You can write and publish your own articles here.
Please download the app to get started.

Download App


ବଳଦ

ଅନନ୍ତ ବାଗ

ରାମ ଲଖନ ଗଲେ ବନବାସ ଆର ସାଙ୍ଗରେ  ଥିଲେ ଜନକ ନନ୍ଦିନୀ... ଆହା... ହଲ... ତ.. ତ । ଦିନୁ ସକାଳୁ ସକାଳୁ ତା’ କାଳିଆ ବୁଢା ବଳଦ ହଳକ ଧରି ଏକମାତ୍ର ଜାଗେରୀ ଜମିକୁ ଜୋତିବାରେ ଲାଗିଛି । ପାଟିରେ ତା’ର ହଳିଆ ଗୀତ । ଆଜିକାଲି କାଁ ଭାଁ ହଳିଆ ଗୀତ ଶୁଣିବାକୁ ମିଲୁଛି, ତା’ ବି ଦିନୁ ପରି ନିରୀହ ଖଟିଖିଆ ଚାଷୀ ପାଖେ ! ଯୋଉ ପରି ପଶ୍ଚିମ ସଭ୍ୟତା ଆମ ଦେଶରେ ମାଡ଼ି ଚାଲିଛି, ଆମ ସଂସ୍କୃତିପରମ୍ପରା ସବୁ ଲୋପ ପାଇ ଆସିଲାନି ।

ଦିନୁ ଅନେକ ଆଶାରଖି ନିଜ ଗୋଟେ ମାତ୍ର ଜାଗେରୀ ଜମିକୁ ନିଜ ଝାଳନାଳ ଲଗାଇ ଦେଇଛି । ବର୍ଷ ବର୍ଷ ଧରି ନିଜ ପୂର୍ବଜଠୁ ପାଇଥିବା ଏ ଜମିରେ ହିଁ ତ ସେ ନିଜର ପେଟ ପୋଷି ଆସିଛି । କେତେ ଖରା, ବରଷା, ଶୀତ ସହି ତା’ ବାପ ଅଜା ଚାଷ କରୁଥିଲେ, ଆଜି ତା’କୁ କରିବାକୁ  ପଢୁଛି । ଦିନୁର କାଳିଆ ବଳଦ ଦି’ ଟା ଠିକ୍ ଠିକ୍‌ରେ ଚାଲିଲେ ଯେତେ ଖରା କରୁ ଯେତେ ବରଷା କରୁ ତା’ର କିଛି ପର ପରବାୟ ନାହିଁ । କାରଣ ଏ କାଳିଆ ବଳଦ ଦି’ ଟା ହିଁ ତ ତା’ ସାହା ଓ ଭରସା । ଯେତେବେଳେ ଦିନୁକୁ ଦଶବର୍ଷ ହେଉଥିଲା  ସେତିକି ବେଳେ ତା’ ବାପା ଏ କାଳିଆ ବଳଦ ହଳକ ହଜାରେ ଟଙ୍କାରେ କିଣିଥିଲେ ।  ସେଦିନ ଏ କାଳିଆ ବଳଦ ଦି’ ଟା କୁ ଦେଖି ଦିନୁର ମନ ଭରି ଯାଇଥିଲା  ସେ ନିଜେ ଘାସ ଆଣି ନିଜ ହାତରେ ଖୁଆଇ ଏମାନଙ୍କର  ସେବା ଯତ୍ନ କରିଥିଲା  ଦିନୁ ତା’ ବାପାଙ୍କ ସାଙ୍ଗରେ ଜାଗେରୀ ଜମିକୁ ଏ କାଳିଆ ବଳଦକୁ ନେଇକି ଯାଇଥିଲା  ସେ ତା’ ବାପା ପାଖେ ଜିଦ୍ କରିଥିଲା ଯେ ସେ ନିଜେ ହିଁ ହଳ କରିବ  ଦିନୁର ଉତ୍ସାହ ଓ ଆଗ୍ରହକୁ ଦେଖି ବାପା ମନା କରି ପାରି ନ ଥିଲେ  । ଦିନୁ ଏ ଦି’ ବଳଦ ଯୋଗୁଁ ହଳ କରିବା ଖୁବ୍ ଶିଘ୍ର ଶିଖି ଯାଇଥିଲା  ଆଜି ଦିନୁର ବାପା ନାହାନ୍ତି ସତ କିନ୍ତୁ ତାଙ୍କର ସ୍ମୃତି ଚିହ୍ନ ଏ ବୁଢା କାଳିଆ ବଳଦ ଦି ଟା ଆଜି ବି ଦିନୁର ସମସ୍ତ ଦୁଃଖ,ଜଞ୍ଜାଳରେ ସାଥି ହେଇ ସହାୟକ ହେଉଛନ୍ତି । ଦିନୁର ସ୍ତ୍ରୀ ମାନୀ କେତେ ଥର କହି ସାରିଲାଣି ଯେ ଏ କାଳିଆ ବଳଦ ଦି’ ଟା ବୁଢା ହେଇ ଆସିଲେଣି  ଏ କୁ ବିକି ଦେଇ ଆଉ ନୂଆ ବଳଦ ହଳକ କିଣି ଭଲରେ ଚାଷ କରିବା ! କିନ୍ତୁ ଦିନୁ ଯେତେବେଳେ ବି ଏ କାଳିଆ ବଳଦ ଦି’ ଟା ବିନା ତା’ ଚାଷ କଥା ଭାବି ଦିଏ ଆଖିରୁ ତା’ର ଲୁହ ଜକେଇ ଆସେ  ସେ କଦାପି ବରଦାସ୍ତ କରି ପାରେନି କାଳିଆ ବଳଦ ବିକିବା କଥା ଶୁଣିଲେ । 

