ହଠାତ୍ କାହାର ଏକ ଡାକରେ ନିଦଟା ଭାଙ୍ଗିଗଲା । ଆଖିପତା ଉଠିଲା ବେଳକୁ ମୁହଁ ଆଗରେ ପୋଷ୍ଟକାର୍ଡ ସାଇଜର ଫଟୋ ପରି ଫୁଲବାଣୀ ଜିଲ୍ଲାର ଚକାପାଦ ବସ୍ ଷ୍ଟପେଜ୍ରେ ଚିକ୍ ଚିକ୍ ସୂର୍ଯ୍ୟକିରଣ । ବୋତାମ ଛିଣ୍ଡି ଯାଇଥିବା ପ୍ୟାଣ୍ଟରେ ଅଣ୍ଟା ଦଉଡ଼ି ଗୁଡ଼ାଇ ପିନ୍ଧିଥିବା କ୍ଲିନର୍ ଟୋକାଟା ଡାକ ପରେ ଡାକ ପକାଇଛି, "ଚକାପାଦ, ଚକାପାଦ" ବୋଲି ।
ଚକାପାଦ ବସ୍ ଷ୍ଟପେଜ୍ଠାରୁ କୋଡ଼ିଏ କିଲୋମିଟର ଦୂର ଏକ ନିପଟ ଆଦିବାସୀ ଗାଁ ମୋର ସାମୟିକ ଆବାସସ୍ଥଳ । ସେଇଠି ମୋ ମିତ୍ର ଜାନମ୍ର ଘର । ତା ହାଣ୍ଡିରେ ଯାହା ଥାଏ, ଓଦା-ଶୁଖିଲାରୁ ମୁଠେ ଖାଇଦେଇ ମୁଁ ବାହାରିଯାଏ କର୍ମକ୍ଷେତ୍ରକୁ । ବସ୍ର ଅଲରା କତା ସିଟ୍ରେ ଝୁଲି ଝୁଲି ଚକାପାଦରେ ପହଞ୍ଚିଲା ବେଳକୁ ଭାତୁଆ ନିଦଟା, କେତେବେଳେ ପ୍ରିୟାର ହାତ ପରି ଚୁପି ଚୁପି ଆଖି ଯୋଡ଼ିକୁ ମୁଦିଦିଏ ମୋ ଅଜାଣତରେ । ଚକାପାଦ ବସ୍ଷ୍ଟପରେ ଗାଡ଼ିର କଣ୍ଡକ୍ଟର ବଦଳିଯାଏ, ସବୁଦିନ ନୂଆ କଣ୍ଡକ୍ଟର ବସକୁ ଚଢ଼େ ।
ଆଗରେ ଦେଖିଲି, ସବୁଦିନ ପରି ସେ ଲୋକଟା କାଖରେ ଚମଡ଼ା ବ୍ୟାଗ୍ ଖଣ୍ଡେ ଜାକି, ଆଉ ମାତ୍ର ଦୁଇଫୁଙ୍କା ବାକିଥିବା ସିଗାରେଟ୍କୁ ଓଠରେ ଚାପି ପାହାଚରେ ବସ୍ ଉପରକୁ ଉଠିଲା । ଭୁବନେଶ୍ବର ଇନ୍ଦିରା ପାର୍କ ପ୍ୟାରେଡ୍ ପଡ଼ିଆ ଥିବାବେଳେ ଅସମ୍ଭବ ଭିଡ଼ ଠେଲି ପଛ ସିଡ଼ିରେ ସଭାମଞ୍ଚ ଉପରକୁ କେହିଜଣେ ଟାଣୁଆ ନେତା ଉଠି ଜନତାଙ୍କୁ ଯୋଡ଼ହସ୍ତ ହେବାପରି ମନେହେଲା ।
