You can write and publish your own articles here.
Please download the app to get started.

Download App


ବାପା ନଥିବା ପୃଥିବୀ

ବିପ୍ଳବ

ବାପାଙ୍କ ବାଁ ହାତର ମଝି ଆଙ୍ଗୁଠିକୁ ମୁଁ ମୁଠେଇ ଧରିଥିଲି । ଡାହାଣ ପାଖରେ ଥିଲା ନିତୁ। ବାପାଙ୍କ କାନ୍ଧରେ ଦୁଇ ପଟକୁ ଗୋଡ ଓହଳେଇ ଚୁଟିକୁ ଧରି ବସିଥିଲା ସବା ସାନ ଜିନା। ମାମୁ ଘରୁ ରାମ ନବମୀ ଦେଖି ଫେରୁଥିଲୁ ଆମେ। ଅଜା, ଆଇ, ମାମୁ, ମାଇଁ, ଚୁମକି ଦେଈ ହେରିକା କହୁଥିଲେ ରହିଯା। ଭଲକି ସକାଳ ହେଉ ଯିବ। ବାପା ରାଜି ହେଲେନି। ସେଇ ମାଛି ଅନ୍ଧାରରେ ଚାଲି ଆସିଲେ। ବୋଉ ଦେହ ଭଲ ନଥିଲା। ସେଥିପାଇଁ। 

ବାଟ ସାରା ଧାଡ଼ି ଧାଡ଼ି ଆମ୍ବଗଛ। ମେଞ୍ଚା ମେଞ୍ଚା ବଉଳରେ ଡାହି ସବୁ ତଳକୁ ନଇଁ ଆସିଥାନ୍ତି। ବାସ୍ନାରେ ରାତି ମହକୁ ଥାଏ। କୋଇଲି ତୁହାକୁ ତୁହା ରାବୁ ଥାଏ। ଡର ଭୟ କିଛି ଲାଗୁନଥାଏ। ଗିରିଗିରା ସାଇର ମାଛୁଆ କେଉଟମାନଙ୍କର ଘର ଗହଳି ଚହଳି ଲାଗି ଯାଇଥାଏ। ଜାଲ ଧରି ନଈକୁ ବାହାରି ଯିବାକୁ କେହି କେହି ପ୍ରସ୍ତୁତ ହେଉଥିଲେ। ନଖି ଭାଉଜ ଦାଣ୍ଡ

ଓଳେଇ ଗୋବର ପାଣି ଛିଞ୍ଚୁ ଥିଲେ । 

ଆମ ଘର ଆଉ ଅଳପ ବାଟ ଥାଏ। ମଝିରେ ଯାହା ଚିଆରିଆ ମାଳ। ଏକର ଏକର ଆଖୁ ବିଲ। ଡେଙ୍ଗା ଡେଙ୍ଗା ଆଖୁ ସବୁ ଠିଆ ହୋଇଥାନ୍ତି ବ୍ୟାଙ୍କ ଆଗରେ ଠିଆ ହୋଇଥିବା ସୁରକ୍ଷାକର୍ମୀ ପରି। 

ଗହମ ପୋଖରୀ ଝଙ୍କା ବରଗଛ ତଳେ ଆଖୁ ଶାଳ ବସିଥାଏ। ଜିନା ଦୋରୁଅ ପିଇବ ବୋଲି ଜିଦ୍ ଧରିଲା। ବାପା ତାକୁ କାନ୍ଧରୁ ଓହ୍ଲେଇଲେ। ଆଖୁ ସବୁ ବିଲରୁ କଟାହୋଇ ପର୍ବତ ପ୍ରମାଣେ ଗଦା ହୋଇଥାଏ। କିଛି ଆଖୁ ଉଁଛା ହୋଇ ଖାଇ ଚାରିକଡ଼େ  ଗଦା ହୋଇଥାଏ। ଆଉ କିଛି ପତୁରି ସାଲୁବାଲୁ ହୋଇ ଦୂରରେ ବିପର୍ଯ୍ୟସ୍ତ ଭାବରେ ପଡ଼ିଥାଏ। 

