You can write and publish your own articles here.
Please download the app to get started.

Download App


ବିରଳ ଅଲିଭ୍ ରିଡ୍‌ଲେ କଇଁଛଙ୍କୁ ସୁରକ୍ଷା ଯୋଗାଉଛନ୍ତି ରବୀନ୍ଦ୍ର

ସଂଗୃହୀତ

ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ 30ବର୍ଷ ହେଲା ବିରଳ ଅଲିଭ୍  ରିଡ଼ଲେ କଇଁଛଙ୍କୁ ସୁରକ୍ଷା ଯୋଗାଉଛନ୍ତି ଗଞ୍ଜାମ ସଦର ବ୍ଳକ୍ ପୁରୁଣାବନ୍ଧ ଗ୍ରାମର ରବୀନ୍ଦ୍ରନାଥ ସାହୁ | ନିଜସ୍ବ ଉଦ୍ୟମରେ ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ନାମରେ ଏକ ଅନୁଷ୍ଠାନ ଗଠନ କରି ସ୍ବେଚ୍ଛାସେବୀଙ୍କୁ ସେଥିରେ ସାମିଲ  କରିଛନ୍ତି | ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକା ଶଯ୍ୟାରେ ପ୍ରତିବର୍ଷ ଗଣ ଅଣ୍ଡାଦାନ କରୁଥିବା କଇଁଛଙ୍କ ସୁରକ୍ଷା ପାଇଁ ଏହି ଯୁବ ପରିବେଶବିତ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରୁଛନ୍ତି |

ଗଞ୍ଜାମ ବ୍ଲକ୍ ପୁରୁଣାବନ୍ଧ ଗ୍ରାମର କିଛି ଯୁବକ ବିରଳ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କାମ ଆରମ୍ଭ କରିଥିଲେ | 1994ରୁ ସେହି ଯୁବକମାନେ ଋଷିକୁଲ୍ୟା ମୁହାଣକୁ ଆସୁଥିବା ସାମୁଦ୍ରିକ କଇଁଛ, ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦାୟିତ୍ବ ହାତକୁ ନେଇଥିଲେ | ସେହିପରି ଘରଚଟିଆ, କୃଷ୍ଣସାର ମୃଗ ଓ ବାୟା ଚଢେଇର ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନ କରି ଆସୁଛନ୍ତି | ବିଶେଷ କରି ରବୀନ୍ଦ୍ର ଓ ତାଙ୍କ ଟିମ୍ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷାକୁ ଅଗ୍ରାଧିକାର  ଦେଇଛନ୍ତି  | ଏଥିପାଇଁ 1998ରେ ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ନାମରେ ଏକ ଅନୁଷ୍ଠାନ ଗଠନ କରାଯାଇଥିଲା  ଯାହାର ସମ୍ପାଦକ ରହିଛନ୍ତି ରବୀନ୍ଦ୍ର | ରବୀନ୍ଦ୍ରଙ୍କ ନେତୃତ୍ବରେ ଗାଁର ଯୁବକମାନେ ଏହି କାର୍ଯ୍ୟକ୍ରମରେ ନିୟୋଜିତ ରହିଛନ୍ତି | ଆଖପାଖ ଗାଁର ଲୋକମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି  | 90 ଦଶକରେ କିଛି ଲୋକ କଇଁଛ ଅଣ୍ଡା ବିକ୍ରି କରିବା ସହିତ ଖାଉଥିଲେ | ଏହି ସମିତିର କର୍ମକର୍ତ୍ତା ମାନେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପରେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି | ସମିତିର କର୍ମକର୍ତ୍ତା ଗଞ୍ଜାମର ପ୍ରୟାଗୀଠାରୁ ସୁନାପୁର ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ 58କିମି ଉପକୂଳ ଅଞ୍ଚଳର ବାସିନ୍ଦା, ମତ୍ସ୍ୟଜୀବୀ ଓ ଗ୍ରାମବାସୀଙ୍କୁ କଇଁଛଙ୍କ ସୁରକ୍ଷା ପାଇଁ ରୀତିମତ ସଚେତନ କରି ଆସୁଛନ୍ତି  |

ଓଡିଶା ଉପକୂଳକୁ 5ଟି ପ୍ରଜାତିର କଇଁଛ ଆସୁଥିବା ବେଳେ ଏମାନଙ୍କ ମଧ୍ୟରେ ଅଲିଭ୍ ରିଡ୍ଲେଙ୍କ ସଂଖ୍ୟା 99  ପ୍ରତିଶତ ବୋଲି କହିଛନ୍ତି ରବୀନ୍ଦ୍ର | ଦୀର୍ଘ 3 ଦଶନ୍ଧି ଧରି ସମୁଦ୍ର କଇଁଛଙ୍କ ପାଇଁ କାମ କରିବା ଅବସରରେ ରବୀନ୍ଦ୍ର ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି | ରବୀନ୍ଦ୍ର ନିଜସ୍ବ ଉଦ୍ୟମରେ ଗଞ୍ଜାମ ଜିଲ୍ଲା ସମେତ ଖୋର୍ଦ୍ଧା, ଅନୁଗୁଳ, ସୁନ୍ଦରଗଡ, କେନ୍ଦୁଝର, ସୋନପୁର, ସମ୍ବଲପୁର, ବରଗଡ, ଝାରସୁଗୁଡା, ମାଲକାନଗିରି ପ୍ରଭୃତି ଅଞ୍ଚଳରେ ସ୍ବେଚ୍ଛାସେବୀଙ୍କୁ ନେଇ ଘରଚଟିଆଙ୍କ ପାଇଁ କୃତ୍ରିମ ବସା ସ୍ଥାପନ କରିଛନ୍ତି | ଘରଚଟିଆଙ୍କ ସଂରକ୍ଷଣ ପାଇଁ 2015ରେ  ତାଙ୍କୁ ମୁମ୍ବାଇରେ ପୁରସ୍କୃତ କରାଯାଇଛି  | ଚଳିତବର୍ଷ ରବୀନ୍ଦ୍ର ତାଙ୍କ ଟିମ୍ ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ 10ହଜାରରୁ ଅଧିକ ତାଳଗୋଟମା ରୋପଣ କରିଛନ୍ତି  | ଜୀବଜଗତ ପ୍ରତି  ତାଙ୍କର ଏହି ଅବଦାନ ପାଇଁ 2022ରେ ରବୀନ୍ଦ୍ରଙ୍କୁ ରାଜ୍ୟସ୍ତରୀୟ  ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ମିଳିଥିଲା | ନିକଟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କୁ ଗ୍ରୀନ୍ ଆମ୍ବାସାଡର୍ ପୁରସ୍କାର-2024ରେ ସମ୍ମାନିତ କରାଯାଇଛି |


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App