ସ୍ବପ୍ନଭଙ୍ଗ
ତପସ୍ବିନୀ ଚୌଧୁରୀ
ଗାଁଆକୁ ବାହାରିଲି ବାସନ୍ତୀ ପୂଜା ପାଇଁ | ଛୁଟି ଥିଲା ଦୁଇ ଦିନ | ଆଉ ଦୁଇ ଦିନ ଛୁଟି ହାତରେ ନେଇ ସବୁ ବର୍ଷ ଯାଏ, ବାସନ୍ତୀ ପୂଜା ଆମ ଗାଁରେ ପ୍ରତିବର୍ଷ ଖୁବ୍ ଧୂମଧାମରେ ପାଳନ ହୁଏ | ଆମ ଘର ହିଁ ପୂଜାର ସମସ୍ତ ଦାୟିତ୍ବ ବହନ କରନ୍ତି | ଆମ ଘର ଆଗରେ ମେଲଣ ପଡିଆ, ସେଇଠି ରାମଲୀଳା ନଅ ଦିନ ଧରି ଖୁବ୍ ସମାରୋହରେ ପାଳିତ ହୁଏ | ପାଖ କେତେଖଣ୍ଡ ଗାଁରୁ ଲୋକମାନେ ମଧ୍ୟ ଆସନ୍ତି ଏ ପ୍ରସିଦ୍ଧ ରାମଲୀଳା ଦେଖିବା ପାଇଁ | ଆଉ କାଳେ ଆମ ଜେଜେ ଏ ରାମଲୀଳା କରେଇବାର ପରମ୍ପରା ଆରମ୍ଭ କରିଥିଲେ |
ଛୋଟ ବେଳେ କି ସେ ରାମଲୀଳାର ଆଗ୍ରହ ! ତାଠୁ ବେଶୀ ଆଗ୍ରହ ବୋଉଠୁ ପଇସା ନେଇ ମିଶିକି ଚାଟ୍ ଦହିବରା ବର ଗଛର ସିଅରେ ବସି ଖାଇବା ଓ ମନ ପସନ୍ଦର ଖେଳଣା କିଣିବା | ଆମଘର ଛାତ ଉପରେ ବସିଲେ ଭଲ ଭାବରେ ଯାତ୍ରା ଦେଖି ହେବ | ହେଲେ ମୁଁ ଓ ମୋ ପିଉସୀ ଝିଅ ଅଳ୍ପ ଦେଖିଥିବୁ କି ନାହିଁ, ସେଇଠି ଶୋଇ ପଡ଼ିବୁ ଆଉ ସକାଳ ହେଲେ ଅଭିମାନ ଭର୍ତ୍ତି ଯେ ଆମକୁ କାହିଁକି ଉଠାଇଲନି? ଏ ତ ଗଲା ପିଲାଦିନର କଥା ବହୁତ କିଛି ବଦଳି ଗଲାଣି ଆ ଭିତରେ |
ଗାଁରେ ଏଇ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଆଉ ବାସନ୍ତୀ ପୂଜା ଧୂମଧାମରେ ହେଉନି, ଖାଲି ଯା ପୂଜାର ରୀତିନୀତି ବଜାୟ ରଖି ପୂଜା ସମାପନ ହେଉଛି |
ଘର ପାଖରେ ପହଞ୍ଚିଗଲେ ଛୋଟ ପିଲାମାନେ ମୋ ପୁତୁରା ଝିଆରୀ ସବୁ ଘେରି ଯାଆନ୍ତି, ମୁଣ୍ଡିଆ ମାରି ପଚାରନ୍ତି ଦେଇ, ତୁ ରହିବୁ ତ? ଏ ତକ କହି ମୋଠୁ ଝିଅକୁ ନେଇ କାଖେଇ ବୁଲେଇବାକୁ ବାହାରି ଯାଆନ୍ତି | ମୋତେ ଭାରି ଭଲ ଲାଗେ ଛାତି ପୂରିଯାଏ |
ଘରେ ପହଞ୍ଚିଛି କି ନାହିଁ ରାମୁ କକେଇ ପହଞ୍ଚି ସମସ୍ତଙ୍କୁ ଖାଇବା ପାଇଁ ଡାକିଲେ | କକେଇ ମୋତେ ଦେଖି ଖୁସି ହେଇଗଲେ ଆଉ ପଚାରିଲେ ମା’ ଏବେ ପହଁଞ୍ଚିଲୁ? ମୁଣ୍ଡିଆ ମାରି ପଚାରିଲି କକେଇ ଆପଣ ଭଲ ଅଛନ୍ତି? ସେ ହଁ ରେ ମା କହି ଜଲଦି ପହଞ୍ଚିବାକୁ ତାଗିଦ୍ କରି ଚାଲିଗଲେ |
ରାମୁ କକେଇ ମୋ ବାପାଙ୍କ ବଡବାପାଙ୍କ ପୁଅ ତାଙ୍କ ନାଁ ରାମଚନ୍ଦ୍ର ଓ ଆଉ ସାନ କକେଇ ଙ୍କ ନାଁ ଲକ୍ଷ୍ମଣ |
ମନେ ପଡିଗଲା ମୋର, ସତରେ ତ ଆଜି ସାନବୋଉଙ୍କ ଶ୍ରାଦ୍ଧ | ମନେ ପଡୁଥିଲା ଜଳଜଳ କରି ସେ ବିଗତ ଦିନର କଥା ସବୁ | ସାନବୋଉ ବାହା ହେଇ ଆସିଲା ବେଳେ ମୁଁ ଛୋଟ ଥିଲି ଆଉ ଯାଇ ବସୁଥିଲି ତାଙ୍କ ପାଖରେ ସଜ ହେବା ଲୋଭରେ | ସେ ବି ମନ ଜାଣି ସଜ କରି ଗୋଟେ ଗେଲ କରି ଦିଅନ୍ତି ଗାଲରେ ....