ଆଜିବି ଯେତେବେଳେ ଏ ଦି’ ଟା କାଳିଆ ବଳଦକୁ ଦେଖିଦେଲେ ଦିନୁକୁ ତା’ ବାପାର ମୁହଁ ଦିଶିଯାଏ  ।  ଦି’ ବର୍ଷ ହେବ ଜାଗେରୀ ଜମିରେ ଚାଷ ନାହିଁ ବର୍ଷାର ଅନିୟମିତତା ଓ ମରୁଡ଼ି ଯୋଗୁଁ ଦିନୁର ମୁହଁରେ ହସ ନାହିଁ  ଏଆଡୁ ସେଆଡୁ କରି ଦିନୁ ଏ ବର୍ଷ ବି ଧନୀ ରଘୁ ସାହୁଠୁ ଉଧାର ଆଣି ଚାଷରେ ଲଗାଇଥିଲା ଓ ପରିବାର ଚଲାଇଥିଲା  ଏଆଡେ କରଜ ଭାର ବଢି ବଢି ଚାଲିଛି... ସରକାର ଚାଷୀମାନଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ହେଲେ ପ୍ରକୃତ ଲାଭ ଦିନୁ ପରି ଗରିବ ଚାଷୀ ପାଖେ ପହଞ୍ଚି ପାରୁନି ।  ସେ ଦିନ ଦିନୁ ଘରେ ନ ଥିଲା   ସେତିକିବେଳେ ରଘୁ ସାହୁ ଦିନୁ  ଘରକୁ ଆସି ତା’ ସ୍ତ୍ରୀ ମାନୀକୁ କେତେ କଥା କହି ଦେଇ ଗଲା  କରଜ ଶିଘ୍ର ଶୁଝ ନଚେତ ଠିକ୍ ହେବନି  ମାନୀଠୁ ଏସବୁ ଶୁଣି ଦିନୁ ମୁଣ୍ଡରେ ଚଡ଼କ ପଡ଼ିଲା   ଦିନୁ ଏ ବରଷ ବହୁତ ଆଶା ରଖଥିଲା ଫସଳ ଭଲ ହେବ ଓ ଦି’ ପଇସା ମିଳିବ  ତା’ ସହ ଯାହା କରଜ ଅଛି ସବୁ ଶୁଝା ହେବ   ବର୍ଷା ବି ଠିକ୍ ହେଇଥିଲା ଧାନ କେଣ୍ଡା ବି କେରା ମାରି ଆସି ସାରିଥିଲାଣି   କିନ୍ତୁ କୋଉଠି ଥିଲେ ଏ ଚକଡ଼ା ପୋକ କେଜାଣି ଧାଇଁ ଆସି ଧାନ ଫସଳ ଉପରେ ମାଡ଼ି ବସିଲେ  । ଦେଖୁ ଦେଖୁ କେଇ ଦିନଟା ଭିତରେ ଚକଡ଼ା ପୋକ ଧାନର ସବୁ ରସ ଶୋଷି ପାଉଁଶ କରିଦେଲା  

