ଶ୍ରୀମଦ୍ ଭଗବଦ୍ ଗୀତା ( ଦ୍ବିତୀୟ ଅଧ୍ୟାୟ)

ବ୍ୟାସଦେବ

ଅଥ ଦ୍ୱିତୀୟୋଽଧ୍ୟାୟଃ ।


        ସଞ୍ଜୟ ଉବାଚ ।

ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣାକୁଲେକ୍ଷଣମ୍ ।
ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ ॥୨-୧॥

          ତାତ୍ପର୍ଯ୍ୟ

ତଂ - ଅର୍ଜୁନଙ୍କ ପ୍ରତି ଲକ୍ଷ କରି, ତ‌ଥା - ସେହିପରି, କୃପୟା - କାତର, ଆବିଷ୍ଟମ୍ - ଅଭିଭୁତ, ଅଶ୍ରୁପୂର୍ଣ୍ଣ - ଲୋତକପୂର୍ଣ୍ଣ, ଆକୁଳେକ୍ଷଣମ୍ - ଦୃଷ୍ଟ ଅବରୋଧ, ବିଷିଦନ୍ତମ୍ - ବିଷାଦଗ୍ରସ୍ତ, ଇଦଂ - ଏହି, ବାକ୍ୟମୁବାଚ - ବାକ୍ୟ କ‌ହିଲେ, ମଧୁସୂଦନଃ - ଭଗବାନ ଶ୍ରୀକୃଷ୍ଣ

ସଞ୍ଜୟ କ‌ହିଲେ - କାପୁରୁଷତାରେ ଆଚ୍ଛନ୍ନ, ଖେଦ‌ଯୁକ୍ତ ଓ ଅଶ୍ରୁଭରା ଚକ୍ଷୁ‌ଯୋଗୁ ଦୃଷ୍ଟିହରା ଅର୍ଜୁନଙ୍କୁ ଭଗବାନ ମଧୁସୂଦନ ଏହି କଥା କ‌ହିଲେ ।

        ଶ୍ରୀଭଗବାନୁବାଚ ।

କୁତସ୍ତ୍ୱା କଶ୍ମଲମିଦଂ ବିଷମେ ସମୁପସ୍ଥିତମ୍ ।
ଅନାର୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତ୍ତିକରମର୍ଜୁନ ॥୨-୨॥

             ତାତ୍ପର୍ଯ୍ୟ
         ଶ୍ରୀ ଭଗବାନ କ‌ହିଲେ
କୁତସ୍ତ୍ୱା (କୁତଃ ତ୍ୱା) - କେଉଁଠାରୁ ତୁମକୁ, କଶ୍ମଳମିଦଂ (କଶ୍ମଳମ୍ ଇଦଂ) - ଏହି କାପୁରୁଷତା, ବିଷମେ - ବିଷମ ସମୟରେ,
ସମୁପସ୍ଥିତମ୍ - ପ୍ରାପ୍ତ ହେଲା, ଅନାର୍ଯ୍ୟଜୁଷ୍ଟମ - ଶ୍ରେଷ୍ଠ ପୁରୁଷଙ୍କଦ୍ୱାରା ଅଗ୍ରହଣୀୟ, ଅସ୍ୱର୍ଗ୍ୟମ୍ - ସ୍ୱର୍ଗ ଅଣପ୍ରଦାୟକ, ଅକୀର୍ତ୍ତିକରମ୍ - କିର୍ତ୍ତୀଦାୟକ ନୁହେଁ, ଅର୍ଜୁନ

ଶ୍ରୀ କୃଷ୍ଣ କ‌ହିଲେ - ହେ ଅର୍ଜୁନ, ଏହି ବିଷମ ସମୟରେ ଏଭଳି କାପୁରୁଷତା ତୁମକୁ କେଉଁଠାରୁ ପ୍ରାପ୍ତ ହେଲା ଯାହା ଶ୍ରେଷ୍ଠ ପୁରୁଷମାନଙ୍କର ସମ୍ପୁର୍ଣ୍ଣ ଅଗ୍ରହଣୀୟ । ଏହା ସ୍ୱର୍ଗ ଓ କୀର୍ତ୍ତି ଦାୟକ ମଧ୍ୟ ନୁହେଁ ।

କ୍ଲୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱୟ୍ୟୁପପଦ୍ୟତେ ।
କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତ୍ୱୋତ୍ତିଷ୍ଠ ପରନ୍ତପ ॥୨-୩॥

ତାତ୍ପର୍ଯ୍ୟ

କ୍ଳୈବ୍ୟଂ - ନପୁଂସକତା, ମା ସ୍ମ ଗମଃ - ପ୍ରାପ୍ତ ହୁଅ ନାହିଁ, ନ - ନୁହେଁ, ଏତ‌ତ୍ - ଏହା, ତ୍ୱୟି - ତୁମ ପକ୍ଷରେ, ଉପ‌ପଦ୍ୟତେ -ଉଚିତ ନୁହେଁ, କ୍ଷୁଦ୍ରଂ ହୃଦୟ‌ଦୌର୍ବଲଂ -ହୃଦୟର ଏହି ଦୌର୍ବଲ୍ୟ, ତ୍ୟକ୍ତ୍ୱା - ତ୍ୟାଗ କରି, ଉତ୍ତିଷ୍ଠ - ଠିଆ ହୁଏ, ପରନ୍ତପ - ଅରିନ୍ଦମ ବା ଶତ୍ରୁ ଦମନକାରୀ ।

ହେ ପାର୍ଥ ! ନପୁଂସକତା ପ୍ରାପ୍ତ ହୁଅ ନାହିଁ; କାରଣ ତୁମ ପକ୍ଷରେ ଏହା ଉଚିତ ନୁହେଁ । ହେ ପରନ୍ତପ ! ହୃଦୟର ଏହି ଦୁର୍ବଳତା ତ୍ୟାଗ କରି ଯୁଦ୍ଧ ପାଇଁ ଠିଆ ହୁଅ ।
 
        ଅର୍ଜୁନ ଉବାଚ ।

କଥଂ ଭୀଷ୍ମମହଂ ସଙ୍ଖ୍ୟେ ଦ୍ରୋଣଂ ଚ ମଧୁସୂଦନ ।
ଇଷୁଭିଃ ପ୍ରତିୟୋତ୍ସ୍ୟାମି ପୂଜାର୍ହାବରିସୂଦନ ॥୨-୪॥

ତାତ୍ପର୍ଯ୍ୟ

ଅର୍ଜୁନ କ‌ହିଲେ -

କଥଂ - କିପରି, ଭୀଷ୍ମମହଂରେ ଦୁଇଟି ଶବ୍ଦ ଅଛି- ଭୀଷ୍ମଂ ଓ ଅହଂ ଯାହାର ଅର୍ଥ ଭୀଷ୍ମ ଓ ମୁଁ, ସଙ୍ଖ୍ୟେ - ରଣଭୂମିରେ,
ଚ - ଓ, ଇଷୁଭିଃ - ଶର ସାହାଯ୍ୟରେ, ପ୍ରତି - ସ‌ହିତ, ଯ୍ୟୋତ୍ସାମି - ଯୁଦ୍ଧ କରିବି, ପୂଜାର୍ହ - ପୁଜନୀୟ, ଅରିସୂଦନ -

ହେ ମଧୁସୂଦନ, ମୁଁ କାପୁରୁଷତା ହେତୁ ଯୁଦ୍ଧ ବିମୁଖ ହେଉନି, ଧର୍ମ ଦୃଷ୍ଟିରୁ ବିମୁଖ ହେଉଛି । ଆପଣ ଅନେକ ଅସୁରଙ୍କୁ ନିପାତ କରିଛନ୍ତି ଯେଉଁମାନେ ମାନବ ଜାତି ପ୍ରତି ଭୟଙ୍କର ଥିଲେ । କିନ୍ତୁ ଯେଉଁମାନେ ମୋର ଗୁରୁଜନ ଓ ମୋତେ ସ୍ନେହ କରନ୍ତି, ତାଙ୍କ ବିରୁଦ୍ଧରେ ଯୁଦ୍ଧ କେମିତି କରିବି ? ସେଥିପାଇଁ ମୋର ଆତ୍ମା ଡାକୁନାହିଁ ।

ଗୁରୂନହତ୍ୱା ହି ମହାନୁଭାବାନ୍
        ଶ୍ରେୟୋ ଭୋକ୍ତୁଂ ଭୈକ୍ଷ୍ୟମପୀହ ଲୋକେ ।
ହତ୍ୱାର୍ଥକାମାଂସ୍ତୁ ଗୁରୂନିହୈବ
        ଭୁଞ୍ଜୀୟ ଭୋଗାନ୍ ରୁଧିରପ୍ରଦିଗ୍ଧାନ୍ ॥୨-୫॥

ତାତ୍ପର୍ଯ୍ୟ

ଗୁରୂନ୍=ଗୁରୁମାନଙ୍କୁ, ଅହତ୍ୱା=ହତ୍ୟା ନ‌କରି, ହି=କାରଣ, ମହାନୁଭବାନ୍=ମହାନୁଭାବ, ଶ୍ରେୟୋ=ଶ୍ରେଷ୍ଠ, ଭୋକ୍ତୁଂ=ଭକ୍ଷଣ, ଭୈକ୍ଷ୍ୟମ୍=ଭିକ୍ଷାନ୍ନ, ଅପି=ମଧ୍ୟ, ଇହ=ଏଠାରେ, ଲୋକେ=ଇହଲୋକରେ, ହତ୍ୱା=ମାରି, ଅର୍ଥକାମାନ୍=ଧନ କାମନା, ତୁ=ତ, ହି=କାରଣ, ଏବ=କେବଳ, ଭୁଞ୍ଜୀୟ=ଉପଭୋଗ, ଭୋଗାନ୍=ଭୋଗ, ରୁଧିରପ୍ରଦିଗ୍ଧାନ୍=ରକ୍ତରଞ୍ଜିତ

ମହାନୁଭବ ଗୁରୁମାନଙ୍କୁ ହତ୍ୟା ନ କରି ଏହି ଇହଲୋକରେ ମୁଁ ଭିକ୍ଷାନ୍ନ ଖାଇବାକୁ ଶ୍ରେୟସ୍କର ମନେକରୁଛି । ଗୁରୁଜନମାନଙ୍କୁ ହତ୍ୟା କଲେ କେବଳ ରକ୍ତରଞ୍ଜିତ ଧନ‌କାମନା ହିଁ ତ ଉପଭୋଗ କରିବି ।

ନ ଚୈତଦ୍ୱିଦ୍ମଃ କତରନ୍ନୋ ଗରୀୟୋ
        ୟଦ୍ୱା ଜୟେମ ୟଦି ବା ନୋ ଜୟେୟୁଃ ।
ୟାନେବ ହତ୍ୱା ନ ଜିଜୀବିଷାମସ୍-
        ତେଽବସ୍ଥିତାଃ ପ୍ରମୁଖେ ଧାର୍ତ୍ତରାଷ୍ଟ୍ରାଃ ॥୨-୬॥

