You can write and publish your own articles here.
Please download the app to get started.

Download App


ସାଧବଘର ବୋହୂ କଥା

ମଧୁସୂଦନ ରାଓ

ଗୋଟିଏ ସାଧବଟିଏ ଯେ ତାର ସାତ ପୁଅ ସାତ ବୋହୂ । ସବା ସାନ ବୋହୂଟିକି କେହି ଦେଖିପାରନ୍ତି ନାହିଁ । ଏକା ସ୍ୱାମୀଟି ଭାରୀ ଦେଖିପାରେ । ସମସ୍ତେ ସକାଳୁ ଗାଧୋଇ ପାଧୋଇ ଆସନ୍ତି, ସାନ ବୋହୂଟି ଅଢ଼େଇ ପ‌ହରେ ଗାଧୋଇ ଯାଏ । ଗାଧୋଇ ଆସେ, ସେଠାରେ ଠାକୁର ଥାଆନ୍ତି ନଈପାଖେ,ସାନବୋହୂ ଦିଅଙ୍କଠାରେ ଦଣ୍ତବତ କରେ, କ‌ହେ "ଶ‌ଶୂର ହୋଇବେ ଗାଁ ରାଜନ ଲୋ ଶାଶୁ ହୋଇଥିବେ ରାଣୀ, ଛ ଦେଢ଼ସୁର ଛ ସାଆନ୍ତ ଲୋ ଛଅ ଯାଆ ସାଆନ୍ତାଣୀ, ମୋ ଗିରସ୍ତ ହେବ କନ‌କରାଜନ ମୁଁ ହେବି ପାଟରାଣୀ । ପୁଅ ବେଇଥିବି ରାଜକୁମର ଲୋ, ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନାଟଭା ଗଛ ନ‌ଗୀ ଧରି ଫୁଲ ତୋଳିବ । ଦିଅଁ ହୋଇବ ? ଦିଅଁ କ‌ହନ୍ତି ହଁ ହୋଇବ । ଏପରି ସବୁଦିନେ କ‌ହେ, ଦିଅଁ କ‌ହନ୍ତି ହଁ ହୋଇବ । ଦିନ‌କର ଛ ଯା ଯାକ ଶୁଣିଲେ, ଯାଇକରି ମିଛରେ ଶାଶୁ ଆଗରେ କ‌ହିଲେ, ସାନ୍ତାଣି ଶୁଣିଲଣି ତମ ସାନ‌ବୋହୂ କଣ କ‌ହୁଚି । ଶାଶୁ କ‌ହିଲା କଣ କ‌ହୁଚି ? କ‌ହୁଚି, ଛ ଦେଢ଼ସୁର ଛ ମୂଲିୟା ଲୋ ଛ ଯାଆ ମୂଲିଆଣି ଶାଶୁର ହୋଇବେ ଗାଁର ମଳିକ, ଶାଶୁ ହେବେ ମଳିକାଣୀ, ମୋ ଗିରସ୍ତ ହେବ କ‌ନ‌କରାଜନ ମୁଁ ହେବି ପାଟରାଣୀ, ପୁଅ ବେଇଥିବି ରାଜକୁମାର ଲୋ ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନା ଟଭାଗଛ ନଗୀ ଧରି ଫୁଲ ତୋଳିବ । ସେ ପଚାରେ ଦିଅଁ ହୋଇବ? ସେ ଦିଅଁଟା କହେ ହଁ ହୋଇବ । ଶାଶୁ ଶଶୁର ସମସ୍ତେ କହିଲେ ସାନ ବୋହୁକୁ ଘରୁ ତଡ଼ିଦିଅ । ତା ସ୍ୱାମୀ ଆଗରେ କହିଲେ । ସ୍ୱାମୀ କହିଲା ହଁ ତଡ଼ିଦେବ ସେ, ରହିଥାଅ ବୁଝିବା, ଶୁଣିବା ଲୁଚିକରି