ମାସିକ ଶିବରାତ୍ରି
ରାଜଲକ୍ଷ୍ମୀ
ଶିବଙ୍କ ଆରାଧନା ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଓ ଭକ୍ତିମୟ କାର୍ଯ୍ୟ ବୋଲି ମନେ କରାଯାଏ । ଭଗବାନ ଶିବ ହେଉଛନ୍ତି ପରମ କଲ୍ୟାଣକାରୀ ମଙ୍ଗଳମୟ | ବ୍ରହ୍ମା, ବିଷ୍ଣୁ ଓ ଶିବ — ଏହି ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ସଂହାର ଶକ୍ତିର ପ୍ରତୀକ ହେଲେ ମହାଦେବ | ତାଙ୍କର ଆରାଧନା ଶକ୍ତି, ଶାନ୍ତି, ଓ ମୋକ୍ଷ ପ୍ରାପ୍ତି ପାଇଁ କରାଯାଏ । ଶିବ ଅପରିଗ୍ରହୀ ଓ ତ୍ୟାଗୀ ଭଗବାନ | ବିଲ୍ବ (ବେଳ) ପତ୍ର ଶିବଙ୍କୁ ଅତି ପ୍ରିୟ। ଏହି ପତ୍ର ଦ୍ୱାରା ତାଙ୍କୁ ପୂଜା କଲେ ପୁଣ୍ୟ ମିଳେ । ଜଳ, ଦୁଧ, ଘୃତ, ମଧୁ ଓ ଦହି ଦ୍ୱାରା ଶିବଲିଙ୍ଗକୁ ଅଭିଷେକ କରାଯାଏ । ଓମ୍ ନମଃ ଶିବାୟ ମନ୍ତ୍ର ଜପ – ଏହା ଶିବଙ୍କ ଅନନ୍ୟ ମନ୍ତ୍ର, ଯାହା ଜପ କଲେ ମନ ଶାନ୍ତ ହୁଏ ଓ ପାପ କ୍ଷୟ ହୁଏ ।
ଶିବଭକ୍ତମାନଙ୍କ ପାଇଁ ପ୍ରତ୍ୟେକ ସୋମବାର ଓ ସଂକ୍ରାନ୍ତି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପାଳିତ ହେଉଥିବା ମହାଶିବରାତ୍ରି ଏକ ପ୍ରମୁଖ ଉତ୍ସବ । ତେବେ ଅନେକ ଭକ୍ତ ମାସିକ ଶିବରାତ୍ରି ବ୍ରତ ପାଳନ କରନ୍ତି, ଯାହାକି ପ୍ରତ୍ୟେକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୁଏ । ସାଧାରଣତଃ ଚତୁର୍ଦ୍ଦଶୀ ତିଥିଟି ଶିବଙ୍କ ପାଇଁ ସମର୍ପିତ । ବର୍ଷ ସାରା ପ୍ରତ୍ୟେକ ମାସର ଉଭୟ ପକ୍ଷରେ ପଡ଼ୁଥିବା ଦୁଇଟି ଚତୁର୍ଦ୍ଦଶୀ ଶିବପୂଜା ପାଇଁ ଉପଯୁକ୍ତ ହୋଇଥିଲେ ହେଁ, ପ୍ରତ୍ୟେକ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ବିଶେଷ ଭାବରେ ଶିବ ଚତୁର୍ଦ୍ଦଶୀ ବ୍ରତ, ଉପବାସ ଓ ବେଢ଼ା ପରିକ୍ରମା କରିବାର ବିଧି ରହିଛି । ଏହାକୁ ମାସିକ ଶିବରାତ୍ରି ବୋଲି ମଧ୍ୟ କୁହାଯାଏ । ଏହି ଦିନ ଶିବଙ୍କ ସହିତ ପାର୍ବତୀ, ଗଣେଶ, କାର୍ତ୍ତିକ ଓ ଶିବଗଣଙ୍କର ପୂଜା କରାଯାଏ ।
ରୁଦ୍ରଯାମଳ ତନ୍ତ୍ରଗ୍ରନ୍ଥ ଅନୁଯାୟୀ, ମାସର ବିଭିନ୍ନ ତିଥିରେ ଶିବବାସ ନିର୍ଣ୍ଣୟ କରାଯାଇଛି । ମାସର ଦୁଇ ପକ୍ଷର ବିଭିନ୍ନ ତିଥିରେ, ଶିବ, ପାର୍ବତୀଙ୍କ ସାଙ୍ଗରେ, ସଭାରେ, କ୍ରୀଡ଼ାସ୍ଥଳରେ, କୈଳାସରେ, ବୃଷଭ ପିଠିରେ, ଭୋଜନରେ ବା ଶ୍ମଶାନରେ ରହନ୍ତି । ତେବେ ଯେଉଁ ତିଥିମାନଙ୍କରେ ଶିବ, ପାର୍ବତୀଙ୍କ ସାଙ୍ଗରେ, କୈଳାସରେ ବା ବୃଷଭ ପିଠିରେ ଥାଆନ୍ତି, ସେହି ତିଥିଗୁଡ଼ିକ ଶିବପୂଜା ପାଇଁ ଅଧିକ ଶୁଭପ୍ରଦ ବୋଲି ବିବେଚନା କରାଯାଏ ।
ବିଶ୍ୱାସ କରାଯାଏ, ଯେ ପ୍ରତିମାସର କୃଷ୍ଣପକ୍ଷ ପ୍ରତିପଦା, ଅଷ୍ଟମୀ ଓ ଅମାବାସ୍ୟା ତିଥିରେ ତଥା ଶୁକ୍ଳପକ୍ଷ ଦ୍ୱିତୀୟା ଓ ନବମୀ ତିଥିରେ ଶିବ ପାର୍ବତୀଙ୍କ ସହ ଥାଆନ୍ତି। ସେହିପରି, କୃଷ୍ଣପକ୍ଷର ଚତୁର୍ଥୀ ଓ ଏକାଦଶୀ ଏବଂ ଶୁକ୍ଳପକ୍ଷର ପଞ୍ଚମୀ ଓ ଦ୍ୱାଦଶୀ ତିଥିରେ ଶିବ କୈଳାସରେ ରହନ୍ତି। କୃଷ୍ଣପକ୍ଷର ପଞ୍ଚମୀ ଓ ଦ୍ୱାଦଶୀରେ ଏବଂ ଶୁକ୍ଳପକ୍ଷର ଷଷ୍ଠୀ ଓ ତ୍ରୟୋଦଶୀ ତିଥିରେ ଶିବ ବୃଷଭ ପିଠିରେ ରହିଥାନ୍ତି। ଏଣୁ ଏହି ତିଥିଗୁଡ଼ିକ ରୁଦ୍ରାଭିଷେକ ଓ ଶିବପୂଜା ପାଇଁ ପ୍ରକୃଷ୍ଟ ।