ବଳଦ
ଅନନ୍ତ ବାଗ
ରାମ ଲଖନ ଗଲେ ବନବାସ ଆର ସାଙ୍ଗରେ ଥିଲେ ଜନକ ନନ୍ଦିନୀ... ଆହା... ହଲ... ତ.. ତ । ଦିନୁ ସକାଳୁ ସକାଳୁ ତା’ କାଳିଆ ବୁଢା ବଳଦ ହଳକ ଧରି ଏକମାତ୍ର ଜାଗେରୀ ଜମିକୁ ଜୋତିବାରେ ଲାଗିଛି । ପାଟିରେ ତା’ର ହଳିଆ ଗୀତ । ଆଜିକାଲି କାଁ ଭାଁ ହଳିଆ ଗୀତ ଶୁଣିବାକୁ ମିଲୁଛି, ତା’ ବି ଦିନୁ ପରି ନିରୀହ ଖଟିଖିଆ ଚାଷୀ ପାଖେ ! ଯୋଉ ପରି ପଶ୍ଚିମ ସଭ୍ୟତା ଆମ ଦେଶରେ ମାଡ଼ି ଚାଲିଛି, ଆମ ସଂସ୍କୃତିପରମ୍ପରା ସବୁ ଲୋପ ପାଇ ଆସିଲାନି ।
ଦିନୁ ଅନେକ ଆଶାରଖି ନିଜ ଗୋଟେ ମାତ୍ର ଜାଗେରୀ ଜମିକୁ ନିଜ ଝାଳନାଳ ଲଗାଇ ଦେଇଛି । ବର୍ଷ ବର୍ଷ ଧରି ନିଜ ପୂର୍ବଜଠୁ ପାଇଥିବା ଏ ଜମିରେ ହିଁ ତ ସେ ନିଜର ପେଟ ପୋଷି ଆସିଛି । କେତେ ଖରା, ବରଷା, ଶୀତ ସହି ତା’ ବାପ ଅଜା ଚାଷ କରୁଥିଲେ, ଆଜି ତା’କୁ କରିବାକୁ ପଢୁଛି । ଦିନୁର କାଳିଆ ବଳଦ ଦି’ ଟା ଠିକ୍ ଠିକ୍ରେ ଚାଲିଲେ ଯେତେ ଖରା କରୁ ଯେତେ ବରଷା କରୁ ତା’ର କିଛି ପର ପରବାୟ ନାହିଁ । କାରଣ ଏ କାଳିଆ ବଳଦ ଦି’ ଟା ହିଁ ତ ତା’ ସାହା ଓ ଭରସା । ଯେତେବେଳେ ଦିନୁକୁ ଦଶବର୍ଷ ହେଉଥିଲା ସେତିକି ବେଳେ ତା’ ବାପା ଏ କାଳିଆ ବଳଦ ହଳକ ହଜାରେ ଟଙ୍କାରେ କିଣିଥିଲେ । ସେଦିନ ଏ କାଳିଆ ବଳଦ ଦି’ ଟା କୁ ଦେଖି ଦିନୁର ମନ ଭରି ଯାଇଥିଲା । ସେ ନିଜେ ଘାସ ଆଣି ନିଜ ହାତରେ ଖୁଆଇ ଏମାନଙ୍କର ସେବା ଯତ୍ନ କରିଥିଲା । ଦିନୁ ତା’ ବାପାଙ୍କ ସାଙ୍ଗରେ ଜାଗେରୀ ଜମିକୁ ଏ କାଳିଆ ବଳଦକୁ ନେଇକି ଯାଇଥିଲା । ସେ ତା’ ବାପା ପାଖେ ଜିଦ୍ କରିଥିଲା ଯେ ସେ ନିଜେ ହିଁ ହଳ କରିବ । ଦିନୁର ଉତ୍ସାହ ଓ ଆଗ୍ରହକୁ ଦେଖି ବାପା ମନା କରି ପାରି ନ ଥିଲେ । ଦିନୁ ଏ ଦି’ ବଳଦ ଯୋଗୁଁ ହଳ କରିବା