ତାତ୍ପର୍ଯ୍ୟ

ନ=ନାହିଁ, ଚ=ବି, ଏତଦ୍=ଏ କଥା, ବିଦ୍ମଃ=ଜାଣି ନାହୁଁ, କତରତ୍=ଦୁଇଟି ମଧ୍ୟରୁ କେଉଁଟି, ନଃ=ଆମ୍ଭମାନଙ୍କ ପାଇଁ (ଯୁଦ୍ଧ କରିବା ଓ ନ କରିବା)‌, ଗରୀୟଃ=ଅତ୍ୟନ୍ତ ଶ୍ରେଷ୍ଠ, ଯତ୍=ଯଦି, ବା=ଅଥବା, ଜୟେମ୍=ଯିତିବୁ, ବା=ନା , ନଃ-ଆମକୁ, ଜୟେୟୁଃ=ଜିତିବେ, ଯାନ୍=ଯେଉଁମାନଙ୍କୁ, ହତ୍ୱା=ହତ୍ୟା କରି, ନ, ଜିଜୀବିଷାମଃ=ବଞ୍ଚିବା ପାଇଁ ମଧ୍ୟ ଚାହୁଁ ନାହୁଁ, ତେ=ସେହି, ଧାର୍ତ୍ତରାଷ୍ଟ୍ରଃ=ଧୃତରାଷ୍ଟ୍ରଙ୍କ ସ୍ୱଜନମାନେ, ଏବ=ହିଁ, ପ୍ରମୁଖ୍ୟ=(ଆମ) ସମ୍ମୁଖରେ, ଅବସ୍ଥିତାଃ=ଠିଆ ହୋଇଛନ୍ତି

ଆମକୁ ଏହା ବି ଜଣା ନାହିଁ ଯେ, ଆମ ପାଇଁ ଯୁଦ୍ଧ କରିବା ଓ ନ କରିବା- ଏ ଦୁଇଟି ମଧ୍ୟରୁ କେଉଁଟି ଅତ୍ୟନ୍ତ ଶ୍ରେଷ୍ଠ ଏବଂ ଆମେ ସେମାନଙ୍କୁ ଜିତିବୁ ବା ସେମାନେ ଆମକୁ ଜିତିବେ । ଯେଉଁମାନଙ୍କୁ ମାରି ଆମେ ବଞ୍ଚିବା ପାଇଁ ମଧ୍ୟ ଚାହୁଁ ନାହୁଁ, ସେହି ଧୃତରାଷ୍ଟ୍ରଙ୍କ ସ୍ୱଜନମାନେ ଆମ ସମ୍ମଖରେ ଠିଆ ହୋଇଛନ୍ତି ।

କାର୍ପଣ୍ୟଦୋଷୋପହତସ୍ୱଭାବଃ
        ପୃଚ୍ଛାମି ତ୍ୱାଂ ଧର୍ମସମ୍ମୂଢଚେତାଃ ।
ୟଚ୍ଛ୍ରେୟଃ ସ୍ୟାନ୍ନିଶ୍ଚିତଂ ବ୍ରୂହି ତନ୍ମେ
        ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ ॥୨-୭॥

ତାତ୍ପର୍ଯ୍ୟ

କାର୍ପଣ୍ୟଦୋଷୋପହତସ୍ୱଭାବଃ=ଭୀରୁତା ରୂପକ ଦୋଷଦ୍ୱାରା ସ୍ୱଭାବ ତିରସ୍କୃତ ହୋଇଥିବାରୁ, ପୃଚ୍ଛାମି=ପଚାରୁଛି, ତ୍ୱାଂ=ଆପଣଙ୍କୁ, ଧର୍ମସମ୍ମୂଢଚେତାଃ=ଧର୍ମ ବିଷୟରେ ଚେତନା ମୂଢ଼ ହୋଇଥିବାରୁ, ପୃଚ୍ଛାମି=ପଚାରୁଛି, ଯତ୍=ଯାହା, ଶ୍ରେୟଃ, ସ୍ୟାତ୍=କଲ୍ୟାଣକାରକ, ନିଶ୍ଚିତଂ=ନିଶ୍ଚିତ, ବ୍ରୁହି=କୁହନ୍ତୁ, ତ‌ତ୍ ମେ=ତାହା ମୋତେ, ଶିଷ୍ୟଃ=ଶିଷ୍ୟ, ତେ=ଆପଣଙ୍କର, ଅହଂ=ମୁଁ,
ଶାଧି=ଶିକ୍ଷା ଦିଅନ୍ତୁ, ତ୍ୱାଂ=ଆପଣଙ୍କଠାରେ, ପ୍ରପନ୍ନମ୍=ଶରଣ ଯାଇଥିବାରୁ

କାପୁରୁଷତ୍ୱ ଦୋଷଦ୍ୱାରା ମୋ ସ୍ୱଭାବ ତିରସ୍କୃତ ହୋଇଥିବାରୁ ଧର୍ମ ବିଷୟରେ ମୋର ଅନ୍ତର ମୋହିତ ହୋଇଥିବାରୁ ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି, ଯାହା ନିଶ୍ଚିତ କଲ୍ୟାଣପ୍ରଦ, ତାହା ମୋତେ କୁହନ୍ତୁ । ମୁଁ ଅପଣଙ୍କର ଶିଷ୍ୟ, ଆପଣଙ୍କର ଶରଣାଗତ ଥିବାରୁ ମୋତେ ଶିକ୍ଷା ଦିଅନ୍ତୁ ।

ନ ହି ପ୍ରପଶ୍ୟାମି ମମାପନୁଦ୍ୟାଦ୍
        ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ ।
ଅବାପ୍ୟ ଭୂମାବସପତ୍ନମୃଦ୍ଧଂ
        ରାଜ୍ୟଂ ସୁରାଣାମପି ଚାଧିପତ୍ୟମ୍ ॥୨-୮॥

ତାତ୍ପର୍ଯ୍ୟ

ନ=ନାହିଁ, ହି=କାରଣ, ପ୍ରପଶ୍ୟାମି=ଦେଖି ପାରୁନାହିଁ, ମମ ଅପନୁଦ୍ୟାତ୍=ମୋର ଦୂର ହୋଇଯିବ, ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ (ଯତ୍+ଶୋକମ୍+ଉଚ୍ଛୋଷଣମ୍+ଇନ୍ଦ୍ରିୟାଣାମ୍) ଯତ୍=ଯେଉଁ, ଶୋକମ୍=ଶୋକ, ଉଚ୍ଛୋଷଣମ୍=ଶୁଷ୍କ କରାଉଥିବା, ଇନ୍ଦ୍ରିୟାଣାମ୍=ଇନ୍ଦ୍ରିୟମାନଙ୍କୁ, ଅବାପ୍ୟ=ମିଳିଗଲେ, ଭୁମୌ=ପୃଥିବୀରେ, ଅସପତ୍ନମ୍=ଶତୃବିହୀନ, ଊଦ୍ଧମଂ=ଧନ ସମୃଦ୍ଧ, ରାଜ୍ୟଂ=ରାଜ୍ୟ, ସୁରାଣାମ୍=ଦେବଗଣଙ୍କ, ଚ=ତ‌ଥା ଆଧିପତ୍ୟମ୍=ଆଧିପତ୍ୟ

କାରଣ, ପୃଥିବୀରେ ଧନ‌ଧାନ୍ୟପୂର୍ଣ୍ଣ ଶତୃବିହୀନ ରାଜ୍ୟ ଓ ସ୍ୱର୍ଗରେ ଆଧିପତ୍ୟ ମିଳିଗଲେ ମଧ୍ୟ ଇନ୍ଦ୍ରିୟମାନଙ୍କୁ ଶୁଷ୍କ କରାଉଥିବା ମୋର ଏହି ଦୁଃଖ ଯେ ଦୂର ହୋଇଯିବ, ଏହା ମୁଁ ଦେଖିପାରୁନି ।

        ସଞ୍ଜୟ ଉବାଚ ।

ଏବମୁକ୍ତ୍ୱା ହୃଷୀକେଶଂ ଗୁଡାକେଶଃ ପରନ୍ତପ ।
ନ ଯୋତ୍ସ୍ୟ ଇତି ଗୋବିନ୍ଦମୁକ୍ତ୍ୱା ତୂଷ୍ଣୀଂ ବଭୂବ ହ ॥୨-୯॥

ତାତ୍ପର୍ଯ୍ୟ

ସଞ୍ଜୟ କ‌ହିଲେ

ଏବଂ=ଏହିପରି, ଉକ୍ତ୍ୱା=କ‌ହିସାର, ହୃଷୀକେଷଂ=ନାରାୟଣଙ୍କର ଏକ ନାମ, ଗୁଡାକେଶଃ=ନିଦ୍ରାଜୟୀ ଅର୍ଜୁନ, ପରନ୍ତପ=ହେ ଶତୃତାପନ ଧୃତରାଷ୍ଟ୍ର, ନ=ନାହିଁ, ଯୋତ୍ସ୍ୟ=ଯୁଦ୍ଧ କରିବି ନାହିଁ, ଇତି=ବୋଲି, ଗୋବିନ୍ଦଂ=ଶ୍ରୀ କୃଷ୍ଣଙ୍କୁ, ଉକ୍ତ୍ୱା=କ‌ହିସାରି, ରୂଷ୍ଣୀଂ=ଚୁପ୍, ବ‌ଭୂବ=ହୋଇଗଲେ, ହ=ସ୍ପଷ୍ଟ ରୂପେ

ସଞ୍ଜୟ କ‌ହିଲେ, "ହେ ଶତ୍ରୁ ତାପନ ଧୃତରାଷ୍ଟ୍ର! ଏପରି କ‌ହିସାରି ନିଦ୍ରାଜୟୀ ଅର୍ଜୁନ ଅନ୍ତର୍ଯ୍ୟାମୀ ଶ୍ରୀ କୃଷ୍ଣଙ୍କୁ ’ମୁଁ ଯୁଦ୍ଧ କରିବି ନାହିଁ’ ବୋଲି ସ୍ପଷ୍ଟ ରୂପେ କ‌ହି ଚୁପ ହୋଇଗଲେ ।"

ତମୁବାଚ ହୃଷୀକେଶଃ ପ୍ରହସନ୍ନିବ ଭାରତ ।
ସେନୟୋରୁଭୟୋର୍ମଧ୍ୟେ ବିଷୀଦନ୍ତମିଦଂ ବଚଃ ॥୨-୧୦॥

ତାତ୍ପର୍ଯ୍ୟ

ତମ୍ ଉବାଚ=ତାଙ୍କୁ କ‌ହିଲେ, ହୃଷିକେଶଃ=ଶ୍ରୀ କୃଷ୍ଣ, ପ୍ରହସନ ଇବ=ହସିଲା ପରି କ‌ହିଲେ, ଭାରତ=ହେ ଭରତବଂଶୋଦ୍ଭବ ଧୃତରାଷ୍ଟ୍ର!, ସେନୟୋଃ=ସେନାଙ୍କ, ଉଭୟୋ ମଧ୍ୟେ=ଉଭୟଙ୍କ ମଧ୍ୟରେ, ବିଷୀଦନ୍ତଂ= ବିଷାଦଗ୍ରସ୍ତ, ଇଦଂ=ଏହି, ବଚଃ=ବଚନ

