ସୁଖବାସୀ
ଗୋବିନ୍ଦ ତ୍ରିପାଠୀ
ଲୋକଟା ଥିଲା ଗରିବ, ଅତ୍ୟନ୍ତ ଗରିବ । ଜମିଭୂମୀ କିଛି ନାହିଁ । ଖଟିଲେ ଖାଏ । ଯେଉଁଦିନ ସେ କାମକୁ ଯାଇ ପାରେନାହିଁ, ଦିନ ଠୋ ଉପାସରେ ରହନ୍ତି ତା ପିଲାମାନେ । ଚାଷବାସ କିଛି ନାହିଁ । ସଞ୍ଚୟ ବୋଲି କିଛି ନାହିଁ । ଆହା ପଦକର ସାହା ହେବାକୁ ବି କେହି ନାହିଁ ।
ତଥାପି କେଜାଣି କାହିଁକି ଯେ ଲୋକେ ତାକୁ ହିଁ କହନ୍ତି ସୁଖବାସୀ । କାହିଁକି କହନ୍ତି? ଏତେଏତେ ଦୁଃଖ ଯନ୍ତ୍ରଣା ଭିତରେ ବଂଚୁଥିବା ମଣିଷଟି ସୁଖବାସୀ ହୋଇପାରେ କେମିତି ? ତେଲଲୁଣର ନିତିଦିନିଆ ଅଭାବୀ ସଂସାରକୁ ନେଇ ସୁଖରେ ବାସ କରେ କେମିତି? ସେତକ ତା କ୍ଷୁଦ୍ରମସ୍ତିଷ୍କର ସୀମିତ ଜ୍ଞାନ ଆଉ ଅଳ୍ପବୁଦ୍ଧିରେ ଭେଦି ପାରେନାହିଁ ।
ସୁଖ କ’ଣ ? କେମିତିକା ଦିଶେ ? ଖଟା କି ମିଠା, କେମିତିକା ତାର ସ୍ୱାଦ? ସେଇ ଅନୁଭୁତି ମଧ୍ୟ ତା’ର ନାହିଁ । ଲୋକଟିର ଯାହା ମନେ ପଡ଼ୁଛି, ସୁଖ ସହ ତା’ର ମୁଲାକାତ ହୋଇନାହିଁ ଆଜନ୍ମରୁ କେବେଦିନେ । ତଥାପି ଲୋକେ ତାକୁ ସୁଖବାସୀ ବୋଲି କହିବାର ଗୁଢ଼ ରହସ୍ୟ କଣ? ଏ ବିଷୟରେ ଭାବି ବସିଲେ ଗୋଳମାଳ ହୋଇଯାଏ ତା’ ମୁଣ୍ଡ । ବାଟବଣା ହୋଇଯାଏ ତା’ର ସବୁତକ ବୁଦ୍ଧି ଆଉ ବିବେକ । ସୁଖକୁ ନେଇ ତା’ ଅଙ୍ଗେନିଭା ଅନୁଭୁତି ବିଷୟରେ କେବେ କେହି କିଛି ପଚାରିଲେ ବଡ଼ କାରୁଣ୍ୟ ଭରା କଣ୍ଠରେ ସେ ଗାଇଉଠେ, ପିଲାଦିନେ ପଢ଼ିଥିବା କବିବର ରାଧାନାଥଙ୍କ କବିତାରୁ ପଦଟିଏ -
"ସୁଖ ବୋଲି ଯାହା ଜନନେତ୍ରେ ଦିଶେ । ହାତେ ଆସି ହାତୁଁ ଖସିବା ପାଇଁସେ ।
ସୁଖ ନୁହଇ ସେ ଅଟଇଟି ଧୁମ । ଅନ୍ୟ ନାମ ତାର ଆକାଶ କୁସୁମ ।\’
ହଁ, ତା’ ପରି ମଳିମୁଣ୍ଡିଆ ଗରିବ ଲୋକଙ୍କ ପାଇଁ ସୁଖଟା ଆକାଶ କୁସୁମ ନୁହେଁ ତ ଆଉ କ’ଣ ? କାହିଁକି ଯେ, ଏଇ ମନଲୋଭା ସୁଖ କିନ୍ତୁ ସେମାନଙ୍କ ଭାଗ୍ୟରେ ନଥାଏ । ଲୋକଟା ଅବଶ୍ୟ ଜଣେ ଭୂମିହୀନ ଗରିବ । ହେଲେ ଜମାରୁ କର୍ମକୁଢ଼ ନୁହେଁ । ଚାଷଦିନେ ପରବିଲରେ ବାହାମାଜେ । ଗୋତି ଖଟେ । ଆଉ ତିରୋଟ ସମୟରେ, ଗୋତି ଖଟେଇବା ପାଇଁ ଯେତେବେଳେ କୋଉ ସାଉକାର ହାତରେ କାମ ନଥାଏ ସେତେବେଳେ ଲୋକଟା ଖରାତରା କିଛି ନମାନି ଦାଦରର ଛାତି ତାଡ଼ି ମାଟି ଖୋଳେ । ପଥର ଭାଙ୍ଗେ । ଗେଟି ଫଟାଏ । ଡଲେ, ଦି ଡଲା ଯୋଉଦିନ ଯେତିକି ସମ୍ଭବ । ତାକୁ ପୁଣି ହପ୍ତା ଶେଷରେ ଶାଗମାଛ ଦରରେ ଠିକାଦାରକୁ ମାପିଦିଏ, ସହରରେ ବଡ଼ ବଡ଼ିଆ ବାବୁଭାୟାମାନଙ୍କ ନିମନ୍ତେ କୋଠାଘର ତୋଳା ହେବା ପାଇଁ । ସେଥିରୁ ଯେତିକି ଆୟ ହୁଏ, ସେତିକିରେ କଷ୍ଟେମଷ୍ଟେ ସପ୍ତାହଟିଏ ବିତିଯାଏ ସେମାନଙ୍କ । ଆଉ ରୋଗ ବାଧିକାକୁ ତ ଈଶ୍ୱର ହିଁ ଭରସା ।
ସଂଜ ହେଲେ, ଯେତେବେଳେ କାଉ କୋଇଲି ବସାକୁ ବାହୁଡ଼ି ନିଘୋଡ଼ ନିଦରେ ଶୋଇଯାନ୍ତି, ସେତେବେଳେ କୋଡ଼ି କୋଦାଳ କାନ୍ଧରେ ବୋହି ଘରକୁ ଫେରିଅସେ ଲୋକଟି । କାହାର କଥାରେ ମୁଣ୍ଡ ପୁରାଇବାକୁ କି ଗାଁ ଦାଣ୍ଡରେ ବସି ମାମଲତି କରିବାକୁ ତା ପାଖରେ ସମୟ ନଥାଏ । ରାତିରେ ଶାଗପଖାଳ ଖାଇ ପିଲା ଛୁଆଙ୍କ ସାଥିରେ ଖୁସି ଗପ କରୁ କରୁ ଅଚିନ୍ତାରେ ଶୋଇ ପଡ଼େ ସେ । ନା ଅଛି ବିଲମାଳ ଯେ ଚିନ୍ତା କରିବ ବିଲ ଫସଲ କଥା, ଅବା ନା ଅଛି ଅପର୍ଯ୍ୟାପ୍ତ ସଂଚିତ ଧନ ଯେ ଚୋରି ଭୟରେ ଉଜାଗର ରହିବ ରାତିସାରା । ହଁ, ସେମିତିରେ ଲୋକେ ବି କହନ୍ତି ଯାହାର ନାହିଁ ଗାଈ ଗୋରୁ, ସେ ଲୋକ ସୁଖ ନିଦ୍ରା କରୁ । ତେଣୁ ସାରାରାତି ଫୁକ୍ରେଇ ଫୁକ୍ରେଇ ଶୋଇପଡ଼େ ସେ ଅଚିନ୍ତାର ନିଦ, ନୈସର୍ଗିକ ନିଦ । ତାର ଏଇ ଅଚିନ୍ତାର ନିଦ ପାଇଁ ତା\’ ପରି ଲୋକମାନଙ୍କୁ ଈର୍ଷା କରନ୍ତି ଧନୀ ମାନି ପୁଞ୍ଜିପତି ଲୋକମାନେ । ବୋଧହୁଏ ଏଇ ଶାନ୍ତିର ନିଦ ପାଇଁ ସେମାନଙ୍କ ଭିତରୁ କେହିଜଣେ ଥଟ୍ଟାମଜାରେ କେବେଦିନେ ଏମାନଙ୍କ ଭଳି ସାଧାରଣ ଖଟିଖିଆ ମେହେନତି ମଣିଷଟିକୁ ସୁଖବାସୀ ବୋଲି ଦାଏକା ମାରିଛି ଯେ ସେଇ ଦିନଠୁ ଆଜିଯାଏଁ ଦୁନିଆର ସକଳ ଦୁଃଖ ଯନ୍ତ୍ରଣା ଭୋଗୁଥିବା ସତ୍ତ୍ୱେ ସେମାନେ ପାଲଟି ଯାଇଛନ୍ତି ସତକୁ ସତ ସୁଖବାସୀ । ସୁଖରେ ବାସ କରୁଥିବା ଜଣେ ଜଣେ ନିର୍ଭେଜାଲ୍ ମଣିଷ ।