ଖୁବ୍ ଶିଘ୍ର ଶିଖି ଯାଇଥିଲା । ଆଜି ଦିନୁର ବାପା ନାହାନ୍ତି ସତ କିନ୍ତୁ ତାଙ୍କର ସ୍ମୃତି ଚିହ୍ନ ଏ ବୁଢା କାଳିଆ ବଳଦ ଦି ଟା ଆଜି ବି ଦିନୁର ସମସ୍ତ ଦୁଃଖ,ଜଞ୍ଜାଳରେ ସାଥି ହେଇ ସହାୟକ ହେଉଛନ୍ତି । ଦିନୁର ସ୍ତ୍ରୀ ମାନୀ କେତେ ଥର କହି ସାରିଲାଣି ଯେ ଏ କାଳିଆ ବଳଦ ଦି’ ଟା ବୁଢା ହେଇ ଆସିଲେଣି ଏ କୁ ବିକି ଦେଇ ଆଉ ନୂଆ ବଳଦ ହଳକ କିଣି ଭଲରେ ଚାଷ କରିବା ! କିନ୍ତୁ ଦିନୁ ଯେତେବେଳେ ବି ଏ କାଳିଆ ବଳଦ ଦି’ ଟା ବିନା ତା’ ଚାଷ କଥା ଭାବି ଦିଏ ଆଖିରୁ ତା’ର ଲୁହ ଜକେଇ ଆସେ । ସେ କଦାପି ବରଦାସ୍ତ କରି ପାରେନି କାଳିଆ ବଳଦ ବିକିବା କଥା ଶୁଣିଲେ ।
ଆଜିବି ଯେତେବେଳେ ଏ ଦି’ ଟା କାଳିଆ ବଳଦକୁ ଦେଖିଦେଲେ ଦିନୁକୁ ତା’ ବାପାର ମୁହଁ ଦିଶିଯାଏ । ଦି’ ବର୍ଷ ହେବ ଜାଗେରୀ ଜମିରେ ଚାଷ ନାହିଁ ବର୍ଷାର ଅନିୟମିତତା ଓ ମରୁଡ଼ି ଯୋଗୁଁ ଦିନୁର ମୁହଁରେ ହସ ନାହିଁ ଏଆଡୁ ସେଆଡୁ କରି ଦିନୁ ଏ ବର୍ଷ ବି ଧନୀ ରଘୁ ସାହୁଠୁ ଉଧାର ଆଣି ଚାଷରେ ଲଗାଇଥିଲା ଓ ପରିବାର ଚଲାଇଥିଲା । ଏଆଡେ କରଜ ଭାର ବଢି ବଢି ଚାଲିଛି... ସରକାର ଚାଷୀମାନଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ହେଲେ ପ୍ରକୃତ ଲାଭ ଦିନୁ ପରି ଗରିବ ଚାଷୀ ପାଖେ ପହଞ୍ଚି ପାରୁନି । ସେ ଦିନ ଦିନୁ ଘରେ ନ ଥିଲା । ସେତିକିବେଳେ ରଘୁ ସାହୁ ଦିନୁ ଘରକୁ ଆସି ତା’ ସ୍ତ୍ରୀ ମାନୀକୁ କେତେ କଥା କହି ଦେଇ ଗଲା କରଜ ଶିଘ୍ର ଶୁଝ ନଚେତ ଠିକ୍ ହେବନି । ମାନୀଠୁ ଏସବୁ ଶୁଣି ଦିନୁ ମୁଣ୍ଡରେ ଚଡ଼କ ପଡ଼ିଲା । ଦିନୁ ଏ ବରଷ ବହୁତ ଆଶା ରଖଥିଲା ଫସଳ ଭଲ ହେବ ଓ ଦି’ ପଇସା ମିଳିବ ତା’ ସହ ଯାହା କରଜ ଅଛି ସବୁ ଶୁଝା ହେବ । ବର୍ଷା ବି ଠିକ୍ ହେଇଥିଲା ଧାନ କେଣ୍ଡା ବି କେରା ମାରି ଆସି ସାରିଥିଲାଣି । କିନ୍ତୁ କୋଉଠି ଥିଲେ ଏ ଚକଡ଼ା ପୋକ କେଜାଣି ଧାଇଁ ଆସି ଧାନ ଫସଳ ଉପରେ ମାଡ଼ି ବସିଲେ । ଦେଖୁ ଦେଖୁ କେଇ ଦିନଟା ଭିତରେ ଚକଡ଼ା ପୋକ ଧାନର ସବୁ ରସ ଶୋଷି ପାଉଁଶ କରିଦେଲା ।
ଦିନୁ ଏସବୁ ଦେଖି ଘୋର ଚିନ୍ତାରେ ପଡ଼ିଗଲା । ତା’ ଚାରିଆଡ଼େ କଳା ବାଦଲ ଛାଇଁଗଲା । ଏ ସମୟରେ ରଘୁ ସାହୁର ଧମକ ପୂର୍ଣ୍ଣ କଟୁ ମନ୍ତବ୍ଯ ତା’କୁ ଜର୍ଜରିତ କରି ପକାଉଥିଲା । ଏତିକି ବେଳେ ଦିନୁର ସ୍ତ୍ରୀ ମାନୀ କହିବାକୁ ଲାଗିଲା -ଏ କାଳିଆ ବଳଦ ଦି’ଟା ବିକି ଦେଲେ ହୁଅନ୍ତାନି । ମାଲିକର ଯାହା ସବୁ ପଇସା ଶୁଝା ଯାଇ ପାରନ୍ତା । ଦିନୁ ଛାତି ଉପରେ କିଏ ପାହାର ପକେଇଲା ପରି ଅନୁଭବ୍ କଲା । ସେ ବହୁତ ଚିନ୍ତା କଲା, ତା’ ମୁଣ୍ଡ କିଛି କାମ କଲାନି ଶେଷରେ ନାଚାର ହେଇ ଦିନୁ କାଳିଆ ବଳଦ ଦି’ ଟା ବିକିବା ପାଇଁ ରାଜି ହେଇଗଲା !
କାଲିଆ ବଳଦ ଦି’ ଟା କୁ କିଣିବାକୁ ବ୍ଯବସାୟୀ ଜଣକ ଆସିଲେ । ମାନୀ ଦାମ୍, ମୂଲ ଠିକ୍ କଲା । ଏଥର ବ୍ଯବସାୟୀ ଜଣକ ବଳଦ ନେବାକୁ ଉଦ୍ୟତ ହୁଅନ୍ତେ ଦିନୁର ଆଖି ଓଦା ସର ସର ହେଇ ବସିଲା ! ସେ ବିଶ୍ବାସ କରି ପାରୁ ନ ଥିଲା ଯେ ଆଜି ତା’ର ଦୁଃଖସୁଖର ସାଥି ବାପାର ସ୍ମୃତି ଚିହ୍ନକୁ ବିକି ଦେଉଛି । ବଳଦ ଦି’ଟା ମଧ୍ୟ ଦିନୁ ଘରକୁ ଛାଡ଼ି ଆଗକୁ ଯିବାକୁ ଗୋଡ଼ ବଢାଉ ନ ଥିଲେ । ସେମାନେ ବି ସବୁ ବୁଝି ପାରୁଥିଲେ! ଦିନୁ ନିଜର ସବୁ କୋହକୁ ଚାପି ଘର ଭିତରକୁ ଯାଇ କଇଁ କଇଁ ହେଲା । ଆଜି ଦିନୁ ପାଖେ ତା’ ପ୍ରିୟ କାଳିଆ ବଳଦ ଦି’ ଟା ନାହିଁ । ଦିନୁର ଗୋଟେ ବୋଝକୁ ହାଲୁକା କରି ସେମାନେ ବିକ୍ରି ହେଇ ଯାଇଛନ୍ତି ।
ପିତାମହୁଲ,ଅଲଣ୍ଡା,ସିନ୍ଧେକେଲା,ବଲାଙ୍ଗିର