You can write and publish your own articles here.
Please download the app to get started.

Download App


ମହାପ୍ରଭୁଙ୍କ ଜେଉଟ ଭୋଗ: ଏକ ପରିଚୟ

ତୁହିନାଂଶୁ କର

         ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ସେ ଏକାଧାରରେ ପୁରୁଷ ପୁଣି ସେ ଜଣେ ନାରୀ ଅଥବା ଏମିତି କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ପରଂବ୍ରହ୍ମ ଜଗନ୍ନାଥ ଲିଙ୍ଗ ଭେଦର ବହୁ ଉର୍ଦ୍ଧ୍ଵରେ। ସେ ଅଜନ୍ମା, ତଥାପି ସୃଷ୍ଟିର କଲ୍ୟାଣ ପାଇଁ ଯୁଗେ ଯୁଗେ ବାରମ୍ବାର ଜନ୍ମ ନିଅନ୍ତି। ପୁରାଣ ଶାସ୍ତ୍ର ମତରେ ଭଗବାନଙ୍କ ପିତାମାତା ଥିଲେ ହେଁ, ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏକ ବ୍ୟତିକ୍ରମ ଦେଖାଯାଏ । ସେ ବ୍ୟତିକ୍ରମ ହେଉଛି, ମହାପ୍ରଭୁ ନିଜେ ନିଜକୁ ଜନ୍ମ ଦିଅନ୍ତି କାରଣ ବ୍ରହ୍ମଙ୍କୁ କିଏ ବା ଜନ୍ମ ଦେଇପାରିବ? ତେଣୁ ମହାପ୍ରଭୁ ବର୍ଷକୁ ଦୁଇଥର ଗର୍ଭଧାରଣ କରିଥାନ୍ତି। ଥରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ଏବଂ ଆଉଥରେ ଲୀଳାମୟ ପୁରୁଷ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥାନ୍ତି। ତେଣୁ ଶ୍ରୀରାମନବମୀ ଏବଂ ଜନ୍ମାଷ୍ଟମୀର ଠିକ୍ ପୂର୍ବଦିନ ରାତିରେ, ମହାପ୍ରଭୁଙ୍କୁ ପ୍ରସବ ବେଦନାରୁ ମୁକ୍ତି ଦେବା ପାଇଁ ଏକ ବିଶେଷ ଭୋଗ ଲାଗି କରାଯାଏ, ଯାହାର ନାମ ’ଜେଉଟ ଭୋଗ’। ଏହି ଭୋଗରେ ବ୍ୟବହୃତ ମୁଖ୍ୟ ଫଳଟି ହେଉଛି ’ଜେଉଟ’। ଆସନ୍ତୁ, ଏହି ଫଳ ବିଷୟରେ ବିସ୍ତୃତ ଭାବେ ଜାଣିବା।

ଏହି ଜେଉଟ ଫଳର ବୈଜ୍ଞାନିକ ନାମ ଆର୍ଟୋକାର୍ପସ୍ ଲାକୁଚା (Artocarpus lacucha Buch.-Ham.)। ମାଙ୍କଡ଼ମାନେ ଏହି ଫଳକୁ ଖାଇବାକୁ ବହୁତ ଭଲ ପାଉଥିବାରୁ ଏହାକୁ ସାଧାରଣତଃ ’ମଙ୍କି ଜ୍ୟାକ୍’ କୁହାଯାଏ। ଜେଉଟ ’ମୋରେସୀ’ (Moraceae) ପରିବାରର ଏକ ବୃକ୍ଷ। ଆମର ଅତି ପରିଚିତ ଫଳ ପଣସ ଏବଂ ଡିମ୍ବିରି ମଧ୍ୟ ଏହି ପରିବାରର ଅନ୍ତର୍ଭୁକ୍ତ। ଏଥିରୁ ଜଣାପଡ଼େ ଯେ ଜେଉଟ, ପଣସର ଏକ ନିକଟ ସମ୍ପର୍କୀୟ।