ବାପା ଶାଳ ଭିତରକୁ ଗଲେ।  ଧୋଇ ବଡ ବାପା ଗୁଡ଼ ରାନ୍ଧୁଥିଲେ। ଗୋଟିଏ ବଡ ମଲାଆଖୁ ହାତରେ ଧରି  ଚୂଲି ଭିତର ଉଖାରି ଦେଉଥିଲେ । ବେଳେବେଳେ ଚ୍ଛେଦା ନହେଲେ ପତୁରି ମେଣ୍ଢେଇ ଦେଉଥିଲେ। 

ବାପାଙ୍କୁ ଦେଖି ପଚାରିଲେ : କୁଆଡେ଼ ଯାଉଛୁ ପିଲାମାନଙ୍କୁ ନେଇ ଏଇ ଅନ୍ଧାର ଟାରେ ? 

- ନବମୀ ଦେଖି ଯାଇଥିଲେ ମାମୁ ଘର। ପାଇଟିରୁ କୋଉ ତର ହଉଚି ? ଛୁଆ

ମାଙ୍ଗେଟି କଲେ ରାବଣ କେମିତି ମରୁଚି ଦେଖିବୁ। ଦେଖୁନୁ ସାନ ଝିଅଟା ଅଝଟ ହେଉଚି ଦୋରୁଅ ପିଇବ ବୋଲି। 

- ଆରେ ପାଇଟିଆ କେହି ଆସି ନାହାଁନ୍ତି ବଳଦ ଆଣିକି। ବଳଦ ଯୋଚାହୋଇ ଟାଣିଲେ ସିନା ଦୋରୁଅ ବାହାରିବ। ବାସି ଦୋରୁଅ ତାଉଆରେ ଢ଼ଳା ହେଇ ଯାଇଚି। ତତଲା ଗୁଡା କେମିତି ପିଇବ ଛୁଆଟା ?

ନିତୁ ପାଟି କଲା - ବାପା ସେ ଦାନ୍ତ ଘଷିନି।

ବାପା ହସିଲେ - ଛୋଟ ଛୁଆଟା ଅଘଷା ପିଇଲେ କଣ ରୋଗ ବଇରାଗ ହେଇ ଯାଉଛି ? ଭାଈ ତୁ ଚୂଲି ଜଳା ବନ୍ଦକରି ଆଖୁ ଦି ଟା ମୁହାଁଇ ଦେ। ମୁଁ ବିଞ୍ଚିଣୀ ଭିଡ଼ି ଦେବି ଦି ଭେରା। 

ବାପା ଥିଲେ ବିଶାଳ ବପୁର ଅଧିକାରୀ। ପାଞ୍ଚ ହାତ ମର୍ଦ୍ଦ, ବିଶାଳ ଛାତି। ବଳିଲା ବଳିଲା ବାହା। ଯୋଉ ବିଂଚିଣୀକୁ ଦୁଇ ହଳ ବଳଦ ଭିଡନ୍ତି ବାପା ଏକୁଟିଆ ଛାତି ଲଗେଇ ଟାଣି ନେଲେ। ଟପ୍ ଟପ୍ ହୋଇ ଦୋରୁଅ ପଡୁଥିଲା ବଣା ଭିତରେ। ତାଳି ମାରି ହସୁଥିଲା ଜିନା। 

ଆଜି ସବୁ ମନେ ପଡ଼ୁଚି ବାପା। ତମେ ଆମର ଗୋଟିଏ ସ୍ବପ୍ନକୁ ବି ତଳେ ପକେଇ ଦେଇ ନଥିଲ। ଆମେ ଭାଇର ଅଭାବ ଅନୁଭବ କରିଥିଲେ ବି ତମେ ପୁଅର ଅଭାବ ଅନୁଭବ କରି ନଥିଲ। କେତେ ଆଦରରେ, ଯତ୍ନରେ ବଢ଼େଇଥିଲ ଆମ ମାନଙ୍କୁ ! ହେଲେ ଚିତ୍ରସେନ ଆଜି ନୃଶଂସ ଭାବରେ ମୋ କୋଳଗାତକୁ ଗୋଇଠା ପକେଇଦେଲେ। ମୁଁ କଷ୍ଟରେ ମୂର୍ଚ୍ଛା ହୋଇଗଲି ଆଉ ସେ ଏକା ଛାଡ଼ି ଚାଲିଗଲେ । ତମେ ପୁରୁଷ ଆଉ ଇଏ ବି ଜଣେ ପୁରୁଷ । କେତେ ଫରକ୍ !