ହେ ଭରତବଂଶୋଦ୍ଭବ ଧୃତରାଷ୍ଟ୍ର! ଉଭୟ ସେନାଙ୍କ ମଧ୍ୟ ମଧ୍ୟଭାଗରେ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ସ‌ହାସ୍ୟ ବଦନରେ ହୃଷିକେଶ ଏହି ବଚନ କ‌ହିଲେ ।

        ଶ୍ରୀଭଗବାନୁବାଚ ।

ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ।
ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ ॥୨-୧୧॥

ତାତ୍ପର୍ଯ୍ୟ

ଅଶୋଚ୍ୟାନ=ଶୋକର ଅନୁପ‌ଯୁକ୍ତ, ଅନ୍ୱଶୋଚଃ=(ତାହା ପାଇଁ) ଶୋକ କରୁଛ, ତ୍ୱମଂ=ତୁମେ, ପ୍ରଜ୍ଞାବାଦାନ=ପଣ୍ଡିତଙ୍କ ଭଳି କଥା, ଚ=ଏବଂ, ଭାଷସେ=କ‌ହୁଛ, ଗତାସୁନ୍=ମୃତଙ୍କ ପାଇଁ, ଅଗତାସୁନ୍=ଜୀବିତଙ୍କ ପାଇଁ, ଚ=ଓ, ନ ଅନୁଶୋଚନ୍ତି=ଶୋକ କରନ୍ତି ନାହିଁ, ପଣ୍ଡିତାଃ=ପଣ୍ଡିତମାନେ

ଶ୍ରୀ ଭଗବାନ କ‌ହିଲେ - ଯାହା ପାଇଁ ଶୋକ କରିବା ଅନୁଚିତ, ତୁମେ ତାହା ପାଇଁ ଶୋକ କରୁଛ ଏବଂ ପଣ୍ଡିତଙ୍କ ଭଳି କଥା କ‌ହୁଛ । କିନ୍ତୁ ପଣ୍ଡିତମାନେ ମୃତ ବା ଜୀବିତ ଲୋକଙ୍କ ପାଇଁ ଶୋକ କରନ୍ତି ନାହିଁ ।

ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧିପାଃ ।
ନ ଚୈବ ନ ଭବିଷ୍ୟାମଃ ସର୍ୱେ ବୟମତଃ ପରମ୍ ॥୨-୧୨॥

ତାତ୍ପର୍ଯ୍ୟ

ନ ତ୍ୱେବାହଂ - ନ ତୁ ଏବ=ଏ କଥା ବି ନୁହେଁ, ଅହଂ = ମୁଁ; ଜାତୁ=କୌଣସି କାଳରେ ଯେ, ନାସଂ, ନ ଆସଂ = ନଥିଲି, ନ=ନଥିଲ, ତ୍ୱଂ= ତୁମେ,
ନେମେ- ନ ଇମେ= ନଥିଲେ ଏହି, ଜନାଧିପାଃ=ରାଜାମାନେ, ନ ଚୈବ- ନ ଚ ଏବ=ଏ କଥା ବି ନୁହେଁ ଯେ, ନ ଭବିଷ୍ୟାମଃ=ରହିବା ନାହିଁ, ସର୍ବେ=ସମସ୍ତେ, ବୟମତଃ- ବୟଂ ଅତଃ= ଆମେମାନେ, ପରମ୍=ଏହାପରେ

କୌଣସି କାଳରେ ମୁଁ ନଥିଲି, ତୁମେ ନଥିଲ ତ‌ଥା ଏହି ରାଜାମାନେ ଯେ ନ ଥିଲେ, ଏ କଥା ନୁହେଁ; ଏବଂ ଏହା ପରେ ଯେ ଆମେ ସମସ୍ତେ ରହିବା ନାହିଁ, ଏକଥା ବି ନୁହେଁ ।

ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ।
ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି ॥୨-୧୩॥

ତାତ୍ପର୍ଯ୍ୟ

ଦେହିନୋଽସ୍ମିନ୍= ଦେହିନଃ ଅସ୍ମିନ୍=ଦେହଧାରୀର ଏହି, ଯଥା=ଯେପରି, ଦେହେ=ଶରୀରରେ, କୌମାରଂ=ବାଲ୍ୟକାଳ, ଯୌବନଂ=ଯୁବାବସ୍ଥା, ଜରା=ବୃଦ୍ଧାବସ୍ଥା; ତ‌ଥା=ସେହିପରି, ଦେହାନ୍ତରପ୍ରାପ୍ତିଃ=ଅନ୍ୟ ଶରୀର ପ୍ରାପ୍ତି ହୁଏ, ଧୀରଃ ତ‌ତ୍ର= ସେଥିରେ ଧୀର ମାନବ, ନ ମୁହ୍ୟତି=ମୋହିତ ହୁଏ ନାହିଁ ।

ଦେହଧାରୀର ଏହି ମାନବ ଶରୀରରେ ଯେପରି ବାଲ୍ୟାବସ୍ଥା, ଯୁବାବସ୍ଥା ଓ ବୃଦ୍ଧାବସ୍ଥା ଆସେ, ଅନ୍ୟ ଶରୀରର ପ୍ରାପ୍ତି ସେହିପରି ହୁଏ । ଏହି ପରିସ୍ଥିତିରେ ଧୀର ମାନବ ମୋହିତ ବା ବିଚଳିତ ହୁଏ ନାହିଁ ।

ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।
ଆଗମାପାୟିନୋଽନିତ୍ୟାସ୍ତାଂସ୍ତିତିକ୍ଷସ୍ୱ ଭାରତ ॥୨-୧୪॥

ତାତ୍ପର୍ଯ୍ୟ

ମତ୍ରାସ୍ପର୍ଶାଃ=ଇନ୍ଦ୍ରିୟମାନଙ୍କର ବିଷୟ, ତୁ=ତ, କୌନ୍ତେୟ=କୁନ୍ତୀ ନନ୍ଦନ, ଶୀତୋଷ୍ଣସୁଖଦୁଃଖଦାଃ=ଶୀତ ଓ ଉଷ୍ଣଦ୍ୱାରା ସୁଖଦୁଃଖ ପ୍ରଦାନକାରୀ, ଆଗମାପାୟିନଃ=ଆଗମନ-ପ୍ରତ୍ୟାଗମନଶୀଳ, ଅନିତ୍ୟାଃ=ଅନିତ୍ୟ, ତାନ୍=ସେ ସବୁକୁ ତିତକ୍ଷସ୍ୱ=ସ‌ହ୍ୟ କର, ଭାରତ=ଭରତ ବଂଶୋଦ୍ଭବ ଅର୍ଜୁନ

ହେ କୁନ୍ତୀନନ୍ଦନ! ଜଡ଼ ପଦାର୍ଥ, ଉଷ୍ଣ ଓ ଶୀତଦ୍ୱାରା ଇନ୍ଦ୍ରିୟମାନଙ୍କର ସୁଖ ଦୁଃଖ ଅନୁଭବ ହୁଏ । ସେ ସବୁର ଯିବା ଆସିବା ଲାଗିରହିଥାଏ ଓ ସେ ସବୁ ଅନିତ୍ୟ ମଧ୍ୟ । ହେ ଭରତ ବଂଶୋଦ୍ଭବ ଅର୍ଜୁନ, ତୁମେ ସେ ସବୁକୁ ସ‌ହ୍ୟ କର ।

ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ।
ସମଦୁଃଖସୁଖଂ ଧୀରଂ ସୋଽମୃତତ୍ତ୍ୱାୟ କଳ୍ପତେ ॥୨-୧୫॥

ତାତ୍ପର୍ଯ୍ୟ


ଯଂ=ଯେଉଁ, ହି=କାରଣ, ନ ବ୍ୟଥୟନ୍ତି= ବ୍ୟଥିତ କରିପାରନ୍ତି ନାହିଁ, ଏତେ=ଏହି ମାତ୍ରାସ୍ପର୍ଶ, ପୁରୁଷଂ=ମନୁଷ୍ୟକୁ, ପୁରୁଷର୍ଷଭ=ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ, ସମଦୁଃଖସୁଖଂ=ସୁଖ-ଦୁଃଖରେ ସମ‌ଭାବାପନ୍ନ, ଧୀରଂ=ବୁଦ୍ଧିମାନ, ସଃ=ସେ, ଅମୃତ‌ତ୍ୱାୟ=ଅମର ହେବା ପାଇଁ, କଳ୍ପତେ= ସମର୍ଥ ହୋଇଯାଏ ।

କାରଣ ହେ ପୁରୁଷ ଶ୍ରେଷ୍ଠ ଅର୍ଜୁନ! ସୁଖ ଦୁଃଖରେ ସମ‌ଭାବାପନ୍ନ ଯେଉଁ ବୁଦ୍ଧିମାନ ମନୁଷ୍ୟକୁ ଏହି ମାତ୍ରାସ୍ପର୍ଶ (ପଦାର୍ଥ) ବ୍ୟଥିତ କରିପାରନ୍ତି ନାହିଁ, ସେ ଅମର ହେବା ପାଇଁ ସମର୍ଥ ହୋଇଯାଏ ।

ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ।
ଉଭୟୋରପି ଦୃଷ୍ଟୋଽନ୍ତସ୍ତ୍ୱନୟୋସ୍ତତ୍ତ୍ୱଦର୍ଶିଭିଃ ॥୨-୧୬॥

ତାତ୍ପର୍ଯ୍ୟ

ନ=ନାହିଁ, ଅସତଃ=ଅସତର, ବିଦ୍ୟତେ=ବିଦ୍ୟମାନ ନାହିଁ, ଭାବଃ=ଭାବ, ନ=ନାହିଁ, ଅଭାହଃ=ଅଭାବ। ବିଦ୍ୟତେ=ବିଦ୍ୟମାନ ନାହିଁ, ସତଃ=ସତ୍‌ର; ଉଭୟୋଃ=ଦୁଇଟିର, ଅପି=ହିଁ, ଦୃଷ୍ଟଃ=ଦେଖିଛନ୍ତି, ଅନ୍ତଃ=ତ‌ତ୍ତ୍ୱ, ଅନୟୋଃ=ଏ, ତ‌ତ୍ତ୍ୱଦର୍ଶିଭିଃ=ତ‌ତ୍ତ୍ୱଦର୍ଶୀ ମହାପୁରୁଷଗଣ,

ଅସତ୍‌ର ଭାବ (ସତ୍ତା) ବିଦ୍ୟମାନ ନାହିଁ ଓ ସତ୍‌ର ଅଭାବ ବିଦ୍ୟମାନ ନାହିଁ । ତ‌ତ୍ତ୍ୱଦର୍ଶୀ ମହାପୁରୁଷଗଣ ଏ ଦୁଇଟିର ତ‌ତ୍ତ୍ୱ ଦେଖିଛନ୍ତି ବା ଅନୁଭନ କରିଛନ୍ତି ।

ଅବିନାଶି ତୁ ତଦ୍ ବିଦ୍ଧି ୟେନ ସର୍ୱମିଦଂ ତତମ୍ ।
ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ୍କର୍ତୁମର୍ହତି ॥୨-୧୭॥

