You can write and publish your own articles here.
Please download the app to get started.

Download App


ଡାକମୁନ୍‌ସି

ବ୍ୟାସକବି ଫକୀର ମୋହନ ସେନାପତି

ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍‌କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି । ଆଜକୁ ଦଶ ବରଷ ହେଲା କଟକ ସଦର ପୋଷ୍ଟଅଫିସ୍‌ରେ ବରାବର ରହି କର୍ମ କରୁଛନ୍ତି । ଭଲରୂପେ କର୍ମ କରିବାରୁ ପ୍ରମୋଶନ ପାଇଲେଣି । ବର୍ତ୍ତମାନ ହେଡ଼ ପିଅନ, ଦରମା ମାସକୁ ନଅ ଟଙ୍କା । କଟକ ସହରରେ ସବୁ ଜିନିଷ କିଣା । ନିଆଁ ଟିକକ ପାଇଁ ଦିଆସିଲ୍‌ ଲାଇଟା ମଧ୍ୟ ନ କିଣିଲେ ନୁହେଁ । ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ ପାଞ୍ଚ ଟଙ୍କାରୁ ଊଣା ଖରଚ ପଡ଼େ ନାହିଁ । କୌଣସି ରୂପେ ଘରକୁ ଚାରିଟଙ୍କା ନ ପଠାଇଲେ ନୁହେଁ । ଘରେ ସ୍ତ୍ରୀ ଆଉ ଆଠ ବରଷର ପୁଅ ଗୋପାଳ । ମଫସଲ ଜାଗା, ଚାରି ଟଙ୍କାରେ କୌଣସି ରୂପେ ଟାଣଟୁଣ ହୋଇ ଚଳିଯାଏ । ସେଥିରୁ ପଇସାଏ ଊଣା ହେଲେ ଅଚଳ । ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ । ସ୍କୁଲରେ ଦରମା ମାସକୁ ଦୁଇଅଣା । ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ, କାଲି ସ୍ଲେଟ୍‌ କାଗଜ ଏ ସବୁ ଜିନିଷ କିଣିବାକୁ କେବେ କେବେ କିଛି କିଛି ବେଶି ଖରଚ ପଡ଼େ । ଏପରି ଉପୁରି ଖରଚ ପଡ଼ିଗଲେ ସେ ମାସରେ ଭାରି କଷ୍ଟ । ଦିନେ ଦିନେ ବୁଢ଼ାକୁ ଉପାସ ରହିଯିବାକୁ ହୁଏ । ଉପାସ ହେଉ ପଛେ, ମୋ ଗୋପାଳଟି ପଢ଼ୁ ।

ଦିନେ ପୋଷ୍ଟମାଷ୍ଟର ସର୍ଭିସ୍‌ ବୁକ୍‌ ଦେଖି କହିଲେ, “ହରି ସିଂହ, ତୁମ୍ଭର ପଞ୍ଚାବନ ବର୍ଷ ବୟସ ହୋଇଗଲା, ପେନ୍‌ସନ୍‌ ନେବାକୁ ହେବ, ଆଉ ଚାକିରି କରି ପାରିବି ନାହିଁ ।” ସିଂହଙ୍କ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡ଼ିଲା । କଣ କରିବେ, ସଂସାର ଚଳିବ କିପରି ? ସଂସାର ଯାହାହେଉ, ଗୋପାଳର ଯେ ପଢ଼ା ବନ୍ଦ । ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି-ଗୋପାଳ ମଫସଲ ପୋଷ୍ଟଅଫିସ୍‌ରେ ସବ୍‌ପୋଷ୍ଟମାଷ୍ଟର ହେବ-ଅତି ନିକୁଛରେ ଭିଲେଜ୍‌ ପୋଷ୍ଟମାଷ୍ଟର ହେବ । ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ତେଡ଼େବଡ଼ ଚାକିରିଟା ମିଳିବା ମୁସ୍କିଲ । ମଫସଲରେ ସୁବିଧା ନାହିଁ, କଟକ ଆଣି ଇଂରାଜୀ ପଢ଼ାଇବାକୁ ହେବ । ଚାକିରି ଗଲେ ତେଡ଼େବଡ଼ ଆଶାରୁ ଏକାବେଳକେ ନିରାଶ । ସବୁବେଳେ ସେହି କଥା ଭାବି ଭାବି ଦେହଟା କଳାକାଠ ପଡ଼ିଗଲାଣି । ଦିନେଦିନେ ରାତିରେ ନିଦ ହୁଏ ନାହିଁ, ଭାବି ଭାବି ରାତି ପାହିଯାଏ ।

ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହେରବାନି । ବସାରେ ମୁକରରି ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ ଦୁଇ ଚାରିଟା କାମଦାମ କରିଦେଇ ଆସନ୍ତି । ସଞ୍ଜବେଳେ ଗୋଟାଏ ଆରାମ୍‌ ଚୌକିରେ ପଡ଼ି ବାବୁ ଇଂରାଜୀ ଖବରକାଗଜ ପଢ଼ିବାବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାଖୁ ଚିଲମେ ସାଜି ଦିଅନ୍ତି, ସେପରି କେହି ଜାଣେ ନାହିଁ । ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡ଼ାଖ ଚିଲମେ ସାଜି ଆଣି ଭଲ କରି ଚିଲମଟା ଫୁଙ୍କିଦେଲେ । ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପ୍‌ରୁ ବାହାରିଲା ପରି ଧୁଆଁଗୁଡ଼ାକ ଭକ୍‌ ଭକ୍ କରି ବାହାରୁଛି, ଟିକିଏ ଟିକିଏ ଆଖି ବୁଜି ଆସିଲାଣି । ସିଂହେ ବୁଝି ନେଲେ ଏହିଟା ଠିକ୍‌ ସମୟ । ସିଂହେ ବାବୁଙ୍କ ଗୋଡ଼ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି ଖୁବ୍‌ ଭକ୍ତିରେ, ଖୁବ୍‌ ବିନୟରେ, ଖୁବ୍‌ ଧୀରେ, ଖୁବ୍‌ ମିଠା କଥାରେ ଆପଣାର ଦୁଃଖ ହାଲ ଚୁମ୍ବକ ଚୁମ୍ବକ ସମସ୍ତ କଥା ଜଣାଇଲେ । ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ପାସୋରିଲେ ନାହିଁ । ବାବୁ ସେହିପରି ନୟନ ମୁଦ୍ରିତାବସ୍ଥା-ଧୀର ଗମ୍ଭୀର ଭାବରେ କହିଲେ, “ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖି ଆଣ ।” ବାବୁଙ୍କର ସାହସ ଥିଲା, କାରଣ ପୋଷ୍ଟାଲ ଇନ୍‌ସ୍ପେକ୍ଟର ବା ସୁପରିଣ୍ଟେଟେଣ୍ଡେଣ୍ଟ୍‌ ବାବୁମାନେ ଆସିଗଲେ ପୋଷ୍ଟମାଷ୍ଟର ବାବୁଙ୍କ ବସାରେ ରହନ୍ତି । ଉପର ହାକିମମାନଙ୍କ ମନସ୍ତୁଷ୍ଟି ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ୍‌, ସେଥିରୁ ତ୍ରୁଟି ହୁଏ ନାହିଁ । ସେ ରାତ୍ରରେ ପୋଷ୍ଟମାଷ୍ଟର ବାବୁ ‘ହରି ସିଂ, ହରି ସିଂ’ କରି ଦଶଥର ପାଟି କରୁଥିବାର ଶୁଣାଯାଏ । ହରି ସିଂହେ, ପୁରୁଣା ଲୋକ, ଢେର ଢେର ହାକିମହୁକୁମା ଅମଳ କଲେଣି । କାହାର କି ରକମ ମିଜାଜ, କିଏ କାହିଁରେ ଖୁସି, ଜାଣନ୍ତି । ସେ ଦିନ ଅଧରାତିଯାଏ ସିଂହଙ୍କୁ ବାବୁଙ୍କ ବସାରେ ରହିବାକୁ ହୁଏ । କାରଣ ଓଡ଼ିଶାର କଦର୍ଯ୍ୟ ହାଓଆ ହେତୁରୁ କେହି ବାବୁ ହଠାତ୍‌ ପୀଡ଼ିତ ହୋଇ ବାନ୍ତିଫାନ୍ତି କରି ପକାଇଲେ ହରି ସିଂହେ ସୋଡ଼ା କାଗଜିଲେମ୍ବୁ ପ୍ରଭୃତି ହାଜର କରାଇ ବାବୁଙ୍କୁ ସମ୍ଭାଳି ନିଅନ୍ତି । ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଂହେ ଅଧରାତିରେ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି । ଏହି ସୂତ୍ରରେ ସିଂହେ ଉପରବାଲା ହାକିମମାନଙ୍କଠାରେ ପରିଚିତ । ହରି ସିଂହଙ୍କ ଦରଖସ୍ତ ପିଠିରେ ପୋଷ୍ଟମାଷ୍ଟର ବାବୁ ଭଲ ରୂପେ ସୁପାରିସ କରି ସଦରକୁ ପଠାଇ ଦେଲେ, ଅଳ୍ପଦିନ ମଧ୍ୟରେ ଏକଷ୍ଟେନ୍‌ସନ୍‌ ହୁକୁମ ପହଞ୍ଚଲା । ସିଂହେ ତ ମହାଖୁସି, ଏହି ଖୁସି ଖବରଟା ଗାଁକୁ ଲେଖି ପଠାଇଲେ । ବର୍ତ୍ତମାନସର୍ବସ୍ୱ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇ ପଡ଼ିଥାନ୍ତି । ଭବିଷ୍ୟତ ବିଧାତା ତାଙ୍କ ପାଇଁ କଣ ବିଧାନ କରୁଛନ୍ତି, ତେଣିକି ଥରେ ହେଲେ ଅନାଇବା ଦରକାର ମଣନ୍ତି ନାହିଁ । ସିଂହଙ୍କର ଏତେ ବଡ଼ ଆନନ୍ଦଟା ପାଣିଫୋଟକା ପରି ଫାଟିଗଲା । ଘରଠାରୁ ଚିଠି ଆସିଲା, ଗୋପାଳ ମାଆର ସନ୍ନିପାତ ରୋଗ, ଜୀବନର ଆଶା ନାହିଁ । ସିଂହେ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠିଖଣ୍ଡକ ଦେଖାଇଲେ । ବାବୁ ବଡ଼ ଦୟାଳୁ ଲୋକ, ତତ୍‌କ୍ଷଣାତ୍‌ ଛୁଟି ଦେଲେ । ସିଂହେ ଏକନିଶ୍ୱାସରେ ଘରକୁ ଧାଇଁଲେ, ଘରେ ପହଞ୍ଚି ଯାହା ଦେଖିଲେ, ତାଙ୍କ ଆଖିର ଜ୍ୟୋତି ହଜିଗଲା । ଜଗତଟା ଯେମନ୍ତ ଅନ୍ଧକାରମୟ । ବୁଢ଼ୀର କଥା ଶେଷ ପ୍ରାୟ ହେଲାଣି । ସ୍ବାମୀଙ୍କୁ କ୍ଷୀଣ ଦୃଷ୍ଟିରେ ଭଲ କରି ଅନାଇଲେ, ଦୁଇ ହାତ ଅଳ୍ପ ଉଠାଇ ଦଣ୍ଡବତ କଲେ, ସ୍ବାମୀଙ୍କ ଗୋଡ଼ଧୂଳି ନେବାକୁ ଠାରିଲେ । ସେହି ଧୂଳି ଟିକେ ପାଇଁ କି ଅନାଇ ରହିଥିଲେ ? ସବୁ ଶେଷ ହେଲା ! ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା । ସେ ଘର ମାଲମତା ଦୁଇ ଖଣ୍ଡ ବିକି ପିଲାଟିକୁ ଧରି କଟକ ପଳାଇ ଆସିଲେ ।