ଜଳସେଚନ ଅଭାବରୁ ଖରାଦିନେ ବିଲରେ ଚାଷ ନଥାଏ କି ଚାଷୀ ହାତରେ କାମ ନଥାଏ । ସେତେବେଳେ ତାକୁ କିଏ କାମ ଦେବ ଯେ ପରଘରେ ମୂଳ ଲାଗିବ ଲୋକଟି? ତେଣୁ ବର୍ଷାଋତୁ ଆସିବା ଯାଏ ପଥର ତାଡ଼ିବା ଆଉ ଗେଟି ପିଟିବା ହିଁ ହେଉଛି ତାର ଏକମାତ୍ର ବେଉସା । ଅର୍ଥ ଉପାର୍ଜନର ଏକମାତ୍ର ମାଧ୍ୟମ । ଏତକ କାମ କଲେ ଯାଇ ତାଙ୍କ ଚୁଲି ଉପରକୁ ହାଣ୍ଡି ଯାଏ । ଚାଉଳ ପଡ଼େ । ନଚେତ୍ ପିଲା କବିଲା ସମସ୍ତେ ରହନ୍ତି ଠୋ ଉପାସ । ତେଣୁ ଦେହ ପା’ ଯେତେ ଯାହା ଅସୁବିଧା ଥିଲେ ବି କେତୋଟି ଛୋଟ ବଡ଼ ହାତୁଡ଼ି, କୋଡ଼ି, ଶାବଳ, ଗଇନ୍ତିକୁ କାନ୍ଧରେ ବୋହି ନିତିଦିନ ପଥର ଖୁଦାନକୁ ଆସୁଥିଲା ଲୋକଟି । ହୁଏତ କେବେଦିନେ ସୂର୍ଯ୍ୟ ଚନ୍ଦ୍ର ଉଦୟ ଅସ୍ତ ହେବାରେ ବ୍ୟତିକ୍ରମ କରୁଥାଇ ପାରନ୍ତି, କିନ୍ତୁ ତାର ଏଇ ରୁଟିନ୍ ବନ୍ଧା ଜୀବନରେ ବ୍ୟତିକ୍ରମ ହେଉ ନଥିଲା କେବେହେଲେ ।
ସବୁଦିନ ପରି ସେଦିନ ମଧ୍ୟ ସିନ୍ଦୁରା ଫାଟିବା ପୂର୍ବରୁ ତାଙ୍କ ଗାଁ ଦାଦରକୁ ଚାଲି ଆସିଥିଲା ଲୋକଟି । ତାର ପାଂଚ ଫୁଟିଆ ଶାବଳ ମାଡ଼ରେ ଖଣ୍ଡ ଖଣ୍ଡ କରି ପକାଉଥାଏ ମାଟିର ଛାତି । ଫୋପାଡ଼ି ଦେଉଥାଏ ଗାଣ୍ଡୁଆ ଗାଣ୍ଡୁଆ ମାଟି । ଆଉ ମାଟି ପେଟରୁ ବଳ ପୂର୍ବକ ଓଟାରି ଆଣୁଥାଏ ଖଣ୍ଡ ଖଣ୍ଡ ପଥର । ଛୋଟ ବଡ଼ କଳା କଳା ମୁଗୁନି ପଥର । ତାକୁ ପୁଣି ବୋହି ନେଉଥାଏ ସେ ପାଖରେ ଥିବା ତା’ ଅତିପ୍ରିୟ କୁରୁମା ନିକଟକୁ, ଯେଉଁଠି ତା’ ହାତୁଡ଼ିର ତୀବ୍ର ପ୍ରହାରରେ ସେଇ ସଶକ୍ତ ମୁଗୁନି ପଥର ଖଣ୍ଡ ସବୁ ଛିଟିକି ପଡୁଥାଏ ଟିକି ଟିକି ଚିପ୍ସ, ଗେଟି ଆଉ ମେଟାଲ୍ ହୋଇ । ଝାଳନାଳ ହୋଇ ଯାଉଥାଏ ସେ । ତଥାପି କେତେବେଳେ ହେଲେ ଅଟକି ଯାଉ ନଥାଏ ତା ହାତ କି ପାଦ ।
