ଦ୍ଵେତ ନଗରୀର ଜୀବନ ରେଖା: ଚନ୍ଦକା- ଡମପଡ଼ା ଅଭୟାରଣ୍ୟ

ତୁହିନାଂଶୁ କର

ପୂର୍ବଘାଟ ପର୍ବତମାଳାର ଦକ୍ଷିଣପୂର୍ବ ସୀମାରେ ଅବସ୍ଥିତ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଏକ ପୃଥକ୍ ଅରଣ୍ୟ। ପୂର୍ବେ ଏହା ସୁବିସ୍ତୀର୍ଣ୍ଣ ପୂର୍ବଘାଟ ବନାଞ୍ଚଳ ଓ ମଧ୍ୟଭାରତୀୟ ହସ୍ତୀ ପରିସର ଅନ୍ତର୍ଭୁକ୍ତ ଥିଲା। ଏ ଅଞ୍ଚଳରେ  ଏକଦା  ବହୁତ ମହାବଳ ବାଘ ଥିବାର ଜଣାଯାଏ କାଳକ୍ରମେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୧୯୬୭ ମସିହାରେ ଏହି ଅରଣ୍ୟର ଶେଷ ମହାବଳବାଘଟି ନନ୍ଦନକାନନର ଖୁଆଡକୁ ଡେଇଁ ବନ୍ଦୀ ଜୀବନ ଆବୋରିନେଇଥିଲା। ତେବେ ୧୯୫୭ ମସିହାରେ ଭୁବନେଶ୍ଵର ରାଜ୍ୟର ରାଜଧାନୀ ଭାବରେ ସ୍ୱୀକୃତି ପାଇବା ପରେ ଏହି ଜଙ୍ଗଲଉପରେ କାଠ ଉପକରଣ ଓ ଜାଳେଣୀ ପାଇଁ ଅନେକ ଚାପ ପଡିଥିଲା। ଫଳତଃ ଏହି ଜଙ୍ଗଲଟି କ୍ଷୟ ହୋଇ ଏଠାରେ ବସବାସ କରୁଥିବା ବନ୍ୟପ୍ରାଣୀମାନଙ୍କ ଉପରେ ପ୍ରଭାବ ପକାଇଲା। ତତ୍କାଳୀନ ରାଜ୍ୟ ସରକାର ଏହି ଜଙ୍ଗଲକୁ ସୁରକ୍ଷାଦେବା ପାଇଁ ୧୬ ଅଗଷ୍ଟ ୧୯୮୨ ମସିହାରେ ଏହାକୁ ଅଭୟାରଣ୍ୟ ଭାବରେ ଘୋଷଣା କରିଥିଲେ। ଏହାର କ୍ଷେତ୍ରଫଳ ୧୯୩.୩୯ ବର୍ଗ କିମି ହୋଇଥିବାବେଳେ ଏହାକୁ ୪ ଟି ବନ୍ୟପ୍ରାଣୀ ବନାଞ୍ଚଳ ଯଥା ଭୁବନେଶ୍ଵର, ଚନ୍ଦକା, ହଳଦିଆ ଓ ଡମପଡ଼ାରେ ବିଭକ୍ତ କରାଯାଇଛି। 

ଅତୀତରେ ଏହି ଅଞ୍ଚଳ ରାଜଶାସନାଧୀନ ଥିଲା। ରାଜାମାନଙ୍କୁ ‘ଗଜପତି’ କୁହାଯାଉଥିବା ବେଳେ ରାଜା ଚୋଡ଼ଗଙ୍ଗ ଦେବଙ୍କୁ ‘ନବ ନବତି ସହସ୍ର କୁଞ୍ଜରାଧୀଶ୍ଵର’ ବା ଅନେଶତ ହଜାର ହାତୀମାନଙ୍କର ରାଜା ବୋଲି କୁହାଯାଉଥିଲା। ଏହି ଇତିହାସର ମୁକସାକ୍ଷୀ ସ୍ୱରୂପ ଆଜି ବି ଦୁଇଟି ଗଡର ଭଗ୍ନାବଶେଷ ଜୁଆଳିଗଡ ଓ ଚୁଡଙ୍ଗଗଡ (ସାରଙ୍ଗଗଡ଼) ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ। କଳିଙ୍ଗ ରାଜ୍ୟର ହସ୍ତୀମାନେ ସମର କୌଶଳ ଓ ଯାତାୟାତ ପାଇଁ ସୁପ୍ରସିଦ୍ଧ ଥିଲେ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି। 

