ଓଡ଼ିଆ ଘରର ଅନନ୍ୟ ପରମ୍ପରା ପଣାସଂକ୍ରାନ୍ତି ଓ ନବବର୍ଷ

ପ୍ରେମାନନ୍ଦ ପାଣିଗ୍ରାହୀ

ଭଗବାନ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ମୌଳିକ ଉତ୍ସ । ସେ ପଞ୍ଚ ଦେବତାଙ୍କ ମଧ୍ୟରୁ  ଅନ୍ୟତମ । ସୂର୍ଯ୍ୟାଲୋକ ହିଁ ଜୀବନର ପ୍ରାଥମିକ ଅ ।ଧାର । ହିନ୍ଦୁ ଧର୍ମ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତ୍ରିଦେବଙ୍କ ପ୍ରତୀକ ବୋଲି ଗ୍ରହଣ କରାଯାଇଛି । ଉଦୟ ସମୟରେ ସେ ବ୍ରହ୍ମା, ମଧ୍ୟାହ୍ନରେ ସେ ମହେଶ୍ୱର ଓ ସଂନ୍ଧ୍ୟା ସମୟରେ ସେ ସ୍ୱଂୟ ବିଷ୍ଣୁ । ଭାରତୀୟ ସଂସ୍କୃତି ଓ ଦର୍ଶନରେ ସୂର୍ଯ୍ୟ ହେଉଛନ୍ତି ଭାରତୀୟ ଜୀବନ ଓ ଜୀବିକାର ମୂଳ ଉତ୍ସ । ପ୍ରତିପଦାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚନ୍ଦ୍ରମାସ ହେଉଥିବା ବେଳେ ସଂକ୍ରାନ୍ତି ଠାରୁ ମାସାନ୍ତ ପର୍ଯ୍ୟନ୍ତ ସୌରମାସ ଭାବେ ପାଳନ କରାଯାଏ । ସୂର୍ଯ୍ୟଙ୍କ ଗତିପଥରେ ୧୨ଟି ନକ୍ଷତ୍ରାଧିପତିଙ୍କ ସ୍ଥିତି ପରିକଳ୍ପିତ । ଜ୍ୟୋତିଷ ଶାସ୍ତ୍ରରେ ସେମାନଙ୍କୁ ରାଶି ଭାବରେ ନାମିତ କରାଯାଇଛି ଯଥା :- ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଓ ମୀନ । ରାଶିର ନାମାନୁଯାୟୀ ୧୨ଟି ସୌର ମାସର ନାମକରଣ ମଧ୍ୟ କରାଯାଇଛି । ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ସୂର୍ଯ୍ୟଙ୍କର ସଂକ୍ରମଣ ଦିନ ହିଁ ସଂକ୍ରାନ୍ତି ନାମରେ ପରିଚିତ । ସୂର୍ଯ୍ୟଙ୍କର ମେଷ ରାଶିକୁ ପ୍ରବେଶ ଦିବସ ହେଉଛି ମେଷ ସଂକ୍ରାନ୍ତି ।  

