You can write and publish your own articles here.
Please download the app to get started.

Download App


ଅଲଣା ଓଷା କଥା

ସଂଗୃହୀତ

ପୌଷମାସ ହେଉଛି ସୂର୍ଯ୍ୟଙ୍କ ମାସ। କାରଣ, ଏହି ମାସର ରବିବାରଗୁଡ଼ିକରେ ସୂର୍ଯ୍ୟଦେବଙ୍କର ପୂଜା କରାଯାଇଥାଏ। ଏଥିପାଇଁ ଓଡ଼ିଆରେ ବେଶ୍‌ କେତୋଟି ‘ପୁଷ ରବିବାର ବ୍ରତକଥା’ ଅଛି। ‘ପୌଷ’ ଏକ ଚାନ୍ଦ୍ର ମାସ। କାରଣ, ଏହି ମାସର ପୂର୍ଣ୍ଣିମାରେ ଚନ୍ଦ୍ର ପୁଷ୍ୟାନକ୍ଷତ୍ରରେ ଅବସ୍ଥାନ କରନ୍ତି। କିନ୍ତୁ ସୂର୍ଯ୍ୟଙ୍କର ଗୋଟିଏ ନାଆଁ ମଧ୍ୟ ‘ପୁଷାନ୍‌’। ସେ ଏକ ବୈଦିକ ଦେବତା। ସେ ସମୃ୍ଦ୍ଧିର ଦେବତା। ତେଣୁ ପାରମ୍ପରିକ ଭାବରେ ପୌଷ ରବିବାରଗୁଡ଼ିକରେ ସୂର୍ଯ୍ୟପୂଜା କରାଯାଇ ସମୃଦ୍ଧି କାମନା କରାଯାଇଥାଏ। 

‘ପୁଷ ରବିବାର ବ୍ରତକଥା’ ପରି, ‘ଅଲଣା ଓଷାକଥା’ ମଧ୍ୟ ଓଡ଼ିଶାରେ ଓ ଓଡ଼ିଆରେ ପ୍ରଚଳିତ ଅଛି। ଏହା ସୌରମାସ ଅନୁସାରେ ପାଳିତ ହୁଏ। ଧନୁ ମାସର ରବିବାରଗୁଡ଼ିକରେ ଏହି ବ୍ରତ ପାଳିତ ହୁଏ ଏବଂ ମକର ସଂକ୍ରାନ୍ତିଠାରୁ ଆଉ ପାଳିତ ହୁଏ ନାହିଁ। ଏହା ମଧ୍ୟ ସୂର୍ଯ୍ୟ ଦେବତାଙ୍କର ଏକ ବ୍ରତ। ସକାଳେ ସୂର୍ଯ୍ୟୋଦୟ ସମୟରେ ଏହି ବ୍ରତ ଅନୁସାରେ ସୂର୍ଯ୍ୟପୂଜା କରାଯାଏ। ଏହି ବ୍ରତକଥା ଅନୁସାରେ- ଗୋଟିଏ ଦେଶରେ ଚକୁଳିଆ ପଣ୍ଡାଟିଏ ଥାଏ। ତା’ର ପରିବାର କହିଲେ ସ୍ତ୍ରୀ ଓ ଦୁଇଝିଅ। ସେମାନେ କଷ୍ଟେ ମଷ୍ଟେ ଚଳନ୍ତି। 