ତାତ୍ପର୍ଯ୍ୟ

ଅବିନାଶୀ=ଯିଏ ନଷ୍ଟ ହୁଏନି, ତୁ=ତ, ତ‌ତ୍=ତାହାକୁ, ବିଦ୍ଧି=ଜାଣ, ଯେନ=ଯାହାଦ୍ୱାରା, ସର୍ବମ=ସାରା (ସଂସାର) ଇଦମ୍=ଏହି, ତ‌ତମ୍=ବ୍ୟାପ୍ତ, ବିନାଶମ୍=ବିନାଶ, ଅବ୍ୟୟସ୍ୟ=ଅବିନାଶୀର, ଅସ୍ୟ=ଏହି, ନ=ନାହିଁ, କଶ୍ଚିତ୍=କେହି ହେଲେ, କର୍ତ୍ତୁମ୍ ଅର୍ହତି=କରି ପାରନ୍ତି ନାହିଁ ।

ଯାହାଦ୍ୱାରା ଏ ସାରା ସଂସାର ବ୍ୟାପ୍ତ, ତାହାକୁ ତୁମେ ଅବିନାଶୀ ବୋଲି ଜାଣ । କେହିହେଲେ ଏହି ଅବିନାଶୀର ବିନାଶ କରି ପାରନ୍ତି ନାହିଁ ।

ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।
ଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ୟୁଧ୍ୟସ୍ୱ ଭାରତ ॥୨-୧୮॥

ତାତ୍ପର୍ଯ୍ୟ

ଅନ୍ତବନ୍ତ=ନଶ୍ୱର, ଇମେ=ଏ, ଦେହା=ଦେହଗୁଡ଼ିକୁ, ନିତ୍ୟସ୍ୟ=ନିତ୍ୟସ୍ଥିତ, ଉକ୍ତାଃ=କୁହାଯାଇଛି, ଶରୀରିଣଃ=ଶରୀରର; ଅନାଶିନଃ=ଅବିନାଶୀ, ଅପ୍ରମେୟସ୍ୟ=ଅପ୍ରମେୟ, ତସ୍ମାତ୍=ତେଣୁ, ଯୁଧ୍ୟସ୍ୱ=ଯୁଦ୍ଦ କର, ଭାରତ=ଅର୍ଜୁନ

ଅବିନାଶୀ, ଅପ୍ରମେୟ ଓ ନିତ୍ୟସ୍ଥିତ ଏହି ଶରୀରୀର ଦେହଗୁଡ଼ିକୁ ନଶ୍ୱର କୁହାଯାଇଛି । ତେଣୁ ହେ ଅର୍ଜୁନ! ତୁମେ ଯୁଦ୍ଧ କର ।

ଯ ଏନଂ ବେତ୍ତି ହନ୍ତାରଂ ୟଶ୍ଚୈନଂ ମନ୍ୟତେ ହତମ୍ ।
ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ ॥୨-୧୯॥

ତାତ୍ପର୍ଯ୍ୟ

ଯଃ=ଯେଉଁ ମନୁଷ୍ୟ, ଏନଂ=ଏହାକୁ, ବେତ୍ତି=ମନେକରେ, ହନ୍ତାରଂ=ହତ୍ୟାକାରୀ, ଚ=ଏବଂ, ଏନମ୍=ଏହାକୁ, ମନ୍ୟତେ=ମନେକରେ, ହତମ୍=ମରଣଶୀଳ, ତୌ ଉଭ‌ୟୌ=ସେ ଦୁହେଁ, ନ ବିଜାନିତଃ=ଜାଣନ୍ତି ନାହିଁ, ଅୟମ=ଏ, ନ ହନ୍ତି=ମାରେ ନାହିଁ, ନ ହନ୍ୟତେ=ମରେ ନାହିଁ ।

ଯେଉଁ ମନୁଷ୍ୟ ଏହି ଅବିନାଶୀ ଶରୀରୀକୁ ହତ୍ୟାକାରୀ ମନେକରେ ଏବଂ ଯିଏ ଏହାକୁ ମରଣଶୀଳ ମନେକରେ, ସେ ଦୁହେଁ ଏହାକୁ ଜାଣନ୍ତି ନାହିଁ; କାରଣ ଏ ମାରେ ନାହିଁ କି ମରେ ନାହିଁ ।

ନ ଜାୟତେ ମ୍ରିୟତେ ବା କଦାଚିନ୍
        ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ।
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ
        ନ ହନ୍ୟତେ ହନ୍ୟମାନେ ଶରୀରେ ॥୨-୨୦॥

ତାତ୍ପର୍ଯ୍ୟ

ନ ଜାୟତେ=ଜନ୍ମ ହୁଏ ନାହିଁ, ମ୍ରିୟତେ ମରେ, ବା=ତ‌ଥା, କଦାଚିତ୍=କେବେ, ନ=ନାହିଁ, ଅୟଂ=ଏହି ଶରୀରୀ, ଭୂତ୍ୱା=ଉତ୍ପନ୍ନ ହୋଇ, ବା=ତ‌ଥା, ଭବିତା ନ=ହୁଏ ନାହିଁ, ଭୂୟଃ=ପୁନର୍ବାର; ଅଜୋ=ଜନ୍ମ ରହିତ, ନିତ୍ୟଃ=ନିତ୍ୟ, ଶାଶ୍ୱତଃ=ଶାଶ୍ୱତ, ଅୟଂ=ଏହା, ପୁରାଣୋ=ପୁରାଣ (ଅନାଦି), ନ ହନ୍ୟତେ=ମରେ ନାହିଁ, ହନ୍ୟମାନେ=ମାରିଦେଲେ ମଧ୍ୟ, ଶରୀରେ=ଶରୀରକୁ ।

ଏହି ଶରୀର କେବେ ଜନ୍ମ ହୁଏ ନାହିଁ କି ମରେ ନାହିଁ ତ‌ଥା ଏହା ଉତ୍ପନ୍ନ ହୋଇ ପୁନର୍ବାର ହୁଏ ନାହିଁ; ଏହା ଜନ୍ମ ରହିତ, ନିତ୍ୟ, ଶାଶ୍ୱତ ଓ ପୁରାଣ (ଅନାଦି) ଅଟେ । ଶରୀରକୁ ମାରିଦେଲେ ମଧ୍ୟ ଏ ମରେ ନାହିଁ ।

ବେଦାବିନାଶିନଂ ନିତ୍ୟଂ ୟ ଏନମଜମବ୍ୟୟମ୍ ।
କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତି କମ୍ ॥୨-୨୧॥

ତାତ୍ପର୍ଯ୍ୟ

ବେଦାବିନାଶିନଂ-ବେଦ+ଅବିନାଶିନଂ- ବେଦ=ଜାଣେ, ଅବିନାଶିନଂ=ଅବିନାଶୀ, ନିତ୍ୟଂ=ନିତ୍ୟ, ଏନମଜମ‌ବ୍ୟୟମ୍=ଏନମ୍+ଅଜମ୍+ଅବ୍ୟୟମ୍- ଏନମ୍=ଏହି ଶରୀରକୁ, ଅଜମ୍=ଜନ୍ମରହିତ, ଅବ୍ୟୟମ=ଅବ୍ୟୟ; କଥଂ=କିପରି, ସେ=ସେ, ପୁରୁଷଃ=ମନୁଷ୍ୟ, ପାର୍ଥ=ଅର୍ଜୁନ, କଂ=କାହାକୁ, ଘାତୟତି=ମରାଇବ, ହନ୍ତି=ମାରିବ, କମ୍=(କିପରି) କାହାକୁ ।

ହେ ଅର୍ଜୁନ! ଯେଉଁ ମନୁଷ୍ୟ ଏହି ଶରୀରକୁ ଅବିନାଶୀ, ନିତ୍ୟ, ଜନ୍ମରହିତ ଓ ଅବ୍ୟୟ ବୋଲି ଜାଣେ, ସେ କିପରି କାହାକୁ ମାରିବ ଓ କିପରି କାହାକୁ ମରାଇବ?

ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍‌ଣାତି ନରୋଽପରାଣି ।
ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାନି ସଂଯାତି ନବାନି ଦେହୀ ॥୨-୨୨॥

ତାତ୍ପର୍ଯ୍ୟ

ବାଂସାସି=ବସ୍ତ୍ରଗୁଡ଼ିକୁ, ଜୀର୍ଣ୍ଣାନି=ନଷ୍ଟ ହୋଇଥିବା, ଯଥା=ଯେପରି, ବିହାୟ=ପରିତ୍ୟାଗ କରି, ନବାନି=ନୂତନ, ଗୃହ୍‌ଣାତି=ପରିଧାନ କରେ, ନରୋଽପରାଣି- ନରଃ+ଅପରାଣି- ନରଃ=ମନୁଷ୍ୟ, ଅପରାଣି=ଅନ୍ୟ; ତ‌ଥା=ସେହିପରି, ଶରୀରାଣି=ଶରୀରମାନଙ୍କୁ, ବିହାୟ=ତ୍ୟାଗ କରି, ଜୀର୍ଣ୍ଣାନ୍ୟନ୍ୟାନି-ଜିର୍ଣ୍ଣାନି+ଅନ୍ୟାନି- ଜିର୍ଣ୍ଣାନି=ପୁରାତନ, ଅନ୍ୟାନି=ଅନ୍ୟ, ସଂଯାତି=ଚାଲିଯାଏ, ନବାନି=ନୁତନ, ଦେହୀ=ଦେହୀ ।

ଜୀର୍ଣ୍ଣ ବସ୍ତ୍ରଗୁଡ଼ିକୁ ପରିତ୍ୟାଗ କରି ମନୁଷ୍ୟ ଯେପରି ନୂତନ ବସ୍ତ୍ର ପରିଧାନ କରେ, ଠିକ୍ ସେହିପରି ପୁରାତନ ଶରୀର ତ୍ୟାଗ କରି ଦେହୀ ନୂତନ ଶରୀରକୁ ଚାଲିଯାଏ ।

ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।
ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ॥୨-୨୩॥

ତାତ୍ପର୍ଯ୍ୟ

ନୈନଂ-ନ ଏନଂ=ନୁହେଁ ଏହାକୁ, ଛିନ୍ଦନ୍ତି=ଛେଦନ କରିପାରନ୍ତି ନାହିଁ, ଶସ୍ତ୍ରାଣି=ଶସ୍ତ୍ରଗୁଡ଼ିକ, ଦ‌ହତି=ଦ‌ହନ କରିବା, ପାବକଃ=ଅଗ୍ନି; ଚ=ଏବଂ, ଏନଂ=ଏହାକୁ, କ୍ଲେଦୟନ୍ତ୍ୟାପୋ-କ୍ଲେଦୟନ୍ତି+ଆପଃ-କ୍ଲେଦୟନ୍ତି=ସିକ୍ତ କରିବା, ଆପଃ=ଜଳ, ନ ଶୋଷୟତି=ଶୁଷ୍କ କରିପାରେ ନାହିଁ, ମାରୁତଃ=ବାୟୁ ।