କିନ୍ତୁ ସେ ଲୋକଟା କିଏ? ସେ କ’ଣ ନେତା! ନା, ସେ ନେତା ନୁହେଁ ତ! ସେ ହେଉଛି ବସ୍ର କଣ୍ଡକ୍ଟର, ତା’ର ନାଁ ନଟ । ନଟ କଣ୍ଡକ୍ଟର କହିଲେ ସମସ୍ତେ ଚିହ୍ନନ୍ତି । ସବୁଦିନ ନଟ ବସ୍କୁ ଉଠିବା ପରେ ଶେଷ ହୋଇ ଆସୁଥିବା ସିଗାରେଟ୍ଟାକୁ ପାହାଚ ରେଲିଂ ଦେହରେ ଚାପିଦେଇ ଲିଭାଇ ଦିଏ । ଜଳନ୍ତା ନିଆଁର ଝୁଲ ଚୁନି ଚୁନି ଫୁଲ ପରି ଝରିପଡ଼େ । ନଟ କିନ୍ତୁ ବିଷଣ୍ଣ ଦିଶୁଥାଏ । ସେ ପେନ୍ସିଲଟା କାନରୁ ଟାଣିଆଣି ଟିକେଟ କାଟିବା ଆରମ୍ଭ କରେ ।
ନଟ ବସ୍ରେ ଥିଲେ ଅନେକ ଲଫଙ୍ଗା ଟୋକାଙ୍କୁ ପର୍ସରେ ହାତଦେବାକୁ ପଡ଼େନି । ନଟ ଜଣକୁ ଟିକେଟ ବଢ଼ାଇଲା, ପଛ ସିଟ୍ରୁ କିଏ ଗୋଟେ ଛିଗୁଲେଇ କହିଲା, "ହୋ... ନଟ ବାବୁ... କୋଉଠି ଥିଲ! ତୁମେ ଗାଡ଼ିରେ ନ ରହିଲେ ପରା ଆମ ପକେଟରୁ ଲକ୍ଷ୍ମୀ ଚାଲି ଯାଉଛନ୍ତି ।"
ନଟ ସେ ଦିଗରେ କାନ ପାରିଲାନି । ପୁଣି ପଛରୁ କିଏ ଗୋଟେ ପାଟିକରି କହିଲା, "ହୋ ନଟବାବୁ, କ’ଣ ଶୁଣୁନା, ତମକୁ ଶୁଭୁନି କିଓ?"
ସେ ଏଥର ହଡ଼ବଡ଼େଇ ଗଲା । ସେ ଜମା ଟିକେଟ କାଟିପାରେନି । ବାଳୁଙ୍ଗା ଟୋକାଗୁଡ଼ାକ ଏମିତି ସବୁଦିନ ହୋ-ହଲ୍ଲା କରନ୍ତି ତା ଆଗରେ । ନଟ କହିଲା, "ଭାଇମାନେ, ଶୀଘ୍ର ପଇସା ବଢ଼ାଇଦେଲେ, କୁଆଡ଼େ ଯିବେ?"
ମୋ ଆଗ ସିଟ୍ରୁ ଜଣେ ଯୁବକ ଉଠିପଡ଼ି କହିଲା, "କାହାକୁ ମାଗୁଛ କିଓ! ଭାଇ କହିଲଟି ପୁଣି ପଇସା କ’ଣ? ଚାଲ ଚାଲ, ଚଳେଇ ନଉନ!!"
"ହୋ... ହୋ... ହୋ..." ହୋଇ ହସିଉଠିଲେ ପଞ୍ଝାଏ ଦଳବଦ୍ଧ ଭାବେ । ମୁଁ ଆଗକୁ ପଛକୁ ସବୁଆଡ଼େ ଚାହିଁଲି । ବସ୍ ସାରା ହାସ୍ୟରୋଳ । ମୁଁ ହସି ପାରୁନଥିଲି, ନଟର ମୁହଁକୁ ଲକ୍ଷ୍ୟ କରୁଥିଲି । ଲାଗୁଥିଲା ବିଚରା ଲୋକଟା ମନରେ ଖୁବ୍ ଆଘାତ ପାଉଛି । ମୋର ମନେ ହେଉଥିଲା ଯେ, ଅନ୍ଧାର ରାତିରେ ଶ୍ମଶାନ ବାଟ ଦେଇ ଯାଉଥିବା ଗୋଟେ ନିରୀହ ଲୋକକୁ ଆମେ ଗୁଡ଼ାଏ କଙ୍କାଳ ସଂଘବଦ୍ଧ ହୋଇ ଆକ୍ରମଣ ଚଳାଇଛୁ । ଲୋକଟା ରକ୍ତାକ୍ତ ହୋଇ ଦୌଡ଼ୁଛି ଟିକେ ଆଶ୍ରାପାଇଁ ଓ ତା ପଛେ ପଛେ ଆମେ...।
ଗାଡ଼ି ଚାଲିଛି । ନଟ କଣ୍ଡକ୍ଟର ଆସି ମୋ ପାଖରେ ପହଞ୍ଚିଲା । ମୁଁ ଟିକେଟ ପଇସା ବଢ଼ାଇଦେଲି । କହିଲି, "ଭଞ୍ଜନଗର ଯିବି ।" ଟିକେଟଟା କାଟିଦେଇ ନଟ କୃତକୃତ୍ୟ ହୋଇଗଲା ବୋଧହୁଏ । ମୋତେ ମିଶାଇ ନଟ ଜମାରୁ ଚାରିଟା ଟିକେଟ କାଟିଥିଲା । ତା’ପରେ ମୋ ପଛସିଟ୍ ପାଖକୁ ଗଲା । କିଏ କେଜାଣି ସେଇ ଟୋକାଟା ନଟ ମୁହଁକୁ ସିଗାରେଟ୍ ଧୂଆଁର କୁଣ୍ଡଳୀ ଛାଡ଼ିଲା । ଧୂଆଁଟା ତୀରପରି ଦୁଇଭାଗରେ ବିଭକ୍ତ ହୋଇ ଗୋଟେ ନଟର ବାମ ନାକପୁଡ଼ା ମଧ୍ୟକୁ ଓ ଆଉ ଗୋଟେ ଯେଉଁଠି ଲେଖାଥିଲା ’ଧୂମପାନ ନିଷେଧ’, ସେଇଠି ଅଦୃଶ୍ୟ ହୋଇଗଲା । ନଟ ମୁହଁଟା ବେହୋସ୍ ହେବାପରି ବିକୃତ ଦେଖାଗଲା । ମତେ ଏସବୁ ଅଣନିଃଶ୍ୱାସୀ ଲାଗୁଥିଲେ ବି ବୋଧହୁଏ ନଟର ଦେହସୁହା ହୋଇଯାଇଥିଲା । ବୋଧହୁଏ ସେଇ ବସ୍ରେ ମୋର ଯାତାୟାତ ପୂର୍ବରୁ ନଟ ଏପରି ପରିବେଶରେ ନିଜକୁ ଅଭ୍ୟସ୍ତ କରିନେଇଥିଲା ।
ଆଉ ଦିନେ, ଚକାପାଦ ଷ୍ଟପେଜ୍ରେ ଚିରାଚରିତ ଢଙ୍ଗରେ ନଟ ଉଠିଲା ବସକୁ । ନଟ ପ୍ରଥମେ ଛୁଟି ଆସିଲା ମୋ ପାଖକୁ ଟିକେଟ କାଟିବାକୁ । ମୁଁ ତାକୁ ସେଦିନ ପ୍ରଥମ ସିଟ୍ରୁ ଟିକେଟ କାଟି ଆସିବାକୁ କହିଲି । ମୁଁ ନିଜକୁ ତା’ପରେ ପ୍ରସ୍ତୁତ କରିନେଲି । ଆରେ ହେ... ଯୁଗଟା ଓଲଟା ପରା! ଯିଏ ଦୟା ଦେଖାଇବ ସେ ମଲା । ଏତେ ଯାତ୍ରୀ ଛାଡ଼ି ମତେ ଆସି ଆଗ ଟିକେଟ ମାଗୁଛି! ମନରେ ତା’ପ୍ରତି ଦୟା ଥିଲେ ବି ରାଗ ପଞ୍ଚମକୁ ଉଠିଗଲା । ଭାବିଲି, ଏ ଲୋକଟା ନିହାତି ଅନ୍ଫିଟ୍ କଣ୍ଡକ୍ଟର ହେବାପାଇଁ । କେମିତି ମାଲିକ ୟାକୁ ରଖିଛି କେଜାଣି! କାଇଁ, ଆମ ମାଲିକ ତ ଆମକୁ ଛାଡୁନି! କଣ୍ଡକ୍ଟରଟା ଲଫଙ୍ଗା ଟୋକାଙ୍କୁ କିଛି କହିପାରୁନି । ଦେଖିବି ପୁଅ ଏଥର ମୋଠୁ ନବୁ କିପରି!