ଏହି ଅଭୟାରଣ୍ୟରେ ମୁଖ୍ୟତଃ ବିଭିନ୍ନ ପ୍ରକାରର ବାଉଁଶ ଯଥା ବଣ ବାଉଁଶ, କଣ୍ଟା ବାଉଁଶ ଆଦି ଦେଖାଯାଏ। ଏହା ବ୍ୟତୀତ କଙ୍ଗଡା, ଗିରିଙ୍ଗା,କାଳିଚ, କାଳଚୁଆ, ଧମନ, କାଶୀ, କୋଚିଲା, ବେଲ, କୁମ୍ଭି, ସୁନାରି, ବେହେଣ୍ଟା, କଣ୍ଟାବଉଳ, କଣ୍ଟେଇ କୋଳି, ଗିଲ, ଦନ୍ତାରି, ଧଳାଆତୁଣ୍ଡି ଇତ୍ୟାଦି ଗଛ ଦେଖାଯାଏ। ସେହିପରି ପ୍ରାଣୀସମ୍ପଦ ମଧ୍ୟରେ ହାତୀ ପ୍ରମୁଖ ଏବଂ ଜଙ୍ଗଲ ପରିତନ୍ତ୍ରର ମୂଳାଧାର। ଏହା ବ୍ୟତୀତ, ତିନିପ୍ରଜାତିର ହରିଣ (ଚିତ୍ରା, କୁଟ୍ରା, ଗୁରାଣ୍ଡି) ଦୁଇ ପ୍ରଜାତିର ମାଙ୍କଡ (ହନୁ, ପାତି),ତିନିପ୍ରକାରର ନେଉଳ, ଦୁଇପ୍ରକାରର ଶାଳିଆ ପତନି, ବଣଘୁଷୁରି, ଝିଙ୍କ, ବଜ୍ରକାପ୍ତା, ବିଲୁଆ, କୋକିଶିଆଳି, ଗାଡଭାଲୁ, ହେଟାବାଘ ଇତ୍ୟାଦି ଦେଖାଯା’ନ୍ତି । ସରୀସୃପମାନଙ୍କ ଭିତରେ ନାଗ, ଅଜଗର, ବୋଡ଼ା, ଚିତି, ଢମଣା, ଧଣ୍ଡ ଇତ୍ୟାଦି ସାପମାନଙ୍କ ସହ, ବିଭିନ୍ନ ପ୍ରକାରର କଇଁଛ ଓ ମଗର କୁମ୍ଭୀର ମଧ୍ୟ ଦେଖାଯା’ନ୍ତି । ଏହି ଅଭୟାରଣ୍ୟ ରାଜ୍ୟର ୮ଟି ଗୁରୁତ୍ଵପୂର୍ଣ୍ଣ  ପକ୍ଷୀ ଅଞ୍ଚଳ (Important Bird Area)ମାନଙ୍କ ମଧ୍ୟରୁ ଗୋଟିଏ।  ଏଠାରେ ପ୍ରାୟ ୨୫୨ ପ୍ରଜାତିର ପକ୍ଷୀ ଦେଖାଯାଉଥିବାବେଳେ ଅନେକ ସମ୍ବେଦନଶୀଳ ଓ ସଂକଟାପନ୍ନ ସ୍ଥିତିରେ ଥିବା ପକ୍ଷୀମାନଙ୍କର ଗୁରୁତ୍ଵପୂର୍ଣ୍ଣ ଆବାସସ୍ଥଳୀ, ସେମାନଙ୍କ ମଧ୍ୟରୁ ଜୀବନି ପାରା, ପାଣିଚିରା, କଳାପେଟିଆ ଗଙ୍ଗୋଇ, ନଦୀ ଗଙ୍ଗୋଇ ଇତ୍ୟାଦି। 