ଏହି ଶରୀରୀକୁ ଶସ୍ତ୍ର ଛେଦନ କରିପାରନ୍ତି ନାହିଁ, ଅଗ୍ନି ଏହାକୁ ପୋଡ଼ି ପାରେନି, ଜଳ ଏହାକୁ ଓଦା କରିପାରେନି ଏବଂ ବାୟୁ ଏହାକୁ ଶୁଷ୍କ କରିପାରେନି ।

ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଲେଦ୍ୟୋଽଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁରଚଲୋଽୟଂ ସନାତନଃ ॥୨-୨୪॥

ତାତ୍ପର୍ଯ୍ୟ

ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଲେଦ୍ୟୋଽଶୋଷ୍ୟ -> ଅଚ୍ଛେଦ୍ୟଃ+ଅୟଂ+ଅଦାହ୍ୟଃ+ଅୟଂ+ଅକ୍ଳେଦ୍ୟଃ+ଅଶୋଷ୍ୟଃ-> ଅଚ୍ଛେଦ୍ୟଃ=ଛେଦନ କରିପାରିବ ନାହିଁ, ଅୟଂ=ଏହାକୁ, ଅଦାହ୍ୟଃ=ପୋଡ଼ି ହୁଏନି, ଅକ୍ଲେଦ୍ୟଃ=ଆର୍ଦ୍ର କରି ହୁଏନି, ଅଶୋଷ୍ୟଃ ଏବ=ଶୁଷ୍କ କରି ହୁଏନି, ଚ=ଓ; ନିତ୍ୟଃ=ନିତ୍ୟ, ସର୍ବଗତଃ=ସର୍ବବ୍ୟାପି, ସ୍ଥାଣୁଃ=ସ୍ଥାଣୁ, ଅଚଳଃ=ଅଚଳ, ସନାତନଃ=ଅନାଦି

ଏହି ଶରୀରୀଙ୍କୁ ଛେଦନ କରି ହୁଏନି, ପୋଡ଼ି ହୁଏନି, ଓଦା କରି ହୁଏନି ବା ଶୁଷ୍କ କରି ହୁଏନି; କାରଣ ଏହା ସର୍ବବ୍ୟାପୀ, ଅଚଳ, ସ୍ଥାଣୁ ଓ ଅନାଦି ଅଟେ ।

ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମବିକାର୍ଯ୍ୟୋଽୟମୁଚ୍ୟତେ ।
ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି ॥୨-୨୫॥

ତାତ୍ପର୍ଯ୍ୟ

ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମବିକାର୍ୟୋଽୟମୁଚ୍ୟତେ ->ଅବ୍ୟକ୍ତଃ+ଅୟଂ+ଅଚିନ୍ତ୍ୟଃ+ଅୟଂ+ଅବିକାର୍ଯ୍ୟଃ+ଅୟଂ+ଉଚ୍ୟତେ -> ଅବ୍ୟକ୍ତଃ=ପ୍ରତ୍ୟକ୍ଷ ଭାବରେ ଅଦୃଶ୍ୟ, ଅୟଂ=ଏହା, ଅଚିନ୍ତ୍ୟଃ=ଚିନ୍ତନ ବିଷୟ ନୁହେଁ, ଅବିକାର୍ଯ୍ୟଃ=ନିର୍ବିକାର, ଉଚ୍ୟତେ=କୁହାଯାଏ; ତସ୍ମାଦେବଂ-> ତସ୍ମାତ୍+ଏବଂ-> ତସ୍ମାତ୍=ତେଣୁ, ଏବଂ=ଏପରି, ବିଦିତ୍ୱା=ଜାଣି, ଏନଂ=ଏ ଦେହୀକୁ, ନାନୁଶୋଚିତୁମର୍ହସି->ନ+ଅନୁଶୋଚିତୁଂ+ଅର୍ହସି -> ନ=ନୁହେଁ, ଅନୁଶୋଚିତୁଂ=ଶୋକ, ଅର୍ହସି=କରିବା ଅନୁଚିତ ।

ଏ ଦେହୀ ପ୍ରତ୍ୟକ୍ଷ ଭାବରେ ଦୃଷ୍ଟି ଗୋଚର ହୁଏ ନାହିଁ, ଏହା ଚିନ୍ତନର ବିଷୟ ନୁହେଁ । ଏହାକୁ ନିର୍ବିକାର କୁହାଯାଏ । ତେଣୁ ଦେହୀର ଏପରି ସ୍ୱରୂପ ଜାଣିବା ପରେ ଏହା ନିମନ୍ତେ ଶୋକ କରିବା ଅନୁଚିତ ।

ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।
ତଥାପି ତ୍ୱଂ ମହାବାହୋ ନୈବଂ ଶୋଚିତୁମର୍ହସି ॥୨-୨୬॥

ତାତ୍ପର୍ଯ୍ୟ

ଅଥ=ଯଦି, ଚ=ମଧ୍ୟ, ଏନଂ=ଏହି ଦେହୀକୁ, ନିତ୍ୟଜାତଂ=ନିତ୍ୟ ଜନ୍ମଶୀଳ, ନିତ୍ୟଂ=ନିତ୍ୟ, ବା=କିମ୍ବା, ମନ୍ୟସେ=ମାନୁଥାଅ, ମୃତମ୍=ମରଣଶୀଳ;
ତ‌ଥାପି=ତ‌ଥାପି, ତ୍ୱଂ=ତୁମେ, ମହାବାହୋ=ହେ ମହାବାହୁ, ନ=ନାହିଁ, ଏବଂ=ଏପରି, ଶୋଚିତୁଂ=ଶୋକ, ଅର୍ହସି=କରିବା ଅନୁଚିତ୍ ।

ହେ ମହାବାହୁ! ଯଦି ତୁମେ ଏହି ଦେହୀକୁ ନିତ୍ୟ ଜନ୍ମଶୀଳ କିମ୍ବା ନିତ୍ୟ ମରଣଶୀଳ ମାନୁଥାଅ, ତ‌ଥାପି (ତେବେ) ତୁମେ ଏପରି ଶୋକ କରିବା ଅନୁଚିତ ।

ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ।
ତସ୍ମାଦପରିହାର୍ୟେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ॥୨-୨୭॥

ତାତ୍ପର୍ଯ୍ୟ

ଜାତସ୍ୟ=ଯିଏ ଜନ୍ମ ଗ୍ରହଣ କରିଛି, ହି=କାରଣ, ଧ୍ରୁବୋ=ସୁନିଶ୍ଚିତ, ମୃତ୍ୟୁ=ମରଣ, ଧ୍ରୁବଂ=ସୁନିଶ୍ଚିତ, ଜନ୍ମ , ମୃତସ୍ୟ=ମୃତର, ଚ=ଏବଂ;
ତସ୍ମାତ୍=ତେଣୁ, ଅପରିହାର୍ଯ୍ୟେ=ଅପରିତ୍ୟାଗ୍ୟ, ଅର୍ଥେ=ଏ ବିଷୟରେ, ତ୍ୱଂ=ତୁମେ, ନ ଅର୍ହସି=କରିବା ଅନୁଚିତ ।

ସଂସାରରେ ଜୀବ ଜନ୍ମ ଗ୍ରହଣ କରିବା ଅର୍ଥ ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟ ହୋଇଛି, ତାହାର ଜନ୍ମ ମଧ୍ୟ ନିଧାର୍ଯ୍ୟ । ଏହି ଜନ୍ମ ମରଣ ସ୍ରୋତର ଧାରା ଅପରିବର୍ତ୍ତନୀୟ । ଯେଉ କଥା ନିଧାର୍ଯ୍ୟ, ତାହା ପାଇଁ ଶୋକ କରିବା ମଧ୍ୟ ଅଯଥାର୍ଥ ।

ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ ।
ଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିଦେବନା ॥୨-୨୮॥

ତାତ୍ପର୍ଯ୍ୟ

ଅବ୍ୟକ୍ତାଦାନି=ଜନ୍ମ ପୂର୍ବରୁ ଅବ୍ୟକ୍ତ ଥିଲେ, ଭୂତାନି=ପ୍ରାଣୀମାନେ, ବ୍ୟକ୍ତମଧ୍ୟାନି=କେବଳ ମଧ୍ୟ କାଳରେ ବ୍ୟକ୍ତ ଭଳି ଦେଖାଯାଉଛନ୍ତି, ଭାରତ=ହେ ଅର୍ଜୁନ; ଅବ୍ୟକ୍ତନିଧନାନ୍ୟେବ -> ଅବ୍ୟକ୍ତନିଧନାନି + ଏବ=ମୃତ୍ୟୁ ପରେ ଅବ୍ୟକ୍ତ ହୋଇଯିବ, ତ‌ତ୍ର=ଏଥିରେ, କା ପରିବେଦନା=ଶୋକ କରିବାକୁ କଅଣ ଅଛି ।

ହେ ଅର୍ଜୁନ! ଜନ୍ମ ପୂର୍ବରୁ ପ୍ରାଣୀ ଅବ୍ୟକ୍ତ ରହନ୍ତି, ଓ ମୃତ୍ୟୁ ପରେ ମଧ୍ୟ ଅବ୍ୟକ୍ତ ହୋଇଯିବେ; କେବଳ ଏହି ମଧ୍ୟ କାଳରେ ବ୍ୟକ୍ତ ହେବା ଭଳି ଲାଗୁଛନ୍ତି । ଏଥିରେ ଶୋକ କରିବାର କଅଣ ଅଛି?

ଆଶ୍ଚର୍ୟବତ୍ପଶ୍ୟତି କଶ୍ଚିଦେନମାଶ୍ଚର୍ୟବତ୍‌ବଦତି ତଥୈବ ଚାନ୍ୟଃ ।
ଆଶ୍ଚର୍ୟବଚ୍ଚୈନମନ୍ୟଃ ଶୃଣୋତି ଶ୍ରୁତ୍ୱାପ୍ୟେନଂ ବେଦ ନ ଚୈବ କଶ୍ଚିତ୍ ॥୨-୨୯॥

ତାତ୍ପର୍ଯ୍ୟ

ଆଶ୍ଚର୍ୟବତ୍ପଶ୍ୟତି -> ଆଶ୍ଚର୍ଯ୍ୟବତ୍+ପଶ୍ୟତି -> ଆଶ୍ଚର୍ଯ୍ୟବତ୍=ଆଶ୍ଚର୍ଯ୍ୟାନ୍ୱିତ, ପଶ୍ୟତି=ଦେଖେ, କଶ୍ଚିତ=କେହି, ଏନଂ=ଏହି ଶରୀରୀକୁ, ମାଶ୍ଚର୍ୟବତ୍=ଆଶ୍ଚର୍ଯ୍ୟାନ୍ୱିତ, ବଦତି=ବର୍ଣ୍ଣନା କରେ, ତ‌ଥୈବ=ସେହି ଭଳି, ଚ ଅନ୍ୟଃ=ସେହିପରି କେହି;
ଶୃଣୋତି=ଶୁଣେ, ଶ୍ରୁତ୍ୱାପ୍ୟେନଂ -> ଶ୍ରୁତ୍ୱା+ଅପି+ଏନଂ-> ଶ୍ରୁତ୍ୱା ଅପି=ଶୁଣିକରି ମଧ୍ୟ, ଏନଂ=ଏହାକୁ, ବେଦ ନ=ଜାଣେ ନାହିଁ, ଚ ଏବ=ଏବଂ କେହି ନାହିଁ, କଶ୍ଚିତ=କେହି ।

