ମାଣବସା ଲକ୍ଷ୍ମୀ ପୁରାଣ
ବଳରାମ ଦାସ
ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ ।
ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।୧।
ନମସ୍ତେ କମଳା ମାଗୋ ଅତି ଦୟାବତୀ ।
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।୨।
ତୋର ଦୟାବଳେ ମାଗୋ ଦରିଦ୍ର ଜନର ।
ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।୩।
ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ ।
ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ।୪।
ତୋହର ଚରିତ ମନ ଦେଇ ଯେ ଶୁଣଇ ।
କିଅବା ଭକତି ଭାବେ ସର୍ବଦା ଗୁଣଇ ।୫।
ତାହାର ଦରିଦ୍ର ପଣ ଯାଏ ଦୂର ହୋଇ ।
ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାୟୀ ।୬।
ଏଣୁ ତୋ ଚରଣେ ମାଗୋ ଅଶେଷ ପ୍ରଣାମ ।
କରୁଛି ପୁରାଅ ବାରେ ମୋର ମନସ୍କାମ ।୭।
ତୋ ଚରିତ କିଞ୍ଚିତେ ମୁଁ କରିବି ରଚନ ।
ଜଗତ ଜନନୀ ବାରେ ଦିଅ ଦିବ୍ୟ ଜ୍ଞାନ ।୮।
ଦିନକେ ନାରଦ ପରାଶର ମୁନି ଦୁଇ ।
ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇଁ ।୯।
ସେହିଦିନ ମାର୍ଗଶୀର ମାସ ଗୁରୁବାର ।
ପର୍ବ ପଡ଼ିଥିଲା ସର୍ବ ପୁରବାସୀଙ୍କର ।୧୦।
ପ୍ରତି ଘରଦ୍ୱାର ଗୋମୟରେ ଲିପା ହୋଇ ।
ଲକ୍ଷ୍ମୀ ପାଦପଦ୍ମ ଚିତା ପଡ଼ିଥିଲା ତହିଁ ।୧୧।
ନାରୀମାନେ ସ୍ନାନ ସାରି ପିନ୍ଧି ଝୀନବାସ ।
ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ ।୧୨।
ବ୍ରାହ୍ମଣଙ୍କଠାରୁ ଯେ ଚଣ୍ଡାଳ ପରିଯନ୍ତେ ।
ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ ।୧୩।
ହୁଳ ହୁଳୀ ଶବଦରେ ପୁରିଛି ଗଗନ ।
ଦେଖି ଏ ଉତ୍ସବ ରୀତି ବିଧାତା ନନ୍ଦନ ।୧୪।
ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ ।
କହ କହ ତପୀବର ଏ କିସ ଚରିତ ।୧୫।
ବ୍ରାହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ ।
କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ ।୧୬।
କେଉଁ ବ୍ରତ କି ଉପାସ ଅଟେ ଏହା ନାମ ।
କାହାକୁ କରନ୍ତି ପୂଜା ତାର କି ନିୟମ ।୧୭।
ଏହା ଶୁଣି ପରାଶର ହୋଇ ହସ ହସ ।
କହନ୍ତି ବଚନ ଧୀରେ ଶୁଣ ବିଧିଶିଷ୍ୟ ।୧୮।
ଏ ଧାନ ମାଣିକା ଗୁରୁବାର ଯେ ଅଟଇ ।
ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତ ଅଟଇ ।୧୯।
ସବୁ ମାସ ମାନଙ୍କରେ ମାର୍ଗଶିର ସାର ।
ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର ।୨୦।
ଲକ୍ଷ୍ମୀଙ୍କର ପ୍ରିୟ ସେହି ବାରମାନ ଜାଣ ।
ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ ।୨୧।
ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର ।
ପଡ଼ିଲେ ସୁଦଶାବ୍ରତ ହୁଏ ସେ ଦିନର ।୨୨।
ଲକ୍ଷ୍ମୀଙ୍କର ଅତିପ୍ରିୟ ଅଟଇ ସେ ବ୍ରତ ।
ଏହା କହି ପରାଶର ହେଲେ ମୌନବ୍ରତ ।୨୩।
ପୁଣି ତାହାଙ୍କୁ ପୁଛିଲେ ବ୍ରହ୍ମାଙ୍କ କୁମର ।
ଲକ୍ଷ୍ମୀବ୍ରତ କରିଥିଲେ ମର୍ତ୍ତ୍ୟେ କେଉଁ ନର ।୨୪।
ତହିଁରୁ ସେ କେଉଁ ଶୁଭଫଳ ଲଭିଅଛି ।
ଲକ୍ଷ୍ମୀ ଦ୍ରୋହୀ ହୋଇକରି କେ ଦୁଃଖ ପାଇଛି ।୨୫।
ଏହା ସବୁ ମୋ ଆଗରେ କହ ତପୀସାଇଁ ।
ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ ।୨୬।
ନାରଦ ବଚନ ଶୁଣି ପରାଶର ମୁନି ।
କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ ।୨୭।
ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର ।
ଲକ୍ଷ୍ମୀବ୍ରତ କଥାରେ ଯେ ହୋଇଅଛ ରତ ।୨୮।
କହୁଅଛି ପୁରାତନ କଥା ଅଛି ଯାହା ।
ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା ।୨୯।
ଏକଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ ।
କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ ।୩୦।
ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ ।
ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲିଯିବି ମୁହିଁ ।୩୧।
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ରହିଁ ବୁଲିବ ।
ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ ।୩୨।
ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ ।
ବସ୍ତ୍ର ଅଳଙ୍କାରମାନ ଯତନେ ପିନ୍ଧିଲେ ।୩୩।
ନାସିକାରେ ନବରତ୍ନ ବସଣି ଖଞ୍ଜିଲେ ।
ଚଉସରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ ।୩୪।
କରରେ ବାହୁଟି ରମ୍ୟ ବଳୟ କଙ୍କଣ ।
ସୁନା ସୁତା ମାଣିକ୍ୟ ପଦକ ଆଭରଣ ।୩୫।
ବାଜେଣି ନୂପୁର ମାତା ପୟରେ ଖଞ୍ଜିଲେ ।
ଏପରି ନାନା ଭୂଷଣେ ସୁବେଶ ହୋଇଲେ ।୩୬।
ଯେବଣ ମାତାଙ୍କ ଅଧିକାର ତିନିପୁର ।
ଆଭରଣ କେତେ ମାତ୍ର ଦେବେ ପଟ୍ଟାନ୍ତର ।୩୭।
ଶୁଣ ହେ ନାରଦ ଏହା ହୋଇ ଏକ ଚିତ୍ତ ।
ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ମାତ ।୩୮।
ପ୍ରବେଶ ହୋଇଲେ ଯାଇଁ ସାଧୁର ଦୁଆରେ ।
ସାଧବାଣୀ ଉଭା ହୋଇଥିଲା ସେହିଠାରେ ।୩୯।
ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ ।
ଶୁଣ ଶୁଣ ସାଧବାଣି ହୋଇ ସ୍ଥିରମନ ।୪୦।
ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର ।
ଲିପା ପୋଛା କରିନାହୁଁ କିମ୍ପା ଘରଦ୍ୱାର ।୪୧।
ସାଧବାଣୀ ଏହା ଶୁଣି ବୋଲଇ ସେକ୍ଷଣି ।
କି ରୂପେ ଏ ବ୍ରତ ହୁଏ କାହା ପୂଜା ପୁଣି ।୪୨।
ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ ।
ଅଇଲେ ମନକୁ ସେ ବ୍ରତ ମୁଁ କରିବଇଁ ।୪୩।
ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ ।
ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ ।୪୪।
ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର ।
ସେଦିନ ଉଷାରୁ ଶେଯ ଛାଡ଼ି ତତ୍ ପର ।୪୫।
ଗୋମୟ ଜଳରେ ଘର ଦୁଆର ଲିପିବ ।
ଲକ୍ଷ୍ମୀଦେବୀ ପାଦପଦ୍ମ ଚିତାକୁ ଲେଖିବ ।୪୬।
ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ ।
ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ ।୪୭।
ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର ।
ଚାଉଳକୁ ବାଟି ଚିତା ଲେଖିବ ସମସ୍ତ ।୪୮।
ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ ।
ଚଉକି ବା ଖଟୁଲିଏ ଆଣିବ ତ୍ୱରିତ ।୪୯।
ତାକୁ ଧୋଇ ତା ଉପରେ ଦେବେ ନୂଆଧାନ ।
ରଙ୍ଗକଳା ନୋହି ହୋଇଥିବ ଶୁକ୍ଳବର୍ଣ୍ଣ ।୫୦।
ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ ।
ଧାନମାଣ ଯେ ପୁରାଇ ରଖିବ ତାପରେ ।୫୧।
ସେ ଧାନ ମାଣ ଉପରେ ଗୁଆ ତିନିଗୋଟି ।
ହଳଦୀ ପାଣିରେ ତାହା ଧୋଇ ଥୋଇବଟି ।୫୨।
ଶୁକଳ ଧାନର ଶିଖା ରଖି ବେଣ୍ଟି କରି ।
ମାଣ ଉପରେ ତାହାକୁ ଥୋଇବ ବିଚାରି ।୫୩।
ଗୁଆ ଆଖୁ ମୂଳା କଦଳୀରେ ସଜାଡ଼ିବ ।
ପଟ୍ଟାଦିରଙ୍ଗ ବସନ ପୁଷ୍ପେ ମଣ୍ଡାଇବ ।୫୪।
ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ ।
ଗନ୍ଧପୁଷ୍ପ ଧୂପଦୀପ ଆଦି ସମର୍ପିବ ।୫୫।
ପ୍ରଥମରେ ବାଳଧୂପ ତାପରେ ଶଙ୍ଖୁଡ଼ି ।
ଏପରି କରିବ ତିନି ଧୂପକୁ ସଜାଡ଼ି ।୫୬।
ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି ।
ସୁଦଶା ବୋଲି ତା ନାମ ପ୍ରକଟିଛି ।୫୭।
ଶୁକଳଦଶମୀ ହେଲେ ଗୁରୁବାର ଦିନ ।
ହୁଅଇ ସୁଦଶାବ୍ରତ ଶୁଣ ଦେଇ ମନ ।୫୮।
ସେଦିନ ଉଷାରୁ ଉଠି ଲିପି ଘରଦ୍ୱାର ।
ଝୋଟି ଆଦି ଚିତା ଦେବ ପୂର୍ବ ପରକାର ।୫୯।
ସ୍ନାନ ସାରି ଗୃହେ ପଦ୍ମମଣ୍ଡଳ ଲେଖିବ ।
ତହିଁପରେ ଧୋଇ ଏକ ଖଟୁଲି ରଖିବ ।୬୦।
ତହିଁପରେ ଲକ୍ଷ୍ମୀପୂଜା ଗୁଆକୁ ଥୋଇବ ।
ପଞ୍ଚାମୃତ ଶୁଦ୍ଧଜଳେ ସ୍ନାନ କରାଇବ ।୬୧।
ଦଶଖିଅ ସୂତାରେ ଯେ ବ୍ରତେକ କରିବ ।
ଲକ୍ଷ୍ମୀଙ୍କ ନାମରେ ଦଶଗୋଟି ଗଣ୍ଠିଦେବ ।୬୨।
ଦଶକେରା ଦୂବରେ ସେ ବ୍ରତ ଗୁଡ଼ାଇବ ।
ମହାଲକ୍ଷ୍ମୀ ଗୁଆ ପାଶେ ତାହାକୁ ଥୋଇବ ।୬୩।
କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ ।
ବ୍ରତଡୋର ଆଣି ତହିଁ ଥୋଇବ ବହନ ।୬୪।
ପ୍ରଥମରେ ବାଳଧୂପ ନଇବେଦ୍ୟ କରି ।
ତାପରେ ଯା ଭୋଗ ଦେବ ଶୁଣ ହେତୁ କରି ।୬୫।
ଅରୁଆ ଚାଉଳ ଏକମାଣ ତିନ୍ତାଇବ ।
ତାକୁ କୁଟି ଚୂନା କରି ଯତନେ ରଖିବ ।୬୬।
କଦଳୀ ନଡ଼ିଆ ଛେନା ଆଦି ଦଶପୁର ।
ଦେଇ ଦଶଗୋଟି ମଣ୍ଡା କରିବ ସତ୍ୱର ।୬୭।
ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ ।
ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ ।୬୮।
ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ ।
ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ ।୬୯।
ଏ ଉତ୍ତାରୁ କଥା ଏକ ମନଦେଇ ଶୁଣ ।
ଗୁରୁବାର ଦିନ ଯେଉଁ କଥା ନିବାରଣ ।୭୦।
ସେ କଥା କହୁଛି ଏବେ ସାଧବାଣୀ ଶୁଣ ।
କେବେ ନ ଭାଜିବ ଖଇ ଗୁରୁବାର ଦିନ ।୭୧।
ଯେଉଁ ନାରୀ ଗୁରୁବାର ଦିନରେ ଆମିଷ ।
ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ ।୭୨।
ଭୁଞ୍ଜଇ ଉଚ୍ଛିଷ୍ଟ କିବା ଲଗାଏ ଯେ ତେଲ ।
ମହାଲକ୍ଷୀ ତାର ନିଶ୍ଚେ ଭାଙ୍ଗିଦ୍ୟନ୍ତି ଗେଲ ।୭୩।
ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ ।
ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ ।୭୪।
ଖଟର ଛାୟାରେ ଯେହୁ କରଇ ଶୟନ ।
ରାତ୍ରକାଳେ ଦଧିଅନ୍ନ ଯେ କରେ ଭୋଜନ ।୭୫।
କ୍ଷୌର ହୁଏ ଯେହୁ ଯାଇ ନାପିତର ଦ୍ୱାରେ ।
ଭୋଜନ ସମୟେ ଅନ୍ନ ପକାଏ ଭୂମିରେ ।୭୬।
ଭୁଞ୍ଜି ନ ପାରିଣ ଅନ୍ନ ଫୋପାଡ଼ିଣ ଦିଏ ।
ଏତେ କର୍ମ କରେ ଯିଏ ଲକ୍ଷ୍ମୀଙ୍କୁ ନ ପାଏ ।୭୭।
ଗୁରୁବାର ଦିନ ସକାଳରୁ ଗୋମୟରେ ।
ଦୁଆର ଯେ ନ ଲିପଇ ଅଳସ ପଣରେ ।୭୮।
ଚୁଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ ।
ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ ।୭୯।
ଧନ ଜନ ସବୁ ତାର ହରଣ କରନ୍ତି ।
ମାଗିଗଲେ ଅନ୍ନବସ୍ତ୍ର କେହି ନ ଦିଅନ୍ତି ।୮୦।
ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା ।
ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା ।୮୧।
ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ ।
କିବା ପାକହାଣ୍ଡି ଧୋଇ କଳା ନ ଛାଡ଼ଇ ।୮୨।
ସନ୍ଧ୍ୟା ଗଡ଼ିଗଲେ ଯିଏ ଦିଏ ସନ୍ଧ୍ୟାବତୀ ।
ପୁତ୍ରଧନ ହାନୀ ହୁଏ ସଦା ବହୁ କ୍ଷତି ।୮୩।
ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ ।
ଶୋଇବାରେ ଶଯ୍ୟ ବଙ୍କା କରିଣ ବିଛାଏ ।୮୪।
ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ ।
ଉଲଗ୍ନ ହୋଇ ଶଯନ କରେ ଯେଉଁ ପ୍ରାଣୀ ।୮୫।
ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ଯେ ହଳ ।
ଏହି ଦିନମାନଙ୍କରେ ଘେନଇ ତଇଳ ।୮୬।
ସଭାମାନଙ୍କରେ ବସି ମିଛ ଯେ କହଇ ।
ଆଳସ୍ୟେ ପାଦ ନ ଧୋଇ ଯେ ଭୁଞ୍ଜି ବସଇ ।୮୭।
କୁଷ୍ମାଣ୍ଡ ଫଳକୁ ଯେହୁ ରମଣୀ କାଟଇ ।
ଋତୁମତୀ ନାରୀକୁ ଯେ ରମଣ କରଇ ।୮୮।
କନ୍ୟା ତୁଳା ମାସେ ପିତୃଶ୍ରାଦ୍ଧ ନ କରଇ ।
କଥା କହୁ କହୁ ସବୁବେଳେ ଯେ ହସଇ ।୮୯।
ଏମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଇ ।
ଆୟୁ, ବୁଦ୍ଧି ନାଶ ହୁଏ ଅନ୍ନ ନ ମିଳଇ ।୯୦।
ଗୁରୁବାର ସଙ୍କରାନ୍ତି ଅମାବାସ୍ୟା ଦିନ ।
ରଜନୀରେ ସ୍ତ୍ରୀ ପୁରୁଷ କଲେକ ଭୋଜନ ।୯୧।
କିବା ଏହି ତିନି ଦିନ ଯେଉଁ ନାରୀ ମୋହେ ।
ପୁରୁଷ ସଙ୍ଗରେ ମାତି ଧର୍ମକୁ ନ ଚାହେଁ ।୯୨।
ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ ।
ବୁଲନ୍ତି ଯେ ଅନ୍ନ ବସ୍ତ୍ର କାହିଁଁ ନ ମିଳଇ ।୯୩।
ଏହି ତିନି ଦିନରେ ଯେହୁ ତିକ୍ତ ଦ୍ରବ୍ୟ ଖାନ୍ତି ।
ଅନ୍ତଃ କାଳେ ଯମଦ୍ୱାରେ ବହୁ କଷ୍ଟ ପାନ୍ତି ।୯୪।
ଏ ତିନି ଦିନ ଯେ ନାରୀ କରଇ ହବିଷ୍ୟ ।
ଦୁଃଖୀ ରଙ୍କି ଦେଖି ଦାନ କରଇ ବିଶେଷ ।୯୫।
କରେ ଲକ୍ଷ୍ମୀବ୍ରତ ଲକ୍ଷ୍ମୀବାରେ ଉପବାସ ।
ବଢଇ ତାହା ଧନ ଜନ ଆୟୁ ଯଶ ।୯୬।
ସକାଳୁ ଶେଯରୁ ଉଠି ଯେ ମୁଖ ନ ଧୁଏ ।
ତା ମୁଖ ଯେ ଜନ ଦେଖେ ତାର ଶୁଭ ନୁହେଁ ।୯୭।
ରାତ୍ରଶେଷେ ବାସି ଶେଯେ ଯେ କରେ ଶୟନ ।
ତା ଗୃହକୁ ଲକ୍ଷ୍ମୀ ତ୍ୟାଗ କରନ୍ତି ବହନ ।୯୮।
ଆସନ ବିନା ଯେ ଭୂମିପରେ ବସି ଖାଏ ।
କିବା ଯେ କୁମାରୀ ସଙ୍ଗତରେ କାମମୋହେ ।୯୯।
ଦକ୍ଷିଣ ପଶ୍ଚିମ ମୁଖେ ଯେ ଭୁଞ୍ଜି ବସଇ ।
ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ ।୧୦୦।
ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ ।
କେଭେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ ।୧୦୧।
ଭୋଜନ କରି ଯେ ମୁଖ ଶୋଧନ ନ କରେ ।
ଭୋଜନ କରଇ ଯେହୁ ଅନ୍ଧକାର ଘରେ ।୧୦୨।
ଯେଉଁ ନାରୀ ନିଜ ପତିଠାରେ ରୋଷ ବହେ ।
ସ୍ୱାମୀ ଯାହା ବୋଲେ ତାହା ନ କରେ କେବେହେଁ ।୧୦୩।
ପର ପୁରୁଷରେ ଯେହୁ ହୋଇଥାଏ ରତ ।
ପରିଷ୍କୃତ ନୋହି ହୁଏ ଯେ ନାରୀ କୁତ୍ସିତ ।୧୦୪।
ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି ।
କାଙ୍ଗାଳିନୀ ପରି ବାରଦ୍ୱାରେ ସେ ବୁଲନ୍ତି ।୧୦୫।
କଳହୀ ଅଳସୀ ଅତି ଅପ୍ରିୟା ସାହସୀ ।
ଦେବ ବିପ୍ର ଅତିଥିରେ ନୁହଁଇ ବିଶ୍ୱାସୀ ।୧୦୬।
ଏହିପରି ନାରୀ ଥିଲେ ସେ ଗୃହ ଶ୍ମଶାନ ।
ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତି ବର୍ଜନ ।୧୦୭।
ଯେଉଁ ନାରୀ ଭକ୍ତି ଚିତ୍ତେ ସ୍ୱାମୀକି ନ ସେବେ ।