\"ଥିର୍ପିଆ ବେଲା’ ଗଡ଼ି ଯାଉଥିଲା । ପଥର ଭାଙ୍ଗୁ ଭାଙ୍ଗୁ ଗାଁ ବାଟକୁ ପିଲାତି ନେଉଳ ପରି ରହି ରହି ଅନାଉ ଥିଲା ସେ । ତା ସ୍ତ୍ରୀ ବାଲମତୀର ଆସିବା ସମୟ ଇଏ । ଏଇ ସମୟରେ ତା ପାଇଁ ପଖାଳ କଂସା ମୁଣ୍ଡାଇ ଦାଦରକୁ ଆସେ ସେ । ପଖାଳ ଖାଇବା ଭିତରେ ଘରର ଯାବତୀୟ ସୁଖଦୁଃଖ ହେବାକୁ କିଛି ସମୟ ମିଳିଯାଏ ତାଙ୍କୁ । କାହିଁକି ଯେ ବାଲମତିର ଆସିବାଟା ଉଚ୍ଛୁର ହେଉଥିଲା ସେଦିନ । କିଛି ଅଘଟଣର ଅଜଣା ଆଶଙ୍କାରେ ବ୍ୟସ୍ତ ବିବ୍ରତ ହୋଇ ପଡୁଥିଲା ସେ । ଆଜିକାଲିକାର ସମୟ ଯାହା, ଝିଅ ଭଉଣୀରମାନ ମହତ ଟିକକ ସୁରକ୍ଷିତ ରହିପାରୁନି ଘରେ ବାହାରେ କୋଉଠି ହେଲେ । ପୁରାପୁରି ପାଗଳ ହୋଇ ଗଲେଣି ଆଜିକାର ଲୋକମାନେ । କେମିତି ହେଲେ ନହେବେ ? ଘରେ ଘରେ ତ କୁଚିଆ ଭାଟି । ଚା ଦୋକାନ ପାନ ଦୋକାନ ସବୁଠି ମିଳୁଛି ଝୁରି ଛାପ୍ ମଦ ପାଉଚ୍, ନହେଲେ କଫ୍ ସିରପ୍ । ସେମାନଙ୍କୁ ବାଇଆ କରିଦେଲାଣି ଏଇ ନିଶା ରାକ୍ଷସ । ହିତାହିତ ଜ୍ଞାନ ବି ରହୁନି ଯେମିତି । କେଜାଣି କେବେ ଜ୍ଞାନୋଦୟ ହେବ ଯେ ସେମାନଙ୍କର । ପଥର ଫଟାଉ ଫଟାଉ କେତେ କ’ଣ କଥା ହେବାକୁ ଲାଗିଥିଲା ଲୋକଟି ତା’ ମନକୁ ମନ ।
ଠିକ୍ ଏତିକି ବେଳେ ତା’ ପାଇଁ ପଖାଳ ଧରି ଆସିଲା ତା ପୁଅ ରତନ । ଏବେ ସପ୍ତମ ଶ୍ରେଣୀରେ ପଢୁଛି ସେ । ଭଲ ପଢୁଛି ବୋଲି ତା’ ମାଷ୍ଟ୍ରେ ଆଜ୍ଞା ତାକୁ କହୁଥିଲେ ସେଦିନ । ଏମିତି ପଢ଼ିବା ଜାରି ରଖିଲେ କୁଆଡ଼େ ସରକାରୀ ଚାକିରୀ ଖଣ୍ଡେ ବି ପଇବା ଥୟ । ଏମିତି କିଛି କଥା ମଧ୍ୟ କହୁଥିଲେ ତା’ ମାଷ୍ଟ୍ରେ ଆଜ୍ଞା । ପୁଅ ଉପରେ ଲୋକଟାର ବଡ଼ ଭରସା । ନିଜ ଦେଇ ତ ହେଲା ନାହିଁ, ମା ସମଲେଇଙ୍କ ଦୟାରୁ ତାଙ୍କ ପୁଅ ହେଲେ କୋଉ ତିରେନାରେ ଲାଗି ଯାଆନ୍ତା । ତାଙ୍କୁ ନପୋଷିଲେ ନାଇଁ, କମ୍ସେ କମ୍ ତା’ପରି ପରବିଲରେ ଗୋତି ନଖଟୁ କି ଖରାତରା ନମାନି ଦାଦର୍ରେ ପଥର ଭାଙ୍ଗୁ ଭାଙ୍ଗୁ ନିଜେ ଖଣ୍ଡେ ନିରସ ପଥର ହୋଇ ନଯାଉ । ନଥିବା ଘରର ସମସ୍ତେ ଏମିତି ଏକ ଆଶାରେ ବଂଚିଥାନ୍ତି । ତେଣୁ ସେଇ ଲୋକଟା ମଧ୍ୟ ତା’ ପୁଅକୁ ନେଇ ଥିଲା ଖୁବ୍ ଆଶାବାଦୀ ।