ଦେଖିଲି ନଟ କଣ୍ଡକ୍ଟର ଟିକେଟ୍ କାଟି କାଟି ମୋ ଆଡ଼କୁ ପହଞ୍ଚୁଛି । ମୁଁ ପ୍ୟାଣ୍ଟ ପକେଟରୁ ପାନିଆଟା ବାହାର କରି ମୁଣ୍ଡରେ ଖୋସିଦେଲି । ଫୁଲ୍ସାର୍ଟ ଘୋଡ଼ାଇ ହୋଇ ରହିଥିବା ହାତର ବଳାକୁ ବାହାର କରି ମୋ ସାମନାପଟ ସିଟ୍ର ଲୁହାରେ ଠକ୍ ଠକ୍ କଲି । ତଥାପି କଣ୍ଡକ୍ଟର ମତେ ପଇସା ମାଗିଲା । ମୁଁ ମୋ ହାତରେ ପିନ୍ଧିଥିବା ବଳାକୁ ଦେଖାଇଦେଲି । ତଥାପି ସେ ମୋତେ ଟିକେଟ କାଟି ବଢ଼ାଇଦେଲା । ମୁଁ ଅସମ୍ଭବ ନିଆଁ ହୋଇଗଲି । କହିଲି, "ଆରେ, ମୁଁ କ’ଣ ତତେ ଦେଖାଯାଉନି? ଜାଣିଛୁ ତ ମୋ ଘର କୋଉଠି! ଦେଖିବୁ ଏଇନେ..."
ନଟ ସାମାନ୍ୟ ଶଙ୍କିଗଲା । କହିଲା, "ସାହେବ, ତୁ ବି ଏମିତି କହିବୁ?"
ସାହେବ, ପୁଣି ତା ସାଙ୍ଗକୁ ‘ତୁ’ ଶବ୍ଦଟା ମୋ ମନଟାକୁ ବାନ୍ଧିଦେଲା । ଦେଖିଲି ନଟ ମୋତେ ମାଗଣା ଯିବାକୁ ଦେବନି । ମତେ ସେ ଲଫଙ୍ଗା ରୂପରେ ଆଦୌ ଗ୍ରହଣ କଲାନି! ଆଦିବାସୀ ଲୋକଗୁଡ଼ାକର ‘ତୁ’ ଶବ୍ଦ ମତେ କେମିତି ଗୋଟେ ଭାରି ଆତ୍ମୀୟ ଆତ୍ମୀୟ ଲାଗେ । ନଟକୁ ଶହେଟଙ୍କିଆ ନୋଟଟାଏ ବଢ଼ାଇଦେଲି ।
ସେଦିନ ଆହୁରି ଅନେକ ଟୋକା ମାଗଣା କୋଟାରେ ବସ୍ରେ ଗଲେ । ମତେ ଖୁବ୍ ବାଧିଲା, ମୁଁ ପଇସା ଦେଇ ଗଲି ବୋଲି । ମୋ ମସ୍ତିଷ୍କରେ ସେଇ ସମୟରେ ଏକ କମାଣ ଫୁଟିବା ପରି ମନେହେଲା । ସ୍ଥିର କଲି, କଣ୍ଡକ୍ଟରକୁ ପଚାରିବି ସେ କାହିଁକି ସମସ୍ତଙ୍କ ପାଖରୁ ପଇସା ନିଏ ନାହିଁ । ସେମାନେ କ’ଣ ତା’ର ମାଲିକର ମାଲିକ?
ମତେ ସବୁବେଳେ ନଟ ଯେଉଁଠି ଦେଖିନିଏ "ସାହେବ" ଓ ତା ପଛକୁ "ତୁ" ଯୋଡ଼ି କଥାବାର୍ତ୍ତା କରେ । ପ୍ରତିଦିନର ଗସ୍ତରେ ନଟ ଯେମିତି ମୋର ଏକାନ୍ତ ଆତ୍ମୀୟ ହୋଇ ସାରିଲାଣି । ଦିନେ ମୁଁ ଗସ୍ତରେ ନାହିଁ, ଚକାପାଦ ବସ୍ ଷ୍ଟପେଜରେ ନଟ କଣ୍ଡକ୍ଟରକୁ ଦେଖିଲି । ନଟ ମୋତେ ଦେଖି କହିଲା, "ଆରେ ସାହେବ, ତୁ..."