ଦ୍ଵେତନଗରୀ କଟକ ଓ ଭୁବନେଶ୍ଵର ଉପକଣ୍ଠରେ ଥିବା ଏହି ଅଭୟାରଣ୍ୟ ଉପରେ ସଦାସର୍ବଦା ବିଭିନ୍ନ ପ୍ରକାର ଚାପ ରହିଥାଏ। ହାତୀ-ମଣିଷ ସଂଘର୍ଷ, ବେଆଇନ ବନ୍ୟଜନ୍ତୁ ଶିକାର ଓ ବୃକ୍ଷଛେଦନ, ଜଙ୍ଗଲନିଆଁ ଇତ୍ୟାଦି ସମସ୍ୟାର କବଳରେ କବଳିତ ଏହି ଅଭୟାରଣ୍ୟ। ତଥାପି ଏହି ଜଙ୍ଗଲ ଏହି ଦୁଇ ସହରର ଜୀବନରେଖା କହିଲେ ଅତିଶୟୋକ୍ତି ହେବନାହିଁ। ଏଠାରେ ପ୍ରକୃତିକୁ ଉପଭୋଗ କରିବାପାଇଁ ଡେରାଶରେ ଏକ ପ୍ରକୃତିନିବାସ ରହିଛି। ଛୁଟିଦିନେ ଏବଂ ବିଶେଷକରି ଶୀତଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡଜମେ। ଅଭୟାରଣ୍ୟର ରାତ୍ରିକାଳୀନ ଦୃଶ୍ୟ ଉପଭୋଗ କରିବାପାଇଁ ଏକ ସଫାରୀବ୍ୟବସ୍ଥା ମଧ୍ୟ ଏଠାରେ କରାଯାଇଛି। 

ଏହି ଅଭୟାରଣ୍ୟ କେବଳ ପ୍ରକୃତିପ୍ରେମୀମାନଙ୍କୁ ନୁହେଁ, ଅପିତୁ ଐତିହାସିକମାନଙ୍କୁ ମଧ୍ୟ ଆକର୍ଷିତ କରେ। ଏହାର ଉପକଣ୍ଠରେ ଥିବା ‘ପାଣ୍ଡବ ବଖରା’ରେ ଥିବା ଏକ ଗୁମ୍ଫାରେ ଆଦିମ ଚିତ୍ରକଳା ଦେଖିବାକୁ ମିଳେ। ଏହାର ରଚନାକାଳ ଅଦ୍ୟାବଧି ମଧ୍ୟ ସଂଶୟ ସୃଷ୍ଟିକରେ। ଲୋକକଥା ଅନୁସାରେ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହିଠାରେ ଅବସ୍ଥାନ କରିଥିଲେ ତେଣୁ ଏହାର ନାମକରଣ ଏପରି କରାଯାଇଛି। 

ଅଭୟାରଣ୍ୟର ଜୈବସମ୍ପଦ ବୃଦ୍ଧି ନିମନ୍ତେ ଆମ ରାଜ୍ୟ ସରକାର ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି। ଚାରାରୋପଣ ଓ ବନୀକରଣ କାର୍ଯ୍ୟକ୍ରମସହ ବିଭିନ୍ନ ସମୟରେ ସମ୍ବର, କୁଟ୍ରା ଓ ଚିତ୍ରାହରିଣ ଆଦି ପ୍ରଜାତିମାନଙ୍କର ପୁନଃଅବସ୍ଥାପନ କରି ତୃଣଭୋଜି ପ୍ରାଣୀମାନଙ୍କର ବଂଶ ବିସ୍ତାର କରାଇଛନ୍ତି। ଜଙ୍ଗଲ ବିଭାଗଦ୍ଵାରା କୁମାରଖୁଣ୍ଟିଠାରେ  ଆହତ, ଦଳ ଉପେକ୍ଷିତ ଏବଂ ଉପଦ୍ରବକାରୀ ହାତୀମାନଙ୍କ ପାଇଁ ଏକ ଉଦ୍ଧାର ଓ ପୁନର୍ବାସ କେନ୍ଦ୍ର ସ୍ଥାପନକରାଯାଇଛି। ଏଠାରେ ଏହି ହାତୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ମଣିଷ-ହାତୀ ସଂଘର୍ଷ ନିରାକରଣ ତଥା ଅପହଞ୍ଚ, ଦୁର୍ଗମ ଅଞ୍ଚଳରେ ଜଙ୍ଗଲ ପ୍ରହରୀ ଭାବେ ନିୟୋଜିତ କରାଯାଏ।   



Reader Reviews

No reviews yet. Be the first to write one!