ଗୋପାଳ ମାଇନର ପଢ଼େ । ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ, ପେନ୍‌ସନ୍‌ ହୋଇଗଲାଣି, ଭାରି ଅଚଳ । ଘରେ ଲୋଟାକଂସା ଯାହା ଦୁଇଖଣ୍ଡ ଥିଲା, ବିକିବାକି ଖାଉଛନ୍ତି, ଚାକିରିରେ ଥିବାବେଳେ ଅତି କଷ୍ଟରେ ମାସକୁ ଦୁଇ ଚାରି ଅଣା ସଞ୍ଚି ସେଭିଂସ୍‌ ବେଙ୍କ୍‌ରେ କିଛି ରଖିଥିଲେ, ଗୋପାଳ ପଛରେ ମାଇନର ପଢ଼ାରେ ସବୁ ସାରିଲେ । ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍‌ କଲେ ସବୁ କଷ୍ଟ ମେଣ୍ଟିବ । ଗୋପାଳ ମଧ୍ୟ କେତେଥର ଭରସା ଦେଇ କହିଲାଣି, “ବାପା, ଧାର କରଜ କରି ମୋତେ ପଢ଼ାଅ, ଚାକିରି କରି ଶୁଝିବି । ହରି ସିଂହଙ୍କର ଆର୍ତ୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ୍ ଶୁଣିଲେ । ଗୋପାଳ ମାଇନର ପାସ୍ କଲା । ସିଂହଙ୍କର ଆନ୍ଦର ସୀମା ନାହିଁ । ସେହି ପୁରୁଣା ପୋଷ୍ଟମାଷ୍ଟର ବାବୁ ଅଛନ୍ତି, ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ । ଉପର ହାକିମମାନଙ୍କର ମଧ୍ୟ କିଛି ଅନୁଗ୍ରହ ଥିଲା, ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍‌ ପୋଷ୍ଟମାଷ୍ଟର ନିଯୁକ୍ତ ହେଲେ, ବେତନ ମାସକୁ କୋଡ଼ିଏ ଟଙ୍କା । ବର୍ତ୍ତମାନ ସଦର ପୋଷ୍ଟଅଫିସରେ ଚାରିମାସ କାମ ଶିଖି ମଫସଲ ଯିବେ ।