ସେ କଣ କହିବ, ତେବେ ଯାଇ ତଡ଼ିଦେବ, ବୃଥାରେ କାହିଁକି ସେମନ୍ତି ହେଉଚ ? ସମସ୍ତେ ତୁନିତାନି ହୋଇ ରହିଲେ । ତହିଁ ଆରଦିନ ସାନବୋହୂ ଗାଧୋଇ ଗଲାବେଳେ ଶାଶୁ, ଛ ଯା, ୟା ବର ଲୁଚିକରି ରହିଲେ । ଏ ଗାଧୋଇ ଆସି ଠାକୁରଙ୍କଠାରେ ଦଣ୍ଡବତ କଲା ବେଳେ କହିଲା, ଶଶୁର ହୋଇବେ ଗାଁ ରାଜନ ଲୋ, ଏହିପରି ସବୁଦିନେ ଯେମନ୍ତି କହେ ସେମନ୍ତି କହିଲା । ଦିଅଁ କହିଲେ ହଁ ହୋଇବ । ସାନବୋହୂ ଘରକୁ ଆସିଲା, ଏ ସବୁ ଘରକୁ ଆସିଲେ ଏହାର ବର କହିଲା, ସେତ ଏହା କହିଲା, ତେମେ ସବୁ କେମନ୍ତି ଅନ୍ୟ ପ୍ରକାର କହିଲ ? ଆଜି ଏହା କହିଲ, ଆଉ କେଉଦିନ ଆଉ କଣ କହିବ । ଦିଅ ତାକୁ ବାହାର କରିଦିଅ, ମତେ ବାହାର କରିଦିଅ, ଆମେ ଯାଉଛୁଁ । ଏହା କହି ସ୍ୱାମୀ ସ୍ତ୍ରୀ ଦୁହେଁଯାକ ଗଲେ ଘରୁ ବାହାରି । ଯାଇଁ ଆଉ ଗୋଟିଏ ରାଇଜରେ ଗୋଟାଏ ବରଗଛ ମୂଳରେ ବସିଚନ୍ତି, ସେ ରାଇଜର ରଜା ମରି ଯାଇଥାଏ ଯେ ହାତୀ ମୁଣ୍ଡରେ କଳଶ ଦିଆ ହୋଇଥାଏ, ଯାହା ଉପରେ ହାତୀ କଳଶ ଢାଳିବ ସେ ରାଜା ହେବ ।

ହାତୀ କଳଶ ଘେନି ବୁଲୁଥାଏ, ଦେଖିଲା ଏ ଦୁହେଁ ବରଗଛମୂଳେ ବସିଚନ୍ତି, ୟାଙ୍କ ଉପରେ କଳଶ ଢାଳିଦେଲା, ୟାଙ୍କୁ ଉପରେ ଟେକି ବସାଇଲା, ନେଇ ସେ ରାଇଜରେ ରଜା କରାଇଲା । ଏ ରଜା ହେଲା, ଭାରିଯା ପାଟରାଣୀ ହେଲା, ରହିଲେ । ପୁଅ ଜନ୍ମ ହେଲା, ପୁଅର ନା ଦେଲେ, ଖଡ଼ିଛୁଆଁ, କାନବିନ୍ଧା ହେଲା । ପୁଅ ବଢ଼ିଲା, ଦୁଆରେ ଗୋଟାଏ ଟଭାଗଛ ଲଗାଇ ଥାଏ, ପୁଅ ହାତରେ ଖଣ୍ଡିଏ ଆଙ୍କୁଡ଼ୀ ଦେଇଥାଏ, ପୁଅ ଫୁଲ ତୋଳୁଥାଏ, ଗୀତ ବୋଲୁଥାଏ | ପୋଖରୀ ଖୋଳା ଲାଗିଥାଏ, ଏହିପରି ଭାରୀ କାରଖାନା ଲାଗିଚି ତାର। ଏ ସାଧବ ଘର ବରାବରି ମାଗି ଖାଇଗଲାପରି ଗଲେ ପେଟକୁ ଦାନା ଅଣ୍ଟିଲା ନାହିଁ, ଗାଣ୍ଡିକି କନା ମିଳିଲା ନାହିଁ। ଶୁଣି ପାଇଲେ କୋଉ ଦେଶରୁ ଜଣେ ନୂଆ ରଜା ଆସିଚି ଯେ ପୋଖରୀ ଖୋଳାଉଚି, କୂଅ ଖୋଳାଉଛି, ସବୁ ଦାନ ଧର୍ମ କରୁଚି। ଏମାନେ କହିଲେ ଆମର ଚାଲ ମାଟି ବୋହିବା ଯେ ମୂଲ ଆଣି ପେଟ ପୋଷିବା। ଛଅ ବୋହୂଯାକ, ଶାଶୁ ଶ୍ୱଶୁର, ଛ ପୁଏ, ସମସ୍ତେ ଗଲେ, ଯାଇ ପୋଖରୀ ଉପରେ ବସିଲେ। ଯେ କଡ଼ାକିଆ [] ପକାଉଥିଲା, ତାକୁ କହିଲେ ଯା ତମ ସାଆନ୍ତାଣୀଙ୍କି କହିବ ସାତଜଣ ମରଦ ସାତଜଣ ମାଈପେ ଆସିଛନ୍ତି ତାଙ୍କୁ ମାଟି ବୁହାଇବେ? ଜଣେ ଚାକିରିଆ ଯାଇ ରଜାଙ୍କୁ କହିଲା, ରଜା କହିଲେ ଯା ରାଣୀକି ପଚାରିବୁ। ରାଣୀକି ଆସି ସେଇୟା କହିଲା, ରାଣୀ କହିଲେ ହଉ ସେ ମାଟି ବୋହନ୍ତୁ। ଏ ଜାଣିପାରିଲା, ଉପର ମହଲାକୁ ଚଢ଼ିଗଲା, ଦେଖିକରି ଆସିଲା; କହି ପଠାଇଲା ଯୋଉ ବୁଢ଼ା ବୁଢ଼ୀ ଦୋଟି, ତାଙ୍କୁ ଅଳପ ମାଟି ଦେବ, ଯୋଉ ଛଅଟା ମରଦ, ଛଅଟା ମାଈପେ, ତାଙ୍କ ମୁଣ୍ଡରେ ଖୁବ ମଜଭୂତ୍ ବୋଝେ ଲେଖାଁ ଲଦିଦେବ। ଏମାନେ ମାଟି ବୋହିଲେ; ଖୁବ ବୋଝେ ଲେଖାଁ ମାଟି ନିଅନ୍ତି, କଉଡ଼ି କଡ଼ାଏ ପାନ୍ତି। ଏ କଣକଲା, ଏଣେ ପୁଝାରି ପାଖକୁ କହି ପଠାଇଲା, ଆଜି ବେଶୀକରି ରୋଷାଇ ବାସ କରିବ, ଭଲ ୨ କରି ତରକାରି କରିବ, ସବୁ ଆଣିବ ଇଆଡ଼େ ଦେଇଯିବ। ପୂଝାରି ରୋଷାଇବାସ କରି ରାଣୀଙ୍କ ଉଆ ସରେ ଦେଇ ଆସିଲା । ଏ ଚାକରକୁ କ‌ହିଲା ସେ ଯୋଉ ସାତ ଜଣ ମରଦ ସାତଜଣ ମାଇପେ ଆସିଛନ୍ତି, ତାଙ୍କୁ ଡାକି ଆଣ; ଚାକର ଡାକି ଆଣିଲା । ଏ କଣ କଲା, ସାତଜଣ ଭଣ୍ଡାରି, ସାତ ଗିନା ତେଲ, ସାତ ଯୋଡ଼ା ପାଟ‌ଯୋଡ଼ ୟାକୁ ସବୁ ସାତ ମରଦଙ୍କପାଇଁ ପଠାଇଲା; ସାତ ମାଇପିଙ୍କ ପାଇଁ ସାତ କାଠୁଆ ହଳଦି, ସାତ ଗିନା ତେଲ ସାତୁଟା ପୋଇଲୀ, ସାତଖଣ୍ଡ ପାଟଶାଢ଼ୀ ପଠାଇଦେଲା । ସେ ସବୁ ଲଗେଇ ପଗେଇ ହୋଇ ଗାଧୋଇ ପାଧୋଇ ଆସିଲେ, ଆଉ ଏ ସାନବୋହୂ ସାନ ପୁଅ ବୋଲି ଜାଣନ୍ତି ନାହିଁ, ମନେ ମନେ ହେଉଥାନ୍ତି ସମସ୍ତେ ଏ ଆମକୁ ଏପରି ସବୁ କାହିଁକି କରୁଚି, ଏ କଣ ଆମକୁ ଆଉ ମାରି ପାଇବ କି? ଏପରି ମନରେ ପାଞ୍ଚି