ବାପା, ତମେ ଦିନେ କହୁଥିଲ ନା ମୁଁ ରାଜା ନହେଲେ କଣ ହେଲା ମୋ ଝିଅ ମାନେ ରାଜକୁମାରୀ। ଅଗନା ଅଗନି ବନସ୍ତ ଟପି, ସାତ ନଈ, ତେର ଦରିଆ ପାରି ହୋଇ କୋଉ ରାଜକୁମାର ଆସି ଆମକୁ ଧଳା ଘୋଡାରେ ବସେଇ ନେଇଯିବ ? କୁଆଡେ଼ ହଜିଗଲା ସେ ସବୁ ସ୍ଵପ୍ନଭର୍ତ୍ତି ରାତି ! ଅଗଣାରେ ବୁଢ଼ୀ ମା

ଶଉପ ପକେଇ ବୁଢ଼ୀ ଅସୁରୁଣୀ କାହାଣୀ କହିବାର ଦିନ ସବୁ? ଦିନେ ଦିନେ ନଖାଇ ନପିଇ ଆକାଶରେ ଜହ୍ନ, ତାରାଙ୍କୁ ଦେଖି ଘୁମେଇ ପଡ଼ୁଥିଲୁ ତିନି ଭଉଣୀ। କଷ୍ଟ ଲାଗୁ ନଥିଲା। କୁଆଡୁ ଆସୁଥିଲା ଏତେ ନିଦ କେଜାଣି ! ହେଲେ ଆଜି ବୁଢ଼ୀ ମା କାହାଣୀର ବୁଢ଼ୀ ଅସୁରୁଣୀମାନେ ଆମକୁ ଝୁଣି ଝୁଣି ଖାଇଯାଉଛନ୍ତି। 

ବାପା କାଲି ତମ କୋଳପୋଛା ଝିଅ ଜିନା  ଫୋନ୍ କରିଥିଲା। ପୁଣି ଜୀବନ ଘରେ ନଥିବା ବେଳେ। ତା ଶାଶୁ ପୋଖରୀ ତୁଠକୁ ଗାଧୋଇ ଯାଇଥିବା ବେଳେ। ପଡିଶା ଘର କଲେଜ୍ ଯାଉଥିବା ଝିଅର ଫୋନ୍ ରୁ। ତାକୁ ଭଲପାଇ ବାହା ହୋଇଥିବା ଜୀବନ ଏବେ ବେଶୀ ଘୃଣା କରୁଛି ତାକୁ। ଜିନା ପାଖରେ ଗୋଟିଏ ଆଉଟ୍ ଗୋଇଂ ନଥିବା କି ପ୍ୟାଡ୍ ଫୋନ୍।  ଇଏ ସେଇ ଜୀବନ ଯିଏ ଜିନାକୁ ନପାଇଲେ ଜୀବନ ହାରିଦେବ କହି ଆମ ଘର ଆଗରେ ଆତ୍ମହତ୍ୟାର ନାଟକ କରିଥିଲା। ଶେଷରେ ବୋଉ ଆଉ ମୁଁ ଫସି ଯାଇଥିଲୁ ତା ଅଭିନୟରେ। ତିନି ଦିନ ତଳେ ତତଲା ଚା ଫୋପାଡ଼ି ଜିନା ପେଟରୁ ଛାଲ ଛଡେଇ ଦେଇଛି। ମୁଁ ଆଜି ଶୁଣିଲି। ପଡିଶା ଘର ସମ୍ପର୍କୀୟ ଖୁଡ଼ିଶାଶୁ ଗାଁ ଦୋକାନରୁ ଲାଙ୍ଗୁଡା ଆଣି ସେଇଠି ଲଗେଇଚି।  ରାତି ଅଧରେ ମଦ ପିଇ ଘରକୁ ଫେରୁଥିବା ସ୍ୱାମୀକୁ ପ୍ରଶ୍ନ କରିବା ହିଁ ତାର ଅପରାଧ ଥିଲା। 

