You can write and publish your own articles here.
Please download the app to get started.

Download App


ସହରମୁହାଁ ମଣିଷ

ପ୍ରକାଶ ତ୍ରିପାଠୀ

ଏବେ ବନ୍ଧୁବାନ୍ଧବ ଅବା ଚିହ୍ନାଜଣା କେହି ଯଦି କେଉଁଠି ଭେଟ ହୋଇଯାଉଛନ୍ତି ତେବେ ଅନେକ ଅବାସ୍ତବ ଓ ଅବାନ୍ତର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି। ଯାହା ଉତ୍ତର ଦେଲେ ବି ସେମାନେ ସେଥିରେ ସନ୍ତୁଷ୍ଟ ହେଉନାହାନ୍ତି। ସେହି ବିରକ୍ତିକର ପ୍ରଶ୍ନଗୁଡ଼ିକ ହେଲା, ଏତେ ଦିନ ସହରରେ ଚାକିରି କଲୁଣି, ନିଜର ଗୋଟିଏ ଘର କଲୁଣି ନା ଭଡ଼ାଘରେ ରହୁଛୁ। କିଛି ପ୍ଲଟ ରଖିଛୁ ନା ନାହିଁ?’ ସତେ ଯେମିତି ସହରରେ ଚାକିରି କଲେ ପ୍ଲଟ କିଣିବା, ଘର ନିର୍ମାଣ କରିବା ବା ଫ୍ଲାଟ କିଣିବା ବାଧ୍ୟତାମୂଳକ। ଯିଏ ଏ ସବୁ କରିନପାରିଲା ସେ ଗୋଟାଏ ଅପଦାର୍ଥ ଓ ଅପାରଗ। ବର୍ତ୍ତମାନର ଜଗତୀକରଣ ବା ବଜାରୀକରଣ ଯୁଗରେ ସାଧାରଣ ଭାବରେ ଚଳିବା ଯେମିତି ଦୋଷାବହ। ଆବଶ୍ୟକତା ଥାଉ କି ନ ଥାଉ ସବୁକିଛି ଅର୍ଜନ କରିବା ହେଉଛି ଜୀବନର ଲକ୍ଷ୍ୟ। ସେ ଜମିବାଡି, ଘରଦ୍ବାର, ଯାନବାହନ ହେଉ ବା ଦାମୀ ଆସବାବପତ୍ର ହେଉ, ଯେ କୌଣସି ପ୍ରକାରେ ଏହାକୁ ଆହରଣ କରି ଅନ୍ୟମାନଙ୍କ ସହ ସମକକ୍ଷ ହେବା ପାଇଁ ଚାଲିଛି ପ୍ରତିଯୋଗିତା। ନୀତି ଅନୀତିକୁ ପଚାରେ କିଏ?

କେବଳ ରାଜଧାନୀ ଭୁବନେଶ୍ବର ନୁହେଁ, ରାଜ୍ୟର ଅନ୍ୟାନ୍ୟ ଛୋଟବଡ ସହରରେ ସମ୍ପ୍ରତି ଯେଉଁ ବ୍ୟବସାୟ ସର୍ବାଧିକ ଲାଭ ଅର୍ଜନ କରିବାର ମାନ୍ୟତା ପାଇଛି ତାହା ହେଉଛି ଜମି କିଣାବିକା ବ୍ୟବସାୟ। ଆଧୁନିକ ଭାଷାରେ ଏହାକୁ କୁହାଯାଉଛି ରିଅଲ ଇଷ୍ଟେଟ ବିଜିନେସ। କେବଳ ଆମ ରାଜ୍ୟରେ ନୁହେଁ, ସର୍ବ ଭାରତୀୟ ସ୍ତରରେ ଏହା ଆଜି ଅଗଧାଡ଼ିର ବିଜିନେସ। ଅନେକ ବଡ ବଡ ବିଜିନେସ ହାଉସ ମଧ୍ୟ ଏହି ରିଅଲ ଇଷ୍ଟେଟ ବିଜିନେସରେ ସମ୍ପୃକ୍ତ। ଏମାନଙ୍କ ଯୋଗୁଁଁ ସହର ଭିତରେ ଆଉ ଖୋଲାଜାଗା ଦେଖିବାକୁ ମିଳୁନାହିଁ। କାଲି ଯେଉଁଠି ଖୋଲାଜାଗା ଥିଲା ଆଜି ସେଠି ବହୁତଳ ଆପାର୍ଟମେଣ୍ଟ। ସହରର ଭିତରେ ଆଉ ବାହାରେ ଯେଉଁ ଆଡେ ଦେଖିବ ଖାଲି ପ୍ଲାଜା, ନଗର, ବିହାର, ବାଟିକା, ଟାୱାର, ସିଟି, ହାଇଟ୍, ଏନକ୍ଲେଭ ଓ ଭ୍ୟାଲିର ସମୁଦ୍ର। ଏହାରି ଗର୍ଭ ଭିତରେ ଲୁଚି ଯାଉଛି ଖାଲ, ଢିପ, ଜମି, ଜଙ୍ଗଲ ଓ ନାଳ ଆଦି ସବୁକିଛି। ଏ ସବୁର ସତ୍ତା କ୍ରମଶଃ ହଜି ହଜି ଯାଉଛି କଂକ୍ରିଟ ଜଙ୍ଗଲର ନଗର, ବିହାର ଓ ପ୍ଲାଜା ଆଦି ଆଧୁନିକ ସଭ୍ୟତାର ସଜ୍ଞା ବହନ କରୁଥିବା ରିଅଲ ଇଷ୍ଟେଟର ଆଢୁଆଳରେ। ସହରକୁ ପ୍ରବେଶ ପୂର୍ବରୁ ରାସ୍ତାର ଦୁଇ କଡ଼ରେ ଏହାର ନମୁନା ସ୍ପଷ୍ଟ ଦେଖିବାକୁ ମିଳେ। ଜନସାଧାରଣଙ୍କ ମନରେ ସୁନ୍ଦର, ମନଲାଖି ଘରର ସ୍ବପ୍ନ ବୁଣା ଚାଲିଛି ରାତିଦିନ ଓ ଏହି ସ୍ବପ୍ନ ରେ ମସଗୁଲ ଓ ମତୁଆଲା ହୋଇଚାଲିଛନ୍ତି ସେମାନେ। କିଏ କେତେ ସ୍ବପ୍ନ ଦେଖାଇପାରିବ ସେଥିପାଇଁ ରିଅଲ ଇଷ୍ଟେଟ ମାନଙ୍କ ମଧ୍ୟରେ ଚାଲିଛି ପ୍ରତିଦ୍ବନ୍ଦ୍ବିତା। ତିରିଶ ଫୁଟିଆ ରାସ୍ତା, ପର‌୍ୟ୍ୟାପ୍ତ ପାର୍କିଂ ପ୍ଲେସ, ଚବିଶ ଘଣ୍ଟିଆ ସିକ୍ୟୁରିଟି, ଚବିଶ ଘଣ୍ଟିଆ ଜଳ ଓ ବିଦ୍ୟୁତ୍‌ ଯୋଗାଣ, କମ୍ୟୁନିଟି ହଲ୍, ଜିମ୍, ମାର୍କେଟ କମ୍ପ୍ଲେକ୍ସ, ଚିଲ୍‌ଡ୍ରେନ ପାର୍କ, ମନ୍ଦିର/ଉପାସନା ସ୍ଥଳ, ବାସ୍ତୁ ଉପଯୋଗୀ ଘର, ଆପାର୍ଟମେଣ୍ଟ/ ଡ଼ୁପ୍ଲେକ୍ସ ଭଳି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଓ ସୁବିଧା ଯୋଗାଇଦେବାର ଆଗୁଆ ପ୍ରତିଶ୍ରୁତି ଦିଅଯାଉଛି ଗ୍ରାହକମାନଙ୍କୁ।