 ଓଡିଆ ପଞ୍ଜିକାର ଗଣନା ଅନୁଯାୟୀ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ନୂତନ ପଞ୍ଜିକା ପ୍ରଚଳିତ ହୁଏ । ବିଷୁବସଂକ୍ରାନ୍ତିର ଧର୍ମୀୟ ବାତାବରଣ ସାରା ଓଡିଶାରେ ପରିବ୍ୟାପ୍ତ । ଓଡିଶାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବରେ ଗ୍ରହଣ କରାଯାଏ । ଇଂରାଜୀ ନବବର୍ଷରେ ଅଭିନନ୍ଦନ ପତ୍ର ଦିଆନିଆ, ଭୋଜିଭାତ, ମଉଜମଜଲିସରେ କଟୁଥିବାବେଳେ ଓଡିଆ ନୂତନ ବର୍ଷକୁ ଶୁଭଙ୍କର ଓ ମଙ୍ଗଳମୟ କରିବାପାଇଁ ନଦୀ ଓ ସମୁଦ୍ରରେ ବୁଡ ଦିଆଯାଏ  ।  ଦାନ, ଯଜ୍ଞ, ହୋମ, ବନ୍ଧୁମିଳନ, ଦେବ ମନ୍ଦିରରେ ପୂଜାର୍ଚ୍ଚନା, ତୁଳସୀ ଚଉଁରାମୂଳରେ ଜଳଘଟ ସ୍ଥାପନ ଏ ଦିବସର ମହତ୍ତ୍ୱର୍କୁ ରୁଦ୍ଧିମନ୍ତ କରଥାଏ । 

 ଲୋକାଚାରରେ ବିଷୁବ ସଂକ୍ରାନ୍ତିକୁ ପଣାସଂକ୍ରାନ୍ତି ମଧ୍ୟ କୁହାଯାଏ । ଏ ପଣାରେ ସାଧାରଣ ଲୋକେ ବୈଶାଖ ମାସରେ ମିଳୁଥିବା ସୁଲଭ ପାଚିଲା ବେଲ ସହ ନବାତ, ଗୁଡ, ଛେନା, କଦଳୀ, ଆଖୁରସ, ଗୋଲମରିଚ, ଆମ୍ବ, ନଡିଆ, କାଜୁ, ଚେରି, ଭାଙ୍ଗ ଇତ୍ୟାଦି ମିଶ୍ରଣ କରାଇ ତୁଳସୀ ଚଉଁରା ମୂଳରେ ଅର୍ପଣ କରନ୍ତି । ଯଅ, ଗହମ, ବୁଟ ଇତ୍ୟାଦି ପେଷି ଚୂନା କରାଯାଏ । ସେଥିରେ ଗୁଡ, କଦଳୀ, ଦହି, ଛେନା ଇତ୍ୟାଦି ପଡି ଛତୁଆ ପ୍ରସ୍ତୁତ କରାଯାଏ । ଏହି ଛତୁଆକୁ ପ୍ରଥମେ ତୁଳସୀ ଚଉଁରା ମୂଳରେ ଅର୍ପଣ କରାଯାଇ ସେହି ପ୍ରସାଦକୁ ସେବନ କରାଯାଏ । ଚଉଁରାରେ ଜାମୁପତ୍ର ଢାଙ୍କି ବସୁନ୍ଧରା କରାଯାଇ ସେଥିରେ ମାଟିଘଡି ଓହଳା ଯାଇଥାଏ । ସେହି ମାଟିଘଡିରେ କ୍ଷୁଦ୍ର ଛିଦ୍ର କରାଯାଇଥାଏ । ମାସକ ପର୍ଯ୍ୟନ୍ତ ପ୍ରତିଦିନ ଦାରୁଣ ନିଦାଘର ଉତ୍ତପ୍ତ ଅଂଶୁପ୍ରବାହ ଦାଉରୁ ତୁଳସୀଙ୍କୁ ରକ୍ଷା କରିବା ପାଇଁ ଜଳାଭିଷେକ କରାଯାଇଥାଏ । ନାରାୟଣଙ୍କର ଜଳ ସହିତନିବିଡ ସମ୍ପର୍କ ରହିଥିବାରୁ ଜଳାଧାରାରେ ମା ବୃନ୍ଦାବତୀ ସନ୍ତୁଷ୍ଟହୋଇଥାନ୍ତି । ବଟ ଓ ଅଶ୍ୱତ୍ଥ ବୃକ୍ଷମାନଙ୍କରେ ଜଳଘଡି