ଈଶ୍ବର ବିଶ୍ବାସ
ମୂଳ ରଚନା - ଭୋଲା ୟାମିନୀ, ଅନୁବାଦ - ଶରତ କୁମାର ରାଉତ
ବହୁ ପୂରୁଣା ଯୁଗର କଥା | କୌଣସି ଏକ ନଗରୀରେ ଏକ ଭିକାରୀ ରହୁଥିଲା | ସକାଳ ହେବା କ୍ଷଣି ନିଜର ନିତ୍ଯକର୍ମ ସାରି ଚିତା-ଚନ୍ଦନ ଲଗାଇ ବାହାରି ଯାଉଥିଲା ସେ | ପ୍ରତ୍ଯେକଙ୍କ ଘର ଦୁଆର ପାଖରେ ପହଂଚି ଥରେ ମାତ୍ର କହୁଥିଲା, ଦେବାବାଲା ଭଗବାନ, ଆମେ ସବୁ ତାଙ୍କ ସନ୍ତାନ ! ଭିକାରୀର ନାମ ଥିଲା ‘କୃପାଳ’ ତାକୁ ଯାହା କିଛି ମିଳିଯାଏ, ସେଥିରେ ସେ ଖୁସି ହେଉଥିଲା |
ତା’ର ଜଣେ ସାଙ୍ଗ ଜଗନ୍ନାଥ ମଧ୍ଯ ଭିକାରୀ ସେ ପ୍ରତ୍ଯେକଙ୍କ ଘର ପାଖରେ ପହଞ୍ଚିକହୁଥିଲା, ଦେବାବାଲା ମହାରାଜ, ଆଜିର ଭୋଜନ ସେ ହିଁ ଦେବେ !
କୃପାଳ ଓ ଜଗନ୍ନାଥ ଭିକ ମାଗିବାକୁ ରାଜାଙ୍କ ମହଲ ବି ଯାଉଥିଲେ | ରାଜା ଅଧିକାଂଶ ସମୟରେ ଏହି ଦୁଇ ଜଣଙ୍କ ଡ଼ାକ ଶୁଣନ୍ତି ଓ ସେମାନଙ୍କୁ ଭିକ ଦିଅନ୍ତି କିନ୍ତୁ ସେ ଭାବନ୍ତି, ଏହି ଦୁଇ ଭିକାରୀଙ୍କ କଥାରେ କେତେ ସତ୍ଯତା ଅଛି?...କାହା କଥା ସତ୍ଯ?....ମଣିଷକୁ ସବୁକିଛି ଦେବା ଭଗବାନଙ୍କ ହାତାର ନା ମହାରାଜାଙ୍କ ହାତରେ ?
ଦିନେ ମହାରାଜା ଏକ ଉପାୟ ବାହାର କଲେ ସେ ଏକ ବଡ଼ ଅମୃତଭଣ୍ଡା ଆଣିଲେ | ସେଥିରୁ ଏକ ଛୋଟ ଖଣ୍ଡ କାଟି ତା’ ଭିତରେ ଏକ ସ୍ବର୍ଣ୍ଣ ମୁଦ୍ରା ପୁରାଇ ଦେଲେ | କଟା ଛୋଟ ଖଣ୍ଡକୁ ପୂର୍ବପରି ଅମୃତଭଣ୍ଡାରେ ଯୋଡ଼ି ଦେଲେ ସେତିକିବେଳେ କୃପାଳ ଭିକ୍ଷା ପାଇଁ ସେଠାରେ ପହଞ୍ଚିଲା | ରାଜା ତାକୁ ଡ଼ାଲି, ଚାଉଳ ଦେଇ ବିଦା କଲେ | ପରେ ପରେ ଜଗନ୍ନାଥ ଖଞ୍ଜଣୀ ବଜାଇ ବଜାଇ ରାଜନଅରକୁ ଆସିଲା ଓ ଡ଼ାକଦେଲା, ଦେବାବାଲା ମହାରାଜ, ଆଜିର ଭୋଜନ ସେ ହିଁ ଦେବେ !
ମହାରାଜା ତାକୁ ପାଖକୁ ଡ଼କାଇ ସ୍ବର୍ଣ୍ଣ ମୁଦ୍ରା ଥିବା ଅମୃତଭଣ୍ଡାକୁ ଭିକ୍ଷା ଆକାରରେ ଦେଲେ ଜଗନ୍ନାଥ ସେହି ଅମୃତଭଣ୍ଡାକୁ ନିଜେ ନଖାଇ 2 ଅଣାରେ ଜଣେ ପରିବା ଦୋକାନୀକୁ ବିକି ଦେଲା | ମିଳିଥିବା ପଇସାରେ ନିଜର ଭୋଜନ ଯୋଗାଡ଼ କରିନେଲା | ସେ ଜାଣିଥିଲା, ଅମୃତଭଣ୍ଡା ତା’ର କୌଣସି କାମରେ ଆସିବ ନାହିଁ !
