପ୍ରାୟଃ ୮ ମାସ ହୋଇଗଲାଣି । ଗୃହ ପ୍ରବେଶ ବେଳେ ସୁବ୍ରତ ମୋବାଇଲରେ ମେସେଜ ଦେଇଥିଲା । କିନ୍ତୁ ସେତେବେଳେ କାମର ବ୍ୟସ୍ତତା ପାଇଁ ଯାଇପାରିନଥିଲା । ଏବେ ସମୟ ମିଳିଛି ଯିବାପାଇଁ ବାହାରିଛି । ସାର୍ଙ୍କ ଘର ଗେଟରେ ସୁବ୍ରତର ନାମଫଳକ ଦେଖି ପ୍ରଣବ ଆଶ୍ୱସ୍ତ ହୋଇ ଡୋର୍ ବେଲ ବଜାଇ ପ୍ରତୀକ୍ଷା କଲା । କିଛି ସମୟ ପରେ ନିଜେ ବୈକୁଣ୍ଠ ସାର ଦ୍ୱାର ଖୋଲି ପ୍ରଣବକୁ ଦେଖି ବିଭୋରିତ କଣ୍ଠରେ କହି ଉଠିଲେ, ଆରେ ପ୍ରଣବ ତୁମେ ! କେତେବେଳୁ ଆସିଲଣି ? ଆସ-ଆସ ଭିତରକୁ ଆସ ।
ପ୍ରଣବ ସାରଙ୍କ ଚରଣ ସ୍ପର୍ଶ କରି ଘର ଭିତରକୁ ଗଲା । ବୈକୁଣ୍ଠସାର ତାକୁ ଡ୍ରଇଂ ରୁମର ସୋଫା ଉପରେ ବସିବାକୁ କହି ନିଜେ ସମ୍ମୁଖ ସୋଫାରେ ବସିପଡିଲେ ।
-କେମିତି ଚାଲିଛି ତୁମ ଚାକିରୀ, ଘର ସଂସାର ?
- ସବୁ ଠିକଠାକ ଚାଲିଛି ସାର୍ ।
ମାସ ପୂର୍ବରୁ ପ୍ରଣବ ଦେଖିଥିଲା ସାରଙ୍କ ସ୍ୱାସ୍ଥ୍ୟ ଠିକ ଥିଲା । ବୋଧେ ବୟସାଧିକ ଓ ଡାଇବେଟିସ କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି । ପ୍ରଣବ ମନେ ମନେ ସରଙ୍କ କଥା ଭାବୁ ଭାବୁ ପଚାରିଲା, ସାର! ବହୁଦିନ ହୋଇଗଲାଣି ଆପଣଙ୍କର କୌଣସି ଲେଖା ପତ୍ର ପତ୍ରିକାରେ ବାହାରିନାହିଁ । ସ୍ୱାସ୍ଥ୍ୟ ଠିକ ନାହିଁକି ?
ପ୍ରଣବର ପ୍ରଶ୍ନ ଶୁଣି ବୈକୁଣ୍ଠସାର୍ ଧିରେ କହିଲେ, ନୂଆଘରକୁ ଆସିବାଠାରୁ ଏକରକମ ଲେଖାପଢ଼ା ବନ୍ଦ କରିଦେଇଛି ।
- କାହିଁକି ସାର? ବରଂ ଏ ସ୍ଥାନଟା ତ ପୂର୍ବ ସ୍ଥାନ ଅପେକ୍ଷା ଶାନ୍ତ ହୋଇଛି । ସହରର କୋଳାହଳଠାରୁ ଦୂରରେ । ଏଭଳି ଶାନ୍ତ ବାତାବରଣରେ ଆପଣ ତ ଅଧିକ ଲେଖାପଢ଼ା କରିବା କଥା ।
- ତୁମେ ଠିକ କହିଛ ପ୍ରଣବ, ହେଲେ ମନ ବଳୁନି ।
ଲେଖାପଢ଼ାରେ ସାରଙ୍କଠାରୁ ଏଭଳି ନିରୁତ୍ସାହିତ କଥା ଶୁଣି ପ୍ରଣବ ବଡ଼ ଆଶ୍ଚର୍ଯ୍ୟ ହେଉଥାଏ । ହଠାତ୍ ତାର ମନେ ପଡିଗଲା ବିଗତ ଦିନର ସ୍ମୃତି । ସେଦିନ କଲେଜ ଷ୍ଟାଫରୁମରେ ପେପରରେ ବାହାରିଥିବା ରବିବାରୀୟ ପୃଷ୍ଠା ପଢୁଥାଏ ସେ । ହଠାତ ରୁମ୍ ଭିତରକୁ ବୈକୁଣ୍ଠ ସାର ପଶି ଆସିଲେ । ସାରଙ୍କୁ ଦେଖିବା ମାତ୍ରେ ପ୍ରଣବ ଛିଡା ହୋଇ ଗଲା । ସେ ପୂର୍ବରୁ ଜାଣିଥାଏ ସାର୍ ଜଣେ ଓଡ଼ିଆ ଅଧ୍ୟାପକ ଓ ଜଣାଶୁଣା ଲେଖକ । ତାଙ୍କ ଲେଖା ପ୍ରାୟତଃ ପ୍ରତ୍ୟେକଟି ପତ୍ର ପତ୍ରିକାରେ ପ୍ରକାଶ ପାଏ । କେତୋଟି ନିଜସ୍ୱ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି । ସାର୍ ଷ୍ଟାଫରୁମର ଚେୟାରରେ ବସି ପଚାରିଲେ, ନୂଆ ଆସିଛ ?
