You can write and publish your own articles here.
Please download the app to get started.

Download App


ଯଉବନ ଥରେ ଗଲେ ଆଉ ଆସେନା

ଅନ୍ନଦାଶଙ୍କର ରାୟ

ଆହା, ଯଉବନ ଥରେ ଗଲେ ଆଉ ଆସେନା 

ବୃଥା ବିଧୁର ପରାଣେ ଝୁରେ ବାସନା 

ଫୁଲ ଫୁଟେ, ଫୁଲ ଝଡ଼େ ପୁଣି ଫୁଟେ ସେ,

ପୂରନିମା ଶଶୀ ବୁଡ଼େ, ପୁଣି ଉଠେ ସେ 

ବରଷକେ ଆସି ପୁଣି ମଧୁ ବାଇତ,

ବିରହିଣୀ ଧରଣୀର ପ୍ରାଣ-ଚୟିତ 

ମାତର ନ ଆସେ ଫେରି ଯଉବନ ଗୋ,

ବାହୁଡ଼ଇ ନାହିଁ ଗୋପେ ଗୋପଧନ ଗୋ !

ନ ଫେରଇ ଥର ଥର ଚୋରା ଚାହାଣି,

ନ ଫେରଇ ଛନ-ଛନ ମନ-କାହାଣୀ 

ପରଥମ ପ୍ରଣୟ ଗୋ ସରମ ରଙ୍ଗା,

ବିରହ ନୀରଘ ଶ୍ବାସ ମରମ ଭଙ୍ଗା 

ସୁଖର ବେଦନା ମୋର ନୀରବ ପ୍ରୀତି

ନ ଫେରିବ କଣ୍ଠେ ଗୋ, ତା’ ମଧୁ ଗୀତି 

ଅଧର ଅଳକ ଆଖି ଆଉ ହସେ ନା,

ଆହା, ଯଉବନ ଥରେ ଗଲେ ଆଉ ଆସେ ନା 

(2)

ଛୋଟ ଏ ଜୀବନ ବୋଲି ଦୁଃଖ ନାହିଁ ତ,

ଯଉବନ ବିହୁନେ ମୋ ସୁଖ ନାହିଁ ତ !!

ହିମ ନ ହେଉଣୁ ଗାଲେ ତପତ ତୁମ,

ବାସି ନ ହେଉଣୁ ଗଳେ ସଜ କୁସୁମ 

ଯଉବନ ସାଥେ ଯାଉ, ଜୀବନ ମୋର,

ଜରା ଚୋର ସାଥେ ଆସୁ ମରଣ ଚୋର 

ଫୁଲ ଝଡ଼େ, ଫୁଲ ଫୁଟେ କାନ୍ଦେ ନା ବନ,

ଶଶୀ ବୁଡ଼େ , ଶଶୀ ଉଠେ ସହେ ଗଗନ 

ମଧୁଋତୁ ଯାଏ ଆସେ ଲୁଚି ନ ରହେ ,

ଅବନୀ ଉଦାସୀ ହେବ କାହା ବିରହେ ?

ଲୁଚକାଳି ଖେଳେ ଭବେ ସବୁ ସୁଷମା,

ହୋଇ(ହାତ) ଧରାଧରି ନାଚେ ଆଲୋକ ଅମା 

ଜଗତେ ହଜେ ନା କିଛି ହଜେ ଜୀବନେ,

ବାହାରେ ବେଦନା ନାହିଁ ବେଦନା ମନେ 

ବୃଥା ବିଧୁର ପରାଣ ପୁରେ ଝୁରେ ବାସନା,

ଆହା, ଯଉବନ ଥରେ ଗଲେ ଆଉ ଆସେନା 


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App