ଜନ୍ମେ ଜନ୍ମେ ସ୍ୱାମୀ ଦୁଃଖେ ଦୁଃଖୀ ହୁଏ ଭବେ ।୧୦୮।
ଯେଉଁ ନାରୀ ସ୍ୱାମୀକୁ ଯେ ଦେବ ସମ ମଣି ।
ସେବାକରି ତୋଷୁଥାଏ ତାର ମତ ଚିହ୍ନି ।୧୦୯।
ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ ।
ସାନ ବଡ଼ ସମସ୍ତଙ୍କୁ ସମଭାବେ ଚାହେଁ ।୧୧୦।
ପରଷିବା ବେଳେ ପକ୍ଷପାତ ଯେ ନ କରେ ।
ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଣ୍ଟେ ସମାନରେ ।୧୧୧।
ପତିର ଆଜ୍ଞାକୁ କେବେ ନ ପକାଏ ତଳେ ।
ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ।୧୧୨।
ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି ।
ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ।୧୧୩।
ଏ ମର୍ତ୍ତ୍ୟ ମଣ୍ଡଳେ ସେହି ନାରୀ ସୁଖ ପାଏ ।
ପତି ପୁତ୍ର କନ୍ୟା ଅଇଶ୍ୱର୍ଯ୍ୟ ସୁଖ ପାଏ ।୧୦୪।
ଅନ୍ତକାଳେ ବଇକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ ।
ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ ।୧୦୫।
ସଧବା ନାରୀର ପତି ବିନା ନାହିଁଁ ଗତି ।
ତପ ଜପ ଦେବ ପୂଜା ତାହାର ଅନୀତି ।୧୦୬।
ପତି ସେବ ଛାଡ଼ି ବୃଥା ବ୍ରତ ଯେ କରଇ ।
ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ।୧୦୭।
ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ ।
ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି ।୧୦୮।
ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ।
ଆପଣାର କୁଳଧର୍ମ ନ ଛାଡ଼ନ୍ତି ଲେଶ ।୧୦୯।
ସଦାବେଳେ କରନ୍ତି ଉତ୍ତମ ଆଚରଣ ।
ଶ୍ରୀଲକ୍ଷ୍ମୀ ତାହାଙ୍କ ପାଦେ ମିଳନ୍ତି ତକ୍ଷଣ ।୧୧୦।
ପତି ସେବା ବିନା ନାହିଁଁ ନାରୀଙ୍କର ଗତି ।
ପତିପ୍ରାଣା ନାରୀ କରେ ଦେବଲୋକ ଗତି ।୧୧୧।
ନାରୀଙ୍କର ଲକ୍ଷ୍ମୀବ୍ରତ ପତିସେବା ବିନା ।
ଅନ୍ୟ ଦେବ ପୂଜାତୀର୍ଥ ଯାତ୍ରା ବିଡ଼ମ୍ବନା ।୧୧୨।
ପତି ସେବା ବରଜି ଯେ ମାତ ଗରବରେ ।
ଗୁରୁବାରେ ଲକ୍ଷ୍ମୀବ୍ରତ ସେହୁ ଯଦି କରେ ।୧୧୩।
ତାହାର ନୁହଇ ଭଲ ଜନମେ ଜନମେ ।
ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ ।୧୧୪।
ଏମନ୍ତ ତିଆରି ସାଧବାଣୀକି ବୋଇଲେ ।
ଆଜିଠାରୁ ଲକ୍ଷ୍ମୀବ୍ରତ କର ଯା ବୋଇଲେ ।୧୧୫।
ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ ।
ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ ।୧୧୬।
ଶୁଣ ହେ ନାରଦ ଠାକୁରାଣୀ ଏହା କହି ।
ସେଠାବରୁ କେତେଦୂର ପଥ ଗଲେ ବାହି ।୧୧୭।
ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ ।
