You can write and publish your own articles here.
Please download the app to get started.

Download App


ଆମ ପାକସ୍ଥଳୀ ଏବେ ଡଷ୍ଟବିନ୍‌ ! - ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

ରାଜଲକ୍ଷ୍ମୀ

ବର୍ତ୍ତମାନ ସମୟରେ ଲୋକମାନଙ୍କ ଖାଇବା, ଶୋଇବା ସମୟ ଠିକ୍ ରହୁନାହିଁ। ଲୋକମାନେ ମାତ୍ରାଧିକ ଚର୍ବିଯୁକ୍ତ କିମ୍ବା ସର୍କରାଯୁକ୍ତ ଖାଦ୍ୟ ଖାଉଛନ୍ତି। ଆମ ପାକସ୍ଥଳୀକୁ ଆମେ ଡଷ୍ଟବିନ୍ କରିଦେଇଛନ୍ତି ବୋଲି କହିଛନ୍ତି ଏମ୍‌ସ, ଭୁବନେଶ୍ବରର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ ମହାପାତ୍ର ।  ଏକ ଆଲୋଚନାଚକ୍ରରେ ଅତିଥିଭାବେ ଯୋଗଦେଇ ଡା.ମହାପାତ୍ର କହିଲେ, ବର୍ତ୍ତମାନର ପିଲାଙ୍କ ଭିତରୁ ୩୦% ଅପପୁଷ୍ଟି, ୪୦% ମେଦବହୁଳ ଓ ୩୦% ସ୍ବାସ୍ଥ୍ୟ ଭଲ ରହିଛି। ୭୦ବର୍ଷର ବୟସ୍କ ଅତିକମ୍‌ରେ ୧୦ ପ୍ରକାରର ଔଷଧ ଖାଉଛନ୍ତି। ଆମେରିକାର ଲୋକମାନେ ୬.୫ ଘଣ୍ଟା ଶୋଉଥିବା ବେଳେ ଭାରତୀୟମାନେ ୬ଘଣ୍ଟା ଶୋଉଛନ୍ତି। ୨୦୧୫ ମସିହାରେ ଏମ୍‌ସ ଭୁବନେଶ୍ବରରେ ଡାକ୍ତରମାନଙ୍କ ପାଇଁ ଏକ ସ୍ବାସ୍ଥ୍ୟ କ୍ୟାମ୍ପ ହୋଇଥିଲା। ଏଥିରେ ଜଣାପଡ଼ିଲା ଯେ ଡାକ୍ତରମାନେ ରାତି ୨ଟା ପୂର୍ବରୁ ଶୋଉ ନାହାନ୍ତି। ସେମାନଙ୍କ ମଧ୍ୟରୁ ୨୫% ମଧୁମେହ, ୨୫% ଉଚ୍ଚ ରକ୍ତଚାପର ଶିକାର ହୋଇଥିଲେ। ୧୭-୨୦ବର୍ଷର ଯେଉଁ ଛାତ୍ରଟି ଏମ୍‌ବିବିଏସ୍‌ ପଢ଼ୁଛି ସେ ଏକପ୍ରକାର ରୋଗୀ ହୋଇଗଲାଣି। କାର୍ଯ୍ୟରେ ସନ୍ତୁଳନ ନ ରହିବା ଓ ମୋବାଇଲ ଫୋନ୍ କାରଣରୁ ଅନେକଙ୍କୁ ରାତିରେ ନିଦ ହେଉନାହିଁ। ଆମେରିକା, ୟୁରୋପ, ଚୀନ୍‌ ଭଳି ଦେଶରେ ସେଲ୍‌ଫୋନ୍‌ ଟାୱାର ପ୍ରତିଷ୍ଠା ପାଇଁ ନୀତି ନିୟମ ରହିଛି ।  ମାତ୍ର ଭାରତରେ ୧୦ବର୍ଷରୁ ଅଧିକ ହେବ ସେଲ୍‌ଫୋନ୍ ବ୍ୟବହାର ହେଉଥିଲେ ହେଁ କୌଣସି ନିୟମ ନାହିଁ। ଲୋକମାନେ ତକିଆ ତଳେ ଦୁଇ ଦୁଇଟା ସେଲ୍‌ଫୋନ୍ ରଖି ଶୋଉଛନ୍ତି। ରାତିରେ କେମିତି ନିଦ ହେବ ? ମାତୃ ଓ ଶିଶୁ ମୃତ୍ୟୁ ହାର, ଜୀବନକାଳ ଓ ଅପପୁଷ୍ଟି ପାଇଁ ସ୍ବାସ୍ଥ୍ୟ ମାନଦଣ୍ଡରେ ଭାରତର ପ୍ରଦର୍ଶନ ବହୁ ଖରାପ।

ସେ ଆହୁରି ମଧ୍ୟ କହିଥିଲେ ଯେ ମଧ୍ୟାହ୍ନ ଭୋଜନ ନାଁରେ ପିଲାଙ୍କୁ ଭାତ ଓ ଆଚାର କିମ୍ବା ଚଟଣି ଖାଇବାକୁ ଦିଆଯାଉଛି। ଏଥିରେ ପିଲାର ଅଭିବୃଦ୍ଧି କିଭଳି ହେବ ? ପିଲାମାନେ, ମଧ୍ୟବୟସ୍କ ଓ ବୟସ୍କମାନେ ମଧ୍ୟ ରୋଗୀ ହୋଇପଡ଼ିଲେଣି। ଲାନ୍‌ସେଟ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଡାକ୍ତରମାନେ ବହୁ ଚାପରେ ରହିବା କାରଣରୁ ଲୋକଙ୍କ ତୁଳନାରେ ସେମାନେ ଅଧିକ ଅସୁସ୍ଥ। ଦେଶରେ ତୃଣମୂଳ ସ୍ତରରେ ଲୋକଙ୍କ ସ୍ବାସ୍ଥ୍ୟ ବହୁତ ଖରାପ। ବର୍ତ୍ତମାନ ସମୟରେ ୧୧ଶହ ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିଲେ ହେଁ ଏହା ଯଥେଷ୍ଟ ନୁହେଁ। ଡାକ୍ତର-ରୋଗୀ, ଡାକ୍ତର-ଜନସଂଖ୍ୟା, ରୋଗୀ-ଶଯ୍ୟା ଓ ଶଯ୍ୟା-ଆଇସିୟୁ ହାର ମାନଦଣ୍ଡରେ ଭାରତ ବହୁ ପଛରେ ରହିଛି। ଆମେ କ୍ଷୁଧାକୁ ଦୂର କରିପାରି‌ଛେ, ହେଲେ ଲୋକମାନେ ସତରେ କ’ଣ ସୁସ୍ଥ? ‌ବର୍ତ୍ତମାନ ଜନସାଧାରଣ କିମ୍ବା ଡାକ୍ତର କେହି ସୁସ୍ଥ ନୁହନ୍ତି ବୋଲି ଡା.ମହାପାତ୍ର କହିଛନ୍ତି।       


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App