You can write and publish your own articles here.
Please download the app to get started.

Download App


ଜଗତେ କେବଳ

କବିସୂର୍ଯ୍ୟ ବଳଦେବ ରଥ

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ॥ ଘୋଷା ॥

ଜଟିଳ କରି ସ୍କନ୍ଧ ରୋମରାଜି। ଶିଖରୀ ଦରୀରେ ମରୁଁ ଗରଜି।
କୁଟିଳ କରି ଭ୍ରୂକୁଟିକୁ ଚାହୁଁ। ସରମା କଣ୍ଠୀରବ ହେବ କାହୁଁ।

ଅଲକତ ଦ୍ରବ ନୟନେ ବୋଳି। ରସାଳ ଗହଳ ଶାଖାରେ ଖେଳି।
କବଳ କରୁଁ ତା କଳି କଳାପ । କାକ କି କରିବ ପଞ୍ଚମାଳାପ ?

ବରଜୀବ-ରସେ ଦେଇ ମାନସ। ବରଜି ବରଷେ ଅମେଧ୍ୟ ଗ୍ରାସ
ଦେହେ ମନ୍ଦାକିନୀରଜ ଲଗାଇ । ଗ୍ରାମ ଶୂକରୀ କି ହୋଇବ ଗାଈ ?

ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ। ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ।
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ। ତେବେ ସେ ମରାଳୀ ବୋଲାଇବ କି?

ରଞ୍ଜି ନାୟକ ରଙ୍ଗେ ଚୋପଦାର। ଖଞ୍ଜିଲେ ହେଲେ ଚାବୁକ ସବାର।
ଖିଲାଇଲେ ହେଲେ ନାନା ମସଲା। ତୁରଙ୍ଗ ହୁଏ କି ରାସଭ ପିଲା।

ବଦରିକା ବନେ ନିତ୍ୟ ନିବାସ। କରି ଆଚରି ବ୍ରତ ଉପବାସ।
ପ୍ରଯତ୍ନ କଲେ ହେଁ ନାନା ପ୍ରକାର। ଖଦ୍ୟୋତ ହୋଇବ କି ପ୍ରଭାକର?

ଯାହାକୁ ଯାହା କରିଛି ଦଇବ। ତହୁଁ ନି କି ସେ ଅନ୍ୟଥା ହୋଇବ।
ଘେନିଲେ ହେଲେ ଯତ୍ନେ କୋଟି ପୁଟ। ପିତ୍ତଳୁଟି କେହି ହେବ ପୁରଟ।

ଦେବ ଉପବନେ ହୋଇ ଜନିତା। ସୁବାସ-ମଦରୁ ଜବସ ଲତା।
ତୁଳସୀ ତୁଲେ ହେଲେ ମିଶାମିଶି। ତାହାକୁ ଯେବେ ବୋଲିବା ତୁଳସୀ।

ସମଜଇ ନାହିଁ ସ୍ୱଜାତି ଭାଷା। କହିଲେ ଯେ ହୁଅଇ ଲୋକହସା।
ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ। ଷଡ଼ଦର୍ଶୀ ତୁଲେ କଲେ ବିବାଦ।

ଦେହରେ ବାଜିଲେ ପର ନିଃଶ୍ୱାସ। ସମ୍ଭାଳିବାକୁ ନ ଥାଇ ବିଶ୍ୱାସ।
ନିର୍ଲଜ୍ଜ ଅଭିମାନେ ଡେରି ଛାତି। ହାତୀ ଲଢ଼ାଇକି ବାନ୍ଧିଲେ କାତି।

କରମରେ ତ ହୋଇଅଛି ଲେଖା। କରମର୍ଦ୍ଦକ ଯୋଗ୍ୟ ତୋର ଶିଖା।
ହରମଉଳିଯୋଗ୍ୟ ଚମ୍ପକକୁ। ଭରମରେ ବୃଥା ପଡ଼ି ଯା ଟାକୁ।

ଚାରୁଚନ୍ଦ୍ରୋଦୟ ମଶାଲ ପାଖେ। ବହ୍ନି ଜାଳିବ ଯେବେ ଦିଶା ମୁଖେ।
ଧାତା ତ କରିନାହିଁ ତା ନିକାଶ। କି ରୂପେ ହେବ ସେପରି ପ୍ରକାଶ।

ବୋଳିହୋଇ ଭୂତି ଧରି ପରଶୁ। ବଳୀବର୍ଦ୍ଦବର ଚରମେ ବସୁ।
ଗଉରୀ-ପ୍ରାଣନାଥ ଅନୁଭାବ। ଠଉରି ପାରିବ ନାହିଁ ତ ଲବ।

ସର ପର୍ପଟି ଯାହାକୁ ମିଳଇ। ସେ ସୁଖେ ତା ଭୋଜନେ ପ୍ରବଳଇ।
ସଢ଼ାଇବାକୁ ତା ବଡ଼ାଇ ବସି। ଦୁର୍ମତି ଯେବେ ଚୋବାଇବ ଘଷି।

ଚିର ତପବଳୁ କେଉଁ ପୁରୁଷ। ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ
କରିଷେ ସଞ୍ଚରିବା ନ ସହିବ, କରୀଷକଟେ ଯେବେ ଆରୋହିତ।

ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି। ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି।
ବଳାହିତ ରତ୍ନ ପରି ଦିଶିବ। ବାଳା ପୟୋଧର ହାରେ ମିଶିବ।

ସତରବୟସୀ ସତତ ମନ। କରଇ ଯାହାକୁ ଅନୁଗମନ।
ଛବି-ଶୂନ୍ୟ; ଷଣ୍ଡ ବୃଦ୍ଧ ତା ତୁଲେ। ଅବିବେକବଶୁ ବିବାଦୀ ହେଲେ।

ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା। ସଙ୍ଗକୁ ଅଙ୍ଗୀକାର କଲା ସିନା।
ହୋଇଲି ତ ବୋଲି କନକ ତୁଲ୍ୟ। ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ।

ଗଜପତି କୁମ୍ଭସ୍ଥଳ ବିଦାରି। ସଜ ପଲକ ଭୁଞ୍ଜିବାରୁ ହରି।
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ। ଜମ୍ବୁକେ ଯଶସ୍ୱୀ ବୋଲିବା ଯେବେ।

ମାନୋଦ୍ଧାରଣ ଶରଣପଞ୍ଜର। ବଘେଲ ବାଦଶା ନୃପକୁଞ୍ଜର।
ରାଜା ଜଗଦ୍ଦେବ ହରିଚନ୍ଦନ। ଲଙ୍ଘିଲେ ତାକୁ ନ କରି ଚନ୍ଦନ।

ତାଙ୍କ ସୁଧର୍ମା ତୁଲ୍ୟ ସଭା କବି। ଭଣିଲେ ରାୟଗୁରୁ କବିରବି
ଶ୍ରବଣ-ସର୍ବାବୟବୀ ମାନବ। ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ।
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App