ଗାନ୍ଧି : କେବଳ ବିଚାର !
ହରିହର ତ୍ରିପାଠୀ
ସତ କହିବାକୁ ଡ଼ରୁଥିବା ମଣିଷମାନେ ସତ୍ୟକୁ ଜୀବନରେ ପ୍ରୟୋଗ କରି ଥିବା ଜଣେ ବ୍ୟକ୍ତିକୁ ବୁଝି, ତା’ରି ଆଦର୍ଶରେ ବ୍ରତୀ ହୋଇ ଚାଲିବେ ଏଭଳି ଆଶା କରିବା ବିଡମ୍ବନା ନୁହେଁ କି ? ସେଇଥିଲାଗି ସାରା ଦେଶରୁ ଅଧୁଟେ ଏବେ ଗାନ୍ଧି ବିରୋଧୀ ହୋଇଗଲେଣି । ଆଲବର୍ଟ ଆଇନଷ୍ଟାଇନଙ୍କ ବକ୍ତବ୍ୟ ସତ ହେବାକୁ ଯାଉଛି । ଯୁବପିଢି ବିଶେଷକରି ଭାରତର ଯୁବପିଢ଼ି ମାନିବାକୁ ନାରାଜ, ଗାନ୍ଧି ବୋଲି ଏମିତି କିଏ ଜଣେ ଥିଲେ ଯିଏ କି ଆଣ୍ଠୁ ଲୁଚୁନଥିବା ଧୋତିଖଣ୍ଡେ ପିନ୍ଧି ସାରା ବ୍ରିଟିଶ ସାମ୍ରାଜ୍ୟ ବୁଲି ଆସିଥିଲେ । କେବଳ ବୁଲି ଆସିନଥିଲେ ମହାପ୍ରତାପୀ ବ୍ରିଟିଶରାଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ ଓ ବିଜୟଲାଭ କରିଥିଲେ । ତେବେ ଭାରତୀୟ ଆଦର୍ଶର ଧାର ଧାରୁନଥିବା ଆଜିର ପିଲାଏ ଗାନ୍ଧିଙ୍କ ବି·ରଧାରାକୁ ନକାରାତ୍ମକ ଢ଼ଙ୍ଗରେ ଗ୍ରହଣକରି ଗାନ୍ଧି ଆଦର୍ଶକୁ ଦେଶରୁ ଧୀରେ ଧୀରେ ଲୋପ କରିବାକୁ ବସିଲେଣି ।
ଗାନ୍ଧି କେବେ ବି ଦୁର୍ନୀତି, ଭ୍ରଷ୍ଟାଚାର, ଚାକଚକ୍ୟଭରା ଜୀବନର ପକ୍ଷପାତୀ ନଥିଲେ ଯାହାକି ଆଜିର ନେତାମାନଙ୍କର ପ୍ରମୁଖ ଆଚରଣଭାବେ ପରିଗଣିତ । ଆଜି ଦେଶ ଯେତେବେଳେ ଦୁର୍ନୀତିରେ ଉବୁଟୁବୁ ହେଉଛି ସେତେବେଳେ ଦୋଷଦିଆଯାଉଛି ଗାନ୍ଧିଙ୍କୁ । ଅଧିକାଂଶ ତରୁଣ ଓ ଯୁବପିଢ଼ିଙ୍କର ମତ ଅହିଂସା ଉପାୟରେ ଇଂରେଜମାନଙ୍କ ହାତଟେକା ସ୍ବାଧୀନତା ମିଳିଥିବାରୁ ଦେଶର ଆଜି ଏ ଦୁର୍ଦ୍ଦଶା । ମାତ୍ର ଭାରତୀୟ ଜନଜୀବନରେ ଗାନ୍ଧି ଆଦର୍ଶ ଓ ବିଚାରଧାରାର ସଂପୂର୍ଣ୍ଣ ବିଲୁପ୍ତି ଘଟିଥିବାରୁ ଯେ ଦେଶ ଏଭଳି ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇଛି ଏକଥା କେହିବି କହୁ ନାହାନ୍ତି ।
ତେବେ ଗାନ୍ଧିଙ୍କୁ ମନେପକାଇବା, ତାଙ୍କର ଜନ୍ମଦିନ ବା ଶ୍ରାଦ୍ଧ ଦିବସରେ ତାଙ୍କ ବି·ର କଥା କହିବା ଆଜିକାଲିର ଏକ ଫେସନ୍ରେ ପରିଣତ ହୋଇଛି । ଗାନ୍ଧି କିନ୍ତୁ ଦିନେ ଏ ଦେଶର ଜନମାନସରେ ନୁହେଁ ପାଣି ପବନରେ ବି ଛାଇ ଯାଇଥିଲେ । ଗାନ୍ଧି କହିଲେ ସାରାଦେଶ କାନଡେରି ଶୁଣୁଥିଲା । ଗାନ୍ଧି ଋଷିଲେ ସାରାଦେଶ ପ୍ରମାଦ ଗଣୁଥିଲା । ଅବଶ୍ୟ ଏକଥା ସବୁ ଏବେ କାହାଣୀ ମନେହୋଇପାରେ । ଏବେ ଗାନ୍ଧି କେବଳ ମୂର୍ତ୍ତିରେ ସୀମିତ । ଦେଶର ନାନାସ୍ଥାନରେ ଗାନ୍ଧିଙ୍କର ମୂର୍ତ୍ତି ପ୍ରତିଷ୍ଠା ହୋଇଛି । ଗାନ୍ଧିଙ୍କ କଥା ସଭାସମିତିରେ ପହିଲେ କୁହାଯାଉଛି । ନେତାଏ ଦେଶସେବା ଲାଗି ଶପଥ ନେଲାବେଳେ ପହିଲେ ଗାନ୍ଧିଙ୍କୁ ମନେପକାଉଛନ୍ତି । ନିଜ ଅଫିସ୍ ଭିତରେ ଆଉ କିଛି ରହୁ ନ ରହୁ ଗାନ୍ଧିଙ୍କ ଫଟୋଟିଏ ରଖୁଛନ୍ତି । ତେବେ ଏଇସବୁ କାର୍ଯ୍ୟଭିତରେ ଗାନ୍ଧି ବଞ୍ôଚରହିପାରିବେ କି ? ଏହାର ଅର୍ଥନୁହେଁ ଯେ ଗାନ୍ଧିଙ୍କର ଉପାସନା ନହେଉ । ଏସବୁ ଗାନ୍ଧିମୂର୍ତ୍ତିର ଆରାଧନା । ଗାନ୍ଧି ମୂର୍ତ୍ତି ପ୍ରତି ଭକ୍ତି । ଏଥିରେ ବି ଆପତ୍ତି ନାହିଁ । ତେବେ ଏ ଆରାଧନା ଏ ଭକ୍ତି ସହିତ ଗାନ୍ଧି ବିଚାରର ଚିନ୍ତନ ହେଉ । ଗାନ୍ଧି ଯାହା କହୁଥିଲେ, ଯାହାପାଇଁ ଦେହଧରି ରହିଥିଲେ, ଆଉ ଯାହାପାଇଁ ପୁଣି ଦେହ ଛାଡିଲେ ସେଇ ସତ୍ୟକୁ ଯିଏ ଜୀବନରେ ସବୁଠାରୁ ବେଶୀ ମୂଲ୍ୟ ଦେବ, ଆପଣାର ବ୍ୟକ୍ତିଗତ ଓ ସାମାଜିକ ଜୀବନରେ, ଚଳଣିରେ ଯିଏ ପ୍ରୟୋଗ କରିପାରିବ, ସେ ହିଁ ବାସ୍ତବରେ ଗାନ୍ଧିଙ୍କର ପୂଜା କରୁଛି ବୋଲି କୁହାଯିବ ।