ନଟକୁ ସେଇଠି ଗଛଛାଇକୁ ଟାଣିନେଇ ମୋର ଅଭିଯୋଗ ଶୁଣାଇଲି ।
ନଟ ମୋତେ କହିଲା, "ସାହେବ, ତୁ ପାଠୁଆ ଲୋକ । ଏମିତି କ’ଣ ପଚାରୁଛୁ! ତୁ ସବୁ ଜାଣିପାରୁଥିବୁ । ମୁଁ କାହିଁକି ସେ ପିଲାଗୁଡ଼ାକ ସଙ୍ଗେ କଳିଗୋଳ କରିବି । ମୋତେ ମା’ ଶୋଲରୀ ଦେବୀ ଭରସା । ଗଣ୍ଡଗୋଳରୁ କି ଲାଭ ମିଳିବ? ସାହେବ, ତୁ ଗୋଟେ ମତଲବରେ ପଚାରୁଛୁ । ମା’ ଶୋଲରୀ ସବୁ ଶୁଣିବ, ଆଦିବାସୀମାନଙ୍କ ବିପଦର ସାହା ସିଏ ।"
ମୁଁ ଦେଖିଲି ନଟର ଆଖି ଜକେଇ ଆସୁଥିଲା । ମୁଁ ତାକୁ ବହୁତ ବୁଝାଇଲି, "ନାଇଁରେ, ତୋ ବାବୁକୁ କହିବା ପାଇଁ ନୁହେଁ କି କିଛି ମତଲବ ନୁହେଁ ।"
ନଟ କହିଲା, "ଆଉ କାଇଁ ପଚାରୁଛୁ? ତୋ’ର ଏତେ କି ଦରକାର!"
କହିଲି, "ମୁଁ ଗଳ୍ପ ଲେଖେ ତ ସେଇଥିପାଇଁ ।"
ନଟ ବହୁତ ଖୁସି ହୋଇଗଲା । କହିଲା, "ଓଃ... ମୋ ଉପରେ ଗପ ଲେଖିବୁ! ହଉ ତେବେ, ଆଉ ଦିନେ ଭେଟ ହେଲେ ମତେ ଏଇ ଛକରେ ପଚାରିବୁ ।"
ଦିନେ ଝିପି ଝିପି ବର୍ଷା । ଦେଖିଲି ଚକାପାଦ ବସ୍ ଷ୍ଟପେଜରେ ନଟ, ମାଛି ଭଣ ଭଣ ହୋଟେଲ ବେଞ୍ଚଟା ଉପରେ ହାତରେ ମୁଣ୍ଡକୁ ଭରାଦେଇ କ’ଣ ଗୁଡ଼ାଏ ଚିନ୍ତା କରୁଛି । ଗାଡ଼ିର ଆଗଚକା ଫାଟି ଯାଇଥିଲା, ହେଲ୍ପରମାନେ ଲାଗିପଡ଼ି ସଜାଡ଼ୁଥିଲେ । ନଟ ମତେ ଦେଖି କହିଲା, "ଆରେ... ସାହେବ, ତୁ! ଆ... ବସ, କ’ଣ ପଚାରୁଛୁ ପଚାର ଆଜି । ଗାଡ଼ିଟା ସଜଡ଼ା ଚାଲିଛି, ଟିକେ ଡେରି ହେବ ।"
ମୋର କେତେକ ପ୍ରଶ୍ନ ପରେ ନଟ ତା’ର ଜୀବନର କାହାଣି ଶୁଣାଇଲା । ଚଢ଼ାଗଳାରେ କହିଲା, "ସାହେବ, ତୁ କ’ଣ ଭାବୁଛୁ ମୁଁ ଗଣ୍ଡଗୋଳ ଜାଣିନାଇଁ? ଆଦିବାସୀ ପିଲା ମୁଁ । ଧନୁ-ତୀରରେ ଜୀବନ ଗଢ଼ା ମୋର, ରାଇଜ ପଦା କରିଦେବି । ହେଲେ ମୁଁ ତୋ ପରି ବହୁତ ପାଠ ପଢ଼ିଛି । ମୁଁ ସେ କାମ କରିବାକୁ ପସନ୍ଦ କରିବିନି ।"
"ଏଁ... ବହୁତ ପାଠ!" ଚମକି ପଡ଼ିଲି ।