ମୋ ରଫ୍ଖାତା ସରିଗଲାଣି ବାପା । କଲମରୁ ସ୍ୟାହି ବି ସରିଗଲାଣି । ଘରକୁ ଗଲେ କିଣିଦେବ ଆଜି । ବାପା, ଏଇ ଦେଖ ମୋ ଜାମା ମଧ୍ୟ ଫାଟି ଗଲାଣି । ଆମେ କେବେ କିଣିବା ଯେ..? କୁର୍ମା ଭିତରେ ପଖାଳ ରଖୁରଖୁ ଅର୍ଦ୍ଦଳି କଲା ପରି କହିଲା ରତନ ।
କିଣିବା ବେଟା, କିଣିବା । ଆଜି ହିଁ କିଣିବା ତୋ ପାଇଁ ଖାତା ଆଉ କଲମ । ଲୋକଟି କହିଲା ଖାତା କଲମ କିଣି ନଦେଲେ ପାଠ ପଢ଼ିବୁ? ଗେଟି ଦୁରା ବିକିଛି ଆଜି । ଆହୁରି ମଧ୍ୟ ଏଇମାସରେ ଯେମିତି ହେଲେ ନୂଆ ପେଣ୍ଟ୍ ସାର୍ଟ ବି କିଣି ଦେବି ମୁଁ । ଆ.. ବାସି ମୁଠେ ମୁଠେ ଖାଇନେବା ଆମେ ଦୁହେଁ । ଆଚ୍ଛା ବେଟା, ତୋ ମାଆ ଆସିଲା ବେଳେ ଲୁଣ ଲଙ୍କା ଦେଇଛି କି ନାଇଁ ?
ଆଣିଛି ଗୋ, ବାପା ଆଣିଛି । ଏଇ ଦେଖ, ମୋ ଗାମୁଚ୍ଛା କାନିରେ କେମିତି ବାନ୍ଧି ଦେଇଛି ମୋ ମାଆ । ଲୁଣଲଙ୍କା ବିନା କେବେ କ’ଣ ପଖାଳ ଖାଇହୁଏ ଯେ ମୁଁ ଭୁଲିଯିବି ? ଗାମୁଛା କାନିରେ ବନ୍ଧା ହୋଇଥିବା ଲୁଣଲଙ୍କା ପୁଡ଼ିଆକୁ ଦେଖେଇ କହିଲା ରତନ । କୁର୍ମା ଭିତରେ ବସି ମନଖୁସିରେ ପଖାଳ ଖାଇଲେ ବାପପୁଅ ଦିଜଣ ଯାକ । ହାତ ଧୋଇ ସାରିଲା ପରେ ପରେ ବାଘ ଦେଖି ଚମକି ଉଠିଲା ପରି ହଠାତ୍ ସେଇଠୁ ଖସିଗଲା ଲୋକଟି । ଗଲା ବେଳେ ରତନକୁ କହିଗଲା ପୁଅରେ, ଏଇ କୁର୍ମା ଭିତରେ ତୁ ବସିଥା କ୍ଷଣେ । ମୋ ବିଷୟରେ କେହି ଆସି ପଚାରିଲେ କହିବୁ, ମୋ ବାପାର ପେଟ ଗୋଳମାଳ ଅଛି । ଏଇନେ ପୋଖରୀ ପାଣି ଯାଇଛି ।
ହଠାତ୍ ତା ବାପାଙ୍କ ପେଟ ଗୋଳମାଳ ହେବାର କାରଣ କିଛି ବୁଝି ପାରୁନଥିଲା ରତନ । କୁର୍ମାରୁ ପଦାକୁ ବାହାରି ଏପଟ ସେପଟକୁ ଅନେଇ ଦେଖୁ ଦେଖୁ ଦେଖିଲା କିଛି ଦୂରରେ ଖଣ୍ଡେ ସାଇକେଲ୍ ଚଢ଼ି ତାଙ୍କ କୁର୍ମା ଆଡ଼େ ଧପାଳିଛନ୍ତି ଜଣେ ବାବୁ । ତାଙ୍କୁ ଠିକ୍ ଚିହ୍ନିଛି ରତନ । ଆଗରୁ ବି ଅନେକ ଥର ଏଇ କୁର୍ମା ପାଖକୁ ଆସିଛନ୍ତି ଏଇ ବାବୁ ଜଣକ । ସେ ଆସିଲା କ୍ଷଣି ମନଇଚ୍ଛା ଖୁବ୍ ଗାଳିଗୁଲଜ କରନ୍ତି ତା ବାପାକୁ । ତାଙ୍କ ଭାଷରେ ତା ବାପା ପରା କୁଆଡ଼େ ଜଣେ ଚୋର, ଯିଏ ସରକାରୀ ସମ୍ପତ୍ତିକୁ ଲୁଟ୍ କରୁଛି ଦିନଦହାଡ଼େ । ଯେତେ ଗାଳି କଲେ ହେଁ ତା ବାପା କିନ୍ତୁ ଖରାପ କଥା ପଦେ କହି ନାହାନ୍ତି କେବେଦିନେ । ବରଂ ବଡ଼ ବିକଳ ଭାବେ ହାତ ଯୋଡ଼ି ବାବୁଙ୍କ ଆଗରେ କାକୁତି ମିନତି କରୁଥାନ୍ତି ସେ । ଆଉ ଯେତେବେଳେ ତାଙ୍କ ଅଣ୍ଟିରୁ କାଢ଼ି ଅଠର ଚଉତା କିଛି ଟଙ୍କା ତାଙ୍କ ହାତକୁ ବଢ଼େଇ ଦିଅନ୍ତି, ସେତେବେଳେ ପୋଷା ବିରାଡ଼ି ପରି ସେଇଠୁ ଚୁପ୍ ଚାପ୍ ଚାଲିଯାଆନ୍ତି ବାବୁ ଜଣକ । ଏହା କିନ୍ତୁ ତା କୁନି ମଗଜକୁ କେବେ ଢୁକେନାହିଁ । ଏହାର ରହସ୍ୟ କଣ ସେ ଅବା ବୁଝି ପାରିବ କେମିତ? ବାପା ଗୋ, ତୁମେ କଣ ସତରେ ସରକାରୀ ସମ୍ପତ୍ତିକୁ ଲୁଟ୍ କରୁଛ କି ଚୋରି କରୁଛ? କାନ୍ଦ କାନ୍ଦ ହୋଇ ଦିନେ ତା ବାପାଙ୍କୁ ପଚାରିଥିଲା ରତନ ।
ନାଇଁ ବେଟା,ମୁଁ ଚୋର ନୁହେଁ କେବେହେଲେ । ଲୁଟ୍, ରାହାଜାନି କି ଡକାୟତି ତ ଦୂରର କଥା, ମୋ ଜାଣତରେ କାହାର କୁଟାଖଣ୍ଡେ ଛୁଇଁନାହିଁ କେବେଦିନେ । ଆପଣାର ବାହା ଖଟେଇ ଖଟି ଜାଣିବା ଲୋକ, କାହିଁକି ଅବା କାହାର ଧନ ସଂପତ୍ତି ଲୁଟ କରିବ କି ଚୋରି ଡକାୟତି କରିବ? ସେତକ ଅସାମାଜିକ ଚୋର ବଦମାସ୍ ଲୋକଙ୍କ କୁକର୍ମ । କର୍ମକୁଢ଼ମାନଙ୍କ କାମ । ମେହେନତି ମଣିଷକୁ ଶୋଭା ପାଏନାହିଁ ସେସବୁ । କିଛି ସମୟ ଚୁପ୍ ରହି ଥର ଥର କଣ୍ଠରେ ସେ ପୁଣି କହିଲେ ତୋ ଆଖିକୁ ମୁଁ କ’ଣ ସତରେ ଚୋର କି ଡକାୟତ ପରି ଦିଶୁଛି ବେଟା? ମୁଁ କଣ ରାହାଜାନି କରୁଛି ନା କାହାର ତୋଟିକାଟି ଧନ ଅର୍ଜନ କରୁଛି? ତୁ ତ ସବୁଦିନ ଦେଖୁଛୁ ପୁଅ, ସକାଳୁ ସଂଜ କିପରି ଏଇ ମାଟି ସାଙ୍ଗରେ ମାଟି ହୋଇ ପଥର ତାଡୁଛି? ଝାଳନାଳ ହୋଇ ଗଧ ଖଟଣି ଖଟୁଛି । ଧରଣୀ ମାଆ ତା ଗର୍ଭରେ ସଂଚିଥିବା ପଥର ତାଡ଼ୁଛି ଯାହା । ଆଉ ଏଇ ପଥର ତାଡ଼ିବାଟା ଯଦି ଚୋରି ହୁଏ, ତେବେ ନିତିଦିନ ସେଇ କାମ ହିଁ କରୁଛି ମୋ ଧନ । ଏତିକି କହିଲା ବେଳକୁ ବାଷ୍ପରୁଦ୍ଧ ହୋଇ ଯାଇଥିଲା ତାଙ୍କ କଣ୍ଠସ୍ୱର । ସେଦନି ତାଙ୍କ ପଥର ପରି ଟାଣ ହୃଦୟ ଫଟେଇ ଆଖିକୋଣରୁ ବୋହି ଆସୁଥିଲା ଅମାନିଆ ଲୁହଧାର, ପୁଅଠୁ ମୁହଁ ଲୁଚେଇ ଯାହାକୁ ତାଙ୍କ ଚିରା ଗାମୁଚ୍ଛା କାନିରେ ଝାଳ ପୋଛିଲା ପରି ପୋଛି ଆଣୁଥିଲେ ରତନର ବାପା ।
