ଚିଠି
ସସ୍ମିତା ଜାମୁଦା
ଓ! ପ୍ରକାଶ ବାବୁଙ୍କ ପ୍ରମୋଶନ ପାର୍ଟିଟା ଏଥର ଜମିଲା । ଆହା ! କି ଖାଇବା । ଅନେକ ଦିନ ପର୍ଯ୍ୟନ୍ତ ପାଟିରୁ ସ୍ୱାଦ ଭୁଲି ହେବନି । ଆରେ ମୁଁ ତା କେଟରର୍ସ ମାନଙ୍କ ନମ୍ବର ବି ନେଇଯାଉଛି । ଲୋକମାନଙ୍କ ଏଭଳି ପ୍ରଶଂସା ଶୁଣି ପଦ୍ମା, ପ୍ରକାଶ ବାବୁଙ୍କ ଧର୍ମପତ୍ନୀ, ମୁହଁରେ ହସର ସୁସ୍ଥିତ ରେଖା ଟାଣି ଦିଅନ୍ତି । ସେ ମନେ ମନେ ଭାବନ୍ତି ଯେମିତି ଦୂର ପାହାଡ ସୁନ୍ଦର ପରି ତାଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ଲୋକମାନଙ୍କୁ ଭ୍ରମରେ ପକାଉଛି । କୌଣସି ମତେ ଯଦି ପ୍ରକାଶ ବାବୁ ଓ ପଦ୍ମା ସମ୍ନା-ସାମ୍ନି ହୁଅନ୍ତି ତେବେ ଗତରାତିରେ ଘଟିଥିବା ଘଟଣା ଯେମିତି ପ୍ରକାଶ ବାବୁଙ୍କ ମନରେ ଗଭୀର ରେଖା ଟାଣି ଦେଇଥିବା ପଦ୍ମା ତାଙ୍କ ନିରବ ଚାହାଣିରୁ ବାରି ପାରୁଥା’ନ୍ତି । ଅତିଥି ଚର୍ଚ୍ଚା ସରୁସରୁ ବହୁତ ଡେରି ହୋଇଯାଇଥାଏ । ପଦ୍ମା ବହୁତ ଥକି ଯାଇଥିବାରୁ ଲୁଗା ନ ପାଲଟି ସେମିତି ଶୋଇ ପଢିଲା । ତା ପର ଦିନ ସକାଳୁ ଉଠୁ ଉଠୁ ୯ ଟା । ପ୍ରକାଶ ବାବୁ ଅଫିସ୍ ଚାଲିଯାଇଥାନ୍ତି । ଆଉ ଢେରି ନ କରି ପତ୍ନୀ ତାଙ୍କ ମନ ପସନ୍ଦ ବ୍ୟଞ୍ଜନ ପ୍ରସ୍ତୁତ କରି ଅଫିସରେ ଦେଇଆସିଲା । ଘରକୁ ଆସି ଭାବିଲା, ଆଜି ଯେମିତି ହେଲେ ତାଙ୍କ ସହ କଥା ହେବାକୁ ପହିବ । ସୋଫାରେ ବସି ସେ ଚିଠିଟାକୁ ଦେଖୁ ଦେଖୁ ପାର୍ଟି ଆଗ ଦିନର ଘଟଣା ଯେମିତି ତା ଆଖି ସାମ୍ନାରେ ଦୃଶ୍ୟମାନ ହେବାକୁ ଲାଗିଲା ।
ପଦ୍ମା, ମୋ ଟିଫିନ୍ ଶୀଘ୍ର ଦିଅ ମୋତେ ଅଫିସ୍ ଯିବାକୁ ଡେରି ହେଲାଣି, ପ୍ରକାଶ ବାବୁ ଜୋତା ପିନ୍ଧୁପିନ୍ଧୁ କହିଲେ । ହଁ ହଁ ଆଣୁଛି – ରୋଷେଇ ଘର ଭିତରୁ ପାଟି ଶୁଭିଲା । ଏତିକି ବେଳେ ଡ଼ାକବାଲା ଚିଠି ଦେଇ ଗଲା । ଚିଠିଟା ପଦ୍ମା ପାଇଁ ଥିଲା । ନିଅ ତୁମ ଚିଠି ଆଉ ଦିଅ ମୋ ଟିଫିନ୍ । ଓକେ, ବାଏ ।