କାହାରି ଦୁଆରେ ସେହି ଶୁଚି ନ ଦେଖିଲେ ।୧୧୮।
କେବଣ ଯୁବତୀ ନିଦେ ହୋଇ ଅଚେତନ ।
କାହର ଫିଟିଯାଇଛି ପିନ୍ଧିଲା ବସନ ।୧୧୯।
କାହାର ଶିରରେ କେଶ ମୁକୁଳିତ ହୋଇ ।
ଭୂମିପରେ ପଡ଼ିଅଛି କେରି କେରି ହୋଇ ।୧୨୦।
ଏହି ରୁପେ ମହାଲକ୍ଷ୍ମୀ ଦେଖିକରି ଗଲେ ।
ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ।୧୨୦
ଶ୍ରିୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର ।
ତାହାର ମହିମା ଦେବଙ୍କୁ ଯେ ଅଗୋଚର ।୧୨୧।
ପ୍ରତିଦିନ ଖରକଇ ଗୁଣ୍ଡିଚା ନଗର ।
ବିଷ୍ଣୁ ଭକତିରେ ସେ ଯେ ଅତି ତତପର ।୧୨୨।
ରାତ୍ର ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା ।
ଏକ ବର୍ଣ୍ଣି ଗାଈର ଯେ ଗୋବର ଆଣିଲା ।୧୨୩।
ଉତ୍ତମ କରିଣ ଘରଦ୍ୱାରକୁ ଲିପିଲା ।
ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା ।
ଷୋଳକୋଠି କରି ଦିବ୍ୟ ପଦ୍ମେକ କାଟିଲା ।୧୨୫।
ଦଶମୁଖୀ ଦୀପାବଳୀ ମଣ୍ଡଳେ ଥୋଇଲା ।
ଦଶବର୍ଣ୍ଣ ଫଳମୂଳ ମଣ୍ଡଳେ ବାଢ଼ିଲା ।୧୨୬।
ସୂତା ଦଶଖିଅ ନେଇ ମଣ୍ଡଳେ ଥୋଇଲା ।
ମନର ଚଞ୍ଚଳେ ପୁଣି ବେଗେ ଚଳିଗଲା ।୧୨୭।
ଅରୁଆ ଚାଉଳ ଆଉ ଦୁବ ଦଶକେରା ।
ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା ।୧୨୮।
ଧୂପଦୀପ ନଇବେଦ୍ୟ ଗନ୍ଧପୁଷ୍ପ ଦେଲା ।
ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା ।୧୨୯।
ନମସ୍ତେ ନମସ୍ତେ ମାଗୋ ହରିଙ୍କ ଘରଣୀ ।
ମୁହିଁଁ ଛାର ହୀନଜାତି ନ ଜାଣଇ ପୁଣି ।୧୩୦।
ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ ।
କିଞ୍ଚିତେ ଭକତି ମୋର ଘେନ କମଳିନୀ ।୧୩୧।
ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ ।
ସହି ନ ପାରିଲେ ଚଣ୍ଡାଳୁଣୀର ଦୟିନୀ ।୧୩୨।
ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା ।
ଦୁଇପାଦ ଦେଇ ମାତା ପଦ୍ମେ ହେଲେ ଉଭା ।୧୩୩।
ଚଣ୍ଡାଳୁଣୀ ଘରଗୋଟି ପାଇଲାକ ଶୋଭା ।
ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା ।୧୩୪।
ବୋଇଲେକ ଚଣ୍ଡାଳୁଣୀ ମାଗି ଘେନ ବର ।
ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର ।୧୩୫।
ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ ।
କି ବର ମାଗିବି ମାଗୋ ମାଗି ନ ଜାଣଇ ।୧୩୬।
ଗୋ-ଗୋଷ୍ଠକୁ ଦେବ ମୋର ଲକ୍ଷେ ପଦ୍ମ ଗାଈ ।
କୁବେର ସମାନ ଧନ ଦେବୁ ମାଗୋ ତୁହି ।୧୩୭।
କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି ।
ଚାରିଯୁଗେ ବସିବି ଅମର ବର ପାଇ ।୧୩୮।
Reader Reviews
No reviews yet. Be the first to write one!