କୁହାଯାଏ ଗାନ୍ଧି ଯେତେବେଳେ ବଞ୍ଚିଥିଲେ ସେତେବେଳେ ତାଙ୍କ କଥା ଓ କାମ ଭିତରେ ଭଗବାନହିଁ ନିର୍ଦ୍ଦେଶ ଦେଉଥିଲେ । ସେଇ ନିର୍ଦ୍ଦେଶକୁ ସାରାଦେଶ ଚାହିଁ ରହିଥିଲା । ସାରାଦେଶର ବିବେକ ଜାଗ୍ରତ ହେଉଥିଲା ଗାନ୍ଧିବାଣୀରେ ଓ ବିଚାରରେ । ଏବେ ଗାନ୍ଧି ନାହାନ୍ତି । ମାତ୍ର ତାଙ୍କର ବିଚାର ଆମର ବିବେକକୁ ଜାଗ୍ରତ କରୁ । ଆମର କଥା ଭଗବାନଙ୍କ କଥା ହେଉ, ଆମର କାମ ଭଗବାନଙ୍କ କାମ ହେଉ । କେବଳ ତାଙ୍କର ଜୟନ୍ତୀ ବା ଶ୍ରାଦ୍ଧଦିବସରେ ତାଙ୍କୁ ମନେ ପକାଇଲେ ଗାନ୍ଧି ବିଚାରଧାରା ପୁନର୍ଜୀବିତ ହେବନାହିଁ ।
ଗାନ୍ଧିଙ୍କ ପରିକଳ୍ପିତ ଭାରତଠାରୁ ବହୁଦୂରକୁ ଚାଲିଆସିଛି ଦେଶ । ଗାନ୍ଧି କହିଥିଲେ ଭାରତର ସାତଲକ୍ଷ ଗାଁରେ ଜୀବନ ରହିଛି । ତେଣୁ ଗ୍ରାମ ବିକାଶରେ ହିଁ ହୋଇପାରିବ ଭାରତର ବିକାଶ । ଏବର ସରକାର ଏହି ଆଦର୍ଶରୁ ବିଚ୍ୟୁତ ହୋଇ ଗାଁଗୁଡିକର ମୌଳିକତା ନଷ୍ଟ କରିଚାଲିଛି । ଗାଁଗୁଡିକ ସହରର ବିଶାଳ ଆଁ ଭିତରେ ଏବେ ବିଲୀନ ହେବାକୁ ବସିଲେଣି । ସରକାର କେବଳ ମାଗଣା ଜିନିଷ ବାଣ୍ଟି ଗ୍ରାମବାସୀଙ୍କ କର୍ମକୁଶଳତା ଓ ଦକ୍ଷତାକୁ ନଷ୍ଟ କରିଚାଲିଛନ୍ତି । ଚାଷୀ ଚାଷବାସ ପରିତ୍ୟାଗ କରି ଟଙ୍କିକିଆ ଚାଉଳ ବା ଗହମ ପାଇବା ଲାଗି କଣ୍ଟ୍ରୋଲଦୋକାନରେ ଛିଡା ହେଉଛି । ଗାଁ ଗାଁରେ ମଦ ଦୋକାନ ଗାନ୍ଧିଙ୍କ ବିଚାରକୁ ଉପହାସ କରୁଛି । ସରକାର ଅବକାରୀ ରାଜସ୍ବବୃଦ୍ଧି ଆଳରେ ମଦକୁ ପ୍ରୋତ୍ସାହନ ଦେଉଛନ୍ତି । କୁଟୀରଶିଳ୍ପ ଗୁଡିକ ଏବେ ମୃତ ଅବସ୍ଥାକୁ ପ୍ରାପ୍ତ ହୋଇଛନ୍ତି । ଭାରତର ସରକାର, ଯୋଜନାପ୍ରଣୟନକାରୀମାନେ ନିତିପ୍ରତି ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ବସି ତାଙ୍କ ବିଚାରଧାରାର ଉପହାସ କରି·ଲିଛନ୍ତି ।