କେହି ଏହି ଶରୀରୀକୁ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଦେଖେ ବା ଅନୁଭବ କରେ । ସେହି ଭଳି ଅନ୍ୟ କେହି ଏହାକୁ ଆଶ୍ଚର୍ଯ୍ୟ ଜନ‌‌କ ଭାବରେ ବର୍ଣ୍ଣନା କରେ । ଅନ୍ୟ କେହି ଏହାକୁ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଶ୍ରବଣ କରେ । ଶୁଣିକରି ମଧ୍ୟ ଅନେକ ଏହାକୁ ଜାଣିପାରନ୍ତି ନାହିଁ ।

ଦେହୀ ନିତ୍ୟମବଧ୍ୟୋଽୟଂ ଦେହେ ସର୍ବସ୍ୟ ଭାରତ ।
ତସ୍ମାତ୍ସର୍ୱାଣି ଭୂତାନି ନ ତ୍ୱଂ ଶୋଚିତୁମର୍ହସି ॥୨-୩୦॥

ତାତ୍ପର୍ଯ୍ୟ

ଦେହୀ=ଦେହୀ, ନିତ୍ୟଂ=ନିତ୍ୟ, ଅବଧ୍ୟଃ=ଅବଧ୍ୟ, ଅୟଂ=ଏହି, ଦେହେ=ଦେହରେ, ସର୍ବସ୍ୟ=ସମସ୍ତଙ୍କର, ଭାରତ=ହେ ଭରତ ବଂଶଜ ଅର୍ଜୁନ; ତସ୍ମାତ୍=ତେଣୁ, ସର୍ବାଣି=ସମସ୍ତ, ଭୂତାନି=ପ୍ରାଣୀ ନିମନ୍ତେ, ନ=ନାହିଁ, ତ୍ୱଂ=ତୁମେ, ଶୋଚିତୁମ୍=ଶୋକ, ଅର୍ହସି=କରିବା ଉଚିତ ନୁହେଁ ।

ହେ ଭରତ ବଂଶଜ ଅର୍ଜୁନ! ସମସ୍ତଙ୍କ ଦେହରେ ଏହି ଦେହୀ ସର୍ବଦା ଅବଧ୍ୟ । ତେଣୁ କୌଣସି ପ୍ରାଣୀ ନିମନ୍ତେ ତୁମେ ଶୋକ କରିବା ଅନୁଚିତ ।

ସ୍ୱଧର୍ମମପି ଚାବେକ୍ଷ ନ ବିକମ୍ପିତୁମର୍ହସି ।
ଧର୍ମ୍ୟାଦ୍ଧି ୟୁଦ୍ଧାଚ୍ଛ୍ରେୟୋଽନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟତେ ॥୨-୩୧॥

ତାତ୍ପର୍ଯ୍ୟ

ସ୍ୱଧର୍ମ=ନିଜର ଧର୍ମକୁ (କ୍ଷତ୍ରୀୟ ଧର୍ମ), ଅପି=ମଧ୍ୟ, ଚ=ଏବଂ, ଅବେକ୍ଷ=ଦେଖି, ନ=ନୁହେଁ, ବିକମ୍ପିତୁମ୍=କମ୍ପିତ ବା ବିଚଳିତ,
(ନ) ଅର୍ହସି=ବିଚଳିତ ହେବା କଥା ନୁହଁ; ଧର୍ମାତ୍=ଧର୍ମମୟ, ହି=କାରଣ, ୟୁଦ୍ଧାଚ୍ଛ୍ରେୟୋଽନ୍ୟତ୍-> ଯୁଦ୍ଧାତ୍+ଶ୍ରେୟଃ+ଅନ୍ୟତ୍-> ଯୁଦ୍ଧାତ୍=ଯୁଦ୍ଧରୁ ବଳି, ଶ୍ରେୟଃ=କଲ୍ୟାଣକାରକ, ଅନ୍ୟତ୍=ଅନ୍ୟ କୌଣସି, କ୍ଷତ୍ରିୟ ପାଇଁ, ନ ବିଦ୍ୟତେ=କିଛି ନାହିଁ ।

ନିଜର କ୍ଷତ୍ରିୟ ଧର୍ମକୁ ଦେଖି ମଧ୍ୟ ତୁମେ କର୍ତ୍ତବ୍ୟ କରିବାକୁ ବିଚଳିତ ହେବା ଉଚିତ ନୁହେଁ; କାରଣ କ୍ଷତ୍ରିୟ ନିମନ୍ତେ ଧର୍ମ‌ ଯୁଦ୍ଧରୁ ବଳି ଅଧିକ କଲ୍ୟାଣକାରୀ କର୍ମ ଆଉ କିଛି ନାହିଁ ।

ଯଦୃଚ୍ଛୟା ଚୋପପନ୍ନଂ ସ୍ୱର୍ଗଦ୍ୱାରମପାବୃତମ୍ ।
ସୁଖିନଃ କ୍ଷତ୍ରିୟାଃ ପାର୍ଥ ଲଭନ୍ତେ ୟୁଦ୍ଧମୀଦୃଶମ୍ ॥୨-୩୨॥

ତାତ୍ପର୍ଯ୍ୟ

ଯଦୃଚ୍ଛୟା=ଆପେଆପେ, ଚ=ମଧ୍ୟ, ଉତ୍ପନ୍ନଂ=ପ୍ରାପ୍ତ (ଯୁଦ୍ଧ), ସ୍ୱର୍ଗଦ୍ୱାରମ୍=ସ୍ୱର୍ଗଦ୍ୱାର ଅଟେ, ଅପାବୃତମ୍=ଉନ୍ମକ୍ତ;
ସୁଖିନଃ=ବ‌ହୁତ ସୁଖି, କ୍ଷତ୍ରିୟାଃ=କ୍ଷତ୍ରିୟମାନେ, ପାର୍ଥ=ଅର୍ଜୁନ, ଲଭନ୍ତେ=ପ୍ରାପ୍ତ ହୁଏ, ଯୁଦ୍ଧମ୍=ଯୁଦ୍ଧ, ଈଦୃଶମ୍=(ଯେଉଁମାନଙ୍କୁ) ଏପରି ।

ଆପେ ଆପେ ପ୍ରାପ୍ତ ହୋଇଥିବା ଯୁଦ୍ଧ ମଧ୍ୟ ସ୍ୱର୍ଗର ଉନ୍ମୁକ୍ତ ଦ୍ୱାର ଅଟେ । ହେ ଅର୍ଜୁନ! ଯେଉଁମାନଙ୍କୁ ଏପରି ଯୁଦ୍ଧ ପ୍ରାପ୍ତ ହୁଏ, ସେହି କ୍ଷତ୍ରିୟମାନେ ବ‌ହୁତ ସୁଖୀ ।

ଅଥ ଚେତ୍ତ୍ୱମିମଂ ଧର୍ମ୍ୟଂ ସଙ୍ଗ୍ରାମଂ ନ କରିଷ୍ୟସି ।
ତତଃ ସ୍ୱଧର୍ମଂ କୀର୍ତ୍ତିଂ ଚ ହିତ୍ୱା ପାପମବାପ୍‌ସ୍ୟସି ॥୨-୩୩॥

ତାତ୍ପର୍ଯ୍ୟ

ଅଥ=ଏବେ, ଚେତ୍ତ୍ୱମିମଂ->ଚେତ୍+ତ୍ୱମ୍+ଇମମଂ-> ଚେତ୍=ଯଦି, ତ୍ୱମ୍=ତୁମେ, ଇମମଂ=ଏହି, ଧର୍ମ୍ୟଂ=ଧର୍ମମୟ, ସଙ୍ଗ୍ରାମଂ=ଯୁଦ୍ଧ, ନ କରିଷୟସି= ନ କରିବ; ତ‌ତଃ=ତା’ହେଲେ, ସ୍ୱଧର୍ମଂ=ନିଜ ଧର୍ମ, କୀର୍ତ୍ତିଂ=କୀର୍ତ୍ତି, ଚ=ଓ, ହିତ୍ୱା=ତ୍ୟାଗ କରି, ପାପମ୍=ପାପ, ଅବାପ୍‌ସ୍ୟସି=ଭାଗୀ ହେବ ।

ଏବେ ତୁମେ ଯଦି ଏହି ଧର୍ମ ଯୁଦ୍ଧ ନ କରିବ, ତାହା ହେଲେ ନିଜର ଧର୍ମ ଓ କୀର୍ତ୍ତି ତ୍ୟାଗ କରି ପାପଭାଗୀ ହେବ ।

ଅକୀର୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ୍ ।
ସମ୍ଭାବିତସ୍ୟ ଚାକୀର୍ତ୍ତିର୍ମରଣାଦତିରିଚ୍ୟତେ ॥୨-୩୪॥

ତାତ୍ପର୍ଯ୍ୟ

ଅକୀର୍ତ୍ତିଂ=ଅପକୀର୍ତ୍ତି, ଚ=ଏବଂ, ଅପି=ମଧ୍ୟ, ଭୂତାନି=ପ୍ରାଣୀମାନେ, କଥୟିଷ୍ୟନ୍ତି=ଗାଇବେ, ତେ=ତୁମର, ଅବ୍ୟୟାମ=ଅକ୍ଷୟ; ସମ୍ଭାବିତସ୍ୟ=ସମ୍ଭାବିତ ମନୁଷ୍ୟ ନିମନ୍ତେ, ଚାକୀର୍ତ୍ତିର୍ମରଣାଦତିରିଚ୍ୟତେ -> ଚ+ଅକୀର୍ତ୍ତିଃ+ମରଣାତ୍+ଅତିରିଚ୍ୟତେ-> ଚ=ମଧ୍ୟ, ଅକୀର୍ତ୍ତିଃ=ଅପକୀର୍ତ୍ତି, ମରଣାତ୍=ମୃତ୍ୟୁଠାରୁ, ଅତିରିଚ୍ୟତେ=ଅଧିକ ଦୁଃଖଦାୟୀ ।

ସମସ୍ତ ପ୍ରାଣୀ (ମନୁଷ୍ୟ) ତୁମର ଅପକୀର୍ତ୍ତି ଗାଇ ଚାଲିବେ । ଏହି ଅପକୀର୍ତ୍ତି ସମ୍ମାନାସ୍ପଦ ମନୁଷ୍ୟ ନିମନ୍ତେ ମୃତ୍ୟୁଠାରୁ ମଧ୍ୟ ଅଧିକ ଦୁଃଖଦାୟୀ ହୁଏ ।

ଭୟାଦ୍ରଣାଦୁପରତଂ ମଂସ୍ୟନ୍ତେ ତ୍ୱାଂ ମହାରଥାଃ ।
ଯେଷାଂ ଚ ତ୍ୱଂ ବହୁମତୋ ଭୂତ୍ୱା ଯାସ୍ୟସି ଲାଘବମ୍ ॥୨-୩୫॥