ବାନ୍ଧି ମଧ୍ୟ ଜଳଦାନ କରାଯାଏ । ମେଷ ସଂକ୍ରାନ୍ତିଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ବୃକ୍ଷ ଓ ଜୀବଜଗତକୁ ଜଳଦାନ କରି ପୂଣ୍ୟ ଅର୍ଜନ ପାଇଁ ଲୋକମାନେ ମନ ବଳାଇଥାନ୍ତି । ତେଣୁ ଏହି ସଂକ୍ରାନ୍ତିକୁ କେତେକ ସ୍ଥାନରେ ଠେକି ବସା ସଂକ୍ରାନ୍ତି ଓ ଜଳ ସଂକ୍ରାନ୍ତି କୁହାଯାଏ ।  ଶାଳଗ୍ରାମ, ଶିବଲିଙ୍ଗ, ହନୁମାନ ଓ ଅନ୍ୟାନ୍ୟ ଇଷ୍ଟଦେବଦେବୀଙ୍କ ନିକଟରେ ପୂଜା ନୈବେଦ୍ୟ ସ୍ୱତନ୍ତ୍ର ଭାବରେ ଏହିଦିନ ସମର୍ପଣ କରାଯାଏ । ବର୍ଷ ଆରମ୍ଭ ହେଉତିବାରୁ ପଞ୍ଚଦେବତା ଗଣେଷ, ନାରାୟଣ, ରୁଦ୍ର, ଅମ୍ବିକା ଓ ଭାସ୍କରଙ୍କୁ ନିଷ୍ଠାର ସହ ମଧ୍ୟ ପୂଜା କରାଯାଏ । ଗ୍ରୀଷ୍ମ ତାପିତ ପଥଚାରୀଙ୍କ ନିମନ୍ତେ ଜଳଛତ୍ର ସ୍ଥାପନ ଓ ଜଳ ବିତରଣ ଏହି ଦିନଠାରୁ କରିବା ଦ୍ୱାରା ଅଶେଷ ପୂର୍ଣ୍ଣ ଲାଭ ହୁଏ । ଜଳଦାନ ସହ ଛତା, ଜୋତା, ଶ୍ୱେତବସ୍ତ୍ର ଦାନ କରି ଧର୍ମପରାୟଣ ବ୍ୟକ୍ତିମାନେ ଏହି ଦିନଟିକୁ ଅତି ନିଷ୍ଠାର ସହିତ ପାଳନ କରନ୍ତି । 

ମହାବିଷୁକ ସଂକ୍ରାନ୍ତିରେ ଲୋକଉତ୍ସବ ଯଥା :  ପାଟୁଆ ନାଚ, ଝାମୁ ଯାତ୍ରା, ଦଣ୍ଡନାଚ, ଚଡକ ଯାତ୍ରା ପରି ଲୋକନୃତ୍ୟର ପରିସମାପ୍ତି ଘଟେ । ପାଟୁଆ ଯାତ୍ରା, ଝାମୁ ଯାତ୍ରା, ଦଣ୍ଡଯାତ୍ରା ଆମ ଓଡିଶାର ଧାର୍ମିକ ପରମ୍ପରା ଓ ସଂସ୍କୃତି ସହିତ ଜଡିତ ।  ଦୀର୍ଘ ଏକ ମାସ ଧରି ନିଷ୍ଠାର ସହ ଶିବ ଓ ମା ମଙ୍ଗଳାଙ୍କୁ ମାନସିକ କରି ପାଟୁଆମାନେ  ଦ୍ୱାରଦ୍ୱାର ବୁଲି ପାଟୁଅ । ନାଚକରନ୍ତି । ଝାମୁଯାତ୍ରା ବା ପାଟୁଆଯାତ୍ରା ସାଧାରଣତଃ ଦେବୀ ମନ୍ଦିରରେ ପାଳିତ ହୋଇଥାଏ । ପାଟୁଆମାନେ ବିଭିନ୍ନ ପ୍ରକାର ଯଥା :- ଘଟପାଟୁଆ, ନିଆଁ ପାଟୁଆ, ଘଣ୍ଟପାଟୁଆ, ଫୋଡା ପାଟୁଆ, ଝୋଲାପାଟୁଆ, ଖଣ୍ଡା ପାଟୁଆ ଇତ୍ୟାଦି । ଓଡିଶାର ବୌଦ୍ଧ, ସମ୍ବଲପୁର, ରେଢାଖୋଲ, ସୋନପୁର, ବଲାଙ୍ଗୀର, ଆଠମଲ୍ଲିକ ପ୍ରଭୃତି ଅଞ୍ଚଳରେ ଏହାର ବହୁଳ ପ୍ରଚଳନ ଅଛି । ଝାମୁଯାତ୍ରା ବା ପାଟୁଆ ବ୍ରତରେ ପାଟୁଆମାନେ ଅଙ୍ଗର ବିଭିନ୍ନ ଅଂଶକୁ କଷ୍ଟ ଦେଇ ଏ ବ୍ରତ ପାଳନ କରନ୍ତି । ଖନ୍ଦକ ଖୋଲାଯାଇ ଦୀର୍ଘ ବାର ହାତ ପର୍ଯ୍ୟନ୍ତ ବିଛା ଯାଇଥିବା ରଡନିଆଁରେ ପାଟୁଆମାନେ ଦେବୀଙ୍କ ପବିତ୍ର ଘଟକୁ ମସ୍ତକରେ ଧାରଣ କରି ଚାଲି ଚାଲି ଯିବା ନିଷ୍ଠାର ଓ ପରାକାଷ୍ଠାର ପ୍ରତିଫଳନ । ଉତ୍ତର ଓଡିଶାରେ ମହାବିଷୁବ ସଂକ୍ରାନ୍ତିରେ ଚଡକ ପର୍ବ ପାଳନ କରାଯାଏ ।  ଚଡକ ପୂଜାରେ ବ୍ରତଧାରୀଙ୍କ ପିଠିକୁ ପୋଡା ଝୁଣା ପକାଯାଏ ଓ ବଂଶୀକଣ୍ଟା ପରି ବଡ ହୁକ ଫୋଡାଯାଏ । ମହାବିଷୁବ ସଂକ୍ରାନ୍ତି ଦିନ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ସାତ ଦିନ ବ୍ୟାପି ଚାଲିଥିବା ଉଡାଯାତ୍ରାର ପରିସମାପ୍ତି ଘଟେ । ବ୍ରତପାଳନରେ ବ୍ରତଧାରୀମାନେ ଇହକାଳରେ ସୁଖ ଲାଭର ଅଭିଳାଷ ରଖି ବ୍ରତ ସମୟରେ ବ୍ରାହ୍ମଣ, ଗୋମାତା, ପୃଥୀବୀ ଓ ସୂର୍ଯ୍ୟଦେବଙ୍କୁ ପୂଜା କରି ଅଭିଳାଷ ରଖିଥାନ୍ତି । ଚୈତ୍ର ଅମାବାସ୍ୟାରୁ ଅ ।ରମ୍ଭ ହୋଇଥିବା ଦଣ୍ଡ ପୂଜା ବିଷୁବ ସଂକ୍ରାନ୍ତି ଦିନ ଉଦ୍‌ଯାପିତ ହୁଏ । ଭକ୍ତମାନେ କଠୋର ସାଧନା କରି ଶିବଙ୍କୁ ମନାଷୀ ଏହି ବ୍ରତପାଳନ କରିଥାନ୍ତି । 

 ମହାବିଷୁବ ସଂକ୍ରାନ୍ତି ଦିନ ଜ୍ଞାନ,ବୁଦ୍ଧି ଓ ବଳର ପତୀକ ମହାବୀର ହନୁମାନ ଜନ୍ମ ହୋଇଥିଲେ । ବୀରତ୍ୱ ଓ ଅତୁଳନୀୟ ଭକ୍ତି ପାଇଁ ହନୁମାନ ଯୁଗେ ଯୁଗେ ନମସ୍ୟ । ବାନର ରାଜ କେଶରୀ ସୁମେରୁ ନାମକ ପର୍ବତରେ ବାସ କରୁଥିଲେ । ଅଞ୍ଜନା ଦେବୀ ପବନ ବୀର୍ଯ୍ୟରୁ ଗର୍ଭବତୀ ହେଲେ ଓ ତାଙ୍କର ଏକମାତ୍ର ପୁତ୍ର ଜାତ ହେଲା । ଏଣୁ ଏହି ବିଷୁବସଂକ୍ରାନ୍ତି ଦିନ ହନୁମାନଙ୍କ ଜୟନ୍ତୀ ଅବସରରେ ପୂଜାର୍ଚ୍ଚନା ସାଙ୍ଗକୁ ହନୁମାନ ଚାଳିଶା ପାଠ ଅତି ନିଷ୍ଠାର ସହ କରାଯାଏ । ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କର ଅ ।ବିର୍ଭାବ ୧୮୫୪ ମସିହା ମହାବିଷୁବ ସଂକ୍ରାନ୍ତି ତିଥିରେ । ତେଣୁ ଏହି ପବିତ୍ର ଦିବସରେ ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଜନ୍ମୋତ୍ସବ ମଧ୍ୟ ପାଳନ କରାଯାଏ । ମହାବିଷୁବ ସଂକ୍ରାନ୍ତି ଦିନ ଦାନ,ଧର୍ମ କରାଯାଏ । ସୂର୍ଯ୍ୟତାପରୁ ରକ୍ଷା ପାଇବା ପାଇଁ ଏହି ଦିନ ବ୍ରାହ୍ମଣ ଓ ଯାଚକମାନଙ୍କୁ  ତାଳପତ୍ରରୁ ତିଅ ।ରି ଛତା,ବିଞ୍ଚଣା,କଠଉ ଦାନ କରାଯାଏ । ପ୍ରଖର ସୂର୍ଯ୍ୟତାପରୁ ବୃକ୍ଷ ଓ ଜୀବଜଗତକୁ ଜଳ ପ୍ରଦାନ କରିବା ଏକ ପୂଣ୍ୟ କାର୍ଯ୍ୟ ବୋଲି ଗ୍ରହଣ କରାଯାଉଥିବାରୁ ଏହି ସଂକ୍ରାନ୍ତିକୁ ଜଳ ସଂକ୍ରାନ୍ତି କୁହାଯାଏ ।   ପଥିକ ଓ ପଶୁପକ୍ଷୀଙ୍କର ତୃଷା ନିବାରଣ ପାଇଁ ଏହି ଦିନ ଠାରୁ ଜଳ ଦାନ କରାଯାଏ । ଜଳଦାନର ଏକ ପବିତ୍ର ଦିନ ବିଷୁବ  ସଂକ୍ରାନ୍ତି । ଧର୍ମପରାୟଣ ଲୋକମାନେ ପଣା ବଣ୍ଟନ କରିବା ସହ ଜଳ, ଅବଢା ତୋରାଣି ବିତରଣ କରିଥାନ୍ତି । ମହାବିଷୁବ ସଂକ୍ରାନ୍ତିକୁ ପଞାବରେ େବୈଶାଖୀ ପର୍ବ ଭାବରେ ପାଳନ କରାଯାଏ ।   ଓଡିଶାବାସୀଙ୍କ ପାଇଁ ବିଷୁବସଂକ୍ରାନ୍ତି ଏକ ବିଷୁବ ମିଳନର ମାନ୍ୟତା ପାଇଛି । ସାହିତ୍ୟ ଆସର, ବିଷୁବ ସମାବେଶ, ବିଷୁବ ସମାରୋହ, ବିଷୁବ ପୁରଷ୍କାର ଆଦି ଭିନ୍ନ ଭିନ୍ନ ନାମରେ ସାରସ୍ୱତ ଉତ୍ସବମାନ ଆୟୋଜିତ ହୋଇଥାଏ । ଗ୍ରାମ ଓ ନଗରମାନଙ୍କରେ ପାରାୟଣ ଓ ପ୍ରବଚନ ଆଦି ଆୟୋଜନ କରାଯାଏ । 


Reader Reviews

No reviews yet. Be the first to write one!