ରାସ୍ତା କଡରେ ବଡ ବଡ ସୁଦୃଶ୍ୟ ବିଜ୍ଞାପନ ହୋର୍ଡ଼ିଂ ଓ ଖବର କାଗଜର ମୁଖ୍ୟ ପୃଷ୍ଠାରେ ମନଲୋଭା ବିଜ୍ଞାପନ ତଥା ଏସ ଏମ ଏସ, ଫୋନ କଲ ଓ ସୋସିଆଲ ମିଡ଼ିଆରେ ଆକର୍ଷିତ କରାଯାଉଛି ସହରମୁହାଁ ମଣିଷଙ୍କୁ। ଆଗୁଆ ବୁକିଂ ପାଇଁ ପ୍ରଲୋଭିତ କରାଯାଉଛି ସହର ପ୍ରତି ଦୁର୍ବଳତା ଥିବା ମଣିଷଙ୍କୁ ଲଟେରି ଓ ତୀର୍ଥସ୍ଥାନ ପରିଭ୍ରମଣର ପ୍ରତିଶ୍ରୁତି ମାଧ୍ୟମରେ। ସେଭଳି ମହାପୁରୁଷ ହୋଇନଥିଲେ ଏପରି ପ୍ରଲୋଭନରୁ ବର୍ତ୍ତିବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ନୁହେଁ। ପ୍ଳଟ ବା ଫ୍ଲାଟ କିଣିବାକୁ ପର‌୍ୟ୍ୟାପ୍ତ ଟଙ୍କା ନାହିଁ, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ସହଜ ଓ ସୁଲଭ ଭାବେ ବ୍ୟାଙ୍କ ଋଣ ବି କରାଇଦେବେ ସେମାନେ। ସହରରେ ଘର ଖଣ୍ଡିଏ ଥିଲେ ତା ଉପରେ ଆଉ ଗୋଟିଏ ଘର କିମ୍ବା ଆଉ ଗୋଟିଏ ଜାଗାରେ ପ୍ଲଟଟିଏ କିଣି ସେଠାରେ ଘର କରି ଦିଅନ୍ତୁ ଯାହାକି ନିଜ ପୁଅଠୁ ବି ଅଧିକ କାମରେ ଆସିବ। ଜନ୍ମିତ ପୁଅ ହୁଏତ ପରିଣତ ବୟସରେ ଆପଣଙ୍କୁ ପଚାରି ନ ପାରେ କିନ୍ତୁ ଘର ଖଣ୍ଡିଏ ଥିଲେ ମାସକୁ ମାସ ଘର ଭଡାରେ ଆପଣଙ୍କ ପକେଟ ଗରମ ରହିବ। ଆଜିକାଲି ସହରରେ ଘରଭଡାରୁ ଆୟ କଣ ଜାଣିନାହାନ୍ତି ? ବ୍ୟାଙ୍କ ଋଣରେ ଘର କରିଦିଅନ୍ତୁ। ଭଡା ଲଗାଇ ଘରଭଡ଼ାରୁ ବ୍ୟାଙ୍କ ଋଣ ଶୁଝନ୍ତୁ। ବର୍ଷ କେତୁଟାରେ ଋଣ ଶୁଝିଗଲାପରେ ସୁଖ ହିଁ ସୁଖ। ଯଦି ଫ୍ଲାଟ କିଣିବାକୁ ଚାହୁଁ ନାହାନ୍ତି ତେବେ ଦୁଇ ଚାରିଟା ପ୍ଳଟ କିଣି ରଖି ଦିଅନ୍ତୁ। ବର୍ଷକୁ ଅତି କମ୍ରେ ଦୁଇଗୁଣ ହାରରେ ମୂଲ୍ୟ ବଢି ବଢି ଚାଲିବ। ଘରଭଡ଼ାରୁ କେତେ ଟଙ୍କା ମିଳିବ ଯେ ବ୍ୟାଙ୍କ ଋଣ ଶୁଝିବି ବୋଲି କହିଲେ ଆପଣ ବୋକା ବୋଲି ଜଣା ପଡ଼ିବେ। ଆପଣ ଫ୍ୟାମିଲିବାଲାଙ୍କୁ ଘର ଭଡା ନ ଦେଇ କଲେଜ ପିଲା ବା ବ୍ୟା‌େଚଲରଙ୍କୁ ଭଡା ଦିଅନ୍ତୁ। ଗୋଟିଏ ରୁମ୍‌ରେ ଦୁଇଟି ଖଟିଆ ପକାଇ ଖଟିଆ ପିଛା ପଞ୍ଚ ହଜାର ଭଡା ଆଣନ୍ତୁ। ଫ୍ୟାମିଲିବାଲାଙ୍କୁ ଘର ଭଡା ଲଗାଇ ମାସିକ ଦଶ ହଜାର ପାଉଥିଲେ କଲେଜ ପଢୁଆ ପିଲା ବା ଚାକିର କରିଥିବା ଅବିବାହିତମାନଙ୍କୁ ଭଡ଼ା ଦେଲେ ଆପଣ ମାସିକ କୋଡିଏ ହଜାର ପାଇବେ। ଏଭଳି କଥା ଶୁଣିଲେ କିଏ ବା ପ୍ଲଟ ବା ଫ୍ଲାଟ କିଣିବା ନିଶାରେ ନ ପଡ଼ିବ।

ସହର ଉପକଣ୍ଠରେ ଆଉ ଚାଷଜମି ଦେଖିବାକୁ ମିଳୁନି। ବିଲ୍ଡରମାନଙ୍କ ଲୋଲୁପ ଦୃଷ୍ଟିରୁ ଏହାର କଳେବର କମି କମି ଚାଲିଛି। ଚାଷଜମିର ମାଲିକ ବି ଆଉ ଚାଷ କରିବାକୁ ଆଗ୍ରହ ଦେଖାଉନାହିଁ। ପ୍ରାକୃତିକ ବିପର‌୍ୟ୍ୟୟ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁଁ ସେ ନିରୁପାୟ। ତା ସହ ଚାଷ କାମକୁ ଆଉ ମଜୁରିଆ ମିଳୁନାହାନ୍ତି। ଚାଷଜମିର ମଜୁରିଆ ଏବେ କାମ ସନ୍ଧାନରେ ସହରରେ। ସେମାନେ ବି ସହରମୁହାଁ। ସକାଳୁ ସନ୍ଧ୍ୟା ପର‌୍ୟ୍ୟନ୍ତ ବିଲରେ ମାଟି କାଦୁଅରେ ଲଟର ପଟର ହେବାକୁ ସେମାନଙ୍କର ବି ଆଉ ପସନ୍ଦ ନାହିଁ। ଏହାର ଫାଇଦା ଉଠାଉଛନ୍ତି ଜମି ମାଫିଆ, ବିଲଡର ଓ ରିଅଲ ଇଷ୍ଟେଟ ମାଲିକମାନେ। ଏମାନଙ୍କ ଜାଲରେ ସହଜରେ ଫସି ଯାଉଛନ୍ତି ଜମି ମାଲିକମାନେ। ଜମି ବିକି ଭଲ ଅର୍ଥ ରୋଜଗାର କରୁଛନ୍ତି ଓ ତା ସାଙ୍ଗକୁ ପ୍ଲଟିଂ ସ୍କିମରେ ମନପସନ୍ଦର ପ୍ଲଟ କିମ୍ବା ଫ୍ଲାଟ ବି ପୁରସ୍କାର ଆକାରରେ ପାଇଯାଉଛନ୍ତି। ତା’ ପରେ ଚାଷ ଜମିରୁ ଜୀବନ ସାରା ମୁକ୍ତି। ବର୍ତ୍ତମାନ ତ’ ସୁଖରେ କଟିଯିବ, ଭବିଷ୍ୟତ କିଏ ଦେଖିଛି ? ଏବେ ସମସ୍ତେ ସହରମୁହାଁ। ତେଣୁ ସହର ବଢିବଢି ଚାଲିଛି। ମାଡି ଚାଲିଛି ତାର ପାର୍ଶ୍ବବର୍ତ୍ତୀ ଜମି, ଜଙ୍ଗଲ ଓ ଗାଁ ଆଡକୁ। ଦିନ ରାତି ନିର୍ମାଣ ଚାଲିଛି ଘର। ଅତ୍ୟାବଶ୍ୟକ ସୁବିଧା ଥାଉ କି ନଥାଉ କିଣା ଚାଲିଛି ଘର। ଆପାର୍ଟମେଣ୍ଟ ନିର୍ମାଣ ପୂର୍ବରୁ ବୁକିଂ ସରିଯାଉଛି। ପ୍ଲଟ ବି ବଳି ପଡ଼ୁନି। ବିକିବା ବାଲାଙ୍କ ଅଭାବ ନାହିଁ କି କିଣିବା ବାଲାଙ୍କ ଅଭାବ ନାହିଁ। ଜମିର ମୂଲ୍ୟ ଡିସିମିଲି ଆଧାରରେ ନୁହେଁ, ବର୍ଗଫୁଟ ଆଧାରରେ କୁହାଯାଉଛି। ପ୍ରତି ପିଢି ବା ଜେନେରେସନରେ ଏବେ ଘର ନିର୍ମାଣ ଚାଲିଛି। ପିତା ନିର୍ମାଣ କରିଥିବା ଘରେ ପୁତ୍ର ରହୁନି। ସେ ତା’ର ନୂଆ ଘର ନୂଆ ଜାଗାରେ କରୁଛି। ଯୌଥ ପରିବାର ଭାଙ୍ଗି ଏକକ ପରିବାର ସୃଷ୍ଟି ହେଲା ପରେ ଏଭଳି ପରିସ୍ଥିତି ଅଧିକ ସୃଷ୍ଟି ହୋଇଛି। ସହରରେ ଏବେ ଅନେକ ଘର ଅଛି ଯେଉଁଠି କେହି ରହୁ ନାହାନ୍ତି। କାରଣ ଘରର ମାଲିକ ଅନ୍ୟ ରାଜ୍ୟରେ ବା ବିଦେଶରେ ରହୁଛନ୍ତି। ଆଗେ ବନ୍ୟା ହେଉଥିଲା ଗାଁରେ। ଗ୍ରାମବାସୀ ହନ୍ତସନ୍ତ ହେଉଥିଲେ। ଏବେ ବନ୍ୟା ହେଉଛି ସହରରେ। ଅସରାଏ ବର୍ଷାରେ ସହରବାସୀ ହେଉଛନ୍ତି ଜଳବନ୍ଦୀ। ଘରପାଣି ଡ୍ରେନକୁ ଯିବା ବଦଳରେ ଡ୍ରେନ ପାଣି ପଶୁଚି ଘରେ। ସୁସ୍ଥ ପରିବେଶ ସମ୍ପନ୍ନ ଗାଁରେ ଜୀବନ ବିତାଇବା ଅପେକ୍ଷା ସହରର କଂକ୍ରିଟ ପରିବେଶରେ ଜିଇବାକୁ ଚାଲିଛି କସରତ। ସହର ବଢିବା ସହ ସହରବାସୀଙ୍କ ସଂଖ୍ୟା ବଢୁଛି ଓ ତା ସହ ସମାନ୍ତରାଳ ଭାବେ ବଢୁଛି ଅପରାଧ। କଥା କଥାକେ ଏଠି ହଣାକଟା ଓ ଗୁଳିମାଡ। ସହରରେ ଘଟୁଥିବା ଅଧିକାଂଶ ଅପରାଧ ଏହି ଜମିଜମା,ପ୍ଲଟ, ଫ୍ଲାଟ ଓ ସମ୍ପତ୍ତିକୁ ନେଇ ଘଟୁଛି। ତଥାପି କାହିଁକି କେଜାଣି ସମ୍ବେଦନହୀନ ସହରୀ ଜୀବନକୁ ଆପଣେଇବାକୁ ଲୋକଙ୍କ ଏତେ ଆଗ୍ରହ?ସର୍ବେକ୍ଷଣ କହେ, ୧୯୫୦ ମସିହାରେ ଭାରତରେ ସହରବାସୀଙ୍କ ସଂଖ୍ୟା ଥିଲା ମୋଟ ଜନସଂଖ୍ୟାର ମାତ୍ର ୧୭ ଭାଗ।