ହରି ସିଂହଙ୍କର ଆନନ୍ଦର ସୀମା ନାହିଁ; ଅନବରତ ପ୍ରଭୁଙ୍କ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, “ଧନ୍ୟ ପ୍ରଭୁ ତୁମ୍ଭର କରୁଣା, ଦୁଃଖୀର ଗୁହାରି ଶୁଣିଲ ।” ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସିଂହେ ନିରୋଳାରେ ବସି ଢେର କାନ୍ଦିଲେ । ହାୟ ! ଆଜି ବୁଢ଼ୀ ଥିଲେ କେଡ଼େ ଆନନ୍ଦଟା ହୁଅନ୍ତେ, ତାଙ୍କ ଗୋପାଳ ହାକିମ ଚାକିରି ପାଇଲା, ଆନନ୍ଦ ଉତ୍ସବରେ ଗଡ଼ି ଯାଉଥାନ୍ତେ । ହାୟ ! ଅଭାଗୀ କପାଳିରେ ଦେଖିବାକୁ ନାହିଁ । ହେଉ ହେଉ, ଗୋପାଳ ତ ହାକିମ ହେଲା । ପ୍ରଭୁ ଗୋପାଳଟିକୁ ରକ୍ଷାକରନ୍ତୁ ।

ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢ଼ା ହାତରେ ଦେଲେ । ବୁଢ଼ାର ଆନନ୍ଦ କହିଲେ ନ ସରେ, ଗୋଡ଼ ତଳେ ପଡୁନାହିଁ । ପୁଅ ହାକିମ; ଏତେ ଗୁଡ଼ାଏ ଟଙ୍କା ମାସକ ମଧ୍ୟରେ ଆଣିଲା । ଟଙ୍କା ଗୁଡ଼ାକ ଚାରି ପାଞ୍ଚ ଥର ଗଣି ଅଣ୍ଟିରେ ବାନ୍ଧି ଶୋଇଲେ । ଆରଦିନ ସକାଳେ ଲଣ୍ଡଭଣ୍ଡ ହୋଇ ବଜାରକୁ ଧାଇଁଲେ । ଜୁତା, କୁରୁତା, ଲୁଗା ଯାହା ଯାହା ଦରକାର କିଣାଗଲା । ଗୋପାଳ ଯେ ହାକିମ ହେଲାଣି, ସେ କଣ ଯେ ସେ ଲୁଗା ପିନ୍ଧିବ ? ଭେକ ଦେଖି ସିନା ଭିକ । ସେହିପରି ପୋଷାକ ଲୋଡ଼ା ।

ଏଣେ ଗୋପାଳବାବୁ ଅଫିସରେ ପାଞ୍ଚଜଣ ବାବୁଙ୍କ ସାଙ୍ଗରେ ବସି ଇଂରାଜୀ ଲେଖନ୍ତି । ବାବୁମାନଙ୍କ ସହିତ ସବୁବେଳେ କାରବାର, ସମସ୍ତେ ଡାକନ୍ତି ‘ଡାକ ମୁନ୍‌ସି ବାବୁ’, ପୁରା ନାମ ଗୋପାଳଚନ୍ଦ୍ର ସିଂହ । ଏଣେ ବସାରେ ଆସି ଦେଖନ୍ତି କଣ, ନା ବୁଢ଼ାଟା ଧୂଳିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି, ଗୋପାଳ କିମିତି ଭଲ କରି ଦିଟା ଖାଇବ- ଗୋପାଳ ଗାଧେଇ ଗଲା, ଓଦା ଲୁଗା ଶୁଖି ନାହିଁ-ପିଲାଟା କାମ କରି କରି ଧନ୍ଦି ଗଲାଣି, ଏହି ସମସ୍ତ ଦିନ ରାତି ଚିନ୍ତା । ଆଗେ ବୁଢ଼ା ସିଂହେ ବେଳେ ବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମ କର୍ମ କରୁଥିଲେ, ଏବେ ଗୋପାଳ ବାବୁଙ୍କ ପାଇଁ ସବୁ ଭୁଲିଗଲେଣି । ବୋଧ କରି, ହରି ଏ ସବୁ ଦେଖି ବୁଢ଼ା ଉପରେ ଖପା ହୋଇ ଗଲେଣି- ଧମକାଇ କହିଲେ, ‘ଆରେ ନିର୍ବୋଧ ଏ କଣ ରେ ! ଆଚ୍ଛା ବୁଝିବୁ !’