ତାତ୍ପର୍ଯ୍ୟ

ଭୟାଦ୍ରଣାଦୁପରତଂ->ଭୟାତ୍+ରଣାତ୍+ଉପରତଂ-> ଭୟାତ୍=ଭୟ ହେତୁ, ରଣାତ୍-ଯୁଦ୍ଧରୁ, ଉପରତଂ=ବିରତ ହେବା, ମଂସ୍ୟନ୍ତେ=ଭାବିବେ, ତ୍ୱାଂ=ତୁମେ, ମହାରଥାଃ=ମହାରଥୀମାନେ; ଯେଷାଂ=ଯେଉଁମାନଙ୍କ, ଚ=ତ‌ଥା, ତ୍ୱଂ=ତୁମେ, ବ‌ହୁମତୋ=ମାନ୍ୟଗଣ୍ୟ, ଭୂତ୍ୱା=ହୋଇଥିଲ, ଯାସ୍ୟସି=ହୋଇଯିବ, ଲାଘବମ୍=ନ‌ଗନ୍ୟ ।

ଭୟ ପାଇ ଯୁଦ୍ଧରୁ ବିରତ ହେଲ ବୋଲି ମହାରଥୀମାନେ ଭାବିବେ । ଯେଉଁମାନଙ୍କ ଧାରଣାରେ ତୁମେ ମାନ୍ୟଗଣ୍ୟ ଥିଲ, ସେହି ଲୋକଙ୍କ ଦୃଷ୍ଟିରେ ତୁମେ ନ‌ଗଣ୍ୟ ହୋଇଯିବ ।

ଅବାଚ୍ୟବାଦାଂଶ୍ଚ ବହୂନ୍ ବଦିଷ୍ୟନ୍ତି ତବାହିତାଃ ।
ନିନ୍ଦନ୍ତସ୍ତବ ସାମର୍ଥ୍ୟଂ ତତୋ ଦୁଃଖତରଂ ନୁ କିମ୍ ॥୨-୩୬॥

ତାତ୍ପର୍ଯ୍ୟ

ଅବାଚ୍ୟବାଦାନ୍=ନ କ‌ହିବା କଥା, ଚ=ମଧ୍ୟ, ବ‌ହୁନ୍=ବ‌ହୁତ, ବଦିଷ୍ୟନ୍ତି=କ‌ହିବେ, ତବ=ତୁମର, ଅହିତାଃ=ଶତ୍ରୁମାନେ; ନିନ୍ଦନ୍ତଃ=ନିନ୍ଦା କରି, ତବ=ତୁମର, ସାମର୍ଥ୍ୟଂ=ସାମର୍ଥ୍ୟକୁ, ତ‌ତଃ=ତାହାଠାରୁ, ଦୁଃଖତରଂ=ବଳି ଦୁଃଖ କଥା, ନୁ
କିମ୍=କଅଣ ହେବ ?

ତୁମର ଶତ୍ରୁଗଣ ତୁମ ସାମାର୍ଥ୍ୟକୁ ନିନ୍ଦା କରି ବ‌ହୁତ ଅକଥନୀୟ ବଚନ କ‌ହିବେ । ତାହାଠାରୁ ବଳି ଆଉ ଦୁଃଖର କଥା ଆଉ କଅଣ ହୋଇପାରିବ ।

ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍ ।
ତସ୍ମାଦୁତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ ॥୨-୩୭॥

ତାତ୍ପର୍ଯ୍ୟ

ହତଃ=ନିହତ ହେବା, ବା=ଯଦି, ପ୍ରାପ୍‌ସ୍ୟସି=ପ୍ରାପ୍ତ ହେବ, ସ୍ୱର୍ଗଂ=ସ୍ୱର୍ଗ, ଜିତ୍ୱା=ଜିତିଯିବ, ବା=ଯଦି, ଭୋକ୍ଷ୍ୟସେ=ଭୋଗ କରିବ, ମହୀମ୍=ପୃଥିବୀ ବା ରାଜ୍ୟ; ତସ୍ମାତ୍=ତେଣୁ, ଉତ୍ତିଷ୍ଠ=ଠିଆ ହୁଅ, କୌନ୍ତେୟ=କୁନ୍ତୀ ନନ୍ଦନ, ଯୁଦ୍ଧାୟ=ଯୁଦ୍ଧ ନିମନ୍ତେ, କୃତନିଶ୍ଚୟଃ=ନିଶ୍ଚୟ କରି ।

ଯଦି ତୁମେ ଯୁଦ୍ଧରେ ନିହତ ହେବ, ତୁମକୁ ସ୍ୱର୍ଗ ପ୍ରାପ୍ତ ହେବ ଓ ଯଦି ଯୁଦ୍ଧରେ ଜିତିଯିବ, ତେବେ ରାଜ୍ୟ ଭୋଗ (ବା ରାଜ୍ୟ ପ୍ରାପ୍ତ ହେବ) କରିବ । ତେଣୁ ହେ କୁନ୍ତୀ ନନ୍ଦନ! ତୁମେ ଯୁଦ୍ଧ ପାଇଁ ନିଶ୍ଚିତ ହୋଇ ଠିଆ ହୁଅ ।

ସୁଖଦୁଃଖେ ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ ।
ତତୋ ଯୁଦ୍ଧାୟ ଯୁଜ୍ୟସ୍ୱ ନୈବଂ ପାପମବାପ୍ସ୍ୟସି ॥୨-୩୮॥

ତାତ୍ପର୍ଯ୍ୟ

ସୁଖେଦୁଃଖେ=ସୁଖ ଦୁଃଖକୁ, ସମେ=ସମାନ, କୃତ୍ୱା=କରି, ଲାଭାଲାଭୌ=ଲାଭକ୍ଷତି, ଜୟାଜୟୌ=ଜୟ ପରାଜୟ; ତ‌ତୋ=ତା’ପରେ, ଯୁଦ୍ଧାୟ=ଯୁଦ୍ଧରେ, ଯୁଜ୍ୟସ୍ୱ=ମନୋନିବେଶ କର, ନ=ନାହିଁ, ଏବଂ=ଏହିଭଳି, ପାପମ୍=ପାପ, ଅବାପ୍‌ସ୍ୟସି=ପାପଭାଗୀ ହେବନି ।

ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସମାନ ମନେ କରି ଯୁଦ୍ଧରେ ମନ ଦିଅ । ଏହିଭଳି ଯୁଦ୍ଧ କଲେ ତୁମେ ପାପ ଭାଗୀ ହେବନି ।

ଏଷା ତେଽଭିହିତା ସାଙ୍ଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ ।
ବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ॥୨-୩୯॥

ତାତ୍ପର୍ଯ୍ୟ

ଏଷା=ଏହି, ତେ=ତୁମ ପାଇଁ, ଅଭିହିତା=କୁହାଗଲା, ସାଙ୍ଖ୍ୟେ=ସାଂଖ୍ୟ‌ଯୋଗରେ, ବୁଦ୍ଧିଃ=ସମ ବୁଦ୍ଧି, ଯୋଗେ=କର୍ମ‌ଯୋଗ ପ୍ରସଙ୍ଗରେ, ତୁ=ଏବଂ, ଇମାମ୍=ଏହାକୁ, ଶୃଣୁ=ଶୁଣ; ବୁଦ୍ଧ୍ୟାଃ=ସମ ବୁଦ୍ଧିରେ, ଯୁକ୍ତୋ=ଯୁକ୍ତ ହୋଇ (ତୁମେ), ଯୟା=ଯେଉଁ, ପାର୍ଥ=ଅର୍ଜୁନ, କର୍ମ‌ବନ୍ଧଂ=କର୍ମ ବନ୍ଧନ, ପ୍ରହାସ୍ୟସି=ତ୍ୟାଗ କରିଦେବ ।

ହେ ପାର୍ଥ! ଯେଉଁ ସମ‌ବୁଦ୍ଧିରେ ଯୁକ୍ତ ହୋଇ ତୁମେ କର୍ମ‌ବନ୍ଧନ ତ୍ୟାଗ କରିଦେବ, ସେହି ସମ‌ବୁଦ୍ଧି ତୁମ ପାଇଁ ପ୍ରଥମେ ସାଂଖ୍ୟଯୋଗରେ କୁହାଗଲା । ଏବେ ତୁମେ ଏହାକୁ କର୍ମ ଯୋଗ ପ୍ରସଙ୍ଗରେ ଶଣ ।

ନେହାଭିକ୍ରମନାଶୋଽସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ।
ସ୍ୱଲ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍ ॥୨-୪୦॥

ତାତ୍ପର୍ଯ୍ୟ

ନେହାଭିକ୍ରମନାଶୋଽସ୍ତି->ଇହ+ଅଭିକ୍ରମନାଶଃ+ନ ଅସ୍ତି-> ଇହ=ମନୁଷ୍ୟ ଲୋକରେ, ଅଭିକ୍ରମନାଶଃ=ଆରମ୍ଭର ନାଶ, ନ ଅସ୍ଥି=ହୁଏ ନାହିଁ, ପ୍ରତ୍ୟବାୟୋ=ବିପରିତ ଫଳ, ନ ବିଦ୍ୟତେ=ହୁଏ ନାହିଁ; ସ୍ୱଳ୍ପମ୍=ସ୍ୱଳ୍ପ, ଅପି=ଅନୁଷ୍ଠାନ, ଅସ୍ୟ=ଏହି ସମ ବୁଦ୍ଧିରୂପକ, ଧର୍ମସ୍ୟ=ଧର୍ମର, ତ୍ରାୟତେ=ରକ୍ଷା କରେ, ମହତଃ ଭୟାତ୍=ମହାଭୟରୁ ।

ମନୁଷ୍ୟଲୋକରେ ଏହି ସମ‌ବୁଦ୍ଧିରୂପକ ଧର୍ମ ଆରମ୍ଭ ହୋଇଗଲେ ସେହି ଆରମ୍ଭର ବିନାଶ ହୁଏନାହିଁ, ଏହାର ବିପରୀତ ଫଳ ମଧ୍ୟ ହୁଏ ନାହିଁ ଏବଂ ଏହାର ସ୍ୱଳ୍ପ ଅନୁଷ୍ଠାନ ମଧ୍ୟ ମହାଭୟରୁ ରକ୍ଷା କରେ ।

ବ୍ୟବସାୟାତ୍ମିକା ବୁଦ୍ଧିରେକେହ କୁରୁନନ୍ଦନ ।
ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଽବ୍ୟବସାୟିନାମ୍ ॥୨-୪୧॥

ତାତ୍ପର୍ଯ୍ୟ

ବ୍ୟବସାୟାତ୍ମିକା=ନିଶ୍ଚୟାତ୍ମକ, ବୁଦ୍ଧିଃ=ବୁଦ୍ଧି, ଏକ ଇହ=ଏହି ବିଷୟରେ ଏକ ହୋଇଥାଏ, କୁରୁନନ୍ଦନ=କୁରୁବଂଶଜ ଅର୍ଜୁନ; ବ‌ହୁଶାଖା=ବ‌ହୁଶାଖାବିଶିଷ୍ଟ, ହ୍ୟନନ୍ତାଶ୍ଚ->ହି+ଅନନ୍ତାଃ+ଚ->ହି=ହିଁ, ଅନନ୍ତାଃ=ଅନନ୍ତ, ଚ=ଓ, ବୁଦ୍ଧୟଃ=ବୁଦ୍ଧିଗୁଡ଼ିକ, ଅବ୍ୟବସାୟିନାମ୍=ଅବ୍ୟବସାୟି ମନୁଷ୍ୟର ।

