You can write and publish your own articles here.
Please download the app to get started.

Download App


ମଣିଷ ନିଜ ମାଧ୍ୟମରେ ହିଁ ପ୍ରକୃତ ସତ୍ୟର ଅନୁଭବ ପାଏ

ସଂଗୃହୀତ

ଜଣେ ଖୁବ୍‌ ଧନୀ ବ୍ୟକ୍ତି ଥିଲେ। ଦାମୀ ପୋଷାକ ପିନ୍ଧୁଥିଲେ। ଭଲ ଭଲ ଖାଦ୍ୟ ଖାଉଥିଲେ। ମଉଜ ମଜଲିସରେ ଦିନ କାଟୁଥିଲେ। ତାଙ୍କ ପ୍ରାସାଦ ନିକଟରେ ପଡ଼ି ରହିଥିଲା ଜଣେ  ଗରିବ ‌ଭିକାରି। ନାଆଁ ତା’ର ଲାଜରସ। ଦେହସାରା ଘା-ଘାଉଡ଼। ଖୁବ୍‌ କ୍ଷୀଣ ଓ ରୁଗ୍‌ଣ ଥିଲା ତା’ର ଶରୀର। କୁକୁରମାନେ ତା’ ଘାଆକୁ ଚାଟୁଥିଲେ। ସେ ଧନିକଙ୍କ ଘରୁ ଫୋପଡ଼ା ଯାଉଥିବା ଖାଦ୍ୟ ପାଇବା ପାଇଁ ସେଠାରେ ପଡ଼ି ରହିଥିଲା।

ଦିନେ ଧନିକ ଓ ଭିକାରି ଉଭୟେ ମରିଗଲେ। ଭିକାରି ଲାଜରସ୍‌କୁ ଦେବଦୂତମାନେ ଅବ୍ରାହମଙ୍କ‌ ଶରଣକୁ ନେଇଗଲେ। ଧନୀକ ଜଣକ ନର୍କର ନିଆଁରେ ଜଳିଲେ, କଷ୍ଟ ପାଇଲେ। ଦୂରରୁ ଭିକାରି ଲାଜରସଙ୍କ ସୁଖପୂର୍ଣ୍ଣ ଅବସ୍ଥା ଦେଖି ଧନୀକ ଡାକ ପକାଇଲେ- ହେ ପିତା ଅବ୍ରାହମ୍‌! ମୋ ଉପରେ ଦୟା କରନ୍ତୁ। ଲାଜରସକୁ କୁହନ୍ତୁ, ସେ ନିଜ ଆଙ୍ଗୁଠିକୁ ପାଣିରେ ବୁଡ଼ାଇ ମୋ ଶୁଖିଲା ପାଟିରେ ଟୋପାଏ ଦେଉ ! ଅବ୍ରାହମ୍‌ ଉତ୍ତର ଦେଲେ- ଏହା ସମ୍ଭବ ନୁହେଁ। ଜୀବନରେ ଦୁଃଖ ପାଇଥିବା ବ୍ୟକ୍ତି ଆଜି ସୁଖ ପାଉଛି, ଆଉ ତାହାର ଠିକ୍‌ ଓଲଟା ବି ଘଟିଛି। ଆମ ଭିତରେ ଓ ତୁମ ଭିତରେ ଅଛି ଏକ ଗଡ଼ଖାଇ ଭଳି ପାର୍ଥକ୍ୟ। ଏଣୁ ଏଠାରୁ କେହି ଯିବାକୁ ଚାହିଁଲେ ବି ତୁମ ପାଖକୁ ଯାଇ ପାରିବେ ନାହିଁ। 

ଏହା ପରେ ଧନିକ ଅନୁରୋଧ କଲେ- ଲାଜରସକୁ ମୃତ୍ୟୁଲୋକର ମୋ ପିତାଙ୍କ ଘରକୁ ପଠାଇ ଦିଅନ୍ତୁ। ସେ ମୋର ପାଞ୍ଚ ଭାଇଙ୍କୁ ବୁଝାନ୍ତୁ, ଯାହାଦ୍ବାରା ସେମାନେ ମୋ ଭଳି ନର୍କ ଯନ୍ତ୍ରଣା ନ ଭୋଗନ୍ତୁ। କାରଣ ଆମ ଭଳି ମୃତକଙ୍କ ପାଖରୁ କେହି ତାଙ୍କ ପାଖକୁ ଫେରି ବୁଝାଇଲେ ହିଁ ସେମାନେ ବୁଝିବେ। ପଶ୍ଚାତ୍ତାପ କରିବେ। ଅବ୍ରାହମ୍‌ଙ୍କର ଉତ୍ତର ଥିଲା- ଯଦି ସେମାନେ ପୈଗମ୍ବର ମଜେସ୍‌ ଓ ଅନ୍ୟ ଈଶ୍ବରଦୂତଙ୍କ କଥା ଶୁଣୁ ନାହାନ୍ତି, ତା’ହେଲେ ସେମାନେ ମୃତ୍ୟୁରୁ ଜୀବନ ପାଇଥିବା ବ୍ୟକ୍ତିଙ୍କୁ ବି ବିଶ୍ବାସ କରିବେ ନାହିଁ। ଏହା ହେଉଛି ‘ବାଇବେଲ୍‌‘ରେ ବର୍ଣ୍ଣିତ ପ୍ରଭୁ ଯୀଶୁଙ୍କ ମୁଖନିଃସୃତ ବାଣୀ। ଏହା ମାଧ୍ୟମରେ ସେ ଜଣାଇ ଦେଇଛନ୍ତି- ଯେ ମଣିଷ ନିଜ ମାଧ୍ୟମରେ ହିଁ ପ୍ରକୃତ ସତ୍ୟର ଅନୁଭବ ପାଏ। କୌଣସି ଜୀବନ୍ତ କିମ୍ବା ମୃତ ବା ସିଦ୍ଧ, ଶାସ୍ତ୍ରବର୍ଣ୍ଣିତ ତଥ୍ୟ ଏହି ଅନୁଭବ ପ୍ରଦାନ କରିପାରେ ନାହିଁ। କାରଣ ସେମାନଙ୍କୁ ମଣିଷମାନେ ସମ୍ମାନ ଦେଉଥିଲେ ମଧ୍ୟ, ସଂପୂର୍ଣ୍ଣ ଭାବେ ବିଶ୍ବାସ କରି ପାରନ୍ତି ନାହିଁ। ପ୍ରକୃତ ବିଶ୍ବାସ ଆସେ ନିଜର ଅନୁଭୂତିରୁ। ପ୍ରଭୁ ଯୀଶୁ ବି ଈଶ୍ବରାନୁଭୂତି ଲାଭ କରିଥିଲେ ନିଜର ପ୍ରଚେଷ୍ଟା ଓ ଅନୁଭୂତିରୁ। ଏଣୁ ଚାଲନ୍ତୁ, ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସ, ପବିତ୍ର ବଡ଼ଦିନରେ ନିଜସ୍ବ ଅନୁଭୂତିକୁ ଈଶ୍ବରାନୁଭୂତିରେ, ତାଙ୍କ ପ୍ରତି ବିଶ୍ବାସରେ ପରିବର୍ତ୍ତିତ କରିବା ପାଇଁ ପ୍ରୟାସ କରିବା।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App