ଏଣିକି ଗୋପାଳ ବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି । ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ରଗରଗ ସିଂ ସିଂ ହୁଅନ୍ତି । ଏଟା ମୁର୍ଖ, ଇଂରାଜୀ ଜାଣେ ନାହିଁ-ମୂଲିଆ-ମଳିଆ ଲୁଗା ପିନ୍ଧିଥାଏ, ଏଟାକୁ ବାପ ବୋଲି ଡାକିବି, ଲୋକେ କଣ କହିବେ ! ସେ ଦିନ ଶିକ୍ଷିତା କେତେ ଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ-ବୁଢ଼ାଟା ଦେହରେ କୁରୁତା ନାହିଁ, ସେମାନଙ୍କ ଆଗ ଦେଇ ଚାଲିଗଲା । କି ଲଜ୍ଜା, କି ଲଜ୍ଜା, ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ ।

ଦିନେ ଡାକ ମୁନସୀ ବାବୁ ବାପକୁ କହିଦେଲେ, “ଦେଖ, ତୁମେ ମୋର କିଛି ଉପକାର କରି ନାହଁ, ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହରିବ ନାହିଁ ।” ଗୋପାଳ କଥା ଶୁଣି ବୁଢ଼ାର କାନ ମୁଣ୍ଡ ଭାଁ ଭାଁ କଲା, ଚୁପ୍‌ ହୋଇ ବସି ପଡ଼ିଲା । କାହାକୁ କହିବ ? ପୁଅ କଥା; ଅଜାଗା ଘା ଦେଖି ହୁଏ ନାହିଁ, ଦେଖାଇ ହୁଏ ନାହିଁ । ଯାହାକୁ ମନର କଥା କହନ୍ତା, ସେ ଯାଇଛି । ବୁଢ଼ୀ କଥା ମନରେ ପଡ଼ିଲା, ଢେର କାନ୍ଦିଲା, ଚାରିଆଡ଼କୁ ଅନାଇଲା କେହି ଭରସା ନାହିଁ । ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନରେ କରେ, ସୁଖ ବେଳେ ମନରେ କରେ । ମୁହଁ ପୋଛିଲା, ଆଉ କାନ୍ଦିଲା ନାହଁ, ଗୋପାଳର କାଳେ ଅମଙ୍ଗଳ ହେବ ।

ଗୋପାଳ ବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ, ବୁଢ଼ାକୁ ଜଣାଇ ନାହାଁନ୍ତି । ସକାଳୁ ଉଠିଲେ, ଅବଜ୍ଞାଭାବରେ କହିଲେ, “ଏ ବାବା, ମୁଁ ମଫସଲ ବାହାରିଲି । ଏହି ଜିନିଷପତ୍ର ସବୁ ଘେନି ଆସ । କେତେ ବା ଜିନିସ, ବୁଝି ଖବରଦାର, ମୁଲିଆ କରିବ ନାହିଁ, କଲେ ତୁମେ ଜାଣ ମୁଁ ପଇସା ଦେବି ନାହିଁ ।” ବାବୁ ପୋଷାକ ପିନ୍ଧି କାଖରେ ଛତା ଯାକି ବାଡ଼ି ଘୂରାଇ ଘୂରାଇ ଚାଲିଗଲେ । ବୁଢ଼ା କଣ କରିବ, ସବୁ ଜିନିସ ରୁଣ୍ଡାଇ ପୁଣ୍ଡାଇ ଗୋଟାଏ ଗଣ୍ଠିରି ବାନ୍ଧି ମୁଣ୍ଡାଇଲା । ଚାଲି ପାରୁ ନାହିଁ, ଦେହରେ ବଳ ନାହିଁ, ଆଖିରୁ ବେଳେ ବେଳେ ପାଣି ବହି ପଡୁଛି, ଦଶ ଜାଗା ବସି ଉଠି ସଞ୍ଜ ସରିକି ମକ୍ରାମପୁରରେ ପହଞ୍ଚିଲା । ଡେରି ହେବାରୁ ବାବୁ ଫଜିତଟାଏ କଲେ, ବୁଢ଼ା ଗୁମ୍‌ ହୋଇ ବସି ଥକା ମେଣ୍ଟାଉଥାଏ ।

