You can write and publish your own articles here.
Please download the app to get started.

Download App


ଧର୍ମେନ୍ଦ୍ର ଓ ହେମାଙ୍କ ପ୍ରେମ କାହାଣୀ

ସଂଗୃହୀତ

ମୁମ୍ବାଇ: ଦୁହିଁଙ୍କ ମଧ୍ୟରେ କିଛି ବାଟର ଦୂରତା। ହେଲେ କେହି କାହାକୁ ମୁହଁ ଉଠାଇ ଚାହାନ୍ତିନି । ତଥାପି ସ୍ବାମୀଙ୍କ ସମ୍ମାନ ପାଇଁ ନା ଦୁହିଁଙ୍କ ମଧ୍ୟରେ ମତାନ୍ତର ଅଛି ନା ସମ୍ପର୍କ। କୁହା ବୋଲା ସମ୍ପର୍କ ଛାଡ଼ି ଦେଲେ ପୂରା ଜୀବନରେ ଦୁହିଁଙ୍କ ମଧ୍ୟରେ ନାହିଁ ଆଉ କୌଣସି ଭାବ। କେମିତି ବା ହେବ, ଦୁହେଁ ତ ସଂପର୍କରେ ଦୋଛକିରେ । ଇଏ ଏମିତି ଏକ ଜଟିଳ ସଂପର୍କ ନା ତାକୁ ଭାଙ୍ଗି ହେବ, ନା ଆପଣାର କରିହେବ। କାହିଁକିନା ସେମାନେ ବା ଦୁଇ ସଉତୁଣୀ... ପ୍ରକାଶ କୌର ଓ ହେମା ମାଳିନୀ...ଦୁହେଁ ଦୁହିଁଙ୍କ ମଧ୍ୟରେ ଟାଣିଥିବା ସମ୍ମାନ ଲକ୍ଷ୍ମଣ ରେଖା... 

୧୯୫୪ ମସିହାର କଥା ... ଧର୍ମେନ୍ଦ୍ରଙ୍କ ବୟସ ଥିଲା ମାତ୍ର ୧୯। ସେତେବେଳେ ପ୍ରକାଶ କୌରଙ୍କୁ ଜୀବନସାଥୀ କରିଥିଲେ। ସେହି ସମୟରେ, ଧର୍ମେନ୍ଦ୍ର ସିନେମାର ଗ୍ଲାମରଠାରୁ ଥିଲେ ବହୁତ ଦୂରରେ। ସେ ଥିଲେ ଫଗୱାଡ଼ାର ଜଣେ ପଞ୍ଜାବୀ ପୁଅ। ୧୯୫୯ ମସିହାରେ ତାଙ୍କ ଜୀବନରେ ଆସିଥିଲା ବଡ଼ ପରିବର୍ତ୍ତନ। ଯେତେବେଳେ ସେ ଫିଲ୍ମଫେୟାର ଟ୍ୟାଲେଣ୍ଟ ହଣ୍ଟ୍ ପ୍ରତିଯୋଗିତା ଜିତିଥିଲେ। ଇଏ ସେହି ମୁହୂର୍ତ୍ତ ଥିଲା ଯାହା ତାଙ୍କୁ ବି ଟାଉନରେ ଦେଇଥିଲା ଏଣ୍ଟ୍ରି। ସେ ୧୯୬୦ରେ, ‘ଦିଲ୍ ଭି ତେରା ହମ୍ ଭି ତେରେ’ରେ କରିଥିଲେ ଡେବ୍ୟୁ। ପରବର୍ତ୍ତୀ ସମୟରେ , ସେ ଆଉ ଅଟକି ନଥିଲେ। ଫିଲ୍ମରେ ଅଫର ପରେ...। ସେତେବେଳକୁ ଧର୍ମେନ୍ଦ୍ର ଏବଂ ପ୍ରକାଶଙ୍କ ଚାରି ସନ୍ତାନ ସନି, ବିଜୟତା, ଅଜିତା ଓ ବବି ଦେଓଲଙ୍କର ଥିଲେ ବାପା ମାଆ। 