ଦିନୁ ଏସବୁ ଦେଖି ଘୋର ଚିନ୍ତାରେ ପଡ଼ିଗଲା  । ତା’ ଚାରିଆଡ଼େ କଳା ବାଦଲ ଛାଇଁଗଲା  । ଏ ସମୟରେ ରଘୁ ସାହୁର ଧମକ ପୂର୍ଣ୍ଣ କଟୁ ମନ୍ତବ୍ଯ ତା’କୁ ଜର୍ଜରିତ କରି ପକାଉଥିଲା   ଏତିକି ବେଳେ ଦିନୁର ସ୍ତ୍ରୀ ମାନୀ କହିବାକୁ ଲାଗିଲା -ଏ କାଳିଆ ବଳଦ ଦି’ଟା ବିକି ଦେଲେ ହୁଅନ୍ତାନି ।  ମାଲିକର ଯାହା ସବୁ ପଇସା ଶୁଝା ଯାଇ ପାରନ୍ତା   ଦିନୁ ଛାତି ଉପରେ କିଏ ପାହାର ପକେଇଲା ପରି ଅନୁଭବ୍ କଲା  ।  ସେ ବହୁତ ଚିନ୍ତା କଲା, ତା’ ମୁଣ୍ଡ କିଛି କାମ କଲାନି ଶେଷରେ ନାଚାର ହେଇ ଦିନୁ କାଳିଆ ବଳଦ ଦି’ ଟା ବିକିବା ପାଇଁ ରାଜି ହେଇଗଲା !

କାଲିଆ ବଳଦ ଦି’ ଟା କୁ କିଣିବାକୁ ବ୍ଯବସାୟୀ ଜଣକ ଆସିଲେ  । ମାନୀ ଦାମ୍, ମୂଲ ଠିକ୍ କଲା  । ଏଥର ବ୍ଯବସାୟୀ ଜଣକ ବଳଦ ନେବାକୁ ଉଦ୍ୟତ ହୁଅନ୍ତେ ଦିନୁର ଆଖି ଓଦା ସର ସର ହେଇ ବସିଲା !  ସେ ବିଶ୍ବାସ କରି ପାରୁ ନ ଥିଲା ଯେ ଆଜି ତା’ର ଦୁଃଖସୁଖର ସାଥି ବାପାର ସ୍ମୃତି ଚିହ୍ନକୁ ବିକି ଦେଉଛି  । ବଳଦ ଦି’ଟା ମଧ୍ୟ ଦିନୁ ଘରକୁ ଛାଡ଼ି ଆଗକୁ ଯିବାକୁ ଗୋଡ଼ ବଢାଉ ନ ଥିଲେ  ସେମାନେ ବି ସବୁ ବୁଝି ପାରୁଥିଲେ! ଦିନୁ ନିଜର ସବୁ କୋହକୁ ଚାପି ଘର ଭିତରକୁ ଯାଇ କଇଁ କଇଁ ହେଲା  ।  ଆଜି ଦିନୁ ପାଖେ ତା’ ପ୍ରିୟ କାଳିଆ ବଳଦ ଦି’ ଟା ନାହିଁ  ।  ଦିନୁର ଗୋଟେ ବୋଝକୁ ହାଲୁକା କରି ସେମାନେ ବିକ୍ରି ହେଇ ଯାଇଛନ୍ତି  

 ପିତାମହୁଲ,ଅଲଣ୍ଡା,ସିନ୍ଧେକେଲା,ବଲାଙ୍ଗିର  


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App