You can write and publish your own articles here.
Please download the app to get started.

Download App


ଚିତ୍ରାଖଡି ହଂସ: କିଛି ଜଣା ଅଜଣା କଥା

ତୁହିନାଂଶୁ କର

ଚିତ୍ରାଖଡିହଂସକୁ ଇଂରାଜୀରେ କମନ୍ ଟିଲ୍ (Common Teal) ବୋଲି କୁହାଯାଏ। ଏହାର ବୈଜ୍ଞାନିକ ନାମ ଆନାସ୍ କ୍ରେକା (Anas crecca); ଏହା ଅଂଶେରିଫୋର୍ମେସ ବର୍ଗ ଓ ଆନାଟିଡ଼ି ବଂଶର ଅନ୍ତର୍ଭୁକ୍ତ। ଏହି କ୍ଷୁଦ୍ରକାୟ ବତକଜାତୀୟ ପ୍ରବାସୀ ପକ୍ଷୀ (Migratory Bird) ମୁଖ୍ୟତଃ ପଶ୍ଚିମ ଓ କେନ୍ଦ୍ରୀୟ ସାଇବେରିଆ ଅଞ୍ଚଳରେ ବସବାସ କରିଥା’ନ୍ତି। ଶୀତଦିନ ଆସିଲେ ସେ ସ୍ଥାନକୁ ପରିତ୍ୟାଗକରି ଏମାନେ ପୂର୍ବ, ଦକ୍ଷିଣ-ପୂର୍ବ ତଥା ଦକ୍ଷିଣ ଏସିଆ ଏବଂ ଆଫ୍ରିକା ମହାଦେଶର ଅନେକ ସ୍ଥାନରେ ଶୀତକାଳୀନ ପ୍ରବାସ (Winter Migration) କରିଥା’ନ୍ତି। ଗ୍ରୀଷ୍ମଋତୁ ଆସିଲେ ପ୍ରବାସ ସମାପନ କରି ନିଜ ଦେଶକୁ ପୁନଃ ପ୍ରତ୍ୟାବର୍ତ୍ତନ କରନ୍ତି।
ଅଳ୍ପଗଭୀର ମଧୁର ଓ ଖାରିପାଣିରେ ଏମାନେ ବସବାସ କରନ୍ତି ଏବଂ ଦଳବଦ୍ଧ ହୋଇ ରହନ୍ତି। ବିଶେଷ କରି ହ୍ରଦ, ନଦୀ, ସ୍ଵଳ୍ପ ପାଣିରହିଥିବା ଆର୍ଦ୍ରଭୂମି ଓ ପୋଖରୀ ଆଦି ଏମାନଙ୍କର ବାସସ୍ଥଳୀ। ଏହି ପକ୍ଷୀ ଉଭୟ ତୃଣଭକ୍ଷୀ ଓ ମାଂସାଶୀ। ଜଳଜ ଉଦ୍ଭିଦମାନଙ୍କର ମୂଳ, କାଣ୍ଡ, ବୀଜ ଆଦି ସହ ଜଳକୀଟ ଓ ମାଟିତଳେ ରହୁଥିବା କ୍ଷୁଦ୍ର ଅମେରୁଦଣ୍ଡୀ ପ୍ରାଣୀମାନଙ୍କୁ ମଧ୍ୟ ଖାଦ୍ୟରୂପେ ଗ୍ରହଣ କରିଥା’ନ୍ତି। ଏତଦ୍ ବ୍ୟତୀତ ବିଲବାଡିରେ ଦଳଦଳ ହୋଇ ପଡି ଚାଷ କରାଯାଇଥିବା ଧାନକୁ ମଧ୍ୟ ଖାଇଥା’ନ୍ତି।