ପରିବାରର ଦାୟିତ୍ୱ ସହ ସିନେମା କ୍ଷେତ୍ରରେ ବେଶ୍ ଆଗକୁ ବଢ଼ୁଥିଲେ ଧର୍ମେନ୍ଦ୍ର। ବବିଙ୍କ ଜନ୍ମର ଠିକ୍ ବର୍ଷେ ପରେ ୧୯୭୦ ମସିହାରେ, ଧର୍ମେନ୍ଦ୍ର ପ୍ରଥମ ଥର ପାଇଁ ହେମା ମାଳିନୀଙ୍କ ସହିତ ‘ତୁମ୍ ହସିନ୍ ମେଁ ଜୱାନ୍’ ରେ କରିଥିଲେ ସ୍କ୍ରିନ୍ ସେଆର୍ । ପରେ, ଗୁଜବ ଉଠିଲା ପରଦା ଉପର ପ୍ରେମ ବାସ୍ତବ ଜୀବନର ପ୍ରେମରେ ହୋଇଛି ପରିଣତ। ଧିରେ ଧିରେ ଦୁହିଁଙ୍କ ଯୋଡ଼ିର କ୍ରେଜ୍ ବଢ଼ିଲା। ତାପରେ ଦୁହେଁ ଏକାଠି ୧୯୭୦ରେ ‘ଶରାଫତ୍’, ‘ନୟା ଜମାନା’ ୧୯୭୧, ‘ସୀତା ଔର ଗୀତା’ ୧୯୭୨, ‘ଜୁଗନୁ’ ୧୯୭୩, ‘ଦୋସ୍ତ’ -୧୯୭୪ ଏବଂ ‘ଶୋଲେ’ -୧୯୭୫ ସମେତ ଅନେକ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଥିଲେ। ସେତେବେଳକୁ ତାଙ୍କ ସମ୍ପର୍କର ଚର୍ଚ୍ଚା ସବୁଠି। ସେ ସମୟରେ ଯାହା କୁହାଯାଉଥିଲା ଯେ ଧର୍ମେନ୍ଦ୍ର ହେମାଙ୍କ ନିକଟତର ହେବା ପାଇଁ ବୀରୁଙ୍କ ଭୂମିକା ମଧ୍ୟ ଗ୍ରହଣ କରିଥିଲେ। 

ଗୋଟିଏ ପଟେ ଦୁହିଁଙ୍କ ସଂପର୍କକୁ ନେଇ ବି-ଟାଉନରେ ଟୁପୁରଟାପର ଚାଲିଥିବା ବେଳେ ୧୯୮୦ରେ ଧର୍ମେନ୍ଦ୍ର ହେମାଙ୍କୁ ବିବାହ କରି ସବୁ ଚର୍ଚ୍ଚାକୁ ସତ ସାବ୍ୟସ୍ତ କରିଥିଲେ। ପୂର୍ବରୁ ପ୍ରକାଶ କୌରଙ୍କୁ ବିବାହ କରିଥିବାରୁ ତାଙ୍କ ବିବାହକୁ ପ୍ରଥମେ ଖୁବ୍ ବିବାଦ ହୋଇଥିଲା। ସେ ସମୟରେ ପ୍ରଥମ ଓ ଶେଷ ଥର ପାଇଁ ପ୍ରକାଶ ଗଣମାଧ୍ୟମ ସହିତ କଥା ହୋଇଥିଲେ। ସେ ଷ୍ଟାରଡଷ୍ଟକୁ କହିଥିଲେ, "ଧର୍ମେନ୍ଦ୍ର ଜଣେ ଆଦର୍ଶ ସ୍ୱାମୀ ନୁହଁନ୍ତି, କିନ୍ତୁ ସେ ଜଣେ ଚମତ୍କାର ପିତା। ହେମାଜୀ ବହୁତ ସୁନ୍ଦର; ଯେକୌଣସି ପୁରୁଷ ତାଙ୍କ ପ୍ରତି ଆକର୍ଷିତ ହୋଇପାରିବେ।" ଏହା ପରେ, ସେ ଏବଂ ହେମା ପରସ୍ପରଠୁ ଦୂରତା ବଜାୟ ରଖିବାକୁ ଠିକ୍ ବୋଲି ମନେ କରିଥିଲେ। 