ହଁ ସାର ।
-ନାଁ କଣ?
ପ୍ରଣବ ମହାନ୍ତି ।
-ସବଜେକ୍ଟ?
କମର୍ସ ।
-କେତେଦିନ ହେବ କଲେଜ ଆସିଲଣି?
୪ ମାସ ।
ବୈକୁଣ୍ଠ ସାର ତାକୁ ପାଖ ଚେୟାରରେ ବସିବା ପାଇଁ ଇଶାରା କରି ପୁଣି ପଚାରିଲେ, କମର୍ସ ପଢୁଛ ପୁଣି ସାହିତ୍ୟରେ ରୁଚି ରଖିଛ । ସାହିତ୍ୟରେ କ\’ଣସବୁ ପଢ଼?
ଗଳ୍ପ ।
-କାହାର ଗଳ୍ପ ବେଶୀ ପଢ଼?
ସାର! ସମସ୍ତଙ୍କ ଗଳ୍ପ ମୋତେ ଭାରି ଭଲ ଲାଗେ ।
-ଠିକଅଛି । କେବେ ସନ୍ଧ୍ୟାରେ ମୋ ଘରକୁ ଆସ ସାହିତ୍ୟ ବିଷୟରେ ବସି ଆଲୋଚନା କରିବା । ତାପରଠାରୁ ପ୍ରଣବ ପ୍ରତି ରବିବାର ସନ୍ଧ୍ୟାରେ ବୈକୁଣ୍ଠସାରଙ୍କ ଘରେ ପହଞ୍ଚିଯାଏ । ବିଳମ୍ବିତ ରାତିଯାଏ ସାହିତ୍ୟ ଉପରେ ଗମ୍ଭୀର ଚର୍ଚ୍ଚା ହୁଏ । ସାରଙ୍କ ମାର୍ଗଦର୍ଶନରେ ପ୍ରଣବର କେତୋଟି ଗଳ୍ପ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶ ପାଇଲା । ଗଳ୍ପକୁ ନେଇ ସାହିତ୍ୟ ମହଲରେ ବହୁତ ଚର୍ଚ୍ଚା ହେଲା । ପ୍ରଣବର ନାଁ ପ୍ରତିଷ୍ଠିତ ସାହିତ୍ୟ ସଙ୍ଗଠନରେ ଯୋଡ଼ିଗଲା । ଏହା ମଧ୍ୟରେ ସେ ବୈକୁଣ୍ଠ ସାରଙ୍କ ନିଜ ଜୀବନ ବିଷୟରେ ଅନେକ କିଛି ଜାଣିସାରି ଥାଏ । ବୈକୁଣ୍ଠ ସାର ଗରିବରୁ ସଙ୍ଘର୍ଷ କରି କଲେଜ ପଢ଼ା ଶେଷ କରିବାପରେ ଯେମିତି ଚାକରୀ ଚାହିଁଥିଲେ ତାଙ୍କ ମନ ମୁତାବକ ଚାକିରୀ ପାଇଲେ । ସ୍ତ୍ରୀ ଜୟନ୍ତୀ ମାଡାମ ତାଙ୍କ ଜୀବନକୁ ଆସିଲେ । ସାହିତ୍ୟିକ ଜୀବନରେ ତାଙ୍କୁ ବହୁତ ମାନ ସମ୍ମାନ ମିଳିଛି ।
-ସେଇବେଳୁ କଣ ଭାବୁଛ ପ୍ରଣବ?
କିଛି ସମୟ ପ୍ରଣବ ପୁରୁଣା ସ୍ମୃତିରେ ହଜି ଯାଇଥିଲା । ଆକସ୍ମିକ ସାର୍ଙ୍କ ପ୍ରଶ୍ନରେ ପ୍ରକୃତିସ୍ଥ ହୋଇ କହିଲା,
ସାର୍ ! ବହୁଦିନ ପରେ ଆପଣଙ୍କୁ ଦେଖି ଆଜି ପୁରୁଣା ସ୍ମୃତି ସତେଜ ହୋଇଯାଇଥିଲା ।
-ତମ ମୋ ଭିତରେ ସେଭଳି କିଛି ଘଟଣା ତ ଘଟିନାହିଁ ?
ଆପଣଙ୍କ ସହିତ ମିଶିବା, ସାହତ୍ୟିରେ ଯୋଡ଼ିହେବା ଏସବୁ ମୋ ପାଇଁ ବଡ଼ ସୌଭାଗ୍ୟ ସାର୍ ।
-ଆଛା ଚାଲ, ଘରର ଅନ୍ୟ ରୁମଗୁଡିକ ତୁମକୁ ଦେଖାଇଦେବି । କହୁ କହୁ ସୋଫାରୁ ଉଠି ଆଗକୁ ବଢିଲେ ସେ ।
ସାର ଆଜି କ\’ଣ ଘରେ ଆପଣ ଏକା ? ସୁବ୍ରତ, ଭାଉଜ, ସୌରଭ ଏମାନେ ଦେଖିବାକୁ ମିଳୁନାହାନ୍ତି?
-ଆଜି ରବିବାର, ଛୁଟିଦିନ । ଏଇ ଦିନରେ ସେମାନେ ପ୍ରାୟତଃ ବାହାରେ ରୁହନ୍ତି । ରାତିରେ ଫେରିବେ ।
ତାପରେ ସାରଙ୍କ ସହିତ ଘରର ପ୍ରତିଟି ରୁମ ଦେଖିବାକୁ ଲାଗିଲା ପ୍ରଣବ ।
-ଗୋଟେ ରୁମ ସୁବ୍ରତ ଓ ତା ସ୍ତ୍ରୀର । ତା ସାଇଡ଼ରେ ଥିବା ରୁମ ସୌରଭ ଓ ମୋର । ଆଉ ଏଇଟା ସୌରଭର ଷ୍ଟଡି ରୁମ । ତା ସାଇଡ଼ରେ କିଚେନ, ଠାକୁର ଘର, ବାଥ ରୁମ । ଗୋଟେ ପରେ ଗୋଟେ ରୁମକୁ ବୁଲେଇ ବୁଲେଇ ସାର ଦେଖାଉଥାଆନ୍ତି ।
ସବୁ ଘରେ ନୂଆ ନୂଆ ଫର୍ନିଚର ଦେଖି ପ୍ରଣବ ପଚାରିଲା, ଆଛା ସାର୍, ଆପଣଙ୍କ ବହି ଭର୍ତ୍ତି ଥିବା ଦୁଇଟି ବଡ଼ ବଡ଼ କାଠ ଆଲମାରୀ ତା’ଉପରେ ରେକ ଯେଉଁଥିରେ କେତେପ୍ରକାର ପତ୍ରିକା ରହିଥିଲା । ପୁଣି ଆପଣଙ୍କ ପୁରସ୍କାର, ସମ୍ବର୍ଦ୍ଧନାର ଟ୍ରଫି ସେସବୁ ତ କାହିଁ କୌଣସି ରୁମରେ ଦେଖି ପାରିଲି ନାହିଁ ?
-ଆରେ ସେସବୁ ପୁରୁଣା ବହି ହଳଦୀ ରଙ୍ଗ ପଡିଯାଇଥିଲା । ଏବେ ସେସବୁ ବହି ପଢ଼ିବା ଲାଗି ଲୋକ କାହାନ୍ତି? କାହାପାଇଁ ସମ୍ଭାଳି ରଖିବି? ବହି, ଟ୍ରଫି, ସମ୍ବର୍ଦ୍ଧନା ସାର୍ଟିଫିକେଟ ସବୁକିଛି ସୌରଭର ପଲଙ୍କ ତଳେ ଠୁସା ହୋଇଛି ।
କିନ୍ତୁ ସାର ଏତେବଡ଼ ଘରେ ଆପଣଙ୍କ ବହି, ସାର୍ଟିଫିକେଟ, ଟ୍ରଫି ଇତ୍ୟାଦି ରଖିବାକୁ କ’ଣ ଜାଗା ନଥିଲା?
-ଜାଗା କାହିଁ? ତୁମେ ତ ଦେଖୁଛ । ଆଜିର ସମୟରେ ସେସବୁ ବସ୍ତୁର କୌଣସି ପ୍ରୟୋଜନ ନାହିଁ । ସବୁ ନିରର୍ଥକ । ଡ୍ରଇଂ ରୁମ ରେ ସୁବ୍ରତର ଜିନିଷପତ୍ର, ଫାଇଲ, ଲ୍ୟାପଟପ ଏଣେ ତେଣେ ପଡି ରହିଛି । କାନ୍ଥରେ ବିଦେଶୀ ମହିଳା ଖେଳାଳୀଙ୍କ ପୋଷ୍ଟର ଲଗା ହୋଇଛି । ବାହାର ବଗିଚା ମୂଲ୍ୟବାନ ମାର୍ବଲରେ ସଜ୍ଜା ହେଉଛି । ସମୟ ଖୁବଶୀଘ୍ର ବଦଳି ଚାଲିଛି ପ୍ରଣବ । ଆଉ ଆମ ପରି ଲୋକମାନେ ମୂକ ଦର୍ଶକ ହୋଇ ସେମାନଙ୍କ କଥାରେ ଏଣ୍ଡୁଅ ଭଳି ମୁଣ୍ଡ ଟୁଙ୍ଗାରିବା ଛଡା ଆଉ କଣ ଉପାୟ ଅଛି !!
ବିସି-୭୪,ସଲଟ କେକ, କଲକତା-୬୪, ମୋ-୯୬୮୧୩୭୩୫୧୨