ଏହି ପ୍ରଜାତିରେ, ପୁରୁଷ ଓ ସ୍ତ୍ରୀ ପକ୍ଷୀ ଉଭୟ ଦେଖିବାକୁ ଭିନ୍ନ ଭିନ୍ନ। ପୁରୁଷ ପକ୍ଷୀଟି, ସ୍ତ୍ରୀ ପକ୍ଷୀ ଅପେକ୍ଷା ଅଧିକ ରଙ୍ଗବେରଙ୍ଗର। ଏହି ପକ୍ଷୀଙ୍କର ଦେହ ଧୂସର ମାଟିଆ ଓ ଧଳା ରଙ୍ଗର ହୋଇଥିବା ବେଳେ ଡେଣାରେ ସୁଦୃଶ୍ୟ କଳା, ଧାତବସବୁଜ ଓ ଖଇରିଆଲାଲ୍ ରଙ୍ଗ ଥାଏ ଯାହାକି ଉଡିବା ସମୟରେ ହିଁ ସ୍ପଷ୍ଟଭାବେ ଦେଖାଯାଏ। ଥଣ୍ଟଟି କଳାରଙ୍ଗର ହୋଇଥିବାବେଳେ ଗୋଡଦୁଇଟି ଧୂସରରଙ୍ଗର ହୋଇଥାଏ। ପୁରୁଷ ପକ୍ଷୀର ଦେହ ଧୂସରଧଳାରଙ୍ଗର ହୋଇଥିବା ବେଳେ ଏଥିରେ ଜିଆପରି ବକ୍ରାକାର କଳାରଙ୍ଗର ଗାରମାନ ପଡିଥାଏ। ମସ୍ତକ ଓ ଗ୍ରୀବା ଖଇରିଆ ଲାଲ ରଙ୍ଗର। ଧାତବ ସବୁଜରଙ୍ଗର ଏକ ମୋଟା ପଟି (Band/Stripe),ଆଖି ଚାରିପଟେବୁଲି ଗ୍ରୀବାର ଆରମ୍ଭ ଯାଏ ଉଭୟପଟେ ଲମ୍ବିଥାଏ। ଏହି ପଟିର ଚାରିପଟେ, ଥଣ୍ଟର ମୂଳଭାଗରୁ ଆରମ୍ଭକରି ସରୁ ଖଡିଗାର ପରି ଧଳାଗାର ଗ୍ରୀବା ଯାଏଁ ଲମ୍ବିଥାଏ। ଏଥିପାଇଁ ଏହାର ନାମକରଣ ‘ଚିତ୍ରାଖଡିହଂସ’ ହୋଇଅଛି। ସ୍ତ୍ରୀପକ୍ଷୀଟିର ମସ୍ତକ, ଗ୍ରୀବା ଓ ଦେହ ମୁଖ୍ୟତଃ କଳାମିଶା ମାଟିଆ ରଙ୍ଗର ହୋଇଥିଲାବେଳେ ଉପର ଡେଣାର ତଳ ଭାଗକୁ କଳା ଓ ସବୁଜରଙ୍ଗ ଥାଏ। ଆଖିର ମଧ୍ୟଭାଗ ଦେଇ ଏକ କଳାରଙ୍ଗର ସରଳରେଖା ମସ୍ତକର ପଛପାଖକୁ ଲମ୍ବିଥାଏ। ଏମାନଙ୍କର ଦୈର୍ଘ୍ୟ ୩୪-୩୮ସେ.ମି. ହୋଇଥିଲା ବେଳେ ଓଜନ ପ୍ରାୟତଃ ୪୦୦ଗ୍ରାମର ହୋଇଥାଏ।
ଆମ ରାଜ୍ୟର ଚିଲିକା, ଅଂଶୁପା ଆଦି ହ୍ରଦମାନଙ୍କୁ ଏହି ପକ୍ଷୀଗୁଡିକ ବହୁ ସଂଖ୍ୟାରେ ଆସିଥା’ନ୍ତି। ତେଣୁ ଏହି ପକ୍ଷୀମାନଙ୍କର ପ୍ରବାସ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାପାଇଁ ଚିଲିକାହ୍ରଦରେ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟିର ମିଳିତ ସହଭାଗିତାରେ ବିଗତ ଦୁଇଦଶନ୍ଧି ଧରି ଗବେଷଣା ଜାରିରହିଛି। ଚିଲିକାରେ ରିଙ୍ଗ (Ring ବା ମୁଦ୍ରିକା; ଏହା ଏକ ପ୍ରକାରର ଅତି କ୍ଷୁଦ୍ର ଧାତବ ଗୋଲାକାର ମୁଦ୍ରିକା ଯେଉଁଥିରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟା ଖୋଦେଇ ହୋଇଥାଏ। ଏହାକୁ ପକ୍ଷୀମାନଙ୍କର ପ୍ରବାସ ସମ୍ବନ୍ଧୀୟ ଗବେଷଣା କାର୍ଯ୍ୟରେ ବ୍ୟବହାର କରାଯାଏ।) କରାଯାଇଥିବା ଦୁଇଟି ଚିତ୍ରା ଖଡିହଂସ ଅତୀତରେ ଋଷଦେଶରୁ ମିଳିଛି। ଗୋଟିଏ ପକ୍ଷୀ କିରୋବୋ ନାମକ ସ୍ଥାନରୁ ମିଳିଥିବାବେଳେ ଅନ୍ୟ ପକ୍ଷୀଟି ସଖା ରିପବ୍ଲିକର ଲେନାନଦୀ କୂଳରୁ ମିଳିଛି। ତେଣୁ ପକ୍ଷୀଟିର ଶୀତକାଳୀନ ରହଣି ପାଇଁ ଚିଲିକା ହ୍ରଦ ଯେ କେତେ ଗୁରୁତ୍ୱପୂର୍ଣ ତାହା ଏଥିରୁ ସୁସ୍ପଷ୍ଟ। କିନ୍ତୁ ଦୁର୍ଭାଗ୍ୟର ବିଷୟ , ଅତୀତରେ ଏହି ପକ୍ଷୀ ଯେତେସଂଖ୍ୟାରେ ଚିଲିକାକୁ ଆସୁଥିଲେ ଏବେ ସେମାନଙ୍କର ସଂଖ୍ୟା ଯଥେଷ୍ଟ ପରିମାଣରେ କମିଗଲାଣି। ଜଳବାୟୁରେ ପରିବର୍ତ୍ତନ, ପ୍ରଦୂଷଣ, ଉପଯୁକ୍ତ ବାସସ୍ଥାନର ଅଭାବ ଆଦି କେତେକ ପ୍ରମୁଖ କାରଣ ହୋଇଥିବାବେଳେ ପକ୍ଷୀଶିକାର ମଧ୍ୟ ଅନେକ ମାତ୍ରାରେ ଦାୟୀ। ଏହି ପକ୍ଷୀର ଶିକାର, ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ତେଣୁ ଚିଲିକା ଭଳି ଅତ୍ୟନ୍ତ ସଂବେଦନଶୀଳ ଅଞ୍ଚଳରୁ, ଏହି ଶିକାରୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ବିରୋଧରେ ବନବିଭାଗ ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ତତ୍ସହିତ ବିଭିନ୍ନ ଉପାୟରେ ଲୋକମାନଙ୍କୁ ପକ୍ଷୀଶିକାର ନକରିବା ପାଇଁ ମଧ୍ୟ ସଚେତନ କରାଯାଉଛି।
ଏହି ପ୍ରବାସୀ ପକ୍ଷୀମାନେ ହେଲେ ଆମର ଅତିଥି। ‘ଅତିଥି ଦେବୋ ଭବ’ ମନ୍ତ୍ରରେ ବିଶ୍ଵାସ ରଖୁଥିବା ଆମ ରାଜ୍ୟକୁ ସେମାନେ ଛୁଟିଆସନ୍ତି ସେମାନଙ୍କ ଜୀବନଚକ୍ରର ଏକ ମହତ୍ଵପୂର୍ଣ ଅଙ୍ଗ ‘ପ୍ରବାସ’ ପାଇଁ। ତେଣୁ ସେମାନଙ୍କ ପ୍ରତି ସଂବେଦନଶୀଳ ହେବା ଓ ସେମାନଙ୍କର ବାସସ୍ଥାନର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତଵ୍ୟ।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App