ପ୍ରକାଶଙ୍କ ନିଷ୍ପତ୍ତିକୁ ହେମା, ସମ୍ମାନ କରିଥିଲେ । ହେମା ବି ଧର୍ମେନ୍ଦ୍ରଙ୍କୁ ତାଙ୍କ ପ୍ରଥମ ପରିବାର ପ୍ରତି ଦାୟିତ୍ୱ କିମ୍ବା ସେମାନଙ୍କ ସହିତ ରହିବା ନିଷ୍ପତ୍ତିରେ କେବେ ହସ୍ତକ୍ଷେପ କରିନଥିଲେ। ୧୯୯୯ରେ ସିମି ଗରେୱାଲଙ୍କ ସହିତ ଏକ ସାକ୍ଷାତକାରରେ ହେମା କହିଥିଲେ ଯେ, ସେ କେବେ ପ୍ରକାଶଙ୍କ ସହିତ ପ୍ରତିଯୋଗିତା କରିବାକୁ କିମ୍ବା ଧର୍ମେନ୍ଦ୍ରଙ୍କ ପରିବାରରେ କେବେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରିନାହାନ୍ତି। ହେମା ଆହୁରି କହିଥିଲେ "ତୁମେ ଜଣେ ବ୍ୟକ୍ତିଙ୍କୁ ବହୁତ ଭଲ ପାଅ ଆଉ ତୁମେ ସେହି ବ୍ୟକ୍ତିଙ୍କଠାରୁ ଏତେ ପ୍ରେମ ପାଅ । ତାହେଲେ ଏତେ ଛୋଟ କଥା ପାଇଁ ସେହି ବ୍ୟକ୍ତିଙ୍କୁ ତୁମେ କେମିତି ଟର୍ଚ୍ଚର କରିପାରିବ। ମୁଁ ଧରମଜୀଙ୍କୁ କେବେ ହଇରାଣ କରିନାହିଁ। ମୁଁ ତାଙ୍କ ସମସ୍ୟା ବୁଝିଥିଲି। ଯେତେବେଳେ ମୁଁ ଏତେ ପ୍ରେମ ଦିଏ, ତାଠୁ ଅଧିକ ପ୍ରେମ ପାଏ।" ପ୍ରକାଶ କିମ୍ବା ଅନ୍ୟ ପରିବାର ପ୍ରତି ତାଙ୍କର ଇର୍ଷା ମନୋଭାବ ଅଛି କି ପଚରାଯିବାରୁ, ହେମା ଉତ୍ତର ଦେଇଥିଲେ, "କେବେ ନୁହେଁ। ସେଥିପାଇଁ ମୁଁ ଆଜି ସବୁଠାରୁ ଖୁସି ବ୍ୟକ୍ତି। ତୁମେ ଯାହାକୁ ଭଲପାଅ, ତାଙ୍କୁ ନିର୍ଯାତନା ଦେବାର ଅର୍ଥ କ’ଣ? କାହିଁକିନା ମୁଁ ପ୍ରକାଶଙ୍କ ପରିବାରକୁ ଯଦି ଇର୍ଷା କରିବି, ପରୋକ୍ଷରେ ତ ଧର୍ମେନ୍ଦ୍ର ହିଁ କଷ୍ଟ ପାଇବେ। " 

