You can write and publish your own articles here.
Please download the app to get started.

Download App


ଈଶ୍ବର ଓ ସଇତାନ

କୁଶଧ୍ବଜ

 ଦୁଇ ବନ୍ଧୁ ସ୍ଥିର କଲେ ଯେ ସେମାନେ ନିଜ ଜୀବନରେ ସଇତାନକୁ କେବେ ବି ପ୍ରଶ୍ରୟ ଦେବେ ନାହିଁ। ନିଜର ହୃଦୟକୁ ଈଶ୍ବରଙ୍କ ବିହାର ସ୍ଥଳରେ ପରିଣତ କରିବେ । ସଦା ସର୍ବଦା ଉତ୍ତମ କାମ କରିବା, ଉତ୍ତମ କଥା କହିବା ଆଉ ସତ୍‌ସଙ୍ଗ କରିବାକୁ ସ୍ଥିର କଲେ | ଧୀରେ ଧୀରେ ସେମାନଙ୍କ ଜୀବନ ଦିବ୍ୟ ହୋଇ ଉଠିଲା |  

ଏହାର କିଛି ଦିନ ପରେ ଜଣେ ସନ୍ନ୍ୟାସୀଙ୍କ ଭେଟ ଏଇ ଦୁଇ ବନ୍ଧୁଙ୍କ ସହିତ ହେଲା । ସନ୍ୟାସୀଙ୍କୁ ଲାଗିଲା ସତେ ଯେମିତି କିଛି ଅଲୌକିକ ଈଶ୍ବରୀୟ ସତ୍ତାଙ୍କ ସହିତ ତାଙ୍କର ସାକ୍ଷାତ ହେଉଛି ।  କାରଣ ବାତାବରଣରେ ସେ ଏକ ଅନନ୍ୟ ଦିବ୍ୟତା ଅନୁଭବ କଲେ । 

ସନ୍ୟାସୀ ଏକଥାର ରହସ୍ୟ ଉନ୍ମୋଚନ କରିବା ଲାଗି ପ୍ରୟାସ କଲେ | କଥା ପ୍ରସଙ୍ଗରେ ଦୁଇ ବନ୍ଧୁ ସନ୍ନ୍ୟାସୀଙ୍କୁ ଜଣାଇଲେ - ମହାତ୍ମା, ହୃଦୟରୁ ଆମେ ସୈତାନକୁ ବହିଷ୍କାର କରିଦେଇଛୁ।

ସନ୍ନ୍ୟାସୀ କହିଲେ- ଆପଣ ଠିକ୍‌ କହିଛନ୍ତି। ଏଠିକାର ବାତାବରଣରେ ମୁଁ ତାହା ଉପଲବ୍‌ଧି କରିଛି। 

କଥା ବାର୍ତ୍ତା ପରେ ସନ୍ନ୍ୟାସୀ ଯିବାକୁ ବାହାରିଲେ। ସେତିକି ବେଳେ ସେ ଏକ ଅଦ୍‌ଭୁତ କାର୍ଯ୍ୟ କଲେ |  ଜଣେ ବନ୍ଧୁଙ୍କ କାନରେ ଫୁସ୍‌ଫୁସ୍‌ କରି କହିଲେ - ମନେରଖ, ମୁଁ ତୁମକୁ କିଛି କହିନାହିଁ। 

ସନ୍ନ୍ୟାସୀ କାହିଁକି ଏମିତି କହିଗଲେ, ସେ କଥା କାନରେ ଶୁଣିଥିବା ବନ୍ଧୁ ହଠାତ୍‌ ବୁଝିପାରିଲେ ନାହିଁ। ତେବେ ଏ କଥାଟି ଦେଖିଥିବା ଆର ବନ୍ଧୁ ପଚାରିଲେ- ତୁମ କାନରେ ସାଧୁ କ’ଣ କହିଲେ? 

ବନ୍ଧୁ ଜଣକ ଯାହା ଶୁଣିଥିଲେ ତାହା କହିଲେ। କିନ୍ତୁ ତାହା ଆର ବନ୍ଧୁଙ୍କୁ ସନ୍ତୁଷ୍ଟ କଲା ନାହିଁ। ତାଙ୍କ ମନରେ ଏକ କ୍ଷୀଣ ସନ୍ଦେହ ଜାତ ହେଲା। କହିବା ବାହୁଲ୍ୟ ହୃଦୟରେ ସଇତାନ ମୁଣ୍ତ ଟେକିବା ଆରମ୍ଭ କରିଥିଲା। 

 କଥା ହେଲା, ସନ୍ନ୍ୟାସୀ ଜଣକ ଯାହା ବୁଝିଥିଲେ, ଦୁଇ ବନ୍ଧୁ ତାହା ବୁଝି ନ ଥିଲେ। ସାଧୁ ଜାଣିଥିଲେ ଯେ ଯେଉଁଠି ଈଶ୍ବର ରହିବେ ସେଠାରୁ ସଇତାନକୁ ବହିଷ୍କାର କରିବା ଅସମ୍ଭବ। ସେ ମଧ୍ୟ ପାଖେ ପାଖେ ଥାଏ। କୌଣସି ନା କୌଣସି ଖଞ୍ଜରେ ସୁଯୋଗ ଦେଖି ହୃଦୟରେ ପଶି ଯାଇଥାଏ।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App