ମୋ ପାଇଁ ସବୁଠୁ କୌତୂକୁଳ ଥିଲା କକେଇ ଓ ସାନ ବୋଉଙ୍କ ନାଆଁ | ଟିକିଏ ବଡ ହେଲା ପରେ ପଚାରେ ସାନ ବୋଉ ତମେ କେମିତି ସୀତା ହେଲ ଓ କକେଇ କେମିତି ରାମ? ସାନ ବୋଉ ହସି ଦିଅନ୍ତି ଆଉ କୁହନ୍ତି ଏ ପରା ଉପର ବାଲାର ଖେଳ |
ସତରେ ରାମୁ କକେଇ ଓ ସୀତା ସାନ ବୋଉଙ୍କ କଥା ଯେତେ ବି କହିଲେ କମ୍ ହେବ | ତ୍ଯାଗ, ଆଦର୍ଶ, ବଳିଦାନ ସବୁଥିରେ | କୋଳକୁ ପୁଅଟିଏ ବି ଆସିଲା | କକେଇ ତାଙ୍କ ସୀମିତ ରୋଜଗାରର ବଡ଼ଭାଗ ଖର୍ଚ୍ଚ କରନ୍ତି ଲକ୍ଷ୍ମଣ କକେଇଙ୍କ ପଢ଼ାରେ ଓ ସଉକରେ | ଲକ୍ଷ୍ମଣ କକେଇ ଭଲ ଚାକିରୀଟିଏ ମଧ୍ୟ ଆମ ବ୍ଲକରେ କଲେ ଆଉ ନିଜେ ସ୍ଥିର କରିଥିବା ଝିଅଟିକୁ ବିବାହ କରିବାକୁ ପ୍ରସ୍ତାବ ରଖିଲେ | ରାମୁ କକେଇ ଯଦିିଓ ସେ ଝିଅର ଉଦ୍ଧତାମୀ ସଂପର୍କରେ ଶୁଣିଥିଲେ ତଥାପି ସାନ ଭାଇର ଖୁସି ପାଇଁ ମନା କରି ପାରିଲେନି | ତାଙ୍କ ବାପାଙ୍କ ଅନ୍ତିମ ଶଯ୍ୟାର ସେଇ କଥା... ସାନ ଭାଇର ମନରେ କେବେ ଦୁଃଖ ଦେବୁନି | ବାହାଘର ଧୂମଧାମରେ କକେଇ କଲେ | ସହଜେ ଜମିଦାର ଘର ପୁଣି ଭାଇର ବି କିଛି ଖୁସି ଅଛି | ସୀତା ସାନବୋଉଙ୍କ ପ୍ରାୟ ଗହଣା ସାନ ସାନବୋଉଙ୍କୁ ଉପହାର ଦିଆ ଯାଇଥିଲା ଆଉ ବାହାଘର ପାଇଁ କକେଇ ସଞ୍ଚିତ ଅର୍ଥ ସହିତ ଧାରଉଧାର ମଧ୍ୟ କରିଥିଲେ |
କିନ୍ତୁ ସବୁକିଛି ବଦଳିଗଲା ସେ ସାନ ସାନବୋଉଙ୍କ ଆସିବା ପରେ | ସବୁ ଦିନ ତିଳକୁ ତାଳ କଲେ , ଆତ୍ମବଡିମା ଦେଖାଇ କହନ୍ତି ଆମେ ପରା ସୁନାରେ ରୂପାରେ ଚାଲୁ ! ଅନେକ ମନ୍ଦବୁଦ୍ଧି କରନ୍ତି, କେତେବେଳେ ସୀତା ସାନବୋଉଙ୍କ ତରକାରୀରେ ମୁଠାଏ ଲୁଣ ପକାନ୍ତି ତ କେତେବେଳେ ମୁଠାଏ ବାଲି ଭାତରେ | ନାକେଦମ୍ ହୁଅନ୍ତି ସୀତା ସାନବୋଉ , ସବୁ ସହିଯାଆନ୍ତି , ଭାବନ୍ତି ସେ ବଦଳିଯିବନି ମୋ ଭଲ ପାଇବାରେ? କେବେ ଘର ଭାଙ୍ଗି ନ ଯାଉ, କକେଇଙ୍କ ଆଦର୍ଶ ପଣିଆ ଓ ମର୍ଯ୍ଯାଦାରେ ଦାଗ ନ ଲାଗୁ ! ରାମୁ କକେଇଙ୍କୁ ମଧ୍ୟ ଜଣାନ୍ତିନି ତାଙ୍କ ଚଞ୍ଚକତା ବିଷୟରେ |