ନଟ କହିଲା, "ଆ’ ମୋ ସାଙ୍ଗରେ ଯିବୁ ଆମ ଘରକୁ । ଦେଖିବୁ ମୋ ମା’ କିମିତି କତରା ଲାଗି ଶୋଇଛି ଆଜିକୁ ଦଶବରଷ ହେଲା । ଟୋପେ ଔଷଧ ପାଉନି । ମୋର ବଡ଼ ଚାକିରିକୁ ଚାହିଁ ଚାହିଁ ତା’ର ଜୀବନ ଛାଡୁନି । ରୋଗ ବଢ଼ୁଛି । ମୋର ଚାକିରି ହେଲାନି, ଗୋଟେ ହୋଟେଲରେ ବାସନ ଧୋଇବା ପରେ ଏବେ ନୂଆକରି ପ୍ରାଇଭେଟ କମ୍ପାନୀରେ କଣ୍ଡକ୍ଟର ଚାକିରି କଲି । ଘରେ ମା’ କଥା ଦେଖାଶୁଣା କରିବ କିଏ? ଏଇ ଅବସ୍ଥାରେ ମୁଁ କ’ଣ ଏ ପଇସାବାଲା ଘରର ଟୋକାଙ୍କ ସାଙ୍ଗେ ଝଗଡ଼ା କରି ଜେଲକୁ ଯିବି! ସେମାନେ କ’ଣ ବୁଝିପାରିବେ ଯେ, ମୋ ମା’ କେମିତି ରୋଗରେ ଶଢ଼ୁଛି! ସେମାନେ କ’ଣ ବୁଝିପାରିବେ ଯେ, ମୁଁ କେମିତି ସଂଘର୍ଷରେ ଜୀବନ ବିତାଉଛି? ମୋର ଗଣ୍ଡଗୋଳରୁ କି ମିଳିବ କହୁନୁ...?"
ନଟର କଥାଗୁଡ଼ାକରେ ମତେ ତା ମନର ବିଳାପ ଶୁଭୁଥିଲା ।
ପଚାରିଲି, "ତୁ କେତେ ପାଠପଢ଼ିଛୁ?"
ମତେ ନଟ ଓଲଟା ପ୍ରଶ୍ନ କଲା, "କ’ଣ ନ ପଢ଼ିଛି?"
କ୍ଲିନର ଟୋକାଟା ପ୍ୟାଣ୍ଟର ଅଣ୍ଟା ଦଉଡ଼ିକୁ ଗୁଡ଼ାଇ ଗାଡ଼ିର ଚକା ଟାଇଟ୍ କରୁଛି । ହଁ, ଏଥର ସେ ହୁଇସିଲ୍ ଦେଲା ।
ନଟ କହିଲା, "ସାହେବ, ତୁ ପଳେଇ ଯା । ବେଳ ହେଲାଣି । ପୁଣି ଦେଖାହେଲେ..."
ଅନେକ ଦିନ ଅତିକ୍ରାନ୍ତ । କଲୋନୀରେ ବାହାଦୂର ଟୋକା ନିଶାର୍ଦ୍ଧରେ ହୁଇସିଲ୍ ଦେଲେ ମୋର ନିଦ ଚାଉଁ ଚାଉଁ ଭାଙ୍ଗେ । ବାହାଦୂର ଟୋକା ପ୍ରତି ମାସରେ ଖାକି ପୋଷାକରେ ଆସି ମତେ ସଲାମି ମାଗିଲେ ତା ମୁହଁଟା ନଟପରି ଦିଶେ । ମୁଁ ସବୁ ବସ୍ରେ ନଟକୁ ଖୋଜେ, ତାକୁ ପାଏନି । ମୋ ମନରେ ଆହୁରି ଅନେକ ପାପ କଥା ଜୁଟେ । ନଟ ଯଦି ସଂସାରରେ ନ ଥିବ, ଆଉ ତା’ ବୁଢ଼ୀ ମା’ ଯେମିତି କତରାରେ ପଡ଼ିଥିବ, ମୋ ଗପ ଅସମାପ୍ତ ହୋଇ ରହିଯିବ ।
ଦିନେ କ୍ଲିନର ଟୋକାକୁ ଦେଖିଲି । ପଚାରିଲି, "ନଟ ନାଇଁକିରେ? ଆଉ ସେ ବସ୍ରେ ଆସୁନାହିଁ?"
