ଗୁରୁ
ହରିହର
ଗୁରୁ ଭଗବାନ | ମାତ୍ର ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରତି ଆରୋପିତ ହେବା ଅନୁଚିତ |
ଆମର ଜୀବନ ଗୁରୁମୟ | ପ୍ରତି ମୁହୂର୍ତ୍ତରେ ଆମେ କାହାଠାରୁ କିଛି ଶିଖୁଛୁ | ସେ ସମୟରେ ସେ ଆମର ଗୁରୁ | ତେଣୁ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଗୁରୁଙ୍କ ଆସନରେ ବସାଇ ତାଙ୍କୁ ଭଗବାନ ବନାଇ ଦେବା ଓ ତାଙ୍କର ସବୁକଥାକୁ ଆଖିବୁଜି ମାନିନେବା ଦ୍ବାରା ଆମେ ମହାନ ଗୁରୁବାଦର ଅବମାନନା କରିବା ସହିତ ଆମର ଶିଖିବା ଦ୍ବାର ବନ୍ଦ କରିଦେଉଛୁ କହିଲେ ଚଳେ |
ଭଗବାନ କହିଲେ - ଉଦ୍ଧବ ! ମନ ହେଉଛି ତୋର ଗୁରୁ | ଏଇ ମନକୁ ବଶ କରିବା ଶିଖ | ଅବଧୂତ ଅନେକ ଗୁରୁ କରିଥିଲେ | ଆମର ଜୀବନର ପ୍ରତି ମୁହୂର୍ତ୍ତରେ କେହି ଜଣେ ଆମର ଗୁରୁ |
ଆମେ ଆମର ଶିଖିବା ପ୍ରବୃତ୍ତିଟା ସବୁବେଳେ ମୁକ୍ତ ରଖିବା, ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଶିଖିବା ଆଉ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଆମକୁ ନୂଆ ଗୁରୁ ମିଳୁଥିବେ |
ଯାହାଠାରୁ ଆମେ ଶିଖିବା ସେ ଆମର ଗୁରୁ ଓ ସବୁରି ଦେହରେ ଭଗବାନଙ୍କ ନିବାସ ଆଧାରରେ ସେ ବି ଭଗବାନ |
ପିତା ପୁତ୍ରର ଗୁରୁ ପୁଣି ପୁତ୍ର ବି ପିତାର ଗୁରୁ | ଶିକ୍ଷକ ଛାତ୍ରର ଗୁରୁ ପୁଣି ଛାତ୍ର ବି ଅନେକ ସମୟରେ ଶିକ୍ଷକର ଗୁରୁ | ପରିବର୍ତ୍ତନଶୀଳ ଦୁନିଆରେ ଶିକ୍ଷାର ଶେଷ ନାହିଁ !!!!
ଏକ ଉଦାହରଣ : ଯଦି ପାର୍ଥିବ ଦୁନିଆର ଶିକ୍ଷାଗୁରୁ କଥା ବିଚାରିବା, ଛୋଟିଆ ସ୍ମାର୍ଟ ଫୋନର ଚତୁର ବ୍ୟବହାର ଆମେ ବୟସ୍କମାନେ ଜାଣିନୁ | ସେ ବିଷୟରେ ଏକ ଛୋଟ ପିଲା ଆମକୁ ଯେତେବେଳେ ଶିଖାଉଛି ସେ ଆମର ଗୁରୁ ନୁହଁ କି ?
ଆଧ୍ୟାତ୍ମିକ ଦୁନିଆରେ ତ ଗୁରୁଙ୍କ ସଂଖ୍ୟା ଅକଳନ | ତେଣୁ ଯିଏ ଆମର ଗୁରୁ ସେ ଆମର ପୂଜ୍ୟ | ସେ ଦୃଷ୍ଟିରୁ କାହାରି ଜଣକର ନାମ ଯଦି ଆମେ କହିବା ଏ ମୋର ଗୁରୁ ତେବେ ଅନ୍ୟ ଗୁରୁମାନଙ୍କ ପ୍ରତି ଆମେ ଅସମ୍ମାନ କରିବା ନାର୍ହିକି ?
କେବଳ ଈଶ୍ବର ହିଁ ଆମର ଉଲ୍ଲେଖ କଲାଭଳି ଗୁରୁହୋଇ ପାରିବେ | କାରଣ ସେ ହିଁ ସତ୍ୟ ଓ ସେ ହିଁ ଆଲୋକ !!!!! କୁହାଯାଏ ଗୁରୁ ଆମକୁ ଈଶ୍ବରାଭିମୁଖୀ କରିପାରିବେ | ମାତ୍ର ଏହା ଆପେକ୍ଷିକ ସତ୍ୟ | ଯଦି ଗୁରୁ ଈଶ୍ବରଙ୍କୁ ମିଳାଇ ପାରିବେ ତେବେ ସେ ଈଶ୍ବରଙ୍କୁ ପାଇ ନାହାନ୍ତି କାହିଁକି ? ଯଦି ପାଇଛନ୍ତି ତେବେ ପୁଣି ତାଙ୍କର ସ୍ବତନ୍ତ୍ର ସତ୍ତା ଆସିଲା କୁଆଡୁ ????
ଗୁରୁଙ୍କୁ ଈଶ୍ବର ଜ୍ଞାନ କରନ୍ତୁ ମାତ୍ର କୌଣସି ବ୍ୟକ୍ତିକୁ ସର୍ବଶେଷ ଗୁରୁମାନି ଶିକ୍ଷା ଶେଷ କରନ୍ତୁନି ...................