ଓଡ଼ିଶାରେ କାହିଁକି ନୁହେଁ ?
ହରିହର ତ୍ରିପାଠୀ
ଏକ ସତ୍ୟ ଘଟଣା । ଗାଁ ଶେଷମୁଣ୍ଡରେ ପାନଦୋକାନ କରିଥିବା ଦୋକାନୀଟିକୁ ପୁଲିସ୍ ମଦ ବେପାର କରୁଥିବା ଅଭିଯୋଗରେ ଗିରଫ କରିନେଲା । ଗାଁ ଲୋକେ ବହୁତ ଖୁସି ହେଲେ । ଗାଁ ଟୋକାଏ ମଦପିଇ ଉତ୍ପାତ କରୁଥିଲେ, ଯାହା ପଇସା ରୋଜଗାର କରୁଥିଲେ ତାକୁ ଉଡାଉଥିଲେ ତେଣୁ ପୁଲିସ୍ର କାମକୁ ଲୋକେ ପ୍ରଶଂସା କରିବା ସ୍ୱାଭାବିକ ଥିଲା । ହେଲେ ଦେଖାଗଲା ଦୁଇଦିନ ପରେ ଦୋକାନୀ ଥାନାରୁ ହସିହସି ଫେରିଲା । ପୁଣି ବେପାର ଚାଲିଲା ଯଥାରୀତି । ବରଂ କୁହାଯାଇପାରେ ଆହୁରି ଜୋର୍ ରେ ଚାଲିଲା । ଏ ଘଟଣାର ରହସ୍ୟ ବୁଝାପଡିଲା କିଛିଦିନ ପରେ ଯେତେବେଳେ ପାନରେ ଚୁନ ଲଗାଉ ଲଗାଉ ଦୋକାନୀ ତାର ଜେଲ୍ଯାତ୍ରାର କୀର୍ତ୍ତିକାହାଣୀ ଗପିଲା । ପୁଲିସ୍ ତାକୁ ଗିରଫ କରିନେଲାପରେ ବୁଝାଇଲେ, ହଇରେ ତୁ ଏମିତି ଛୋଟମୋଟ ଧନ୍ଦା କରୁଛୁ କାହିଁକି । ସେ ଯେତେବେଳ କହିଲା କି ତାକୁ ଭଲ ମାଲ୍ ମିଳୁନି । ସେମାନେ ତାକୁ ବୁଝାଇଲେ, କେଉଁଠି ଚୋରାମଦ ମିଳିବ ତାର ଠିକଣା ଦେଲେ ଏବଂ ବେପାରର ସବୁ ଗୁପ୍ତ ରହସ୍ୟ ଶିଖାଇ ଛାଡିଲେ । ଏବେ ସେ ପୁଲିସ୍ ବାଲାଙ୍କ କଥା ବୁଝୁଛି ଆଉ ସେମାନେ ବି ତା କଥା ବୁଝୁଛନ୍ତି । ବାଶ୍ । ଆମ ରାଜ୍ୟରେ ମଦ କେମିତି ପ୍ରସାର ଲାଭ କରୁଛି ତାର ଇଏ ଗୋଟିଏ ଛୋଟିଆ ଉଦାହରଣ ମାତ୍ର । ମଦ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଆଊ ଏହାର ଆହୁରି ଅନେକ କାରଣ ବି ଅଛି ।
ଭାରତବର୍ଷର ଗରିବ ଜନସାଧାରଣଙ୍କ ପ୍ରଗତିରେ ବାଧକ ସାଜିଥିବା ଅନେକ କଥା ମଧ୍ୟରୁ ମଦ ଯେ ଗୋଟିଏ ଏକଥା ଯେ କେହି ସ୍ୱୀକାର କରିବ । ମଦ୍ୟପାନ ଯୋଗୁଁ ଗରିବ ଲୋକଟିର ସଂସାର ଉଜୁଡିଯାଏ, ଯେତେ ରୋଜଗାର କଲେ ବି ତାକୁ ଅଣ୍ଟେନା । ମଦୁଆଟିଏ ନିଜର ଦୁର୍ଭାଗ୍ୟକୁ ନିଇତି ନିନ୍ଦା କରେ ହେଲେ ପୁଣି ପରଦିନ ଯାଇ ମଦଭାଟିରେ ହାଜର ହୁଏ । ମଦ୍ୟପାନ ପରି ସାମାଜିକ ବ୍ୟାଧିକୁ ଦୂର କରିବାର ପ୍ରୟାସ ସ୍ୱାଧୀନତା ପୂର୍ବରୁ ହୋଇଆସୁଥିଲେ ବି ଏଥିରେ ଏ ଯାବତ୍ ଏଥିରେ ସଫଳତା ମିଳିପାରିନାହିଁ ।
ଆଗରୁ କେବଳ ଗୁଜୁରାଟରେ ମଦକୁ ବେଆଇନ୍ ଘୋଷଣା କରାଯାଇଥିବାବେଳେ ଏବେ ବିହାର ସରକାର ଦୃଢ଼ ପଦକ୍ଷେପ ନେଇ ମଦକୁ ରାଜ୍ୟରୁ ନିଷିଦ୍ଧ କରିଛନ୍ତି । ତେବେ ସବୁଠାରୁ ବଡ କଥାହେଲା ତାମିଲନାଡୁ ରାଜ୍ୟ ମଦ୍ୟପାନକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରୟାସ ଆରମ୍ଭ କରିଛି । ଏଥିସହିତ ମଦଦୋକାନ ଖୋଲିବାର ସମୟ ସୀମାକୁ ମଧ୍ୟାହ୍ନ ୧୨ଟାରୁ ରାତି ୧୦ ପର୍ଯନ୍ତ ସୀମିତ କରାଯାଇଛି । ପୂର୍ବରୁ ମଦଦୋକାନଗୁଡିକ ସକାଳ ୧୦ରୁ ରାତି ୧୦ ପର୍ଯ୍ୟନ୍ତ ଖୋଲୁଥିଲା ।
ତେବେ ଓଡ଼ିଶାରେ ଏହା ହୋଇ ପାରୁନାହିଁ । ଓଡ଼ିଶାରେ ସରକାର ମଦବିରୁଦ୍ଧରେ କଡ଼ା ପଦକ୍ଷେପ ନେଇପାରୁନାହାନ୍ତି । ରାଜସ୍ୱହାନୀର ଭୟ ସରକାରଙ୍କୁ ଗ୍ରାସ କରିଛି । ଅନ୍ୟପକ୍ଷରେ ମଦର ପ୍ରଚଳନ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଆଗରୁ ଲୋକେ ଲୁଚାଚୋରାରେ ପିଉଥିଲେ ଏବେ ସର୍ବସମକ୍ଷରେ ମଦପିଇବା ଏକ ସଭ୍ୟତାରେ ପରିଣତ ହେଲାଣି । ବିବାହ ପରି ଉତ୍ସବ ଅନୁଷ୍ଠାନ ମଦ୍ୟପାନ ବିନା ସଂପନ୍ନ ହୋଇ ପାରୁନାହିଁ । ସବୁଠାରୁ ଦୁଃଖ ଓ ନିର୍ଲଜ କଥା ହେଲା ଏବେ କେହି ମରିଗଲେ ଗାଁ ଗହଳି ତଥା ସହରମାନଙ୍କରେ ଶବଦାହ କରିବାକୁ ଯାଉଥିବା ବ୍ୟକ୍ତିମାନେ ପ୍ରଥମେ ମଦପିଇବାକୁ ମାଗୁଛନ୍ତି । ମାନବିକତା କେଉଁସ୍ତରକୁ ଗଲାଣି ଏଥିରୁ ସହଜରେ ଅନୁମାନ କରାଯାଇପାରେ ।
ଓଡ଼ିଶାର ମହାନାୟକ ବିଜୁବାବୁ ତାଙ୍କର ଜୀବଦ୍ଦଶାରେ ଯଦିଓ ମଦକୁ ରାଜ୍ୟରେ ନିଷିଦ୍ଧ କରିପାରିନଥିଲେ ତଥାପି ମଦ୍ୟପାନ ବିରୁଦ୍ଧରେ ତାଙ୍କ ମତ ଦୃଢ଼ଥିଲା । ୧୯୯୦ ମସିହାରେ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ହେବାର କିଛିଦିନ ପରେ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଥିଲା ଅବିଭକ୍ତ କୋରାପୁଟ ଜିଲ୍ଲାକୁ । ଜିଲ୍ଲାର ବିଭିନ୍ନସ୍ଥାନକୁ ଗସ୍ତକଲାବେଳେ ବିଜୁବାବୁ ଛୋଟବଡ଼ ସଭାମାନଙ୍କରେ ଯୋଗ ଦିଅନ୍ତି, ଲୋକଙ୍କ ଭଲମନ୍ଦ ବୁଝନ୍ତି । ଗୁଡାରୀ ଗସ୍ତକାଳରେ ବଡ ସଭାଟିଏ ଆୟୋଜନ କରାଯାଇଥାଏ । ସଭା ଆଗରେ ପ୍ରାୟ ୨୦୦/୩୦୦ ଆଦିବାସୀ ମହିଳା ବସିଥାନ୍ତି । ଭାଷଣପର୍ବ ସମାପ୍ତି ପରେ ବିଜୁବାବୁ ସେମାନଙ୍କ ପାଖକୁ ଆସିଲେ । ଜଣେ ବୟସ୍କା ଆଦିବାସୀ ମହିଳାଙ୍କୁ ପ·ରିଲେ, – “ଆରେ ମାଆ, ମୁଁ ବିଜୁ ପଟ୍ଟନାୟକ ତୁମ ପାଖକୁ ଆସିଛି । ତୁମର କ’ଣ ସୁବିଧା ଅସୁବିଧା ଅଛି କୁହ । ତୁମ ପାଇଁ ମୁଁ କ’ଣ କରିପାରିବି?’ ମହିଳାଜଣକ କହିଲେ, “”ବାବୁ ସବୁ ଜିନଷର ଦରଦାମ ତ ବଢୁଛି । ଆମ ମରଦମାନେ କାମ କରିବାକୁ ଯାଉଛନ୍ତି ଯେ, ଯାହା ମଜୁରୀ ଆଣୁଛନ୍ତି ସେଥିରେ ମଦ ପିଇ ଦେଉଛନ୍ତି । ଆମେ ତିରିଲାମାନେ କାମଧନ୍ଦାକରି ଯାହା ଆଣିବୁ ପିଲାଙ୍କୁ ଖୋଇବୁ, ମରଦଙ୍କୁ ଖୋଇବୁ, କେମିତି ଚଳିବୁ କହନା ?” ଧୈର୍ଯ୍ୟର ସହିତ ବିଜୁବାବୁ ଶୁଣିଲେ । କହିଲେ – “ତୁମେ ମାଆମାନେ ଏକାଠି ହୁଅ । ଯେଉଁ ମରଦମାନେ ମଦ ପିଉଛନ୍ତି ସେମାନଙ୍କୁ ଛାଞ୍ଛୁଣୀରେ ବାଡାଅ । ଗାଁରେ ଥିବା ମଦଭାଟିକୁ ଭାଙ୍ଗିଦିଅ । ମଦହିଁ ସବୁ ନଷ୍ଟ କରୁଛି । ମଦ ଛାଡିଦେଲେ ସବୁ ଠିକ୍ ହେବ । ତମ ପିଲାମାନେ ପାଠ ପଢିବେ । ତୁମେ ସବୁ ଭଲରେ ରହିବ । ତମେ ମାଆମାନେ ମେଳିହୁଅ । ମଦ ବିରୁଦ୍ଧରେ ଆନ୍ଦୋଳନ କର । ମେଳିହୋଇ ସବୁ ଭାଟିକୁ ଭାଙ୍ଗିଦିଅ ।
ବିଜୁବାବୁଙ୍କ କଥାରେ ଉଦ୍ବୁଦ୍ଧ ହୋଇ ସେହି ଆଦିବାସୀ ମହିଳାମାନେ ମଦ ବିରୁଦ୍ଧରେ ସେ ସମୟରେ ଏକ ଆଖିଦୃଶିଆ ଆନ୍ଦୋଳନ କରିଥିଲେ । ମଦଭାଟି ସବୁ ଭାଙ୍ଗି ପକାଇଥିଲେ । ଆଇନକୁ ହାତକୁ ନେବାରୁ ପୁଲିସ୍ ଯେତେବେଳେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଲା ସେତେବେଳେ ବିଜୁବାବୁଙ୍କ ହସ୍ତକ୍ଷେପ ଫଳରେ ତାହା ରୋକାଯାଇଥିଲା । ବିଜୁବାବୁ ଜାଣିଥିଲେ ମଦକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଗଲେ ସରକାରରୁ ହିଁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ହେବ । ତେଣୁ ସେ ନିଜସ୍ୱ ଷ୍ଟାଇଲରେ ମଦବିରୁଦ୍ଧରେ ପରୋକ୍ଷ ଆନ୍ଦୋଳନ ଆରମ୍ଭ କରିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏବର ସରକାର ପରି
ବିଜୁବାବୁ ଏକାଦିକ୍ରମେ ଦୁଇତିନିଥର ଶାସନ କ୍ଷମତାରେ ଥାଆନ୍ତେ ତେବେ ବୋଧହୁଏ ମଦ ରାଜ୍ୟରୁ କେଉଁଦିନଠାରୁ ବନ୍ଦ ହୋଇ ସାରନ୍ତାଣି । ତେବେ ବିଳମ୍ବରେ ହେଲେ ବି ଓଡ଼ିଶା ସରକାର ତାମିଲନାଡୁ, ବିହାର ଓ ଗୁଜୁରାଟ ରାଜ୍ୟର ସରକାରଗୁଡିକ ଠାରୁ କିଛି ଶିଖନ୍ତୁ । ରାଜ୍ୟର ପ୍ରଗତିରେ ବିଶେଷ କରି ଗରିବ, ଆଦିବାସୀ, ଦିନ ମଜୁରିଆମାନଙ୍କ ପ୍ରଗତିରେ ଯଦି କିଛି ସବୁଠାରୁ ବଡ ବାଧକ ସାଜିଥାଏ ତାହା ହେଉଛି ମଦ । ମଦକୁ ବନ୍ଦ କରିଦେଲେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ଆପଣାଛାଏଁ ଅନେକ ସୁଧାର ଆସିଯିବ । ସରକାର ଏହି ପ୍ରସଙ୍ଗରେ ବାରମ୍ବାର ବି·ର ଆଲୋଚନା କରିବାର ଆବଶ୍ୟକତା ରହିଛି । ମଦରୁ ମିଳୁଥିବା ରାଜସ୍ୱକୁ ଭରଣା କରିବା ଲାଗି ସରକାର ନିଶ୍ଚିତଭାବେ ବିକଳ୍ପ ପଦକ୍ଷେପ ନେଇ ପାରିବେ । ବିଶେଷକରି ·ରିଥର କ୍ରମାଗତ ଶାସନ କ୍ଷମତାକୁ ଆସିବା ପରେ ଏକ ଦୃଢ ଓ ସ୍ଥିର ସରକାରର ଡୋର ଧରିଥିବା ନବୀନ ବାବୁ ଏ ଦିଗରେ ଏକ ସାହସିକ ପଦକ୍ଷେପ ନେବାରେ କୌଣସି ଅସୁବିଧା ନାହିଁ ବୋଲି ବୁଦ୍ଧିଜୀବୀମାନେ ମନେ କରନ୍ତି । ସରକାର ଏ ଦିଗରେ ଅପାରଗ ହେଲେ ସମାଜରେ ମହିଳାମାନେ ବିଜୁବାବୁଙ୍କ ଫର୍ମୁଲା ପ୍ରୟୋଗ କରିବାର ଆବଶ୍ୟକତା ପଡିବ । ସେତେବେଳେ ସରକାରଙ୍କୁ ନିଶ୍ଚିତ ଅନେକ ଅଡୁଆର ସମ୍ମୁଖୀନ ହେବାକୁ ପଡିପାରେ ।