କ୍ଲିନର ଟୋକାଟା ପ୍ୟାଣ୍ଟକୁ ଟେକି କହିଲା, "ବାବୁ! ନଟ ମା’ ଦିହ ଭଲ ନାହିଁ, ସିରିୟସ୍!"
ତା’ର କଥାରୁ ମୋତେ ବି କେମିତି ଗୋଟେ ସିରିୟସ୍ ଲାଗିଲା ।
କ୍ଲିନର ଟୋକାଠାରୁ ନଟ ଗାଁର ମାନଚିତ୍ର ମାଗିଲି । ଖୋଜି ଖୋଜି ନଟ ଗାଁରେ ପହଞ୍ଚିଗଲି । ବକଟେ ହେବ, ଗୋଟେ ପିଲାକୁ ପଚାରିଲି, "ହଇରେ ପିଲା! ନଟ କଣ୍ଡକ୍ଟର ଘର କୋଉଟା?"
ପିଲାଟା ଆଙ୍ଗୁଳି ଦେଖାଇବା ବେଳକୁ ନଟ ନୁଆଣିଆ ଏକ ଚାଳଘରର ଝରକା ପଟୁ ମତେ ଡାକ ପକାଇଲା । ଝରକାର ଫ୍ରେମ୍ ଭିତରୁ ନଟର ଦାଢ଼ିଭର୍ତ୍ତି ମୁହଁ, ମତେ ସେ ଏକ କଏଦୀ ପରି ଦେଖାଗଲା ।
ନଟ ଦୌଡ଼ି ଆସିଲା, କହିଲା, "ସାହେବ! ମୋର କି ଭାଗ୍ୟ!" ସେ ମତେ ଦେଖି କେଜାଣି କାହିଁକି ଅଧୀର ହୋଇଗଲା । ସେ ମତେ ଆଜିଯାଏ "ସାହେବ ସାହେବ" କାହିଁକି ଡାକୁଛି, ମତେ ବଡ଼ ବିସ୍ମିତ ଲାଗୁଥିଲା । ତା’ର ଘର ଭିତରକୁ ପ୍ରବେଶ କଲି । ମୁଣ୍ଡରେ ଚାଳ ବାଜିଲା, ଆଉ ଟିକେ ନଇଁକରି ଆର ବଖରାକୁ ଗଲି । ସାମନା କାନ୍ଥରେ ଏକ ସାର୍ଟିଫିକେଟ କାଚବନ୍ଧେଇ ହୋଇ ଝୁଲୁଥିଲା । ସେଇଟା ନଟର ମାଟ୍ରିକ୍ ପାସ୍ ସାର୍ଟିଫିକେଟ ଥିଲା ।
ସାର୍ଟିଫିକେଟ ମଧ୍ୟରୁ କିଏ ଗୋଟେ ଧୋତି ପିନ୍ଧା ବୁଢ଼ୀଟେ ମତେ ଅଟ୍ଟହାସ୍ୟ କଲା ପରି ମନେହେଲା । ମତେ ଶୁଣାଗଲା, "ଆରେ କୁଆଡ଼େ ଆସିଛୁ? କ’ଣ ଗପ ଲେଖିବୁ? ଧୁତ୍ ତୋର ଗପ!! "
ମୁଁ ପଛକୁ ବୁଲି ଚମକି ପଡ଼ିଲି । ପୁଣି ପଛରୁ ଶୁଭିଲା, "ମୋ ପୁଅକୁ ଭଲ ଚାକିରି ଖଣ୍ଡେ ଦେଇପାରିବୁ... ଆଉ.... ତା’ହେଲେ ଆର କୋଠରୀକୁ ଆସେ, ଦେଖିବୁ ମୋ ଅବସ୍ଥା !!"