ଏହି ପ୍ରଜାତିର ଭୌଗୋଳିକ ବିତରଣ ଦୃଷ୍ଟିକୋଣକୁ ବିଚାରକୁ ନେଲେ ଜଣାପଡେ ଯେ, ଏହି ବୃକ୍ଷ ମୁଖ୍ୟତଃ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆର ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଦେଖାଯାଏ। ଭାରତ ବ୍ୟତୀତ ବାଂଲାଦେଶ, ଥାଇଲ୍ୟାଣ୍ଡ ଏବଂ ମାଲେସିଆ ଭଳି ଦେଶରେ ଏହା ପ୍ରଚୁର ମାତ୍ରାରେ ମିଳିଥାଏ। ଭାରତର ଉତ୍ତର-ପୂର୍ବ ଏବଂ କେନ୍ଦ୍ରୀୟ ରାଜ୍ୟଗୁଡ଼ିକର ଜଙ୍ଗଲରେ ଏହା ସାଧାରଣତଃ ଦେଖାଯାଏ। ଆମ ରାଜ୍ୟ ଓଡ଼ିଶାର ଜଙ୍ଗଲ ଏବଂ ଗ୍ରାମାଞ୍ଚଳରେ ଏହି ଗଛ ସହଜରେ ଦେଖିବାକୁ ମିଳିଥାଏ। ଏହା ଏକ ମଧ୍ୟମରୁ ବଡ଼ ଆକାରର ପର୍ଣ୍ଣମୋଚୀ ବୃକ୍ଷ ଅଟେ ହୋଇଥିବା ବେଳେ ଏହାର ପତ୍ରଗୁଡିକ ବଡ଼, ସରଳ, ଏବଂ ଅଣ୍ଡାକୃତିରୁ ଆୟତାକାର ହୋଇଥାଏ, ଯାହାର ଉପର ପାର୍ଶ୍ଵ ଚିକ୍କଣ ସବୁଜ ଏବଂ ତଳ ପାର୍ଶ୍ଵ ସାମାନ୍ୟ ଲୋମଶ ହୋଇଥାଏ । ଫେବୃଆରୀ - ଏପ୍ରିଲ୍ (ଫାଲ୍ଗୁନ - ଚୈତ୍ର) ମାସ ମଧ୍ୟରେ ଗଛରେ ଛୋଟ, ସବୁଜ-ହଳଦିଆ ରଙ୍ଗର ଫୁଲ ପେନ୍ଥାରେ ଫୁଟିଥାଏ ଓ ଫଳ ମଧ୍ୟ ଫଳିଥାଏ। ଫଳଟି ଗୋଲାକାରରୁ ଆୟତାକାର, ମାଂସଳ, ସବୁଜରୁ ହଳଦିଆ-ବାଦାମୀ ରଙ୍ଗର ହୋଇଥାଏ। ଏହା ଦେଖିବାକୁ ଏକ ଛୋଟ ପଣସ ପରି, କିନ୍ତୁ ଆକାରରେ ବହୁତ ଛୋଟ, ଏବଂ ଏହାର ତନ୍ତୁଯୁକ୍ତ ମାଂସରେ ଅନେକ ଗୁଡିଏ ମଞ୍ଜି ରହିଥାଏ । ଏହା ଏକ ଔଷଧୀୟ ବୃକ୍ଷ ହୋଇଥିବାରୁ ଏହାର ଫଳକୁ ତରଳ ଝାଡ଼ା, ଆମାଶୟ ଏବଂ ଆନ୍ତ୍ରିକ କୃମିର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।

ଜେଉଟ ଏକ ସାଧାରଣ ବଣୁଆ ଫଳ ହେଲେ ମଧ୍ୟ ଏହା ଶ୍ରୀମନ୍ଦିର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥ ପରମ୍ପରା ସହିତ ଓତଃପ୍ରୋତ ଭାବେ ଜଡ଼ିତ। ମହାପ୍ରଭୁଙ୍କ ମାନବୀୟ ଲୀଳାକୁ ପ୍ରତିପାଦିତ କରୁଥିବା ଏହି ’ଜେଉଟ ଭୋଗ’ ପରମ୍ପରା କେବଳ ମହାପ୍ରଭୁଙ୍କ ନିକଟରେ ହିଁ ଦେଖିବାକୁ ମିଳେ ଅନ୍ୟ କେଉଁଠାରେ ନୁହେଁ । ତେଣୁ ଏହି ପରମ୍ପରା ପ୍ରକୃତି ସହ ଭଗବାନଙ୍କ ଅନନ୍ୟ ସମ୍ପର୍କକୁ ଦର୍ଶାଇଥାଏ। ଔଷଧୀୟ ଗୁଣ ଥିବା ଏହି ଫଳର ମହାପ୍ରଭୁଙ୍କ ସେବାରେ ଏହାର ବିଶିଷ୍ଟ ପ୍ରୟୋଗ ଯୋଗୁଁ, ଏହାକୁ ସ୍ୱତନ୍ତ୍ର କରି ଗଢ଼ି ତୋଳିଛି।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App