ଏହାର କିଛି ସମୟ ପରେ କୃପାଳ ସେହି ପରିବା ଦୋକାନ ପାଖରେ ପହଞ୍ଚିଲା | ସ୍ବଭାବିକ ଭାବେ ସେ ଭିକ୍ଷା ମାଗିଲା | ପରିବା ଦୋକାନୀ ସେହି ଅମୃତଭଣ୍ଡାକୁ ତା’ ହାତରେ ଭିକ୍ଷା ସ୍ବରୂପ ଦେଇ ଦେଲା | କୃପାଳ ତାର ମଙ୍ଗଳ ମନାସି ଫେରିଲା |
ନିଜ ଘରେ ପହଞ୍ଚି କୃପାଳ ସେହି ଅମୃତଭଣ୍ଡା କାଟିବା ବେଳେ ଏକ ସ୍ବର୍ଣ୍ଣମୁଦ୍ରା ଦେଖି ଆଶ୍ଚର୍ଯ୍ଯ ହୋଇଗଲା | ସଙ୍ଗେ ସଙ୍ଗେ ସେ ସ୍ବର୍ଣ୍ଣ ମୁଦ୍ରାଟି ଧରି ପରିବା ଦୋକାନୀ ପାଖରେ ପହଞ୍ଚିଲା | ତାକୁ ସ୍ବର୍ଣ୍ଣ ମୁଦ୍ରାଟି ଧରାଇ କହିଲା, ଭାଇ, ଏହା ତୁମେ ମତେ ଭିକ୍ଷାରେ ଦେଇଥିବା ଅମୃତଭଣ୍ଡା ଭିତରୁ ବାହାରିଲା ! ଏଥିରେ ମୋର କୌଣସି ସଂପର୍କ ନାହିଁ ! ତୁମ ଧନ ତୁମେ ରଖ!...
ପରିବା ଦୋକାନୀ ମଧ୍ଯ ସଚ୍ଚୋଟ ଥିଲା ସେ କହିଲା, ଏହି ଅମୃତଭଣ୍ଡା ମତେ ଜଗନ୍ନାଥ ବିକିଥିଲା ! ତେଣୁ ଏହି ସ୍ବର୍ଣ୍ଣ ମୁଦ୍ରାଟି ନିଶ୍ଚୟ ତା’ର ହେବ!..
ଦୁହେଁ ଜଗନ୍ନାଥ ପାଖରେ ପହଞ୍ଚିବା ପରେ ସେ କହିଲା, ସେହି ଅମୃତଭଣ୍ଡାକୁ ମହାରାଜା ତ ମତେ ଭିକରେ ଦେଇଥିଲେ !
ଏଥର ତିନିଜଣ ମିଶି ମହାରାଜାଙ୍କ ପାଖରେ ପହଞ୍ଚିଲେ ରାଜା ଏମାନଙ୍କୁ ଦେଖି ଆଶ୍ଚର୍ଯ୍ଯ ହେଲେ | ସଂପୂର୍ଣ୍ଣ କାହାଣୀ ଶୁଣି ମହାରାଜାଙ୍କୁ ବିଶ୍ବାସ ଆସିଗଲା ଯେ, ମଣିଷ କେବଳ ଈଶ୍ବରଙ୍କ ଉପରେ ହିଁ ବିଶ୍ବାସ କରିବା ଉଚିତ ! କାରଣ ଆମ ସମସ୍ତଙ୍କୁ ସବୁକିଛି ଭଗବାନ ହିଁ ଦେଉଛନ୍ତି! ମହାରାଜା ସମସ୍ତଙ୍କୁ ଯଥାଯୋଗ୍ଯ ଉପହାର ଦେଇ ବିଦା କଲେ |
ଆଉ ସେଦିନ ଠାରୁ କୃପାଳ ସହିତ ଜଗନ୍ନାଥ ମଧ୍ଯ କହିବାକୁ ଲାଗିଲା, ଦେବା ବାଲା ଭଗବାନ, ଆମେ ସବୁ ତାଙ୍କ ସନ୍ତାନ !