ଏ ଭିତରେ ପାଞ୍ଚବର୍ଷ ବିତିଗଲା ପରେ ଅନେକ ଡାକ୍ତରଙ୍କ ଅତ୍ଯାଧୁନିକ ଚିକିତ୍ସା ପରେ ମଧ୍ୟ କୋଳକୁ ସନ୍ତାନଟିଏ ଆସି ପାରି ନ ଥିଲା | କିନ୍ତୁ ସବୁବେଳେ ଶୋଇ ରୁହନ୍ତି ଆଉ କୁହନ୍ତି ଡାକ୍ତର ପରା ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି | ନିଜେ ରାମୁ କକେଇ ଓ ସୀତା ସାନ ବୋଉ ମଧ୍ୟ ତାଙ୍କ ପାଇଁ ବହୁ କଷ୍ଟ କରିଛନ୍ତି ପିଲାଟିଏ ଆସିବା ପାଇଁ | କିଛିଦିନପରେ ସୀତା ସାନ ବୋଉଙ୍କର ଗୋଟେ ଡଉଲ ଡାଉଲ ଝିଅଟିଏ କୋଳକୁ ଆସିଲା |ସାନବୋଉ ଦିନକୁ ଦିନ କ୍ଷୀଣ ହେବାରେ ଲାଗିଲେ ା ତଥାପି ସେ ବିନାଦ୍ବିଧାରେ ସବୁ କାମ କରି ଚାଲନ୍ତି | ସେଇ ଦିନଟିକୁ କିଏ ଭୂଲିବ? ସାନ ସାନ ବୋଉ ତାଙ୍କ ବାପଘର ବୁଲି ଯାଇଥିଲେ ଆସି ପହଞ୍ଚିଲେ ବାସନ୍ତୀ ପୂଜା ପାଇଁ .. କିଛି ପ୍ରଳୟର ବୁଦ୍ଧି ସାଙ୍ଗରେ ନେଇ |
ସବୁ ଦିନ ପରି ସୀତା ସାନବୋଉ ତାଙ୍କ ବେଡ୍ ରୁମ୍ ରେ ରାତ୍ରି ଖାଇବା ଥୋଇ ଦେଇ ଆସିଥିଲେ | କିଛି ସମୟ ପରେ ସେ ଘରୁ ପାଟି ଶୁଭିଲା ଆଉ ସମସ୍ତେ ସେଠି ଗଦା ହୋଇଗଲେ ଯାହା ସେ କହିଲେ ସମସ୍ତେ ସ୍ତବ୍ଧ ହୋଇଗଲେ | କହିଲେ ଏ ଖାଇବାରୁ ବିଷର ବାସ୍ନା ଆସୁଛି | ମୋତେ ମାରିଦେବାକୁ ଏ ଖାଦ୍ୟ ଦେଇଛନ୍ତି | ସେ ଖାଦ୍ୟ ପରୀକ୍ଷା କଲା ବେଳକୁ ବିଷାକ୍ତ ବୋଲି ଜଣା ମଧ୍ୟ ପଡ଼ିଲା | ସରଳ, ନୀରିହ, ନିଷ୍କପଟ ସୀତା ସାନ ବୋଉ ନୀରବ ରହିଗଲେ | କିନ୍ତୁ ରାମୁ କକା ଅସମ୍ଭବ ଭାବରେ କ୍ରୋଧିତ ହୋଇ ଏକ କଠୋର ନିଷ୍ପତ୍ତି ନେଇଥିଲେ କି ତାଙ୍କୁ ତ୍ଯାଗ କରିବାକୁ | ଏତିକି ଶୁଣିବା ପରେ ସୀତା ସାନବୋଉଙ୍କର