ହଁ ବାଏ । କବାଟ ବନ୍ଦ କରି ଚିଠିଟା ଦେଖେ ତ ପ୍ରେରକର ନାଁ ଦେଖି ଝଟକା ପରି ଲାଗିଲା । ରାକେଶ କୁମାର । ସେଇ ଅକ୍ଷର । ସିଏ ଲଥ୍ କରି ସୋଫା ଉପରେ ବସି ପଡିଲା । ରାକେଶ, ଅତୀତ ପୃଷ୍ଠାର ଗୋଟିଏ ଅଭୁଲା ସ୍ମୃତି ଯାହାକୁ ଏବେବି ମନେ ପକେଇଲେ ଦେହରେ ଶିବରଣ ଖେଳି ଯାଏ । ପଦ୍ମା ଚିଠି ଖୋଲିବାକୁ ସାହସ କରିଲାନି । କେଜାଣି କ’ଣ ଲେଖା ଥିବ ? ମନରେ ଅନେକ ପ୍ରଶ୍ନ ରଙ୍ଗି ମାଡ଼ୁଥାଏ । ଚିଠିଟା ସେମିତି ଟେବୁଲ ଉପରେ ରଖିଦେଇ ନିଜକୁ ଅନ୍ୟ କାମରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରିଲା । ପ୍ରକାଶ ବାବୁ ଅଫିସରୁ ଫେରିଲା ପରେ ସୋଫାରେ ବସି ହାଲିଆ ମାରୁଥାନ୍ତି । ତାଙ୍କ ନଜର ଟେବୁଲରେ ରଖା ହୋଇଥିବା ଚିଠି ଉପରେ ପଢିଲା । ପଦ୍ମା ତାଙ୍କ ପାଇଁ ଚା ଓ ଜଳଖିଆ ନେଇ ଆସିଲା । ଆରେ ! ତୁମେ ଏ ଯାଏଁ ଏ ଚିଠି ଖୋଲିନ ? ରାକେଶ କୁମାର, ... ଯାଜପୁର । ଆମର ଏଠିକାର ! ତୁମର କେହି ସମ୍ପର୍କୀୟ ?
ନା... । ମାନେ... ମୁଁ କ’ଣ କହୁଥିଲି କି... ପଦ୍ମା ଘାବରେଇ ଯାଇଥିଲା । ରାକେଶ ଆଉ ମୁଁ କଲେଜରେ ଏକାଠି ପଢୁଥିନ୍ତୁ ।
ଓ ଆଇ ସି । ହଁ ହଁ ମନେ ପଡିଲା । ପ୍ରକାଶ ବାବୁ ଚା’ ପିଉପିଉ କହିଲେ । ସେଇ ରାକେଶ ନା ! ତୁମର ପୁରୁଣା ପ୍ରେମିକ । ଇଜ ଇଣ୍ଟ ଇଟ୍ । ଏବେବି ତୁମକୁ ଚିଠି ଲେଖୁଛି ଷ୍ଟ୍ରେଞ୍ଜ । ମୋର ଯେତେ ଦୂର ମନେ ଅଛି ତୁମେ କହିଥିଲ ଯେ ବାହାଘର ପରେ ଫୋନ୍ ନମ୍ବର ବଦଳେଇ ଦେଇଥିଲା ବୋଲି । ହଁ ତା ପରଠୁ ଆମେ କେବେ କଥା ହୋଇନୁ । ତା ପାଖରେ ମୋ ଘର ନମ୍ବର ଥିଲା ବୋଧୁଏ ସେଇଠୁ ଘର ଠିକଣା ପାଇଥିବ । କିଛି ସମୟ ପାଇଁ ଏକ ପ୍ରକାର ନିରବତା ଛାଇ ଯାଇଥିଲା । ତୁମେ ଯଦି ଚାହଁ ତେବେ ଚିଠି ଖୋଲି ପଢ଼ି ପାର, ନିରବତା ଭାଙ୍ଗି କହିଲା ପଦ୍ମା ।
ନୋ ନୋ ନେଭର । ଅନ୍ୟର ଚିଠି କେବେ ପଢ଼ିବା କଥା ନୁହେଁ । ଏତିକି ଶିଷ୍ଟାଚାର ମୁଁ ଜାଣିଛି ।