ହେଉଥାଆନ୍ତି । ଯୋଉଠୁଁ ଏମାନେ ଗାଧୋଇ ଆସିଲେ ଦେଖିଲା, ଦିଇଟା ଘରେ ଠା ପିଢ଼ା କଲା, ଶଶୁର ଆଉ ଛ ଦେଢ଼ଶୁରଙ୍କୁ ଗୋଟାଏ ଘରେ ଦେଲା, ଶାଶୁ ଆଉ ଛ ଯାଙ୍କୁ ଆଉ ଗୋଟାଏ ଘରେ ଦେଲା । ସମସ୍ତଙ୍କୁ ଲୁଣ ଦେଇଥାଏ, ଆଉ ଶାଶୁ ଶଶୁରଙ୍କୁ ଲୁଣ ଦେଇ ନଥାଏ । ଯେତେଥର ଆସୁଥାଏ ପରଷିବାକୁ, ତେତେଥର ଭିନ୍ନ ଭଳିରେ ଖଣ୍ଡେ ଲେଖାଁ ପାଟ ପିନ୍ଧି ଆସୁଥାଏ । ଏମାନେ ମନେ କରୁଥାନ୍ତି ଏହା ଘରେ ଏମନ୍ତି କେତେ ବୋହୁ ଅଛନ୍ତି କି ? ଏ ସମସ୍ତଙ୍କୁ ଆଗରେ ପଛରେ ଦେଇ ସାରିଲା, ଫେର କହିଲା ଆଉ କଣ ଦେବି? ଶାଶୁ ଶଶୁର ଆଉ ଏତେକଥା ଜାଣିଛନ୍ତି? କ‌ହିଲେ ଲୁଣ ଦୋଟି ଦେଲ । ଏ ସେତିକିବେଳେ କ‌ହିଲା, କେତେ ଦେବି ଲୁଣ, କି କ‌ହିବି ଏହି ଶାଶୁ ଶଶୁରଙ୍କ ଗୁଣ । ଏହା ଯୋଉଠୁ କ‌ହିଲା, ସମସ୍ତେ ଜାଣିପାରିଲେ, କାନ୍ଦି ଉଠିଲେ; କ‌ହିଲେ ଯାହା କ‌ହିଥିଲା ସେଇଆ ହେଲା । ଆମେ ଯାହା କ‌ହିଥିଲୁ ଆମକୁବି ସେଇଆ ଫଳିଲା । ଏହିପରି କୁହା କୁହି ହେଲେ, ସେଠାରେ ମାସେ ଦିମାସେ ରହିଲେ । ତେଣେ ଅଲଗା ଉଆସ ତୋଳା ହେଲା, ସେମାନେ ସେଥିରେ ରହିଲେ, ଘରଦୁଆର କଲେ, ମୁଁ ଗଲାରୁ କଥା କହିଲେ ନାହିଁ । [] ମୋ କଥାଟି ସରିଲା, ଫୁଲଗଛଟି ମରିଲା ।

ହଇରେ ଫୁଲଗଛ, କାହିଁକି ମରିଲୁ ? ମତେ ଗାଈ ଖାଇଗଲା ।
ହଇରେ ଗାଈ କାହିଁକି ଖାଇଲୁ ? ମତେ ଗଉଡ଼ ଜଗିଲା ନାହିଁ ।
ହଇରେ ଗଉଡ଼ କାହିଁକି ଜଗିଲୁ ନାହିଁ ? ମତେ ବଡ଼ବୋହୂ ଭାତ ଦେଲାନାହିଁ ।
ହଇଲୋ ବଡ଼ବୋହୂ କାହିଁକି ଭାତ ଦେଲୁ ନାହିଁ ? ମତେ ପୁଅ ଛାଡ଼ିଲା ନାହିଁ ।
ହଇରେ ପୁଅ କାହିଁକି ଛାଡ଼ିଲୁ ନାହିଁ ? ମତେ ଧୂଳିଆ ଯନ୍ଦା କାମୁଡ଼ିଲା ।
ହଇରେ ଧୂଳିଆଯନ୍ଦା କାହିଁକି କାମୁଡ଼ିଲୁ ? ମୁଁ ଭୁଇଁ ତଳେ ତଳେ ଥାଏ କଅଁଳ ମାଉଁସ ଟିକିଏ ପାଇଲେ ରୁଟ୍‌କରି ଖାଏଁ ।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App