୨୦୧୩ ମସିହାରେ ଏହା ହେଲା ୩୨ ଭାଗ ଓ ୨୦୨୩ ମସିହାରେ ଏହା ୩୬.୩ ଭାଗକୁ ବୃଦ୍ଧି ପାଇଛି। ଏହି ଧାରା ଦର୍ଶାଉଛି ଯେ ଗତ ଦଶନ୍ଧିରେ ସହରୀକରଣରେ ୪ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି, ଅର୍ଥାତ୍ ଲୋକମାନେ କାମ ଖୋଜିବା ଏବଂ ସହରରେ ଜୀବିକା ନିର୍ବାହ କରିବା ପାଇଁ ଗ୍ରାମାଞ୍ଚଳରୁ ସହରକୁ ଚାଲିଯାଇଛନ୍ତି।ଅଧିକରୁ ଅଧିକ ଲୋକ ସେବା କ୍ଷେତ୍ରରେ କାମ ଖୋଜିବା ପାଇଁ କୃଷି କ୍ଷେତ୍ର ଛାଡି ଦେଉଛନ୍ତି। ଭାରତୀୟ ଅର୍ଥନୀତିରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏବଂ ଏହା ଆଜି ଭାରତର ପ୍ରାୟ ଅଧା କର୍ମଶକ୍ତିକୁ ନିଯୁକ୍ତି ଦିଏ, ତଥାପି ଭାରତର ଜିଡିପିରେ ସେବା କ୍ଷେତ୍ର ଅପେକ୍ଷା କୃଷି କ୍ଷେତ୍ରର ଅବଦାନ ହ୍ରାସ ପାଉଛି। ସଦ୍ୟତମ ଅର୍ଥନୈତିକ ସର୍ଭେ ୨୦୨୩-୨୪ ରେ ଉଲ୍ଲେଖ ତଥ୍ୟ ଅନୁଯାୟୀ ଆଶା କରାଯାଉଛି ଯେ ୨୦୩୦ ସୁଦ୍ଧା, ଭାରତର ଜନସଂଖ୍ୟାର ୪୦ ପ୍ରତିଶତରୁ ଅଧିକ ଲୋକ ସହରାଞ୍ଚଳରେ ବାସ କରିବେ।

ପାଣିର ବିପରୀତ ସ୍ରୋତରେ ମାଛ ଯିବା ଭଳି ଅନେକ ପ୍ରତିକୂଳ ବ୍ୟବସ୍ଥା ସ‌େ‌ତ୍ତ୍ବ ସହର ଆଡକୁ ଧାଇଁ ଚାଲିଛି ମଣିଷ। ସହରରେ ଗୋଟେ ଚାକିରି, ଖଣ୍ଡିଏ ଘର ହୋଇଗଲେ ମଣିଷ ଜୀବନ ସାର୍ଥକ ହୋଇଗଲା ବୋଲି ଅନେକଙ୍କ ଧାରଣା ହୋଇଗଲାଣି। ଏଥିପାଇଁ ଚାଲିଥିବା ମାରାଥନ ସମସ୍ତେ ଅଣନିଃଶ୍ବାସୀ। ଚାଷଜମି ଉଜୁଡିଯାଉ, ବଣ ଜଙ୍ଗଲ ପଦା ହୋଇଯାଉ, ସୁଖ ସମୃଦ୍ଧି ପାଇଁ ପରିବେଶ ରସାତଳକୁ ଯାଉ, ସେଥିପାଇଁ କାହାର ଚିନ୍ତା ନହିଁ। ସମ୍ପତ୍ତି ଲୋଭ ଓ ବିଳାସପୂର୍ଣ୍ଣ ଜୀବନର ଲାଲସାରେ ମଦମତ୍ତ ମଣିଷ ଭବିଷ୍ୟତ ପାଇଁ ଟିକେ ଚିନ୍ତା କରୁ। ଏଭଳି ବ୍ୟବସ୍ଥା ଚାଲୁ ରହିଲେ ଏ ମଣିଷ ସଭ୍ୟତା ଆଉ କେତେଦିନ ତିଷ୍ଠି ରହିବ। ଯେଉଁ ଭବିଷ୍ୟତ ବଂଶଧରଙ୍କ ପାଇଁ ଆମେ ସହରରେ ଘର ଓ ଜମି ଅର୍ଜନ କରୁଛୁ, ସେମାନେ ଏହାକୁ ଭୋଗ କରିବେ ତ ?


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App