ଆଜି ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ । କେଉଁଏକ ଅର୍ବାଚୀନ ଆଜିର ଦିନରେ ଗାନ୍ଧିଙ୍କୁ ଗୁଳିକରି ହତ୍ୟା କରିଥିଲା । ତେବେ ସେ ସିନା ଥରେ ଗାନ୍ଧିଙ୍କୁ ହତ୍ୟାକରିଥିଲା ହେଲେ ଆଜି ଆମେ ପ୍ରତିମୁହୂର୍ତ୍ତରେ ଗାନ୍ଧିଙ୍କୁ ହତ୍ୟାକରିଚାଲିଛୁ । ସେ ଦୃଷ୍ଟିରୁ ଆମେ ତାଙ୍କର ଶ୍ରାଦ୍ଧ ଦିବସରେ ଶ୍ରଦ୍ଧା ନିବେଦନ କରିବାଲାଗି କେତେ ଯୋଗ୍ୟ ତାହା ବିଚାର କରିବା ଆବଶ୍ୟକ ।
ଆସନ୍ତୁ, ଆଜିର ଦିନରେ ଆମେ ଏମିତି ଗାନ୍ଧିଙ୍କର ପୂଜା କରିବା । ଆମେ ଗାନ୍ଧିଙ୍କୁ ଜଣେ ସାଧାରଣ ମଣିଷ ବୋଲି ମାନିବା । ଇତିହାସ ଯୁଗେ ଯୁଗେ ମଣିଷମହାତ୍ମାକୁ ଦେବତାର ଆସନ ଦେଇଛି । ଏଇ ଦେବତାର ଆସନ ଦେବାଭିତରେ ସେ ମଣିଷମହାତ୍ମାକୁ ମାରିଦେଇଛି । ଜୀବନରୁ ଓ ସଂସାରରୁ ବିତାଡ଼ିତ କରି ଧର୍ମକୁ ସେ ମନ୍ଦିର ଭିତରେ ବନ୍ଦୀକରି ରଖିଛି । ଏହି ପରିପ୍ରେକ୍ଷୀରେ ଆମେ ଗାନ୍ଧିଙ୍କୁ ଦେବତା ନୁହେଁ ଜଣେ ସାଧକଭାବେ ଗ୍ରହଣ କରିବା । ତାଙ୍କର ବିଚାରକୁ ଜଣେ ମହାତ୍ମାଙ୍କର ବାଣୀଭାବେ ନେବା ଓ ତାହାକୁ ଆମ ଜୀବନରେ ପ୍ରତିଫଳିତ କରିବା ।
ଗାନ୍ଧିଙ୍କ ଭିତରେ ଶତସହସ୍ର ଦୁର୍ବଳତା ରହିଥିଲା । ତଥାପି ସେ ସେସମସ୍ତ ଦୁର୍ବଳତାକୁ ଅକାତରରେ ସ୍ବୀକାର କରିପାରିଥିଲେ । ଆମେ ଗାନ୍ଧିଙ୍କ ଜୀବନରୁ ପ୍ରଥମେ ସ୍ବୀକାର କରିବା ଆଦର୍ଶଟିକୁ ଗ୍ରହଣ କରିବା । ଆମର ଦୋଷଦୁର୍ବଳତାକୁ ସ୍ବୀକାର କରିନେବାଦ୍ବାରା ଆମ ଭିତରର ନିର୍ଭୀକତା ଜାଗ୍ରତ ହୋଇଉଠିବ । ସେତେବେଳେ ଆମେ ସତ୍ୟକୁ ସ୍ବୀକାର କରିବାକୁ ପ୍ରସ୍ତୁତ ହୋଇପାରିବା । ଆଉ ସତ୍ୟ ଜୀବନରେ ପ୍ରତିଫଳିତ ହେଲେ ମଣିଷ ଆଲୋକନ୍ମୁଖୀ ହୋଇଥାଏ । ଗାନ୍ଧିଙ୍କ ବିଚାରର ଏହା ହେଉଛି ମୂଳତତ୍ତ୍ବ ।