ମନ୍ଦିର ହେଲା, ରାମରାଜ୍ୟ କେବେ ?
ହରିହର ତ୍ରିପାଠୀ
ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରତିଷ୍ଠିତ ହୋଇଛି ଭବ୍ୟ ମନ୍ଦିର | ପୂଜା ପାଉଛନ୍ତି ରାମଲାଲା | ଶହଶହ ବର୍ଷଧରି ବିବାଦୀୟ ହୋଇ ରହିଆସିଥିବା ପ୍ରସଙ୍ଗର ପରିସମାପ୍ତି ହୋଇଛି | ଏ କଥା କହିଲେ ଅତ୍ୟୁକ୍ତି ହେବନାହିଁ ଭାରତବାସୀଙ୍କର ସବୁଠାରୁ ପ୍ରିୟ ଶବ୍ଦ ହେଲା ”ରାମ’ । ଧରାପୃଷ୍ଠରେ ଏଯାବତ୍ ଅବତୀର୍ଣ୍ଣ ସମଗ୍ର ମାନବଜାତି ମଧ୍ୟରେ ସର୍ବଶ୍ରେଷ୍ଠ ପୁରୁଷହେଲେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମ । ଶ୍ରୀରାମ ଅଯୋଧ୍ୟାର ରାଜା ଥିଲେ । କେବଳ ରାଜା ନ ଥିଲେ ତାଙ୍କ ସମୟର ସବୁଠାରୁ ଆଦର୍ଶ ରାଜାଥିଲେ । ସମଗ୍ର ବିଶ୍ୱ ସେ ସମୟରେ ବି ତାଙ୍କର ଜୟଗାନ କରୁଥିଲା । ଆଉ ଆଜିବି ରାମନାମର ଜୟଗାନ କରୁଛି । ଶ୍ରୀରାମ କୌଣସି ନିର୍ଦ୍ଦିଷ୍ଟ ଧର୍ମ, ଜାତି, ସଂପ୍ରଦାୟ ବା ଗୋଷ୍ଠୀର ଆଦର୍ଶ ନୁହନ୍ତି । ସେ ହେଉଛନ୍ତି ମାନବତାର ଆଦର୍ଶ । ଅପାର କରୁଣାର ପ୍ରତିମୂର୍ତ୍ତି । ନ୍ୟାୟର ଜୀବନ୍ତ ପ୍ରତିଭୂ । ଜଣେ ରାଜାଭାବେ ବ୍ୟକ୍ତିଗତ ସୁଖସୁବିଧାକୁ ଜଳାଞ୍ଜଳି ଦେଇ ସେ ଜନସାଧାରଣଙ୍କ କଲ୍ୟାଣ ନିମିତ୍ତ ଅନେକ ଉଦାହରଣୀୟକୃତ୍ୟ କରିଯାଇଛନ୍ତି । ସେଥିପାଇଁ ବିଶ୍ୱର ଯେକୌଣସି ଆଦର୍ଶ ଶାସନକୁ ରାମରାଜ୍ୟର ଆଖ୍ୟା ଦିଆଯାଇଥାଏ । ମାତ୍ର ଦୁର୍ଭାଗ୍ୟର ବିଷୟ ରାମଜନ୍ମଭୂମି ବିବାଦ ଆଳରେ ଶ୍ରୀରାମଙ୍କ ମହାନତାର ଏଭଳି ହନନ ହୋଇଚାଲିଥିଲା ଯେ ତାହା ବୋଧହୁଏ ମାନବତାର ପ୍ରଭୂତ କ୍ଷତି କରୁଥିଲା । ଆଜି ଶ୍ରୀରାମଙ୍କ ମନ୍ଦିର ନିମନ୍ତେ ଭୂମିପୂଜନ ଅବସରରେ ଏହା ଏକ ଦୁଃସ୍ୱପ୍ନ ଭାବେ ଦେଶବାସୀ ଭୂଲିବାକୁ ପ୍ରୟାସରତ ।
ଅଯୋଧ୍ୟା ଶ୍ରୀରାମଙ୍କ ଜନ୍ମଭୂମି ଓ ଏହିଠାରେ ହିଁ ସେ ମାନବତାର ବାର୍ତ୍ତା ପ୍ରଚାର କରିଥିଲେ ଏ ନେଇ ଦ୍ୱିମତ ହେବାରେ ନାହୌିଁ । ଅନେକ ରାମାୟଣ ଭିତରୁ ଲୋମଶ ରାମାୟଣର ପ୍ରମାଣ ଅନୁସାରେ ଶ୍ରୀରାମଙ୍କ ସୁପତ୍ର ରାଜା କୁଶ ଅଯୋଧ୍ୟା ନଗରର ପୁନଃ ପ୍ରତିଷ୍ଠା କରିଥିଲେ ଓ କଳା ମୁଗୁନି ପଥରରେ ସ୍ତମ୍ଭଯୁକ୍ତ ମନ୍ଦିର ଶ୍ରୀରାମଙ୍କ ଜନ୍ମଭୂମିରେ ପ୍ରତିଷ୍ଠା କରିଥିଲେ । ଜୈନଗ୍ରନ୍ଥ ଅନୁସାରେ ଦ୍ୱିତୀୟଥର ପାଇଁ ଅସଜଡା ଅଯୋଧ୍ୟାକୁ ଋଷଭ ଦେବ ବସାଇ ଥିଲେ । ବିଭିନ୍ନ ସମୟରେ ଏହି ମନ୍ଦିରର ପୁନରୁଦ୍ଧାର ଓ ପୁନଃପ୍ରତିଷ୍ଠା ହୋଇଥିଲେ ପୁରାଣ ଓ ଗ୍ରନ୍ଥର ବର୍ଣ୍ଣନା ଅନୁସାରେ ବିକ୍ରମାଦିତ୍ୟ ସରଯୂ ନଦୀର ଲକ୍ଷ୍ମଣ ଘାଟକୁ ଆଧାର କରି ବିଭିନ୍ନ ସ୍ଥାନକୁ ଚିହ୍ନଟ କରି ୩୬୦ ମନ୍ଦିର ନିର୍ମାଣ କରିଥିଲେ ଓ ଶ୍ରୀରାମଙ୍କ ଜନ୍ମଭୂମି ଉପରେ ଏକ ଭବ୍ୟ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ । ତେବେ ଶ୍ରୀରାମଙ୍କ ମନ୍ଦିର ୧୦୩୩ ଖ୍ରୀ.ଅ.ରେ ପ୍ରଥମଥର ଲାଗି ବିଦେଶୀ ଆକ୍ରମଣର ଶିକାର ହୋଇଥିଲା ଓ ଆକ୍ରମଣକାରୀ ସାଲାର ମସୁଦ ମନ୍ଦିରକୁ ଭାଙ୍ଗି ଦେଇଥିଲା । ଅବଶ୍ୟ ପରେ ଗହଡବାଲ ବଂଶୀୟ ରାଜା ପୁର୍ନବାର ଜନ୍ମଭୂମିରେ ମନ୍ଦିର ନିର୍ମାଣ କରିଥିଲେ । ପରେ ମୋଗଲ ସମ୍ରାଟ ବାବର ୧୫୨୬ ମସିହାରେ ବାବର ଅଯୋଧ୍ୟା ଆକ୍ରମଣ କରିବା, ମନ୍ଦିର ଭାଙ୍ଗିବା ମସ୍ଜିଦ୍ କରିବା ଲାଗି ଚେଷ୍ଟା କରିବା ଭଳି ପ୍ରସଙ୍ଗର ଆଲୋଚନା ଏବେ ଅର୍ଥହୀନ । ଅଯୋଧ୍ୟା ରାମଙ୍କ ଜନ୍ମଭୂମି ଥିବା ହିନ୍ଦୁମାନଙ୍କ ଦୃଢ଼ ବିଶ୍ୱାସ ରହିଛି । ଅଯୋଧ୍ୟା ହିଁ ରାମଙ୍କ ଜନ୍ମଭୂମି । ଏଥିରେ କୌଣସି ସନ୍ଦେହ ନାହିଁ । ଇଂରେଜ ଶାସନ ଅମଳ ପର୍ଯ୍ୟନ୍ତ ସେଠାରେ ନମାଜ ପାଠର ପ୍ରମାଣ ନାହିଁ । ଇଂରେଜ ଆସିବା ପୂର୍ବରୁ ସେଠାରେ ହିନ୍ଦୁମାନେ ପୂଜା କରୁଥିଲେ । ରାମ ଚଉତରା ଏବଂ ସୀତା ରୋଷେଇ ସ୍ଥଳରେ ହିନ୍ଦୁ ପୂଜା କରୁଥିଲେ । ତେବେ ଆଜି ଏସବୁର ସ୍ମୃତିଚାରଣ ଯଦିଓ ଆବଶ୍ୟକ ମାତ୍ର ଅପରିହାର୍ଯ୍ୟ ନୁହେଁ ।
ସ୍ୱାଧୀନତା ପରଠାରୁ ରାଜନେତାମାନେ ସ୍ୱାର୍ଥସିଦ୍ଧି ଉଦ୍ଦେଶ୍ୟରେ ଦେଶକୁ ଜାତି, ଧର୍ମ, ବର୍ଣ୍ଣ ଆଧାରରେ ଖଣ୍ଡଖଣ୍ଡ କରିଚାଲିଛନ୍ତି । ମାତ୍ର ରାମତ୍ୱ ହେଉଛି ଏକତା, ମାନବତା ଓ ଭାରତୀୟତାର ପ୍ରତୀକ । ଭଗବାନ ଶ୍ରୀରାମଙ୍କର ଏହି ପବିତ୍ରଭୂମିରେ ସମସ୍ତଙ୍କର ସମାନ ଅଧିକାର ରହିଛି । କାରଣ ରାମରାଜ୍ୟରେ ଏହା ହିଁ ଥିଲା । ଶ୍ରୀରାମଙ୍କ ସମ ବ୍ୟକ୍ତିତ୍ୱ କେବେ ପୂର୍ବରୁ ଆବିର୍ଭାବ ହୋଇ ନଥିଲେ କି କେବେ ହେବେ ନାହିଁ । ସେଥିପାଇଁ ସେ ଭଗବାନ । ଶ୍ରୀରାମଙ୍କ ଜୀବନ ଚରିତ ବିଶ୍ୱର ସର୍ବଶ୍ରେଷ୍ଠ ମହାକାବ୍ୟ । ତାଙ୍କ ଭିତରେ ଥିବା କରୁଣା, ମାନବପ୍ରୀତି ସମଗ୍ର ଜଗତ ଲାଗି ଆଦର୍ଶ । ରାମରାଜ୍ୟରେ ନାରୀମାନଙ୍କର ଅଧିକାରର ସୁରକ୍ଷା କରାଯାଇଥିଲା । ନାରୀନିର୍ଯ୍ୟାତନା ବିରୁଦ୍ଧରେ ସ୍ୱର ଉଠାଇଥିଲେ ଶ୍ରୀରାମ । ସମାଜରୁ ବାସନ୍ଦ ହୋଇଥିବା ମାତା ଅହଲ୍ୟାଙ୍କୁ ସେ ପୁଣି ସାମାଜିକ ଜୀବନ ଭିତରକୁ ଫେରାଇ ଆଣିଥିଲେ । ଅଶ୍ୱମେଧ ଯଜ୍ଞରେ ବଳିପ୍ରଥା ବନ୍ଦ କରିଦେଇଥିଲେ ସେ । ତାଙ୍କ ରାଜତ୍ୱରେ ସାମାନ୍ୟଜଣେ ରଜକର କଥାକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ତାହାର ମନ୍ତବ୍ୟ ଆଧାରରେ ରାଜ୍ୟର ମହାରାଣୀଙ୍କୁ ନିର୍ବାସନ କରିଥିଲେ ଶ୍ରୀରାମ । ଏଭଳି ନ୍ୟାୟିକ ବ୍ୟବସ୍ଥା ବିଶ୍ୱର ଅନ୍ୟ କୌଣସି ପ୍ରାନ୍ତରେ ପରିଦୃଷ୍ଟ ହୋଇ ନଥାଏ । ରାମରାଜ୍ୟ ସବୁ ଭାରତୀୟଙ୍କ ସ୍ୱପ୍ନର ଦୁନିଆ । ସେ ଦୃଷ୍ଟିରୁ ଦେଖିଲେ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନରେ ତାଙ୍କର ସ୍ମୃତିଚିହ୍ନ ସ୍ୱରୂପ ଶ୍ରୀରାମ ମନ୍ଦିର ନିର୍ମାଣ ହେବା ଏକ ଯଥାର୍ଥ ପଦକ୍ଷେପ ।
ଭଗବାନ ମନ୍ଦିରରେ ଥାନ୍ତି କି ନଥାନ୍ତି ତାହା ଭିନ୍ନ କଥା । ମାତ୍ର ମନ୍ଦିର ଅନେକ ସମୟରେ ମଣିଷକୁ ଭଗବାନଙ୍କ ନିକଟବର୍ତ୍ତୀ କରାଏ । ସନାତନ ପରମ୍ପରାରେ ନିରାକାରବାଦ ର ସ୍ଥାନ ଯେତିକି ରହସ୍ୟମୟ ସାକାରବାଦର ଆଦର ମଧ୍ୟ ସେତିକି ଲୋକପ୍ରିୟ । ସାଧାରଣଲୋକଟିଏ ଭଗବାନଙ୍କୁ ତାର ସବୁଠାରୁ ପ୍ରିୟଭାଜନ ସତ୍ତା ମନେ କରେ । ପୁଣି ଶ୍ରୀରାମ ତ ସମସ୍ତଙ୍କର ଆଦର୍ଶ । ଶ୍ରୀରାମଙ୍କ ମନ୍ଦିରରର ଭୂମିପୂଜନ ସହିତ ଏ ଦେଶରେ ଶ୍ରୀରାମଙ୍କ ଆଦର୍ଶର ପୁନଃଥାପନା ହେଲେ ବୋଧହୁଏ ୧୩୦କୋଟି ଭାରତୀୟଙ୍କ ଜୀବନ ସାର୍ଥକ ହୋଇଯାଆନ୍ତା । ମନ୍ଦିରର ମାର୍ଗ ସହିତ ଆଜିର ଭାରତୀୟ ସମାଜ ଯଦି ଶ୍ରୀରାମଙ୍କ ପ୍ରଦର୍ଶିତ ମାର୍ଗରେ ଚାଲନ୍ତା ତେବେ ଏକ ସୁନ୍ଦର ଦେଶର ପରିକଳ୍ପନା ସମ୍ଭବ ହୋଇ ପାରନ୍ତା ।