ଆମେ କେହି ଭଲ ପାଠ ପଢ଼ୁ ନଥିଲୁ ବୋଲି ତମେ ତାକୁ କଲେଜ୍ ପଢିବାକୁ ବାରଣକରି ନଥିଲ। ଏତେ ବାଟ କେମିତି ଚାଲି ଚାଲି ଯିବ ବୋଲି କଲେଜ ହଷ୍ଟେଲ ରେ ନେ଼ଇ ତାକୁ ଛାଡି ଆସିଥିଲ । ଦିନେ ଦୁଇ ଦିନ ଯାଏଁ ତମେ ଠିକ୍ ରେ ଖାଇ ପାରି ନଥିଲ। ଯେମିତି ଝିଅ ପଢ଼ିବାକୁ ଯାଇନି ସବୁଦିନ ପାଇଁ ତା’ ଶାଶୁ ଘରକୁ ଚାଲି ଯାଇଚି। ବୋଉ ତମକୁ ବୁଝେଇ ବୁଝେଇ ନିଜେ କାନ୍ଦି ପକାଉଥିଲା। ପାଞ୍ଚ ଛ ଦିନ ଏମିତି ବିତି ଗଲା। ସେଦିନ ଶନିବାର ଆମ ଗାଁ ହାଟ। କୋବି ବିକି ସାରି ହାଟରୁ ଫେରିଲ ତମେ । ଯୋଉ ଓଦରରେ କୋବି ଲଦା ହୋଇ ଯାଇଥିଲା ସେଇ ଓଦର ଭିତରେ ବସି ଜିନା ଫେରି ଥିଲା। ପାଠ ପଢାରେ ଡୋରି ବନ୍ଧା ହେଲା ତାର। ସେଦିନ ଜିନାକୁ କଲେଜରୁ ଫେରାଇ ଆଣିବା ନିଷ୍ପତ୍ତି ଭୁଲ୍ କି ଠିକ୍ ମୁଁ ଆଜି ଭାବି ପାରୁନି l ଜଣେ ବାପାର ନିଜ ଝିଅ ପ୍ରତି ଥିବା ଭଲ ପାଇବା ମୋତେ ନିର୍ବାକ୍ କରି ଦେଇଥିଲା। ଜୀବନର ପ୍ରତିଟି ମୋଡରେ ଭେଟ ହେଉଥିବା ପୁରୁଷ ପାଖରେ ମୁଁ ତମ ପରି ସ୍ନେହ,ପ୍ରେମ ଖୋଜି ଆସି ଠକି ଯାଇଛି ବାପା । ତମେ ଆଜି ବଂଚିଥିଲେ କଣ ଦେଖି ପାରିଥାନ୍ତ ତମ କୋଳପୋଛା ଝିଅର ଛାଲଛଡ଼ା ଦେହ ?

ନିତୁ କଥା କ’ଣ କହିବି ? ସେ ଥିଲା ଆମ ଭିତରେ ସବୁଠାରୁ ସୁନ୍ଦରୀ ଆଉ ଗୁଣର ।ତାକୁ ରାଜକୁମାର ପରି ଚାକିରିଆ ବର ବାହା ଦେଇଥିଲ। ତା ବାହାଘର ବେଳେ ବେଣ୍ଟପଦା ଜମି ଖଣ୍ଡକ ବି ବନ୍ଧା ପକେଇ ଯାନି ଯୌତୁକ ଦେଇଥିଲ । ହେଲେ ଜମି ଆଉ ମୁକୁଳେଇ ପାରି ନଥିଲ । ସେଇ ଭାତ ହାଣ୍ଡି କିଆରୀ ଚିନ୍ତାରେ ତମେ ରୋଗଣା ହୋଇ ବାଟ କାଟିଲ । ଆଉ ପଛେ ପଛେ ତମ ଗେଲବସରୀ ନିତୁ। 

କେତେ  ନୃଶଂସ ଥିଲେ ସେମାନେ ! ବେଦୀ ଉପରେ ହୋମ ନିଆଁକୁ ସାକ୍ଷୀ ରଖି ଦଶ ଦୋଷ କ୍ଷମା କରିବାର ଶପଥ ନେଇଥିବା ଲୋକଟି କେମିତି ବିନା ଦୋଷରେ ଚିପି ଦେଲା ତାର ତଣ୍ଟି ? ନିଜ ପରକୀୟା ପ୍ରୀତିକୁ ଲୁଚେଇବାକୁ ଯାଇ ତମ ଝିଅର ଜୀବନ ନେଇଗଲା ସେ। ଥାନାବାଲା କଣ କହିଲେ ଜାଣିଛ ? ତମ ଝିଅ ଆଉ କାହା ସହ ପ୍ରେମ ସମ୍ପର୍କ ରଖି ଗର୍ଭବତୀ ହୋଇ ଲୋକ ଲଜ୍ୟାରେ ଆତ୍ମହତ୍ୟା କରି ଦେଇଛି। ! 

ଆଃ... ଛାତି କୋରପି ହେଇ ଯାଉଛି ବାପା। । ଏ ପୁରୁଷ ସମାଜ ଉପରୁ ମୋର ଭରସା ତୁଟି ତୁଟି ଯାଉଛି। ଦିନେ ମୁଁ ବି ଏମିତି ଅମଣିଷ ମାନଙ୍କର ଶିକାର ନହେବି କିଏ କହିବ ? ସେତେବେଳେ କଣ ହେବ ମୋ ଲଷ୍ମୀର ଅବସ୍ଥା ?

-ବୋଉ... ତୋ ପିଠିରେ ଅଳତା ଲାଗିଛି। ’

ମୁଁ ପଛକୁ ବୁଲି ପଡିଲି। ମୋ ଝିଅ ଲଷ୍ମୀ।

ତେବେ କଣ ଚିତ୍ରସେନଙ୍କ ମାଡର ଦାଗ ଏବେ ବି ଗାଢ଼ ନାଲି ଦିଶୁଚି ? 

ଲୁହ ପୋଛି ତର ତର ହୋଇ ଲୁଗା କାନି ପଛକୁ ପକେଇ ଦେଲି। 

ଲଷ୍ମୀ ଖୁବ ସାନ। ଆଠ ବର୍ଷର ଝିଅ ମୋର। ତା ଭବିଷ୍ୟତ କଥା ଚିନ୍ତାକରି ମୁଁ ଶିହରି ଉଠିଲି। ପିଲା ଦିନେ ଚଢ଼େଇ ପରି ଟିକି ଟିକି ଡେଣା ଝାଡ଼ି ଉଡି ବୁଲୁଥିବା କୁନି କୁନି ଝିଅ ମାନଙ୍କର କପାଳରେ କଣ ଲେଖିଛ ପ୍ରଭୁ ? ମୁଁ ଯଦି ମୋ ଜୀବନ ଭୟରେ ଘରଛାଡ଼ି ଚାଲିଯାଏ ତେବେ ମୋ ଝିଅ ତା’ ବାପା ଠୁଁ ସବୁଦିନ ପାଇଁ ଦୂରେଇ ଯିବ। ନା.. ମୁଁ ଏତେବଡ଼ ସ୍ବାର୍ଥପର ହୋଇ ପାରିବିନି। ମୋ ମୁଣ୍ଡ ଉପର ଛାଇ ସିନା ସବୁଦିନ ପାଇଁ ଘୁଞ୍ଚି ଯାଇଛି ବୋଲି ମୁଁ ଏତେ କଷ୍ଟ ପାଉଛି। ମୋ ଝିଅ ଉପରେ ତା ଛାଇ ସେମିତି ରହିଥାଉ। 

ଲକ୍ଷ୍ମୀକୁ କୋଳକୁ ଟାଣି ନେଇ ଛାତିରେ ଚାପି ଧରିଲି। 

ପଛରୁ କାହାର ଶକ୍ତ ଗୋଇଠା ବାଜିଲା ପିଠିରେ। ମୋ ଆଖି ବୋଲ ମାନୁ ନଥିଲା। ଯେମିତି ଦୁଇ ଟୋପା ପାହାନ୍ତିଆ କାକର  ଭାରୀ ହୋଇ ଘାସ ପତରରୁ ମାଟିକୁ ଖସି ପଡିଲା  !

............

ମୋ : ୯୪୩୭୪୬୮୦୧୬


Reader Reviews

No reviews yet. Be the first to write one!

Enhance Your Experience

Download our mobile app to enjoy a smoother experience and start writing your stories anytime, anywhere.

Download App