ବୋଧହୁଏ ର୍ଧୈଯ୍ଯବନ୍ଧ ଭାଙ୍ଗିଗଲା | ହଠାତ୍ ମୂର୍ଚ୍ଛା ଗଲେ ଯେ ତେତା ଫେରିଲାନି ତାଙ୍କୁ ହସ୍ପିଟାଲ୍ ନିଆଗଲା, ଡାକ୍ତର କହିଲେ ଅବସ୍ଥା ସଙ୍କଟାପନ୍ନ ତାଙ୍କ ହୃଦୟରେ ଗୋଟିଏ ବଡ କଣା, ତାଙ୍କୁ କୌଣସି ମାନସିକ ଚାପ ନେବା କଥା ନୁହେଁ ଓ ଚିକିତ୍ସା ରେ ରହିବାର ଥିଲା |
ସେ ହସ୍ପିଟାଲ୍ ରେ ରହିବା ଭିତରେ ସାନସାନ ବୋଉଙ୍କ ବାପ ଘରୁ ଫୋନ୍ ଆସିଥାଏ | ସେତେବେଳେ ଲ୍ୟାଣ୍ଡ ଲାଇନ୍ ଫୋନ୍ ତା’ର ଆଉ ଗୋଟେ କନେକ୍ସନ ଡ଼୍ରଇଁ ରୁମରେ ଯୋଗକୁ ସାନ ସାନ ବୋଉ ଜାଣି ନ ଥିଲେ ସେଠି ମୋ ବାପା ଡ୍ରଇଁ ରୁମ୍ ରେ ବୋଲି .. | ବାପା ସେଠି ଥିଲେ ସାନ ବୋଉଙ୍କ ଅବସ୍ଥା ସଂପର୍କରେ ଜାଣିବା ପାଇଁ | ଆଉ ବାପା ହିଁ ଫୋନ୍ ଉଠାଇଲା ପରେ ଯାହା ଶୁଣିଲେ ସମସ୍ତଙ୍କୁ କହିଲେ ଓ ମିଶି କି ସାନ ସାନବୋଉଙ୍କ ଆଲମାରୀ ଖୋଜି ବିଷର ପୁଡ଼ିଆ ପାଇଲେ ଯାହାକୁ ତାଙ୍କ ମା’ ଦେଇଥିଲେ ଏସବୁ ବିଭ୍ରାଟ ରଚିବାକୁ | ରାମୁ କକେଇଙ୍କୁ ବାପା ଓ ଅନ୍ଯମାନେ ଫୋନରେ ଏ କଥା ଜଣାଇଥିଲେ | ତାପରେ ତିନି ଚାରି ଦିନ ହସ୍ପିଟାଲରେ ରହି ଏଇ ରାମ ନବମୀ ରେ ହିଁ ସୀତା ସାନବୋଉ ଅଭିମାନରେ ସବୁଦିନ ପାଇଁ ଆଖି ବୁଜିଦେଲେ ଛାଡି ଦେଲେ ଦୁଇଟି ସନ୍ତକ |
ରାମୁକକେଇ ସେମିତି ରହିଗଲେ ଦ୍ବିତୀୟ ବିବାହ ନ କରି , ଏକ ପତ୍ନୀ ବ୍ରତ ରେ ଦୁଇଟି ଛୁଆଙ୍କୁ ଅନେଇ |
ଲକ୍ଷ୍ମଣ କକେଇ ସବୁକିଛି ଭାଗ ବଣ୍ଟା କରି ଅଲଗା ହୋଇଗଲେ ମାଆ ନ ଥିବା ଛୁଆ ଦୁଇଟିଙ୍କୁ ଆଡ ଆଖିରେ ଅନାଇଲେନି | ତଥାପି ରାମୁକକା ବଦଳି ନ ଥିଲେ, ଆମେ ତାଙ୍କ ଘରେ ଶ୍ରାଦ୍ଧ ଖାଇବାକୁ ପହଞ୍ଚିଲା ବେଳକୁ ଶୁଭୁଥିଲା ତାଙ୍କ ଡାକ.... ଲକ୍ଷ୍ମଣ ଆ ... ମିଶି କି ଖାଇବା ଆଉ ଅନେକ ସମୟ ଡାକିବା ପରେ ବି ଉତ୍ତର କିଛି ଆସୁ ନ ଥିଲା |