ପ୍ରକାଶ ବାବୁଙ୍କ ମୁହଁରୁ ମିଶ୍ରିତ ଭାବନା ସବୁ ବାରି ପାରୁଥିଲା ପଦ୍ମା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ବ୍ୟବହାରରେ ଏକ ପ୍ରକାର ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ ସେ । ଦେଖୁ ଦେଖୁ ସଞ୍ଜ ନଇଁ ଆସିଲା । ପ୍ରକାଶ ବାବୁ ଆସିଲେ । କେବଳ ତାଙ୍କ ଜଳଖିଆ ଶେଷ ହେବାକୁ ନେଇ ଅପେକ୍ଷା ଥିଲା । ଶୁଣ, କ’ଣ ତୁମେ ଏବେବି ମୋ ଉପରେ ଅଭିମାନ କରିଛ ? ଥରୁଟିଏ ମୋ ପକ୍ଷ ରଖିବାକୁ ସୁଯୋଗ ଦିଅ । ପ୍ଲିଜ - ପଦ୍ମା ନମ୍ରତାର ସହ କହିଲା । ରାକେଶ ମୋ ଅତୀତ କିନ୍ତୁ ତୁମେ ମୋ ବର୍ତ୍ତମାନ ଓ ଭବିଷ୍ୟ । ତୁମକୁ ନେଇ ମୋ ସଂସାର । ସେଇ ପୁରୁଣା କଥାକୁ ଆମ ସୁଖମୟ ଦାମ୍ପତ୍ୟ ଜୀବନକୁ ନଷ୍ଟ କରିବାକୁ ଦିଅନି । ମୋ ଉପରେ ରାଗ, ପାଟି କର ଏମିତିକି ଶାସ୍ତି ମଧ୍ୟ ଦେଇ ପାର । ତୁମ ନିରବତା ମୋତେ ଆନ୍ଦୋଳିତ କରୁଛି । କିଛି ତ କୁହ – ସେ ପ୍ରକାଶବାବୁଙ୍କ ଦୁଇ ବାହୁ ହଲେଇକି କହିଲେ । ତା ପରେ ପାଦ ତଳେ ବସି ଅଶ୍ରୁ ଢାଳିବାକୁ ଲାଗିଲେ ।
ତୁମେ କ’ଣ ଶୁଣିବାକୁ ଚାହିଁ ପଦ୍ମା ? ମୋ ଅନ୍ତର ବେଦନାର କର୍କଶ ଶବ୍ଦ । ଅଛି ସେ ଧୈର୍ଯ୍ୟ ତୁମର । ତାଙ୍କ ସ୍ୱରରେ ଏକ ପ୍ରକାର ଗମ୍ଭୀର ଭାବ ଥିଲା ।
ହଁ. - ପଦ୍ମା ଧୀର କଣ୍ଠରେ କହିଲେ ।
ତେବେ ଶୁଣ - ଆଜି ଚିଠି ଆସିଛି, କାଲି ହୁଏତ ସେ ଘରକୁ ଆସି ପାରେ । ମୋ ଅନୁପସ୍ଥିତିରେ ହୁଏତ ତୁମେ ଦୁହେଁ....
ଓ ଷ୍ଟପ୍ ଇଟ୍ । ଛି ! କି ରୁଗ୍ଣ ମାନସିକତା ତୁମର । ତୁମେ ମୋ ଉପରେ ସନ୍ଦେହ କରୁଛ ? ସ୍ୱର ବଦଳି ଯାଇଥିଲା ପଦ୍ମାଙ୍କର । ଗୋଟେ ପତିବ୍ରତା ନାରୀ ତା ଚରିତ୍ରକୁ ନେଇ ଲାଞ୍ଛନା କେବେବି ସହି ପାରେନା । ଏଇ ପଦ କଥାରେ ମୋ ମନରେ ତୁମ ପ୍ରତି ଥିବା ବିଶ୍ଵାସକୁ ସବୁ ଦିନ ପାଇଁ ହରେଇ ଦେଇଛ । ଆଉ ଅଯଥା ଯୁକ୍ତି ତର୍କର କିଛି ମାନେ ନାହିଁ । କାଲି ସକାଳେ ମୁଁ ଏଠାରୁ ଚାଲିଯିବି... କହି ପଦ୍ମା ସେଠାରୁ ଚାଲି ଗଲେ |