ସେତେବେଳେ ମୋ ଦିହର ସବୁ ଲୋମ ଟାଙ୍କୁରି ଉଠିଲା । ନଟ ମୋ ମୁହଁର ଝାଳ ବିନ୍ଦୁକୁ ବି ଦେଖିପାରୁଥିଲା । ଆଉ ଏକ କୋଠରୀକୁ ଯାଇ ଦେଖିଲି ନଟ କଣ୍ଡକ୍ଟରର ମା’ କୋମାରେ ଶୋଇଛି, କେବଳ ନିଃଶ୍ୱାସ ଚାଲିଛି ତା’ର । ଆଉ ଗୋଟେ କୃଶକାୟ ଚେହେରା ବୋଧହୁଏ ସାର୍ଟିଫିକେଟ ଫ୍ରେମ୍ ମଧ୍ୟରେ ଲୁଚି ରହିଛି ।
ନଟ ମତେ ଅଳ୍ପ ହଲେଇଦେଇ କହିଲା, "ଦେଖିପାରୁଛୁ ତ?"
ମୁଁ ନଟକୁ ବହୁତ ସାନ୍ତ୍ବନା ଦେଲି ।
ନଟ ତା’ର ଅତୀତକୁ ଫେରିଗଲା । କହିଲା, "ମୁଁ ଛୋଟ ଥିଲି, ଜଣେ ଜ୍ୟୋତିଷ ମୋ କପାଳକୁ ଦେଖି ମୋ ମା’କୁ କହିଥିଲା - ତୋ ପୁଅ ବଡ଼ ଲୋକ ହେବ । ଟଙ୍କା ଶେଯରେ ଶୋଇବ । ନାଲିବତୀ ଲଗା ଭି.ଆଇ.ପି. ଗାଡ଼ିରେ ଯିବ । ତା’ର ଆଗରେ ଆଉ ପଛରେ କେତେ ଗାଡ଼ି ଧାଡ଼ି ହୋଇ ଲାଗିଥିବ । ବାସ୍ତବିକ ଆଜି ସେସବୁ କିଛି ମିଛ ହୋଇନିରେ ସାହେବ । ମୁଁ କଣ୍ଡକ୍ଟର ହେବାପରେ ପଇସା ଗଣିବାକୁ ବେଳ ନାହିଁ । କେବଳ ମୋର ଗାଡ଼ି ଆଗରେ ନାଲିବତୀ ନାହିଁ, ଯାହା ମୋ ଜୀବନରେ ତ ଏବେ ନାଲିବତୀ ଜଳୁଛି । ଭୁଲ୍ କେଉଁଠି?"
ନଟ କଣ୍ଡକ୍ଟର କଥାରୁ ତା ଚିନ୍ତା ସାଗରର ଗଭୀରତା କେତେ, ତାହା ସହଜରେ ମାପି ହେଉଥିଲା ।
ମୁଁ ତାକୁ ପୁଣି ସାନ୍ତ୍ବନା ଦେଇ ଫେରିଲି । କିଛି ବାଟ ଅତିକ୍ରାନ୍ତ ହେବାପରେ ପୁଣି ବଡ଼ପାଟିରେ ପଛରୁ ଡାକ ଶୁଭିଲା, "ସାହେବ! ସାହେବ!!"
ଏ କ’ଣ ହେଲା ପୁଣି ନଟର! ଦଉଡ଼ିଗଲି ଫେରିଯାଇ । ନଟ ଘରକୁ ପାଦ ପକାଇବା ବେଳେ ଗୋଟାଏ ହିକ୍କାରେ ନଟ ମା’ର ପ୍ରାଣବାୟୁ ପିଞ୍ଜରା ଛାଡ଼ି ଚାଲି ଯାଇଥିଲା । ଦେଖିଲାବେଳକୁ ନଟ ମା’ର ଦିହରେ ଏକ ଧଳା ଚାଦର ଢଙ୍କା ସରିଥିଲା । ନଟ ତା’ର ସାର୍ଟିଫିକେଟକୁ ଟୁକୁରା ଟୁକୁରା କରି ଚିରି ମା’ର ଶବାଧାର ଉପରେ ଫୁଲ ପରି ବିଛାଇ ଦେଉଥିଲା ।