ହେ କୁରୁନନ୍ଦନ! ଏହି ସମ‌ବୁଦ୍ଧି ପ୍ରାପ୍ତି ବିଷୟରେ ନିଶ୍ଚୟାତ୍ମକ ବୁଦ୍ଧି ଏକ ହିଁ ହୋଇଥାଏ । ଅବ୍ୟବସାୟି ମନୁଷ୍ୟଙ୍କର ବୁଦ୍ଧିଗୁଡ଼ିକ ଅନନ୍ତ ଓ ବ‌ହୁଶାଖାବିଶିଷ୍ଟ ହୋଇଥାଏ ।

ଯାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତ୍ୟବିପଶ୍ଚିତଃ ।
ବେଦବାଦରତାଃ ପାର୍ଥ ନାନ୍ୟଦସ୍ତୀତି ବାଦିନଃ ॥୨-୪୨॥

କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ୍ ।
କ୍ରିୟାବିଶେଷବହୁଲାଂ ଭୋଗୈଶ୍ୱର୍ଯ୍ୟଗତିଂ ପ୍ରତି ॥୨-୪୩॥

ତାତ୍ପର୍ଯ୍ୟ ଉଭୟ ୨-୪୨ ଓ ୨-୪୩ର


ଯାମ୍=ଯେଉଁ, ଇମାଂ= ଏହି ପ୍ରକାରର, ବାଚଂ=ବାଣୀ, ପ୍ରପଦନ୍ତି=କ‌ହନ୍ତି, ଅବିପଣ୍ଡିତଃ=ଅବିବେକୀ ମଣିଷ; ବେଦବାଦରତାଃ=ବେଦ ବର୍ଣ୍ଣିତ ସକାମ କର୍ମରେ ପ୍ରୀତି ଅଛି, ପାର୍ଥ=ଅର୍ଜୁନ, ନାନ୍ୟଦସ୍ତୀତି->ନ+ଅନ୍ୟତ୍+ଅସ୍ତି+ଇତି-> ନ ଅନ୍ୟ ଅସ୍ତି=ଆଉ କିଛି ନାହିଁ, ଇତି=ବୋଲି, ବାଦିନଃ=କ‌ହୁଛନ୍ତି ।
କାମାତ୍ମାନଃ=କାମ ବାସନାରେ ତନ୍ମୟ ବ୍ୟକ୍ତିମାନେ, ସ୍ୱର୍ଗପରା=ସ୍ୱର୍ଗକୁ ଶ୍ରେଷ୍ଠ ଭାବୁଛନ୍ତି, ଜନ୍ମକର୍ମଫଳପ୍ରଦାମ୍=ଜନ୍ମ ରୂପକ କର୍ମଫଳ ପ୍ରଦାନ କରେ; କ୍ରିୟାବିଶେଷବ‌ହୁଳାଂ=ଅନେକ କ୍ରିୟାର ବର୍ଣ୍ଣନା କରେ, ଭୋଗୈଶ୍ୱର୍ଯ୍ୟଗତିଂ ପ୍ରତି=ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ନିମନ୍ତେ ।

ହେ ପାର୍ଥ! ଯେଉଁମାନେ କାମନାରେ ତନ୍ମୟ ହୋଇଛନ୍ତି, ସ୍ୱର୍ଗକୁ ଶ୍ରେଷ୍ଠ ମନେକରୁଛନ୍ତି, ବେଦ ବର୍ଣ୍ଣିତ ସକାମ କର୍ମରେ ପ୍ରୀତି ରଖିଛନ୍ତି, ଭୋଗ ବ୍ୟତୀତ ଆଉ କିଛି ନାହିଁ ବୋଲି କ‌ହୁଛନ୍ତି, ସେହି ଅବିବେକୀ ମନୁଷ୍ୟ ଏହି ପ୍ରକାରର ଯେଉଁ ସୁଶୋଭନ ବାଣୀ କ‌ହନ୍ତି,ତାହା ଜନ୍ମରୂପକ କର୍ମଫଳ ପ୍ରଦାନ କରେ ତ‌ଥା ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ଅନେକ କ୍ରିୟାର ବର୍ଣ୍ଣନା କରେ ।

ଭୋଗୈଶ୍ୱର୍ୟପ୍ରସକ୍ତାନାଂ ତୟାପହୃତଚେତସାମ୍ ।
ବ୍ୟବସାୟାତ୍ମିକା ବୁଦ୍ଧିଃ ସମାଧୌ ନ ବିଧୀୟତେ ॥୨-୪୪॥

ତାତ୍ପର୍ଯ୍ୟ


ଭୋଗୈଶ୍ୱର୍ୟପ୍ରସକ୍ତାନାଂ=ଭୋଗ ଓ ଐଶ୍ୱର୍ଯ୍ୟରେ ଆସକ୍ତ, ତୟା=ସେହି ପୁଷ୍ପିତ ବାଣୀଦ୍ୱାରା, ଅପହୃତଚେତସାମ୍=ଯାହାଙ୍କର ଅନ୍ତକରଣ ଅପ‌ହୃତ ହୋଇସାରିଛି; ବ୍ୟବସାୟାତ୍ମିକା=ଏକ ନିଶ୍ଚୟାତ୍ମକ, ବୁଦ୍ଧିଃ=ବୁଦ୍ଧି, ସମାଧୌ=ପରମାତ୍ମାଙ୍କ ପ୍ରତି, ନ=ନାହିଁ, ବିଧୀୟତେ=ହୁଏ ନାହିଁ ।

ସେହି ପୁଷ୍ପିତ ବାଣୀଦ୍ୱାରା ଯେଉଁମାନଙ୍କର ଅନ୍ତଃକରଣ ଅପ‌ହୃତ ହୋଇଯାଇଛି ବା ଭୋଗ ଦିଗକୁ ଆକର୍ଷିତ ହୋଇଯାଇଛି ଏବଂ ଯେଉଁମାନେ ଭୋଗ ଓ ଐଶ୍ୱର୍ଯ୍ୟରେ ଅତ୍ୟନ୍ତ ଆଶକ୍ତ, ସେହି ମାନବମାନଙ୍କର ପରମାତ୍ମାଙ୍କ ପ୍ରତି ଏକ ନିଶ୍ଚୟାତ୍ମକ ବୁଦ୍ଧି ସୃଷ୍ଟି ହୁଏ ନାହିଁ ।

ତ୍ରୈଗୁଣ୍ୟବିଷୟା ବେଦା ନିସ୍ତ୍ରୈଗୁଣ୍ୟୋ ଭବାର୍ଜୁନ ।
ନିର୍ଦ୍ୱନ୍ଦ୍ୱୋ ନିତ୍ୟସତ୍ତ୍ୱସ୍ଥୋ ନିର୍ଯୋଗକ୍ଷେମ ଆତ୍ମବାନ୍ ॥୨-୪୫॥

ତାତ୍ପର୍ଯ୍ୟ

ତ୍ରୈଗୁଣ୍ୟବିଷୟା=ତିନି ଗୁଣର କାର୍ଯ୍ୟକାରୀତାକୁ ବର୍ଣ୍ଣନା କରନ୍ତି, ବେଦା=ବେଦସମୂହ, ନିସ୍ତ୍ରୈଗୁଣ୍ୟୋ=ତ୍ରିଗୁଣାତୀତ, ଭବ=ହୋଇଯାଅ, ଅର୍ଜୁନ=ହେ ଅର୍ଜୁନ; ନିର୍ଦ୍ୱନ୍ଦ୍ୱୋ=ରାଗ ଦ୍ୱେଷଦି ଦ୍ୱନ୍ଦ୍ୱରୁ ବିରତ ହୋଇଯାଅ, ନିତ୍ୟସତ୍ତ୍ୱତ୍ସୋ=ନିତ୍ୟସତ୍ତ୍ୱ ପରମାତ୍ମାଙ୍କଠାରେସ୍ଥିତ ହୋଇଯାଅ, ନିର୍ଯୋଗକ୍ଷେମ=ଯୋଗକ୍ଷେମର ଅଭିଳାଶ ମଧ୍ୟ ରଖନାହିଁ, ଆତ୍ମ‌ବାନ୍=ପରମାତ୍ମ ପରାୟଣ ହୋଇଯାଅ ।

ବେଦରେ ତିନି ଗୁଣର କାର୍ଯ୍ୟକୁ ହିଁ ବର୍ଣ୍ଣନା କରାଯାଇଛି; ହେ ଅର୍ଜୁନ! ତୁମେ ତ୍ରିଗୁଣାତୀତ ହୋଇଯାଅ, ରାଗ, ଦ୍ୱେଷାଦି ଦ୍ୱନ୍ଦ୍ୱରୁ ରହିତ ହୋଇଯାଅ, ନିରନ୍ତର ନିତ୍ୟସତ୍ତ୍ୱ ପରମାତ୍ମାଙ୍କଠାରେସ୍ଥିତ ହୋଇଯାଅ, ଯୋଗକ୍ଷେମର ଅଭିଳାଶ ମଧ୍ୟ ରଖନାହିଁ ଏବଂ ପରମାତ୍ମପରାୟଣ ହୋଇଯାଅ ।

ଯାବାନର୍ଥ ଉଦପାନେ ସର୍ବତଃ ସମ୍ପ୍ଲୁତୋଦକେ ।
ତାବାନ୍ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ ॥୨-୪୬॥

ତାତ୍ପର୍ଯ୍ୟ

ଯାବାନ୍=ଯେତିକି, ଅର୍ଥଃ=ପ୍ରୟୋଜନ, ଉଦପାନେ=ଛୋଟ ଜଳାଶୟର ଜଳରେ, ସର୍ବତଃ=ସବୁ ଦିଗରୁ, ସମ୍ପ୍ଲୁତୋଦକେ=ପରିପୂର୍ଣ୍ଣ ବଡ଼ ଜଳାଶୟକୁ; ତାବାନ୍=ସେତିକି ପ୍ରୟୋଜନ, ସର୍ବେଷୁ=ସମସ୍ତ, ବେଦେଷୁ=ବେଦରେ, ବ୍ରାହ୍ମଣସ୍ୟ=ବ୍ରହ୍ମଜ୍ଞାନୀଙ୍କର, ବିଜାନତଃ=ବେଦ ଓ ଶାସ୍ତ୍ରମାନଙ୍କୁ ତ‌ତ୍ତ୍ୱତଃ ଜାଣୁଥିବା ।

ସବୁଦିଗରୁ ପରିପୂର୍ଣ୍ଣ ମହାନ୍ ଜଳାଶୟକୁ ପାଇବା ପରେ ଛୋଟ ଗାଡ଼ିଆ ଜଳରେ ମନୁଷ୍ୟର ସୀମିତ ପ୍ରୟୋଜନ ରହେ ଅର୍ଥାତ୍ କୌଣସି ପ୍ରୟୋଜନ ରହେନ


Reader Reviews

No reviews yet. Be the first to write one!