ତା ପର ଦିନ ସକାଳ ଯେମିତ ପ୍ରକାଶ ବାବୁଙ୍କ ଜୀବନରେ ଶୂନ୍ୟତା ଆଣି ଦେଇଥିଲା । କିଛି ଦିନ ଯେମିତି ସେମିତି କଟିଗଲା କିନ୍ତୁ ଧୀରେ ଧୀରେ ପଦ୍ମାର ଅନୁପସ୍ଥିତି ତାଙ୍କୁ ଘାରିବାକୁ ଲାଗିଲା । ନା, ନା, ନା ମୋତେ ଡିଭୋର୍ସ ଦିଅନ୍ତି । ପ୍ଲିଜ ମୋତେ କ୍ଷମା କରି ଦିଅ । ମୋତେ ଛାଡିକି ଯାଅନି । ପ୍ଲିଜ୍. ପ୍ଲିଜ.. ପ୍ଲିଜ୍.... କହୁ କହୁ ପ୍ରକାଶ ବାବୁ ରାତି ଅଧରେ ଉଠି ଗଲେ । ସେ ପୁରା ଝାଳରେ ଭିଜି ଯାଇଯାଇଥିଲେ । ଲାଇଟ୍ ଜଳେଇ ଚାରି ପାଖ ଅନେଇଲେ । ପଦ୍ମା ନଥିଲା । ପାଖରେ ଥିବା ପାଣି ଗ୍ଲାସ୍ରୁ ପାଣି ପିଇଲେ । ତାଙ୍କ ନଜର ପାଖ ଟେବୁଲରେ ପଢିଲା । ସେ ଗଲା ଦିନଠାରୁ ସେ ଚିଠି ସେମିତି ଅଛି । ଖୋଲା ହୋଇନି । ପ୍ରକାଶ ବାବୁ ମଧ୍ୟ କେବେ ସାହସ କରି ନାହାରି ତାକୁ । ଚିଠିରେ ଲେଖା ଥିଲା...
ପଦ୍ମା,
ଆଶା କରୁଛି ତୁମ ବୈବାହିକ ଜୀବନ ସୁଖ ଶାନ୍ତିରେ ଚାଲୁଥିବ । ବାହାଘର ପରେ ଯେମିତି ସବୁ ସାଙ୍ଗ ସାଥିମାନଙ୍କ ଠାରୁ ଯୋଗାଯୋଗ ବିଛିନ୍ନ କରି ଦେଇଥିଲ । ତା ପରଠାରୁ ମୁଁ ତୁମ ଘରେ ବି କେବେ ଫୋନ୍ କରିନି । ଭାଗ୍ୟର ସଂଯୋଗ ଦେଖ ମୋ ପୋଷ୍ଟିଙ୍ଗ୍ ବି ଯାଜପୁରରେ ହିଁ ହେଲା । ସେତେବେଳେ ମୁଁ ଜାଣିନଥିଲି ତୁମେ କି ଏଠାରେ ରହୁଛି ବୋଲି । ଦିନେ ତୁମକୁ ଭାଇନାଙ୍କ ସାଙ୍ଗରେ ମେଳାରେ ଦେଖିଲି | ଆଉ ତା ପର ଠାରୁ କଳେବଳେ କୌଶଳେ ତୁମ ଠିକଣାର ସନ୍ଧାନ ପାଇଲି । ଚଳିତ ମାସ ୨୦ ତାରିଖ ମୋ ଝିଅର ପ୍ରଥମ ଜନ୍ମୋତ୍ସବ । ଜାଣିଚ ତା ନାଁ ମୁଁ କଣ ଦେଇଛି ? ପଦ୍ମା । ଭାଇନାଙ୍କୁ ସାଙ୍ଗରେ ନେଇ ନିଶ୍ଚୟ ଆସିବ । ତୁମେ ଆସିଲେ ଭାବିବି ମୋତେ କ୍ଷମା କରି ଦେଇଛ ବୋଲି ।
ଅପେକ୍ଷାର ସହ ରାକେଶ ଓ ପରିବାର ।
ପ୍ରକାଶ ବାବୁଙ୍କ ଆଖିରୁ ଛଳ ଛଳ ଲୁହ ଧାର ବୋହି ପହିଲା । ମନେମନେ ଭାବିଲେ ଚିଠିଟା ଆଗରୁ ପଢି ଦେଇଥିଲେ ହୁଏତ କଥାଟା ଏତେ ବାଟ ଆଗେଇ ନଥାନ୍ତା । ତାଙ୍କ ଆଖି ସାମ୍ନାରେ ପଦ୍ମାର ଗୋଟିଏ ପରେ ଗୋଟିଏ ଭଲ ଗୁଣ ଦୃଶ୍ୟମାନ ହେବାକୁ ଲାଗିଲା । ସେ ଜାଣିଥିଲା ଯେ ମୁଁ କେବେ ବାପା ହୋଇ ପାରିବନି ତଥାପି ମୋ ସାହସ ହୋଇ ସାଥିରେ ଛଇଡା ହେଲା । ସେ କେବେ ହେଲେ ତା ସ୍ତ୍ରୀ ଧର୍ମରୁ ଓହରି ଯାଇନି । ଆଉ ମୁଁ ଗୋଟେ ଛୋଟ କଥାକୁ ନେଇ ତା ଉପରେ ଏତେ ବଡ ଲାଞ୍ଛନା ଲଗେଇଲି । ଛି !.. । ଧିକ୍...ଧିକ୍... ମୋ ସ୍ଵାମୀପଣିଆକୁ । କଥା ବଢିବା ଆଗରୁ ମୋତେ ପଦ୍ମା ଠାରୁ ଭୁଲ ମାଗିବାକୁ ପଡିବ । ହଁ ହଁ କାଲି ସକାଳେ ମୁଁ ତା ପାଖକୁ ଯିବି, ନିଶ୍ଚୟ ଯିବି... କହୁ କହୁ ତାଙ୍କ ଆଖି କେତେବେଳେ ସେ ମାଡି ଗଲା ଜଣା ନାହିଁ । ତା ପର ଦିନ ସକାଳେ ସେ ଧଡପଡ ହୋଇ ବାହାରିଲେ ।
ଆରେ ଜ୍ଵାଇଁ ପୁଅ । ଏ ଅବେଳରେ । ଆସ ଭିତରକୁ ଆସ । ପଦ୍ମା କେଉଁଠି ? ତା ରୁମରେ । ମୁଁ ଟିକେ ପଦ୍ମା ପାଖରୁ ଆସୁଛି ତା ପରେ... ।
ହଁ ହଁ ଯାଅ । ପ୍ରକାଶ ବାବୁ ରୁମରେ ପହଂଚି କବାଟ ଭିତରୁ ଦେଇ ଦେଲେ । ତୁମେ ? ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ପଦ୍ମା ଓ ଅଭିମାନରେ ମୁହଁ ବୁଲେଇଦେଲା । ଏବେ କ’ଣ ଡିଭୋର୍ସ ନୋଟିସ୍ ନେଇ ଆସିଛ ?
ପ୍ଲିଜ୍, ଥରୁଟିଏ ମୋ ପକ୍ଷ ରଖିବାକୁ ସୁଯୋଗ ଦିଅ, ନମ୍ର ଭାବରେ କହିଲେ ପ୍ରକାଶ ବାବୁ । କିଛି ନ ବୁଝି ନ ବିଚାରି ତୁମ ଉପରେ ଏତେ ବଡ ଲାଞ୍ଛନା ଲଗେଇଥିବାରୁ ମୁଁ ବହୁତ ଅନୁତପ୍ତ । ତୁମ ବିନା ଯେ ମୁଁ ସୁଖରେ ରହି ପାରିବି ତୁମେ ଲାବି କେମିତି ପାରିଲ ? ତାଙ୍କ ସ୍ବରରୁ ଓ ଆଖିରୁ ଯେମିତି ସବୁ ଭାବନାକୁ ପଢି ପାରୁଥିଲେ ପଦ୍ମା ।
ଏତିକି କହି ପ୍ରକାଶ ବାବୁ ଚିଠିଟା ପଢ଼ିବାକୁ ଲାଗିଲେ..... ଏବେ କୁହ ପଦ୍ମା ଏତେ ସବୁ ଜାଣି ସାରିଲା ପରେ କ’ଣ ତୁମେ ମୋତେ କ୍ଷମା କରିବନି ? ପଦ୍ମା ଆଉ କୋହ ସମ୍ଭାଳି ନ ପାରି ପ୍ରକାଶ ବାବୁଙ୍କ ଛାତିରେ ମୁହଁ ଲୁଚେଇ କାନ୍ଦିବାକୁ ଲାଗିଲା ଓ ଶ୍ଵାସରୁଦ୍ଧ କଣ୍ଠରେ କହିଲା – ତୁମ ପ୍ରାୟଶ୍ଚିତର ଲୁହ ସବୁ କିଛି କହି ଦେଉଛି ।
ପଛ କଥା ସବୁ ଭୁଲି ଯାଅ ପଦ୍ମା । ଚାଲ ଆମ ଜୀବନକୁ ପୁଣି ଥରେ ନୂଆ ରଂଗରେ ସଡ଼େଇବା । ଏତିକି କହି ପ୍ରକାଶ ବାବୁ ପଦ୍ମାକୁ ନିବିଡ଼ ଆଲିଙ୍ଗନରେ ଜଡେଇ ଧରିଲେ ।
ଛତିଆ, ଯାଜପୁର