ବାବୁ ସକାଳେ ସଞ୍ଜ ଅଫିସକୁ ଯାନ୍ତି, ବୁଢ଼ାଟା ମୁହଁ ବୁଜି ବସାରେ କାମ ପାଇଟିରେ ଲାଗିଥାଏ । ବାପ ପୁଅ ଦୁଇଜଣ ଏକ ଜାଗାରେ ବସି ଦୁଇଟା ସୁଖ ଦୁଃଖ କଥା ହେଉଛନ୍ତି, ଏ କଥା କେହି କେବେ ଦେଖିନାହିଁ । ଡାକମୁନସି ହେଲେ ମଫସଲର ଗୋଟାଏ ହାକିମ । କେତେ ଲୋକ ଆସି ଦଣ୍ଡବତ କରି ଯାଉଛନ୍ତି, ମୁର୍ଖ ବୁଢ଼ାଟା କଣ ଜାଣେ ଯେ ତା ସାଙ୍ଗରେ କଥା କହିବେ!

ବୁଢ଼ା ଦେହରେ ମଫସଲର ପାଣି ଚଳିଲା ନାହିଁ, ଜର ହେଲେ ଖୁଁ ଖୁଁ କରି କାଶେ, ସେ କାଶଟା ରାତିକି ବେଶି ହୁଏ । ବାବୁ ଶୋଇବାରେ ହରକତ ହେଲେ । ପିଅନକୁ ହୁକୁମ ଦେଲେ, “ବୁଢ଼ାଟାକୁ କିଆବାଡ଼ରେ ଫୋପାଡ଼ି ଦେଇ ଆସ ।” ସେ ପିଅନଟା ମୁର୍ଖ; ଇଂରାଜୀ ପଢ଼ି ନାହିଁ, ତାର ଗୋଟାଏ ଦେଶୀ ହୃଦୟ ଅଛି, ବିଚାର କଲା ‘କଣ ଏ ? ବୁଢ଼ା ରୋଗୀଟିକୁ କିଆ-ବାଡ଼ରେ ଶୁଆଇ ଦେବି?’ ଦିନେ ବୁଢ଼ାର ଭାରି ଜର, ତିନିଦିନ ଖାଇ ନାହିଁ, ଅଧରାତି, ଅନ୍ଧାର, ଥଣ୍ଡା ପାଇ ବୁଢ଼ାର କାଶ ବଳି ପଡ଼ିଲା । ବାବୁ ତ ଭାରି ଖପା, ବୁଢ଼ା ଛାତିରେ ଦୁଇଟା ଇଂରାଜୀ ଘୂଷି ମାରିଲେ, ବିଛଣାପତ୍ର ବାହାରକୁ ଫୋପାଡ଼ି ଦେଲେ । ବୁଢ଼ା ଗାଁକୁ ପଳାଇଲା ।

ପାଖରେ ଥିବା ଖୁବ୍‌ ଭଲ ଲୋକଙ୍କଠାରୁ ଶୁଣା ଯାଇଛି, ଗୋପାଳ ବାବୁଙ୍କ ମନ ସେହିଦିନଠାରୁ ବଡ଼ ଖୁସି । ଆଉ ଏଣେ ବୁଢ଼ା ଗାଁକୁ ଆସି ତାହାର ଯେଉଁ ଦୁଇ ମାଣ ଜମି ଥିଲା ଭାଗରେ ଲଗାଇଦେଲା, ଘରେ ବସି ଧାନ ପାଏ । ପେନସନ୍‌ ଟଙ୍କାରେ ଲୁଗାପଟା, ଲୁଣ ତେଲ ଖର୍ଚ୍ଚ ଚଳେ । କାଶ ହେଲା ଦିନଠୁଁ ବୁଢ଼ା ଟିକିଏ ଟିକିଏ ଅଫିମ ଧରିଛି । ସବୁ ଖର୍ଚ୍ଚ ଚଳେ, ଘରଠାରେ ପିଣ୍ଡାରେ ବସି ହରିନାମ କରେ । ଉଛୁଣି ବାପ ପୁଅ ଦୁହେଁ ଖୁସି । ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅ ।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App