ହେମା ଆରମ୍ଭରୁ ଧର୍ମେନ୍ଦ୍ରଙ୍କ ପରିସ୍ଥିତି ଓ ତାଙ୍କର ସ୍ପଷ୍ଟ ବୁଝାମଣାକୁ ଗୁରୁତ୍ୱ ଦେଇଥିଲେ। ତେଣୁ ଧର୍ମେନ୍ଦ୍ର ତାଙ୍କ କର୍ତ୍ତବ୍ୟ କରିବାରେ କେବେ ରୋକି ନଥିଲେ। ବରଂ ସେ ବାସ୍ତବତାକୁ ସମ୍ମାନ କରିବାକୁ ବାଛିଥିଲେ। ରାମ କମଲ ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ତାଙ୍କ ଜୀବନୀ ‘ହେମା ମାଳିନୀ: ଦି ଡ୍ରିମ୍ ଗାର୍ଲରେ’ ସେ ସ୍ପଷ୍ଟ ଭାବରେ କହିଛନ୍ତି, "ମୁଁ କାହାକୁ ହଇରାଣ କରିବାକୁ ଚାହୁଁ ନଥିଲି। ଧରମଜୀ ମୋର ଏବଂ ମୋ ଝିଅମାନଙ୍କ ପାଇଁ ଯାହା କରିଛନ୍ତି ସେଥିରେ ମୁଁ ଖୁସି। ସେ ଜଣେ ଆଦର୍ଶ ବାପାଙ୍କ ଭୂମିକା ନିର୍ବାହ କରିଥିଲେ ।" ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ମୋର ମର୍ଯ୍ୟାଦା ବଜାୟ ରଖିଛି କାରଣ ମୁଁ କଳା ଏବଂ ସଂସ୍କୃତି ପାଇଁ ମୋର ଜୀବନ ଉତ୍ସର୍ଗ କରିଥିଲି। ଯଦିଓ ମୁଁ ପ୍ରକାଶଙ୍କ ବିଷୟରେ କେବେ କହିନାହିଁ, ମୁଁ ତାଙ୍କୁ ବହୁତ ସମ୍ମାନ କରେ। ମୋ ଝିଅମାନେ ମଧ୍ୟ ଧରମଜୀଙ୍କ ପରିବାରକୁ ସମ୍ମାନ କରନ୍ତି।" 

ବଡ଼ କଥା ହେଉଛି ପ୍ରେମ ଓ ପରିବାରର ସମ୍ମାନ ବୁଝନ୍ତି ଉଭୟ। ସେଥିପାଇଁ ଦୁଇ ପରିବାରରେ ଶାନ୍ତି ପାଇଁ ମାତ୍ର କିଛି ମିନିଟ୍ ଦୂରତାରେ ରହିବା ସତ୍ତ୍ୱେ, ହେମା ଏବଂ ପ୍ରକାଶ କେବେ ପରସ୍ପରକୁ ଭେଟି ନାହାନ୍ତି। ମାତ୍ର ବ୍ୟତିକ୍ରମ ଘଟିଥିଲା 2015 ରେ। ଯେତେବେଳେ ଧର୍ମେନ୍ଦ୍ରଙ୍କ ଭାଇ ଅଜିତ୍ ସିଂହ ଥିଲେ ଅସୁସ୍ଥ। ସେତେବେଳେ ଇଶା ତାଙ୍କୁ ଭେଟିବାକୁ ଯାଇଥିଲେ। ଯିଏ ତାଙ୍କର ବହୁତ ନିକଟତର ଥିଲେ। ସେହି ଗସ୍ତ ସମୟରେ, ସେ ପ୍ରକାଶଙ୍କୁ ଅଳ୍ପ ସମୟ ପାଇଁ ଭେଟିଥିଲେ ଏବଂ ତାଙ୍କ ପାଦ ଛୁଇଁଥିଲେ। ସେ ଆଶୀର୍ବାଦ ଦେଇଥିଲେ। 

ପ୍ରକାଶ ଓ ହେମାଙ୍କ ମଧ୍ୟରେ ତିକ୍ତତା ଠୁ ଅଧିକ ସମ୍ମାନ। ସେଥିପାଇଁ ଦୂରରେ ରହି ସଂପର୍କରେ ମିଠାସ ଭରିବାକୁ ସବୁବେଳେ ଚେଷ୍ଟା କରିଛନ୍ତି ହି ମ୍ୟାନଙ୍କ ଦୁଇ ପତ୍ନୀ । ଦୁହିଁଙ୍କ ବୁଝାମଣାର କାରଣ ଧରମ୍ ଜୀଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା । କାରଣ କେହି ବି ଧରମଙ୍କୁ ଧର୍ମ ଶଙ୍କଟରେ ପକାଇବାକୁ ଚାହୁଁ ନଥିଲେ ଉଭୟ। ଏହି ତ ପ୍ରେମ ଓ ସମ୍ମାନର ପରିଭାଷା...


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App