ତେବେ କାହିଁକି ଏତେ ଏତେ ଟଙ୍କା ଦେଉଛ ସେଇ ସରକାରୀ ବାବୁଙ୍କୁ? ତାଙ୍କୁ କାହିଁକି ଏତେ ଡରୁଛ ତୁମେ? ମୁଁ ନୁହେଁ, "ହୋଇଥିଲେ ହୋଇଥିବ ତୋ ବାପା ଗୋଟିଏ ଚୋର’ ବୋଲି ମୁହେଁ ମୁହେଁ କହି ଦଉନ ତୁମେ? ଆମେ ବି ଥରେ ଦେଖନ୍ତେ, ସେଇ ବାବୁ ଜଣକ କଣ ଅବା କ୍ଷତି କରି ପାରନ୍ତେ ଆମର? ସିଏ ବି ଥରେ ବୁଝନ୍ତେ, ଜଣେ ସଚ୍ଚୋଟ ନିରିହ ଲୋକକୁ ଚୋର ଭଳି ଅପବାଦ ଦେଲେ କେତେ ବାଧେ? ଆରେ ଆମେ କିଛି କହୁନୁ ବୋଲି, ବାରାମ୍ବାର ତୁମକୁ ଚୋର ବୋଲି କହିଚାଲିଛନ୍ତି ସେ । ଏତିକି କହିଲା ବେଳକୁ ରାଗରେ ବରଡ଼ା ପତ୍ର ପରି ଥର ଥର ଥରୁଥିଲା ରତନ । ତା ବାପାକୁ ଅଯଥାରେ କେହି ଜଣେ ଚୋର ବୋଲି କହିବ ଆଉ ସେ ଚୁପ୍ଚାପ୍ କେମିତି ହେଲେ ସହି ପାରିବ କି ଶୁଣି ପାରିବ ସେ?
ସେମାନେ ସରକାରୀ ଦରବାରି ଲୋକ ମୋ ପୁଆ ଏମିତିରେ ତାଙ୍କ ହାତରେ ଥାଏ ଅଖଣ୍ଡ କ୍ଷମତା । କେତେବେଳେ କ’ଣ କରିବେ କହି ହେବନାହିଁ ମୋ ଧନ । ତେଣୁ ସେ କହିବା ପ୍ରକାରେ ଟଙ୍କା କେଇଟା ଦେଇଦେଲେ ଗଲା । ବାକି ପାପପୁଣ୍ୟ ଭଲମନ୍ଦ ସବୁତକ ତାଙ୍କର । ସରକାରଙ୍କୁ ଦିଅନ୍ତୁ କି ନିଜେ ଆତ୍ମସାତ୍ କରନ୍ତୁ, ସେଥିରେ ଆମର କ’ଣ ଯାଉଛି କହ? ହଁଏଇ କଥା ଅବଶ୍ୟ ମନେରଖିବୁ ପୁଆ "ଜୈସେ କର୍ନି, ୱେସେ ଭର୍ନି ।\’ ଯିଏ ଯେମିତି କର୍ମ କରିବ, ସେମିତି ଭୋଗିବ ହିଁ ଭୋଗିବ । ସେଦିନ ଗୋଟିଏ ଦୀର୍ଘଶ୍ୱାସ ନେଇ କହିଥିଲେ ତା ବାପା । ଆଉ ଏତିକି କହିଲା ବେଳକୁ ଈଶ୍ୱରଙ୍କ ପରି ଖୁବ୍ ନିରୀହ ଜଣା ପଡୁଥିଲେ ତା ବାପା ।
ଏ ଟୋକା, ତୋ ବୋପା କୁଆଡ଼େ ଗଲା କି ରେ ? ଏତିକିରେ ତା ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଥିଲା ହଠାତ୍ । ଆଗନ୍ତୁକଙ୍କ ମୁହଁକୁ ଚାହିଁ ଚମକି ଉଠିଲା ରତନ । ତା ପାଖରେ ନିର୍ଦ୍ଦୟୀ ଯମ ପରି ଛିଡ଼ା ହୋଇଥିଲେ ସେଇ ସରକାରୀ ବାବୁ ଜଣକ । ଆଉ ନାଲି ନାଲି ଆଖି କରି କହୁଛନ୍ତି ଚୋର କୋଉଠିକାର? ମୋତେ ଦେଖୁ ଦେଖୁ କୁଆଡ଼େ ଖସି ଯାଉଛି ଯେ ଧରାଛୁଆଁ ଦେଉନି ମୋଟେ । ଠିକ୍ ଅଛି । ମୁଁ ବି ଆଜି ଦେଖୁଛି ତାକୁ । ସ୍ୱର୍ଗ ନର୍କ ଯୁଆଡ଼େ ଯାଇଥାଉ । ତା ଫେରିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରୁଛି ଏଠି । ମୁହଁ ଲୁଚେଇ କୁଆଡ଼େ ଯିବ ସେ? ଯେତେବେଳେ ହେଲେ ତ ଫେରିବ । ଆଜି ତା ପାଖରୁ ମାଲ୍ଗୁଜାରି (ଖଜଣା) ନେଲେ ଯାଇ ଯିବି ଏଇଠୁ । ଆରେ.. କଣ ବୋଲି ଭାବୁଛି ମୋତେ । ଲୁହା ସସ୍ତା ହେଲା ବୋଲି ଭେଙ୍ଗ ବି ଖଣ୍ଡା ଧରିବ ନା କଅଣ?
କଣ କହିବ କହିବ ହୋଇ କିଛି ହେଲେ କହି ପାରିଲାନି ରତନ । କୁର୍ମା ଭିତରେ ବସି ବସି ସେ କେବଳ ଏତିକି ଭାବୁଥିଲା, "ତା ବାପାର ଗୋଟିଏ ହପ୍ତାର ମେହନତର କମାନି ଯଦି ଏଇ ବାବୁ ଜଣକ ନେଇଯିବେ ଆଜି ତେବେ ସେମାନେ ସପ୍ତାହଟିଏ ଖାଇବେ କଣ? ଘର ଚଳିବ କେମିତି? ଏମିତି ସ୍ଥିତିରେ ତା ପାଇଁ ନୂଆ ପେଣ୍ଟ ସାର୍ଟ କିଣା ହେବାଟା ଦୂରର କଥା, ବୋଧହୁଏ ଏଇନେ ତା ଖାତା କଲମ ବି କିଣା ହୋଇ ପାରିବନି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ । କାଗଜ କଲମ ବିନା ଯେ ପାଠ ପଢ଼ା ଅସମ୍ଭବ । ତାହାହେଲେ ତା ପାଠ ପଢ଼ା କ’ଣ ଏତିକିରେ ରହିଯିବ? ଗରିବ ଖଟିଖିଆ ମଣିଷ ଉପରେ ଏଇ ସରକାରୀ ବାବୁମାନେ କାହିଁକି ଯେ ଏତେ ଏତେ ଅତ୍ୟାଚାର କରନ୍ତି? ସେକଥା ସେମାନଙ୍କୁ ହିଁ ଜଣା । ଆମପରି ଗରିବ ଲୋକଙ୍କଠୁ ଏଇ ଟଙ୍କା କେଇଟା ନ ନେଲେ ସତରେ ଶୂନ୍ୟ ହୋଇଯିବ ସରକାରୀ ରାଜକୋଷ ? ଆଉ ଗରିବ ହୋଇଯିବେ ସରକାର? କେହି ଜଣେ ତ ହେଲେ ଟିକେ ଚିନ୍ତା କରନ୍ତେ ଏଇ ଗରିବର କଥା । ତା ପିଲାଛୁଆଙ୍କ ଭବିଷ୍ୟତର କଥା ।\’ ଆଉ ଆଗକୁ କିଛି ଭାବି ପାରୁ ନଥିଲା ସେ । ତିକିରେ ଚଉଦିଗ ଅନ୍ଧାର ଦେଖା ଯାଉଥିଲା ତାକୁ ।
ଭାରତୀ କୁଟୀର, ଡୁଙ୍ଗୁରିପାଲି- - ୭୬୭୦୨୩, ସୁବର୍ଣ୍ଣପୁର, ମୋ.ନ. ୮୨୪୯୮୦୭୨୬୭