ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ

ବନମାଳୀ ଦାସ

ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ

ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ ରହିଥାଉ ନିରନ୍ତରେ ।।
 
ଦାନା କନା ପଛେ ମନା ହେଉ ମତେ ନୀଳଚକ୍ର ବାନା ଚାହିଁ ।
ସୁଖୀ ହେଉଥିବି ଅଖିଳ ପତି ହେ ନିର୍ଦ୍ଦୟ ହୋଇବ ନାହିଁ ।୧।
 
ବାରମାସେ ତେର ଯାତ୍ରା ଦେଖୁଥିବି ଶ୍ରୀକ୍ଷେତ୍ରେ ହୋଇ ଭିକାରୀ ।
ସାଧୁ ସନ୍ଥଙ୍କର ବୋଲାଇ କିଙ୍କର ମାଗୁଥିବି ମାଧୁକରୀ ।୨।
ଆନନ୍ଦ ବଜାରେ ବୁଲିଣ ମଜାରେ ଗାଉଥିବି ତୋର ନାମ ।
ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି ବୋଲି ହରେକୃଷ୍ଣ ନାମ ।୩।
ଏଥିପାଇଁ କୁଳ ମୂଳ ହରାଇଛି ସାଥି କରି ତୋତେ ଏକା ।
ଦାସ ବନମାଳୀ ଦୋଷ ନ ଧରିବୁ ଗୋବର୍ଦ୍ଧନ ଗିରି ଟେକା ।୪।



Reader Reviews

No reviews yet. Be the first to write one!