ଦିନେ ଚକୁଳିଆ ପଣ୍ଡା ତା’ ସ୍ତ୍ରୀକୁ କହିଲା- ଦିନେ ପଛେ ଉପାସ ରହିବା, ପିଠା କରି ଖାଇବା। ଝିଅଙ୍କୁ ପିଠା ଦେବା ନାହିଁ। ପଣ୍ଡିଆଣୀ ମାଗିଯାଚି ବିରି, ଚାଉଳ ସଂଗ୍ରହ କରି ପିଠା କଲା। କିନ୍ତୁ ପିଠା କଲାବେଳେ ଝିଅ ଦୁହେଁ ଉଠି ପଡ଼ିଲେ। ତେଣୁ ତାଙ୍କୁ ଗୋଟିଏ ଗୋଟିଏ ପିଠା ଦେଲା। ପିଠା ଖାଇବା ବେଳେ ପଣ୍ଡାର ସନ୍ଦେହ ହେଲା, ଯେ ପଣ୍ଡିଆଣୀ ଝିଅଦୁହିଁଙ୍କୁ ପିଠା ଦେଇଛି। ତେଣୁ ମାମୁ ଘରକୁ ବୁଲାଇ ନେବ କହି ସେ ଦୁଇଝିଅଙ୍କୁ ନେଇ ଜଙ୍ଗଲରେ ଛାଡ଼ି, ଲୁଚି ପଳାଇ ଆସିଲା। ବଡ଼ ଝିଅ ଭାବିଲା- ବାପାକୁ ବାଘ ଖାଇଗଲା। କିନ୍ତୁ ସାନ ଝିଅ କହିଲା- ଆମେ ପିଠା ଖାଇଥିବାରୁ ବାପା ଆମକୁ ଜଙ୍ଗଲରେ ଛାଡ଼ିଦେଲା।

ସେଇ ଜଙ୍ଗଲରେ ଥିଲେ ଜଣେ ବାପାସାଆନ୍ତ। ସେ ଆସି ଝିଅ ଦୁହିଁଙ୍କ କଷ୍ଟ ଦେଖି ପଚାରିଲେ- ସ୍ତ୍ରୀ ହୋଇ ରହିବ ନା ଝିଅ ହୋଇ ରହିବ? ଝିଅ ଦୁହେଁ କହିଲେ- ଝିଅ ହୋଇ ରହିବୁ। ତେଣୁ ବାପା ସାଆନ୍ତେ ତାଙ୍କୁ ନିଜ ଘରେ ଝିଅ କରି ରଖିଲେ। 

କିଛି ଦିନ ପରେ ଧନୁ ସଂକ୍ରାନ୍ତି ଆସିଲା। ଅଲଣା ଓଷା ପଡ଼ିଲା। ସ୍ବର୍ଗରୁ ଦେବନାରୀମାନେ ମର୍ତ୍ତ୍ୟକୁ ଆସି ସେହି ଓଷା ପୂଜିଲେ।  ସେମାନେ କଦଳୀ ଚୋପା, ନଡ଼ିଆ ଆଦି ଯାହା ଯାହା ଛାଡ଼ିଗଲେ, ସେଥିରେ ଓଷା ପୂଜା କରିବାକୁ ବାପା ସାଆନ୍ତେ ଝିଅ ଦୁହିଁଙ୍କୁ କହିଲେ। ଝିଅ ଦୁହେଁ ‌ସେହି ଓଷା ପୂଜିବାରୁ ଚକୁଳିଆ ପଣ୍ଡାର ଅଚଳାଚଳ ସଂପତ୍ତି ହେଲା। ବାପା ସାଆନ୍ତଙ୍କ ନିର୍ଦ୍ଦେଶରେ ଝିଅ ଦୁହେଁ ନିଜ ଘରକୁ ଫେରିଲେ। କିନ୍ତୁ ସେମାନେ ଖଳା ବାଡ଼ିରେ ଓଷା ପୂଜା କରିବାରୁ ଚକୁଳିଆ ପଣ୍ଡା ତାଙ୍କୁ ପୁଣି ଘରୁ ତଡ଼ିଦେଲା। ସେହି ସମୟରେ ମନ୍ତ୍ରୀପୁଅ ଓ ରାଜାପୁଅ ପାରିଧିରେ ଆସି ଦୁହିଁଙ୍କୁ ଦେଖିଲେ। ରାଜାପୁଅ ବଡ଼ଝିଅକୁ ଓ ମନ୍ତ୍ରୀପୁଅ ସାନଝିଅକୁ ବାହା ହେଲେ। କିନ୍ତୁ ବଡ଼ଝିଅ ରାଣୀ ହେବା ପରେ ଆଉ ଓଷା ପୂଜା ନ କରିବାରୁ ତା’ର ଧନ କ୍ଷୟ ହେଲା। ଏଣୁ ଏହି ଓଷାପୂଜା କଲେ ସମୃଦ୍ଧି ଘଟେ ଏବଂ ସନ୍ତାନ ସନ୍ତତିଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି।


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App